Parameswar Ojha

Abstract Others

4.0  

Parameswar Ojha

Abstract Others

ଡଲିପ ଦିଦି

ଡଲିପ ଦିଦି

12 mins
267


ସେଦିନ ସକାଳୁ ସକାଳୁ ସାଇକେଲ ନେଇ ନଈ କୁ ଗାଧେଇ ଗଲାବେଳକୁ ଗନ୍ଧି ଭାଇ କହିଲେ , ଆରେ ଡଲି କୁ ଦେଖା କଲଉଁ ?

ମୁଁ କହିଲି , କଣ ଡଲିପ ଦେଈ ଆସିଛି ?

- ହଁ ଆସିଛି , ପଳେଇବ ଆଜି

ମୁଁ କହିଲି , ହଉ ଠିକ୍ ଅଛି ମୁଁ ଗାଧେଇକି ଆସେ ।

ଗୋଟେ ମିଠା ମିଠା ଖୁସି ସେଇ କ୍ଷଣି ମୋତେ ଆବୋରି ବସିଲା ।

କିଛି ଦିନ ପୂର୍ବରୁ ଗନ୍ଧି ଭାଇ କୁ ପଚାରୁଥିଲି , ଡଲିପ ଦିଦି କଥା

ସେ କହିଲେ ଆସିନି ବହୁ ଦିନ ହେବ , କେବେ ଆସିବ କେଜାଣି ? ତାର କିଛି ଠିକ୍ ଠିକଣା ନାହିଁ ।

ଡଲିପ ଦିଦି କୁ ଦେଖିବା ର ଇଛା ମଉଳି ଯାଇଥିଲା । ହେଲେ ଆଜି ଏ ଖବର ଶୁଣି ବହୁତ ଖୁସି ଲାଗିଲା ।

ହଁ ଡଲିପ ଦିଦି ମନେ ପଡ଼ନ୍ତି ଖାସ୍ କରି ପିଲା ବେଳର ସ୍ମୃତି ରେ ।

ଚାହାଳୀ ( ଚାଟଶାଳୀ ) ର ପାଠ ପଢା ସମୟ ରେ ।

ସେ ସମୟ ର କଥା ମଲ୍ଲି ଫୁଲ ର ବାସ୍ନା ପରି ନିଆରା ଏକ ମିଠାସ୍ ରେ ଭରି ରହିଥିଲା । ପିଲା ବେଳର ସବୁ ଦୁଷ୍ଟାମୀ ମୋ ପାଖେ ଭରପୁର ଖଞ୍ଜା ହୋଇଥିଲା ସେତେବେଳେ । ସବୁରେ ସବୁଥିରେ ଆଗରେ ରହିବାକୁ ମନ କହୁଥିବ ହେଲେ ସବୁଠୁ ବଡ଼ ଦୁଷ୍ମନ ପାଠ ପଢା କୁ ଛାଡିକି । ହଁ ସେତେବେଳ ର ସବୁଠୁ ବିରକ୍ତିକର ଜିନିଷ ଯାହା ଥିଲା ତାହା ହେଲା ପାଠ ପଢା ଆଉ ତା ସହ ପାଠ ଘୋସା । ଏବେ ସାମ୍ନାରେ ହଠାତ୍ ସନ୍ତ୍ରାସବାଦୀ ଟେ ଆସି ମୋ ସିଧା ବନ୍ଧୁକ ଦେଖେଇ ଟ୍ରିଗର ଉପରେ ଯେତେବେଳେ ଆଙ୍ଗୁଠି ଦବେଇବ  ମୋତେ ଯେମିତି ଭୟ ଲାଗିବ ସେମିତି ଭୟ ସେତେବେଳେ ଡଲିପ ଦିଦି ର ମାଡ଼ ଆଉ ଗାଳି ବର୍ଷଣ କୁ ଲାଗୁଥିଲା ।

ନୀଳ ନାଲି ରଙ୍ଗ ମିଶା ବୋଉ ହାତ ତିଆରି ତାଳପତ୍ର ଚଟ ଟେ ଧରି ଆଉ ବାପା ଙ୍କ ହାତ ସିଲେଇ କପଡା ବ୍ୟାଗ୍ ରେ ଖଡ଼ି ସିଲଟ ଭର୍ତ୍ତି କରି  , ବୋଉ ମୁଢୀ କି ଚୂନା କିଛି ଜଳଖିଆ ଦେଇ ବିଦା କରିଦେବ ମୋତେ ଚାହାଳୀ କୁ । ଅଧା ବାଟରୁ ସ୍ବାଇଁ ଘର ଶଶୀ ଆଉ ମୋର ସାଙ୍ଗ ହୋଇ ଯାଉ । ଡଲିପ ଦିଦି ଚାହାଳୀ ରେ ପହଞ୍ଚିବା ପର୍ଯ୍ୟନ୍ତ ଆମ ଭିତରେ ପ୍ରମୁଖ ଆଲୋଚନା ହେଉଥିବ , ଆବେ କାଲିର ପାଠ କରିଛୁ ନା ନାଇଁ ? କାଲିର ଦିଆ ଯାଇଥିବା ଏକ ଦୁଇ କି ଅ ଆ ଘୋଷିଛୁ ନା ନାଇଁ ?

