Prasanta K Mahakud

Inspirational Others Children

3.3  

Prasanta K Mahakud

Inspirational Others Children

ମାଟିଶ୍ରେଣୀ

ମାଟିଶ୍ରେଣୀ

5 mins
39


ସେଦିନ ଭାଇ ଦେଖାଇ ଦେଇ କହିଲା, “ନେ ଧର ତୋ ବସ୍ତାନି , ସେଇଟା ପ୍ରଥମ ଶ୍ରେଣୀ, ଯା ତୋ ଶ୍ରେଣୀ ଭିତରେ ବସ୍ତାନି ରଖି ଦେବୁ । ପ୍ରାର୍ଥନା ଘଣ୍ଟା ବାଜିଲେ ଆସିବୁ ଏଇଠି ପ୍ରାର୍ଥନା ହେବ ।” ମୁ ବସ୍ତାନି ଧରିଲି । ସିମେଣ୍ଟ୍ ବସ୍ତାରେ ଦରଜି ପାଖରେ ସିଲେଇ ହୋଇ ଥିଲା ବ୍ୟାଗଟି । ତା’ ଭିତରେ ଥିଲା ଗୋଟେ ମାଟି ସିଲଟ, ଅଧା ଛିଣ୍ଡା ବର୍ଣ୍ଣବୋଧ ବହି ଖଣ୍ଡେ, ଦୁଇ ଚାରି ଖଣ୍ଡ ଖଡି, ଗୋଟେ ଷ୍ଟିଲ ଥାଳିଆ, ଆଉ ଗୋଟେ କାଗଜ ପୁଡିଆ ।

ବସ୍ତାନି ରଖିଲା ବେଳକୁ ଘଣ୍ଟା ବାଜି ଉଠିଲା । ଅନ୍ୟ ମାନଙ୍କ ଭଳି ମୁଁ ବି ଯାଇ ପ୍ରାର୍ଥନା ସଭାରେ । ସମସ୍ତେ ଅର୍ଧବୃତ୍ତାକାରରେ ଛିଡା ହେଉଥିଲେ । ମୁଁ ଯାଇ ଛିଡା ହେଲି । ସମସ୍ତଙ୍କ ସହ ମୁଁ ବି ପାଳିଧରି ବୋଲିଲି “ ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟାବହି ମୋର ଗୁହାରି ...” । ପ୍ରାର୍ଥନା ସରିଲା, ଦେଖିଲି ସମସ୍ତେ ତଳକୁ ଛୁଇଁ ଜୁହାର ହେଉଛନ୍ତି । ମୁଁ ଜୁହାର ହେଲି । ଦୂରରୁ ଦେଖିଲି ଜଣେ ସାର ମୋତେ ଲକ୍ଷ୍ୟ କରୁଛନ୍ତି । ମୁଁ କିଛି ଭାବିବା ପୂର୍ବରୁ ସେ ଆସି ମୋ ପାଖରେ । ଧବ ଫର ଫର ଧୋତି ଆଉ ପଞ୍ଜାବୀ, ପୂରା ଗୋରା ଚେହେରା । ମୋତେ କହିଲେ “ହଇରେ ଆଉ ଥରେ ଜୁହାର କଲୁ ।” ମୁଁ ପୁଣି ତଳକୁ ନଇଁ ଜୁହାର କଲି । “ତୁ ତୋ ପାଦକୁ ଛୁଇଁ କଣ ଜୁହାର ହଉଚୁ, ମା ମାଟିକୁ ଛୁଇଁ ଜୁହାର କର ।” ମୋତେ କହିବାରୁ ମୁଁ ପୁଣି ମାଟିକୁ ଛୁଇଁ ଜୁହାର ହେଲି । ଆଉ କାନ ଧରିବାକୁ କହିଲେ । ମୁଁ ସେମିତି କାନ ଧରି ଛିଡା ହେଇଥିଲି । କେହି ଜଣେ ଉପର ଶ୍ରେଣୀର ପିଲା ଆସି ପ୍ରାର୍ଥନା ସଭାରେ ପଛକୁ ହାତ କରି ଛିଡାହେଲେ । ଜାହା ଜଣା ପଡୁଥିଲା ସେ କଣ ଗୋଟେ ଲୁଚେଇ ଧରିଥିଲେ । ସେ କହିଲେ “ଆଜିକାର ବାଳସଭାରେ କାହାର ଗୋଟେ ପେନ ହଜିଛି ।” କେହିଜଣେ ସଭା ଭିତରୁ ମୋର କହି ହାତ ଟେକିଲେ । ତା’କୁ ଡାକି ପଚାରାଗଲା, କେଉଁ ରଙ୍ଗର... ଆଉ କିଛି ପ୍ରଶ୍ନ ମୋର ସଠିକ ମନେ ପଡୁନି । ସେ ତା’ ପେନ ନେଇ ଚାଲିଗଲା । ମୁଁ ସେମିତି କାନ ଧରି ଛିଡା ହୋଇଥିଲି । କିଛି ସମୟ ପରେ ଯିବାକୁ ଅନୁମତି ଦେଲେ ।

