Prasanta K Mahakud

Inspirational Others

4  

Prasanta K Mahakud

Inspirational Others

ସୁକନ୍ୟା

ସୁକନ୍ୟା

9 mins
283



ସୁକନ୍ୟା କେତେଥର ଆଇନା ପାଖରେ ଯାଇ ଗୋଟେ ପରେ ଗୋଟେ ଶାଢୀ ଚେଞ୍ଜ କଲାଣି । କଉ ଶାଢୀ ଟା ପିନ୍ଧିବ । ଆଜି କଲେଜର ସମାବର୍ତନ ଉତ୍ସବ । ଆନନ୍ଦ ଏବେ ଯାଏ ଉଠି ନାହାନ୍ତି । ତାଙ୍କୁ ହେଲେ ପଚାରନ୍ତା, କିନ୍ତୁ ଆନନ୍ଦ ଏ ସବୁ ଭଲ ପାଆନ୍ତିନି । ତାଙ୍କୁ ବା କାହିଁକି ପଚାରିବ । ଏମିତିରେ ବି ଆନନ୍ଦ କାଲି ଡେରିରେ ଘରକୁ ଫେରିଛନ୍ତି, ବୋର୍ଡ ମିଟିଂ ଥିଲା । ପୂର୍ବୀ ମ୍ୟାଡାମଙ୍କୁ ହ୍ଵାଟ୍ସଆପ୍ ରେ କିଛି ଶାଢୀ ପିନ୍ଧା ଫଟୋ ପଠେଇଛି । କେତେଥର ମୋବାଇଲ ଦେଖିଲାଣି , ସେ ବି ଏ ଯାଏ ମେସେଜ ଚେକ କରି ନାହାନ୍ତି। କଲ କରିଛି କିନ୍ତୁ ସୁଇଚ ଅଫ ଅଛି । କଣ କରିବ ଭାବି ଭାବି ସେ ଗୋଲାପି ରଙ୍ଗର ଶାଢୀ ପିନ୍ଧି ପକେଇଲା । ସମୟ ହୋଇ ଗଲାଣି । କଲେଜ ରେ ବହୁତ ଦାୟିତ୍ଵ ସୁକନ୍ୟା ଉପରେ । ଏତେ ଦାୟିତ୍ଵ ଭିତରେ ନିଜ ପରିପାଟୀଟି ପାଇଁ ସମୟ ପାଇନି । କଲେଜ ରେ ଜଣେ କନିଷ୍ଠ ଅଧ୍ୟାପିକା ଭାବରେ ଜଏନ କରିବା ଦିନ ଠାରୁ ସମସ୍ତଙ୍କର ସେ ପ୍ରିୟପାତ୍ରୀ । ସେ ସବୁ ଭିତରେ ନିଜକୁ ଅଣ ଦେଖା କରିଦେଇଛି ସୁକନ୍ୟା । କିନ୍ତୁ ଏପଟେ ଜଣେ ସ୍ତ୍ରୀ ର କର୍ତବ୍ୟରେ ସେ କେବେ ଅବହେଳା କରିନି । 


ଆଜି ସୁଧୀର ଆସୁଛନ୍ତି । ଡ. ସୁଧୀର ଦାସ । ଜଣେ ଅଗଧାଡ଼ିର ଖ୍ୟାତନାମା ଲେଖକ ଏବଂ ପ୍ରବକ୍ତା । ତାଙ୍କ ଲେଖା ଇଂରାଜୀ ବଡ ବଡ ପତ୍ରପତ୍ରିକା ରେ ପ୍ରକାଶିତ । ପ୍ରିନ୍ସିପାଲ ସାର କହୁଥିଲେ ତାଙ୍କ ଅଭିଭାଷଣରେ ଦର୍ଶକ କାଳେ ବିମୋହିତ ହୋଇଯାନ୍ତି, ତାଙ୍କ ଟକ୍ ସୋ ଦେଖିବା ପାଇଁ ଟିକେଟ ମିଳେନି । ବହୁ କଷ୍ଟରେ ଆମ କଲେଜ କୁ ଆସିବା ପାଇଁ ପ୍ରତିଶୃତି ମିଳିଛି। ତା’ଙ୍କ ବ୍ୟକ୍ତିଗତ ସଚିବ ଇମେଲ ଯୋଗେ ଜଣେଇ ସାରିଛନ୍ତି । ମୁଖ୍ୟବକ୍ତା ଭାବରେ ସୁଧୀର ଦାସଙ୍କ ନା ଶୁଣିବା ଦିନ ମିଟିଂ ରେ ଟିକେ ହଡବଡେଇ ଯାଇଥିଲା ସୁକନ୍ୟା । ଚାଲିଯାଇଥିଲା କେଉଁ ଏକ ଭାବନା ରାଇଜକୁ । ପ୍ରିନ୍ସିପାଲ ସାରଙ୍କ ଡାକ ରେ ପ୍ରକୃତିସ୍ଥ ହେଲା ସେ । 


