Prasanta K Mahakud

Classics Inspirational Others

3  

Prasanta K Mahakud

Classics Inspirational Others

ଦାଦନ

ଦାଦନ

3 mins
434


ସମୟ ପାଖାପାଖି ରାତି ବା’ରଟା, ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଛକ । ମୁଁ ଅପେକ୍ଷା କରିଥାଏ ମୋର ଜଣେ ବନ୍ଧୁଙ୍କୁ । ବନ୍ଧୁ ଜଣଙ୍କ ଯେଉଁ ବସରେ ଆସୁଥିଲେ, ଖରାପ ହେବା ଯୋଗୁ ବିଳମ୍ବ ହେଉଥିଲା । ମୁଁ ବାଇକ୍ ର ସାଇଡ୍ ଷ୍ଟାଣ୍ଡ ଦେଇ ମିରର୍ ଉପରେ ହେଲମେଟ୍ ଟିକୁ ରଖି ଦେଲି । ବାଇକକୁ ଭରା ଦେଇ ଛିଡା ହେଲି । ବହୁତ କମ୍ ଗାଡି ଯା ଆସ କରୁଥାନ୍ତି । ଓଭର ବ୍ରିଜ୍ ଉପରର ବିଦ୍ୟୁତ୍ ଖୁଣ୍ଟର ଆଲୁଅ ସହିତ ଜହ୍ନ ଆଲୁଅ ବିଛୁରି ହୋଇ ପଡୁଥାଏ । ମେ ମାସର ରାତିର ସୁଲୁସୁଲିଆ ପବନର ଶୀତଳତା ବେଶ ଆରାମ ଦାୟକ ଥିଲା । ଏମିତି ବି ରାଜଧାନୀ ଭୁବନେଶ୍ଵରରେ ସଞ୍ଜ ନଇଁ ଗଲା ପରେ ପବନର ମଜା ଟିକେ ନିଆରା । ମୁଁ ପକେଟରୁ ମୋବାଇଲ ଫୋନ ବାହାର କରି ବନ୍ଧୁ ଜଣଙ୍କୁ ନିର୍ଦ୍ଦିଷ୍ଟ ଜାଗାରେ ମୋର ଉପସ୍ଥିତିକୁ ଜଣେଇ ଦେଲି । ଫୋନ କଲକୁ କାଟି ଫେସବୁକ୍ ଦେଖିବାକୁ ଆରମ୍ଭ କଲି । ଅଳ୍ପ ଦୂରରେ ଫୁଟପାଥ୍ ଉପରେ କେତେ ଜଣ ଲୋକ ବସିଥିଲେ, ଆଉ କିଛି ଲୋକ ଗଡ ପଡ ହେଉଥିଲେ । ପାଖ ପାଚେରୀକୁ ଲାଗି ଟିଣ ଆଜବେଷ୍ଟସ ଘର । ସେଥିରେ ମେ ମାସର ଗରମରେ ଜାକିଜୁକି ହୋଇ ଶୋଇବା କଷ୍ଟ । ସେମାନଙ୍କ କଥାବାର୍ତ୍ତାରୁ ଜଣା ପଡୁଥିଲା ସେମାନେ ନିହାତି ମୋହରି ଅଞ୍ଚଳର। ଆମ ଭାଷାରେ ଥାଏ କିଛି ଅଲଗା ଶବ୍ଦର ସମାହାର ।

