Satyaprakash Sethy, M. A(UGC NET)

Others Thriller

5.0  

Satyaprakash Sethy, M. A(UGC NET)

Others Thriller

ଚନ୍ଦକାରେ ଗୋଟେ ରାତି (ଭାଗ 12)

ଚନ୍ଦକାରେ ଗୋଟେ ରାତି (ଭାଗ 12)

6 mins
511


ପୂର୍ବ ଉତ୍ତାରୁ.. ଭାଗ 12 .. 3rd ଡିଗ୍ରୀର ପ୍ରଭାବ.. ଫର୍ଦ୍ଦ ଲେଉଟିଲା... 

ସତ ବାହାରିଲା। ସୁକୁଟା ପ୍ରଧାନ କହିଲା - "ସତ କହୁଛୁ ଆଜ୍ଞା ଆମେ ଜାଣୁନା, କିଏସେ ସେଇ ମାଷ୍ଟର ମାଇଣ୍ଡ । ଆମକୁ ତ ଏ ମାଲ୍ ସବୁ ସେଇ ଚଗଲା ଦିଏ। ସେଇ ଏହି ଧନ୍ଦା ଆମକୁ ଶିଖେଇ ଥିଲା। ତାହାରି ପ୍ରବର୍ତ୍ତନା ଓ ପ୍ରରୋଚନାରେ ପଡି ଆମେ ଏ ଧନ୍ଦାରେ ପଶି ପଙ୍କରେ ଗୋଡ଼ ଖସାଇଲୁ । ସେ ସେସବୁ ମାଲ ବାଦଶାହା ପାଖରୁ ଆଣେ ବୋଲି କହେ। ହେଲେ କିଏ ବାଦଶାହା ବା ସେଇ ଚଗଲା ନିଜେ - ସବୁ କିଛି, ଆମେ ଜାଣୁନା। ମୁଁ କେତେବାର ତାକୁ ବାଧ୍ୟ କରିଛି, ବାଦଶାହା ପାଖକୁ ନେଇ ଯିବାକୁ, ହେଲେ ସେ ଥରୁଟିଏ ନିଏ ନାହିଁ। କହେ ବାଦଶାହା ଭାରି କ୍ରୋଧୀ। ସେ ସାଧାରଣ ଲୋକକୁ କେବେ କଥା କହେ ନାହିଁ, କଥା କହେ କେବଳ ତା' ବନ୍ଧୁକ। ସେ ଖାଲି ଗଣିଗଣି ଅଳ୍ପ କେତେଜଣଙ୍କ ସହ କଥା ହୁଏ।ପୁଣି ଏଠି ଅଳ୍ପ ସମୟ ରହେ, ବେଶୀ ସମୟ ତା'ର ବିଦେଶରେ କଟେ। ତା'ର କୁଆଡ଼େ ବହୁ ବଡ଼ ବଡ଼ କମ୍ପାନୀ ଅଛି। ତା'ର ସେସବୁ କାରବାର ଦେଶ କ' ଣ, ବିଦେଶରେ ବି ଚାଲେ। ତେଣୁ ଏଠାକା କାରବାର ସେ ନୂହେଁ ବରଂ ତା' ଅନୁଗତ ଲୋକ କେଇ ଜଣ ବୁଝନ୍ତି। ତାକୁ ଭେଟିବା ପାଇଁ ବହୁତ ପଇସା ଦରକାର। ଅଧିକ ପଇସାରେ ମାଲ୍ ଖରିଦ କଲେ ସେ ଦେଖା ଦେବ ଓ ସିଧା ସଳଖ କାରବାର ପାଇଁ ଅନୁମତି ଦେବ। ଅବଶ୍ଯ ସେଥିରେ ଅଧିକ ମୁନାଫା ଥାଏ । ତେଣୁ ତୁମେ ଯଦି ଏକାବେଳେକେ ଧନୀ ହେବା ପାଇଁ ଚାହୁଁଥାଅ, ତେବେ ଗାଁ ଜମିଜମା ସବୁ ବିକ୍ରୀ କରି ଆଗ ପଇସା ଠୂଳ କର, ତା' ପରେ ଯାଇ ଯୋଉ କଥା।


