Prasanta K Mahakud

Inspirational Others

4.0  

Prasanta K Mahakud

Inspirational Others

ଜାମିନଦାର୍

ଜାମିନଦାର୍

3 mins
249


ନଟ । ନଟିଆ । ନଟବର ପଧାନ । ଗାଁ ପଧାନ । ଘର ପଛ ପଟକୁ ଲାଗି ବିରାଟ ଖଳା । ପଛ ବାରଣ୍ଡାରେ ଗୋଟେ ବଡ ଦଉଡିଆ ଖଟ । ହାତ ଥିବା ବାଲା ଗୋଟେ ବଡ ଚେୟାରଟିଏ ପଡିଥାଏ । ସେଇଠି ଦିନ ଯାକ ବସି ଥା’ନ୍ତି ପଧାନେ । ଖଟ ଉପରେ କେତେବେଳେ ଗଡପଡ ହୁଅନ୍ତି । ମୁଗ, ବିରି କୋଳଥ, ମାଣ୍ଡିଆ, ଗହମ, ବାଜରା, ଧାନ ସବୁ ଆସେ ଏହି ଖଳାକୁ । ମୂଲିଆ, ମଜୁରିଆଙ୍କର ଭିଡ ସାଙ୍ଗକୁ ବ୍ୟାପାରୀ ମାନଙ୍କର ଭିଡ ଲାଗେ ବର୍ଷ ଜାକ । ବ୍ୟାପାରୀ ମାନେ ଅମଳ ନ ହଉଣୁ ଆସି ଭିଡ ଜମାନ୍ତି । କେହି କେହି ଆଗୁଆ ନଗଦ ଟଙ୍କା ଦେଇ ଯା’ନ୍ତି । ଏସବୁ ପରେ ବି ଏ ବରଷର ଅମଳ ଆର ବରଷକୁ ରହିଯାଏ । ସେ ସବୁ ମୂଲ ମଜୁରୀରେ କିଛି ଯାଏ । ତଥାପି ବଳିଯାଏ ।

ଘରେ ଆଉ କିଏ । ଘରେ ଲୋକ କହିଲେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ । ଦୁଇ ପୁଅ ବାହାରେ ପାଠ ପଢୁଥିଲେ । ଏବେ ଆଉ ସେ ପଧାନ ଗିରି ନାହିଁ । ପୁଅ ମାନେ ଚାକିରୀ କରି ବାହାରେ । ଜମିବାଡି କିଛି ବିକ୍ରି ବଟା କରି ପୁଅ ମାନେ ଭାଗ ନେଇ ଗଲେଣି । ସହରରେ ଘରଦ୍ଵାର କରି ରହିଲେଣି । ଗାଁକୁ ଆସିବାକୁ ଆଉ ମନ ବଳଉ ନାହାନ୍ତି । ସହରରେ ସବୁ ସୁବିଧା । ସହର ସହ ଯୋଡି ହୋଇଯିବାର ଆଗ୍ରହ ଏବେ ବଢି ଗଲାଣି । ବୋହୂ ମାନେ ଗୋଟିଏ ଓଳି ବି ଗାଁରେ ରହିବାକୁ ପସନ୍ଦ କରୁ ନାହାନ୍ତି । ଗାଁକୁ ନ ଆସିବାକୁ ନାନାଦି ବାହାନା । ବଛାବଛା ଅଳ୍ପ କେଇଟା ଚାଷ ଜମିକୁ ଛାଡି ଦେଲେ ଆଉ ସବୁ ଭାଗ ଚାଷୀଙ୍କ ହାତରେ । ଭାଗ ଚାଷରେ ବି ଯାହା ମିଳେ ବର୍ଷ ଯାକର ଗୁଜୁରାଣ ମେଣ୍ଟି ଯାଏ । ଆଗ ଭଳିଆ ମୂଲିଆ ମଜୁରିଆ ବି ଆସୁ ନାହାନ୍ତି । ଦୁଇ ତିନି ଦିନ ସେମାନଙ୍କ ଦୂଆରକୁ ନ ଗଲେ ଆସନ୍ତିନି ।

