ଚିଠି ଓ ଶିକ୍ଷିତ ପ୍ରେମିକ
ଚିଠି ଓ ଶିକ୍ଷିତ ପ୍ରେମିକ
ସେ ଦିନ ତୁମେ ମୋତେ ଚାହୁଁଥିଲ ଭାବି ମୁଁ ବି ଟିକିଏ ତୁମକୁ ଚାହିଁବା ଆରମ୍ଭ କରିଥିଲି। ମାତ୍ର ମିଛ ମିଛିକା ଚାହିଁବା ଆଉ ଦୁଇ ଆଖିର ମିଳନରେ ଆରମ୍ଭ ହେଲା ଏକ ପ୍ରେମର କୋଣାର୍କ । ତେଣୁ ମୁଁ ତୁମକୁ ଜାଣିବା ପାଇଁ ବହୁ ଚେଷ୍ଟା କରିଥିଲି ପାରୁପର୍ଯ୍ୟନ୍ତ। ଆଉ ତୁମେ ବି ମୋ ଅନୁଭବରେ ସବୁଜ ସଙ୍କେତ ଦେଉଥିବାର ଆଶାକୁ ହୃଦୟ ଭିତରକୁ ସାଉଁଟିନେଲି ଅଜଣା ପୁଲକରେ । ବହୁ କଷ୍ଟରେ ତୁମକୁ ମୋ ଭାବନାକୁ ଅତି ସଂକ୍ଷେପରେ ଜଣାଇଥିଲି ଗୋଟିଏ ଚିଠି ମାଧ୍ୟମରେ । ଆଉ ଅପେକ୍ଷା କରିଥିଲି ପ୍ରତ୍ୟୁତ୍ତର ପାଇଁ। ଆଉ ସେ ଅପେକ୍ଷା ହିଁ ପ୍ରକୃତ ପ୍ରେମ ଥିଲା ମୋ ପ୍ରେମମୟ ଜୀବନର ପ୍ରଥମ ପାହାଚରେ । ଆଉ ତୁମ ନିକଟରେ କାଗଜ ଓ କଲମ ନ ଥାଇ ବି ଛୋଟ କାଗଜଟିଏ ସଂଗ୍ରହ କରି ସମ୍ପର୍କୀୟଙ୍କ ଅଜାଣତରେ କେତେବେଳେ ନିଜ ଭାବନାକୁ ଚିଠିରେ ସଜେଇ ଦେଇ ମୋଡ଼ି ମାଡ଼ି ଫୋପାଡି ଦେଲ ମୋ ବାରି ପଟକୁ। ଆଉ ଚିଠି ପକାଇଥିବାର ଇସାରା ପାଇ ଚିଠିଟି ବହୁ ଖୋଜାଖୋଜି କରି ପାଇଲି। ପ୍ରାୟ ୨୦ଥର ଲୁଚି ଛପି ପଢ଼ିଥିବି ସେହି ଛୋଟ କାଗଜର ଲେଖିଥିବା ତୁମ ସଜ ଭାବନାକୁ। ଆହୁରି ବାରମ୍ଵାର ପଢ଼ିବାକୁ ଇଚ୍ଛାଥାଇ ବି ମନକୁ ବୁଝାଇବାକୁ ପଡ଼େ ତୁମକୁ ଭାବି । ତୁମ ଚିଠିଟି ପାଇ ମୋ ମନରେ ବହୁ ସାହସ ଠୁଳ କରି ମୋ ମନ ଅରଣ୍ୟରୁ ଅସୀମ ଭିନ୍ନ ରଙ୍ଗବେରଙ୍ଗର ପରଜା ପତି ଉଡ଼ାଇଲି ତୁମ ପାଖକୁ।