Prasanta K Mahakud

Inspirational

4.1  

Prasanta K Mahakud

Inspirational

ଆଶାର କିରଣ

ଆଶାର କିରଣ

6 mins
705


ଚଢେଇ ମାନଙ୍କର କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗିଗଲା ସିଦ୍ଧାର୍ଥର । ଆଖି ମଳିମଳି ମୋବାଇଲକୁ ଚାହିଁଲା ସମୟ ଆସି ଛଅଟା ବାଜିଲାଣି । ଝରକା ଫାଙ୍କରୁ ସକାଳର କଅଁଳିଆ ସୁନେଲି କିରଣ ତା’ ମୁହଁରେ ପଡୁଥିଲା । ଉଠି ପଲଙ୍କ ଉପରେ ବସିଲା । ଷ୍କାଇଲାଇଟ୍ ଆଡକୁ ଚାହିଁଲା । ଗୋଟେ ପରେ ଗୋଟେ ଘର ଚଟିଆ ଷ୍କାଇଲାଇଟ୍ ଫାଙ୍କରେ ପାଳି କରି ଆସି ଫେରି ଯାଉଥା’ନ୍ତି । ସତେ ଯେମିତି ଲାଗୁଥାଏ ସେମାନେ ସିଦ୍ଧାର୍ଥକୁ ହିଁ ଦେଖିବା ପାଇଁ ଆସୁଛନ୍ତି । ସିଦ୍ଧାର୍ଥ ସେମିତି ହିଁ ଚାହିଁ ରହିଥିଲା ସେମାନଙ୍କୁ । ଏହି କିଛିଦିନ ହେଲା ସେ ଦେଖୁଛି, ଆଗରୁ କାହିଁ ଦେଖା ଯାଉ ନ ଥିଲେ । କିଛି ସମୟ ପରେ ୱାସ୍ ରୁମ୍ ରୁ ଫ୍ରେସ୍ ହୋଇ ଆସିଲା । ସାମ୍ନା ଗେଟ୍ ଖୋଲି ବାହାରକୁ ବାହାରିଲା । ପେପର ବାଲା ଫୋପାଡି ଥିବା ନ୍ୟୁଜ୍ ପେପର ଟିକୁ ଗୋଟେଇ ରାସ୍ତାର ଦୁଇ ପାର୍ଶ୍ଵକୁ ଚାହିଁଲା । ପୁରା ସୁନ ସାନ୍ ଥିଲା ରାସ୍ତାଟି । ଆଖିକୁ ଯେତେ ଦୂର ଦୃଶ୍ୟମାନ ହେଉଥିଲା କେହି ବି କଉଠି ଦେଖା ଯାଉ ନ ଥିଲେ । ଲକ୍ ଡାଉନ୍ ର ପୁରା ବାସ୍ତବ ଚିତ୍ର ବାରି ହୋଇ ପଡୁଥିଲା । ନ୍ୟୁଜ୍ ପେପର ଟିକୁ ଧରି ଘର ଭିତରକୁ ଆସି ବାଲକୋନୀ ଉପରେ ଥିବା ଟିପଇ ଉପରେ ରଖିଦେଲା । କିଚେନ୍ ରୁ ଗୋଟେ କପ୍ ଚା ନେଇ ଆସି ବାଲକୋନୀରେ ବସିଲା । ନ୍ୟୁଜ୍ ପେପର ଉପରେ ଆଖି ବୁଲଉ ଥିଲା । ହଠାତ୍ କୋଇଲିର କୁହୁକୁହୁ ରାବ ତା’ର କାନକୁ ବାଜିଲା । ନ୍ୟୁଜ୍ ପେପରକୁ ଥୋଇ ଦେଇ କାନ ଡେରିଲା । ପାଖରେ ଥିବା ଆମ୍ବ ଗଛ ଆଡକୁ ଚାହିଁଲା । ସେଇ ପଟୁ ହିଁ କୋଇଲିର ସ୍ୱର ଆସୁଥିଲା । ତା’କୁ ଦେଖି ପାରୁ ନ ଥିଲା, କିନ୍ତୁ ବେଶ ଖୁସିର ସହ ଚାହିଁ ରହିଥିଲା ।

