Prasanta K Mahakud

Tragedy Inspirational Others

4.5  

Prasanta K Mahakud

Tragedy Inspirational Others

ପ୍ରକୃତି କନ୍ଯା

ପ୍ରକୃତି କନ୍ଯା

6 mins
283


ବୁଢୀମା’ ପାନ ଖଣ୍ଡକ କଳରେ ଜାକୁ ଜାକୁ ହୁରି ପକାଇଲା, “ଆଲୋ ଏ ସେର ଏଣ୍ଟିନାଟା ଟିକେ ବୁଲେଇଦେଲୁ, ଟିଭିରେ କଣ କିଛି ଆସୁନି । ଆଜି ରବିବାର । ସିନେମା ବେଳ ହେଲାଣି । ଦେଉଥିବ କି କଣ । ବୁଢୀମା' ତର ତର ହେଲାଣି । ଗାଁ ପୋଖରୀରେ ଆଜି ମାଛ ମରା ହୋଇଥିଲା । ପଞ୍ଚା ଭାଗରେ ପଡିଥିଲା ଦୁଇ କିଲୋ । ରଘୁ ପଧାନ ଘରକୁ ଗଲା ପାଞ୍ଚ କିଲୋ । ଗାଁ ପଧାନ ତା’କୁ କିଏ ବା କଣ କହିବ ? ପଞ୍ଚା ତା ଭାଗକୁ ଆଙ୍କଲ କଣ୍ଟାରେ ଗୁଞ୍ଜି ଆଣିଥିଲା । ଭଲକି ଶୋରିଷ ବେସର ଦେଇ ରାନ୍ଧିବାକୁ କହି ଦାଣ୍ଡ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ସେ’ ବି ଖାଇସାରି ଦାଣ୍ଡ ଘର ପଟେ ପଡିଥିବା ଖଟିଆରେ ଗଡ ପଡ ହେଉ ହେଉ କେତେ ବେଳେ ଶୋଇଯାଇଛି ।


ଭାକୁର ମାଛର ଝୋଳରୁ ବୋହୁ, ବୁଢୀର ମନ ଜାଣି ଅଧିକା ଦୁଇଖଣ୍ଡ ଦେଇଥିଲା । ବୁଢୀ ଲୋଭରେ ଅଧିକା ଦୁଇ ମୁଠା ଭାତ ଖାଇ ଶୋଇଥିଲା ଯେ ବେଳ ଆସି ଦି ପହର ହେଲାଣି । ସେରର ଆଜି ଇସ୍କୁଲ ଛୁଟି । ସେପଟେ ବସି ଉକୁଣି ଖୁଣ୍ଟୁଛି । କୋଉ କାମକୁ ତା’ର ନିଘା ନାଇଁ । ଇସ୍କୁଲ ଛୁଆ ଯାହାକୁ ଦେଖିବ ମେଞ୍ଚାଏ ଲେଖାଏଁ ଉକୁଣି । ପାନିଆଟେ ଧରି ରାମ୍ପି ଦେଲେ ବିଛାଡି ହୋଇପଡେ ପାଚିଲା ଜାମୁ ପରି । ସେର ବି ବାଦ ପଡିବ କେମିତି । ସେଥି ପାଇଁ ସେର ଡାକି ଆଣିଛି ପଡିଶା ଘର ଡଲି ଭାଉଜକୁ । ଡଲି ଭାଉଜ ସିଂଙ୍ଘ ପାନିଆଟେ ଧରି ଦରାଣ୍ଡି ନେଉଛି, ଯାହା ପାଉଛି ବୁଢା ଆଙ୍ଗୁଠିର ଦୁଇ ନଖରେ ରଗଡି ଦେଉଛି । ମଝିରେ ମଝିରେ ସେର ନଖ ମୁଣ୍ଡକୁ କୁଣ୍ଡେଇ ପକାଉଛି । ଡଲି ଭାଉଜ ସେପଟେ ପାନିଆ ବୁଲେଇ ଆଣି ଖୋଜି ପକାଉଛି । ବୁଢୀମା’ କଥାକୁ ବା କାହିଁ ଶୁଣନ୍ତା ଭଲା ।


