STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଧାରେ ହସ ଧାରେ ଲୁହ

ଧାରେ ହସ ଧାରେ ଲୁହ

2 mins
394


ଘନ ରାତ୍ରିର ଅନ୍ଧକାର ଭିତରେ ବିଛଣାରେ ପଡି ଛଟ ପଟ ହେଉଛି ମାନସୀ। ନିଦ ହଜି ଯାଇଛି ତାର ଆଖିରୁ। ମନକୁ ଯେତେ ଦୃଢ଼ କରି ଦୁନିଆଁ ଦାଣ୍ଡରେ ବାଟ ଚାଲିବା ପାଇଁ ଜୀବନ ସହିତ ସଂଗ୍ରାମ କରି ଆସିଥିବା ମାନସୀ ପଟ୍ଟନାୟକଙ୍କ ଆଖିରୁ ଆପେ ଆପେ ଧାରେ ଲୁହ ଆସିଗଲା । ବିଗତ ଦିନର ସ୍ମୃତି ସବୁ ମନ ଭିତରେ ଉଙ୍କି ମାରୁଥିଲା। ମାନସ ତାକୁ କଥା ଦେଇଥିଲା ଦିନେ ତାକୁ କାନ୍ଦିବା ପାଇଁ ଦେବ ନାହିଁ। କିନ୍ତୁ ଏ କଣ ହେଲା ତାର। ଆଜି ଏ ପରିସ୍ଥିତିରେ ସେ କିପରି ବଞ୍ଚିବ। କିଏ ତାକୁ ସାହାରା ଦେବ। ବାହାଘର ପରେ ସେ ତା ସ୍ବାମୀ ସହିତ ଦିଲ୍ଲୀ ପଳାଇ ଯାଇଥିଲା। ମାନସ ଖାଇବା ପିଇବା ପାଇଁ ହଇରାଣ ହେଉଥିଲା ବୋଲି ତାର ବାପା ମାଆ ମାନସୀ କୁ ସାଙ୍ଗରେ ନେଇ ଯିବା ପାଇଁ ବାଧ୍ୟ କରିଥିଲେ। ମାନସର ମାଆ କହିଥିଲେ ଆରେ ପୁଅ ମୁଁ ବର୍ତ୍ତମାନ ସୁସ୍ଥ ସବଳ ଅଛି। ସବୁ କାମ କରି ପାରୁଛି। ବୋହୁ ଯାଉ ସେଠାରେ ରହିବ, ଦରକାର ପଡିଲେ ଆମେ ଫୋନ୍ କରି ଡକାଇ ଆଣିବୁ।ଛଅ ମାସ ପରେ ମାନସର ଆକ୍ସିଡେଣ୍ଟ ରେ ଜୀବନ ଚାଲିଗଲା। ସେତେବେଳକୁ ମାନସୀ ଦୁଇ ମାସର ଗର୍ଭବତୀ ହୋଇଥିଲା। ଏ କଥା କେବଳ ମାନସ ଜାଣି ଥିଲା, କାରଣ ସେ ମାନସୀର ୟୁରିନ୍ ଟେଷ୍ଟ କରିଥିଲା। ବାପା ମାଆ ଙ୍କୁ ଏକଥା ଜଣାଇ ନ ଥିଲା। କହିଥିଲା ମୁଁ ସେମାନଙ୍କୁ ଯାଇଁ ସରପ୍ରାଇଜ ଦେବି। କିଏ ଜାଣିଥିଲା ତାର ଏପରି ଭାବରେ ଜୀବନ ଚାଲିଯିବ। ଯେତେବେଳେ ଶାଶୁ ଶ୍ଵଶୁର ଏ କଥା ଶୁଣିଲେ ମାନସୀ କୁ ଦୋଷ ଦେଲେ। କହିଲେ ତୋରି ପାଇଁ ଆଜି ମୋ ପୁଅ ମରିଗଲା। ତୁ ଅଲକ୍ଷଣୀଟେ।