Sambit Srikumar

Abstract Inspirational

4.3  

Sambit Srikumar

Abstract Inspirational

ଦାଦନ

ଦାଦନ

5 mins
270



ପ୍ରବାସରେ ସ୍ୱଭାଷୀଟିଏ ଦେଖିଲେ ମନରେ ଭରିଯାଏ ଅପାର ପୁଲକ। ଅବର୍ଣ୍ଣନୀୟ ସେଇ ଅନୁଭବ, ଶବ୍ଦରେ ବୟାନ କରିବା କଠିଣ ବ୍ଯାପାର। ଦୁଇପଦ କଥାଭାଷା ହେବାର ମୋହ ସହସା ଜାତ ହୁଏ ମନରେ। ଏହି ଦୁର୍ବାର ମୋହ ଦୁନିଆରେ ସମସ୍ତ ଲୋକଙ୍କର ରହିଛି ଅଳ୍ପ ବହୁତ ଶ୍ରେଣୀ ଓ ପ୍ରତିଷ୍ଠା ନିର୍ବିଶେଷରେ। କେହି କେହି ଅତି ଉତ୍ସାହିତ ହୋଇ ପ୍ରକାଶ କରିଦିଅନ୍ତି ତ ଆଉ କେହି କେହି ନିଜକୁ ଆଭିଜାତ୍ୟପୂର୍ଣ୍ଣ ମନେକରି ଏଡ଼ାଇ ଯାଆନ୍ତି ଟିକେ କଥାଭାଷା ହେବା ପାଇଁ ସ୍ବକୀୟ ପରିଚୟ ପ୍ରଦାନ କରିବାକୁ ପଡ଼ିବ ବୋଲି। ଆଉ କେତେକ ଅଯଥାରେ କାହିଁକି କେଉଁ ଅପରିଚିତ ଅଜ୍ଞାତ ବ୍ଯକ୍ତି ସହିତ କଥାବାର୍ତ୍ତା ହୋଇ ସମୟ ଓ ଶକ୍ତି ଅପଚୟ କରିବେ ବୋଲି ଏଥିରୁ କ୍ଷାନ୍ତ ରୁହନ୍ତି।


ମୁଁ ମଧ୍ୟ ଏହି ମୋହର ବନ୍ଧନରେ ଆବଦ୍ଧ। ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି? ମୁଁ ତ ଆଉ ବ୍ଯତିକ୍ରମଟିଏ ନୁହେଁ ନା? କୁହାଯାଇପାରେ ଯେ, ମୁଁ ଅଧିକ ମାତ୍ରାରେ ଉତ୍ସାହିତ ଏଥିପାଇଁ। ଭଲରେ ଦୁଇ ଚାରି ପଦ କଥା ହୋଇ ହାନିଲାଭ ବୁଝି ନେଲେ ଏକପ୍ରକାର ଆତ୍ମତୃପ୍ତି ଅନୁଭବ କରେ। ଅଧିକାଂଶ ସମୟରେ ଦୂରଭାଷ ନମ୍ବର ଅଦଳ ବଦଳ କରି ପର ମୂହୁର୍ତ୍ତରେ କଥାଭାଷା ହେଉ ସମଭାବାପନ୍ନ ବ୍ଯକ୍ତି ବିଶେଷଙ୍କ ସହିତ। ଏମିତି ବେଳେ ବେଳେ ଅନେକ ରୋଚକପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳେ ପୁଣି କେବେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। କିନ୍ତୁ ଉଭୟ କ୍ଷେତ୍ରରେ ଅନନ୍ଯ ଉପଲବ୍ଧି ପ୍ରାପ୍ତ ହୁଏ।


ସେଦିନ ଅପରାହ୍ନରେ ନାଗପୁର ରେଳ ଷ୍ଟେସନରେ ମୁଁ ଅପେକ୍ଷା କରିଥାଏ ହାଇଦ୍ରାବାଦ୍ ଫେରିବା ପାଇଁ। ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିବା ତଥାକଥିତ ଦୃତଗାମୀ ଟ୍ରେନ୍ ଟା ଦୁଇ ଘଣ୍ଟା ବିଳମ୍ବରେ ଚାଲୁଥାଏ କୌଣସି କାରଣ ବଶତଃ। ବଡ଼ ବିରକ୍ତିକର ବୋଧ ହେଉଥାଏ। ଟ୍ରେନକୁ ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଚାରା ମଧ୍ଯ ନଥାଏ। ପାଖରେ ଥିବା ଖବରକାଗଜ ଆଉ ମାଗାଜିନ୍ ସବୁ ବହୁବାର ପଢି ସାରିଥାଏ। ସେତେବେଳେ ତ ପାଖରେ ସ୍ମାର୍ଟ୍ ଫୋନ୍ ନଥାଏ ଯେ, ଇଣ୍ଟରନେଟ୍ ଭରସାରେ କିଛି ସମୟ ବିତାଇବାର ଚିନ୍ତା କରାଯାଇ ପାରିବ।


