Prasanta K Mahakud

Inspirational Others

4.1  

Prasanta K Mahakud

Inspirational Others

ଲକଡାଉନ୍

ଲକଡାଉନ୍

3 mins
50


ଚାରିଆଡେ ଲକଡାଉନର ସ୍ପଷ୍ଟ ଚିତ୍ର ବାରିହୋଇ ପଡୁଥିଲା । ଲୋକମାନେ ଏହି ଲକଡାଉନକୁ ମାନୁଥିଲେ । ଯେଉଁ କେତେ ଜଣ ମାନୁ ନ ଥିଲେ, ସେମାନଙ୍କୁ ପୋଲିସ ସାବାଡ କରୁଥିଲା । ମଝିରେ ଟିକେ କୋହଳ ହେଲା । ମୁହଁରେ ମାସ୍କ ଲଗେଇ ସାଇକେଲ କିମ୍ବା ଚାଲି ଚାଲି ପାଖ ବଜାର ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିମ୍ବା ମେଡିସିନ୍ ପାଇଁ ଯାଇ ହେଲା । ମୁଁ ମୁହଁରେ ରୁମାଲଟିକୁ ବାନ୍ଧିଲି । ଗୋଟେ ସାଇକେଲରେ ପମ୍ପ ଭରିଲି । ସାଇକେଲଟି ପୁରୁଣା ହେଲେ ବି ଭଲ ଗଡୁଥିଲା । ପ୍ରାୟ ଦଶ ବର୍ଷ ପରେ ସାଇକେଲ ଚଲେଇଲି । ମୋତେ ମଜା ଲାଗୁଥିଲା । ରାସ୍ତାରେ ବହୁତ କମ୍ ଲୋକ ଚଳ ପ୍ରଚଳ କରୁଥିଲେ । ସମସ୍ତେ ମୁହଁରେ ମାସ୍କ କିମ୍ବା ରୁମାଲ ବାନ୍ଧିଥିଲେ । କିଛି କିଛି ସ୍ଥାନରେ କମ୍ ଜନ ଗହଳି ଦେଖାଯାଉଥିଲା, କିନ୍ତୁ ପ୍ରାୟ ସମସ୍ତେ ସାମାଜିକ ଦୂରତା ରକ୍ଷା କରୁଥିଲେ । ଜନ ଗହଳି ପୂର୍ଣ୍ଣ କିମ୍ବା ଛକ ଜାଗା ରେ ପୋଲିସ୍ ପହରା ଦେଉ ଥିବାର ଦେଖାଯାଉଥିଲା । ବିନା ପାସରେ ବାଇକ୍ କିମ୍ବା କାର ରେ ଆସୁଥିବା ଲୋକଙ୍କ ପ୍ରତି ତା’ଙ୍କର କଠୋର ବ୍ୟବହାର ଦେଖାଯାଉଥିଲା । ସାଇକେଲ ରେ ଯାଉଥିବା ଲୋକଙ୍କ ପାଇଁ କୌଣସି ଅବରୋଧ ନ ଥିଲା ।