ପରେ ପରେ ଜାଣିଲି ସେ ଆମ ହେଡସାର୍, ଶ୍ରୀଯୁକ୍ତ ନାଗେଶ୍ୱର ସାହୁ । ସେହି ଟିକିଏ ଶିକ୍ଷା ଏବେ ଯାଏ ମୋ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶବିଶେଷ ପାଲଟି ଗଲା । ମୁଁ ସିଧା ପ୍ରଥମ ଶ୍ରେଣୀ ଭିତରକୁ ଗଲି । ଦେଖିଲି ମୋ ବସ୍ତାନି କିଏ ଘୁଞ୍ଚେଇ ଦେଇଛି ଯଉ ଜାଗାରେ ମୁଁ ରଖିଥିଲି । ମୁଁ ଚୁପଚାପ ଯାଇ ବସି ପଡିଲି । କେହି ଜଣେ ଆସି କହିଲା ତୋର ଏହି ସେକସନ ନାହିଁ । ହାତ ଦେଖାଇ ଦେଇ କହିଲା ଯା’ ସେହି ମାଟି ଶ୍ରେଣୀରେ ବସିବୁ । ମୁଁ ବସ୍ତାନି ଧରି ମାଟି ଶ୍ରେଣୀ ଆଡେ ଚାଲିଲି ।

ମାଟି ଶ୍ରେଣୀ, ଦୁଇ ବଖରା ଖପର ଛାଉଁଣି ଘର, ମାଟି କାନ୍ଥକୁ ଗୋବର ଲିପା ଚଟାଣ । ଡେଇଁ ପାରି ହେଲା ଭଳି ଏରୁଣ୍ଡି ବନ୍ଧ ଉପରେ ଦର ଆଉଜା କବାଟ । ମାଟି ଶ୍ରେଣୀକୁ ଲାଗି ଆର ବଖରାରୁ ଧୁଆଁ ବାହାରୁ ଥାଏ, ସେଇଟା ରୋଷେଇ ଘର । ଭିତରେ କେହି ଜଣେ ଥିବାର ଜଣା ପଡୁଥାଏ । ମୁଁ ଆଉ ସେପଟେ ଧ୍ୟାନ ନ ଦେଇ ଶ୍ରେଣୀ ମୁହାଁ ହେଲି ।

ଦୁଆର ମୂହଁରେ ଦେଖିଲି ଅନ୍ନପୂର୍ଣ୍ଣା ଦିଦି ବସିଥିଲେ । ମୁଁ ତାଙ୍କ ପାଦ ଛୁଇଁ ଜୁହାର ହେଲି । ଦିଦି ହସି ଦେଇ କହିଲେ ଆରେ ତୁ ସ୍କୁଲ ଆସିଲୁଣି । ମୁଁ ତଳକୁ ମୁହଁ କଲି ଜାଣିନି ଲାଜରେ କି ଡରରେ । ଦିଦିଙ୍କର ଆମ ଘରକୁ ବେସ ସମୟ ଯିବା ଆସିବାରେ ମୋତେ ଜାଣିଥିଲେ । ହାତ ବଢେଇ ଦେଇ କହିଲେ ସେଇଠି ବସ୍ । ସିଲଟ ଖଡି ବାହାର କରିବାକୁ କହିଲେ । ମୋ ହାତ ଧରି ଏକ ଗୋଲ ବୁଲେଇ ଦେଇ କହିଲେ ଏ ଜହ୍ନମାମୁଁ । ତା’ ଉପରେ ମୁଁ ଖଡି ଧରି ମଡେଇବାକୁ ଲାଗିଲି ।

