STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ପରୀ ରାଇଜ।

ପରୀ ରାଇଜ।

3 mins
404


ରାମପୁର ଗାଆଁରେ ରାମୁ ବୋଲି ଗୋଟିଏ ପିଲା ଥିଲା। ସଞ୍ଜ ହୋଇଗଲେ ତା ବୁଢୀମା ତାକୁ ସବୁଦିନ ଗପ ଶୁଣାନ୍ତି। ଭୁତ ଗପ, ଶୁଆ ସାରି କାହାଣୀ, ସାଧବ ଝିଅ ଗପ , ଦଶ ରାଜ କୁମାରୀ ଚରିତ ଏମିତି ନୂଆ ନୂଆ ଗପ କୁହନ୍ତି। ଦିନେ ରାମୁ କହିଲା ବୁଢୀମା ମୋତେ ଆଜି ପରୀ ରାଇଜ ଗପ କହିଲୁ। ବୁଢ଼ିମା କହିଲେ ହଉ ଶୁଣୁ। ଉଦୟ ପୁର ଗ୍ରାମରେ ସନାତନ ବୋଲି ଜଣେ ଲୋକ ଥିଲା। ତାର ସୁନା ବୋଲି ଗୋଟିଏ ଝିଅ ଥିଲା। ସେ ଜନ୍ମ ହେଲା ପରେ ପରେ ତା ମାଆ ମରିଗଲା। ତା ବାପା ଆଉ ଥରେ ବିବାହ କରିଲେ। ପ୍ରଥମେ ପ୍ରଥମେ ସେ ସୁନାକୁ ବହୁତ ଭଲ ପାଉଥିଲା। ସୁନା ମଧ୍ଯ ମାଆର ଅଭାବ ଭୁଲି ଖୁବ୍ ଖୁସିରେ ଥିଲା। କିନ୍ତୁ ଯେବେଠୁ ତାର ଗୋଟିଏ ସାନ ଭଉଣୀ ଜନ୍ମ ହେଲା ତା ମାଆ ତାକୁ ଆଉ ଜମାରୁ ଭଲ ପାଇଲା ନାହିଁ। ସବୁ ବେଳେ ଚିଡ଼ି ଚିଡ଼ି ହୋଇ ରାଗରେ ମାରେ। ଘରର ସବୁ କାମ ସୁନା ହାତରେ କରାଏ। କିଛି ପ୍ରତିବାଦ ନ କରି ସୁନା କଷ୍ଟେ ମଷ୍ଟେ ସବୁ କାମ କରିଦିଏ। ଦିନେ ରାତିରେ ସୁନା କାନ୍ଦି କାନ୍ଦି ବାଡି ପଛପାଖ ରେ ବସି ମନେ ମନେ କହୁଥାଏ ମାଆ ଲୋ ତୁ ମରିଗଲୁ ମୋତେ ତୋ ପାଖକୁ ନେଇ ଯାଆ। ମୁଁ ଆଉ ଏତେ କଷ୍ଟ ସହି ପାରୁନି। ଏହି ସମୟରେ ତାକୁ କେତେବେଳେ ନିଦ ହୋଇ ଯାଇଛି ସେ ଜାଣିନି । କିଛି ସମୟ ପରେ ଗୋଟିଏ ଅପୁର୍ବ ସୁନ୍ଦରୀ ପରୀ ଆସି ତା ଦେହରେ ହାତ ମାରି ତାକୁଉଠାଇ ତା ସାଙ୍ଗରେ ନେଇଗଲା। ପରୀର ଦୁଇ ପାଖରେ ଅତି ସୁନ୍ଦର ପକ୍ଷୀ ପର ପରି ଚିକ୍ ମିକ୍ ଦୁଇଟି ଡେଣା ବାହାରିଛି। ସେ ସୁନା କୁ ପିଠିରେ ବସାଇ ଉଡ଼ି ଉଡ଼ି ତାର ଘରକୁ ନେଇଗଲା।ସେ ସ୍ଥାନ ଅତି ଉଜ୍ଜ୍ୱଳ ମୟ ସୁନା, ରୂପା, ହୀରା, ମୋତି ମାଣିକ ଖଞ୍ଜା ଯାଇଛି। ଚାରିଆଡେ ସୁନ୍ଦର ଆଲୋକ ସଜ୍ଜା ହୋଇଛି। ଏତେ ସୁନ୍ଦର ସ୍ଥାନ ଦେଖି ସୁନା ବହୁତ ଖୁସି ହୋଇଗଲା। ତାକୁ ପଚାରିଲା ମୁଁ ଏବେ କୋଉଠି। ସେ କହିଲା ତୁ ପରୀ ରାଇଜରେ ଅଛୁ। ଏହା କହି ଏକ ସୁନ୍ଦର ଡ୍ରେସ୍ ତାକୁ ପିନ୍ଧିବାକୁ ଦେଲା। ଭଲ ଭଲ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦେଲା। ଚାରିଆଡ଼େ ନେଇ ବୁଲାଇ ଆଣିଲା। ସୁନା ମନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଗଲା। ସେ ଖୁସିରେ ହସୁଥିଲା। ଆଉ କହିଲା ମୋତେ ଏହିପରି