ମୁଁ ବାଇକରେ ଚାବି ଦେଇ ସେମାନଙ୍କ ପାଖକୁ ଗଲି । ମୋତେ ଦେଖି ସେମାନେ ଚୁପ୍ ହୋଇଗଲେ । ମୁଁ କହିଲି “ ତୁମେ ସବୁ ରାତି ସାରା ଏଠି ଏମତି ଶୁଉଚ?” ତା’ଙ୍କ ଭିତରୁ ଜଣେ ଟିଣ ଆଜବେଷ୍ଟସ ଘର ଆଡେ ଚାହିଁ କହିଲା “କିସ କରିମୁଁ ଆଜ୍ଞା, ଭିତରେ ବହୁତ ଗରମ । ଏଠି ବଢିଆଁ ପବନ ମାରୁଚି, ଗଡିଚୁଁ ଆଉ” । କିଛି ସମୟର ବାର୍ତ୍ତାଳାପରୁ ଜାଣିଲି ସେମାନେ କେନ୍ଦୁଝରରୁ ଜଣେ ଠିକାଦାର ମାଧ୍ୟମରେ ଆସିଛନ୍ତି । ତା’ଙ୍କ ସହ କିଛି ମହିଳା ବି ଅଛନ୍ତି । ସେମାନେ ଆଜବେଷ୍ଟସ ଘର ଭିତରେ ଶୋଇ ପଡୁଛନ୍ତି । ସକାଳ ଆଠଟାରୁ କାମ ଧରୁଛନ୍ତି ଯେ କେବେ କେବେ ରାତି ଆଠଟା ହେଇ ଯାଉଛି । ଗାଁ ଛାଡି ଏତେ ଦୂରକୁ ଆସିବା କଥା ପଚାରିଲି । ଲୋକଟି କହିଲା, “ କଣ କରିବୁ ବାବୁ ! ଏଠି ଟଙ୍କା ଟିକେ କମ୍, ତିନି ଓଳି ଖାଉଚୁଁ କିନ୍ତୁ କଷ୍ଟ ଟିକେ ବେଶି ହେଉଚି । ଗାଁ ପାଖରେ ପଚାସ ଷାଠିଏ ଟଙ୍କା ବେଶି ପାଉଁ । ହେନେ କିସ ହେଲା ସବୁଦିନ କାମ ମିଳେ ନାଇଁ । ସେଇପାଇଁ ପଳେଇ ଆସିଚୁଁ । ହପ୍ତା ବାରି ହେନେ ଏଠି ପଇସା ମିଳୁଚି । ଏମତି ଚାଲିଚି ଆଉ”। ମୁଁ କିଛି ସମୟ ଚୁପ ରହି ପଚାରିଲି ଆଉ ଏମଜିଏନଆରଜିଏସ କାମ ? ସେମାନଙ୍କ ଭିତରେ ଜଣେ ଯୁବକ ଥିଲା । ବୟସ ପାଖାପାଖି ତିରିଶ ଖଣ୍ଡେ ହେବ । ଏହା ଶୁଣି ସେ ବିରକ୍ତ ହେବା ଭଳି କହିଲା, “ସେ ସବୁ କହିବାକୁ ଆଉ ଶୁଣିବାକୁ ସୁନ୍ଦର । ଆଜି ଯାଏ ପିସି ପାଇଁ ବନ୍ଧା ପଡିଚି ମୋର ଛବିସ ଦିନର ମଜୁରି । କାହା ପାଖରେ ତା’ର କିଛି ଉତ୍ତର ନାହିଁ ।