ଏତେ ଭଲ ପାଉଥିବା ଶାଶୁ ଶ୍ଵଶୁର ହଠାତ୍ ପରିବର୍ତ୍ତନ ହୋଇଗଲେ। ତାକୁ ସନ୍ଦେହରେ ଘରୁ ବାହାର କରିଦେଲେ, ବାଧ୍ୟ ହୋଇ ଆସି ବାପଘରେ ରହିଲା।କମ୍ପାନୀ ଚାକିରିରେ ଇନ୍ସୁ ରାନ୍ସ ଟଙ୍କା କିଛି ମିଳି ଥିଲା। ଧୈର୍ଯ୍ୟ ଧରି ମାନସୀ ସେହି ଟଙ୍କାରେ କିଛି ଜିନିଷ ପତ୍ର କିଣି ମସଲାଗୁଣ୍ଡ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ତିଆରି କରିଲା, ବଡି, ଆଚାର, ଆଦି ତିଆରି କରି ବିକ୍ରୀ କରି ଜୀବିକା ନିର୍ବାହ କଲା। ଭଲ ଜିନିଷ ସହିତ କଠିନ ପରିଶ୍ରମରେ ଆସ୍ତେ ଆସ୍ତେ ତାର ବେପାର ଭଲ ହେଲା। ଗାଆଁର କିଛି ମହିଳା ଓ ଝିଅ ଆସି କାମରେ ଯୋଗ ଦେଇ ନିଜେ ସ୍ବାବଲମ୍ବୀ ହେଲେ।କିଛି ଦିନ ପରେ ମେଡିକାଲ ରେ ତାର ଠିକ୍ ମାନସ ପରି ଡଉଲ ଡାଉଲ ସୁନ୍ଦର ପୁଅ ଟିଏ ଜନ୍ମ ହେଲା। ପୁଅର ଚେହେରା କୁ ଦେଖି ମାନସୀ ବହୁତ ଖୁସି ହୋଇଗଲା। ଏତେ କଷ୍ଟ ପରେ ମଧ୍ୟ ତା ମୁହଁରେ ଧାରେ ହସ ଆସିଗଲା। ତାକୁ ଲାଗିଲା ମାନସ ଯେପରି ତା ଆଖିରେ ଆଖି ମିଶାଇ ହସୁଛି ଓ କହୁଛି ମାନସୀ ତୁମେ କିଛି ଚିନ୍ତା ନ କରି ସବୁବେଳେ ଏହିପରି ହସୁଥା।ବଞ୍ଚିଥିବା ବେଳେ ମାନସ ତାକୁ ରାଣ ଦେଇ କହିଥିଲା ମାନସୀ ତୁମେ କେବେହେଲେ କାନ୍ଦିବ ନାହିଁ, କାରଣ କାନ୍ଦିଲେ ଚନ୍ଦ୍ର ଉଦିଆ ପରି ତୁମ ସୁନ୍ଦର ମୁହଁରେ ସତେ ଯେପରି ଗ୍ରହଣ ଲାଗିଯାଏ। ଆଉ ତୁମର ଡାଳିମ୍ବ ଦନ୍ତପନ୍ତିରେ ଯେତେବେଳେ ଧାରେ ହସ ଫୁଟି ଉଠେ ନା ସତେ କି ପୂର୍ଣ୍ଣମୀର ଚାନ୍ଦ ହାତ ପାହାନ୍ତାରେ ଓହ୍ଲାଇ ଆସେ। ତୁମକୁ ମୋ ରାଣ ମାନସୀ ତୁମେ ସବୁ ବେଳେ ଓଠରେ ଧାରେ ହସ ଫୁଟାଉଥିବ। ମାନସ ର ଏହି କଥା ସବୁ ତାର ଆଖି ଆଗରେ ନାଚି ଯାଉଥିଲା। ଧାରେ ହସ ଧାରେ ଲୁହ ନେଇ ବଞ୍ଚି ଜୀବନ ଅତିବାହିତ କରିବା ପାଇଁ ମାନସୀ ପ୍ରସ୍ତୁତ ହେଉଥିଲା।


Rate this content
Log in

Similar oriya story from Abstract