Soumya Shubhadarshinee

Abstract

1  

Soumya Shubhadarshinee

Abstract

ଦ୍ଵିତୀୟ ଜନ୍ମ

ଦ୍ଵିତୀୟ ଜନ୍ମ

4 mins
400


 


 ମଣିଷ ପୁଣି ଥରେ ଜନ୍ମ ନେବାର ସୁଯୋଗ ଗୋଟେ ଜୀବନ କାଳରେ , ଯଦିଓ ଟିକେ ଅସହଜ କିନ୍ତୁ ଘଟିବାର ନଜିର ଅଛି ଏଇଠି ଏମିତି ବେଳେବେଳେ ।


 ମନ୍ଦିର ଗୋଟେ ଏମିତି ସ୍ଥାନ ଯେଉଁଠି ମଣିଷକୁ ନିଜର ସିମିତତା ସହ ଭେଟ କରିବାର ସୁଯୋଗ ମିଳେ । ବୁଝା ପଡେ ଆମେ କେତେ ଅସହାୟ । ଏଇ ଯେଉଁ ଗର୍ବ , ଅହଙ୍କାର , ଆତ୍ମବଡ଼ିମା ଆମ ଭିତରେ; ଜଣା ପଡେ କେଡେ ଅଳିକ । 


 ସୁଲଗ୍ନା ହାତ ଯୋଡ଼ିଲା ନାହିଁ ଈଶ୍ବରଙ୍କ ଆଗରେ । ସ୍ତିମିତ ଆଲୋକ ରେ ନିଷ୍ପ୍ରଭ ଲାଗୁଥିବା ମହାଯୋଗୀ ଶିବ ସମ୍ଭୁଙ୍କୁ କିଛି ପଚାରିବାର ନଥିଲା । କିଛି ଜଣେଇବାର ନଥିଲା , କିଛି ଅଭିଯୋଗ ନଥିଲା କି କିଛି ଅନୁରୋଧ ନଥିଲା । ବରଂ ଟିକେ ଆଶ୍ଚର୍ଯ୍ୟ ହେବାର ଇଚ୍ଛାଟିଏ ଉଙ୍କି ମାରୁଥିଲା । କାହିଁକି ନହେବ ବା ?


ସେ କେବେ ଚାହିଁ ଥିଲା କି ଆଉ ଟିକେ ଜୀବନ , ଆଉ ଦୁଇଘଡି ନିଶ୍ୱାସ , କିଛି ମୁହୂର୍ତ୍ତର ମୋହ , କିଛି ମୁହୂର୍ତ୍ତର ମାୟା !

 ନା ସେ ଚାହିଁ ନଥିଲା । ଜୀବନ ଠାରୁ ମୃତ୍ୟୁ ର ସତ୍ୟତା ଅଧିକ ବୋଲି ଗ୍ରହଣ କରିନେଇଥିଲା । ଦିନ , ଘଣ୍ଟା , ମିନିଟ , ସେକେଣ୍ଡ ଗଣି ମୃତ୍ୟୁ ପାଇଁ ଅପେକ୍ଷା କରୁଥିଲା । ହଁ ଯେବେ ତାକୁ ବ୍ଲଡ଼ କ୍ୟାନ୍ସର ହେଇଛି ବୋଲି ଜଣା ପଡିଲା ଏଇଆ କରିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା ।


 ଡାକ୍ତର ବୋଷ , ବେଶ ସମ୍ବେଦନଶୀଳ ମଣିଷ ଜଣେ । ସେ ଯେବେ ବୁଝିଲେ ସୁଲଗ୍ନା ନିଜେ ଜଣେ ଉଚ୍ଚ ଶିକ୍ଷିତା , ବଡ଼ କ୍ଲିୟର ଭାବେ ଜଣେଇ ଦେଲେ । ମୁଁ ଈଶ୍ୱର ନୁହେଁ ମା' , ମୁଁ କେବଳ ତାଙ୍କର ପ୍ରେରିତ ଜଣେ ସେବକ । ତୁମକୁ କିଛି ମୁହୂର୍ତ୍ତର ଜୀବନ ଦେଇପାରେ କିନ୍ତୁ ପୁନର୍ଜନ୍ମ ନୁହେଁ ।


 ତା'କୁ ବହୁତ ଭଲ ଲାଗିଥିଲା ଏଇ କଥା , ସେ ବୁଝିଗଲା ମଣିଷ କେଡେ ଅସହାୟ । ସୃଷ୍ଟି କି ବିଲୟ ଆମ ଅଧିନ ନା' ତ ଥିଲା ନା' ତ ଅଛି । 