ଏହି ପ୍ରକାର ତା ବୁଦ୍ଧିରେ ପଡି ମୁଁ ମୋ ଭାଇକୁ ଶେଷରେ... କହୁ କହୁ ଭୋ ଭୋ ହୋଇ କାନ୍ଦି ପକେଇଲା। ପାଣି ଟୋପେ ଦେଇ ପୁଣି ଉତ୍ସାହିତ କରି କହିଲାଠୁଁ - ", ହଁ ସେଇଠୁ.. ଆଗକୁ ବଢ..କୋଉଠି ବେପାର ହୁଏ, କେମିତି ବେପାର ହୂଏ ", ହୋସ୍ ନେଇ ପୁଣି କହିଲା-

 ହେଲେ ଆମକୁ ଏଇ ଗଞ୍ଜା ଓ ଚରସ, ସେଇଠୁ ଆଣି ସେ ସବୁ ଦିଏ। କହେ - "ଏତିକି ବିକି ସାରିଲେ ଆହୁରି ଆଣି ଦେବି। ବହୁତ ପଇସା ରୋଜଗାର ହେବ।, ତୁମେ ରାତାରାତି ବଡ଼ ଲୋକ ହୋଇଯିବ" । ଭଲ ଦୁଇ ପଇସା ବି ହୁଏ। ଖାଇ ପିଇ ଯାହା ରହେ ଅୟସ ଆରାମ୍ କରୁ। ମୋ ସ୍ତ୍ରୀ ଏଇ ପୁଚୁକାବାଲି ପାଖକୁ, ସେଇ ଚଗଲା ପ୍ରଥମେ ମୋତେ ନେଇଯାଇ ଚିହ୍ନେଇ ଦେଇଥିଲା। ଯେଉଁଠିକି ପ୍ରଥମେ ମୁଁ ନଶା ସେବନ କରିଥିଲି। ପୁଣି ତା ପ୍ରେମ ଜାଲରେ ମୋତେ ଏମିତି ଫଶେଇ ଦେଲା ଯେ, ସେଥିରୁ ମୁଁ ଆଉ ମୁକୁଳି ପାରିଲି ନାହିଁ। ଶେଷରେ ଜବରଦସ୍ତି ତା' ସହ ମୋର ବାହାଘର କରିଦେଲା - ଏଇ ଚଗଲା। ବେଶ୍ କିଛି ଦିନ ସେଇ ପୁଚୁକାବାଲି ଠେଲା ଦୋକାନ ତଳେ ଆମ ବେପାର ଚାଲିଥିଲା।ସେଇ ଠେଲାରେ ନିଶାଦ୍ରବ୍ୟ ରଖି ଗୁପ୍ତରେ କାରବାର ଚାଲେ। ଗରାଖ ସବୁ ଚିହ୍ନା। କିଛି ଅସୁବିଧା ହୁଏ ନାହିଁ ଚିହ୍ନିବାରେ। କାରଣ ଆମର ଗୋଟେ ନିୟମ ଥାଏ ଯେ, ଯେକୌଣସି ନୂଆ ଗରାଖ ଆସିଲେ, ସେ ପ୍ରଥମେ ଜଣେ ପୁରୁଣା ଗରାଖଙ୍କୁ ସାଙ୍ଗରେ ଧରି ଆସିବ, ନୋହିଲେ ଯେତେ ପଇସା ଦେଉନା କାହିଁକି ମାଲ୍ ତାକୁ ମିଳିବ ନାହିଁ। ସେଥିପାଇଁ ଆମେ ପୋଲିସ୍ ହାତରେ ସହଜରେ ଲାଗୁନା। ଗରାଖ ସବୁ ଧରାବନ୍ଧା, ସେମାନେ ଆପେ ଆପେ ଆସି ନେଇଯାଆନ୍ତି। ବଡ଼ ସତର୍କତାର ସହ ଏଇ ବେପାର ସହରରେ ସବୁ ଜାଗାରେ ଚାଲେ। ଏଥିରୁ କିଛି ରୋଜଗାର ହେବା ପରେ ଏବେ ଏବେ ଆମ ବ୍ୟବସାୟ ବଢିଥିଲା ଓ ଆଉ ଟିକିଏ ଭିନ୍ନ୍ ଢଙ୍ଗରେ ଚାଲିଥିଲା ।


