ଚିଠିଟିଏ
ଚିଠିଟିଏ
ପ୍ରିୟା ,
ମେଞ୍ଚେ ସ୍ନେହ ଆଉ ଅସରନ୍ତି ଭଲପାଇବା ନବୁ । ତୁ ଏତେଥର ଫୋନ କଲା ପରେ ବି ତୋ ସହ ଟିକେ କଥା ହବା ପାଇଁ ମତେ ସମୟ ମିଳୁନି । ସେଇଥି ପାଇଁ ଦେହ ଭଲ ନାହିଁ କହି କେଇଟା ସମୟ ଛୁଟି ଆଣି ତତେ ଚିଠିଟେ ଲେଖିଛି ।
ଶୁଣ ପାଗେଳି, ତୋ ପ୍ରେମରେ ଯେତିକି ପବିତ୍ରତା ଅଛି । ମୋ ପ୍ରେମରେ ମଧ୍ୟ ସେତିକି ପବିତ୍ରତା ଅଛି । ହେଲେ ଫରକ ଏତିକି ତୁ ତାକୁ ପ୍ରମାଣ କରେଇ ପାରୁଛୁ । ଆଉ ମୁଁ ପ୍ରମାଣ କରିବା ପାଇଁ ସମୟ ପାଉନି ।
ତୁ ସିନା ଘରେ ଅଛୁ ବୋଲି ତତେ ସମୟ ମିଳିଯାଉଛି । ହେଲେ ମୁଁ ପରା ପରିସ୍ଥିତିର ଦାସଟିଏ ହେଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କୋଉ ଏକ ସ୍ୱପ୍ନ ସହରରେ ବନ୍ଦୀ ହେଇଯାଇଛି । ପଞ୍ଜୁରୀ ଭିତର ସାରିଟିଏ ପରି ଗୋଟେ ଆବଦ୍ଧ କୋଠରୀ ଭିତରେ ଜୀବନ ପରୀକ୍ଷା ଦଉଚି । ଏବେ ତୁ କହିଲୁ ମୁଁ ତୋ ସହ କେମିତି କଥା ହେବି ?
କଥା ହେଇପାରୁନି ବୋଲି ଭାବିବୁନି ଯେ ମୁଁ ଭୁଲି ଯାଇଛି ବୋଲି କାରଣ ଭଗବାନ ସ୍ୱୀକୃତି ଦେଇଥିବା ଆମ ପ୍ରେମକୁ ଏକା ଏକା ଭୁଲିବା ଅଧିକାର ମୋର ନାହିଁ ।
ତୁ ଜାଣୁ ? ସହରରେ ବତୀଖୁଣ୍ଟରୁ ସବୁତକ ବତୀ ଲିଭିଗଲା ପରେ ସେ ଅନ୍ଧାର ରାତିଟା ଯେମିତି ଗୁମୁରି ଗୁମୁରି କାନ୍ଦେ । ଠିକ ସେମିତି ତୋ ଫୋନ ଆସି ମିସ୍ କଲ୍ ହେଇ କଟିଗଲା ପରେ ମୁଁ ଅନେକ କାନ୍ଦେ । ଆଉ ମୋ ଆଖି ଆଗରେ ନାଚି ଉଠେ ତୋ ନିରବ ଚେହେରା । ନିଜକୁ ଧିକାର୍ ମନେ କରେ ।
ଆଉ ହଁ ଏକଥା ବି ଜାଣିଚି ସେଠି ତୁ ବି କେତେ କଷ୍ଟ ପାଉଛୁ । କିନ୍ତୁ ଆଉ ମାତ୍ର କେଇଟା ଦିନର କଥା । ଚାହୁଁ ଚାହୁଁ ଦିନ ଗୁଡ଼ାକ ଚାଲିଯିବ । ଆଉ ମୁଁ ଶୀଘ୍ର ଫେରି ଆସିବି ତୋ ପାଖକୁ ।
ଇତି
ତୋ ପ୍ରିୟ