ମୁଁ ସାଇକେଲରେ ଧିରେ ଧିରେ ଆଗକୁ ଯାଉଥାଏ ରାସ୍ତାର ଦୁଇ ପାର୍ଶ୍ୱକୁ ଲକ୍ଷ୍ୟ କରି । କିଛି କିଛି ସ୍ଥାନରେ ଫୁଟପାଥ୍ ଉପରେ ପରିବା ବିକ୍ରି ହେଉଥାଏ । ଗୋଟେ ଗ୍ରୋସରୀ ଦୋକାନ ଦେଖି ବ୍ରେକ୍ ମାରିଲି । ସାଇକେଲରେ ବ୍ରେକ୍ ଟିକେ କମ୍ ଥିଲା । ଦୁଇ ହାତ ଖଣ୍ଡେ ଗଲା ପରେ ଅଟକିଲା । ସାଇଡ୍ କରି ଫୁଟପାଥ୍ କୁ ଲଗାଇ ଷ୍ଟାଣ୍ଡ ଦେଲି । ଦୋକାନ ଟି ସାମାନ୍ୟ ଭିଡ ଥିଲା । ସମାନ ଦୂରତାରେ ଧଳା ରଙ୍ଗରେ ଗୋଲାକାର ଚିହ୍ନ ସବୁ ଥିଲା । ଗ୍ରାହକ ମାନେ ସେଇଠି ଦୂରତା ରକ୍ଷା କରି ଛିଡା ହୋଇଥିଲେ । ବେଶ ଶୃଙ୍ଖଳିତ ଆଉ ବ୍ୟବସ୍ଥିତ ଜଣା ପଡୁଥିଲା । ଜଣଙ୍କ ପରେ ଜଣେ ଜିନିଷ କିଣି ଫେରୁଥିଲେ । ମୁଁ ସାଇକେଲ ଆଡକୁ ଟିକେ ନଜର ପକଉ ଥିଲି, ସାଇକେଲଟିରେ ଚାବି ନ ଥିଲା । ମୋ ସାମ୍ନାରୁ ଭିଡ ଧିରେ ଧିରେ କମୁଥାଏ । ମୁଁ ଧିରେ ଧିରେ ଆଗକୁ ବଢୁଥିଲି । ମୋ ପାଳି ଆସିବାକୁ ଅଳ୍ପ ସମୟ ଥିଲା ।


ହଠାତ୍ ଜଣେ ବ୍ୟକ୍ତି ସମସ୍ତଙ୍କୁ ଅଣଦେଖା କରି ଦୋକାନ ସାମ୍ନାକୁ ଚାଲିଯାଇ କହିଲେ, “ଦେଲ ଦେଲ ଡାଲି କିଲେ, ବିସ୍କୁଟ ଗୋଟେ, ଚା ଶହେ ଗ୍ରାମ୍ ଆଉ ଚିନି କିଲେ” । ମୁହଁରେ ମାସ୍କ କିମ୍ବା ରୁମାଲ ବି ନ ଥିଲା । ସାମ୍ନାରେ ଅପେକ୍ଷା କରିଥିବା ଭଦ୍ର ବ୍ୟକ୍ତି ଜଣଙ୍କ ଟିକେ ଘୁଞ୍ଚି ଗଲେ । ଟିକେ ବିରକ୍ତି ଭାବ ପ୍ରକାଶ କରି କହିଲେ, “କ’ଣ ସାର୍ ଟିକେ ସାମାଜିକ ଦୂରତା ତ’ ରଖନ୍ତୁ, ଏତେ ବ୍ୟସ୍ତ କାହିଁକି” ? ବ୍ୟକ୍ତି ଜଣଙ୍କ କହିଲେ, “କାହିଁ ମୋତେ କ’ଣ କୋରନା ହେଇଛି କି” ? ଭଦ୍ରବ୍ୟକ୍ତି ଜଣଙ୍କ ଚୁପ୍ ରହିଲେ । ଅନ୍ୟମାନଙ୍କ ପ୍ରତିକ୍ରିୟା ମୁହଁର ମାସ୍କ ଦେଇ ସିନା ବାହାରକୁ ଦେଖାଯାଉ ନ ଥାଏ କିନ୍ତୁ ହାବ ଭାବରୁ ବେଶ ବାରି ହୋଇ ପଡୁଥାଏ । ଦୋକାନୀ ଜଣଙ୍କ ଧିର ସ୍ଵରରେ କହିଲେ, “ଆପଣଙ୍କୁ କାହିଁକି କୋରନା ହେବ ? ଏଠି ଯେଉଁ ମାନେ ଧାଡିରେ ଛିଡା ହୋଇଛନ୍ତି ସମସ୍ତଙ୍କୁ ହେଇଛି, ସେଇଥି ପାଇଁ ଧାଡିରେ ଛିଡା ହେଇଛନ୍ତି”, ସାମାନ୍ୟ ତିରସ୍କାର ସହ । ବ୍ୟକ୍ତି ଜଣଙ୍କ ଚୁପ୍ ରହିଲେ ।