ଏହା ଭିତରେ କେତେ ବର୍ଷ ବିତିଲାଣି, ଆଜି କାହିଁ ପ୍ରକୃତିକୁ ବେଶ ଅନୁଭବ କରିଛି । ଦୂରରୁ ମନ୍ଦିରର ଘଣ୍ଟି ଘୋର ଶାନ୍ତ ବାୟୁ ମଣ୍ଡଳରେ ତରଙ୍ଗାୟିତ ହେଉଥିଲା । ଘର ମାନଙ୍କରୁ ପ୍ରଭାତ ପୂଜାର ଶୁଭ ସଂଙ୍ଖଧ୍ୱନୀ ନିନାଦିତ ହେଉଥିଲା । ଏ ଭଳି ଏକ ଶାନ୍ତ ପରିବେଶ ସତେ ଯେମିତି ତା’ର ଚିନ୍ତା ଓ ଚେତନାରେ ଏକ ନୂଆ ଆଲୋଡନ ସୃଷ୍ଟି କରୁଥିଲା । ଚା କପ ଟିକୁ ଉଠାଇଲା, ଚା ଥଣ୍ଡା ହୋଇଯାଇଥିଲା । ଗୋଟେ ନିଶ୍ଵାସରେ ଢୋକିଦେଲା । ସିଧା ୱାସରୁମ୍ ଭିତରକୁ ଯାଇ ଗାଧୁଆ ସାରି ପୂଜା ରୁମକୁ ଗଲା ।

ରୁମଟି ବହୁତ ଦିନ ହେଲା ବନ୍ଦ ଥିଲା । ସୁଜାତା ଯିବା ଦିନ ଠାରୁ ଏ କବାଟ କେବେ ଖୋଲା ହେଇ ନ ଥିଲା । କବାଟ ଖୋଲି ଭିତରକୁ ଯାଇ ଲାଇଟ୍ ସୁଇଚ୍ ଦେଲା । ଚାରିଆଡେ ବୁଢିଆଣୀ ଜାଲ । ଦେଖିଲା ଭଲ ଭାବରେ ସଜା ଯାଇଛି କିନ୍ତୁ ଧୂଳି ଆଉ ତନ୍ତୁ ବସି ଯାଇଛି । ସବୁ ଝଡାଝଡି କରି ସଫା କରିବାରେ ଲାଗି ପଡିଲା । କିଛି ସମୟ ପରେ ସାମ୍ନାରେ ମସିଣା ପାରି ବସିଗଲା । ଘିଅ ଦୀପଟିଏ ଜାଳି ଦେଲା । କରଯୋଡି ନତମସ୍ତକ ହେଲା । ଆତ୍ମ ତୃପ୍ତିର ଅନୁଭବ ଟିଏ ସତେ ଯେମିତି ଖେଳି ଯାଉଥିଲା ତା’ ମନରେ ।

ପୂଜା ରୁମରୁ ବାହାରକୁ ବାହାରିଲା । ତୁଳସୀ ଚଉରା ଆଡେ ଚାହିଁଲା । ପତ୍ର ସବୁ ସୁଖି ଯାଇଛି, ଗଛ ଝାଉଁଳି ପଡିଛି ବୈଶାଖ ମାସର ଟାଣ ଖରାରେ । ଢାଳେ ପାଣି ନେଇ ଢାଳିଦେଲା । ମନେ ପଡିଲା ଏମିତି ଖରା ମାସରେ ସୁଜାତା ବାହୁଙ୍ଗା ଗାଡି କଳସଟେ ବାନ୍ଧିଥାଏ । ଛୋଟ କଳସରେ କଣା କରି କରିଆ ବାନ୍ଧି ସିନ୍ଦୁର ଲଗେଇ ଫୁଲ, ଧୂପ, ଦୀପ ଦେଇ ପୂଜା କରେ । ଏ ସବୁକୁ କିନ୍ତୁ ସିଦ୍ଧାର୍ଥର ପସନ୍ଦ ନ ଥାଏ ।