ହେଲେ ଦଇବ ସହିଲା ନାହିଁ।ପାପର ଭାଣ୍ଡ ଫୋଡ଼ି ହୋଇଗଲା। ପାପର ପୁଣି ପ୍ରାୟଶ୍ଚିତ ଅଛି। ସବୁ କଥାର ପୂର୍ଣ୍ଣଚ୍ଛେଦ ପଡ଼ିଲା। ଏଇ ମାଙ୍କିଡି ସ୍ତ୍ରୀ ଲୋକଟା ପାଇଁ ଆଜି ମୋର ଏ ଦଶା। ମୁଁ ତାହାରି ବୁଦ୍ଧିରେ ପଡି ଆଜି ସବୁ ହରେଇଛି। ଭାଇକୁ ତ ହରେଇଲି ହରେଇଲି, ତା ସହିତ ବାପ, ଗାଁ ଓ ବନ୍ଧୁ ବାନ୍ଧବ। ସମସ୍ତଙ୍କ ସହ ସମ୍ପର୍କ ଛିନ୍ନ କରି ଦୂରେଇ ଆସିଲି। ହେଲେ ସବୁର ମୂଳରେ ସେଇ ଚଗଲା। ସେ ନଥିଲେ ମୁଁ କାହିଁକି ଏ ପୁଚୁକାବାଲିକୁ ଚିହ୍ନିଥାନ୍ତି ନା ଏତେ କଥା ହୋଇଥାନ୍ତା । ଭାରି ବଦମାସ୍ ଲୋକଟା। ଏ ବେପାର ମୋ ଦେଇ ହୋଇପାରିବ ନାହିଁ, ମୁଁ ବେପାର ଛାଡି ଦେଇ ବରଂ କାମ ଧନ୍ଦା କରି ଚଳିବି ବୋଲି କେତେବାର ତାକୁ କହି ସାରିଥିଲି। ହେଲେ ସେ କ'ଣ ମୋତେ ଛାଡ଼ିଲା? ଜୀବନରୁ ମାରି ଦେବାକୁ ଖାଲି ଧମକ ଦେଲା। କହିଲା - "ଯିଏ ଥରେ ଏ ଅପରାଧିକ ଦୁନିଆରେ ପାଦ ଥାପିବ ସେ ହୂଏତ ଅୟଶ ଆରାମରେ ଜୀବନ ବିତେଇବ ନହେଲେ ମରିବ। ଏଠୁ ଜୀବନ ନେଇ ଯିବା କଷ୍ଟ। ଯିଏବି ଭାଗିଛି ସିଏ ତା ଜୀବନ ବଞ୍ଚେଇ ପାରି ନାହିଁ। ତାକୁ ବାଦଶାହାର ଲୋକମାନେ ଦିନ ଦ୍ଵିପ୍ରହରରେ ବିଚ୍ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣିବେ।ତେଣୁ ଏଠି କେବଳ ବାଦଶାହର ହୁକୁମ୍ ଚାଲେ, ସେଥିରୁ ତିଳେ ମାତ୍ର ବିଚ୍ୟୁତ ହେଲେ ମରିବାଟା ସାର। ଏଇମିତି ସେ ଖାଲି ଡରେଇବ। ସତକୁ ସତ ସେଦିନ ପରା ମୋରି ଆଖି ସାମ୍ନାରେ ମୋ ସାଙ୍ଗ ଖଜୁଟିକୁ ମାରିଦେଲା, ସେ ବେପାର ଛାଡି ଦେବା କଥା କହିବାରୁ।ପୂରା ଛଅ ରାଉଣ୍ଡ ଗୁଳି ତା' ଦେହରେ ଛତର ଛାଉଣୀ କରି ଦେଇଥିଲା। ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଶରୀରଟା ସେଇଠି ଖାଲି ପଡି ରହିଥାଏ, ହେଲେ ଜୀବନ ନଥାଏ ।ତା'ରି ଡରରେ ବା ମୁଁ ବି କିଛି ସତ କଥାଟା ଆପଣଙ୍କୁ କହୁ ନଥିଲି। କାରଣ ମୁଁ ଜାଣିଥିଲି ତା ନାଁଟା ନେଲେ ସେ ହୁଏତ ମୋତେ ମାରି ଦେଇ ପାରେ। କିନ୍ତୁ ଆପଣ ଯେଉଁ ଚୋର ଚଣ୍ଡାଳ ପରିକା ନିସ୍ତୁକ ମାଡ ମାଇଲେଣି ମୋର ବି ତ ଆଉ କିଛି ଉପାୟ ନଥିଲା ସତ କହିବା ବ୍ୟତୀତ। ତେଣିକି ମଲେ ମରିବି ପଛେ, ହେଲେ ସେ ଗ୍ୟାଙ୍ଗଟାସାରା ଧରା ପଡନ୍ତେ କି? ନହେଲେ ଏ ରାଜଧାନୀଟା ରଙ୍ଗଶାଳା ହୋଇଯିବ ନହେଲେ ବାଇ କୋଠିରେ ପରିଣତ ହୋଇଯିବ। ମୁଁ ଆଜ୍ଞା ତା'ର ସବୁ ଗୁପ୍ତ ଠିକଣା ଜାଣିଛି। ତା'ର ଅପରାଧ ଦୁନିଆ ବହୁତ ବିଶାଳ ଓ ଅପରାଧିକ ଫର୍ଦ୍ଦ ବହୁତ ଲମ୍ବା। ଗୋଟି ଗୋଟି ହୁଏତ ଖୋଲିଲେ ଅନେକ କିଛିଟା ଦରଜା ଖୋଲିବ। ସେଟା ଗୋଟେ ନୂହେଁ ଅନେକ ଲୋକଙ୍କୁ ମାରି ଗାଏବ୍ କରି ଦେଇଛି। ସେ ସବୁବେଳେ ଆଗୁଆ ଗୋଟେ ଗାତ ଖୋଳି ରଖିଥାଏ, ଗୋଟାକୁ ମାରିଲେ ସେଇ ଗାତରେ ଆଣି ପୋତିବ, ପୁଣି ଆଉ ଗୋଟେ ଗାତ ଖୋଳି ପ୍ରସ୍ତୁତ ରଖୁଥିବ। ସେହି ଚନ୍ଦକା ଜଙ୍ଗଲକୁ ସେ କବରସ୍ଥାନ କରିଦେଇଛି। କେତେ ଯେ ଶବର ସ୍ତୁପିକୃତ ପାହାଡ଼ ଓ କଙ୍କାଳର ଭଣ୍ଡାର ସେଇଠି ଅଛି ତାହାର କିଛି ହିସାବ ନାହିଁ। ପୁଣି ସେଇଠି ଗୁପ୍ତରେ ଅଛି ତା'ର ବାଇ କୋଠି, ଯେଉଁଠି ସେ ସବୁ ବେଳେ ନିଶା ଖାଇ ମତୁଆଲା ଥାଏ ଓ ନୂଆ ନୂଆ ଝିଅବୋହୁମାନଙ୍କୁ ନେଇ ସେଇଠି ସେ ଉପଭୋଗ କରେ। ନିଜେ ଆଗ ଉପଭୋଗ କରି ସାରିବା ପରେ ସେମାନଙ୍କୁ ବେଶ୍ୟା ସଜେଇ ଦିଏ - ବେଶ୍ୟା।