ବୟସ ବି ବଢିଗଲାଣି । ନିଜେ ସବୁ ଦେଖାଶୁଣା କରିବା କଷ୍ଟ ହେଲାଣି । ଚାଷରୁ ସିନା ଡାଲି ମୁଠେ ଚାଉଳ ଦୁଇ ମୁଠା ମିଳିଯିବ ହେଲେ ତେଲ ଲୁଣ ପାଇଁ ତ’ ପଇସା ଟିଏ ଦରକାର । ସେଇଥି ପାଇଁ ପଧାନେ ବାହାରି ପଡନ୍ତି ସକାଳୁ ଗାଧୁଆ, ପାଧୁଆ ସାରି । ପଖାଳ କଂସେ ଖାଆନ୍ତି । ପୁରୁଣା ହରକୁଲେସ୍ ସାଇକେଲ ଟିକୁ ଧରି ସିଧା କଚେରି ମୁହାଁ । ବାଟରେ ପଡେ ଖନା ପାନ ଦୋକାନ । ସବୁଦିନ ଦୁଇଖଣ୍ଡ ପାନ ଆଗୁଆ ଭାଙ୍ଗି ରଖିଥାଏ । ସାଇକେଲ ଛିଡା କରୁ କରୁ ଖନା ଆଣି ହାତରେ ଧରେଇ ଦିଏ । ଖରା, ବରଷା, ଶୀତ କାକର କ’ଣ ସବୁ ଦିନ ସାଇକେଲରେ ଛତା ଆଉ ଖଣ୍ଡେ କପଡା ବ୍ୟାଗ୍ ଟଙ୍ଗା ହୋଇଥାଏ । ବ୍ୟାଗ୍ ଭିତରେ ଥାଏ କିଛି ପଟା, ପାଉତି ଆଉ ନଥି ପତ୍ର । କୋର୍ଟ ପରିସରରେ ବଡ ବରଗଛ । କାହିଁ କେତେ କାଳରୁ ସେ ବର ଗଛ । ବର ଗଛକୁ ଲାଗି ବଡ ସିମେଣ୍ଟର ଚାନ୍ଦିନି । ସେଇ ଚାନ୍ଦିନି ଉପରେ ଦିନଟି କଟେ । ପାଖକୁ ଲାଗି ରମାର ଚା ଦୋକାନ । ତା’ ଚା ଦୋକାନ ବି କଉ ସମୟର । ତା’ ବାପା ପ୍ରଥମେ ଚା ବିକୁଥିଲା । ଏବେ ରମା ତା’କୁ ସମ୍ଭାଳେ । ଭଲ ଭିଡ ଜମେ ସେଇଠି । ବିକ୍ରିବଟା ଭଲ ହୁଏ । ତା’ ଚା ପିଇବାକୁ ପାଖ ଅଫିସରୁ ବି ଲୋକ ଆସନ୍ତି । କେତେ ଲୋକଙ୍କର ଆଡା ବି ଜମେ । ପଧାନେ ପହଞ୍ଚୁ ପହଞ୍ଚୁ ରମା ଜୁହାର ଟିଏ ପକାଇ ଡାକ ଦିଏ “ଅଜା ଆସ ଆସ ଚା ନିଅ” । ଯେତେ ଯାଚିଲେ ବି କେବେ ପଇସା ଟିଏ ନିଏନି ତା’ ନଟ ଅଜା ପାଖରୁ ।