ସେଦିନ ଘରକୁ ଫେରି ଅନ୍ୟମନସ୍କ ରହିଲା । ରାତିରେ ଫେସବୁକ୍ ଖୋଲି ସୁଧୀରଙ୍କ ର ପ୍ରୋଫାଇଲ୍ ଦେଖିଲା । ହଜାର ହଜାର ଫ୍ୟାନ ମାନଙ୍କର କମେଣ୍ଟ, କେତେ କେତେ ଅନୁଷ୍ଠାନରୁ ରାଶି ରାଶି ସମ୍ମାନ ଆଉ ସମ୍ବର୍ଦ୍ଧନାର ଫଟୋ, ପେପର କ୍ଲିପିଙ୍ଗ, ଭିଡିଓ ଦେଖି ବିଶ୍ଵାସ କରିପାରିଲାନି । ଇଏ କଣ ସେହି ସୁଧୀର ଦାସ ଯିଏ ତା’ର କ୍ଲାସମେଟ ଥିଲେ ।

ସୁଧୀର ଜଣେ ଗରିବ ଘରର ପିଲା ଥିଲା । ସକାଳ ହେଲେ ପେପର ହକର ଭାବେ କାମ କରୁଥିଲା, ସନ୍ଧ୍ୟାରେ ଛୋଟ ଛୋଟ ପିଲାଙ୍କୁ ଟିଉସନ୍ କରେ । ଦିନ ଯାକ କ୍ଲାସ ପରେ ଲାଇବ୍ରେରୀ ରେ ବସି କଣ ସବୁ ପଢୁଥିଲା । ସେଥିପାଇଁ ସମସ୍ତେ ତାକୁ ବହିଭାଇ ବୋଲି ଡାକୁଥିଲେ । ବେଳେ ବେଳେ କ୍ଲାସ ଆସିବାରେ ବିଳମ୍ବ ହୁଏ ବୋଲି ସାରଙ୍କ ଠାରୁ ଗାଳିମନ୍ଦ ଶୁଣେ । କ୍ଲାସ ରେ ପିଲାମାନେ କହନ୍ତି ଏହି ବହି ଆସିଗଲା । କିନ୍ତୁ ସବୁ ସାର ମାନେ ତାକୁ ବହୁତ ଭଲ ପାଉଥିଲେ । ସେଦିନର ଘଟଣା ଅଜି ହଠାତ ସୁକନ୍ୟା ର ମନକୁ ଭାରକ୍ରାନ୍ତ କରିଦଉଛି । ସୁଧୀର ସେ ଦିନ ସୁକନ୍ୟାକୁ ସାଇକୋଲଜି ବହି କାଲି ଫେରେଇଦେବି କହି ମାଗିଥିଲା । ବିନା ଦ୍ଵିଧାରେ ସେ ତାକୁ ଦେଇଥିଲା । ସୁଧୀର ଏମିତି ସମସ୍ତଙ୍କ ପାଖରୁ ବେଳେ ବେଳେ ବହି ମାଗିନିଏ । ପରଦିନ ଛୁଟି ହେବା ବେଳକୁ ସୁଧୀର ସୁକନ୍ୟାକୁ ଧନ୍ୟବାଦ କହି ବହି ଫେରେଇଦେଇ ଥିଲା । ସୁକନ୍ୟା ବି ହସିଦେଇ ବିଦାୟ ନେଇଥିଲା ତା’ଠାରୁ । ବହିଟିକୁ ବେଡ୍ ଉପରକୁ ଫୋପାଡି ଦେଇ ଗଲା ବେଳକୁ କଣ ଗୋଟେ ବହି ଭିତରୁ ଅଧା ଭଙ୍ଗା କାଗଜ ପଡିବାର ଦେଖିଲା । ସଙ୍ଗେ ସଙ୍ଗେ କାଗଜଟିକୁ ଗୋଟେଇ ପଢିବାକୁ ଲାଗିଲା ସୁକନ୍ୟା । ସୁଧୀର ର ଲେଖନୀ ମୁନରେ ଅଙ୍କା ଯାଇଥିବା କବିତା କେଇ ଧାଡି । କବିତାର ଶୀର୍ଷକ ଥିଲା “ସୁକନ୍ୟା” । ସୁକନ୍ୟା ରାଗରେ ଜର୍ଜରିତ ହୋଇଗଲା । ଭଲକି ନିଦ ହେଲାନି ତା’କୁ । ବିପ୍ଳାବିନୀ କୁ ଡାକି ସବୁ କଥା କହିଲା । “କାଲି ସକାଳେ କଲେଜ ରେ ଦେଖିବା, ମୋତେ ବହୁତ ନିଦ, ଗୁଡ ନାଇଟ” କହି ଶୋଇବାକୁ ଚାଲିଗଲା ବିପ୍ଳାବିନୀ । 


