Sudipta Kumar Panda

Inspirational

3  

Sudipta Kumar Panda

Inspirational

ମୋ ଜେଜେବାପାଙ୍କ ହାତ ଘଣ୍ଟା

ମୋ ଜେଜେବାପାଙ୍କ ହାତ ଘଣ୍ଟା

4 mins
266


ଆଜି ବି ମୋ ପାଖରେ ଏମିତି ଟିକ୍ ଟିକ୍ କରି ସମୟର ସୂଚନା ଦେଉଛି . . . . ପୁଣି କେତେବେଳେ ଅଧାରେ ଅଟକି ଜୀବନର ପୂର୍ଣ୍ଣଛେଦ ପରି ଏକ ସୂକ୍ଷ୍ମ ଅମୂର୍ତ୍ତ ଚିନ୍ତନର ଚକ୍ରକୁ ମନ ମଧ୍ୟରେ ଆନ୍ଦୋଳିତ କରୁଛି ଏଇ ବିଚିତ୍ର ଦୁନିଆରେ . . . . I ପୁଣି ଏଇ ହାତ ଘଣ୍ଟାଟି ମୋ ଜେଜେବାପା ଅର୍ଥାତ୍ ସେତେବେଳର ଅବିଭକ୍ତ ଫୁଲବାଣୀ ଜିଲ୍ଲାର ପୁରୁଣାକଟକ ଅନ୍ତର୍ଗତ ଶରଧାପୁର ମୌଜାର ଜମିଦାର ଓ ଗରତିଆ (ଗଉଁତିଆ) ତଥା ନାରାୟଣ ପ୍ରସାଦଦେବ ମି. ଇ. ସ୍କୁଲ୍‌, ପୁରୁଣାକଟକର ଆକ୍ଟିଙ୍ଗ ଏଚ୍.ଏମ୍ ମହେଶ୍ଵର ପଣ୍ଡାଙ୍କର ।


ଆଦର୍ଶ ଶିକ୍ଷକ ଭାବେ ବୌଦ୍ଧ କନ୍ଧମାଳ ସର୍କଲରେ ବେଶ ଜଣାଶୁଣା ଥିଲେ ଏବଂ ତତ୍‌ ସହିତ ସାହିତ୍ୟ,ଇଂରାଜୀ ଏବଂ ଗଣିତ ବିଷୟରେ ପ୍ରବୀଣ ଶିକ୍ଷକ ଭାବରେ ଛାତ୍ର ସମାଜରେ ଆଦୃତ ହୋଇପାରିଥିଲେ। ମୋ ଜେଜେବାପା ପିନ୍ଧୁଥିବା ହାତ ଘଣ୍ଟାଟିି ତାଙ୍କ ଶ୍ଵଶୁର କେଶବାନନ୍ଦ ବାବୁ ଦେଇଥିଲେ।ଏହା ଏଚ ଏମ ଟି କମ୍ପାନୀର ଅଟେ। ତାଙ୍କ ଶ୍ଵଶୁର କେଶବାନନ୍ଦ ବାବୁ ମଧ୍ୟ ବୌଦ୍ଧ ସ୍ଥିତ ଯୋଗୀନ୍ଦ୍ରଦେବ ବିଦ୍ୟାଳୟର ଗଣିତ ଶିକ୍ଷକଭାବେ ଅବସ୍ଥାପିତ ହୋଇଥିଲେ। ଗଣିତ ଓ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ପାରଦର୍ଶିତା ଲାଭ କରିଥିଲେ।ଉଭୟଙ୍କ ପ୍ରଚେଷ୍ଟାରେ ଚତୁର୍ଥ ଶ୍ରେଣୀର ଏକ ଗଣିତ ବହି ମଧ୍ୟ ପ୍ରକାଶିତ ହୋଇଥିଲା ଯେଉଁ ବହିଟିରେ ଶିଶୁ ମାନସାଙ୍କଠାରୁ ଆରମ୍ଭକରି ଅନେକ ଗାଣିତିକ ଜ୍ଞାନ କ୍ରମାନ୍ଵୟରେ ସୁସଜ୍ଜିତ ହୋଇ ରହିଥିଲା କିନ୍ତୁ ଉକ୍ତ ବହିଟି ରାଜନୀତିର ବକ୍ର ଗର୍ତ୍ତରେ ଉବୁଟୁବୁ ହୋଇ ନୀରବ ପୃଷ୍ଠା ରୂପେ ଅଜଣା ଭାବେ ଲୁଚିଗଲା କାଳର ସନ୍ଧ୍ୟାରେ ।


କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦୃଷ୍ଟିର ଆଢୁଆଳରେ ରହିଯାଇଥିଲେ ଏହି ଦୁଇଜଣ ପ୍ରତିଭାବାନ ତଥା ବିଚକ୍ଷଣ ଶିକ୍ଷକ। ତଥାପି ବୌଦ୍ଧ ଓ ଆଖ ପାଖ ଅଞ୍ଚଳରେ ଉଭୟ ଛାତ୍ରବତ୍ସଳ ଶିକ୍ଷକ ଭାବରେ ବେଶ୍ ଜଣାଶୁଣା। ମୋର ଜେଜେବାପା ସ୍ଵର୍ଗତ ମହେଶ୍ଵର ପଣ୍ଡା ମେଧାବୀ ଛାତ୍ରମାନଙ୍କୁ ସ୍ଵ ଉପାର୍ଜିତ ଆୟରୁ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ତାଙ୍କ ଅବସର ପୂର୍ବରୁ କିଛି ଅର୍ଥ ବିଦ୍ୟାଳୟ ଆକାଉଣ୍ଟରେ ମଧ୍ୟ ସଞ୍ଚିତ କରିଯାଇଥିଲେ ଯଦ୍ବାରା ବ୍ୟାଙ୍କରୁ ସଂଗୃହୀତ ସୁଧଟଙ୍କାରୁ ମଧ୍ୟ କେହି ମେଧାବୀ ଛାତ୍ର ଉପକୃତ ହୋଇପାରିବେ ।


ପୁରୁଣାକଟକ,ବାଉଁଶୁଣୀ ଏବଂ କଣ୍ଟାମାଳ ଅଞ୍ଚଳରେ ମଧ୍ୟ ସଚ୍ଚୋଟତାର ସହ କାର୍ଯ୍ୟ କରିଥିଲେ। ତାଙ୍କର ଗୋଟିଏ ଭଲ ଗୁଣ ଥିଲା ଯେ ଯେକେହି ଛାତ୍ର ଶ୍ରେଣୀ କକ୍ଷରେ ଦୃଷ୍ଟାମି କଲେ ଯଦି ସେ ବେତରେ ଆଘାତ କରନ୍ତି ତା' ପରେ ସେ ନିଜେ ଛାତ୍ରଟିକୁ ସଦୁପଦେଶ ଦେଇ ନିଜେ କାନ୍ଦି ପକାନ୍ତି। ସେ ସମୟରେ ପଶୁବଳିକୁ ନିନ୍ଦା କରୁଥିଲେ। ଜଣେ ଈଶ୍ଵରାଶ୍ରିତ ବ୍ୟକ୍ତି ଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ମଧ୍ୟ ଜଣେ ପ୍ରବଚକ ଭାବରେ ବେଶ ଜଣାଶୁଣା ଥିଲେ।ତାଙ୍କ ପ୍ରବଚନ ଶୁଣି ଅନେକ ଚୋର ଚୋରି ପ୍ରବୃତ୍ତିରୁ ମଧ୍ୟ ବିଚ୍ଯୁତ ହୋଇ ଶରଣାଗତ ହୋଇଥିଲେ । ତାଙ୍କର ଅନେକ ପୁରାତନ ଛାତ୍ର ଆଜି ଅନେକ ପଦ ପଦବୀ ମଣ୍ଡନ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଆଜି ବି ରାଜ୍ୟ ତଥା କେନ୍ଦ୍ର ସରକାର ଏ ସବୁ ଦୃଷ୍ଟିରୁ ବିଚାର କରି ମରଣୋତ୍ତର ଶିକ୍ଷକ ସମ୍ମାନରେ ସମ୍ମାନିତ କଲେ ଛାତ୍ରମାନଙ୍କର ଛାତ୍ରବତ୍ସଳ ଶିକ୍ଷକ ଭାବରେ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଅନେକ ଛାତ୍ର ମତପୋଷଣ କରନ୍ତି। ଜୀବନ କାଳ ମଧ୍ୟରେ ସେ ନ୍ୟାୟକୁ ଆଶ୍ରାକରି ଶରଧାପୁର ଗାଆଁର ମୁଖିଆ ହିସାବରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।


