Satyaprakash Sethy, M. A(UGC NET)

Thriller

4.4  

Satyaprakash Sethy, M. A(UGC NET)

Thriller

ଚନ୍ଦକାରେ ଗୋଟେ ରାତି ( ଭାଗ -୦୨ )

ଚନ୍ଦକାରେ ଗୋଟେ ରାତି ( ଭାଗ -୦୨ )

9 mins
627


ଗାଡି ଆସି କଟକରେ ଲାଗିବା ଯାଏଁ ଆଉ କେହି ବାଟରେ କେଉଁଠି ଚା' ଜଳଖିଆ ପାଇଁ ଅଟକି ନାହାଁନ୍ତି। ପରସ୍ପରେ କେହି କାହାକୁ ବିଶେଷ ଆଉ କଥା ବାର୍ତ୍ତା ମଧ୍ଯ କରି ନାହାଁନ୍ତି। ଖାଲି ଚୁହାଁଚୁହିଁ ଓ ଭଗବାନଙ୍କୁ କୃତଜ୍ଞତା ବ୍ୟତୀତ।

ଘର ଆଗରେ ଗାଡି ପହଞ୍ଚିବାରୁ ଗାଡି ଶବ୍ଦ ଶୁଣି "ହେଇ ବାପା ଆସିଲେଣି" କହି ପିଲାମାନେ ଦୌଡ଼ି ଆସିଲେ। କିନ୍ତୁ ପତ୍ନୀ ଏକଦମ୍ ଚୁପ୍।ସତେକି ନିଶ୍ଚଳ ଦେବୀ ମୂର୍ତ୍ତିଟିଏ, ଅପଲକ ଓ ନିର୍ନିମେଷ ନେତ୍ରରେ ଚାହିଁ ରହିଛନ୍ତି-ଦେଖିବା ପାଇଁ ଜଗତ ବେଭାର। ଆଖି ଛଳଛଳ କରି ଘର ଭିତରୁ ଥାଇ ଖାଲି ଅନାଇଲେ। ନୀରବରେ ଚାହିଁ ରହିଥାନ୍ତି ଗୋଡଠୁଁ ମୁଣ୍ଡ ଯାଏଁ । ମନେ ମନେ ଉପରକୁ ଦୁଇ ବାହୁ ଟେକି, କାହାକୁ କିଛି ବୋଧେ କହିଲେ - ଗୁଣୁଗୁଣୁ ହୋଇ। ଈଶ୍ବରଙ୍କୁ ଧନ୍ୟବାଦ ଦେଉ ନଥିଲେ ତ? ଯାହା ବି ହେଉ ଏମାନଙ୍କ ଚେହେରାରୁ ସେ ସ୍ପଷ୍ଟ ବୁଝି ଯାଉଥିଲେ ଯେ, ଏମାନେ ବୋଧେ ରାତି ସାରା ଶୋଇ ନାହାଁନ୍ତି, କାରଣ ବେଶ୍ କ୍ଳାନ୍ତ ଜଣାପଡୁଥାଏ - ମୁଖମଣ୍ଡଳରୁ । "ଶୀଘ୍ର ଗାଧୋଇ ପଡ଼" - କହି, ସେ ରୋଷେଇ ଘର ଭିତରକୁ ପଶି ଗଲେ। ହାତରେ ଚା ଜଳଖିଆ ଧରି ଫେରିଲା ବେଳକୁ, ଏମାନେ ସମସ୍ତେ ଡାଇନିଂ ଟେବୁଲ୍ ଚାରିପଟେ । ପିଲାମାନେ ପଚାରି ହେଉଥାନ୍ତି - "ବାପା! ତୁମେ କାହିଁକି ଫେରିଲ ନାହିଁ? ରାତିରେ କାଲି କେଉଁଠି ଥିଲ?? ମାଆ ପରା ବ୍ୟସ୍ତ ହେଉଥିଲା, ରାତିସାରା ଶୋଇ ନାହିଁ"। ରାମହରି ବାବୁ ତଥାପି ନୀରବ, କିଛି କହିଲେ ନାହିଁ। ବୋଧେ ଅପେକ୍ଷା କରିଥାନ୍ତି ସୁରେଖା ଦେବୀଙ୍କ ରାଗଟା ଥଣ୍ଡା ହେବା ଯାଏଁ। ଚା'ଟା ବି ଏପଟେ ଥଣ୍ଡା ହେଉଥିଲା। ଚଟାପଟ ଦୁଇବନ୍ଧୁ ଜଳଖିଆ ଟିକକ ଚାଟି ଦେଲେ। ଚା ପିଆଲାରେ ଓଠ ଦେଉ ଦେଉ, ହଠାତ୍ ବନ୍ଧୁ ଆରମ୍ଭ କଲେ - "ଭାଉଜ! ତୁମ ପାର୍ଥନା ଓ ମାଆ କଟକ ଚଣ୍ଡିଙ୍କ କୃପାରୁ ଆମେ ଦୁହେଁ ଅଳ୍ପକେ ବର୍ତ୍ତିଗଲୁ। ନୋହିଲେ କାଲି ଯେଉଁ ଭୂତ ହାବୁଡରେ ପଡ଼ିଥିଲୁ ନା , ବଞ୍ଚିବା ନିଶ୍ଚୟ କଷ୍ଟ ଥିଲା। ସବୁ ଶୁଣି ସାରିଲେ, ତୁମ ରାଗଟା ଏକଦମ୍ ଶାନ୍ତ ହୋଇଯିବ-ହଁ ଏକଥାଟା ମୁଁ ଜାଣିଛି " । ସମସ୍ତଙ୍କ ମନରେ ଉତ୍ସୁକତା, ଘଟଣାଟା ଶୁଣିବା ପାଇଁ ଆଗ୍ରହ। ସୁରେଖାଙ୍କ ମନରେ କିନ୍ତୁ ଉଦବେଗ ଓ ବ୍ୟସ୍ତତା ବଢି ବଢି ଯାଉଥାଏ।ଧମନୀରେ ରକ୍ତ ପ୍ରବାହ ବଢି ବଢି ଯାଉଥାଏ। କହିଲେ - "କ'ଣ ହେଲା? ସତ କଥାଟା ଶୀଘ୍ର ଖୋଲି କହିବଟି! ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ, କାନ୍ଦି ପକେଇବି ସତ କହୁଛି" । ଏତିକି କହି କାନିରେ ଆଖି ପୋଛୁଥାନ୍ତି। ଜଣେ ବକ୍ତା ଆଉ ଜଣେ ଶ୍ରୀପାଳିଆ ଓ ଅନ୍ୟ ସମସ୍ତେ ବିମୁଗ୍ଧ ଶ୍ରୋତା। କଥାଟା ସରି ଆସିଲା ବେଳକୁ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ଉଠୁଥାନ୍ତି। ସୁରେଖା କହିଲେ -" ଏଇ କଥାଟା ଯଦି ସତ ଆମେ ତେବେ ତାକୁ ନିଶ୍ଚୟ ନ୍ୟାୟ ଦେବା। ତୁମେ କ'ଣ ଭାବୁଛ"? ରାମହରି ବାବୁ କହିଲେ"-"ହଁ..ହଁ.. ମୁଁ ଠିକ୍ ସେଇ କଥା ଭାବୁଛି, ନହେଲେ ଶାନ୍ତିରେ ବସି ହେବ ନାହିଁ"। ପିଲାମାନେ କିଛି ବୁଝନ୍ତୁ ବା ନବୁଝନ୍ତୁ କିନ୍ତୁ ହୋ ହୋ ହୋଇ ଉଠିଲେ - "ହଁ ହଁ... ଠିକ୍ ଠିକ୍, ଭୂତକୁ ଆମେ ନ୍ୟାୟ ଦେବାରେ ନ୍ୟାୟ ", ଏ କଥାଟା କହି ଦୌଡ଼ାଦୌଡ଼ି ହୋଇ ଚାଲିଗଲେ ହରର ସିରିଏଲଟା ଖୋଲି ଦେଇ ଟି. ଭି ପାଖରେ ବସିପଡିଲେ ।ଏଥର ଦୁଇ ବନ୍ଧୁ ବାହାରୁ ଥିଲେ, ପତ୍ନୀ କହିଲେ - "ମୁଁ ତୁମକୁ ମନା କରୁନାହିଁ, ହେଲେ ଆଗ ଟିକେ ବିଶ୍ରାମ ନେଇଯାଅ"। ଘଣ୍ଟାଏ ଖଣ୍ଡ ଶୋଇଛନ୍ତି କି ନାହିଁ, ରାମହରି ବାବୁ ଛଟପଟ ହୋଇ ଉଠି ପଡ଼ିଲେ। କହିଲେ -" ଚାବିକାଠିଟା ଦିଅ! ଆମେ ଟିକିଏ ଢେଙ୍କାନାଳରୁ ଯାଇ ଫେରିଆସୁ" । ସାଙ୍ଗରେ ପତ୍ନୀ ବାହାରିବାରୁ ତିନିହେଁ ସାଙ୍ଗ ହୋଇ ଗଲେ। 