କିଶୋରରୁ ପ୍ରେମିକ ହେବାର ଅଦମ୍ୟ ଆଶାକୁ ବୁଣି ଚାଲିଲି ପ୍ରେମ କିଆରୀରେ । ମୋର ଏ ଭନ୍ମାଦନାଟା ଲାଳସା ରୂପକ କ୍ଷୁଧା ନା ଭଲ ପାଇବାର ନିଷ୍ଠା ମୁଁ ବି ଜାଣିବାକୁ ଚେଷ୍ଟା କରି ବି ଦ୍ଵନ୍ଦ୍ବରେ ପଡ଼ିଯାଉଥିଲି। ଏଇ ବୁଝା ଅବୁଝା ସମ୍ପର୍କ ଭିତରେ ତୁମେ ବହୁଦୂରରୁ ଆସି ଅଜଣା ହେଲେ ବି ସତେ ଯେମିତି ନିଜତ୍ବ ଅନୁଭବ ଭିତରେ ଝଲସୁଥିଲ ସ୍ଵର୍ଗୀୟ ପରୀଟିଏ ହୋଇ ମୋ ମନ ଓ ହୃଦରେ ।
ଯେତେବେଳେ ତୁମେ ତୁମ ଗାଁକୁ ଚାଲିଯିବାର ଇସାରା ପାଇଲି ସତେ ଯେମିତି ପେଟ ଭିତରେ ଥିବା ଭୋକ ଉପବାସରେ ବସି ଯାଇଥିଲା ଅଭିମାନରେ । ଆଉ ତା ' ପରଦିନ ତୁମକୁ ନ ପାଇ ମୁଁ ବି ସମ୍ବଲପୁର ଚାଲିଗଲି ମନ ଫୁର୍ତ୍ତି ପାଇଁ ପୁଣି ତୁମକୁ ନ ପାଇବାର ଦୁଃଖରେ ।ଚିଠିରେ ମୋ ନମ୍ବର ଲେଖାଥିଲା କିନ୍ତୁ ତୁମେ ମୋତେ ଘରକୁ ଗଲା ପରେ ବି ଫୋନ୍ କରି ନ ଥିଲ ବହୁତ ଦିନ ପର୍ଯ୍ୟନ୍ତ । ଆଉ ସେ ଅପେକ୍ଷାକୁ ମନର ମରୀଚିକାରେ ଯେଉଁ କ୍ଷୁଦ୍ର ମରୁଦ୍ୟାନର ସନ୍ଧାନ ପାଇଥିଲି ବୋଧହୁଏ ତାକୁ ହଜାଇ ଦେଇ ଦୁଃଖକୁ ନିଜ ପାଖକୁ ଡାକି ଆଣିଥିଲି।ମୁଁ ଭାବିନେଲି ଫୋନ୍ ନମ୍ବର ଲେଖାଥିବା ଚିଠିଟି ତୁମେ ପାଇ ନ ଥିବ ବୋଧହୁଏ । କିନ୍ତୁ ମୋ ଭାବନା ସମ୍ପୂର୍ଣ୍ଣ ଭୁଲ୍ ଥିଲା । କିଛିଦିନ ପରେ ତୁମେ ମୋତେ ଫୋନ୍ କରି କିଛି ଅନ୍ତରଙ୍ଗ ଆଳାପ ଆଲୋଚନା ପରେ ପରିଚୟଟିଏ ସାଉଁଟିନେଲ ମୋ ହୃଦୟର ଭାବନାରୁ। ଆଉ ସେ ଦିନୁ ଆଜି ବି ତୁମେ ଦ୍ଵାରପାଳ ହୋଇ ମୋ ହୃଦୟକୁ ଜଗି ରହିଛ ଆଉ ଯତ୍ନ ବି ନେଉଛ ନିଜର ଭାବି। ଲୁକ୍କାୟିତରେ ମୁଁ ବିପରୀତ ଦିଗରୁ ତୁମ ଅଜ୍ଞାତରେ ତୁମକୁ ଲକ୍ଷ୍ୟ କରେ ବାରିପଟ କୂଅମୂଳ କଦଳୀ ପତ୍ରର ସନ୍ଧିକୋଣ ସକାଶରୁ ।
