Madhabi Patel

Classics

4  

Madhabi Patel

Classics

ଦେବୀଙ୍କ ଚମତ୍କାର

ଦେବୀଙ୍କ ଚମତ୍କାର

4 mins
508


ଆଶ୍ବିନର ପଦ ସ୍ପର୍ଶରେ ଧରା ଆନନ୍ଦ ବିଭୋର ହୋଇ ଉଠିଛି।କଳାଘୁମର ପୂର୍ଣଗର୍ଭା ମେଘ ସବୁ ଅପସରି ଗଲେଣି ଗଗନ ମଣ୍ଡଳରୁ।ସେ ସ୍ଥାନକୁ ଏବେ ଧଳା ଧଳା ତୁଳାପରି ମେଘ ଆବୋରି ବସିଛନ୍ତି।ଅଳ୍ପ ଅଳ୍ପ ଖରାପଡି ଅଭ୍ରସମ ଚମକୁଛି ନଭକଳେବର। ରାତ୍ରୀରେ ରୂପା ତାରକସି ଚାନ୍ଦିନୀ ତନ୍ଦ୍ରାତପର ଚାନ୍ଦୁଆ ଟେ ଟାଣି ପୃଥିବୀକୁ ଘୋଡି ପକାଉଛି। ରାତ୍ରୀର କଳା ଶାଢୀରେ ଚିକି ମିକି ତାରା ଓ ଗ୍ରହ ଙ୍କର ଟିକିଲି ସଜାଇ ଓଢଣା ଢାଙ୍କୁଛି ଆକାଶ।ଆକାଶ ଓ ପୃଥିବୀର ବିଚ୍ଛେଦ ଦୁଃଖରେ ନିଗିଡି ଆସୁଛି ବିରହ ର ଅଶ୍ରୁ କାକର ବିନ୍ଦୁହୋଇ।


ଦେବୀ ଏବେ ଓହ୍ଲାଇବେ ଧରା ପୃଷ୍ଠକୁ।କାଶତଣ୍ଡି ସଜ ହେଉଛି ଧଳା ଚାମର ସଜକରି ଦେବୀଙ୍କୁ ଆଲଟ ଚାମର ରେ ବିଞ୍ଛିଦେବ ବୋଲି।ହିଡ ମାଳରେ ବଗବଗୁଲିଙ୍କ ଲମ୍ବା ଉତ୍ତରୀୟ ଦୋହଲୁଛି ଯେମିତି ଧଳା ନେତ ଉଡୁଛି ଦୁର୍ଗାଙ୍କ ସ୍ବାଗତ ପାଇଁ।

ମନ୍ଦ ମନ୍ଦ ଶୀତଳ ବାଆ ବହିଲେ ସବୁଜ ଧାନ କେଣ୍ଡା ସବୁ ନୃତ୍ୟରତ ହେଇ ଶିଶିକାରି ଶବ୍ଦ କରୁଛନ୍ତି। କର୍ଦମାକ୍ତ ନଈ ନାଳ ପୁଷ୍କରିଣୀର ଜଳ ଏବେ କାଚ ପରି ସ୍ବଚ୍ଛ ଦିଶିଲାଣି।ଦିନରେ ତପନ ଆଉ ରାତ୍ରୀରେ ଶଶାଙ୍କ ନିଜର ପ୍ରତିବିମ୍ବ ଦେଖୁଛନ୍ତି ସ୍ବଚ୍ଛ ଜଳ ମୁକୁରରେ।


ରାସ୍ତା ଘାଟ ସବୁ ବର୍ଷାଜଳରେ ଧୌତ ହେଇ ଶୁଷ୍କ ହେଲାଣି।ସବୁଆଡେ ସଫା ନିର୍ମଳ ଦିଶୁଛି। ଚାଳ ମଥାନ ମାନଙ୍କରେ ବିଭିନ୍ନ ଲତାଙ୍କ ସୁନେଲି ଫୁଲଫୁଟି ତାରକା ସମ ସୁନ୍ଦର ଦିଶୁଛନ୍ତି।ବାଡି ମାନଙ୍କରେ ବିଭିନ୍ନ ପନି ପରିବା ଭରପୁର ମିଳିବାକୁ ଲାଗିଛି।କଖାରୁ କାକୁଡି ଜହ୍ନି,ଡୁଡୁକା,କରଲା ଝୁଡଙ୍କ,ଲାଉ ଏମିତି ଫୁଲ ଫଳରେ ଭରି ଯାଇଛି ବାଡି ବଗିଚା।