ବାଟ ସାରା ସେହି ଏକ ଭାବନା ରାଜି ମୁଣ୍ଡ କୁ ଘାରୁ ଥାଏ।

ଗାଡ଼ିଯାଇ ବଡ଼ ଖୁମ୍ବାରେ ପହଞ୍ଚିଲା ପରେ ଖୋଳତାଡ଼ ଆରମ୍ଭ ହେଲା। ଅବଶ୍ଯ ବାଟସାରା ଚା ପାନ ଖାଇବା ବାହାନାରେ ଅନେକ ଲୋକଠୁଁ ଅନେକ କିଛି ବେଉରା ନିଆ ଯାଇଛି, ଫଳରେ ଏଠି ପହଁଞ୍ଚିବାଟା ତ ସୁଗମ ହୋଇଛି। ଲୋକଙ୍କୁ ପଚାରିଲେ - "ସୁଦାମ ବାବୁଙ୍କ ଘରଟା କୋଉଠି" ? " ତୁମେ କିଏ" ପାଲଟା ପ୍ରଶ୍ନର ସହଜ ଉତ୍ତର ରଖିଲେ-" ଆମେ ସୁଦାମର ବନ୍ଧୁ, ଅନେକ ଦିନ ହେବ ସୁଦାମର ଖବର ଅନ୍ତର କିଛି ପାଇ ପାରିନାହୁଁ ତ ,ସେଇଥି ଲାଗି ଭାବିଲୁ ତା 'ଘର ଆଡ଼େ ଯାଇ ଟିକେ ବୁଲି ଆସିବୁ" । ଲୋକଟାର ବିଶ୍ବାସ ଆସିଲାଠୁଁ ଆତ୍ମୀୟତା ଯୋଡ଼ିଲା । ସେଠି ଗାଁ ମୁଣ୍ଡ ଖଟି ଦୋକାନରେ ଉପସ୍ଥିତ ଆଉ ଦି ଚାରି ଜଣ ମଧ୍ୟ ଉଠି ଆସିଲେ। କହିଲେ-" ବାବୁ! ଏଇଠି ଗାଡି ରଖି ଦିଅ, ଆମେ ଚାଲି ଚାଲି ଯିବା। ଭଙ୍ଗା କୁଟୀରଟି ଖାଲି ଦେଖି ଆସିବେ, କେମିତି ଶ୍ରୀହୀନ ହୋଇ ପଡ଼ିଛି"। ବିଭିନ୍ନ୍ ଲୋକ ବିଭିନ୍ନ୍ ପ୍ରକାରର ପ୍ରସଙ୍ଗ ସବୁ, ଏକାବେଳକେ ଉତଥାପନ କରୁଥାନ୍ତି। ତେଣୁ ସବୁଗୁଡାକ ମନେ ରଖିବା ପ୍ରାୟତଃ ସମ୍ଭବପର ନଥିଲା। ହେଲେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ମନ କ୍ୟାନ୍ଭାସରେ ଆଙ୍କି ହୋଇଯାଉଥିଲା। ଯାହାକି ହୃଦୟକୁ ଭାରି କଷ୍ଟ ଦେଉଥିଲା। ସେମାନେ ମୋଟାମୋଟି ଯାହା କହୁଥିଲେ, ତାହାସବୁ ସେଦିନ ରାତିରେ ଚନ୍ଦକା ଜଙ୍ଗଲରେ କହୁଥିବା, ଯୁବକଟିର କଥା ସହିତ ପ୍ରାୟତଃ ତାଳମେଳ ଖାଉଥାଏ। ସେମାନେ କହୁଥାନ୍ତି -

"ଏମାନେ ଆଜ୍ଞା! ଦୁଇ ଭାଇ। ବଡ଼ ଭାଇ ଭୁବନେଶ୍ଵର ଗୋଟେ ଚାକିରୀ କରନ୍ତି, ସେଇଟା ଏକ ନମ୍ବରୀ କି ଦୋ ନମ୍ବରୀ ଚାକିରୀ ଭଗବାନ ଜାଣନ୍ତି। କିନ୍ତୁ ଭଲ ଦୁଇ ପଇସା ତ ରୋଜଗାର କରେ। ଗୋଟେ ନାଲି କାର ମାରୁତି ୮୦୦ ଧରି ବୁଲେ। ସାନ ଭାଇ କେଉଁଆଡ଼େ ଗୋଟେ ଯାଇଥିଲା ଯେ ଯାଇଛି, ଆଉ ଘରକୁ କାହିଁ ଏଯାଏଁ ଫେରି ନାହିଁ। ଏସବୁ ସେହି ବଡ଼ର ଚାଲ ବି ହୋଇପାରେ। ସମ୍ପତ୍ତି ଖାଇବ ବୋଲି ତାକୁ ମାରିମୁରା ଦେଇଥିବ କି ନାହିଁ - ସନ୍ଦେହ । ଯେତେବେଳେ ତ ଘରକୁ ଆସିବ ଖାଲି ଟିକିଏ କଥାରେ ହୁମୁ ହୁମୁ ହେଉଥିବ ଓ ତାକୁ ମାରି ଗୋଡ଼ାଉଥିବ। ସେ ଖଣ୍ଡକ କ'ଣ କମ୍ କି? ଭାରି ଚାରିଶହ ବିଶ। ପକ୍କା ଖିଲାଡୀ। ଖୁମ୍ମା କୋହୁଣିଆଟେ ।ପାଞ୍ଚ ପଦରେ ପଦେ କହୁଥିବ, ଭାରି ଗୁମାନ । ହେଲେ କଲିଏ କଥାକୁ ପାଞ୍ଚ କଲି କରି ଅନ୍ୟ ଆଗରେ ବଖାଣିବା ତା'ର ଅଭ୍ୟାସ । ସୁଦ କାଳିଆଟା। ସେ ସିନା ସହରରେ ବୋଲି ଚଳି ଯାଉଛି, ନହେଲେ ଆମ ଗାଁ ହୋଇଥିଲେନା ତାକୁ ମଜ୍ଜା ଚଖେଇଥାନ୍ତୁ। ମାରିକି ତା ହାଲୁଆ ଟାଇଟ୍ କରି ଦେଇଥାନ୍ତୁ। ଯାହା କୁହନ୍ତୁ ଆଜ୍ଞା! ଲୋକଟା ଆଦୌ ଭଲ ନୂହେଁମ, ଏକ ନମ୍ବର ପାଜିଟା"।