ସୁଜାତା, ସିଦ୍ଧାର୍ଥର ସ୍ତ୍ରୀ । ଏକ ଗାଉଁଲି ସଭ୍ୟତାରେ ସିନା ବଢିଥିଲା କିନ୍ତୁ ରୂପ ଆଉ ଗୁଣରେ କମ୍ ନଥିଲା । ସିଦ୍ଧାର୍ଥ ଚାକିରୀ କରିବାର ବର୍ଷେ ପରେ ହିଁ ବାପା ତା’ର ବାହାଘର କରି ଦେଇଥିଲେ ପାଖ ଗାଁର ଦୀନବନ୍ଧୁ ମାଷ୍ଟ୍ରଙ୍କର ଏକମାତ୍ର କନ୍ୟା ସୁଜାତା ସହ । ଆଜ୍ଞାଧିନ ପିଲାଟି ପରି ସବୁ ମାନି ନେଇଥିଲା ସିଦ୍ଧାର୍ଥ ତା’ ଭଲପାଇବାକୁ ହୃଦୟରେ ଚାପିରଖି । ଏମବିଏ ବେଳର ସହପାଠିନୀ ଏଲିନାକୁ ନେଇ କେତେ ସ୍ୱପ୍ନ ସେ ଦେଖିଥିଲା । କିନ୍ତୁ ହୃଦୟରୁ ତା’କୁ ଦୂରେଇ ଦେଇ ପାରୁ ନ ଥିଲା । ମା’ ତାର ସୁଜାତାକୁ ନେଇ ପାଖରେ ରଖିବାକୁ ବାଧ୍ୟ କରିବାରୁ ବିବାହର ଦୁଇମାସ ପରେ ଏହି ଘରଟି ଭଡା ନେଇଥିଲା ସେ । ଘର ମାଲିକ ରହନ୍ତି ଆମେରିକାରେ । ଉପର ମହଲାରେ ଗୋଟାଏ ରୁମ ଥାଏ ତା’ଙ୍କର । ଯେବେ ଆସିଲେ ସପ୍ତାହେ ଦୁଇ ସପ୍ତାହ ରହି ପୁଣି ଚାଲିଯାନ୍ତି । ଘର ମାଲିକାଣୀ ସୁଜାତାକୁ ବହୁତ ଭଲ ପାଆନ୍ତି । ଗତ ଥର ଗଲାବେଳେ ସୁଜାତାକୁ ତାଙ୍କ ରୁମ ଚାବି ବି ଦେଇ ଯାଇଥିଲେ ।

ସୁଜାତା ବଢିଥିଲା ଏକ ମଧ୍ୟବିତ ପରିବାରରେ । ଯେଉଁଠି ଥିଲା ବ୍ୟବହାର ଉପଯୋଗୀ ସଂସ୍କାର, ଜୀବନ ବଞ୍ଚିବାର ଶୈଳୀ, ଅଦ୍ଭୁତପୂର୍ବ ପରମ୍ପରା । କିନ୍ତୁ ଏଠି ସହରୀ ଠିକଣାର ଗାମ୍ଭୀର୍ଯ୍ୟ, ,ସମ୍ଭ୍ରାନ୍ତ ବାଦୀର ଚହକ ମହକ, ଆଭିଜାତ୍ୟର ଠାଣିମାଳା । ଏ ସବୁ ଭିତରେ ବି ସେ ଭୁଲି ଯାଇ ନ ଥିଲା ସଂସ୍କାର ଆଉ ପରମ୍ପରାକୁ । ଭୁଲି ଯାଇ ନ ଥିଲା ଓଡିଆ ଘରର ବାର ଓଷା ତେର ବ୍ରତକୁ । ବାହାରୁ ସିଦ୍ଧାର୍ଥ ଆସିଲେ ତାଗିଦ୍ କରୁଥିଲା ଗୋଡହାତ ନ ଧୋଇ ଘର ଭିତରେ ପଶିବାକୁ । କେତେଥର ସେ ଯୁକ୍ତି କରୁଥିଲା ଚପଲ ମାଡି ରୋଷେଇ ଘରକୁ ନ ଯିବାକୁ । ସଂକ୍ରାନ୍ତି, ଏକାଦଶୀରେ ଆମିଷ ପୂରାଇ ଦେଉ ନଥିଲା ଘରକୁ । ଏ ସବୁ ସିଦ୍ଧାର୍ଥକୁ ଦିନେ ଅଣନିଶ୍ୱାସୀ କରି ପକାଉଥିଲା । ଦୁଇ ଜଣଙ୍କର କଥାରେ ସାମଞସ୍ୟ ରହୁନଥିଲା । ପ୍ରାୟ ସମୟ ଦୁହିଁଙ୍କ ଭିତରେ ଛଗଡା ହେଉଥିଲା ।