 ଦୋକାନୀ ଜଣଙ୍କ ତା’ଙ୍କୁ ଜଲଦି ସଉଦା ଦେଇ ବିଦା କଲେ । ବ୍ୟକ୍ତି ଜଣଙ୍କ ଗୁଣୁ ଗଣ ହୋଇ ବାହାରି ଯାଉଥିଲେ । ସମସ୍ତେ ତାଙ୍କୁ ଗୋଟେ କେମିତିକା ଦୃଷ୍ଟିରେ ଚାହିଁଲେ । କିଛି ସମୟ ପରେ ମୁଁ ମୋ ସଉଦା ନେଇ ସାଇକେଲ ଧରିଲି । ଭାବିଲି ଆଗକୁ ଯାଇ ଗଳି ରାସ୍ତା ଦେଇ ଚାଲିଯିବି । ଧିରେ ଧିରେ ସାଇକେଲ ବଢେଇଲି । ରାସ୍ତାରେ କିଛି ଲୋକ ଧାଡିରେ ଛିଡା ହୋଇଥିଲେ । ସମସ୍ତଙ୍କ ହାତରେ ଥିଲା ବ୍ୟାଗ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା । ପଛକୁ ମୁହଁ କରି ବଡ ଟ୍ରକ ଛିଡା ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ପରିବା ଓ କିଛି ଦୈନନ୍ଦିନ ସାମଗ୍ରୀ ଯୋଗାଇ ଦିଆ ଯାଉଥିଲା ।   କିଛି ଦୂର ଆଗକୁ ଯାଇ ଗଳି ରାସ୍ତାରେ ଘରକୁ ଫେରୁଥିଲି । ପୋଲିସ ଜଣଙ୍କ ଲୋକ ମାନଙ୍କୁ ବୁଝାଉଥିଲେ, ଘରୁ ଅଜଥା ବାହାରକୁ ନ ବାହାରିବାକୁ । ରାସ୍ତାରେ ଫେରିବା ବେଳେ ଚିନ୍ତା କରୁଥିଲି, ଧାଡିରେ ଯଦି ସମୟ ସଞ୍ଚୟ ହୋଇ ପାରୁଛି, ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ, ଏବଂ ତରାନ୍ୱିତ ହୋଇ ପାରୁଛି, ତେବେ ଭିଡର ଆବଶ୍ୟକତା କାହିଁକି । ଶୃଙ୍ଖଳା ଯଦି କୌଣସି ସମସ୍ୟାର ସରଳ ସମାଧାନ ଆଉ ସଙ୍କଟ ବେଳର ଉପଚାର ତେବେ ଉଶୃଙ୍ଖଳିତ ବ୍ୟସ୍ତତାର ମାନେ କ’ଣ ? ଗତାନୁଗତିକ ଜୀବନଚର୍ଯ୍ୟାକୁ ଯଦି ଅଧିକ ଶୃଙ୍ଖଳିତ, ମାର୍ଜିତ ଓ ବ୍ୟବସ୍ଥିତ ହୋଇ ପାରୁଛି ତେବେ ଏହାକୁ ବ୍ୟବସ୍ଥାରେ ପରିଣତ କଲେ ତୃଟି କ’ଣ ? ଏ ଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ଏହି ସଚେତନତାର ଲକ୍ଷ୍ମଣରେଖାରୁ ମିଳି ପାରିବ । ଏବେ ସମୀକ୍ଷା ଓ ଆତ୍ମ ଶୀଳନର ବେଳ ଆସିଛି ।



Rate this content
Log in

Similar oriya story from Inspirational