ଏଥର ଗାଁ ମାଝି ଦାଣ୍ଡ ଡେଇଁ ତାଙ୍କ ଘରଠିଁ ପହଞ୍ଚିଗଲେଣି । ଲୋକମାନେ ଚିହ୍ନେଇ ଦେଉଥାନ୍ତି -" ହେଇ.. ହେଇ.. ହେଇଟା ତାଙ୍କ ଘର" । ଘର ଢିଅରୁ ଖାଲି ଚେନାଏ ଖଣ୍ଡ ଯାହା ପଡ଼ିଛି- ଘରଟା ଥିବା ସକାଶେ। ସେହି ମଳାକ ଯାହା ପୂର୍ବ ପୁରୁଷର ସନ୍ତକ। ଲତାପତ୍ର ଆଦି ମାଡ଼ି ଗଲାଣି। ନିଅଂଶୀ ଢିଅଟା ଭଳି ଦିଶୁଛି। ସାନ ଲାପତା ହେଲାଦିନଠାରୁ ସବୁକିଛି ଶ୍ରୀହୀନ ହୋଇ ଯାଇଛି। ବଡ ତ ଗାଁ ଜମିଜମା ସବୁ ବିକିବା ପାଇଁ ମସୁଧା କରି, ବାପାକୁ ନେଇ ଏବେ ଭୁବନେଶ୍ବରରେ ରଖିଛି।ହେଲେ ବାପକୁ ଗଣ୍ଡେ ଶାନ୍ତିରେ ଖାଇବାକୁ ଦେଉଥିବ କି ନାହିଁ, ନନ୍ଦୀଆ (ନନ୍ଦଲାଲା) ଜାଣେ। ଏଠି ବିକ୍ରି ଟିକିରି କରି ସବୁ ଖତମ କରି ଦେଇଛି। ଆଉ କ'ଣଟେ ଅଛି ଯେ, ଚୋପାଟେ ଖାଇବ। ବୋପା ପୁଅ ଦୁଇଟା ଏଠୁ ଗଲା ଦିନଠୁଁ ଆଉ କେହି ଦିନେକାଳେ ଏଠାକୁ ଆସି ନାହାଁନ୍ତି-ଭଲମନ୍ଦ ଟିକିଏ ପଚାରି ବୁଝିବା ପାଇଁ । ତେଣୁ ତାଙ୍କ ଖବର ସେଇ ଭୁବନେଶ୍ବର ବାସିନ୍ଦା ହିଁ କହିପାରିବେ। ସାନ ପିଲାଟା କିନ୍ତୁ, ମାନେ ତୁମ ସାଙ୍ଗ ବା, ସୁଦାମ ଯାହା ନାଁଟା ନୂହେଁ କି, ସେ ତ ହୀରା ଖଣ୍ଡେ। ଭାରି ଶାନ୍ତ ସୁଧାର ପିଲା, ଯୋଗାଡିଆ ବି। ଘର କରଣଟା ସେ ସିନା ସମ୍ଭାଳିଥିଲା ।ପାଠସାଠ ବି ଦି ଅକ୍ଷର ତ ପଢିଥିଲା, ହେଲେ ଚାଷବାସ ପ୍ରତି ତା'ର ଭାରି ନିଘା। ଗଛ ବୋଲି କୋଉ ଗଛଟା ତା ବାଡିରେ ଆଉ ନାହିଁକି ? ଦୁନିଆ ଯାକର ଯେତିକି ଗଛ, ସବୁ ପରା ତା' ବାଡ଼ିରେ । ହେଲେ କୁଚକ୍ରାନ୍ତରେ ପଡି ବଡ଼ଟା ସବୁ ଉଜାଡ଼ି ଦେଲା। ସେଟା ତ ସୁଦ ଉପର ମୁହାଁ, ତେଣୁ ତା କଥା ନକହିଲେ ବରଂ ଭଲ। କେଉଁଠୁ ଗୋଟେ ପୁଚୁକାବାଲିକୁ ଘରେ ଆଣି ରଖିଛି। କାହାକୁ କିଛି ନକହି, ଭଲ ପାଇ ବାହା ହୋଇ ପଡ଼ିଛି। ସେ ଘର କଥା କି ଗାଁ କଥା କିଛି ବୁଝେ ନାହିଁମ ବାବୁ! ବାପା ମାଆ ଦିଟା କଷ୍ଟ କରି, ପିଲାଦିନରୁ ସହରରେ ରଖି ତାକୁ ପାଠ ପଢାଇଲେଯେ, ଏଟା କିନ୍ତୁ ସବୁ ଭୁଲି ଗଲା। ଆଚାରବିଚାର ଓ କୂଳବଂଶ ମର୍ଯ୍ୟାଦା ବୋଲି ତା'ପାଖରେ କିଛି ନାହିଁ। ସବୁ ଖାଇ ପୋଡି ଅଙ୍ଗାର କରିଦେଇଛି। ଘର ଢିଅ ପର୍ଯ୍ୟନ୍ତ ସବୁ ବିକି ଯିଏ ବାପ ଗୋସିବାପର ନାମ ନିଶାନ୍ ପର୍ଯ୍ୟନ୍ତ ମିଟେଇଦେଇଛି - ତାକୁ କ' ଣ କହିବ । ଭାରି ହିଂସି କୁଟିଆଟା ।ସେଇମିତି ମାଆ ମଘା କାମ ବେଳକୁ ଆସିଥିଲା ଯେ , ପଇସା ପତ୍ର ତ କିଛି ଦେଲା ନାହିଁ ଦେଲା ନାହିଁ, ଓଲଟା ଭାଗବଣ୍ଟରା ଆଳରେ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲା। ଶେଷରେ ବାରଦିନଟାରେ ଘରୁ ବନ୍ଧୁବାନ୍ଧବ ସବୁ ବିଦାବିଦି ନହେଉଣୁ, ସ୍ତ୍ରୀକୁ ଧରି ଭୁବନେଶ୍ବର ପଳେଇଗଲା। ଏ ଗୋଟେ କଥା କି ହେ!