ଦିନେ ଏମିତି ରୂପ ନେଲା ସୁଜାତା ଚାଲି ଯାଇଥିଲା ତା’ ବାପ ଘରକୁ । ସେଇଦିନ ଠାରୁ ସୁଜାତା ଆଉ ଫେରିନି। ସେ ଯିବାର ପ୍ରାୟ ବର୍ଷ ଗୋଟେ ହେଲାଣି । କେବେ କେହି କାହାକୁ ଫୋନ ବି କରି ନାହାନ୍ତି । କିଛି ଖବର ରଖି ନାହିଁ ଆଜି ଯାଏ । ଆଜି କିନ୍ତୁ କାହିଁକି ସୁଜାତା କଥା ତା’ର ଭାରି ମନେ ପଡୁଛି । ଭାବିଲା ସାଙ୍ଗ ପାଖକୁ ଫୋନ କରି ମନଟା ଟିକେ ହାଲକା କରିବ । ରବି ପାଖକୁ କଲ କଲା । ରବି କହିଲା ସାଙ୍ଗ ରହ “ତୋ ଭାଉଜ ଆଉ ମୁଁ ମିଶି ଆଜି ରୋଷେଇ କରୁଛୁ, ପରେ କଲବ୍ୟାକ୍ କରିବି ” । ସିଦ୍ଧାର୍ଥ ଚୁପ ରହିଲା ।

ଟିଭି ରିମୋଟ ଅନ କଲା । ସବୁ ଆଡେ ମହାମାରୀର ତାଣ୍ଡବ ଲୀଳା । ସବୁଠି ସତର୍କ ଓ ସଚେତନତା’ର ବାର୍ତା । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ନିଜର ଶକ୍ତି ହାରିଲେଣି । ଭାରତ ଉପରେ ବି ମହାମାରୀ ମାଡି ଆସିଲାଣି । ସବୁଆଡେ ଏକ ଭୟର ବାତାବରଣ ଖେଳି ଗଲାଣି । ବଡ ବଡ କଳ କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ଅଫିସ, ହୋଟେଲ, ଶିକ୍ଷାନୁଷ୍ଠାନରେ ତାଲା । ଭବିଷ୍ୟତ ହୋଇ ଗଲାଣି ଆଜି ପ୍ରଶ୍ନବାଚୀ । କର୍ମଚାରୀ, ଶ୍ରମିକ ଆଜି ହତାଶ । ସମସ୍ତେ ଆଜି ନିଜ ଗାଁକୁ ବାହୁଡିବା ପାଇଁ ପ୍ରୟାସ କରୁଛନ୍ତି । ଲକଡାଉନ୍ ରେ ସବୁଆଡେ ବନ୍ଦ । କେହି ଚାଲି ଚାଲି ନିଜ ଭିଟା ମାଟିକୁ ଫେରୁଛି । କେହି ସାଇକେଲ ରେ ଶହ ଶହ ମାଇଲ ଫେରୁଥିବାର ଚିତ୍ର ସେ ଦେଖୁଥିଲା । ଦୁଇ ଦିନ ତଳେ ମା’ ତା’ର ଫୋନ କରି କହିଥିଲା ଗାଁକୁ ପଳେଇ ଯିବାକୁ । ଅଫିସ କାମ ଘରେ ବସି କରୁଛି , ଗାଁରେ ଇଣ୍ଟରନେଟ ସୁବିଧା ହବନି କହି କଥା ଟାଳି ଦେଇଥିଲା ସିଦ୍ଧାର୍ଥ । ପାଞ୍ଚବର୍ଷ ହେଲାଣି ସେ ଗାଁ ମାଟି ମାଡିନି, କେବେ କଲ କରି ବାପା, ମା’ କଥା ପଚାରିନି ।