ତାଙ୍କ ସମୟରେ ଅନେକ ବୈଦେଶିକ ଅଧିକାରୀମାନେ ମଧ୍ୟ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା କଥା ବିଦ୍ୟାଳୟର ଲଗ୍ ବୁକ୍‌ରୁ ଜାଣିବାକୁ ମିଳେ। ମୌଖିକ ଭାବରେ ନିଜ ଚାକିରୀ ଜୀବନରେ ପ୍ରମୋସନ ପାଇ ମଧ୍ୟ ଶିକ୍ଷାଦାନ କରିବାର ଅଭିପ୍ରାୟ ସହିତ ପାରିବାରିକ ଓ ଚାଷବାସ ବୁଝିବାର ଜଞ୍ଜାଳ ଭିତରେ ନିଜକୁ ନିୟୋଜିତ କରିଥିଲେ। ସେତେବେଳର ସେ ଜଣେ ତାଲିମପ୍ରାପ୍ତ ଦକ୍ଷଶିକ୍ଷକ ଥିଲେ। କଟକ ସ୍ଥିତ ସିଟି ଟ୍ରେନିଂ ସ୍କୁଲରେ ଅଧ୍ୟୟନ କରିଥିଲେ।ବୋର୍ଡ଼ିଙ୍ଗରେ ରହି ମଧ୍ୟ ଅନ୍ତେବାସୀ ଓ ସହପାଠୀଙ୍କ ମଧ୍ୟରେ ସମୟର ଅନୁପାଳନକରି ଆଦର୍ଶ ଛାତ୍ର ରୂପରେ ମୁଖ ପ୍ରଶଂସା ସାଉଁଟିଥିଲେ। ବିଦ୍ୟାଳୟର ତତ୍କାଳିନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ଶିକ୍ଷା ଅଧିକାରୀ ଭାବରେ ପ୍ରମୋସନ ସୂଚନା ପାଇ  ବିହ୍ଵଳିତ ଭାବେ ଭାଙ୍ଗିପଡିବା କର୍ମମୟ ଜୀବନରେ ସହକର୍ମୀଙ୍କ ପ୍ରତି ଭଲପାଇବାର ଏକ ଜ୍ଵଳନ୍ତ ଉଦାହରଣ ଅଟେ । ନିଜେ ସମୟର ଅନୁପାଳନ କରି ସହକର୍ମୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇପାରିଥିଲେ । ଶିକ୍ଷକ ଜୀବନରୁ ଅବସର ଗ୍ରହଣ ପରେ ମଧ୍ୟ ନିଜ ହାତ ଘଣ୍ଟା ଦେଖି ସମୟ ଅନୁସାରେ ଭୋଜନ,ଭ୍ରମଣ ଓ ଶୟନାଦି କାର୍ଯ୍ୟ କରି ଶିକ୍ଷକ ଜୀବନର ଦୈନିକ ପରିଚର୍ଯ୍ୟାକୁ ପାଳନ କରି ଆସୁଥିଲେ। ତାଙ୍କର କର୍ତ୍ତବ୍ୟନିଷ୍ଠ ଭାବନା ଦେଖି ତାଙ୍କ ଶ୍ଵଶୁର ମଧ୍ୟ ସାମୟିକ ଭାବରେ ସବିତା ଦୁର୍ଗ ଟ୍ରଷ୍ଟର ଏଜେଣ୍ଟ ଭାବରେ ନିଯୁକ୍ତ କରିଥିଲେ। ସାମଗ୍ରିକ ଭାବରେ କହିବାକୁ ଗଲେ ମୋର ଜେଜେବାପା ମହେଶ୍ଵର ପଣ୍ଡା ଜଣେ ଜ୍ଞାନୀ, ନ୍ୟାୟବନ୍ତ, ଧାର୍ମିକ ଓ ଭଦ୍ରବ୍ୟକ୍ତି ଭାବରେ ବୌଦ୍ଧ ଗଡ଼ଜାତ ଅଞ୍ଚଳରେ ବେଶ ଚିହ୍ନା ମୁହଁ ଥିଲେ ।