ନୂଆଁ ସରିଆ ଓ ଗୁଡା ଧାନ ସବୁ କଟା ହେଇ ଆସିଲାଣି ଘରକୁ।ନବାନ୍ନ ଲାଗି ହେଇ ସାରିଲାଣି ଦେବୀ ସମଲେଶ୍ବରୀଙ୍କୁ।ଯୋଉ ମାନେ ନୂଆ ଖାଇରେ ନବାନ୍ନ ନେଇ ପାରି ନାହାଁନ୍ତି ଆଶ୍ବିନ ଦଶମୀ ଦିନ ନେବାର ସୁଯୋଗ ରହିଛି।

ଦଶହରାରେ ସବୁ ବିବାହିତ ଝିଅ ଡାକରା ପାଇ ଘରକୁ ଫେରିଛନ୍ତି।ଏଇ ଏକ ମଉକା ଯେତେବେଳେ ଦେବୀ ଆସନ୍ତି ମର୍ତ୍ତ୍ବମଣ୍ଡଳକୁ ଆଉ କନ୍ୟାରୂପକ ଦେବୀ ମାନେ ଆସନ୍ତି ପିତ୍ରାଳୟକୁ। କନ୍ୟା ଓ ନାତି ନାତୁଣୀଙ୍କ ସମାଗମରେ ଗୃହମାନ ଉତ୍ସବ ମୁଖର ହୋଇ ଉଠେ।ପିଠା ପଣା ମାଛ ମାଂସ ପନୀର ପୁଆଳ ଛତୁ ବିଭିନ୍ନ ମିଠା ସବୁ କିଣା ହେଇ ଆସେ ଘରକୁ।ପାଚିଲା ଆତ,କଞ୍ଚା ବାଦାମ,କଞ୍ଚା ସିଙ୍ଗଡା ସବୁ କିଣା ହୁଏ ଅତିଥିଙ୍କ ପାଇଁ।ଭାଇ ଜିଉନ୍ତିଆ ପାଳିତ ହୁଏ ଏ ସମୟରେ।


ଆଶ୍ବିନ ଶୁକ୍ଲ ସପ୍ତମୀରେ ଭଉଣୀ ମାନେ ଉପାସ କରନ୍ତି।ମନ୍ଦାକିନୀ ବି ଉପାସ କରିବାକୁ ଶାଶୁଘରୁ ଆସିଛି ବାପ ଘରକୁ । ଝିଅ ଯୋଇଁ ନାତି ନାତୁଣୀ ଆସିଛନ୍ତି ବୋଲି ଘରେ ସମସ୍ତେ ଖୁସି ଅଛନ୍ତି।ପ୍ରତିଦିନ ନୂଆଁ ନୂଆଁ ଜିନିଷ କିଣା ହେଇ ଆସୁଛି ମାନ୍ୟ ବେଭାର ପାଇଁ।ପସନ୍ଦର ଖାଦ୍ୟ ସାଙ୍ଗରେ ନୂଆ ଲୁଗାପଟା କିଣି ଆଣିଛନ୍ତି ଝିଅର ପରିବାର ପାଇଁ।


ସକାଳୁ ବିଭିନ୍ନ ପୂଜା ସାମଗ୍ରୀ ଯୋଗାଡରେ ଲାଗିଛି ମନ୍ଦାକିନୀ।ନଡିଆ, ଶହେଆଠ ଦୂବର କେରା,ଅଅଁଳାଡାଳ,ଯୋଡି ପିଜୁଳି,ଯୋଡି ଆତ,ପଦ୍ମଫୁଲ,କୁମୁଢାଫୁଲ ବା ପାଣିକଖାରୁ ଫୁଲ।,ପାଣିକଖାରୁ ଫଳ ବଳୀ ର ବଦଳରେ ଅଣା ହେଇଛି।,ଲିଆ ଯୁଗାର ଗୁଡପାଗ କରି ତିଆରି ହେଇଛି।ବିଭିନ୍ନ ଫଳ ମୂଳ ଧୂପ ଝୁଣା ଏପରି ଅନେକ ଜିନିଷ ଯୋଗାଡ ଚାଲିଛି ଦିନ ଯାକ।ମନ୍ଦାକିନୀର ମାଆ ଶାନ୍ତିଦେବୀ ବିଭିନ୍ନ ପିଠାପଣା,ମାଣ୍ଡିଆ ତିଖୁର ଆଦି କରିବାରେ ଲାଗିଛନ୍ତି।