କିଏ ତା’ଙ୍କୁ ଡାକେ ନଟ ଦାଦା, ନଟ ମଉସା, ପୁଣି କାହାର ସେ ନଟ ଅଜା । କୋର୍ଟ ପରିସରରେ କିନ୍ତୁ ସମସ୍ତେ ଜାଣନ୍ତି ନଟିଆ ଜାମିନଦାର । କେବେ କାହାର ଜାମିନ ମିଳିବାକୁ ହେଲେ ଖୋଜା ପଡେ ତା’ଙ୍କୁ । ଡେଙ୍ଗା, ଲମ୍ବା ଚେହେରା, ମୁଣ୍ଡବାଳ, ନିଶ ତକ ସବୁ ଧଳା । ଧୋତି ଆଉ ପଞ୍ଜାବୀ । ଉପରେ ହାପ କୋଟ । ଆଗର ଆଉ ସେ ହସ ହସ ମୁହଁ ନାହିଁ । ପଟ୍ଟା ଦେଖାଇ ଜାମିନ କରାଇ ଦିଅନ୍ତି । ଦୁଇ ଚାରି ଶହ ନେଇ ସଞ୍ଜ ଆଗରୁ ଘରକୁ ଫେରନ୍ତି ।

ରମା ସହ ସବୁ ସୁଖ ଦୁଃଖ ହୋଇ ମନଟା ହାଲକା କରନ୍ତି । ବେଳେ ବେଳେ ରମା ବିସ୍କୁଟ କିମ୍ବା କେକ୍ ଜରିରେ ଗୋଡାଇ ପଧାନଙ୍କ ହାତକୁ ବଢାଇ ଦେଇ କହେ ଆଈକୁ ଦେଇ ଦବ । ସେଦିନ କିନ୍ତୁ ଯିବା ବେଳକୁ ପଧାନ କହିଥିଲେ ରମାରେ ଆଜି ମୋର ଶେଷ ଦିନ । ଆଉ ଆସିପାରିବିନି । ରମା ମଜାରେ କହିଥିଲା କ’ଣ ରିଟାୟାର୍ଡ ହୋଇ ଯିବ ନା କ’ଣ । ପଧାନେ କହିଲେ “ନା’ରେ ଆଉ ଦେହ ଟା ଭଲ ରହୁନି । କେତେ ବେଳେ କ’ଣ ହବ କିଏ କହିବ? ବେଳେ ବେଳେ ଘର ଆଡେ ଯିବୁ ତୋ ଆଈକୁ ଦେଖି ଆସୁଥିବୁ” । ରମା କହିଲା “କାହିଁ ଏମିତି କହୁଛ ଯେ ଅଜା କିଛି ହେବନି”। ତା’ ପର ଦିନ ଠାରୁ ନଟିଆ ଜାମିନଦାରଙ୍କୁ କେହି ସେ ବରଗଛ କ’ଣ କୋର୍ଟ ପରିସରରେ ଦେଖି ନାହାନ୍ତି । ରମା ଖବର ନେଇ ଜାଣିଲା ଅଜା ଏବେ ଶଯ୍ୟା ଶାୟୀ । ତା’ଙ୍କ ପରେ ଆଉ କୋର୍ଟ ପରିସରରେ କେହି ସେମିତି କାମ କରିବା ନଜରକୁ ମିଳିନି । ଏବେ ଯେଉଁଠି ଭାଇ, ବନ୍ଧୁ କୁଟୁମ୍ବ ଆଗେଇ ଆସୁ ନାହାନ୍ତି ସେଇଠି ନଟିଆ ଜାମିନଦାରଙ୍କ ଭଳିଆ ଲୋକ ତ’ ଦୁର୍ଲଭ । ବୟସର ଅପରାହ୍ନ ସିନା ତା’ଙ୍କୁ ଦୂରେଇ ଦେଲା କିନ୍ତୁ ଓକିଲ, ମହକିଲ ସମସ୍ତଙ୍କ ଠାରେ ଛାଡି ଯାଇଥିଲେ ସ୍ମୃତିର ଛିଟା । ଯାହାର ମୂକ ସାକ୍ଷୀ ସେଇ ବରଗଛ ଏବେ ବି ରହିଛି ।



Rate this content
Log in

Similar oriya story from Inspirational