ହସଫୁଲ
ହସଫୁଲ
ହସଫୁଲମାନଙ୍କ ଗହଣରେ କିଛି ସମୟ ବିତାଇ ସାରିବା ପରେ ଏମିତି ଅନୁଭବ ହେଲା ଯେ ସତେ ଯେପରି ବିଚିତ୍ର ଦୁନିଆରେ ବିଚିତ୍ରର ସଂଜ୍ଞା ଏହି ନିଷ୍ପାପ ହସଫୁଲମାନଙ୍କଠାରୁ ଆରମ୍ଭ । ନିଆରା ଶୈଳୀରେ ଶିଶୁ ଦିବସକୁ ପାଳନକରି ଓ ଟିକି ଟିକି ହସଫୁଲମାନଙ୍କ ଗହଣରେ ସମୟ ଅତିବାହିତ କରି କିଛି ବର୍ଷର ବ୍ୟବଧାନ ଆଜି ପୁଣି ଏକ ନୂଆ ଆଶା ଓ ଉଦ୍ଦୀପନା ସୃଷ୍ଟିକରିପାରିଲା ମନରେ, ହୃଦୟରେ ଓ ଆତ୍ମାରେ ।କାହିଁକି କେଜାଣି ଶୀତର ପହିଲି ସ୍ପର୍ଶ ଓ ପାର୍ବଣର ଋତୁରେ ନିଜକୁ ଭୋଗ ଓ ଲାଳସାରୁ ବିଚ୍ୟୁତ କରି ଆଳସ୍ୟ ପରିହାର ପୂର୍ବକ ଏହି ହସଫୁଲମାନଙ୍କ କୋଳାହଳ ମୋତେ ଟାଣି ନେଇଥିଲା ଅଜଣା ଶିଶୁରାଇଜର ନିଷ୍କଳଙ୍କ, ନିଷ୍ପାପ ଓ କୋମଳହୃଦୟ ନିକଟକୁ ଯେଉଁଠି ନ ଥିଲା ଅହଂକାର, ଦ୍ୱେଷ, ଈର୍ଷା, ମତ୍ସର, ପରଶ୍ରୀକାତରତା, ଲୋଭ, କୁଟିଳତା, ଛନ୍ଦ, କପଟ, ମୋହମାୟା, ଷଡ଼ଯନ୍ତ୍ର ଓ ରାଜନୀତିର ବୀଜ । ପଦ୍ମ ଚାରିପାଖରେ ଭ୍ରମର ପରି ମୋ ଚାରିପାଖରେ ସ୍ୱେଚ୍ଛା ଶବଦରେ ଅତି ନିକଟରେ ସେମାନଙ୍କର ପ୍ରଶ୍ନବାଣ ଆହୁରି ପୁଲକ ଭରି ଦେଉଥିଲା ଇନ୍ଦ୍ରୀୟାତୀତ ଭାବନାରେ । ଚାକଲେହ୍ଯ ବଣ୍ଟନପରେ ତାଙ୍କ ମନର ଅସୀମ ଉନ୍ମାଦନା ଓ ଆନନ୍ଦରୁ ମୁଁ ବି ତାଙ୍କରି ଆନନ୍ଦରୁ ଜହ୍ନଭଳି ଶୋଷି ଆଣିଥିଲି କିଛି ମାତ୍ର ଆଉ ଏ ଥିଲା ମୋ ଜୀବନର ଅଭୁଲା ମୁହୂର୍ତ୍ତ । କହିବାକୁଗଲେ ଏଇ ହସଫୁଲମାନଙ୍କର ଗହଣରେ ସାରା ଜୀବନ ବିତାଇବାର ଆକାଂକ୍ଷା କେବେ ପୂରଣ ହେବ ତାହା କେବଳ ସମୟ ସୂଚାଇଦେବ। ଏହି ହସଫୁଲମାନଙ୍କର ନିରୀହ ଚାହାଣୀ , ସରଳହୃଦୟ ଓ ନିଷ୍କପଟ ଉର୍ଦ୍ଧ୍ଵ ଇନ୍ଦ୍ରିୟର ଭାବନା ଯେ ଜାତି,ଦେଶ ଓ ପୃଥିବୀର ପରିବର୍ତ୍ତନରେ ସହାୟକ ହୋଇପାରିବ ବୋଲି ଆଶାକରେ। ଏମାନଙ୍କ ଚରିତ୍ରରେ ଯଦି ଆଦର୍ଶ ଭାବନା ବପନ କରାଯାଏ, ଭବିଷ୍ୟତରେ ଏମାନେ ବି ନେହେରୁ ପରି ଜଣେ ଜଣେ ଆଦର୍ଶ ଚରିତ୍ରର ଜୀବନ୍ତ ଉଦାହରଣ ପାଲଟିବେ। ଆଜି ର ଭାରତବାସୀ ଆଧୁନିକତାରେ ଛନ୍ଦି ହୋଇ କୁଅଭ୍ୟାସ ବଦଳାଇ ସୁମଣିଷ ହେବା ତ ଦୂରର କଥା, ବରଂ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧାନୁସରଣ କରି ଆହୁରି ଅଧିକରୁ ଅଧିକ କୁଅଭ୍ୟାସର ବଶବର୍ତ୍ତୀ ହେଉଛନ୍ତି , ଯାହାକି ଶିଶୁମାନଙ୍କର ସୁରକ୍ଷାକୁ ପତନ ଦିଗରେ ଟାଣି ନେଉଛି। ତେଣୁ ନୈତିକ ଶିକ୍ଷା ଓ ଜୀବନ କୌଶଳର ଶିକ୍ଷା ହିଁ ଶିଶୁମାନଙ୍କ ବ୍ୟବହାର ଓ କାର୍ଯ୍ୟରେ ସଂସ୍କାର ଆଣିପାରିବ। ଚରିତ୍ର ଗଠନର ଶିକ୍ଷା ହିଁ ଶିଶୁଶିକ୍ଷାର ପ୍ରାରମ୍ଭିକ ସ୍ତର ।
ସ୍ୱାମୀ ଶିବାନନ୍ଦଜୀ କହୁଥିଲେ- ମନୁଷ୍ୟ ଜୀବନର ସାରାଂଶ ହେଉଛି ଚରିତ୍ର । ମନୁଷ୍ୟର ଚରିତ୍ର ହିଁ ସଦା ଜୀବିତ ରହେ । ଚରିତ୍ର ଅର୍ଜନ କରାଯାଇ ନ ପାରିଲେ ଜ୍ଞାନ ମଧ୍ୟ ଅର୍ଜନ କରାଯାଇ ନ ପାରେ । ତେଣୁ ନିଷ୍କଳଙ୍କ ଚରିତ୍ରର ନିର୍ମାଣ କରିବା ଉଚିତ୍। ମାତା , ପିତା, ପରିବାର ଓ ଶିକ୍ଷକଶିକ୍ଷୟିତ୍ରୀ ଚରିତ୍ର ଗଠନର ଶିକ୍ଷାକୁ ସୁଦୃଢ଼ କରିବା ନେଇ ପଦକ୍ଷେପ ନେବା ପରିବର୍ତ୍ତିନର ଏକ ନୂଆ ଦିଶା କହିଲେ ଅତ୍ୟୁକ୍ତି ହେବନାହିଁ। ଆତ୍ମଗ୍ଲାନି ଓ ଅଶାନ୍ତି ଚରିତ୍ରହୀନ ବ୍ୟକ୍ତିର ଅନୁଧାବନ କରେ । ତେଣୁ ଉତ୍ତମ ଚରିତ୍ର ନିର୍ମାଣକରି ସ୍ଵାଧ୍ୟାୟୀ ହୋଇପାରିଲେ ଅସମ୍ଭବକୁ ସମ୍ଭବ କରିବାର ପଥକୁ ନିକଟତର ହୋଇପାରିବେ ବୋଲି ଆଶା କରେ । ତେଣୁ ଉଠ. . . . . ଜାଗ୍ରତ ହୁଅ . . . . . ନିଜ କର୍ମ କରି ଚାଲ। ଏପରି ହେଲେ ସୂର୍ଯ୍ୟର କିରଣରେ ପଦ୍ମ ପ୍ରସ୍ଫୁଟିତ ହେଲା ଭଳି ତୁମ କୀର୍ତ୍ତି ସମଗ୍ର ସଂସାରରେ ଧିରେ ଧିରେ ବିସରଣ ପ୍ରକ୍ରିୟାକୁ ଅନୁକରଣ କରିବ ଓ ତୁମର ମହାନ୍ ହେବା ଅତ୍ୟନ୍ତ ସହଜ ହୋଇଯିବ। ତେଣୁ ଜୀବନରେ ସଂଯମ । ସଦାଚାର, ପ୍ରେମ, ସହିଷ୍ଣୁତା, ନିର୍ଭୟତା, ପବିତ୍ରତା ଓ ଦୃଢ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବାକୁ ହସଫୁଲମାନଙ୍କୁ ମୋର ଟିକି ଅନୁରୋଧ। ଓଁ ବୀରତ୍ଵ. . . . ଓଁ ଶାନ୍ତି . . . .