କେଇ ଘଣ୍ଟା ପରେ ଘଣ୍ଟି ବାଜିଲା । ଶ୍ରେଣୀ ଭିତରୁ ବାହାରି ସମସ୍ତେ ଦଉଡିବାରେ ଲାଗିଲେ । କିଛି ପିଲା କନିଅର ଗଛ ଆଡେ ଚାଲିଲେ । ମୁଁ ବି ପଛେ ପଛେ ଚାଲିଲି । ସ୍କୁଲ୍ ସାମ୍ନାରେ ଧାଡି ଧାଡି କନିଅର ଗଛ । ପିଲାଏ ଏଇଠି ଡାଳ ମାଙ୍କଡି ଖେଳନ୍ତି । ତା’କୁ ଲାଗି ମାହାରିଆ । ସେଇଠି ଆମର ପରିସ୍ରାଗାର । ପରିଶ୍ରା କରି ଫେରୁ ଥାଏ । ଦେଖିଲି କିଛି ପିଲା ପିଜୁଳି ଗଛମୂଳେ ରୁଣ୍ଡ ହେଇଛନ୍ତି । ପାଖକୁ ଯାଇ ଅନେଇ ରହିଲି । ସେମାନଙ୍କ ଭିତରୁ କେଇ ଜଣ ପିଜୁଳି ଗଛ ବାହୁଙ୍ଗା, ଆଉ ଗଣ୍ଡିକୁ ଚାଟି ପକଉଥିଲେ । କେତେଜଣଙ୍କ ହାତରେ ଥିଲା ଖଣ୍ଡିଆ ବ୍ଲେଡ୍ । ଗଛ ଗଣ୍ଡିର ଉପର ଆସ୍ତରଣକୁ କାଟିଲେ ରସ ବାହାରୁଥିଲା ତା’କୁ ଜିଭ ଲଗାଇ ଚାଟିଲେ ମିଠା ଲାଗେ । ସେ ଅନୁଭୁତି ବି ମୋର ଥିଲା ।

କିଛି ବାଟ ଆଗକୁ ଆସିଲି । ମାଟି ଶେଣୀର ଠିକ ପଛକୁ ଥିଲା ବଡ ଗଛ ଟିଏ । କେଇ ଜଣ ପିଲା କଣ ସବୁ ଗୋଟେଇ ଖାଉଚନ୍ତି । ପାଖକୁ ଯାଇ ଦେଖିଲି କଷାକୋଳି । ଗୋଟେ ପିଲା ଗଛ ଉପରକୁ ଖାବୁଡ ମାରିଲା । ତଳେ ବିଛିଡି ହେଇ ପଡିଲା କଷାକୋଳି । ମୁଁ ଯୋଡେ ଦି’ଟା ଖାଇଲି, ଆଉ କିଛି ପକେଟରେ ପୁରାଇଲି । ମୁଁ ଯାଇ ଶେଣୀରେ ବସି ପଡିଲି । ଦିଦି ଆସିଲେ ଅ, ଆ ପଢେଇବାକୁ ଲାଗିଲେ ।