ସକାଳ ହେଲା, ଜଲ୍ଦି ସବୁ କାମସାରି ସୁକନ୍ୟା ବାହରିଗଲା ଲେଡିଜ ହଷ୍ଟେଲରୁ । ସାଥିରେ ବିପ୍ଳାବିନୀ ବି ଥିଲା । ଦୁହେଁ ଏକ ମୁହାଁ ହୋଇ ଚାଲିଲେ କଲେଜ କ୍ୟାମ୍ପସ ଆଡେ । ଡଲି,ବେବି,ମାଳତି, ଲଳିତା ସମସ୍ତେ ଦେଖାହେଲେ ଲେଡିଜ କମନ ରୁମରେ, ବିପ୍ଳାବିନୀ ସବୁ କହିଲା ସେମାନଙ୍କୁ । ଏହା ଶୁଣି ଡଲି କହିଲା ‘ବାଃ ରେ ଭାରି ସୁନା ପିଲାଟା ପରି ଜଣ ପଡେ । ନିମାନ ମୁହଁ ଟା , ମୁଁ ଜାଣିଛି ସେ ଯେମିତି କ୍ଳାସ ରେ କୋଣେଇ କୋଣେଇ ସୁକନ୍ୟାକୁ ଚାହେଁ’ । ବେବି କହିଲା, ‘ଆଜି ଆସୁ ସେ’ । ସୁଧୀର ଆସିଲା ବେଳକୁ କ୍ଳାସ ଷ୍ଟାର୍ଟ ହେଇଯାଇଥିଲା । ସୁକନ୍ୟାର କାନ ପାଖରେ ମାଳତୀ କହିଲା, ଏହି ଆସିଗଲା ହୀରୋ । ସୁକନ୍ୟା ମନେ ମନେ ରକ୍ତ ଚାଉଳ ଚୋବାଉଥିଲା । ରାଗରେ ତା’ର ସୁନ୍ଦର ମୁହଁ ଟି ଲାଲ ପଡ଼ିଯାଇଥିଲା । ସୁଧୀର ସୁକନ୍ୟାକୁ ଚାହିଁଲା, ଆଉ ଜାଣିଯାଇଥିଲା ଯେ ସେ ରାଗି ଯାଇଛି । କ୍ଳାସ ସାରିଲା । ସୁକନ୍ୟା ସୁଧୀରକୁ ବାହାରକୁ ଡାକିଲା, ଯାହା ଇଚ୍ଛା ଗାଳି କଲା । ବିପ୍ଳାବିନୀ,ବେବି, ଡଲି, ଲଳିତା, ମାଳତି, ସମସ୍ତେ ବହୁତ କିଛି ଶୁଣେଇ ଗଲେ । ସୁକନ୍ୟା ସୁଧୀର ଉପରକୁ ସେ କାଗଜ ଗୋଟିକୁ ଫୋପାଡି ଦେଇ ଚାଲିଗଲା । ଚୁପ ରହିଥିଲା ସେଦିନ ସୁଧୀର, କେବେ ଭାବି ନଥିଲା ଏମିତି ଗୋଟେ ମୁହୂର୍ତ୍ତକୁ ଡାକି ଆଣିବା ସାମାନ୍ୟ ଗୋଟେ କବିତା । ସୁଧୀର ମନ ଦୁଖଃରେ ରୁମକୁ ଫେରିଲା । 


ଏହା ଭିତରେ ଫାଇନାଲ ଇଅର ପରୀକ୍ଷା  ସାରିଯାଇଥିଲା । ସେଦିନ କଲେଜର ଆନୁଆଲ ଫଙ୍କଶନ ଥିଲା । ଷ୍ଟୁଡେଣ୍ଟ ଅଫ ଦି ଇୟର ଭାବେ ସୁଧୀର ନାଁ ଘୋଷଣା ହେଲା । କିନ୍ତୁ ସୁଧୀର ଆସି ନ ଥିଲା । ସୁକନ୍ୟା ଜାଣିବାକୁ ପାଇଥିଲା ସୁଧୀର ମେସ ଛାଡି ଦେଇଛି ପରୀକ୍ଷା ପରେ ପରେ । ଏମିତିକି ଫେୟାରୱେଲ ମିଟିଂ କୁ ବି ଆସି ନଥିଲା ସୁଧୀର । ଏହା ଭିତରେ ସମସ୍ତେ କଲେଜରୁ ବିଦାୟ ନେଇ ଚାଲିଯାଇଥିଲେ ।