ବକେୟା ପାଠ ଯିଏ କରି ଦେଇଥିବ ତା ମୁହଁ ରେ ଗୋଟେ ପ୍ରଶାନ୍ତି ଥିବ ଆଉ ତା ପାଦ ଟିକେ କ୍ଷିପ୍ର ଥିବ ଆଉ ଯିଏ ପାଠ ନ କରିଥିବ ହାଣ ମୁହଁ କୁ ଛେଳି କୁ ନେବା ପରି ଅବସ୍ଥା ତାର ସେତେବେଳେ । ହଁ ଛେଳି କିନ୍ତୁ ଜାଣି ନଥାଏ ଆଗକୁ ତା ପ୍ରତି କଣ ହେବାକୁ ଯାଉଛି ହେଲେ ଆମେ ଆଗୁଆ ଅନ୍ଦାଜ କରି ସାରିଥାଉ ଆଜି ଆମ ପିଠି ଦେହ ହାତ ଛାଟିଆ ରେ ଦରଜ ହେବା କଥାହିଁ ହେବ । ତାଙ୍କର ରାଗ ମିଶା ଚାହାଣୀ ଆଉ ବିରକ୍ତି କରା ପ୍ରଶ୍ନରେ ଆମେ ଦରମରା ହେବା ଥୟ ।

ଡଲି ଦେଈ ମାଡକୁ ଆଉ ତାଙ୍କ ଧମକ୍ କୁ ମୋର ସେତେବେଳେ ପ୍ରବଳ ଭୟ ଥିଲା । ଦିନେ ଡଲି ଦେଈ ପାଠ ପଚାରୁ ପଚାରୁ ମୁଁ ଏମିତି ଡରିଗଲି ଯେ ସେଇଠି ବସି ବସି ପ୍ୟାଣ୍ଟ୍ ରେ .... ସାନ ପାସ୍ ହୋଇଥିଲା କି ନାଇଁ ମୁଁ ଜାଣେନା ହେଲେ ବଡପାସ୍ ଭଲସେ ହୋଇ ଯାଇଥିଲା ।

ମୋତେ ବାରମ୍ବାର ଉଠିବାକୁ କହୁଥାନ୍ତି ହେଲେ ମୁଁ ଉଠୁନଥାଏ ତାପରେ ରାଗିକି ମୋତେ ଯେମିତି ଧମକେଇ ଦେଇଛନ୍ତି ଉଠି ଛିଡ଼ା ହେଲି । ସେଠୁ ଗୋଡ଼ ଆଡ଼କୁ ଧିରେ ଧିରେ ଯେତେ ବୋହି ଆସିଛି ସମସ୍ତେ ଠୋ ଠୋ ହୋଇ ହସିଥିବେ ନିଶ୍ଚୟ ( ଠିକ୍ ସେ ମନେ ନାହିଁ ) ଆଉ ଡଲି ଦେଈ ଛି ଛି କହି ନାକରେ ହାତ ଦେଲେ ଆଉ ମୋତେ ବିଦା କଲେ । ମୁଁ ବହି ପତ୍ର ଧରି ଆଉ ଗୋଟେ ହାତରେ ପ୍ୟାଣ୍ଟ୍ ଟେକି ଟେକି ଆସିଲି ଘରକୁ ।

ଇଏ ଗୋଟେ କିସ୍ସା , ଡଲି ଦେଈ ମାଡକୁ କେତେ ଭୟ ମୋର ତାର ଆଉ ଗୋଟେ କିସ୍ସା ଶୁଣଉଛି ଆପଣଙ୍କୁ । ଦିନେ ଖେଳ କୁଦରେ ମସଗୁଲ ରହି ପୂର୍ବ ଦିନରେ ଡଲି ଦେଈ ଦେଇଥିବା ପାଠ କରିନଥାଏ । କିନ୍ତୁ ଡଲି ଦେଈ ବାରମ୍ବାର ତାଗିଦ କରି କହିଥିଲେ ଆଜି ପାଠ ନେବେ ବୋଲି । ଖେଳରେ ସିନା ମସଗୁଲ

ରହିଗଲି ହେଲେ ତା ପରଦିନ ସକାଳକୁ ମୋର ପାଏ ରକ୍ତ ଶୁଖି ଯାଇଥିଲା । ବୋଉ କ'ଣ ଦେଲା ସୁନା ପିଲା ପରି ଖାଇକି ଚଟ ବସ୍ତାନି ସାଙ୍ଗରେ ନେଇ ଘରୁ ବାହାରି ଆସିଲି କିନ୍ତୁ ମୋର ମନରେ ଅଲଗା କଥା ଚାଲୁଥିଲା । ଡଲି ଦେଈ ମାଡରୁ ବର୍ତ୍ତିବା ପାଇଁ କେବଳ ଗୋଟିଏ ରାସ୍ତା ଏ ଯାଗା ଛାଡି ପଳେଇବା ।

ଆମର ସେତେବେଳେ କଳ ଘର ( ଧାନ କୁଟା ହଲର୍ ) ଥିଲା । କଳଘର କାନ୍ଥରେ ଗୋଟେ କଣା ଥିଲା ସେଇ କଣା ବାଟେ ଚଟ ବସ୍ତାନି ଦୁଇଟା ଯାକ ଫୋପାଡି ଦେଇ ଦୌଡ଼ିଲି । ଦୌଡ଼ି ଆସିଲି ସିନା ହେଲେ ସିଂହ ଗୁମ୍ଫା ( ଡଲିପ ଦିଦି ଚାଟଶାଳୀ ) ସାମ୍ନା ରେ

କେମିତି ପାସ୍ କରିବି ? କିଛି ଅଧିକ ନଭାବି ଆଖି ପିଛୁଳିକେ ଦୈାଡି ପଳେଇଲି । ମୋତେ ଲାଗୁଥାଏ ଯେମିତି ପଛରେ କେହି ମୋତେ କହୁଥାଏ ରହ ବଦମାସ୍ ଖସିଗଲୁ ଆଜି , କାଲିକି ଆ ତୋ ମଜା ବୁଝୁଛି ।