 ବୁଢୀମା’ ପୁଣି ହୁରି ପକାଇଲା, ଆଲୋ ଏ ହୁଣ୍ଡି ତୋତେ ଶୁଭୁଛି ନା ନାହିଁ ବା । ବୁଢୀମା’ କଥା ସରିଛି କି ନାହିଁ ସେର ଦଉଡି ଆସି ବାଉଁଶଟିକୁ ଦେଲା ବୁଲେଇ । ଏଣ୍ଟିନା ଏଥର ତଳ ମୁହାଁ ହୋଇ ବୁଲି ଗଲା । ବୁଢୀମା ପୁଣି ପାଟି କରି କହିଲା, “ଆରେ କଣ କଲୁ ଯାହାବି ଝିଲିମିଲି ଦିଶୁଥିଲା ଏବେ କିଛି ଦିଶୁନି” । ସେର ପୁଣି ବାଉଁଶ ମୋଡିଲା । ମୋଡୁ ମୋଡୁ ବାଉଁଶ ତଳେ ପଡି ଏଣ୍ଟିନା ଦି ଖଣ୍ଡ ହୋଇଗଲା । କୋଉଠି ଥିଲା ସେର ମା’ ଆସି ସେର ପିଠିରେ ଦି ପାହାର ଦୁଲ୍ ଦୁଲ୍ କରି କଷିଦେଲା । ସେର ଭେଁ କରି କାନ୍ଦି ଉଠିଲା । କାନ୍ଦ ଶୁଣି ପଞ୍ଚାର ନିଦ ଭାଙ୍ଗିଗଲା । ଖଟିଆରୁ ଉଠି ଦଉଡି ଆସିଲା । ସେରକୁ କୁଣ୍ଢେଇ ଧରି ପଚାରିଲା କାହିଁକି କାନ୍ଦୁଛୁ । ବୁଢୀମା’ ବଙ୍କୁଲି ବାଡିଟିକୁ ଠକ ଠକ କରି ଆସି ପହଁଞ୍ଚିଲା, କହିଲା, “ଝିଅକୁ କଣ ପିଟିଲେ ହବ, ଛୋଟ ଛୁଆ କ’ଣ ଜାଣିଛି, ତା’କୁ ବୁଝା ସୁଝା ସିନା କରିବ” । ପଞ୍ଚାକୁ ବୁଝିବାକୁ ଆଉ ବାକି ରହିଲାନି ଯେ ସେର ମା’ର ଏ କରମ ବୋଲି । ସେର ମା’କୁ ଯାଇ ହାକ ମାତି କଲା । ସେର ମା’ କିଛି ବି କହିଲାନି । ରାଗରେ ସିନା ଦୁଇ ପାହାର ଦେଇଛି, ହେଲେ ତା’ ମନଟା ବି ଖରାପ । ଛଅଟା ନା ନଅଟା ଗୋଟିଏ ବୋଲି ଝିଅ । ବଡ ଗେହ୍ଲବସର ରେ ତା’କୁ ବଢେଇଛି । ଏଣ୍ଟିନା ଖଣ୍ଡ ଗୁଡାକୁ ହାତରେ ଗୋଟାଇ ଘର ଭିତରକୁ ଚାଲିଗଲା ।