   କିନ୍ତୁ ଏ ସାନ ଟୋକାଟା ଭିନ୍ନ୍ ଏକ ମଣିଷ, ଭାରି ଭଲ ପିଲାଟେ। ସବୁ କଥାକୁ ଦେହକୁ ନେଇ ମୁଳିଆ ଭଳିଆ ଖଟିବ। ଆମ ଗାଁର ସେ ପରା ସମସ୍ତଙ୍କର ପୁଅ ପୁତୁରା। କେହି ତାକୁ ଅଶ୍ରାଦ୍ଧା କରନ୍ତି ନାହିଁ । ସବୁ କାମକୁ ସେ ତ ଆଗ ଡାକରା। ତା ପାଇଁ ମନଟା ଯାହା ଛଟପଟ ହେଉଛି ନା, ସେ କଥାଟା ଆପଣ ବୁଝି ପାରିବେ ନାହିଁ। ସେ ପିଲାଙ୍କର ସୁଦାମା ଓ ଆମ୍ଭ ମାନଙ୍କର ନନ୍ଦଲାଲା କହ୍ନେୟା। ତା ଭଳି ପିଲା କୋଟିକରେ ଗୋଟେ ସିନା। "ଆଃ.. ଚୁ ଚୁ" ବୃଦ୍ଧ ଲୋକଟେ କହି ପକାଉଥାନ୍ତି। ସେ ଭାରି ବ୍ୟସ୍ତ ହେଉଥାନ୍ତି, ଯେମିତି ସେ ତା'ର ଆପଣାର କେହି।