ଖାଇବା ସବୁଦିନ ମିଳନ୍ତା କି। ବାସୀ ବଳକା ଅଇଁଠା ଖାଦ୍ୟ ଖାଇ ବଞ୍ଚିବା ପାଇଁ ମୋ ଭାଗ୍ୟରେ ଅଛି। ଏହା ଶୁଣି ପରୀ ତାକୁ ଏକ ରୂପାର ଛୋଟ ଥାଳିଆ ଦେଲା। କହିଲା, ଏହାକୁ ଜୁହାର ହୋଇ ଯାହା ମାଗିବୁ ତାହା ତୋତେ ମିଳିବ। ଥାଳିଆ କୁ ନେଇ ସୁନା ଖୁସିରେ ଘରକୁ ଆସିଲା। ଯେତେବେଳେ ଯାହା ଦରକାର ହୁଏ ଥାଳିଆ ସବୁ ପୂରଣ କରିଦିଏ। ସୁନାର ଚେହେରା ସୁନା ପରି ଚିକ ଚୀକ୍ ଦେଖାଗଲା। ଏହା ଦେଖି ତାର ସାବତ ମା ଓ ଭଉଣୀ ଇର୍ଷାରେ ଜଳି ପୋଡ଼ି ହୋଇ ସୁନା ଉପରେ ରାଗରେ ଗର ଗର ହେଉଥାନ୍ତି। କହିବା ପାଇଁ କିଛି ବାଟ ପାଉ ନଥାନ୍ତି, କାରଣ, ସିଏ ଯେଉଁ କାମ କରିବା ପାଇଁ କହନ୍ତି ସୁନା ସବୁ ଖୁସିରେ ଖୁସିରେ କରିଦିଏ। ସୁନାକୁ ଯେଉଁ ଖାଦ୍ୟ ଖାଇବାକୁ ଦିଅନ୍ତି ସୁନା ନେଇ ଏକ କୁକୁରକୁ ଦେଇଦିଏ।ଦିନେ ତାର ସାନ ଭଉଣୀ ଏହା ଦେଖିଲା ପରେ ସୁନା କଣ ଖାଉଛି ଦେଖିବା ପାଇଁ ଲୁଚି ଲୁଚି ଦେଖିଲା ସୁନା ଭଲ ଭଲ ସୁସ୍ୱାଦୁ ଖାଦ୍ୟ ଖାଉଛି। ସୁନାକୁ କିଏ ଏପରି ଖାଦ୍ୟ ଦେଉଛି ଯାଇଁ ତା ମାଆ କୁ କହିଲା। ତା ମାଆ ଆସି ଦେଖି ରାଗରେ ସୁନା କୁ ମାଡ ମାରି ଖାଇବା ନେଇ ଗଲା। ସେ ଗଲା କିଛି ସମୟ ପରେ ସୁନା ପୁଣି ସେ ଥାଳିଆ କୁ ଖାଦ୍ୟ ମାଗି ଆନନ୍ଦରେ ଖାଇଲା। ଦିନେ ସୁନା କାମ କରୁଥାଏ ତାର ସାବତ ମା ଆସି ସୁନାର ଜିନିଷ ପତ୍ର ଖୋଜି ଖୋଜି ଥାଳିଆ ଟିକୁ ପାଇଲା। ସୁନା କେଉଁଠୁ ଏଇଟାକୁ ଚୋରି କରି ଆଣିଚି ଭାବି ତାକୁ ପଚାରିଲା। ସୁନା ଥାଳିଆ କୁ ତା ମାଆ ହାତରେ ଦେଖି ଡରି ଗଲା। କିଛି କହିଲା ନାହିଁ। ରାଗରେ ତା ମାଆ ତାକୁ ମାରିଲେ ମଧ୍ୟ ତା ପାଟିରୁ ପଦେ କଥା ବାହାରିଲା ନାହିଁ। ସେଦିନ ସେ ଥାଳିଆ କୁ ତା ମାଆ ନେଇ ପାଖରେ ରଖିଲା, କିନ୍ତୁ ରାତି ହେବାରୁ ଥାଳିଆ ଆପେ ଆପେ ଆସି ସୁନା ପାଖରେ ପହଞ୍ଚି ଗଲା। ସୁନା ଖାଇ ପିଇ ଆନନ୍ଦରେ ରହିଲା। ମନେ ମନେ ପରୀକୁଧନ୍ୟବାଦ ଦେଲା।ପରୀ ରାଇଜ ବୁଲି ଆସିବା ପରେ ସୁନାର ଭାଗ୍ୟରେ ପରିବର୍ତ୍ତନ ହେଲା ଓ ଆନନ୍ଦରେ ଜୀବନ ଯାପନ କଲା। ଗପ ଶୁଣାଇ ଜେଜେ ମା କହିଲେ ଶୁଣିଲୁ ତ ପରୀ ରାଇଜକଥା। ପରୀ ମାନେ ଅତ୍ୟନ୍ତ ଦୟାଳୁ, ଯିଏ ତାଙ୍କ ହାବୁଡ଼ରେ ପଡେ ତାର ଭାଗ୍ୟ ବଦଳି ଯାଏ।ହଁ ମାରି ରାମୁ କହିଲା ବୁଢୀମା ମୋତେ ନିଦ ଆସିଲାଣି। ବୁଢ଼ିମା କହିଲେ ଯା ଖାଇ କି ଶୋଇବୁ । ରାମୁ ବୁଢୀମାଙ୍କର କଥା ମାନି ଖାଦ୍ୟ ଖାଇ ଶୋଇବାକୁ ଗଲା।


Rate this content
Log in