ମନ ମସ୍ତିଷ୍କ ବିଭିନ୍ନ ପ୍ରକାର ଚିନ୍ତା ଖେଳି ବୁଲୁଥାଏ। ତଥାପି ସମୟ କଟୁନଥାଏ ବରଂ କଟୁ ମନେ ହେଉଥାଏ। ବଡ଼ ବିରକ୍ତିକର ବୋଧ ହେଉଥାଏ। ଏମିତି ଇତସ୍ତତଃ ଭାବନାରେ ମୁଁ ମଗ୍ନ ଥିଲା ବେଳେ ଅନତି ଦୂରରେ କେହି ଜଣେ ସ୍ବଭାଷୀଙ୍କର ଦୂରଭାଷର କଥୋପକଥନ ମୋର କର୍ଣ୍ଣ ଗୋଚର ହେଲା। ବୁଲି ପଡି ଚାହିଁଲି ପଛକୁ, ଜଣେ ପ୍ରୌଢ଼ ବ୍ଯକ୍ତି କଥା ହେଉଥିଲେ ମୋବାଇଲ୍ ଫୋନରେ। ପୋଷାକ ପରିଚ୍ଛଦରୁ ଏବଂ କଥାଭାଷା ଶୈଳୀରୁ ଶ୍ରମଜୀବୀ ଶ୍ରେଣୀର ଲୋକ ବୋଲି ମନେ ହେଉଥିଲେ ସେ। ଫୋନ୍ ଯୋଗେ ବହୁତ ବଡ଼ ପାଟିରେ କଥା ହେଉଥିଲେ ଯାହା ଦ୍ବାରା ତାଙ୍କର ପ୍ରତିଟି ଶବ୍ଦ ମୁଁ ଶୁଣି ପାରୁଥିଲି।


ଯେମିତିକି ଆଗରୁ କହିଛି, ଏମିତି ମୌକା ମୁଁ ଆଦୌ ହାତଛଡ଼ା କରେ ନାହିଁ। ଯେତେ ଯାହା ହେଲେ ବି ମୁଁ କଥା ହେବା ହିଁ ନିର୍ଦ୍ଦିଷ୍ଟ। ତାଙ୍କ ସହିତ ଦୁଇ ପଦ କଥା ହେବାର ଦୁର୍ବାର ମୋହ ସ୍ବାଭାବିକ ଭାବେ ଜାତ ହେଲା। ଏହାକୁ ମୋହ ନକହି ବରଂ ପାଗଳାମି କହିବା ଠିକ୍ ହେବ! ଏହି ହେତୁ ଦୃତପଦରେ ତାଙ୍କ ପାଖକୁ ଯାଇ ସମସ୍ତ ଶିଷ୍ଠାଚାର ଭୁଲି ସେହି ବୟୋବୃଦ୍ଧ ଶ୍ରମଜୀବୀଙ୍କୁ ପଚରି ଦେଲି, "ମଉସା! ଆପଣଙ୍କ ଘର କେଉଁଠି?"


ଅଚାନକ ଏପରି ମୋ ପ୍ରଶ୍ନବାଣରେ ଅପ୍ରସ୍ତୁତ ହୋଇ ବୃଦ୍ଧ ବ୍ୟକ୍ତି ଜଣକ କହି ପକେଇଲେ, "କେନ୍ଦ୍ରାପଡା"!

: ଆମର ବି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଜାଣିଛନ୍ତି ପଟ୍ଟାମୁଣ୍ଡାଇ?

: ହଁ ଜାଣିଛି। ଆମର ଘରଟା ମହାକାଳପଡ଼ା... ଅମୁକ ଗାଁ...

: ଆଚ୍ଛା ମଉସା, ଆପଣ କଣ କରନ୍ତି ଏଠି?