ପିଠା ତିଆରିର ମହମହ ବାସ୍ନାରେ ଘର ମହକି ଉଠୁଛି।ଘର ଦାଣ୍ଡ ମଣ୍ଡପରେ ଦେବୀଙ୍କ ପୂଜା ଆରାଧନା ଚାଲିଛି।ନବରାତ୍ରର ପୂଜା ଚାଲିଛି।ଧୂପ ଅଗୁର ବାସ୍ଳାରେ ବାସ୍ନାୟିତ ହେଉଛି ଚତୁର୍ଦିଗ।ଭକ୍ତି ଭାବନାଟେ ପଲ୍ଲବିତ ହେଉଛି ସଭିଙ୍କ ହୃଦୟରେ।


ଏତେ ସବୁ ପରେବି ଘରଟି ଖାଲି ଲାଗୁଛି।ଯେତେବେଳଯାଏ ସୁବାସ ଭାଇ ଓ ବାସନ୍ତୀ ଭାଉଜ ଘରେ ନ ପହଞ୍ଚିଛନ୍ତି ,ଘରେ ଶୁନ୍ୟତା ରହିବ ହିଁ ରହିବ। ସୁବାସ ଓ ବାସନ୍ତି ଭୂବନେଶ୍ବର ଏପୋଲୋ ହସ୍ପିଟାଲରେ ଡାକ୍ତର ଅଛନ୍ତି।ସୁବାସ ଶିଶୁରୋଗ ବିଶେଷଜ୍ଞ ଥିଲା ବେଳେ ବାସନ୍ତୀ ଗାଏନାକଲୋଜିଷ୍ଟ ଅଟନ୍ତି।ସପ୍ତମୀ ରାତି ନଅଟା ଯାଏ ପହଞ୍ଚିବାର ଖବର ଦେଇଛନ୍ତି ସେମାନେ।ଦୁଇବର୍ଷ ପରେ ଆସୁଛନ୍ତି ଘରକୁ।କରୋନା ପାଇଁ ଗତବର୍ଷ କେହି ଆସି ନଥିଲେ।ଘର ଏକଦମ୍ ଶୁନ୍ୟ ପଡିଯାଇଥିଲା ଗତବର୍ଷ।ଏବର୍ଷ ଯାହଉ କରୋନା ଟିକେ ଦମ୍ଭ ଧରିଛି ବୋଲି ଝିଅ ପୁଅ ଘରକୁ ଆସୁଛନ୍ତି।


ମାଆ ବାପାଙ୍କ ଆଖିପାଣି ମରି ଗଲାଣି ପିଲାଙ୍କୁ ଝୁରି ଝୁରି।ନୂଆଖାଇ କି ଦଶହରାରେ ପିଲାଙ୍କୁ ଅପେକ୍ଷା କରିଥାନ୍ତି ବାପା ମାଆ।ପିଲାଙ୍କ ଜନ୍ମରୁ ବଡହେବାଯାଏ ସବୁ ଚିତ୍ର ଝୁଲୁଥାଏ ଆଖି ଆଗରେ ଚଳଚିତ୍ର ପରି। ପିଲାଏ ବୁଢା ହେଇଗଲେ ବି ମାଆ ବାପାଙ୍କ ଆଖିରେ ଛୋଟ ଛୁଆ ହେଇ ରୁହନ୍ତି।

ପୁଅ ଆସିବ ବୋଲି କେତେ କଣ ପିଠା ଓ ତରକାରି ରୋଷେଇ କରି ରଖିଛନ୍ତି ଶାନ୍ତିଦେବୀ।


ସମୟ ଗଡି ଚାଲିଛି,ହେଲେ ସୁବାସ କେତେବେଳେ ପହଞ୍ଚୁନି।ଏପଟେ ମନ୍ଦାକିନୀ ମଣ୍ଡପକୁ ଯାଇ ପୂଜା ସାରି ଆସିଗଲା।ସେ ଭାବୁଥିଲା ଦାଦା ଆସି ଅପେକ୍ଷା କରିଥିବେ ତେଣୁ ତରତର ହେଉଥିଲା ଆସିବାକୁ ଦାଦା ଭାଉଜଙ୍କୁ ଭେଟିବ ବୋଲି। ହେଲେ ଆସି ଦେଖୁଛି ଘର ଆଗପରି ଖାଲି ପଡିଛିି।ସେ ବଡଦାଦାଙ୍କୁ ଫୋନ ଲଗାଇଲା ହେଲେ ଫୋନ ଆଉଟ୍ ରେଞ୍ଜ ବତାଇଲା। ଆଉ କିଛି ରାସ୍ତା ନଥିଲା ଅପେକ୍ଷା କରିବା ଛଡା।