ସୁକନ୍ୟା ତା’ପରେ ପି.ଜି. କରିବା ପାଇଁ ବାଣୀବିହାର ଚାଲି ଆସିଲା, ଆଉ କମ୍ପିଟେଟିଭ୍ ପାଇଁ କୋଚିଂ ନେଉଥିଲା । ଦିନେ ସନ୍ଦୀପ ସହ ତା’ର ଦେଖା ହେଲା । ସନ୍ଦୀପ ଥିଲା ସୁଧୀର ର ଅତି ଘନିଷ୍ଠ । ଦୁହେଁ ଗ୍ରାଜୁଏସନ ସମୟରେ ଗୋଟିଏ ମେସ ରେ ରହୁଥିଲେ । ତା’ ପାଖରୁ ଜାଣିଥିଲା ସୁଧୀର ତାଙ୍କ ଗାଁ ସ୍କୁଲ ରେ ଟିଚର ଅଛି । ତା’ପରେ ଆଉ କିଛି ଖବର ରଖିନି ସେ ସୁଧୀର ର । ପି.ଜି. ସାରିବା ପରେ ପରେ ତା’ ବାହାଘର ଠିକ ହେଇଯାଇଥିଲା ଭୁବନେଶ୍ଵରର ଜଣେ ଜଣାଶୁଣା ବିଜନେସମ୍ୟାନଙ୍କ ପୁଅ ଆନନ୍ଦ ଚୌଧୁରୀ ସହ । ବିବାହ ପରେ ସେ ଚୌଧୁରୀ ଘରର ଏକମାତ୍ର କୂଳବୋଧୁ । 


ଏହା ଭିତରେ ଅଠର ବର୍ଷ ବିତି ଗଲାଣି । ପୁଅକୁ ଏକ ଇଣ୍ଟରନ୍ୟାସନାଲ ବୋଡ଼ିଂ ସ୍କୁଲ ରେ ଛାଡି ଦେଇଛି । ଘରେ ବସି ବସି ବୋର ହେଲା ବୋଲି ଅଧ୍ୟାପନା ଭଳି ବୃତିକୁ ଆପଣେଇ ନେଇଛି । ହଠାତ କଲିଂ ବେଲ୍ ବାଜିଲା । ବାଲକୋନୀ ପାଖକୁ ଯାଇ ଦେଖିଲା ଡ୍ରାଇଭର ତଳେ ଗାଡି ବାହାର କଲାଣି । ତାକୁ ୱେଟ କରିବାକୁ କହିଲା । ବେଡରୂମ କୁ ଗଲା । ଆନନ୍ଦ କୁ ଉଠେଇ କହିଲା ସେ କଲେଜ ଯାଉଛି ଆଜି କନଭୋକେସନ ଅଛି । ଫେରିବାକୁ ଡେରି ହେଇପାରେ । ଯାହା କିଛି ଫୋନରେ କଥା ହବ । ଦେବକୀ ମଉସୀଙ୍କୁ କହିଦେଇ ଗଲା ବାବୁ ଉଠିଲେ ଚା ଜଳଖିଆ ଦେଇ ଦେବୁ । ବାବୁଙ୍କ ଆଇରନ ହୋଇଥିବା ଡ୍ରେସ ଆଲମାରୀରୁ କାଢି ସୋଫା ଉପରେ ରଖି ଦେଇଛି । ଗାଡିରେ ବସି ଡ୍ରାଇଭରକୁ କହିଲା ଭଲ ଫୁଲ ଦୋକାନ ଦେଖି ଛିଡା କରିବ ଗୋଟେ ବୁକେ ନେବାର ଅଛି । କିନ୍ତୁ ଭାବିଲା କେମିତି ସେ ବୁକେ ଟି ସୁଧୀରଙ୍କୁ ଦେବ । ସେ ଦିନର ସେ ଅପମାନ ଆଜି ବି କଣ ତା’ଙ୍କର ମନେ ଥିବ ? ନିଜକୁ ଧିକ୍କାର କରୁଥିଲା ସେ । ସାମାନ୍ୟ ଗୋଟେ କବିତା ପାଇଁ ସେଦିନ ଏତେ କଥା ଘଟିଗଲା । ସେ ଦିନଠୁ ସୁକନ୍ୟା ମୁହଁକୁ କେବେ ଚାହିଁ ପାରୁ ନଥିଲା ଅବା ଚାହିଁବାକୁ ଇଚ୍ଛା ପ୍ରକଟ କରି ନଥିଲେ ସୁଧୀର । ଆଜି କେମିତି ସେ ସାମନା କରିବ ସୁଧୀରଙ୍କୁ । ନା’ ନା’ ସେ ସାମ୍ନା କୁ ଯିବନି । ସୁଧୀର ଚିହ୍ନି ବି ନ ଚିହ୍ନିବାର ଅଭିନୟ କରିବେନି ତ ? ସେ ଦିନର ଅପମାନର ପ୍ରତିଶୋଧ ନେବେନି ତ ? ଏମିତି କେତେ କଣ ପ୍ରଶ୍ନ ତା’ ମନକୁ ଭାରକ୍ରାନ୍ତ କରି ପକାଉଥିଲା ।