ସେଦିନ ମୁଁ ମନସ୍ଥ କରିଥିଲି ଚାଲି ଚାଲି କି ମାମୁ ଘରକୁ ପଳେଇବି ବୋଲି । ସେଠିକି ଗଲେ ଶାନ୍ତି ମିଳିଯିବ । ବାପା ବୋଉ ପାଠ ପଢିବା ପାଇଁ ମୋତେ ବାରମ୍ବାର ତାଗିଦ କରିବା ତା ସାଙ୍ଗକୁ ଡଲି ଦେଈ ର ଛାଟିଆ ପାହାର ଆଉ ଶାସନ ଇରେ ବାପରେ ..... ଏ ସବୁଥିରୁ ତ ତ୍ରାହି ପାଇଯିବି ।

ଖରା ଦିନ ଚାଲି ଚାଲି ଯାଉଥାଏ । ବାଟରେ କେହି ଯଦି ପରିଚିତ ପରି ଲାଗିଲେ ବନ୍ଧ ତଳକୁ ଖସି ଲୁଚିଯାଏ । କାଳେ କିଏ ଯାଇ କହିଦେବେ ବାପା ବୋଉ ଆଗରେ କି ଖବର ପାଇଯିବ ଡଲିପ ଦିଦି ଆଜି ମାଡ଼ ଠାରୁ ଖବର ପାଇବା ମାଡ଼ ବଳି ପଡ଼ିବ । ଏମିତି ଖରାରେ ବୁଲି ବୁଲି ମୋ ହାଲତ୍ ଶୁଖି ଗଲାଣି ସେତେବେଳକୁ ଶୋଷ ଯେ କାହିଁ ରେ କେତେ କାହାକୁ ପାଣି ମାଗିବାକୁ ସାହସ ମୋର ସେତେବେଳେ ନଥାଏ ବାପାଙ୍କ କଥା ବି ମନେ ପଡୁଥାଏ ବାରମ୍ବାର । ଏଇ ଆଖି ତଡ଼ା ବାଆଜି ବୁଲୁଛନ୍ତି ଆଖି ତାଡି ନେଇଯିବେ , ଜମା ବାହାରକୁ ଯିବୁନି । ଏମିତି ବୁଲି ବୁଲି ଗୋଟେ ଗାଡିଆ ରୁ ପାଣି ପିଇବି ଭାବିଲି । ଗାଡିଆ କୂଳ କୁ ଯାଇ ହାତରେ ଅଞ୍ଜୁଳାଏ ପାଣି ଉଠେଇଲି ତ ଛି ଛି ଖାଲି ଶିଉଳି ମୟ ଶୋଷ ବିକଳରେ ତାକୁ ପାଟିରେ ଟିକେ ଦେଇଛି ତ କି ପଚା ଦୁର୍ଗନ୍ଧ ପାଣି । ଠିକ୍ ମନେ ଅଛି ଆଉ ଗୋଟେ କଥା ସେଠୁ କିଛି ଦୁର ଗୋଟେ କିଆ ବୁଦା ଭିତରେ କିଛି ଖସ୍ ଖାସ୍ ଶୁଭିଲା ପାଖକୁ ଯାଇ ଦେଖେ ତ ଗୋଟେ କଳା କଳା କିଛି ଦେଖାଗଲା ମୁଁ ଭୟରେ ଦୌଡିଲି ଛିନି କାନିଆ ହୋଇ ।

 

ଏମିତି ଆହୁରି କେତେ ବାଟ ଯାଇଛି ତାର ହିସାବ ନାହିଁ । ଭୋକ

ଶୋଷ ରେ ପେଟ ଗଁ ଗଁ ତଣ୍ଟି ଅଠା ଅଠା ସେତେବେଳକୁ । କାହାକୁ କିଛି କହି ପାରୁ ନଥାଏ ଭୟରେ । ଖାଲି ରାସ୍ତା କଡ଼େ କଡେ ଚାଲୁଥାଏ ଯେ ଚାଲୁଥାଏ। କେବଳ ଗୋଟିଏ ଲକ୍ଷ କେମିତି ମାମୁ ଘରେ ଯାଇ ପହଞ୍ଚିବି ଆଉ ଡଲିପ ଦିଦି ର ମାଡରୁ ଆଉ ବାପା ବୋଉ ଙ୍କ ତାଗିଦ୍ ରୁ ବର୍ତ୍ତିଯିବି । ଚାରିଟା କି ପାଞ୍ଚ ଟା ପାଖା ପାଖି ସମୟ ରେ ପଳାସପୁର ( ଗାଁ ଠୁ ପ୍ରାୟ ତେର କି ଚଉଦ କି. ମି. ହେବ ) ପାଖରେ ହଠାତ୍ ଗାଁ ର ପ୍ରତାପ ଦାଦା ଆଉ ବଗୁଲି ଦାଦା ଆଖି ରେ ଧରା ପଡ଼ିଗଲି ।

ଗାଡିରୁ ଓହ୍ଲେଇ ମୋତେ ମାଡିବସି ପଚାରିଲେ " ଆରେ ତୁ ଆଡେ କୁଆଡେ ?"