ସହରରେ ଯେତେ ଚୋରି ଡକାୟତି ଓ ରାହାଜାନୀ ସବୁ ତାହାରି କାଣ୍ଡ। କେତେ ମଦଭାଟି ସହର ସାରା ଖୋଲି, ସେ ମଦ ମାଫିଆ ସାଜିଛି। ରାତିରେ ଜୁଆ ଆଡ୍ଡା ଖୋଲି ମଦ ପିଇ ସେଇଠି ସେ ଝୁମେ। ବାଦଶାହାର ସେ କୁଆଡ଼େ ଡାହାଣ ହାତ - ସେ ତ ନିଜେ ଏ କଥାଟା କହେ। ଲୋକଟା ଭାରି ଭୟଙ୍କର, କଳା ମଚମଚ ତାହାର ଚେହେରା। ଖାଲି ହୂଙ୍କାରି ଆସୁଥିବ, ଭାରି ଗର୍ଜନ ତା'ର।

ସତ କହୁଛି ଆଜ୍ଞା! ମୁଁ ସିନା ବଡ଼ ଭାଇ ପଣିଆ ଦେଖେଇକି ସେ ସାନ ଟୋକାଟା ଉପରେ ସଦାବେଳେ ହୁମୁ ହୁମୁ ହୁଏ- ମାରିବାକୁ, ହେଲେ ମୋ ହାତ ଯାଏ ନାହିଁ ମାରିବାକୁ। କେତେବେଳେ କେମିତି ଅବଶ୍ୟ ମାରି ଗୋଡାଇବାର କେହି ଦେଖିଥିବେ, ହେଲେ କେବେ ମାରି ନାହିଁ। ସେଦିନ ଖାଇପିଇ ଶୋଇଲା ପରେ ଚଗଲା ଆସିଲା। ତାକୁ ମୋ ସ୍ତ୍ରୀ ସବୁକଥା ଦିନରୁ ଜଣାଇ ଯୋଜନା କରି ଡାକିଥିଲା। ସେ ଆଗୁଆ ଗାତ ଖୋଳି ଆସିଥିଲା। ମୁଁ ଶୋଇଥିଲି ମୋ ସ୍ତ୍ରୀ ମୋତେ ନଜଣାଇ ତା ତଣ୍ଟିରେ ରଡ଼ ପକାଇ ତାକୁ ମାରିଦେଲେ। ମୁଁ ଜାଣି ପ୍ରତିବାଦ କରିବାରୁ ମୋତେ ବିଭିନ୍ନ୍ ପ୍ରକାର ଧମକେଇ ସେଇଥିରେ ସାମିଲ କରିଦେଲେ ମୁଁ କିଛି କରିପାରିଲି ନାହିଁ। ଶେଷରେ ମୋ ଭାଇଟା ମରିଗଲା। ଏତିକି କହି ସେ କୋଡ଼ି ଛେଚି ହୋଇ ଖାଲି ଭୋ ଭୋ ହୋଇ କାନ୍ଦିଉଠିଲା। ପୋଲିସବାଲା ତାକୁ ବୋଧ ଦେଇ ଶାନ୍ତ କଲେ।