ସେର ସୁକୁସୁକୁ ହୋଇ କାନ୍ଦୁଥିଲା । ପଞ୍ଚା ଝିଅକୁ ଧରି ଦାଣ୍ଡ ପଟେ ଚାଲିଗଲା କେତେ ମନ ଭୁଲାଣିଆ କଥା କହି । ବୁଢ଼ୀ ଯାଇ ଖଟରେ ବସିଲା । ଟିଭି ଟା ଆଡେ ଚାହିଁଲା, ଝିଲ ମିଲ ଦିଶୁଥିଲା ଟିଭିଟା । ଖଟରୁ ଉଠି ସୁଇଚ୍ ଟିକୁ ଟିପିଦେଲା । ଘର ବାହାରକୁ ଆସି ଦାଣ୍ଡ ପଟେ ବାହାରିଲା । ଦେଖିଲା ପଞ୍ଚା ଦାଣ୍ଡପଟେ ପଡିଥିବା ବଡ ବେଞ୍ଚଟା ଉପରେ କାନ୍ଥକୁ ପିଠି ଡେରି ବସିଛି । ୟାରି ଭିତରେ ଡଲି ଭାଉଜ ସେରକୁ ନେଇ ତାଙ୍କ ଘର ଆଡେ ଚାଲି ଗଲାଣି । ବୁଢୀ ପଞ୍ଚାକୁ କହିଲା ଜଗା ସାହୁ ଘରକୁ ଯାଇ ଲମ୍ବା ବାଉଁଶଟେ ଆଣିବାକୁ । କେତକି ଆସି ପଚାରିଲା, ସେର କୁଆଡେ ଗଲା ?


କେତକି ସେରର ସାଙ୍ଗ । ବିଦିଆ ସାହୁର ଝିଅ । ଭାରି ଚତୁରି । ସେର ସାଙ୍ଗରେ ମାସେ ସାନ ବଡ । ତା’ ଜନମ ବେଳେ ବିଦିଆ ବଡ ହନ୍ତସନ୍ତ ହୋଇଥିଲା । ଧାଈମା ସାହାଯ୍ୟରେ ପାଖ ଅଧରବଙ୍କା ଡାକ୍ତରଖାନାକୁ କେତକି ମା’କୁ ନେଇ ଯାଇଥିଲା । ସେଇଠି କେତକି ଜନମ । ଗାଁ ଠାକୁରାଣୀ ପାଖେ ମନାସିଥିଲା ଯେ ଖିରି ପୁରୀ ଦେଇ ସନ୍ତୁଷ୍ଟ କଲା ଏକୋଇଶଟାରେ ଗାଁଆ ଯାକ ଲୋକଙ୍କୁ । କେତକିକୁ ବୁଢୀମା’ ଥଟ୍ଟାରେ କେତେ କଥା କହିଲା, ସେ ବି ଛାଡିବାର ପିଲା ନଥିଲା । ତା’ଙ୍କ କଥା ଶୁଣି ପଞ୍ଚା ହସି ହସି ଘର ଭିତରକୁ ଚାଲିଗଲା । କେତକି ପାଖ ଘରେ ସେରର ପାଟି ଶୁଣି ସେର ସେର ବୋଲି ଡାକ ଛାଡି ଚାଲିଗଲା । ପଞ୍ଚା ଷେଣ୍ଢ ଗଞ୍ଜିଟିକୁ ଗଳେଇ ଗାମୁଛାଟିକୁ କାନ୍ଧରେ ପକାଇ କହ୍ନେଇ ଦୋକାନ ଆଡେ ଚାଲାଲା । ଦାମ, ବରଜୁ, ଦନେଇ ସଭିଏଁ ସେଇଠି ଥିବେ । ସେଇଠି ପଡିବ ଗାଁ ଯାକର କଥା । ବରଗଛ ମୂଳ ମଣ୍ଡପରେ ପଡିବ ତାସ ପାଳି । ସଞ୍ଜ ହେଲେ ସଭିଏଁ ରୁଣ୍ଡ ହେବେ ଭାଗବତ ଟୁଙ୍ଗିରେ । ବିଷ୍ଣୁଦାସ ପଢିବେ ଭାଗବତ । ମଝିରେ ମଝିରେ ସମସ୍ତ ହରିବୋଲ ଦେବେ । ଭାଗବତ ଟୁଙ୍ଗି କମ୍ପି ଉଠିବ । ତା ପରେ ସମସ୍ତେ ଭୋଗ ଖାଇ ଘରକୁ ଫେରିବେ ।