ଖେଳ ଛୁଟି ହେଲା , ସଭିଏଁ ନିଜ ହାତରେ ଥାଳିଆ, ଗିନା, ଟିଫିନ ଧରି ରୋଷେଇ ଘର ମୁଁହା ହେଲେ । ରୋଷେଇ ଘରେ ଜଣେ ସାମାନ୍ୟ ମୋଟା ଚେହେରାର ମଣିଷ ଟିଏ, ଟିକେ ମୋଟା ନିସ, କିନ୍ତୁ ସବୁ ବେଳେ ହସ ହସ ମୁହଁ । ସେ ଆମର ଅତି ଆଦରର ଶଙ୍କରା ଭାଇ । ମୁଁ ଶଙ୍କରା ଭାଇ ହାତକୁ ସମସ୍ତଙ୍କ ଭଳି ମୋ ଥାଳିଆ ଟା ବଢେଇ ଦେଲି । ସେ ଥାଳିରେ ଖିରି ବାଢି ଗୋଟେ ପରେ ଗୋଟେ ଥାଳି ପିଲାଙ୍କୁ ବଢେଇ ଦଉଥିଲେ । ମୋ ହାତକୁ ବଢେଇ ଦେଉ ଦେଉ କହିଲେ ଏ ନୂଆ ପିଲାଟି କିଏ । ମୁଁ ହସି ଦେଲି ସେ କହିଲେ ଭଲକି ଧର, ତାତିଚି । ତାଙ୍କ ମୁହଁକୁ ମୁଁ ଚାହିଁଲି । ଆତ୍ମତୃପ୍ତିର ଅନୁଭବ ଟିଏ ଖେଳି ଯାଉଥିଲା ତା’ଙ୍କ ମୁହଁରେ । ମୁଁ ଥାଳିଆଟି ଧରି ଆଗକୁ ଯାଇ ପିଣ୍ଡା ଉପରେ ବସି ପଡିଲି । ପକେଟରୁ କାଗଜ ପୁଡିଆଟି ବାହାର କଲି । ସେଥିରେ ଦୁଇ ଚାମଚ ଖଣ୍ଡେ ଚିନି ଥିଲା । ତା’କୁ ଖିରି ଉପରେ ଛିଞ୍ଚି ଦେଲି । ଖିରି ଭିତରୁ ଗହମର ଭୁରୁ ଭୁରୁ ବାସ୍ନା ବେଶ ବାରି ହେଇ ପଡୁଥିଲା । ମୁଁ ବିଳମ୍ବ ନ କରି ହାତ ମାରି ଦେଲି । ମୋ ହାତ ପୋଡିଗଲା, ମୁଁ ଚାଟି ପକେଇଲି । ମୋ ଜିଭରେ ଚେଙ୍କ ଲାଗିଲା । ମୁଁ ମୁହଁ ଉଠେଇ ଅନ୍ୟମାନଙ୍କୁ ଚାହିଁଲି । ଜଣେ ହସି ଦେଇ ପଚାରିଲା, “କେମିତି ଲାଗିଲା” ? ମୁଁ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ଆଉ ଜଣେ କହିଲା, “ଯା’ ଗୋଟେ ଲେମ୍ବୁ ପତ୍ର ନେଇ ଆସିବୁ ।” ତା’କୁ ଦେଖିଲି ସେ ଲେମ୍ବୁ ପତ୍ରରେ ଚାମୁଚ ଭଳିଆ ଖାଉଚି । ମୁଁ ବି ଯାଇ ନେଇ ଆସିଲି । ଲେମ୍ବୁ ପତ୍ର ସହ ଖିରିର ମହକରେ ଥିଲା କିଛି ଅଲଗା ସ୍ୱାଦର ଅନୁଭବ ଯାହା ଆଜିଯାଏ ମୁଁ ପାଉନି ।