: ଦାଦନ ଖଟିବାକୁ ଆସିଛି... ଖଟୁଛି । ଆଉ କଣ କରିବି?

: ଆରେ ମଉସା, ଏମିତି କାହିଁକି କହୁଛନ୍ତି?

: ଆଉ କଣ କହିବି ବାବୁ? ତମେ କହୁନ... ତମ ପରି ଧୋବ ଫରଫର ପାଠ ଶାଠ ପଢୁଆ, ସୁଟ୍ ବୁଟ୍ କୋଟ୍ ପେଣ୍ଟ୍ ପିନ୍ଧା ବଡ଼ ବାବୁମାନେ ତ ଆମକୁ ଦାଦନ ହିଁ କହନ୍ତି ନା! କଣ କିଛି ଭୁଲ କହିଲି କି?? ଯଦି କହିଥାଏ ତେବେ ବଡ଼ ହୃଦୟରେ ତମର କ୍ଷମା କରି ଦେବ ବାବୁ!

ମୁଁ ତାଙ୍କ କଥାର ବିନ୍ଦୁ ବିସର୍ଗ କିଛି ବି ବୁଝି ପାରୁନଥିଲି। ହଁ, ନିଶ୍ଚିତ ଭାବରେ କେବେ କେବେ ଏଇ ଶବ୍ଦଟି ଶୁଣିଛି ଟି. ଭି. ଚ୍ୟାନେଲମାନଙ୍କରେ, ପଢିଛି ଖବରକାଗଜରେ।


ସେତେବେଳେ ଏତିକି ତ ଜାଣିଥିଲି ଯେ, ନିଜର ଉଦଯୋଗରେ ରାଜ୍ୟ ବାହାରକୁ କାମ ଧନ୍ଦା ଅନ୍ୱେଷଣରେ ଯାଇଥିବା ଅଣସଂଗଠିତ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ଶବ୍ଦଟି ବ୍ୟବହାର ହେଉଛି। କିନ୍ତୁ ଏହି ଶବ୍ଦଟିର ପ୍ରକୃତ ଅର୍ଥ ବୁଝିବାକୁ କେବେ ବି ଚେଷ୍ଟା ମୁଁ କରିନାହିଁ। ସତ କହିବାକୁ ଗଲେ ମୋର ଏଇ ଶବ୍ଦ ସବୁର ଅର୍ଥ କିମ୍ବା ବ୍ଯାଖ୍ଯାରେ କେବେ ବି ଆଗ୍ରହ ନଥିଲା। ସ୍କୁଲରେ ପଢୁଥିବା ବେଳେ ଶବ୍ଦାର୍ଥ ଲେଖିବାକୁ ବଡ଼ କଷ୍ଟ ହୁଏ। ସାହିତ୍ୟ ବହିକୁ କିପରି ପଢି ପରୀକ୍ଷାରେ ପାଶ୍ କରିଛି ତାହା କେବଳ ମୋତେ ହିଁ ଜଣା!


କିଛି ସମୟ ନୀରବ ରହିବା ପରେ ମୁଁ ପୁଣି ପଚାରିଲି, "ଘରେ ଆଉ କିଏ କିଏ ଅଛନ୍ତି ମଉସା?"

: ସମସ୍ତେ, ସ୍ତ୍ରୀ, ପିଲା, ବୋହୂ, ନାତି ନାତୁଣୀ, ବୁଢୀ ମା' ଆଖିକୁ ଦିଶୁନି ତାର ଏବେ, ତା' ଛଡା ଦିଇଟା ଗାଈ ଆଉ କିଏ? ଏତିକି ତ ଆମର ପରିବାର ଆଉ ପରିଚୟ...

ମୁଁ ଆଉ କିଛି ତାଙ୍କୁ ପଚାରିବାକୁ ଚାହୁଁଥିଲି, ହେଲେ ସେହି ସୁଯୋଗ ମୋତେ ସେ ଦେଲେ ନାହିଁ। ମୋର ମନେ ହେଉଥିଲା ଯେପରି ଦୀର୍ଘ ଦିନ ଧରି ବନ୍ଦ ପଡ଼ି ରହିଥିବା ଏକ ବିକ୍ଷୁବ୍ଧ ଆଗ୍ନେୟଗିରିରୁ ଏବେ ଏବେ ପୁନର୍ବାର ଉଦ୍ଗୀରଣ ଆରମ୍ଭ ହୋଇ ଯାଇଛି। ତାହାର ସେହି ଉତ୍ତପ୍ତ ଲାଭା ମୋତେ କ୍ଷଣିକରେ ଗ୍ରାସିଯିବ! ମୋର ସମଗ୍ର ଜାଗତିକ ସତ୍ତାକୁ ଗ୍ରାସ କରି ଯିବ!