ପଞ୍ଚା ବି ସେଦିନ ଭୋଗ ଖାଇ ସଅଳ ଫେରୁଥିଲା । ବାଟରେ ସୁର ମାଷ୍ଟ୍ରେ ଦେଖା ହେଲେ । ସୁର ମାଷ୍ଟ୍ରେ ଚାକିରି ଅବସର ପରେ ତାଙ୍କ ସ୍ତ୍ରୀ ସହ ଏବେ ପୁଅ ପାଖରେ । ପୁଅ ବୋହୁ କଟକରେ ରହନ୍ତି । ପୁଅ ଜଣେ ବଡ ହାକିମ । ଗୋଟିଏ ବୋଲି ଝିଅ । ଭଲ ଘର ଦେଖି ବାହା ଦେଇଛନ୍ତି । ଝିଅ ଜୋଇଁ ଏବେ ବିଦେଶରେ । ସୁର ମାଷ୍ଟ୍ରେ ବେଳେ ବେଳେ ଗାଁକୁ ଆସନ୍ତି । ସବୁଲୋକଙ୍କ ସହ ଦୁଃଖସୁଖ ହୁଅନ୍ତି । ପଞ୍ଚାକୁ ଦେଖି ପଚାରିଲେ “ଆଉ ସବୁ ଭଲ ତ” ? ସେ କହିଲା , “ହଁ ଆଜ୍ଞା, ସବୁ ଭଲ ଯେ,ଏସନ ତ ବରଷା ନାହିଁ । ବାସୁକି ମା ଫାଟି ଗଲାଣି । ଇନ୍ଦିର ରାଜା ରୋଷ କରିଛନ୍ତି । ସଙ୍ଘିଆ ବନ୍ଧରେ ବି ପାଣି ନାହିଁ । କେନାଲ ବି ଶୁଖିଯାଇଛି । ଗଲା ସନ ବରଷା ହେଲା ବୋଲି ମୂଲକ ମିଳିଲା । ଏ ବରଷ କ’ଣ ହବ କିଏ ଜାଣେ । ମାଷ୍ଟ୍ରେ କହିଲେ “ବଙ୍ଗୋପସାଗରରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇଛି । ତା’ର ପ୍ରଭାବରେ ବାତ୍ୟା ହେବାର ସୂଚନା ଅଛି । ବହୁତ ବର୍ଷା ହୋଇପାରେ” । ଝିଅ କଥା ପଚାରି ସେ ଚାଲିଗଲେ । ପଞ୍ଚା ଘରକୁ ଫେରିଲା । ସେର ମା ଅଟା ଚକଟୁଥିଲା । ପଞ୍ଚା କହିଲା “ସୁର ମାଷ୍ଟ୍ରେ ଦେଖା ହେଇଥିଲେ, ଆମ ସେର କଥା ପଚାରୁଥିଲେ । କାଲି ପୁଣି କଟକ ଚାଲିଯିବେ। ଦିନେ ଦୁଇଦିନ ପରେ ବାତ୍ୟା ଆଶଙ୍କା ଅଛି, ହେଲେ ଉପର ମୁହାଣରେ ବରଷା ହବ” । ସେର ମା’ କହିଲା କାଲି ହାଟ ପାଳି ଅଛି, ସଉଦା ସରି ଗଲାଣି । ବରଷା ହେଲେ ବାହାରକୁ ଯାଇ ହବନି” ।