ଯାହା ରୋଷେଇ କରିଥିଲେ ଖରାପ ହେଇଗଲା ରାତିସାରା ବାହାରେ ରହି।ହେଲେ ସେମାନେ ଆସିଲେନି।ମନକୁ ପାପ ଛୁଉଁଥାଏ।କିଛି ଅଘଟଣ ଘଟିନିତ? ସକାଳ ପହପହରୁ ଉଠି ମନ୍ଦାକିନୀ ସାଙ୍ଗଗହଣରେ ଇବ ନଈ କୁ ଗଲା ଗାଧୋଇ ବାକୁ।ସେଠି ସ୍ନାନ ସାରି ବାଲୁକା ସ୍ଥାପନା କରି ଶାଳକାଠି ଗାଡି ସମସ୍ତେ ପୂଜାକଲେ।ପୂଜାପରେ ଘରେ ଆସି ଭାଇକୁ ଦୂବକେରାରେ ବନ୍ଦାଇ ତାର ରିଷ୍ଟ ଖଣ୍ଡନ ପାଇଁ ଦୁର୍ଗାଙ୍କୁ ପ୍ରାର୍ଥନା କରି ତା ହାତରେ ଜିଉନ୍ତିଆ ବାନ୍ଧିଲେ।


ହେଲେ ମନ୍ଦାକିନୀ ଭୋକ ଶୋଷରେ ଏ ଯାଏ ଅପେକ୍ଷା କରିଛି।ଗଲା କାଲିରୁ ନିର୍ଜଳା ଉପାସ କରିଛି ଭାଇ ପାଇଁ ହେଲେ ଭାଇର କିଛି ଚିନ୍ତା ନାଇଁ ଭଉଣୀ ପ୍ରତି।ଭଉଣୀର ଭୋକରେ ପେଟ ଜଳୁଥିବ ଏତିକି ତ ଜାଣିବା କଥା ତାର।ସେ ଜଣେ ଡାକ୍ତର ହେଇ ଏମିତି ଅବହେଳା ଭାବ।ମନ୍ଦାକିନୀକୁ ଏବେ ବଡ ରାଗ ହେଉଥିଲା ବଡ ଭାଇ ସୁବାସ ଉପରେ।

ଯଦି ଆସିବାର ନଥିଲା ଫୋନକରି କହିଦେଇ ପାରିଥାନ୍ତେ।ସେ ତାଙ୍କ ଫଟୋ ଦେଖି ଉଦ୍ଯାପନ କରି ନେଇଥାନ୍ତା।ହେଲେ କାଲି କହିଲେ ସେ ଘରୁ ବାହାରିଛନ୍ତି।ହେଲେ ଆଜିଯାଏ ଦେଖାନାହିଁ ତାଙ୍କର। ଫୋନ ବି ଲାଗୁନି କାହାର। ଆଠଟା ବେଳକୁ କାର ଆସିବାର ଶବ୍ଦହେଲା।ସଭିଏଁ ଦଉଡିଗଲେ ଦାଣ୍ଡକୁ। ସୁବାସ ଓ ବାସନ୍ତୀ ଗାଡିରୁ ଓହ୍ଲାଇଲେ।ଯା ହଉ ସଭିଏଁ ସୁରକ୍ଷିତ ଥିଲେ।ଏତେବେଳଯାଏ ମନ୍ଦାକିନୀ ଆଶଙ୍କିତ ଥିଲା କାଳେ ଭାଇ କିଛି ବିପଦରେ ପଡିଥିବେ ବୋଲି।ଯେତେବେଳେ ଦେଖିଲା ଦୁହେଁ ସୁସ୍ଥ ଅଛନ୍ତି ଓ ଏତେ ଡେରି କଲେ ସେ ମୁହଁ ଫୁଲେଇ ଅଭିମାନରେ ଘରକୁ ଚାଲିଗଲା।