ଟିଭି ସ୍କ୍ରୋଲିଂରେ ଦେଖିଲା କାଲିଠାରୁ ସେ ରହିଥିବା ଅଞ୍ଚଳକୁ ସିଲ୍ କରି ଦିଆଯିବ । ଚାରିଜଣ ଆକ୍ରାନ୍ତଙ୍କୁ ପାଖ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦେହ ଶିତେଇ ଉଠିଲା ଅଜଣା ଭୟରେ । ଟିଭି ବନ୍ଦ କରିଦେଲା । 

ଏବେ ସୁଜାତା କଥା ତା’ର ଆହୁରି ମନେ ପଡିଲା । ଭାବିଲା କଲ କରିବ, ପୁଣି ଚିନ୍ତା କଲା କଲ କରି କଣ କହିବ । କଉ ମୁହଁରେ କଲ କରିବ । କେତେ କଥା ତା’କୁ ସେ କହିଛି, ଅପମାନ ଦେଇଛି । ସୁଜାତା କିନ୍ତୁ ସବୁ ସହିଥିଲା । ପଶ୍ଚାତାପର ନିଆଁରେ ଜଳୁଥିଲା ସିଦ୍ଧାର୍ଥ । ଘରକୁ ଫୋନ କଲା । ମା’ ତା’ର ଫୋନ ରିସିଭ କଲା । ମା’ ତା’ର ପଚାରିଲା କେମିତି ଅଛୁ ? କାନ୍ଦ କାନ୍ଦ ହୋଇ କହିଲା ଭଲ ଅଛି ମା’, ତୁ ଆଉ ବାପା କେମିତି ଅଛ? ଏତେ ଦିନ ପରେ ହେଲେ ବି ଏମିତି ପ୍ରଶ୍ନରେ ମା ତାର ଭାବ ବିହ୍ଵଳ କଣ୍ଠରେ ଭଲ ଅଛୁ । ଏକ ଛୋଟ ଛୁଆର ପାଟି ଶୁଣି ପଚାରିଲା “ମା’ କିଏ ଆସିଛି, ଛୋଟ ପିଲାର ପାଟି ଶୁଭୁଛି” । ମା’ କହିଲେ ତୋରି ପୁଅ । ଖୁସିରେ ଆତ୍ମହରା ହୋଇ କହିଲା “ମୋରି ପୁଅ, ସୁଜାତା ତା’ ହେଲେ...” ।

ମା କହିଲା ହଁରେ ସିଦ୍ଧାର୍ଥ, ସୁଜାତା ସେଦିନ ଆସି ବସଷ୍ଟାଣ୍ଡରେ ଓହ୍ଲାଇଲା । ସଞ୍ଜ ନଇଁ ଆସୁଥିଲା । ତୋ ବାପା ବଜାରରୁ ଫେରୁଥିଲେ । ହଠାତ ଦେଖା ହୋଇଗଲା । ତା’କୁ ଘରକୁ ନେଇ ଆସିଲେ । ତୋ କଥା ପଚାରିବାରୁ କହିଲା ତୁ ଅଫିସ କାମରେ ବାହାରକୁ ଗଲୁ । ସେହି ଦିନଠାରୁ ସେ ଏଇଠି । ଧିରେ ଧିରେ ସବୁ କଥା ଆମକୁ କହିଲା । ସେତେ ବେଳକୁ ପେଟରେ ପିଲାଟା ଛଅ ମାସର ଥିଲା । ଗାଁ ଡାକ୍ତରଖାନାରେ ତା’ର ଚିକିତ୍ସା କରାଇଲୁ । ତୋତେ ନ ଜଣାଇବାକୁ ସେ କହିଥିଲା । ତୋତେ କେତେଥର ମୁଁ ଜଣାଇବାକୁ ଫୋନ କଲ କରିଛି, କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଭିତରେ କଲ ରିସିଭ କରିନୁ । ପୁରା ତୋରି ଭଳିଆ ହେଇଛି । ସୁଜାତା ତୋରି ବାଟକୁ ଚାହିଁ ରହିଛି । ଏବେ ଯାଏ ନାମକରଣ କରିନି । ସୁଜାତାର ଏକା ଜିଦ୍ ତୁ ତା’ର ନାମକରଣ କରିବୁ । ସିଦ୍ଧାର୍ଥର ଦୁଇ ଆଖିରୁ ଲୁହ ଧାର ଧାର ବହି ଚାଲିଥିଲା...।



Rate this content
Log in

Similar oriya story from Inspirational