ଖାଇ ସାରି କ୍ଲାସରେ ବସିଲି । ଖେଳ ପିରିୟଡ୍ ଆସିଲା । ବହୁତ ଦଉଡା ଧାପଡା କଲୁ, ବାସ୍କେଟ୍ ବଲ ଖେଳିଲୁ । ଏହି ଗୋଟିଏ ଦିନରେ ମୋର ବହୁତ ଚିହ୍ନା ଅଚିହ୍ନା ସାଙ୍ଗ ସାଥି ହୋଇଗଲେ । କିଛି ସମୟ ପରେ ନଳକୂଅ ଆଡକୁ ଗଲୁ, ପିଲାଏ ନଳକୁ ମୁହଁ ଲଗାଇ ପାଣି ପିଉଥିଲେ । ମୋତେ ନଳର ହ୍ୟାଣ୍ଡେଲ ଧରି ପାଣି ମାରିବାକୁ କହିଲେ । ସେମାନେ ମୋ ପାଇଁ ପାଣି ମାରିଦେଲେ । ମୁଁ ପେଟେ ପାଣି ପିଇଲି । ସେତେ ବେଳକୁ ଛୁଟି ଘଣ୍ଟା ବାଜିଲା, ସମସ୍ତେ ଦଉଡୁ ଥିଲେ । ମୁଁ ଆମ ଶ୍ରେଣୀ ଆଡକୁ ଦଉଡିଲି । ମୋ ବସ୍ତାନି ଧରି ବାହାରିଲି । ଦିଦି କହିଲେ ଜାହା ପଢାଗଲା କାଲି ଆଭ୍ୟାସ କରି ଆସିବୁ । ମୁଁ ମୁଣ୍ଡ ହଲାଇ ହଁ କଲି । ମୁଁ ସ୍କୁଲ ପଛ ପଟେ ଆସିଲି । ଭାଇ କହିଲା, “କେତେ ଡେରି କରୁଛୁ । ଚାଲ ଜଲଦି ସମସ୍ତେ ପଳେଇଲେଣି ।” ଆମେ ଦୁହେଁ ବସ୍ତାନିକୁ ଗୋଟେ କାନ୍ଧରେ ଗଳେଇ ବିଲ ହିଡରେ ଦଉଡିଲୁ...

ଏହା ଥିଲା ସ୍କୁଲରେ ମୋର ପହିଲି ଦିନର ଅନୁଭୁତି । ଏହା ଭିତରେ ପ୍ରାୟ ତିରିଷ ବର୍ଷ ବିତି ଗଲାଣି । ନିକଟ ଅତୀତରେ ସେହି ରାସ୍ତା ଦେଇ ଯାଉଥିଲି । ଦେଖିଲି ସ୍କୁଲ୍ ଚାରିପଟେ ବୃହତ୍ ପ୍ରାଚୀର ଛିଡା ହୋଇଛି । ସେ କନିଅର , ପିଜୁଳି, କଷାକୋଳି ଗଛ ଆଉ ନାହିଁ । ନାହିଁ ସେହି ମାଟିଶ୍ରେଣୀ ଯାହା କୋଳରେ ଦିନେ ବସି ଅ,ଆ, ଶିଖି ବାଲ୍ୟଶିକ୍ଷା ଆରମ୍ଭ କରିଥିଲୁ । ଜୀବନର ଏକ ବଡ ସମ୍ଭାବନାର ପ୍ରଥମ ପାହାଚ ଚଢିଥିଲୁ । ଆଜିର କେତେ ପ୍ରତିଷ୍ଠା ବାନ ସୁ ନାଗରିକ ମାନଙ୍କର ସ୍ମୃତି ଲୁଚି ରହିଥିଲା ଏହି ପୁଣ୍ୟ ଶ୍ରେଣୀ, ମାଟି ଶ୍ରେଣୀ ଦେହରେ । ଆଜି ସମୟ ସହ ତାଳ ଦେଇ ମୋ ସ୍କୁଲର ରୂପ ବଦଳିଛି । ନିର୍ମାଣ ହୋଇଛି ନୂତନ ଶ୍ରେଣୀ ଗୃହ, ଶୌଚାଳୟ। ସବୁ ସୁବିଧା ଉପଲବ୍ଧ ହୋଇଛି । ହେଲେ କମିଯାଇଛି ସମସ୍ତଙ୍କର ତା’ ପ୍ରତି ଆତ୍ମିୟତା । କିନ୍ତୁ ଅତୀତ ଆଜି ସ୍ମୃତି ହୋଇ ରହିଛି ଆଉ ରହିଥିବ ସବୁଦିନ ।



Rate this content
Log in

Similar oriya story from Inspirational