ଡ୍ରାଇଭର କହିଲା “ମ୍ୟାଡାମ ଆପଣଙ୍କ ଫୋନ ରିଂ ହେଉଛି “। ତରବର ରେ ଭ୍ୟାନିଟି ଭିତରୁ ଫୋନ ବାହାର କରି ଦେଖିଲା, ପୂର୍ବୀ ମ୍ୟାଡାମଙ୍କ ଫୋନ । ଫୋନ ରିସିଭ କରି ଜାଣିଲା ପ୍ରିନ୍ସିପାଲ ସାର ଖୋଜୁଛନ୍ତି । ଫୋନ କାଟିଲା ବେଳକୁ ସେ କଲେଜ ଗେଟ ପାଖରେ ପହଞ୍ଚି ସାରିଥିଲା । ଡ୍ରାଇଭରକୁ ଦୁଇଶହ ବଢେଇ ଦେଇ କହିଲା ଦିନ ବେଳେ ଖାଇନେବୁ । ମୁଁ କଲ୍ କଲେ ଆସିବୁ । ଗାଡିରୁ ଓହ୍ଲେଇ ଗେଟକୁ ଚାହିଁଲା । ବହୁତ ସୁନ୍ଦର ସଜା ହୋଇଥିଲା । ପାଦ ବଢେଇଲା ବେଳକୁ ଗେଟ ସାଇଡରେ ଥିବା ଏକ ବଡ ହୋର୍ଡିଂ ଉପରେ ନଜର ପଡିଲା ସୁକନ୍ୟାର । ହୋର୍ଡିଂ ରେ ସୁଧୀରଙ୍କର ଗୋଟେ ବଡ ଫଟୋ ଲାଗିଥିଲା । ଲେଖା ଯାଇଥିଲା ୱେଲକମ୍ ଡ଼ଃ . ସୁଧୀର ଦାସ । ଆଜି ବି ସୁଧୀର ସେମିତି ହିଁ ଅଛନ୍ତି, ତାଙ୍କ ଚେହେରାରେ କିଛି ବି ପରିବର୍ତ୍ତନ ହେଇନି । ଜଲ୍ଦି ଜଲ୍ଦି ପାଦ ବଢାଇଲା ସୁକନ୍ୟା ଏଡମିନିଷ୍ଟ୍ରେଟିଭ ହଲ ଆଡକୁ । ପୁରା କ୍ୟାମ୍ପସ ରେ ସୁଧିରଙ୍କର ଫଟୋ ଲାଗିଥିଲା । ପ୍ରିନ୍ସିପାଲ ତା’ଙ୍କ ରୁମରୁ ବାହାରି କହିଲେ ମ୍ୟାଡାମ “କ’ଣ ଏତେ ଡେରି, ଡ଼ଃ. ସୁଧୀରଙ୍କର ଫ୍ଲାଇଟ୍ ଟାଇମ ହେଇ ଗଲାଣି । ଏଅରପୋର୍ଟ୍ ଯାଇ ତାଙ୍କୁ ରିସିଭ କରିବାକୁ ପଡିବ” । ସେମିତି ହିଁ ବାହାରି ଯାଇଥିଲା ସେ ଏୟାରପୋର୍ଟକୁ ।