 ଏବେ କଥାଟା ବୁଝିବାକୁ ଆଉ କିଛି ବାକି ନଥିଲା। ଘଟଣାଟା ସତ ବୋଲି ହୃଦବୋଧ ହେବା ପରେ ଆତ୍ମାଟି ପ୍ରତି ଏମାନଙ୍କ ମନରେ ଥିବା ସନ୍ଦେହ ଓ ଭୟଭାବ ଧୀରେ ଧୀରେ ଦୂରୀଭୂତ ହେଉଥିଲା। ମନରେ ଏବେ ଦରଦ। ଦୟା ଓ କରୁଣାରେ ହୃଦୟ ବିଗଳିତ ହୋଇ ଯାଉଥାଏ। ସତକୁ ସତ ହେଇ ସୁରେଖା ଆଖିରୁ ତ ଦୁଇ ଠୋପା ଲୁହ ନିଗିଡି ପଡ଼ିଲାଣି। ତାକୁ ନ୍ୟାୟ ଦେବା ପାଇଁ ମନଟା ଚଞ୍ଚଳ ହୋଇ ଉଠୁଥାଏ। ସଙ୍କଳ୍ପ ମଧ୍ଯ ଦୃଢ଼ ହେବାକୁ ଲାଗିଲା। ହେଲେ ଅସଲ କଥାଟା ସେମାନଙ୍କୁ କହିବାକୁ, ରାମ ହରି ବାବୁଙ୍କର ସାହସ ନଥାଏ। ସେ ଖାଲି ଏତିକି କହିଲେ - "ମୋର କାହିଁକି ମନେ ହେଉଛି ତାକୁ ହୁଏତ କେହି ମାରିମୁରା ଦେଇ ପାରିଥାନ୍ତି ? ଏତିକି ଶୁଣି, ଗାଁ ଟୋକା ଗୁଡାକ ଭିଡ଼ି ଆସିଲେ। କହିଲେ -" ଅନାନି ବାବୁ! ଆମ ସୁଦାମା କଥା ସେମିତି କହିବେନି , ହଁ.. କହି ଦେଉଛୁ"। ବୟସ୍କମାନେ ମଧ୍ଯ କହିଲେ -" ସେ କାଳ କଥା ଗୁଡାକ ମୁହଁରେ ଧରନ୍ତିନି। ଆମ ସୁଦାମା ପରି ପିଲା ମିଳିବେ ନାହିଁ। ସେ ଯେମିତି ଶାନ୍ତ ସୁଧାର ସେମିତି ସବୁ କାମକୁ ଆଗଭର। ଗାଁର ଯାନିଯାତ୍ରା, ମହୋତ୍ସବ ଠାରୁ ଆରମ୍ଭ କରି ସବୁ କାମ ପରା ତା କାନ୍ଧ ଉପରେ - ଆମେ ଦେଇଥାଉ। ସବୁ ଭଲ କାମକୁ ଦେହ ପତେଇ ଦେବ। କାହାରି ଭଲମନ୍ଦ ହେଲେ ବୋହି ନେଇ ମେଡିକାଲକୁ ଧାଇଁବ। ରାତି ଅଧରେ ପରା ଘରୁ ଉଠି ଆସିବ। ଏପରି ପରୋପକାରୀ ପିଲା ଆମେ କାହିଁ ଆଉ କାହାକୁ ଦେଖିନାହୁଁ। ରାମହରି ବାବୁ କହିଲେ _"ତାହେଲେ ଆପଣମାନେ ତା'ର ଖୋଜ୍ ଖବର ନେଲେ ନାହଁ କାହିଁକି? ନହେଲେ ତ ଏଫ୍ ଆଇ. ଆର୍. ଦେଇ ପାରିଥାନ୍ତେ "। ସେମାନେ କହିଲେ -" ତା' ବାପ ଭାଇ ତ ମୁଣ୍ଡ କାନ ହଲାଉ ନାହାଁନ୍ତି, ଆମେ ପର ମଣିଷ ଗୁଡାକ, ଆମ କଥା ବା କିଏ ଶୁଣିବ"? ସତ କଥା ଆମ ଆଇନ୍ କାନୁନ୍, ବିଧି ବ୍ୟବସ୍ଥା ଓ ଶାସନ ରୀତି ନୀତି ପରା ଏହିପରି କିଛି। କାହାକୁ କହିବ?" ବରଂ ଚୁପ୍ ରହେନା ସବସେ ଆଚ୍ଛା"-ଏହାହିଁ ସମସ୍ତଙ୍କର ଧାରଣା ।

ଶେଷରେ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେଇ ସେଠୁ ଏମାନେ ବିଦାୟ ନେଲେ। ହେଲେ ସେମାନଙ୍କୁ କହି ରଖିଲେ-" ମୁଁ କିନ୍ତୁ ଚୁପ୍ ହୋଇ ବସି ପାରିବି ନାହିଁ। ଏ ରହସ୍ୟର ମୂଳ ଯାଏଁ ନ ଗଲା ପର୍ଯ୍ୟନ୍ତ ଚେଷ୍ଟା କିନ୍ତୁ ଅବିରତ ଜାରି ରହିବ। ହେଲେ ଆବଶ୍ୟକ ପଡିଲେ, ଆପଣମାନେ ଖାଲି ଟିକିଏ ସାହାଯ୍ଯ ସହଯୋଗ କରିବେ"। ସମସ୍ତେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ। ହାତ ହଲାଇ ବିଦାୟ ଦେଲେ।