ମୋ ପାଟି ଖନି ମାରି ଯାଉଥାଏ କିଛି କହି ପାରୁ ନଥାଏ । ପାଖ ଜଳଖିଆ ଦୋକାନ କୁ ନେଇ ବରା ଘୁଗୁନି ଖାଇବାକୁ ଦେଲେ ତାପରେ ମୋତେ ଗାଡ଼ିରେ ବସେଇ ଗାଆଁ କୁ ଧରି ନେଲେ ।

ସକାଳୁ ଡଲି ଦେଈ ମାଡରୁ ସିନା ବଞ୍ଚି ଯାଇଥିଲି ହେଲେ ଏବେ ଘରେ ପହଞ୍ଚିଲେ ବାପା ଆଉ ବୋଉ ମୋ ଉପରେ ମାଡ଼ର ବର୍ଷା କରିବେ ଏଇଟା ମୁଁ ପୂର୍ବାନୁମାନ କରି ସାରିଥାଏ ।

ଆମ କଳ ଘର ସାମ୍ନାରେ ଗାଡିରୁ ଯେତେବେଳେ ଓହ୍ଲେଇ ଦେଇଛନ୍ତି ଗୋଟେ ପାଖ ପିଣ୍ଡା ରେ ବାପା ଆଉ ଗୋଟେ ପାଖ ପିଣ୍ଡା ରେ ବୋଉ ବସିଥାନ୍ତି ସାହି ପଡିଶା କେତେଜଣ ବି ପାଖରେ ବସି ଟୁପୁରୁ ଟାପୁରୁ ହେଉଥାନ୍ତି । ମୁଁ ଭାବିଲି ଆଜି ପାହାର ତ ହେବ ହେବ ତା ସହିତ ପିଠି କି ହାତ ଗୋଡ ନିଶ୍ଚୟ ନୋଳା ଫାଟିବ ।

ବଗୁଲି ଦାଦା ଆଉ ପ୍ରତାପ ଦାଦା ମୋ ବିଷୟରେ ସବିଶେଷ ବିବରଣୀ ଦେଇଦେଲେ । ମୁଁ ଆମ କଳ ଘର ଉଚ୍ଚା ଡିହ କୁ ଉଠି ବାପା ଙ୍କ ସାମ୍ନାରେ ଏକଦମ୍ ଡରି ଡରି ସଙ୍କୁଚିତ ହୋଇ ଠିଆ ହେଲି , ଖାଲି ଠିଆହେଲି କହିଲେ ଠିକ୍ ହେବନି ତାଙ୍କ ମାଡ଼ କୁ ସାମ୍ନା କରିବାକୁ ଭୟରେ ପ୍ରସ୍ତୁତ ହୋଇ ରହିଲି । ବାପା ମୋତେ କିଛି ସମୟ ନୀରବ ରେ ଚାହିଁଲେ ମୁଁ ଭାବିଲି ବିରାଟ ଝଡର ସୂଚନା ବୋଧେ । ପ୍ରତିକ୍ରିୟା ଟା ହାତରେ ହେବ କି ଛାଟିଆ ରେ ସେଇଟା ମୁଁ ଜାଣି ପାରୁନଥାଏ । କିନ୍ତୁ ‌ମୋ ଭାବନା ସବୁ କୁ ଭୁଲ୍ କରି ବାପା ହଠାତ୍ ମୋତେ କୁଣ୍ଢେଇ ଧରି ଛୋଟ ପିଲା ପରି କାନ୍ଦି ପକେଇଲେ । ଖାଲି ବାପା ନୁହଁ ବୋଉ ବି କାନ୍ଦି ପକେଇଲା । ଥରେ ବାପା ତାଙ୍କ ପାଖକୁ ନେଇ କୁଣ୍ଢେଇ ଧରି କାନ୍ଦୁଥାନ୍ତି ତ ଆଉ ଥରେ ବୋଉ ତା ପାଖକୁ ଭିଡ଼ି ନେଇ କାନ୍ଦୁଥାଏ ।

ତାଙ୍କ ରତ୍ନ କୁ ଫେରି ପାଇଛନ୍ତି କାନ୍ଦି କାନ୍ଦି ଟିକେ ଶାନ୍ତି ମିଳିବା ପରେ ଯାଇ ଘର ଭିତରକୁ ଆସିଲେ ।

ରାତି ସାରା ଖାଲି ମୋତେ ପଚାରୁଥାନ୍ତି ଗୋଟି ଗୋଟି କରି ଆଉ ମୁଁ କହୁଥାଏ ବାଟ ସାରା ବୁଲିବା କଥା ।

ତା ପରଦିନ ସକାଳ ଡଲିପ ଦିଦି ଚାହାଳି ରେ ହେଲା ।

ବୋଉ ନିଜେ ସାଙ୍ଗରେ ନେଇ ଛାଡ଼ି ଆସିଲା । ସେଠି ପହଞ୍ଚିବା ପରେ ମୋତେ ନେଇ ଖୁବ୍ ଚର୍ଚ୍ଚା ହେଲା ଛୁଆ ଙ୍କ ଭିତରେ ତାପରେ ଡଲି ଦେଈ ମୋତେ ଗୋଟି ଗୋଟି କରି ପଚାରୁଥାଆନ୍ତି ଆଉ ମୁଁ କହୁଥାଏ କହିବାକୁ ଉତ୍ସାହୀ ହୋଇ ପଡୁଥାଏ । ଆଉ ଗୋଟେ ପଟେ ଖୁସି ବି ଲାଗୁଥାଏ ଯାହା ହେଉ ପାଠ ପଢା ରୁ ଟିକେ ବିରତି ମିଳିଛି ଆଉ ଡଲି ଦି ର ଧମକ ଚମକ ରୁ ବି ।