ସେଦିନ ଫ୍ଲାଇଟ୍ କୋଡିଏ ମିନିଟ ଲେଟ୍ ଥିଲା । ଯେତେଥର କିଛି ବି ଫ୍ଲାଇଟ୍ ବିଷୟରେ ଘୋଷଣା ହେଉଥାଏ । ସୁକନ୍ୟାର ହୃତସ୍ପନ୍ଦନ ବଢିଯାଉଥାଏ । ଫ୍ଲାଇଟ୍ ଗୁଡିକର ଘୋର ଗର୍ଜନ ଶାନ୍ତ ବାୟୁମଣ୍ଡଳରେ ତରଙ୍ଗାଇତ ହେଉଥିଲା । ବାସ ଇଣ୍ଡିଆନ ଏୟାରଲାଇନ୍ସ ଅବତରଣ କଲା । ଠିକ ପନ୍ଦର ମିନିଟ୍ ପରେ ଆଗନ୍ତୁକ ମାନଙ୍କର ସୁଅ ଛୁଟିଲା । ଏହି ତ ସୁଧୀର, ଭିଡ଼ ଭିତରେ ବି ବେଶ ବାରି ହୋଇପଡୁଥିଲେ । ତାଙ୍କ ଅଟୋଗ୍ରାଫ ନେବା ପାଇଁ ବେଶ ଭିଡ଼ ଜମିଥିଲା । ଭିଡ଼ ଭିତରୁ କେତେ ସୁନ୍ଦର ବିଦାୟ ନେଇ ସେ ଆଗକୁ ବଢୁଥିଲେ । ଗୋଟିଏ ପାଦ ଆଗକୁ ବଢି ପ୍ରିନ୍ସିପାଲ ସାର କହିଲେ ୱେଲକମ୍ ଡ଼ଃ. ସୁଧୀର । ସୁକନ୍ୟା ବି ତାଙ୍କୁ ଅଭିବାଦନ ଜଣାଇଲା । ସ୍ମିତହାସ୍ୟ ଟିଏ ଦେଲେ । ଆଉ ସମସ୍ତେ ଏକା ସହିତ ଚାଲିବାକୁ ଆରମ୍ଭ କଲେ । ସୁକନ୍ୟାକୁ ଲାଗିଲା ସୁଧୀର ତା’କୁ ଚିହ୍ନି ପରିଲେନି ବୋଧେ, ନା ଜାଣି ନ ଜାଣିବାର ଅଭିନୟ କଲେ । ଗାଡିରେ ବସିବା ପୂର୍ବରୁ କଉଠି ଥିଲେ କିଛି ପତ୍ରପତ୍ରିକା ଏବଂ ନ୍ୟୁଜ ଚ୍ୟାନେଲ ର ସାମ୍ବାଦିକ ମାନେ ଘେରି ଯାଇଥିଲେ । ସମସ୍ତଙ୍କୁ ଯଥାଚିତ ସମ୍ମାନର ସହିତ ଉତ୍ତର ରଖି ଗାଡିରେ ବସିଲେ । ପ୍ରିନ୍ସିପାଲ ସାର ତାକୁ ପଛ ଗାଡିରେ ଆସିବାକୁ କହିଲେ । ଏୟାରପୋର୍ଟ ଠାରୁ କଲେଜ ଯାଏ ରାସ୍ତାର ଦୁଇ କଡରେ ସୁଧୀରଙ୍କର ଫଟୋ ଲାଗିଥିବା ହୋର୍ଡିଂ ତା’କୁ ଆହୁରି ବିଚଳିତ କରି ପକାଉଥିଲା ।

