ଡେଉଁରିଆ
ଡେଉଁରିଆ
ପ୍ରଫେସର ମୁରାରିମୋହନ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ କାର୍ଯ୍ୟରତ ବରିଷ୍ଠ ଅଧ୍ୟାପକ। ଶିକ୍ଷା ନବିଶୀମାନଙ୍କୁ ବିଜ୍ଞାନର ଗୁଢ଼ ରହସ୍ୟ ଅଧ୍ଯାପନା କରନ୍ତି। ସ୍ବଭାବତଃ ହେତୁବାଦୀ ଚିନ୍ତାଧାରା ଏବଂ ଏହି ସମ୍ପର୍କୀତ ଆଦର୍ଶବାଦରେ ଅନୁପ୍ରାଣିତ। ପ୍ରଫେସରଙ୍କ ମତରେ ଧର୍ମଧାରଣା, ପୂଜାପାଠ, ରୀତିନୀତି, ପ୍ରଥା ପରମ୍ପରା ସବୁ କେବଳ ଅନ୍ଧବିଶ୍ୱାସ। ଏହାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ। ଆସ୍ଥା ନାମରେ କତିପୟଙ୍କ ଦ୍ବାରା ସୃଷ୍ଟି କରାଯାଇ ଥିବା ବାଣିଜ୍ୟ ବ୍ୟବସାୟ ହେଉଛି ଏସବୁ। ଏହା ଭିନ୍ନ ଆଉ କିଛି ବି ନୁହେଁ।
ପ୍ରଫେସର୍ ସାହେବ ଏହି ବିଷୟ ନେଇ ଜନଜାଗରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ସମୟରେ ସଭାସମିତିମାନଙ୍କରେ ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରନ୍ତି। ଦେଶବିଦେଶର ଅନେକ ସ୍ଥାନ ପରିଭ୍ରମଣ କରି ହେତୁବାଦର ବାର୍ତ୍ତା ବିତରଣ କରନ୍ତି। ନିଜର ଅପରିମିତ ପାଣ୍ଡିତ୍ୟ ଓ ତର୍କଶକ୍ତି ଦ୍ବାରା ସମସ୍ତ ପାରମ୍ପରିକ ସିଦ୍ଧାନ୍ତ ଏବଂ ସଂହିତାକୁ ଅସାର ବୋଲି ପ୍ରମାଣିତ କରନ୍ତି। ଅନ୍ଧ ଭକ୍ତି ନିର୍ମୂଳନ ନିମନ୍ତେ ସେ ପ୍ରୟାସ ଜାରି ରଖିଛନ୍ତି।
ବୈଦିକ ରୀତିରେ ମନ୍ତ୍ରୋଚାରଣ ମଧ୍ଯରେ ହେଉଥିବା ବିବାହର ସେ ଘୋର ବିରୋଧୀ। ତାଙ୍କ ମତରେ ବିବାହ ଏକ ବନ୍ଦୀଗୃହ, ବନ୍ଧନ। ବେନି ପ୍ରାଣୀଙ୍କ ପାରସ୍ପରିକ ସମ୍ବନ୍ଧରେ ମନ୍ତ୍ରର ପୁଣି କି କାମ ? ଯଦି ଦୁଇ ପକ୍ଷ ଆପୋଷ ବୁଝାମଣା କ୍ରମେ ରାଜିନାମାରେ ସମ୍ପର୍କ ସ୍ଥାପନ ନିମନ୍ତେ ଉପନୀତ ହୋଇଛନ୍ତି ତ ତେବେ ବିବାହ ପରି ଅନୁଷ୍ଠାନ କରି ଦୁହିଁଙ୍କୁ ବନ୍ଦୀ କରି ରଖାଯିବ କାହିଁକି? ମଣିଷ ସ୍ବାଧୀନ ସ୍ବତନ୍ତ୍ର ଏବଂ ସ୍ବାୟତ୍ତ ହୋଇ ଜୀଇଁବାକୁ ଜନ୍ମ ହୋଇଛି। ତେବେ ବିବାହ ନାମରେ ଏଇ ବନ୍ଧନ କଣ ପାଇଁ? ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହେବା ପରେ କଣ ଛାଡପତ୍ର ହେଉନାହିଁ କି?
ତାଙ୍କର ନିରନ୍ତର ଉଦ୍ୟମ ଫଳରେ ଲୋକମାନଙ୍କ ମନରେ ଯୁଗ ଯୁଗ ଧରି ବସା ବାନ୍ଧି ରହିଥିବା ଅନ୍ଧବିଶ୍ୱାସ ଅନେକାଂଶରେ ଦୂରୀଭୂତ ହୋଇ ପାରିଛି। ସାମ୍ବିଧାନିକ ବ୍ୟବସ୍ଥାର ନିଗଡ଼ ମଧ୍ୟରେ ଆନ୍ତଃ ଜାତି ବିବାହ ଏବଂ ରୀତିନୀତି ଶୂନ୍ଯ ବିବାହ ଆଜିର ଦିନରେ ବେଶ୍ ଆଦୃତି ଲାଭ କରିଛି ଯୁବ ବର୍ଗ ମଧ୍ୟରେ। ଏଥି ନିମନ୍ତେ ସେ ସରକାରଙ୍କ ତରଫରୁ ବିଶେଷ ଭାବରେ ସମ୍ମାନିତ ହୋଇଛନ୍ତି।
ନିଜ ପୁଅଝିଅଙ୍କର ମଧ୍ୟ ଏହି ମତେ ବିବାହ କରାଇ ବାସ୍ତବ ଆଦର୍ଶର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି। ପୁଅର ବିବାହର ଅନେକ ବର୍ଷ ପରେ ନାତିର ମୁହଁ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପ୍ରଫେସର ସାହେବ। କିନ୍ତୁ ନାତି ଜନ୍ମ ହେବା ଦିନ ଠାରୁ ସବୁ ଦିନ କାନ୍ଦୁଛି ରାହା ଧରି। ଯେତେ ବୁଝାଇଲେ ବୋଧ ଧରୁନି। ଡାକ୍ତର କହୁଛନ୍ତି କିଛି ବି ଅସୁବିଧା ନାହିଁ ଭେଷଜ ବିଜ୍ଞାନ ଅନୁସାରେ। କିନ୍ତୁ ନାତି ଅକାରଣରେ ଅନବରତ କାନ୍ଦୁଛି କାହିଁକି? ବାହ୍ୟ ଅଦୃଶ୍ୟ ଶକ୍ତିର କିଛି ପ୍ରଭାବ ପଡି ନାହିଁ ତ ତା' ଉପରେ?
କେଜାଣି କାହିଁକି ଏମିତି ଅବାନ୍ତର ଭାବନା ସବୁ ଉଙ୍କିମାରନ୍ତି ପ୍ରଫେସରଙ୍କ ମନର ଗହନ ପ୍ରଦେଶରେ। କେହି ଜଣେ ଶୁଭେଚ୍ଛୁ ମତ ଦେଲେ, ତାନ୍ତ୍ରିକ ଠାରୁ ଡେଉଁରିଆଟିଏ ଆଣି ନାତି ବେକରେ ବାନ୍ଧି ଦେଲେ ଦୁଷ୍ଟ ଶକ୍ତିର ଦୃଷ୍ଟିକୁ ଆଡେଇ ହେବ। ନାତି ଆଉ ଡରିକି କାନ୍ଦିବ ନାହିଁ। ନାତିର ଭବିଷ୍ୟତ ଉଜ୍ଜ୍ବଳ ହେବ। କଥାଟା ପ୍ରଫେସର ମୁରାରିମୋହନଙ୍କ ମନକୁ ବେଶ୍ ମନକୁ ପାଇଲା। ଯାହା ହେଲେ ବି ନିଜ ନାତି କଥା ନା
ଆଉ ଟିକେ ବି ଡ଼େରି ନକରି ଉପଚାରରେ ଲାଗି ପଡିଲେ ପ୍ରଫେସର। ପରଦିନ ମୁହଁ ଅନ୍ଧାର ବଡିଭୋରରୁ ଉଠି ରାଜ୍ୟର ସବୁଠାରୁ ନାମକରା ତାନ୍ତ୍ରିକଙ୍କୁ ଡକାଇ ରିଷ୍ଟ ଖଣ୍ଡନ ପୂର୍ବକ ପୂଜାର୍ଚ୍ଚନା କରି କହୁଥିଲେ, "ବହୁ ଚେଷ୍ଟା କରିବା ପରେ ମୋ ଘରେ ନାତିଟେ ଜନ୍ମ ହୋଇଛି। ଏଇ ନାତି ପାଇଁ ଆପଣଙ୍କ ହାତ ତିଆରି ଡେଉଁରିଆଟିଏ ନିହାତି ଦରକାର। ସବୁଦିନ ଡରି କରି କାନ୍ଦୁଛି ରାହା ଧରି। ବସେଇ ଉଠେଇ ଦେଉନି। ମନଟା ବିଚଳିତ ହେଉଛି। ଆପଣଙ୍କୁ ଅନୁରୋଧ ଯାହା ଟଙ୍କା ପଇସା ନେବାର ଅଛି ନିଅନ୍ତୁ ପଛେ, କିଛି ଗୋଟାଏ ବିହିତ ଏବଂ ଦୀର୍ଘ ମିଆଦି ବ୍ୟବସ୍ଥା କରନ୍ତୁ ମହାରାଜ୍ ।