 ଡଲିପ ଦିଦି ଖୁବ୍ ସୁନ୍ଦରୀ ଟେ ଥିଲା ସେତେବେଳେ । ମୁଁ ପ୍ରାୟ ସମୟ ଡଲିପ ଦି ମୁହଁ କୁ ଚାହିଁ ରହେ । ଆଉ ଅନ୍ୟମନସ୍କ ବି ହୋଇଯାଏ । ହଁ ସେଥିପାଇଁ ବୋଧେ ଆମେ ଅଧିକାଂଶ ମାଡ଼ ଖାଉ । ହଁ ସେ ସମୟ ହିଁ ସେମିତି ଥିଲା ଅନ୍ୟମନସ୍କ ସମୟ । ପଢା ପାଖରେ ବସିଥିବି ହେଲେ ମନ ଯାଇ ଖେଳ ପାଖରେ ଥିବ

ଏଠୁ ଗଲେ ସୁମି ରବି ଶଶି ସିଜୁ ଆମେ ମିଶିକି ଲୁଚକାଳି ଖେଳିବୁ । କାଲି ମନ୍ଦିର ପଛରେ ଲୁଚିଗଲି ବୋଲି ମୋତେ ସିମୁ ଦେଖି ଦେଖିଥିଲା ଆଜି ସେ ପାଳ ଗଦା ଭିତରେ ଲୁଚିଯିବି ମୋତେ ଜମା ଧରି ପାରିବନି । କାଲି ରବି ମୋତେ ଖାଇ ଦେଇ ହଜାରେ ଟଙ୍କା ର ମୋଟା ବିଡା ( କାଗଜ ଆଉ ସିଗାରେଟ ଖୋଳ ) ନେଇ ଯାଇଥିଲା । ଆଜି କିନ୍ତୁ ଗଲାବେଳେ ସ୍କୁଲ ପାଖରୁ ଭଲ ପତଳା ମେଣ୍ଟାଲ ଟେ ନେଇ ଯିବି ଆଉ ମୋର ଭଲସେ ଖାପ ଖାଇବ । ଆଉ ଆଜି ମୁଁ ତା ଠାରୁ ସବୁ ଟଙ୍କା ଝଡେଇ ଦେବି ...... ଏତକ ଭାବିଲା ବେଳକୁ ଡଲିପ ଦିଦି ର ଛାଟିଆ ପାହାର ତାପରେ ଏଇକ୍ ଶବ୍ଦ ରେ ମୁଁ ଚମକି ପଡିବି ।

ଆଉ ପଚାରି ବସିବେ ଦେଇଥିବା ପାଠ କେତେବାଟ କଲୁ ?

ସେତେବେଳକୁ ମୋ ହାଲତ୍ ଶୁଖିଲା ... ଡଲିପ ଦି ପ୍ରତି ମୋର ପ୍ରଚୁର ଭୟ ଥିବା ସତ୍ତ୍ବେ ମୁଁ ତାଙ୍କ ପାଖକୁ ଯାଏ ମାଡ଼ ଖାଏ ପାଠ ପଢେ ଦୁଷ୍ଟାମୀ କରେ ।

ବେଳେ ବେଳେ ନାଇଁ ସବୁବେଳେ ଈଶ୍ୱର ଙ୍କୁ ମନେ ମନେ କହୁଥାଏ ମୁଁ ଚାହାଳୀ କୁ ଗଲାବେଳକୁ ଡଲିପ ଦି ମରି ଯାଆନ୍ତା ନି ? ଭଲ ହୁଅନ୍ତା ଆଉ କେହି ବାଡାନ୍ତେନି ପାଠ ମାଗନ୍ତେନି ତାଗିଦ୍ କରନ୍ତେନି । ଏମିତି ଭାବିବା ପାପ ମୁଁ କ୍ଷମା ଚାହୁଁଛି ହେଲେ ଛୋଟ ବେଳେ ଏମିତି ସବୁ ହିଁ ଭାବନା ଆସେ । ଛୋଟ ବେଳର ମାନସିକତା ଟା ହିଁ ସେମିତି ଯାହା ମିଳୁ ସବୁ ମିଳୁ ଯାହାଠୁ ତ୍ରାହି ପାଇବାର ଅଛି ଏକାଥରେ ପାଇ ଯିବାକୁ ଚାହେଁ । କିଛି ଆସିଥିବା ନୂଆ ଜିନିଷ ମୋତେ ଆଗ ମିଳୁ । ସବୁ ବେଳେ ଜିତା ପଟ ମୋର ହେଉ । ଯୋଉଟା ଯିଏ ନ ଦେଉଛି ତାଠୁ ଜବରଦସ୍ତି ହାସିଲ୍ କରି ନିଆ ଯାଉ ।

ଡଲିପ ଦି ଚାହାଳୀ ରେ କେତେ ମାସ ପଢ଼ିଛି ତା ଜାଣିନି । ଡଲିପ ଦି ଚାହାଳି ପରେ ସ୍କୁଲ ପାଠ ମୁଁ ମାମୁ ଘରେ ହିଁ ପଢିଲି । ଛୋଟ ବେଳେ ବାପା ନେଇକି ମୋତେ ମାମୁ ଘରେ ଛାଡ଼ି ଦେଇଥିଲେ । ହେଲେ ଡଲିପ ଦି ର ଛାପ ଟା ମୋ ମନ ଭିତରେ ସେମିତି ଥାଏ । ବୟସ ବଢ଼ିବା ସହିତ ଡଲିପ ଦି ପ୍ରତି ଥିବା ଭୟ ମୋର କମିଆସେ । ବର୍ଷ ପରେ ବର୍ଷ ବିତିଯାଏ , ଏଥର ତାଙ୍କୁ ଦେଖିବାକୁ ଇଛା ହୁଏ । ମାମୁ ଘର ଗାଁ କୁ ଯେବେ ବି ଆସେ ବର୍ଷେ ଛଅ ମାସରେ ଥରେ‌ ଡଲିପ ଦି କୁ ମୋ ଆଖି ଖାଲି ଖୋଜୁଥାଏ ହେଲେ ତାଙ୍କୁ ପାଏନି । ସତ କଥା ହେଉଛି ମୁଁ ଯାଇ ପାରେନି ସିଧା ତାଙ୍କ ଘରକୁ ମୋତେ କେମିତି ଗୋଟେ ଲାଜ ଲାଜ ଲାଗେ । କିନ୍ତୁ ମନେ ମନେ ଖୋଜୁଥାଏ ଅଚାନକ କୋଉଠି ହଠାତ୍ ଦେଖା ହୋଇ ଯାଆନ୍ତେ କି । ଖାଲି ଦେଖନ୍ତି ଟିକେ ମନ ଭରି , ଏତେ ବର୍ଷ ପରେ କେମିତି ଦିଶୁଛନ୍ତି ଡଲିପ ଦି ।