ବୌଦ୍ଧ ସ୍ଥିତ ଯୋଗୀନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟର ପୂର୍ବତନ ମେଧାବୀ ଛାତ୍ର ଥିଲେ। ଜଣେ ଜମିଦାର ହେଲେ ମଧ୍ୟ ସେ ସ୍ୱଭାବରେ ଗର୍ବୀ ନ ଥିଲେ। କ ରୁ କ୍ଷ ପର୍ଯ୍ୟନ୍ତ ଅନେକ ଚଉତିଶା, ଭଜନ ଓ ଜଣାଣ ରଚନା କରି ବୃଦ୍ଧବର୍ଗଙ୍କ ନିକଟତର ହୋଇପାରିଥିଲେ । ଅନେକ ଆନ୍ଦୋଳନ ଓ ସ୍ଵାଧୀନତା ସଂଗ୍ରାମରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ଆଂଶିକ ସହଯୋଗ ମଧ୍ୟ ଜାରି ରଖିଥିଲେ।ଧର୍ମ ଚର୍ଚ୍ଚାରେ ନିଜ ଅବଶିଷ୍ଟ ସମୟକୁ ଅତିବାହିତ କରୁଥିଲେ। ମନୁଷ୍ୟ ଜନ୍ମ ପାଇ କି ଭଳି ଏହି ଦୁର୍ଲଭ ଜୀବନର ସଦ୍ ଉପଯୋଗ କରିବା ଏହି ବିଷୟର ସେ ଜଣେ ଆଦର୍ଶ ପ୍ରବଚକ ଥିଲେ। ମୃତ୍ୟୁ ପୂର୍ବରୁ କିଛି ବର୍ଷ ବଗିଚା ସାହି, ବୌଦ୍ଧ(ସୁବୋଧ ଶତପଥିଙ୍କ ଭଡ଼ାଘର) ଏବଂ ପରେ ନିକଟସ୍ଥ ସରସରା ଗ୍ରାମରେ ରହୁଥିଲେ।ସରସରା ଗ୍ରାମର ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟ ଭାବରେ ତଥା ଜଣେ ଭଦ୍ରବ୍ୟକ୍ତିଭାବରେ ଲୋକପ୍ରିୟ ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ। ଏଣୁ ମୁଁ ତାଙ୍କର ସବା ସାନ ନାତି ଭାବରେ ମୋ ଜେଜେବାପାଙ୍କର ସମସ୍ତ ଶିଷ୍ୟମାନଙ୍କୁ ଅନୁରୋଧ କରେ କି; ଆଦର୍ଶ ଗୁରୁର ଆଦର୍ଶ ଶିଷ୍ୟ ହିସାବ ରେ ଉକ୍ତ ଲେଖାଟିକୁ ପଢ଼ି, ବୁଝି ଓ ସତ୍ୟାସତ୍ୟ ହୃଦୟଙ୍ଗମକରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବାରେ ସହଯୋଗ କରିବେ । ଜଣେ ଯୋଗ୍ୟ ଛାତ୍ର ହିସାବରେ ଗୁରୁଙ୍କ ପ୍ରତି ଏହା ହିଁ ଶ୍ରେଷ୍ଠ କର୍ତ୍ତବ୍ୟ । ଆଜି ବି ଏହି ହାତ ଘଣ୍ଟାଟି ଅକ୍ଷତ ଭାବରେ ମୋ ପାଖରେ ଅଛି ଜଣେ ଆଦର୍ଶ ଶିକ୍ଷକକୁ ନ୍ୟାୟ ଦେବା ଆଶାରେ । କ୍ରମଶଃ . . . . . .

    

   ଆପଣଙ୍କର . . . ସାନ ନାତି



Rate this content
Log in

Similar oriya story from Inspirational