ସେ କହି ଚାଲିଲେ : "ତମ ରୂପ ଭେକରୁ ଯାହା ଲାଗୁଛି, ତମେ ତ ସ୍ଵଚ୍ଛଳ ବର୍ଗର ଲୋକ। କେଉଁଥିରେ ବା ତୁମର ଅଭାବ? ତମର ଘରଦ୍ବାର, ଜମିବାଡ଼ି, ଟଙ୍କା ପଇସା, ଗୋରୁଗାଈ, ଚାକର ବାକର, ହଳିଆ କୋଠିଆ ସବୁ ଥାଇକି ବି ଦି ପଇସା ଅଧିକ ପାଇବା ଲୋଭରେ ବେକରେ ଟାଇ ବାନ୍ଧି ଏ ଉଦୁଉଦିଆ ଖରା ବେଳଟାରେ କୋଟ୍ କାମିଜ୍ ପିନ୍ଧି ବାହାରେ ବୁଲୁଛ। ନିଜକୁ ବାବୁ ଭାୟା ବୋଲାଉଛ। ସମାଜର ବଡପଣ୍ଡା କୁହାଇ ହଉଛ। କାଇଁ ଆମେ ତ କେଉଁ ଦିନ ତମକୁ କିଛି ତାତ୍ସଲ୍ୟ କରୁନୁ। ବରଂ ବଡ଼ ବାବୁ ବୋଲି ସମ୍ମାନ ଦେଉଛୁ, ଖାତିର୍ କରୁଛୁ। ହାତ ଟେକି ଦୂରରୁ ଜୁହାର ହେଉଛୁ।


ଆମର ତ ଗାଁରେ ଘରଡିହଟି ଛଡ଼ା ଆଉ କିଛି ନାହିଁ। କରିବୁ କଣ? ମୂଲିଆ ଲୋକ, ମୂଲ ଲାଗିଲେ ବହୁପ୍ରାଣୀ କୁଟୁମ୍ବ ପୋଷିବୁ। ନହେଲେ ନିର୍ଜଳା ଏକାଦଶୀ ଉପବାସ! ଗାଁରେ ମୂଲ ଲାଗିଲେ ଠିକ୍ ମୂଲରେ ମଜୁରୀ ଦେବନି ତମେମାନେ। ମୁହଁ ଖୋଲି ପଦେ କହିଲେ ନାନା ଜୁଲୁମ କରିବ ଆମ ଉପରେ। ଆମ ଝିଅ ବୋହୂଙ୍କ ଉପରେ ଅତ୍ୟାଚାର କରିବ। ଆମକୁ ସମାଜରୁ ବାସନ୍ଦ କରିବ। ନିଆଁ ପାଣି ବନ୍ଦ କରିବ। ତମମାନଙ୍କୁ ଡରିମରି ଅଭାବରେ ଆଉ କେତେ ଦିନ ସଢିଥାନ୍ତୁ? ସୁଖ ଶାନ୍ତିରେ ଚଳିବାକୁ ଦି' ପଇସା ଅଧିକା ରୋଜଗାର କରିବା ଆଶାରେ କଣ ରାଇଜ ବାହାରକୁ ଗୋଡ଼ କାଢ଼ିଲୁ ଯେ, ତମେ, ତମ ସରକାର, ତମ ଅଫିସର, ତମ ନେତା ମନ୍ତ୍ରୀ ସମସ୍ତେ ଆମକୁ 'ଦାଦନ' ଆଖ୍ୟାରେ ଆଖ୍ୟାୟିତ କଲେ। ଆମେ କେମିତି ଚଳୁଛୁ ସେକଥା ତ କେହି କେବେ ପଚାରି ବୁଝିନି? ଭୋଟ ବେଳେ ଆମ ଦୁଆରେ ଭିକ ମାଗନ୍ତି, ସରିଗଲା ପରେ ତମେ କିଏ ନା ଆମେ କିଏ?"