ପର ଦିନ ସକାଳୁ ପଞ୍ଚା ନିତି ଦିନିଆ କାମ ସାରି ବିଲକୁ ଗଲା । ସେଦିନ ସଅଳ ଫେରିଲା । ଉପର ଓଳି ହାଟକୁ ବାହାରିଲା । ସେର ମା’କୁ ପଇସା ମାଗି ଅଣ୍ଟିରେ ଖୋସିଲା । ସଙ୍ଘା ଉପରୁ ଚପଲ ହଳକ କାଢି ପିନ୍ଧିଲା । ଛତାଟିକୁ କାଖରେ ଜାକି ହାଟ ମୁହାଁ ହେଲା । ସଞ୍ଜ ନଇଁ ଯିବା ଆଗରୁ ଫେରି ଆସିଲା । ସେର ଦଉଡି ଆସି ତା’ ହାତରୁ ବ୍ୟାଗ୍ ଟି ନେଇଗଲା । ପଞ୍ଚା ଯେବେ ବି ହାଟ ସଉଦା କରି ଆସେ, ସେର ସେମିତି ହି ତା’ ଆସିବା ବାଟକୁ ଚାହିଁଥାଏ । ସେର ପାଇଁ କିଛି ନା କିଛି ସେ ନେଇ କି ଆସିଥାଏ ହାଟରୁ ।

ଏହା ଭିତରେ ତିନିଦିନ ବିତିଗଲା । ଦିନେ ସନ୍ଧ୍ୟାରେ ହଠାତ ଚାରିଆଡେ କଳା ବାଦଲ ଛାଇଗଲା । ଆକାଶରେ ମେଘମାଳ ପହଁରିବାକୁ ଲାଗିଲେ । ଅଳ୍ପ ଅଳ୍ପ ବର୍ଷା ହେଉଥାଏ, ପୁଣି ଛାଡି ଯାଉଥାଏ । ଏମିତି ଦୁଇଦିନ ଚାଲିଲା । ଉପର ମୁହାଣରେ ବର୍ଷା ଯୋଗୁ ପାଖ ଅରଡେଇ ନଈର ଜଳ ସ୍ତର ବଢିବାରେ ଲାଗିଥାଏ । ଦିନରେ ସେଦିନ ବର୍ଷା ହେଉ ନଥାଏ । ସେର ସାଙ୍ଘିଆ ବନ୍ଧ ଉପରେ ଯାଇ ଛିଡା ହୋଇଥିଲା । ସେ ଆଗରୁ କେବେ ନଈରେ ଏତେ ପାଣି ଦେଖି ନଥିଲା । ସାଙ୍ଘିଆ ବନ୍ଧ ଉପର ଦେଇ ପାଣି ଉଛୁଳିବା ଉପରେ । ବନ୍ଧ ଉପରୁ ଗାଁ ତା’ର ପୁରା ଦେଖା ଯାଉଥିଲା । ଅନୁଭବ କଲା ପାଣି ଯଦି ଉଛୁଳେ ଗାଁ ଭିତରେ ପଶିଯିବ । ବନ୍ଧ ଯଦି ଭାଙ୍ଗିଯାଏ ପୁରା ଗାଁ ତା’ର ଭାସିଯିବ । ହଠାତ ଡାକ ପକାଇଲା । “ସମସ୍ତେ ସନ୍ତେଭଞ୍ଜ ହୁଡି ଉପରକୁ ଚାଲିଯାଅ । ଚାଲିଯାଅ ସାଙ୍ଘିଆ ବନ୍ଧ ଭାଙ୍ଗିଯିବ” । ଗାଁ ଭିତରକୁ ପାଟିକରି ଦଉଡିଲା । କିଛି ଲୋକ ତା’କଥାକୁ ଦ ହରାଇବାକୁ ଲାଗିଲେ । ପ୍ରାୟ ସବୁ ଲୋକ ନିଜ ନିଜର ଧନ ସମ୍ପତି ଧରି ହୁଡି ଉପରକୁ ଚାଲିଗଲେ । କିନ୍ତୁ ସେରକୁ ସେଇଠି ଖୋଜା ପଡିଲା । ଯିଏ ସମସ୍ତଙ୍କୁ ବିପଦ ମୁହଁରୁ ହୁଡି ଉପରକୁ ଆଣିଲା । ସେ କୁଆଡେ ଗଲା । ସମସ୍ତେ ଚୁପ ରହି ଯାଇଥିଲେ । ସେର ମା’ କାନ୍ଦୁଥିଲା । ପଞ୍ଚା ବି ଭାଙ୍ଗି ପଡିଥିଲା । କେହି ଜଣେ କହୁଥିଲା ସେ କାଳେ ବାଉଁଶ ଖଣ୍ଡେ ଧରି ପଛେ ପଛେ ଆସୁଥିଲା । ଏପଟେ ସଞ୍ଜ ନଇଁବାକୁ ବସିଥାଏ । କାହାର ସାହାସ ନ ଥାଏ ସେରକୁ ଯାଇ ଗାଁ ଭିତରୁ ଆଣିବାକୁ ।