 ଡାକ୍ତର , ନର୍ସ , ଔଷଧ , କେମୋ , ରେଡ଼ିଏସନ ଭିତରେ ସନ୍ତୁଳି ହେଉଥିବା ଜୀବନ ପ୍ରତି ବିତୃଷ୍ନା ତିଆରି ହେଉଥିଲା ଭିତରେ ଭିତରେ ବଡ଼ ସୁଦୃଢ ଭାବରେ । 

ବଞ୍ଚିବା ଗୋଟେ ସମ୍ମୋହନ , ଯେବେ ସେଥିରେ ଉନ୍ମାଦନା ଥାଏ । ସମ୍ଭାବନା ଥାଏ , ସ୍ୱପ୍ନ ଥାଏ , ଆବେଗ ଥାଏ । 

 କିନ୍ତୁ ଏସବୁ ବ୍ୟତୀତ ଜୀବନ ଗୋଟେ ବୋଝ । ବହୁତ ଭାରି ବୋଝ । ଯାହାକୁ ବୋହିବାର ସାମର୍ଥ୍ୟ ନଥାଏ ଆମ ଭିତରେ । ବାଧ୍ୟତାମୂଳକ ଭାବେ କିଛି ମୁହୂର୍ତ୍ତ ପାଇଁ ଆମେ କେବଳ ଟାଣି ଘୋଷଡି ହେଉ । କିନ୍ତୁ

ବିରତି ଖୋଜୁ ଡହଳବିକଳ ହେଇ ସେଇ ଜୀବନ ଭିତରୁ । 


 ଶରୀର ଗୋଟେ ଘର ଭଳି କିନ୍ତୁ ଭଡା ଘରଟିଏ । ଏଠି ଆମକୁ ନିର୍ଦ୍ଦିଷ୍ଟ ଭାବରେ ଭଡା ଦେବାକୁ ହୁଏ । ଛୋଟ ମୋଟ ଶାରୀରିକ ଅସୁସ୍ଥତା ସେଇ ଭଡା ଟଙ୍କା ଭଳି । କିନ୍ତୁ ଏମିତି ବିଶାଳ ସ୍ଵାସ୍ଥ୍ୟ ସମସ୍ୟା ଭଡା ଘର ଛାଡିବାର ନୋଟିସ୍ । ଜଣେଇ ଦିଏ ଅଦୃଷ୍ଟ ଯେ , ଆଉ ନୁହେଁ ଏବେ ନୂଆ ନୀଡ଼ ଖୋଜିବାର ବେଳା । ଜୀବନ ମୃତ୍ୟୁ ଏଇଭଳି ଗୋଟିଏ ଚକ୍ର । ଭଡ଼ାରୁ ଆରମ୍ଭ ହେଇ ଭଡାରେ ସାରିବାର କାର୍ଯ୍ୟକ୍ରମ ।


 କହୁଥିଲେ ଜେଜେ , ପିଲାବେଳେ ସେମାନଙ୍କୁ ପାଖରେ ବସେଇ । ଯେବେ ସେ ଶେଷ ସମୟରେ ଥିଲେ । ସଭିଙ୍କୁ ଦେଖିବାକୁ ଡାକି ଥିଲେ । ବୟସ ତାଙ୍କର ପଞ୍ଚାନବେ ହେଇଯାଇଥିଲା । କେଶ ସଫେଦ , ଚର୍ମ ଲୋଳିତ , ମୁହଁ କୁଞ୍ଚିତ , ଶରୀର ରୁଗ୍ଣ ହେଇଯାଇଥିଲା । ସର୍ବମୋଟ ଦୁଇଟି ଦାନ୍ତ ଥିଲା ଜେଜେଙ୍କର । ପାକୁଆ ପାଟିରେ ବିକଳ ହସ ହସି ଜେଜେ କହିଥିଲା ଯିବାର ଦୁଇ ଦିନ ପୂର୍ବରୁ । ସେତେବେଳେ ସଠିକ ଲାଗିଥିଲା ଏଇ ଉକ୍ତି । ଗୋଟେ ସହଜ ଭାବ ଥିଲା ତାଙ୍କ ଯିବାରେ । ମୁକ୍ତି ହେଇଯିବାର ତୃପ୍ତି ଥିଲା ସଭିଙ୍କ ଆଖିରେ । କାନ୍ଦି ନଥିଲେ ବାପା ବରଂ ଈଶ୍ବରଙ୍କ ପାଖରେ କୃତଜ୍ଞ ହେଇଥିଲେ କାରଣ ଜେଜେ ଗୋଟେ ସଫଳ ଜୀବନ ଜିଇଁଥିଲେ । ନିଜ ଲୋକଙ୍କ ଗହଣରେ ବେଶ ସାବଲୀଳ ଭାବରେ । ନଥିଲା ତାଙ୍କର କୌଣସି ଅବସୋସ , ନଥିଲା କୌଣସି ଅତୃପ୍ତି , ନଥିଲା କୌଣସି ଅଭିଯୋଗ । ସେ ନିଜ ଜୀବନ ଜିଇଁ ସାରିଥିଲେ ।