ମୁଁ ବଲବଲ କରି ଚାହିଁ ରହିଥାଏ ତାଙ୍କୁ। କିଛି ବି କହିବାକୁ ଯେପରି ମୋତେ କେହି ରୋକି ଦେଇଥାଏ। ତୁଣ୍ଡରେ ତୁଣ୍ଡି ପଡିଲା ପରି ମନେ ହେଉଥାଏ। ଚୁପଚାପ୍ ଶୁଣୁଥାଏ ତାଙ୍କର କଥା, ହୃଦୟରେ ପୁଞ୍ଜିଭୂତ ବ୍ଯଥା ସବୁ ବାହାରି ଆସୁଥାଏ ଆଗ୍ନେୟଗିରିରୁ ଉଦ୍ଗୀରଣ ହେଉଥିବା ଲାଭା ପରି ଜାଳି ପୋଡ଼ି ଧ୍ବଂସ କରିଦେବାକୁ ପୁଞ୍ଜିବାଦୀ ସାମନ୍ତବାଦୀ ମାନସିକତାକୁ। ସେ କହି ଚାଲିଥାନ୍ତି ବୁଲେଟ୍ ଗତିରେ


"ତମେ କୁହ ବାବୁ, ଦି' ପଇସା ଅଧିକା ପାଇଲେ ତମେ ନୂଆ କମ୍ପାନୀ ଜଇନ୍ କରୁନ କି? ନା ପୁରୁଣା କମ୍ପାନୀ ପ୍ରତି ବଫାଦାରୀ ଦେଖାଇ କମ୍ ଦରମାରେ କାମ କରୁଛ? ତମେ ଯାହା ସବୁ ଗାଁ କି ସହରରୁ ଏଠି ରାଇଜ ବାହାରେ ଆସି ଯାହା ବି କଲେ କିଛି ନାହିଁ, ତମ ପାଇଁ ସଭିଏଁ ଗର୍ବିତ, ତମେ ମାଟି ମାଆର ସୁଯୋଗ୍ୟ ସନ୍ତାନ, କାରଣ ତମେ ପାଠପଢୁଆ ଧୋବ ଧଉଳିଆ ବାବୁ ଲୋକ ନା! ଆମ ରାଇଜର ଖବରକାଗଜରେ ତମ ଫଟୋ ବାହାରେ। ତମର ବେଠି ଖଟିବାକୁ ଲୋକ ମିଳୁ ନାହାଁନ୍ତି ତ ସେପାଇଁ ଆମକୁ ରୀତିମତ ନିନ୍ଦୁଛ। ଆଉ କେତେ ଅପଦସ୍ତ ଆମକୁ କଲେ ଯାଇଁ ତମର ସବୁ ମନ ଶାନ୍ତ ହେବ? ହଉ ଦେଖାଯାଉ କଣ କରୁଛ କର, ତମେ ବି ତ ଆମ ସହିତ ମିଶି ସେଇ ଏକା ମାଟିରେ ମିଶିବ ନା ଆଉ ଅଲଗା କୁଆଡ଼େ ଯିବ?"

ଦୁଇ ଘଣ୍ଟା ବିଳମ୍ବରେ ଚାଲୁଥିବା ମୋର ଟ୍ରେନ୍ ପ୍ଲାଟଫର୍ମରେ ଲାଗି ସାରିଥାଏ। ଘନ ଘନ ଉଦଘୋଷଣା କରାଯାଉଥାଏ ଏହି ବାବଦରେ। ମୁଁ କିଛି କହିବାକୁ ଚାହଁବି ସୁଯୋଗ ପାଇଲି ନାହିଁ। ସେ ସେମିତି ଅନର୍ଗଳ କହି ଚାଲିଥାନ୍ତି, ମନର ସମସ୍ତ ଭାବନା ପରିପ୍ରକାଶ କରୁଥାନ୍ତି ବିନା ଦ୍ୱିଧା ଓ ବାଧାରେ। ଅଗତ୍ୟା ମୁଁ ମଥାପାତି ଯୋଡ଼ ହସ୍ତରେ ତାଙ୍କଠୁ ବିଦାୟ ନେଲି। ମୋର ଜ୍ଞାନ ଚକ୍ଷୁ ଉନ୍ମୀଳିତ ହୋଇ ସାରିଥାଏ ସେତେବେଳେକୁ। ମହାଶିକ୍ଷା ଲାଭ କରି ସାରିଥାଏ ଯାହାକି ମୋର କୌଣସି ଡିଗ୍ରୀ ବି ଶିଖାଇ ନଥିଲା।



Rate this content
Log in

Similar oriya story from Abstract