ରାତି ପାହି ସକାଳ ହେଲା । ଧିରେ ଧିରେ ବନ୍ଧର ଜଳ ସ୍ତର କମିବାରେ ଲାଗୁଥିଲା । ଉପରବେଳା କିଛି ଲୋକ ହୁଡି ଉପରୁ ଓହ୍ଲାଇ ଗାଁ ଆଡକୁ ଚାଲିଲେ । ସଙ୍ଗରେ ପଞ୍ଚା ବି ଥିଲା । କେନାଲ ଉପରେ ଜୋର ରେ ପାଣି ଚାଲିଥାଏ । ସେମାନେ କେନାଲ ବନ୍ଧରେ ଚାଲୁଥାନ୍ତି । ସାଙ୍ଘିଆ ବନ୍ଧ ଉପରେ କେହି ଜଣେ ଠେଙ୍ଗା ଖଣ୍ଡେ ଧରି ଛିଡା ହବାର ଦେଖା ଯାଉଥିଲା । ପଞ୍ଚା ସେର ସେର ବୋଲି ଡାକ ପକାଇ ଦଉଡିବାରେ ଲାଗିଲା । ପାଖରେ ପହଁଞ୍ଚି ଦେଖିଲା ସେର ଛିଡା ହୋଇଛି । ହାତରେ ତା’ର ଭଙ୍ଗା ବାଉଁଶ, ଯେଉଁଥିରେ ଏଣ୍ଟିନା ବନ୍ଧା ହେଉଥିଲା । ସେରକୁ କୁଣ୍ଢାଇ ଧରି କାନ୍ଦି ପକାଇଲା ପଞ୍ଚା । ସେର ରାତିସାରା ବନ୍ଧ ଉପରେ ଛିଡା ହୋଇଥିଲା । ଖଣ୍ଡିଆ ବାଉଁଶକୁ ଭାରା କରି ସୁଇସ୍ ଗେଟକୁ ଖୋଲିବାକୁ ଚେଷ୍ଟା ଚଳେଇଥିଲା । ପାଣି ତା’କୁ ଠେଲି ଦେବା ଭୟରେ ବାଉଁଶର ସାହାରା ନେଇଥିଲା । ଶେଷରେ ସୁଇସ୍ ଗେଟ ଧିରେ ଧିରେ ଖୋଲିଥିଲା । ସୁଇସ ଗେଟରୁ ପାଣି କେନାଲ ମୁହାଁ ହୋଇ ଚାଷ ଜମିକୁ ମାଡି ଯାଇଥିଲା । ବନ୍ଧର ଜଳସ୍ତର କମିବାରେ ଲାଗିଥିଲା । ବନ୍ଧ ଭାଙ୍ଗିଥିଲେ ଗାଁ ତା’ର ଭାସି ଯାଇଥାନ୍ତା । ଏହା ଭିତରେ କେତେ ଜଣେ ଯାଇ ଲୋକଙ୍କୁ ହୁଡି ଉପରୁ ଗାଁ ଭିତରକୁ ଆସିବାକୁ କହିଥିଲେ । ଧିରେ ଧିରେ ଲୋକମାନେ ଗାଁକୁ ଫେରୁଥିଲେ । ସେର ବନ୍ଧ ଉପରେ ଥାଇ ଦେଖୁଥିଲା, ଗାଁ ତା’ର ହସୁଥିଲା । 



Rate this content
Log in

Similar oriya story from Tragedy