ଏଥର ପୂରା ଘଟଣାଟିକୁ ବୁଝିବାକୁ ପୋଲିସ୍ ଅଧିକାରୀଙ୍କର ଆଉ ବିଶେଷ କିଛି ଅସୁବିଧା ନଥିଲା। ତଥାପି ସେ ୟାକୁ ଛାଡି ତା'ସ୍ତ୍ରୀକୁ ଧରିଲେ। ଲେଡିଜ କନଷ୍ଟେବଲ କଷିକି ତାକୁ ଆଉ ଦିପାହର ଚଢ଼େଇଲା। କହିଲା-"ୟାଠାରୁ ଆଉ ଅଧିକା ତୁ କ'ଣ ଜାଣିଛୁ- କହ। ନହେଲେ ଆହୁରି ମାଡ ଖାଇବୁ" । ମାଡ ଭୟରେ ନିଜ ହାତରେ ନିଜ ଶରୀରଟାକୁ ହାତ ଦେଖେଇ ରକ୍ଷା କରୁ କରୁ, କହୁଛି! କହୁଛି!! - କହି, ସେ ସବୁ ସତ କହି ପକେଇଲା।

-କହିଲା - ଚଗଲା ଘର ଏଇ ଚନ୍ଦକା ଜଙ୍ଗଲରେ। ସେଇଠି ଅଛି ତା'ର ଆଡ୍ଡାସ୍ଥଳୀ। ସେଇଠୁ ରହି ସେ ତା'ର ଧନ୍ଦା ସବୁ ନିର୍ବିଘ୍ନରେ ଚଳାଏ ଓ ଚାରିଆଡକୁ ନିର୍ଦ୍ଦେଶ ଯାଏ। ତାହାକୁସବୁ କାର୍ଯ୍ୟକାରୀ କରିବା ପାଇଁ ତା'ପାଖରେ ଦଳେ ଗୁଣ୍ଡା ରହିଛନ୍ତି। ସେଇମାନେ ତାକୁ ସବୁ କଥାରେ ସାହାଯ୍ଯ କରୁଛନ୍ତି ବୋଲି ସେ ଆଜି ଏଡ଼େ ବଡ଼ ସମ୍ରାଜ୍ୟର ଅଧୀଶ୍ଵର ହୋଇ ବସିଛି। କେତେ ଝିଅବୋହୂଙ୍କର ଇଜ୍ଜତକୁ ନେଇ ସେ ଖେଳ ଖେଳିଛି। ମୋ ଇଜ୍ଜତ୍ ମଧ୍ଯ ସେ ପ୍ରଥମେ ଲୁଟି, ତା' ପରେ ତା ଅନୁଚରମାନେ ଭୋଗ କରିଥିଲେ। ସେଦିନର ମୁଁ ଗରୀବ ନିଃସହାୟ ଝିଅଟି କେତେ କାକୁତି ମୀନତି ବିଚାରୀ ନହୋଇଛି। କିନ୍ତୁ ସେମାନଙ୍କର ଠୋ ଠୋ ହସ ଭିତରେ ଲୁଚି ଯାଇଥିଲା ମୋର ବହୁ ଦିନର ସଞ୍ଚିତ କୁଆଁରୀତ୍ୱ।ସେଦିନ ମୁଁ ମନେ ମନେ ଶପଥ ନେଇଥିଲି ବଦଲା ନେବା ପାଇଁ। ତା' ପରେ କିନ୍ତୁ ସେ ମୋତେ ତା ଧନ୍ଦାରେ ଲଗାଇ ଦେଲା। ମୋର କିଛି ଉପାୟ ନଥିଲା। ମୁଁ କେବଳ ତା'ରି ଇଶାରାରେ ନାଚେ। ସୁକୁଟା ପରି କେତେକଙ୍କୁ ବୋକା ବନେଇବାକୁ ସେ ମୋତେ କହେ। ତା ପାଖରେ ଏମିତି ଅନେକ ଅଛନ୍ତି ମୁଁ କେବଳ ତା ଭିତରୁ ଗୋଟେ। ଖାଲି ଏତିକି ନୂହେଁ ସେ ବେଶ୍ୟାଳୟ ଚଲାଏ ଓ ତା'ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମଧ୍ଯ ବିକେ।ଜୁଆ ଆଡ୍ଡା ଖୋଲେ, ଡକାୟତି କରେ। ସବୁକିଛିର ମାଷ୍ଟର ମାଇଣ୍ଡ ହେଉଛି, ଏଇ ଚଗଲା। ମୁଁ ସୁଯୋଗ ଉଣ୍ଡୁଥିଲି, ସାହସ ପାଉ ନଥିଲି - ବଦଲା ନେବା ପାଇଁ - କହି, ନୁଥ୍ କରି ବସି ପଡି କାନ୍ଦିବାକୁ ଲାଗିଲା।