 କିନ୍ତୁ ସୁଲଗ୍ନା , ଯାହାର ବୟସ ଜମା ବାଇଶି ବର୍ଷ । ତା' ପାଇଁ ଏଇ ଉକ୍ତି କେତେ ସମୀଚିନ


 ଦୁଇ ବର୍ଷ ପୂର୍ବରୁ ସେ ଚଳଚଞ୍ଚଳ ଥିଲା ଠିକ ହରିଣୀ ଭଳି । କଲେଜ , ଫ୍ରେଣ୍ଡସ , ପବ୍ , ପିଜା , ପାର୍ଟି ର କୋଳାହଳ ଭିତରେ । ଭବିଷ୍ୟତରେ ଗୋଟେ ସମାଜ ସେବୀ ହେବାର ଝୁଙ୍କ ପାଳିଥିଲା ଭିତରେ । କେତେ କାମ କରୁଥିଲା ଅଦ୍ଵିିତୀୟା ମ୍ୟାମ୍ ଙ୍କ ସହ ମିଶି । କୁଷ୍ଠ ରୋଗୀଙ୍କ ସେବା , ବସ୍ତି ଛୁଆଙ୍କ ପାଠ ପଢା , ନିଶା ନିବାରଣ ସଂସ୍ଥାର ଦାୟୀତ୍ୱ ଏମିତି ଅଗଣିତ । 


 ବେଶ କୁହାଳିଆ ଥିଲା , ସାମ୍ନା ଲୋକକୁ କଥାର ଚାତୁରୀରେ ବାନ୍ଧି ନେଉଥିଲା ମୁହୂର୍ତ୍ତକରେ । ସଭିଙ୍କର ସ୍ନେହ ଆଉ ପ୍ରସଂଶା ପାତ୍ରୀ ଥିଲା । 


 ତା' ଭଡା ଘରଟା ଏକଦମ ନୂଆ ଥିଲା , ରଙ୍ଗ , ରୂପ , ସୌନ୍ଦର୍ଯ୍ୟ ସବୁଥିରେ । ଆହୁରି ଯୁଗ କେତେଟା ସେଇ ଘରେ ସ୍ୱପ୍ନ ଦେଖିବାର ଥିଲା । ଜବ୍ , ବାହାଘର , ପିଲାଙ୍କ କିଚିରିମିଚିରି , ଏମିତି ଅଗଣିତ ଅନୁଷ୍ଠାନ ସେଇ ଘରେ କରିବାର ଥିଲା ।

 କିନ୍ତୁ କିଛି ବି ହେବାର ସମ୍ଭାବନା ଅସମୟରେ ସମାଧି ନେଇଗଲେ । ବିନା ପୂର୍ବ ସୂଚନା ରେ ଘର ଛାଡିବାର ନୋଟିସ ମିଳିଗଲା । ଏମିତି ହେଲେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ତ ଆଉ କ'ଣ ଲାଗିବ ଯେ ?


  ମମି କିନ୍ତୁ ଏବେବି ଆଶା ବାନ୍ଧି ବସିଥିଲା , ବିକଳ୍ପ ମିଳିବ । ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେଇ ସୁଲଗ୍ନା ସୁସ୍ଥ ହେବ । ମିଳିବେ ଜଣେ ସଠିକ ମ୍ୟାଚ୍ , ପେରଫେକ୍ଟ ଡୋନର୍ । ଡକ୍ଟର ବୋଷ ଏଇ ସ୍ୱପ୍ନ ଟେ ସାଇତି ଦେଇଛନ୍ତି ମମି ଆଖିରେ ।