ପଞ୍ଚାୟତରୁ ବ୍ଲକ ଅଫିସ ଆଉ ବ୍ଲକ୍ ଅଫିସରୁ ପଞ୍ଚାୟତ ଦଉଡିଲେ ଭୋକରେ ରହିବା ଟା ସାର ହେବ । ଗାଁରୁ ଆସିବା ଦିନ ସରପଞ୍ଚ କହିଲା ଯା’ ଦାଦନ ଖଟିବୁ ଯା। କହିଲେ ଆଜ୍ଞା ଦାଦନ କିସ ? ପେଟ ପାଇଁ ତ ସବୁ ନାଟ । ବଡ ବଡ ଅଫିସ ଭିତରେ ଫ୍ୟାନ୍ ଆଉ ମିସିନର ଥଣ୍ଡା ପବନ ତଳେ କମ୍ପ୍ୟୁଟରରେ ଚାଷ କଲେ ସେମାନେ “ବାବୁ”, ଆମେ ଖୋଲା ଆକାଶ ତଳେ ମାଟିରେ ମାଟି, ପଥରରେ ପଥର ହେଇ କାମ କଲେ “ଦାଦନ” । ସେମାନେ ଟଙ୍କା ପାଇଲେ ଦରମା, ଆମେ ପାଇଲେ ମଜୁରୀ । ସେମାନେ ସୁଟ ବୁଟ ପିନ୍ଧିଲେ ବାବୁ, ଆମେ ଲୁଙ୍ଗି ଗାମୁଛା ଛାଡି ଯାହା ପିନ୍ଧିଲେ ବି ମୂଲିଆ”। ମୁଁ ସେମିତି ଚୁପ ରହି ତା’କୁ ଚାହିଁଥାଏ । ଆଉ ଜଣେ କହିବାକୁ ଆରମ୍ଭ କଲା, “ଗାଁ ଭିଟାମାଟି କାହାକୁ ଛାଡିବାକୁ ଇଛା ବାବୁ, ସବୁ ଆମ ପରିବାର ପାଇଁ, ଏଇ ପେଟ ଚାଖଣ୍ଡକ ପାଇଁ । ଜମି ଦୁଇ ମାଣ କୁ ଆସରା କଲେ କେବେ ବର୍ଷା ଦାଉ ସାଧୁଚି ତ’ ପୁଣି କେବେ ପଟୁ ଚରି ଯାଉଚି ।” ବସ୍ ଛିଡା ହେବାର ଦେଖି ମୁଁ ବସ ଆଡକୁ ଚାହିଁଲି, ବନ୍ଧୁ ଜଣଙ୍କ ଗାଡିରୁ ଓହ୍ଲାଉଥିଲେ । ମୁଁ ଛିଡା ହେଲି ସେମାନଙ୍କୁ ବୁଝାଇବାକୁ ଯାଇ କହିଲି, “ମଉସା ଗାଁରେ ସିନା ଆମେ ଜନ୍ମ ହେଇଛନ୍ତି କିନ୍ତୁ ଆମ ଦାନା ପାଣି ବୋଧହୁଏ ଏହି ସହରରେ ଲେଖା ହୋଇଛି । ଖଟିବା ଆଉ ଖାଇବା । ସେଥିପାଇଁ ପରା ଭଗବାନ ହାତ ଗୋଡ ଦେଇଛନ୍ତି”। ସେମାନେ ମୋ କଥାରେ ସହମତ ହେଲାଭଳି ମୁଁ ଅନୁଭବ କଲି । ସେମାନଙ୍କ ଠାରୁ ବାହାରିବା ବେଳେ ଆନ୍ତରିକତାର ସହ ଲୋକଟି କହିଲା, “ବାବୁ ଏମିତି ଏପଟେ ଆସୁଥିଲେ ଆସିବୁ” । ମୁଁ ହଁ ନିଶ୍ଚୟ ଆସିବି କହି ଗାଡି ପାଖକୁ ଆସିଲି । ବନ୍ଧୁଙ୍କୁ ନେଇ ରୁମକୁ ଫେରିଲି । ରାସ୍ତା ସାରା ଭାବୁଥିଲି, ସହର ସହ ଯୋଡି ହେବା କାହାପାଇଁ ଆଗ୍ରହ ତ କାହାପାଇଁ ରଙ୍ଗମଞ୍ଚ । ସହରି ଠିକଣାରେ କିଏ ଖୋଜି ବୁଲୁଛି ସମ୍ଭ୍ରାନ୍ତ ବାଦୀର ମହକ, କିଏ ବଡ ମଣିଷର ମସ୍ତବଡ ପରିଚୟ ଟିଏ ସୃଷ୍ଟି କରିବା ପାଇଁ ଜାରି ରଖିଛି ଅହରହ ପ୍ରୟାସ । ସବୁ ଗଣ୍ୟମାନ୍ୟ, ଜ୍ଞାନୀ ଗୁଣୀ ମାନଙ୍କ ଠିକଣାର ମୂକ ସାକ୍ଷୀ ଏଇ ସହର । କିନ୍ତୁ ସହର ସମୃଦ୍ଧି କରଣରେ ବଳି ପଡୁଛି ଯାହାର ଶ୍ରମିକ ବସ୍ତି । ମାଟିରେ ମାଟି ହୋଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ସମୃଦ୍ଧି କରଣର ମୁଖ୍ୟ ବିନ୍ଧାଣି ସାଜିଥିବା ସେହି ମଣିଷଟିର ପରିଚୟ କ’ଣ “ଦାଦନ” ?  



Rate this content
Log in

Similar oriya story from Classics