ଏ ଜଟିଳ ଘଟଣା ପାଇଁ ମୁଣ୍ଡ ବିନ୍ଧୁ ଥିଲା, ପୋଲିସ୍ ଅଧିକାରୀଙ୍କର। ସେ ଯେମିତି ଘଞ୍ଛ ଜଙ୍ଗଲ ଭିତରେ ବାଟବଣା ହୋଇ ଯାଉଥାନ୍ତି।କାହାଣୀର ଗତି କେଉଁଠୁ ଆରମ୍ଭ ହୋଇ କେଣକି ମାଡ଼ି ଯାଉଥାଏ ସେ ଠଉରେଇ ପାରୁ ନଥାନ୍ତି। କେସ୍ ର କୋଉ ଦିଗଭାଗ ନେଇ ବିଚାର କରିବେ ଭାବି ପାରୁ ନଥାନ୍ତି। ଅଧୈର୍ଯ୍ୟ ହୋଇ ମୁଣ୍ଡଟାକୁ ଚିପି ଧରିବସି ପଡିଲେ।


ଦୁଆର ମୁହଁରେ ଦ୍ଵାର ପାଳ ହୋଇ ଜଗି ରହିଥିବା ମାଇ ଅଣ୍ଡିରା କି କନେଷ୍ଟବଲ ହଳକ କଥା ହେଉଥିଲେ -" ଅପରାଧିକ ଦୁନିଆଟା ପରା ଏୟା ।ଅପରାଧିକ ମାମଲାରେ ଇଏ ତାକୁ, ସେ ୟାକୁ ଦୋଷୀ କରି ସମସ୍ତେ ଖସିବେ। ପ୍ରକୃତ ଦୋଷୀ କିଏ ଜାଣିବା ପାଇଁ, ସେଇଥି ସକାଶେ କୋର୍ଟ କଚେରୀରେ ଯାଇ ମାମଲା ଫିଟ୍ ହୁଏ । ସେ କୋର୍ଟ କଚେରୀରେ ପୁଣି କେତେ ନୂଆ ନୂଆ ମୋଡ ଆସିଯାଇ ପାରେ। ଘଟଣାଟା କ'ଣ ଏଇଠି ସରିଲା କି ଲୋ! ଲୋ ଚାମେଲୀ! ଆହୁରି ବହୁତ ବାକି "।ଚାମେଲି ଉତ୍ତର ରଖୁଥାଏ -" ହଉ ହଉରେ ରାଇକିଆ, ତୁ ଆଉ ଏତେ ଛଟକ ଦେଖାନା,ଆମ ସାରଙ୍କଠାରୁ ତ ତୋ ବୁଦ୍ଧି ଅଧିକା"।ଏ କଥା ଶୁଣି କନେଷ୍ଟବଲଟି ନିଜ କଲରଟାକୁ ଟିକିଏ ଷ୍ଟାଇଲ୍ ରେ ଝାଡ଼ି ଦେଉ ଦେଉ ଆଉ ଟିକିଏ ବେଶୀ ରଙ୍ଗିଲା ଦେଖାଉଥାଏ।

କ୍ରମଶଃ... 

ଭାଗ 13. Operation raid.. ଜଳିଗଲା ଆଡ୍ଡା ..


Rate this content
Log in