ବେଳେବେଳେ ତୁମ କଥା ବାର୍ତ୍ତା ଓ ତୁମଠାରୁ ଦୂରେଇ ରହିବାକୁ ଇଚ୍ଛା କରେ । ହେଲେ ପାରେନା କେଉଁ ଏକ ଅଦୃଶ୍ୟ ଆକର୍ଷଣରେ । ପ୍ରଣୟ ଭିତରେ ରାଗ ଓ ଅନୁରାଗ ସଂଶ୍ଳିଷ୍ଟ । ଏମାନଙ୍କୁ ଛାଡ଼ି ପ୍ରଣୟ ନିର୍ଜୀବ । ମୋ ଆଖି ଆଗରେ ଖାଲି ତୁମେ ନାଚୁଥିଲ।ଗୋଧୂଳି ଅତିକ୍ରାନ୍ତ ଛାୟାରେ ତୁମ ଲକ୍ଷ୍ମୀବାହନ ମୁଖରୁ ଝରିପଡ଼ୁଥିବା ଅସରନ୍ତି ହସ ଓ ସେଇ ନିରୀହ ଚାହାଣୀକୁ ଆଜି ବି ଝୁରେ । ତୁମେ ଜାଣ ପ୍ରକୃତ ଯତ୍ନ ଓ ଭଲ ପାଇବା ମୋ ନିକଟରୁ କେବେ ବି ପାଇବନି । ତୁମ ରୂପ ଯୌବନ ଓ ଲୋଭନୀୟ ଅଙ୍ଗ ସୌଷ୍ଟଭ ମୋତେ ପାଗଳ କରିଦେଇପାରେ ମାତ୍ର ଭଲପାଇବାକୁ ପ୍ରୋତ୍ସାହିତ କରିପାରେନି। ଏଥିପାଇଁ ଦୁଇଟି ହୃଦୟର ସହଯୋଗ ଆବଶ୍ୟକ। ହଁ ମାତ୍ର ଦୁଇଥର ତୁମ ଅସଜଡ଼ା ଶରୀରକୁ ନିକଟରୁ ପାଇଛି କିନ୍ତୁ ସମାଜର ନିନ୍ଦାଠାରୁ ଦୂରରେ ରହି ତୁମକୁ ଭଲପାଇବା ଦେଇଛି କାରଣ ମୁଁ ବି ଜଣେ ଶିକ୍ଷିତ ପ୍ରେମିକ। ଏମିତି ମୁଁ ତୁମଠାରୁ ଦୂରେଇ ରହିବାକୁ ଚାହେଁ ଶିକ୍ଷିତ ପ୍ରେମିକ ଭାବରେ । ପୁଣି ତୁମେ ବି ଜାଣ ମୁଁ ତୁମକୁ କେବେବି ବିବାହ ସାମାଜିକ ଅନୁଶାସନକୁ ଅନୁପାଳନ କରି ।ମନ ପରିଧିରେ ତୁମ କଥା ବହୁଥର କ୍ଷତ ସୃଷ୍ଟି କରିଛି। ତୁମ ସାଙ୍ଗ ବର୍ଷାକୁ ବି ସବୁ କଥା ଜଣାଇଛି ତୁମ ଜାଣତରେ । ମୁଁ ତୁମକୁ ପାଇ କିଛି ବି ହରାଇନି ।ରଜ୍ଜୁ ତୁଲ୍ୟ ବାହୁ ବଲ୍ଲରୀରେ ଚାପି ମୁଖ କମଳରେ ଛାପି ଦେଇଥିବା ଅସଂଖ୍ୟ ଭାବନା ଆଜି ବି ମନେପଡେ ଶୟନ କକ୍ଷରେ ।ହେଲେ ଆଜି ତୁମ ସହିତ କଥା ହୋଇ ତୁମକୁ ପାଖରେ ପାଇ ବି ଖୋଜୁଛି ସେହି ଚିଠିରେ ପ୍ରତି ଉତ୍ତର ପାଇବାର ଅପେକ୍ଷା ଓ ଭାବନାକୁ . . . . . . ।କ୍ରମଶଃ . . . .