ଡଲିପ ଦି ମୋତେ ସେତେବେଳେ ମହାରାଣୀ ପରି ଲାଗନ୍ତି । ସେ ସିଧା ଗୋଟେ ଚେୟାର ରେ ବସନ୍ତି ଆଉ ଆମେ ସବୁ ଦୁଇ ପାଖରେ ଚଟ ପକେଇ ବସିଥାଉ ରଜା ଙ୍କ ଦୁଇ ପାର୍ଶ୍ଵରେ ମନ୍ତ୍ରୀ କଟୁଆଳ ସେନାପତି ଗୁରୁଦେବ କୋଷାଧ୍ୟକ୍ଷ ... ଏମାନେ‌ ସବୁ ବସିଥିବା ପରି । ଡଲିପ ଦି ସେତେବେଳେ ପ୍ରାୟ ସମୟ ଗୋଟେ ଢିଲା ନାଇଟି ହିଁ ପିନ୍ଧିଥାନ୍ତି ପଢେଇଲା ବେଳେ ହାତରେ ଗୋଟେ ଛୋଟିଆ ଛାଟିଆ ଧରି ଏମୁଣ୍ଡରୁ ସେମୁଣ୍ଡ ପଢେଇ ଆସନ୍ତି । ତାଙ୍କ ଦାଣ୍ଡରେ ଗୋଟେ ବର କୋଳି ଗଛ ହୋଇଥାଏ ସେ ଗଛ ତଳେ ଆମେ ବସିଥାଉ । ଗୋଟେ ମଜା କଥା ମନେ ପଡ଼ିଲା ଆପଣଙ୍କ ର ବି ମନେ ଥିବ । କେତେବେଳେ ଛାଡା କି ପରିଶ୍ରା ଯିବାକୁ ହେଲେ ଦୁଇ ହାତ କୁ ଆଗକୁ ଲମ୍ବେଇ ପରସ୍ପର ପାପୁଲି କୁ ଘସି ଭୟରେ ପଚାରୁ ଦିଦି ସାନ ପାସ୍ ଦିଦି ବଡ ପାସ୍ ... । ଏମିତି କେତେ ସମୟ ଡରି ଡରି ଥିରି ଥିରି କହିଲା ପରେ ଯାଇ ଡଲିପ ଦି ର ନଜର ପଡେ ଆଉ ସେ ବିରକ୍ତ ହୋଇ କହେ ' ଯାଆ ଜଳଦି ଆସିବୁ . ' । ଆମକୁ ଝାଡା ଯିବାକୁ ଥିଲେ ନଈ କୂଳ ଆଡେ ପଳାଉ ଯେ କେତେ ବେଳକରେ ଯାଇ ଫେରୁ । ଏତେ ଡେରି କ'ଣ ପାଇଁ ହେଲା ? ସେଥିପାଇଁ ବି ଅଲଗା ପ୍ରକାର ମାଡ଼ ।

 

ଏବେ ଡଲିପ ଦି ର ଦେଖା ମିଳେନି ଜମା ଯେତେବେଳେ ବି ତାଙ୍କ ଘର ଆଡକୁ ଚାହେଁ । ଡଲିପ ଦି ବାହା ହୋଇ ଯାଇଛନ୍ତି ଏମିତି ଗୋଟେ ଭାବନା ମୋ ମନକୁ କେବେ ବି ଆସେନି । ମନ କହେ ସେ କେବେବି ବାହା ହୋଇ ନଥିବେ ଥିବେ ତ ସେ ଘର ଭିତରେ ହିଁ ଥିବେ । କେବେ ତ ନିଶ୍ଚୟ ଦେଖା ହେବ । ହେଲେ ନା ଦେଖା ହୁଅନ୍ତିନି ।

ମୁଁ ପୁଣି ମାମୁ ଘରକୁ ଫେରି ପାଠ ପଢେ ଆଇ.ଟି.ଆଇ. ଟ୍ରେନିଂ ଯାଇ ଗୋଟେ  ଫ୍ରିଜ୍ କମ୍ପାନୀ ରେ ମୋର ଚାକିରି ହୁଏ । ପଳାଏ ଗୁଜରାଟ ସେଠି ରହିଯାଏ ପ୍ରାୟ ଦୁଇ ବର୍ଷ ଉପରେ । ତାପରେ ଏ କୋରନା ମହାମାରୀ ରେ ଗାଁ କୁ ଆସିବା ପରେ ମନ ଆଉ ଡାକେନି ପୁଣି ସେ କମ୍ପାନୀ କୁ ଯିବାକୁ । ସେଠି ସେ ସୁପରଭାଇଜର ଗାଳି ହାତ ତିଆରି ଖାଇବା ଅନିୟମିତତା ଆଉ କମ୍ପ୍ୟାନୀ ଖାଇବା ଅରୁଚି କର । ତାପରେ କାମ ଥାଉ କି ନ ଥାଉ ବାର ଘଣ୍ଟା ଛିଡ଼ା ହେବା ....... ଏମିତି ବହୁତ କାରଣ କମ୍ପାନୀ ରେ ମନ ନଲାଗିବାର ।