ଏଥରକୁ ଗାଡି ଆସି ଲାଗିଲା ବଡ଼ ଖୁମ୍ବା ଫାଣ୍ଡି ଦ୍ଵାର ମୁହଁରେ। ନିଜ ପରିଚୟ ରଖି, ସବିଶେଷ ଘଟଣାକ୍ରମ ବିସ୍ତୃତ ଭାବରେ ବର୍ଣ୍ଣନା କଲେ। ସାହାଯ୍ଯ ଭିକ୍ଷା ବି କଲେ। ଅବଶ୍ୟ ସୈନ୍ୟ ବାହିନୀ କଥା ଶୁଣି ବଡ ବାବୁ ତାଙ୍କୁ ଚେୟାର ଖଣ୍ଡେ ଅଫର୍ କଲେ। ମାତ୍ର୍ ଘଟଣାଟା ଶୁଣି ଠୋ ଠୋ ହୋଇ ହସି ଉଠିଲେ। କହିଲେ - "ଆପଣଙ୍କ ଭଳି ଲୋକ ଯଦି ଭୂତ ପ୍ରେତ କଥା କହିବେ, ତେବେ ସାଧାରଣ ଲୋକ ଆହୁରି କ'ଣ ନକହିବେ? ଯାଆନ୍ତୁ! ଯାଆନ୍ତୁ!! ଏଗୁଡାକ ଆଉ କାହାକୁ ଶୁଣାଇବେ। ମୁଁ ଏଗୁଡାକ ସବୁ ବିଶ୍ବାସ କରେ ନାହିଁ। କାରଣ ଏହା ହେଉଛି ସମ୍ପୂର୍ଣ୍ଣ ଅନ୍ଧ ବିଶ୍ବାସ ଓ ଦୁର୍ବଳ ମାନସିକତାର ଫଳପ୍ରସୂ। ପୁଣି ଏହା କୌଣସି ନିର୍ଦ୍ଧିଷ୍ଠ ତଥ୍ୟ ଭିତ୍ତିକ ପ୍ରମାଣ ତ ହୋଇ ପାରେନା। ତା' ଛଡା ଆଇନ କ'ଣ ଭୂତ ପ୍ରେତର ସାକ୍ଷ୍ୟ ନେବ ନା କ'ଣ? ଏଥିପାଇଁ ବି ଗୋଟେ ମାମଲା ରୁଜୁ ହେବା ନିତ୍ୟାନ୍ତ ଜରୁରୀ । ହେଲେ ଆପଣ କାହିଁକି ବା ତା' ପାଇଁ ଏଫ୍.ଆଇ. ଆର୍. ଦେବେ? ଓଲଟା ଆପଣ ବି ଅସୁବିଧାରେ ପଡି ପାରନ୍ତି। ଟାଣିଓଟାରି ହୋଇ ଅଯଥା କେସ୍ ଭିତରେ ପଶିବା ଉଚିତ୍ ହେବ ନାହିଁ । ତାଛଡା ବିନା ସାକ୍ଷ୍ୟ ପ୍ରମାଣରେ ଗୋଟେ ଭୂତର କାହାଣୀ ଆଧାରରେ ତ ଆଉ ଏଫ୍. ଆଇ. ଆର୍. ହୋଇ ପାରିବ ନାହିଁ।ଏଥିପାଇଁ ବି ଦରକାର ଠୋସ୍ ସବୁତ ବା ପ୍ରମାଣ।ହୋଉ ଯଦି ବାଧ୍ୟ କରୁଛନ୍ତି, ଆପଣମାନେ ପ୍ରମାଣ ଯୋଗାଡ କରନ୍ତୁ, ମୁଁ ଦେଖିବି (I shall see) ।ଏଇ କଥାର କେଇ ମିନିଟ୍ ପରେ ପୁଣି କହିଲେ - "ଘଟଣାଟା ତ ଆପଣମାନଙ୍କ କହିବା ଅନୁସାରେ ଭୁବନେଶ୍ବରରେ ଘଟିଛି, ତେଣୁ ସେଇଠି ଏଫ୍. ଆଇ ଆର୍. ଦରଜ କରନ୍ତୁ। ଆମେ ପ୍ରକୃତ ପକ୍ଷେ କେସଟିକୁ ବିଚାର କରି ପାରିବୁ ନାହିଁ, କାରଣ ଆମ area of operation ବାହାରେ" ।