 ଗାଡି କେତେବେଳେ କଲେଜ ଗେଟ ସାମ୍ନାରେ ପହଞ୍ଚି ସାରିଥିଲା । ସେ ଗାଡିରୁ ଓହ୍ଲେଇ ପ୍ରିନ୍ସିପାଲଙ୍କ ରୁମ ଆଡକୁ ଚାଲିଲା । ରୁମ ବାହାରେ ଛିଡା ହୋଇ ଭାବିଲା ଭିତରକୁ ଯିବ କି ନାହିଁ ? ପିଅନ ଆସି କହିଲା ମ୍ୟାଡାମ ସମସ୍ତେ କନଭୋକେସନ ହଲରେ । ସେ ହଲ ଭିତରକୁ ପଶିଲା ବେଳକୁ ସୁଧୀର ଥିଲେ ପିଲାମାନଙ୍କ ଗହଣରେ ବେଶ ଗୋଟେ ଖୁସିର ଆସର ଜମିଥିଲା ବହୁତ କମ ସମୟ ଭିତରେ । ମଞ୍ଚ ଉପରେ ଅନ୍ୟ ଅତିଥି ମାନେ ଆସି ସାରିଥିଲେ । ଖାଲି ଅପେକ୍ଷା ଥିଲା ସୁଧୀରଙ୍କ ଉପସ୍ଥିତି । ଷ୍ଟାଫ୍ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସିଟରେ ଯାଇ ସୁକନ୍ୟା ବସି ପଡିଲା । ଅଳ୍ପ ସମୟ ଭିତରେ ସୁଧୀର ପିଲାଙ୍କ ଗହଣରୁ ମଞ୍ଚ ଉପରୁ ଆସିଲେ । କରତାଳିରେ ହଲଟି ଫାଟି ପଡୁଥିଲା । ସୁକନ୍ୟାର ମନ ଖାଲି ଛଟପଟ ହେଉଥାଏ । ସୁଧୀର ବସିଥିବା ଚୌକିର ଠିକ ସାମ୍ନାରେ ମଞ୍ଚ ତଳେ ସୁକନ୍ୟା । କେତେବେଳେ ସୁଧୀର ତାଙ୍କର ବକ୍ତବ୍ୟ ରଖିବେ । ସୁଧୀରଙ୍କର ସମୟ ଆସିଗଲା । ବହୁତ ସୁନ୍ଦର ଭାବରେ ସମ୍ବୋଧନ କରି ସୁଧୀର ନିଜର ବକ୍ତବ୍ୟ ଆରମ୍ଭ କଲେ । ତାଙ୍କର ଭାଷା ଅଳଙ୍କାର, ଶବ୍ଦ ସଂଯୋଜନ ରେ ଥିଲା କିଛି ଅଲଗା ମାଦକତା । ସମସ୍ତେ ବିଭୋର ଆଉ ମତୁଆଲା ଏଇଠି । ତାଙ୍କ ବାଣୀରେ ଥିଲା ଜଣେ ଭଲ ମଣିଷର ମସ୍ତବଡ ପରିଚୟ , ଠାଣିରେ ପାରିବା ପଣର ଟାଣପଣ, ଦର୍ପ ଦମ୍ଭର ରହସ୍ୟ ସତେ ଆବା ଲୁଚି ରହିଛି ତାଙ୍କ ଠାରେ । ଦର୍ଶକ ମାନଙ୍କୁ ବିମୋହିତ କରି ଧରି ରଖିବା କଳାର ସେ ପ୍ରତ୍ୟକ୍ଷ ବିନ୍ଧାଣି । ସୁଧୀରଙ୍କର ବକ୍ତବ୍ୟର ବେଶ କିଛି ସମୟ ଯାଏ, ଏକ ଭାବନା ରାଇଜକୁ ଚାଲି ଯାଇଥିଲା ସୁକନ୍ୟା । କାର୍ଯ୍ୟକ୍ରମ ସାରିବା ଉପରେ । ପ୍ରିନ୍ସିପାଲ ସାର ସମସ୍ତଙ୍କୁ ଧନ୍ୟବାଦ ଆର୍ପଣ କରି ସଭା ସାଙ୍ଗ କଲେ । ମଞ୍ଚ ତଳେ ସମସ୍ତେ ନିଜ ନିଜ ସିଟ ରୁ ଉଠିବା ଆରମ୍ଭ କଲେ । ସୁକନ୍ୟା ସେମିତି ସିଟ ରେ ବସି ରହି ଥିଲା । ଉଠିବା ବେଳକୁ ଚମକି ପଡିଲା ସେ । ମାଇକରେ କେହି ଜଣେ ଡାକିଲେ “ସୁକନ୍ୟା ରାୟ କଉଠି ଅଛନ୍ତି । ଆପଣଙ୍କର ପିଲା ଦିନର ବନ୍ଧୁ ସୁଧୀର ଦାସ ଆପଣଙ୍କୁ ଅପେକ୍ଷା କରିଛନ୍ତି” । ସୁକନ୍ୟାର ଗୋଡ ଥରିବାକୁ ଲାଗିଲା । ଆଖିରେ ଲୁହ ଜକେଇ ଆସୁଥିଲା । ସିଟ ରୁ ଉଠିଲା ସେ । ସମସ୍ତଙ୍କର ନଜର ଥିଲା ତା’ ଆଡକୁ । ଆଖି ଲୁହରେ ସବୁ କିଛି ତା’କୁ ଝାପସା ଦିଶୁଥିଲା । ଭିଡ ଭିତରେ ସମସ୍ତେ ତା’ ପାଇଁ ବାଟ ଛାଡିଦେଉଥିଲେ । କିଛି ଦୂରରେ ଛିଡାହୋଇଥିଲେ ସୁଧୀର । ସାମାନ୍ୟ ଉଚ୍ଚ ସ୍ଵରରେ ସୁକନ୍ୟା ବୋଲି ସମ୍ବୋଧନ କରି ଡାକିଲେ । ତାଙ୍କ ସ୍ୱରରେ ସୁକନ୍ୟା ପ୍ରତି ଥିବା ଆତ୍ମୀୟତା ବେଶ ବାରି ହେଇ ପଡୁଥିଲା । ସୁକନ୍ୟା ନିଜ ଲୁହକୁ ଲୁଚେଇବାକୁ ଚେଷ୍ଟା କରୁଥିଲା । ସୁଧୀର କିନ୍ତୁ ତା ଆଖିରୁ ଠଉରେଇ ନେଇଥିଲେ । ସୁକନ୍ୟାର କଣ୍ଠ ବସ୍ପରୁଦ୍ଧ ହେଇ ଯାଉଥିଲା । ଦୁଇ ହାତ ଯୋଡିବା ବେଳକୁ ସୁଧୀର ନିଜ ହାତ ପପୁଲିରେ ଧରି ପକାଇଲେ । କହିଲେ “ଏ କଣ ସୁକନ୍ୟା, ତୁମେ ଭୁଲି ଯାଇଛ ମୁଁ ତୁମର ପିଲା ଦିନର ବନ୍ଧୁ । ଆଜି ଯଦି ମୁଁ ଏହି ଜାଗାରେ ପହଞ୍ଚି ପାରିଛି ତାହା ହେଲେ ତାର ପ୍ରଥମ ଶ୍ରେୟ ଦେବି ତୁମକୁ । ତୁମେ ହି ମୋର ପ୍ରେରଣାର ଉତ୍ସ” । 