ତାପରେ ଗାଁ କୁ ଆସେ ଯେହେତୁ ଛୋଟ ବେଳେ ମାମୁ ଘରେ ଶାଳ କାମ ଶିଖିଥିଲି ତେଣୁ ଆଉ ୟାଡେ ସ୍ୟାଡେ ନ ହୋଇ ନିଜର ଗୋଟେ କମାର ଶାଳ ଖୋଲେ ଆମ ମାର୍କେଟ ଉପରେ । ଦିନେ ଡଲିପ ଦିଦି ର ବାପା ଗନ୍ଧିଆ ଭାଇ ଆସନ୍ତି ଦୋକାନ କୁ । ମୁଁ ପଚାରେ କୁଆଡେ ବାହାରିଛ ?

ସେ କୁହନ୍ତି ଝିଅ ଘର ଡଲିପ ଘରକୁ ଯାଉଛି ଜୁତିଆ ନେଇକି ମୁଁ ଚମକି ପଡେ ଆଉ ପଚାରି ବସେ ଡଲିପ ଦି କଥା । କହି ବସେ କାହିଁ କେତେଦିନୁ ଡଲିପ ଦି କୁ ଦେଖିବାର ମୋର ଆଗ୍ରହ । ମୁଁ କହେ ତାଙ୍କ ନମ୍ବର ଅଛି ଦିଅତ । କୁହନ୍ତି ଆମ ଘର ନମ୍ବର ତ ମୋର ମନେ ରହୁନି ତା ନମ୍ବର କିଏ ମୋର ମନେ ରଖୁଛି । ମୋ ମନ ଭାଙ୍ଗିଯାଏ । ପୁଣି ପଚାରେ ଆଉ କେବେ ଆସିବେ ସେ ?

କୁହନ୍ତି , ସେ ବାହାରେ ରୁହେ ଜ୍ବାଇଁ ସହ କେବେ ଆସିବ ଠିକ୍ ଠିକଣା ନାହିଁ ତା'ର ।

ମୁଁ ମନ କଥା ମନରେ ରଖେ । ଡଲିପ ଦି କୁ ନେଇ ଟିକେ ଅନ୍ୟ ମନସ୍କ ହୁଏ ଆଉ କାମରେ ମନ ଦିଏ ।

ହେଲେ ଆଜି ଗନ୍ଧି ଭାଇ ଠାରୁ ଯେତେବେଳେ ସକାଳୁ ସକାଳୁ ଶୁଣିଦେଇଛି ଡଲିପ ଦେଈ ଆସିଛି ବୋଲି ମୋ ଗୋଡ଼ ଆଉ ତଳେ ଲାଗୁନଥାଏ । ମୁଁ ମଝିରେ ମଝିରେ ଡଲିପ ଦେଈ , ଡଲିପ ଦିଦି , ଡଲିପ ଦି, ଡଲି ଦେଈ ଏମିତି କହୁଛି ସତ କଥା ହେଉଛି ସେତେବେଳେ ଡଲିପ ଦିଦି କୁ କଣ ଡାକୁଥିଲି ମୋର ଠିକ୍ ସେ ମନେ ନାହିଁ ।

ଡଲିପ ଦି କୁ ଦେଖିବାର ଇଛା ପ୍ରବଳ ‌। ନଈ କୁ ଯାଇ ତୁରନ୍ତ ଗାଧୋଇ କି ଆସି ସାଇକେଲ ଧରି ବନ୍ଧ ଉପରକୁ ତର ତର ହୋଇ ଉଠୁଛି ଛାତିରେ ହ୍ୟାଣ୍ଡେଲ ଟା ଠୋ କିନା ବାଜିଲା ଯେ ସହଜେ ଶୀତ ଯେମିତି ଲାଗିଲା ଛାତିରୁ ଫାଳେ ମାଉଁସ ଖସି ପଡ଼ିଲା । ଗୋଟେ ହାତରେ ସାଇକେଲ ହ୍ୟାଣ୍ଡେଲ ଆଉ ଗୋଟେ ହାତରେ ଛାତିକୁ ଘସି ଘସି ଆସିଲି ।

ଘରକୁ ଆସି ଶିଘ୍ର ପ୍ୟାଣ୍ଟ୍ ସାର୍ଟ ବଦଳେଇଲି । ପ୍ରାର୍ଥନା କଲି ଚନ୍ଦନ ଟିପା ଲଗେଇ ସାଇକେଲ ନେଇ ବାହାରି ଗଲି ଡଲିପ ଦି ଘରକୁ । ବହୁତ ଦିନ ପରେ ତାଙ୍କ ଅଗଣାକୁ ଯାଉଛି ବହୁତ ଦିନ ନୁହେଁ ବରଂ ବହୁତ ବର୍ଷ ପରେ । ବହୁତ ବର୍ଷ ମାନେ ପ୍ରାୟ ପଚିଶ ବର୍ଷ ପରେ । ସେତେବେଳେ ଚାଳଘର ଥିଲା ଏବେ ବାମ ପଟେ କୋଠାଘର ଲମ୍ବା ରେ ଚାରି ପାଞ୍ଚ ବଖରା ଆଉ ସାମ୍ନାରେ ଗୋଟିଏ ଛୋଟ ଚାଳଘର ।