ମନଟା ଆହୁରି ଖରାପ ହୋଇ ଯାଉଥିଲା। ମନ ଦୁଖରେ ସମସ୍ତେ ଫେରିଲେ କଟକ। ଦୁଇ ଦିନର ଥକାନ ଥିବାରୁ ଆଉ କିଛି ଅଧିକା ଚିନ୍ତା କରି ହେବ ନାହିଁ। ଦେଖାଯାଉ ରାତି ପାହିଲେ କ'ଣ ହେଉଛି - ଏ କଥା ଭାବି, ସମସ୍ତେ ଶାନ୍ତିରେ ଶୋଇ ପଡିଲେ।

ରାତି ଦୁଇଟା କି ତିନିଟା ହେବ। ପୁଣି ସେହି ଯୁବକଟି ଅନ୍ଧକାର ବୁକୁ ଚିରି ପହଁନ୍ତରା ମାରିଲା ।ଖାଲି ଏପଟ ଓ ସେପଟ ହେଉଥାଏ। ଶେଷରେ ଝରକା ସେପଟେ ଖଟଟାକୁ ଲାଗି ଛିଡାହେଲା। ତା ମୁହଁରେ ସେ ବିଭତ୍ସତା ଆଉ ନଥିଲା, କି ଦୃଢତା। ହୃଦୟରେ ପ୍ରତିଭାତ ହେଉଥିଲା ବେଦନାର ଭାର। ମଳିନ ତା ମୁଖମଣ୍ଡଳ, ଅସ୍ପଷ୍ଟ ତା ଚେହେରା। ଖୁବ୍ ନମ୍ର, କିନ୍ତୁ ସୂକ୍ଷ୍ମ ତା 'କଣ୍ଠ ସ୍ଵର। ମନଟା ତ ନିଶ୍ଚୟ କଷ୍ଟ ଥିଲା। କହିଲା - "କ'ଣ ମେଜର ସାହେବ! ଆମେ ହାରିଯିବା? ହାରିଯିବ ଆମ ସଙ୍କଳ୍ପ?? ନ୍ୟାୟ କ'ଣ ଆଜି ସତରେ ପରାହତ, ଏଇ ସାମାଜିକ ଓ ନ୍ୟାୟିକ ବିଧି ବ୍ୟବସ୍ଥା ଭିତରେ??? ଏଭଳି ପ୍ରଶ୍ନବାଣ ଭିତରେ କ୍ଷତିଗ୍ରସ୍ତ ହେଉଥିଲା ତାଙ୍କର ମସ୍ତିଷ୍କ। ବିବ୍ରତତାର ସ୍ପଷ୍ଟ ଚିହ୍ନ ବାରି ହୋଇ ପଡୁଥିଲା, ଶୀତୁଆ ରାତିରେ ବି ମସ୍ତକରେ ଉଇଁ ଆସୁଥିବା ବିନ୍ଦୁ ବିନ୍ଦୁ ଝାଳ ବୁନ୍ଦାରୁ। ସେ ନିଦରେ ଶୋଇ ବିଳିବିଳି ହୋଇ ଉଠିଲେ - "ହଁ.. ହଁ.. ମୁଁ ଦେବି.. ନ୍ୟାୟ" ।ପତ୍ନୀ "କ'ଣ ହେଲା "ଉଠି ପଚାରିବାରୁ, "ନାଇଁ କିଛି ନାହିଁ ଶୋଇ ପଡ଼" - କହି, କଥାଟାକୁ ବାଆଁରେଇ ଦେଲେ। ଆଖିକୁ ଆଉ ନିଦ ଆସୁ ନଥାଏ। ରାତ୍ରିର ଅଶାନ୍ତ ମନ ଶାନ୍ତ ବି ହୋଇ ନଥାଏ। ସକାଳୁ ଉଠିପଡ଼ି "ମୁଁ ଟିକିଏ ଭୁବନେଶ୍ୱରରୁ ଆସୁଛି" - କହି, ଗାଡିଟା ଖୋଲିଲେ। ବନ୍ଧୁ ଦୌଡ଼ି ଦୌଡ଼ି ଯାଇ ଗାଡିରେ ବସି ପଡିଲେ। ପତ୍ନୀ ପଛରୁ କହୁଥାନ୍ତି -" କି ଅଜବ ମଣିଷ, ନଖାଇ ନପିଇ ବାହାରି ପଡିଲେ। ଜୀବନଟା ସାରା ୟାଙ୍କ ପାଇଁ ମୁଁ ଖାଲି ମରୁଛି ହେଲେ ସେ ଯାହା ବୁଝିଥିବେ ସେୟା। କାହାକୁ କିଛି ଶୁଣିବେ ନାହିଁ। କେବଳ ଆଖିକୁ ଦେଖା ଯାଉଥିବ ମିଶନ "।


Rate this content
Log in

Similar oriya story from Thriller