 ଆଉ ସେଇ ପ୍ରେରିପ୍ରେକ୍ଷୀରେ ଅର୍ଜୁନ ରାୟ ସହ ଯୋଗାଯୋଗ । ସେ ପୃଥିବୀର ଗୋଟେ ଦେବଦୂତ ସୁଲଗ୍ନା ପାଇଁ । ତାକୁ ଦ୍ଵିତୀୟ ଜନ୍ମ ଦେବାର ମାଧ୍ୟମ । ସୋସିଆଲ ମେଡିଆରୁ ସୁଲଗ୍ନା ର କେସ ଦେଖି ସ୍ବେଚ୍ଛାକୃତ ଭାବେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ 

ପାଇଁ ସମ୍ମତି ଦେଇଥିବା ଭିନ୍ନ ମଣିଷ । ସବୁକିଛି ସଠିକ କରିଦେଇ ନୂଆ ଜୀବନ ସଂଚାର କରିଥିବା ଆଲ୍ଲାଦୀନ୍ ର ଜିନ୍ ।

 ବିଗତ ଦୁଇ ମାସ ଭିତରେ ସୁଲଗ୍ନା ଜୀବନରେ ଅନେକ ରଙ୍ଗ ଭରିଥିବା ଗୋଟେ ସୁମଣିଷ ଅର୍ଜୁନ । ତାଙ୍କ ବ୍ୟକ୍ତିତ୍ୱ , ଚରିତ୍ର , ମାନବିକତା , ସଂଦେନଶୀଳତା ଆଗରେ ନିଜକୁ ସମର୍ପିତ କରିଦେଇଥିଲା ସୁଲଗ୍ନା । ଗୋଟେ ଅଲିଖିତ ଚୁକ୍ତି କରିନେଇଥିଲେ ଦୁହେଁ ଯୁଗ୍ମ ଜୀବନର । ଅଗଣିତ ସ୍ୱପ୍ନ ସଜେଇ ନେଇଥିଲେ ବିନା ଦ୍ଵିଧା ରେ । କାହିଁକି ବା ନକରିବେ , ମନର କାରବାର ତ ସବୁବେଳେ ସେମିତିହିଁ । ଅଦିନ ଝଡ଼ ଭଳି ଅପ୍ରତ୍ୟାଶିତ । ସଭିଏଁ ଏଭଳି ସ୍ୱପ୍ନରେ ସହଭାଗୀ ହେଇଥିଲେ ।


 ଆଉ ଗୋଟିଏ ଦିନ ପରେ ଅପରେସନ୍ ହେବାକୁ ଥିଲା । ସବୁରି ଆଖିରେ ନୂଆ ଚମକ ଖେଳିଯାଇଥିଲା । ସ୍ୱପ୍ନର କଣିକା ଆଖିର ସାରହଦ ରେ ପୁଣି ଆସ୍ଥାନ ଜମେଇବା ର ଉପକ୍ରମ ରେ ଥିଲେ । ସବୁ ଅବିଶ୍ୱାସନୀୟ ଭାବେ ଉନ୍ମାଦକ 

ଲାଗୁଥିଲା ।


 କିନ୍ତୁ କିନ୍ତୁ ଆଜି ସନ୍ଧ୍ୟାରେ ଅର୍ଜୁନଙ୍କ ର ଗୋଟେ ଦୁର୍ଘଟଣା ରେ । ଆଉ ଅଧିକ ଭାବିବାକୁ ଇଚ୍ଛା ନଥିଲା ସୁଲଗ୍ନା ର ।

ଏବେ ସେ ନୂଆ ଜୀବନ ପାଇବ , ମୃତ ଅର୍ଜୁନଙ୍କ ଶରୀର କେବଳ ତାକୁ ନୁହେଁ ଆହୁରି ଅନେକ ମଣିଷ ଙ୍କୁ ନୂଆ ଜୀବନ ଦେବ । ସେ ସମଗ୍ର ଶରୀର ଦାନ କରିଯାଇଛନ୍ତି ମୃତ୍ୟୁ ପୂର୍ବରୁ ।

 କିନ୍ତୁ ସୁଲଗ୍ନା କ'ଣ ସୁଖୀ ଏବେ । ଦ୍ଵିତୀୟ ଜନ୍ମ ର ସୁଯୋଗ ଧାରେ ହସ ଖେଳେବାକୁ କ'ଣ ସମର୍ଥ


 ଈଶ୍ୱରଙ୍କ ପାଖରେ ବସି ସେ ଏଇ ଆଶ୍ଚର୍ଯ୍ୟ ଟିକକ ପ୍ରକଟ କରିବାର ଇଚ୍ଛା କରୁଥିଲା । 


Rate this content
Log in

Similar oriya story from Abstract