ଗୋଟେ ପରେ ଗୋଟେ ବଖରା ଦେଖି ଦେଖି ଯାଉଛି । ହଠାତ୍ ନଜର ପଡିଗଲା । ଏଇ କଣ ତେବେ ଡଲିପ ଦିଦି ! ? ହଁ

ମୁହଁ ଠିକ୍ ସେ ମନେ ନଥିଲା ତଥାପି ଅନ୍ଦାଜ ମୋର ଭୁଲ୍ ହେଲାନି । ଏଇ ହିଁ ଡଲିପ ଦିଦି । ପାଦ ଛୁଇଁ ପ୍ରଣାମ କଲି ମୋତେ ଚିହ୍ନି ପାରିଲେନି । ଗନ୍ଧି ଭାଇ ମନେ ପକାଇ ଦେଲେ , ଆରେ ସର ପୁଅ ପରା ତୋ କଥା ସବୁବେଳେ ପଚାରେ , ତତେ କହୁନଥିଲି ?

କଥା ହେଲୁ ଡଲି ଦି ର ମୋର ସେଦିନ ର ସ୍ମୃତି ସବୁ ।

ଆଉ କହିଲେ , ହଁ ଆଉ ଜଣେ ସେମିତି ମୁଁ ଗାଁ ଗୋଡାରୁ ଆସୁଛି ମୋତେ ନମସ୍କାର କଲା । ମୁଁ ଚିହ୍ନି ପାରିଲିନି ସେ ପିଲାକୁ । କହିଲା ତମେ ମୋ ପ୍ରଥମ ଗୁରୁ । ମୁଁ ଯେବେ ଚାକିରି କରିବି ପ୍ରଥମେ ତମ ପାଖକୁ ଆସିବି କିଛି ଆଣିକି ମୋ ପ୍ରଥମ ଦରମାରୁ ।

ଆରେ ଆଉ ଜଣେ ସେମିତି ଟ୍ରେନ୍ ରେ ଅଚାନକ ଦେଖା ହୋଇ ପ୍ରଣାମ କଲା । କିଏ ଆଉ ମନେ ରଖୁଛି ମୋର କଣ ମନେ ଅଛି ଆଉ ... ଯାହା ହେଉ ପିଲା ସବୁ ମନେ ରଖିଛ ।

ଆଉ ପଚାରିଲେ କଣ କରୁଛୁ ?

ମୁଁ କହିଲି ସବୁ । ମୁଁ ପଚାରିଲି ତାଙ୍କ କଥା ଭାଇନା ଙ୍କ କଥା , କହିଲେ ଭାଇନା ଗୋଟେ ସାମସଙ୍ଗ କମ୍ପାନୀ ରେ କାମ କରନ୍ତି ଫ୍ରିଜ୍ କୁଲର୍ ଏସବୁ ସଜଡ଼ା ସଜଡ଼ି .... ।

ଆଉ ପୁଅ ଝିଅ ?

ଗୋଟିଏ  ୧୮/ ୧୯  ବର୍ଷ ଆଉ ଗୋଟେ  ୧୨/ ୧୩  ବର୍ଷ ।

କହିଲି , କାହିଁ କେତେଦିନୁ ଆଶା ଥିଲା ତମକୁ ଦେଖିବାକୁ ଯାହା ହେଉ ଏତେ ଦିନ ପରେ ଆଜି ସେ ଆଶା ପୁରଣ ହେଲା ।

ଆସିବା ପୂର୍ବରୁ ଡଲିପ ଦି ଙ୍କ ପାଦ ଛୁଇଁ ପ୍ରଣାମ କଲି । ଡଲିପ ଦି ସହ ଗୋଟେ ସେଲଫି ନେଲି । କହିଲେ ସକାଳୁ ଏଇ ବିଛଣାରେ ବସିଛି ଏମିତି ଉଠେଇବୁ ନାଁ ?

ମୁଁ କହିଲି ହଁ ମ ଚଳିବ । 

ତାପରେ କହିଲି ତୁମ ନମ୍ବର ଦିଅ । କହିଲେ , ମୋ ନମ୍ବର ତ ଏବେ ବନ୍ଦ ଅଛି ଖରାପ ପାଇଁ । ପୁଅ ନମ୍ବର ନେଇ ଯା । ତାଙ୍କ ସାନ ପୁଅ କୁ ଡାକିଲେ ସେ ଆଗ ଆସି ମୋତେ ପ୍ରଣାମ କଲା । ତାପରେ କହିଲେ ତାକୁ , ଏଇ ବାବୁରେ ଭାଇ ନମ୍ବର ଦେଲୁ ଅଙ୍କଲ ଙ୍କୁ । ନମ୍ବର ଡାକିଲା ତାଙ୍କ ସାନ ପୁଅ ସେଭ୍ କଲି ମୋ ନମ୍ବର ବି ଦେଲି ।

କହିଲି ଫୋନ୍ କରିବ ଦିଦି କେତେବେଳେ ଫ୍ରି ହେଲେ ।

 ଡଲିପ ଦି ମୋତେ ବାଟେଇ ଦେବାକୁ ମୋ ସାଇକେଲ ଯାଏଁ ଆସିଲେ ରାସ୍ତା କୁ । ମୁଁ ଦୋକାନରେ ପହଞ୍ଚିବା ଯାଏଁ ବୁଡି ରହି ଥାଏ ଡଲିପ ଦି କୁ ଦେଖିବାର ମିଠା ସ୍ମୃତି ରେ । ପଚିଶ ବର୍ଷ ର ଆଶା ପୂରଣ ହୋଇଥିବା ଖୁସି ରେ ।



Rate this content
Log in

Similar oriya story from Abstract