କେବଳ ଏତିକି କହିଲା ସୁକନ୍ୟା “ସଫଳତାର ଉତୁଙ୍ଗ ହିମାଳୟରେ ଥାଇ ବି ତୁମେ ମନେ ରଖିଛ, ଆଉ ଆଜି ଜଣେ ପିଲା ଦିନର ବନ୍ଧୁର ପରିଚୟ ଦେଇ, ସବୁ ସଫଳତାର ଶ୍ରେୟ ଦେଇ ମୋତେ ଆହୁରି ଋଣୀ କରି ଦେଉଛ ସୁଧୀର” । କଥା କାଟିବାକୁ ଯାଇ ସୁଧୀର କହିଲେ “ଋଣୀ ତ ମୁଁ ତୁମ ପାଖରେ ସୁକନ୍ୟା” । ବାସ କଥା ସେତିକି ଥିଲା । ସୁକନ୍ୟା ଚୁପ ରହିଥିଲା । ସୁଧୀରଙ୍କର ବ୍ୟସ୍ତତାକୁ ଅନୁଭବ କରି ପାରୁଥିଲା ସେ । ତାଙ୍କର ଫ୍ଲାଇଟ ଟାଇମ ବି ହେଇ ଯାଉଥିଲା । ସେଦିନ ଏୟାରପୋର୍ଟକୁ ଛାଡି ବାକୁ ଆସିଥିଲା ସୁକନ୍ୟା । ବିଦାୟ ନେବା ବେଳେ ତା’ ହାତରେ ସେ ଲେଖିଥିବା ପୁସ୍ତକ ଚାରିଖଣ୍ଡ ଆଉ ତାଙ୍କ ଭିଜିଟିଂ କାର୍ଡ ଧରେଇ ଦେଇ ଗଲେ ସୁଧୀର । କହିଲେ ସମୟ ବାହାର କରି ଟିକେ ପଢିବ । ବହୁ ଯତ୍ନର ସହ ବହି ଗୁଡାକୁ ଧରିଥିଲା ସୁକନ୍ୟା ।

ଫ୍ଲାଇଟ୍ ଟାଇମ୍ ହୋଇଯାଇଥିଲା, ସୁଧୀର ବିଦାୟ ନେଇ ଏୟାରପୋର୍ଟ ଭିତରକୁ ଚାଲିଗଲେ । ସୁକନ୍ୟା ଏୟାରପୋର୍ଟରୁ ସିଧା ଘରକୁ ଫେରୁଥିଲା । ଅନ୍ୟମନସ୍କରେ ଥାଇ ଗୋଟେ ବହିକୁ ସିଟ୍ ଉପରୁ ଉଠାଇ ହାତରେ ଧରିଲା । ଆଖି ପକାଇଲା ବହିଟି ଉପରେ । ବହିର ପଛପଟେ ଲେଖାଥିଲା ଲେଖକ ପରିଚୟ । ପଢିବାକୁ ଆରମ୍ଭ କଲା,

“ଡଃ ସୁଧୀର ଦାସ । ଗାଳ୍ପିକ, ଔପନାସିକ, ସ୍ତମ୍ଭକାର, ଭାଷାବୀତ, ଶିକ୍ଷା ମନୋବିଜ୍ଞାନରେ ପିଏଚଡି ବହୁ ସାରସ୍ୱତ ସମ୍ମାନର ଆଧିକରୀ । ମଣିଷର ଦୂର୍ବଳତାକୁ ସହାନୁଭୂତି ସହକାରେ ମାନବିକ ମୂଲ୍ୟବୋଧର ସାବଲୀଳ ସ୍ପର୍ଶରେ ପାଠକର ମନ ଏବଂ ପ୍ରାଣକୁ ଅଭିଭୁତ, ମନ୍ଥିତ କରିଦେବା ହେଉଛି ଲେଖକଙ୍କର ଅନନ୍ୟ କଥନକଳା । ତାଙ୍କ ଲିଖିତ ଔପନ୍ୟାସ “ସୁକନ୍ୟା” ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁଦିତ ଓ ଅନ୍ୟ ବିଦେଶୀ ଭାଷାରେ ଅନୁଦିତ ଓ ଆଦୃତ । ପୃଥିବୀର ବତିଶ ଗୋଟି ଦେଶ ଭ୍ରମଣ କରିଥିବା ଲେଖକଙ୍କର ସ୍ରଷ୍ଟା ମାନସ ଯେତିକି ପ୍ରସାରିତ ସେତିକି ଗଭୀର...”

ଆଖିରେ ତା’ର ଲୁହ ଜକେଇ ହୋଇ ଆସୁଥିଲା । ପୁସ୍ତକ ଚାରୋଟିରୁ ସେହି ଔପନ୍ୟାସଟି ବାହାରକଲା । ତା’କୁ ତା ଛାତିରେ ଚାପି ଧରିଲା । ସେତେବେଳକୁ ଗାଡି ତା’ ଆଲିସାନ୍ କୋଠା ଭିତରକୁ ପଶୁଥିଲା ।




Rate this content
Log in

Similar oriya story from Inspirational