ସୁବାସ ଜାଣିଛି ଭଉଣୀର ରାଗକୁ।ସେ ପିଲାବେଳୁ ବଡ ଅଭିମାନୀ ବୋଲି। ଗୋଟିଏ ଭଉଣୀ ବୋଲି ବଡ ଆଦର ତାର।ହେଲେ ଯେତେବେଳେ ନିଜ ଅସୁବିଧା କଥା କହିଲା ସେ ବୁଝିଗଲା।ସେମାନେ ସମୟରେ ଘରେ ପହଞ୍ଚିଯିବା କଥା ହେଲେ ଅନୁଗୁଳର ଏକ ଜଙ୍ଗଲ ଜାଗାରେ ଗାଡିର ଏକାଏକ ଷ୍ଟାର୍ଟ ବନ୍ଦ ହେଇଗଲା।ପାଖରେ ଏକ ଝୁମ୍ପୁଡି ଦେଖି ସେଠି ଆଶ୍ରୟ ନେଲେ।ସେତେବେଳେ ବର୍ଷା ହେବାକୁ ଲାଗିଲା।ଫୋନ ବି ଲାଗିଲାନି। ସେ ଘର ଲୋକେ ନିଜ ଖାଇବା ଜିନିଷ ତାଙ୍କୁ ଖାଇବାକୁ ଦେଇ ଅଭ୍ୟର୍ଥନା କଲେ। ଠିକ୍ ସେତେବେଳେ ତାଙ୍କ ବିଧବା ବୋହୁର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା।ବଡ ଗରିବ ସେମାନେ।ଏତିକି ସାମର୍ଥ୍ୟ ନାହିଁ ନର୍ସିଂହୋମ ନେବାକୁ।ପେଟରେ ଯାଆଁଳା ସନ୍ତାନ।ଆମେ ଦୁଇଜଣ ମିଶି ଟର୍ଚ୍ଚ ଆଳୁଅରେ ତାର ଡେଲିଭରି କଲୁ।ଗୋଟିଏ ସନ୍ତାନ ଜନ୍ମପରେ ଟିକେ ସୁସ୍ଥ ହେଇ ଯାଇଥିଲା ମହିଳାଟି।କିଛି ସମୟ ପରେ ପୁଣି ଦରଦରେ ଛଟପଟହେଲା।ତୋ ଭାଉଜ ଆଉଥରେ ଚେକ୍ କରିବାକୁ ଗଲା ଓ ଆଉ ଏକ ସନ୍ତାନ ପ୍ରସବ କଲା।ସେମାନେ ବଡ କୃତଜ୍ଞତା ଜଣାଇଲେ।ଆମକୁ।ଆମପାଇଁ ତାଙ୍କ ବଂଶରକ୍ଷା ହେଲାବୋଲି । ତାଙ୍କ ପୁଅ ଜଣେ ଶହୀଦ ଥିଲେ।ଜଣେ ଶହୀଦ ର ପତ୍ନୀର ପ୍ରସବ କରିବାର ମଉକା ମିଳିଲା ଆମକୁ।

ସେମାନେ କହୁଥିଲେ ଏ ସବୁ ଦୁର୍ଗାଙ୍କ ଚମତ୍କାର ବୋଲି।କାରଣ ଆମେ ପହଞ୍ଚିବାର କିଛି ସମୟ ଆଗରୁ ସେମାନେ ଦୁର୍ଗା ଦେବୀଙ୍କ ପୂଜାକରି ଫେରିଥିଲେ।ଦେବୀଙ୍କୁ ପ୍ରାର୍ଥନା କରିଥିଲେ ତାଙ୍କ ବୋହୁର ନିର୍ବିଘ୍ନରେ ପ୍ରସବ ବ୍ୟବସ୍ଥା କରିଦିଅ ବୋଲି।ଆଉ ତାପରେ ଦେବୀ ଆମକୁ ତାଙ୍କ ଘରେ ପହଞ୍ଚାଇ ଦେଇଥିଲେ। ଏହା ଦେବୀଙ୍କ ଚମତ୍କାର ନା? ସକାଳେ ଆପେଆପେ ଗାଡି ଚାଲିଗଲା ।ବିନା କାରଣରେ ଗାଡି ଅଟକିଲା ଓ ତାଙ୍କ ଦ୍ବାରା ଡେଲିଭରି ହେଲା।ଏଥିରୁ କଣ ବୁଝା ପଡୁଛି।ସବୁ ସେ ମାଆଙ୍କ ଲୀଳା,ଆମେ ତ ନିମିତ୍ତ ମାତ୍ର।

ମନ୍ଦାକିନୀ ଖୁସି ହେଇ ଯାଇଥିଲା ତା ଭାଇ ଭାଉଜ ଆଉ ଏକ ଭଉଣୀର ଜୀବନ ରକ୍ଷା କରି ଆସିଛନ୍ତି ଜାଣି।


Rate this content
Log in

Similar oriya story from Classics