ଚିରୁଡେ ପାନ-ଧାପେ ଗୁଣ୍ଡି
ଚିରୁଡେ ପାନ-ଧାପେ ଗୁଣ୍ଡି
ଗଣପତି !
ପାଣି ଗ୍ଲାସେ ଆଉ ଚା କପେ ଆଣ ।
ହଁ, ସାଙ୍ଗରେ ସେଇ ଛୋଟ ଗିନାରେ ମୁଢି ମିକସଚର ଦବ । ଭାରି ଭୋକ ଲାଗୁଛି ।ଟିଫିନ ଵାଲା ଆଜି ଆସିନି ।
ଅଫିସ ରେ ଆମେ ସବୁ, ଉଣାଅଧିକେ ଉପାସରେ ଅଛୁ ।
ପ୍ରାୟ ଲୋକ ତା ଉପରେ ନିର୍ଭର ଲଞ୍ଚ ଲାଗି ।ନ କହିକି ଚୁପ ସେ ରହିଯାଇଛି ।
କେତେ ଫୋନ କଲା ପରେ କହିଲା- ଗାଁ କୁ ପଳେଇଆଇଚି ଆଜ୍ଞା । ଲକ ଡାଉନ ଖୋଲିଲେ ଆସିବି ।
ଦିଦି !ପାଣି ଆଉ ଚା ନିଅ.... ମିକସଚର ତ ସରିଯାଇଛି ।ତିନି ଦିନ ତଳେ କହିଥିଲି ଆଣିବାକୁ...
ଆଉ ଦୁଇଥର ତାଗିଦ ବି କରିଥିଲି.... ମାସିକିଆ ସଉଦା ଆଣିକି ରଖିବା ଲାଗି... ଆଗକୁ ଦୋକାନ ବନ୍ଦ ରହିବ, ଟିଭିରେ କହୁଥିଲା । ହେଲେ, ତମେ ସେ କଥାକୁ ହସରେ ଉଡେଇ ଦେଲ ।
ଆରେ ମୁଁ କଣ ଜାଣିଥିଲି ଲକ ଡାଉନ ମାନେ ଏଇଆ? ହଠାତ କି ସବୁ ବନ୍ଦ ହେଇଯିବ?
ସରକାରଙ୍କର କେତେ ନେହୁରା, ବିନତି, ତାଗିଦାକୁ ଲୋକ ହସରେ ଉଡେଇ ଦିଅନ୍ତି । ପାଣିର ଗାର ସମ ଭାବନ୍ତି । ସମସ୍ତେ ଏକାବେଳେକେ ସୁନାପିଲା ହେଇଯିବେ ବୋଲି କିଏ ଜାଣିଥିଲା? ଥାନା ଡ଼ରରେ ସବୁ ସାବାଡ଼ ହେଇଗଲେ |
ତମେ ବାଲକୋନୀରେ ଟିକେ ଅନିଶା କଲ ...ଦେଖ ରଘୁ ଦୋକାନ ଖୋଲାଅଛି କି? ଥିଲେ ଦଉଡ଼ିକି ଯାଅ କିଛିଟା ସଉଦା ଆଉ ଦରକାରୀ ଜିନିଷ ନେଇଆସିବ । ବାକି କଥା ଦେଖିବା । ମୁଁ ଅଫିସ ଗଲେ କାହାକୁ କହି କଣ କିମିତି ବ୍ୟବସ୍ଥା କରିବି ।
ଗଣପତି ବାଲକୋନୀରୁ ପାଟି କରି କହିଲା ଦିଦି ଖୋଲା ଅଛି... ହେଲେ ଲମ୍ବା ଲାଇନ ।
ମୋ ଠୁ ପଇସା ନେଇ ଜଲ୍ଦି ଯାଅ ଆଉ ଲାଇନରେ ଠିଆ ହେଇଯାଅ । ହଁ ,ଫୋନଟା ନେଇଥିବ । କିଛି ମନେପଡିଲେ କହିଦେବି ।
ମିକସଚର ଥିଲେ ଦୁଇ ତିନି ପ୍ରକାରର ନେଇଆସିଥିବ, ସନ୍ଧ୍ୟାବେଳେ ମୁଢି କି ଚୁଡାଭଜା ସାଙ୍ଗେ ଦିମୁଠା ହେଲେ ଚା' ର ମଜା ଆସିଯାଏ । ସବୁବେଳେ ସେଇ ବିସ୍କୁଟ ଗୁଡା ଚୋବେଇବାକୁ ଭଲ ଲାଗୁନି ।
ହଉ ଦିଦି!
ଅଧଘଣ୍ଟାଏ ପରେ ଫେରିଲା ଗଣପତି । କିଛି ସଉଦା ଆଉ ଅତ୍ୟାବଶ୍ୟକ ଜିନିଷ ନେଇ । ଚିଠା ଟା ବଢ଼େଇଦେଲା । ଆମୂଳଚୂଳ ଦେଖିଗଲି । ଶେଷକୁ ଲେଖାହେଇଥିଲା ମିକସଚର -କୋଡ଼ିଏ ଟଙ୍କା । ମୁଣ୍ଡକୁ ରାଗ ଚଢ଼ିଗଲା ।
କିରେ! ତୋ ଜିନିଷଟା ଆଗେ ଲେଖାହେଇଛି, ଆଉ ଏତେ କହିବା ସତ୍ୱେ କୋଡ଼ିଏ ଟଙ୍କିଆ ମିକସଚର ପାକେଟ ଆଣିକି ଆସିଛୁ ?
ଦିଦି!, କଥା କଣ କି ...ଭଲ କମ୍ପାନୀର ବାରମଜା ସରିଯାଇଥିଲା । ତେଣୁ ଲୋକାଲ ଵାଲା ଚଖେଇବାକୁ ଆଣିଛି ଯଦି ପସନ୍ଦ କରିବ ତେବେ ଆଉ ଆଣିବା । ବହୁତ ଷ୍ଟକ ଅଛି । ଗୁଣ୍ଡି ତା ପାଖରେ ଗୋଟିଏ ପାକେଟ ଥିଲା । ଦୂରରୁ ମତେ ଦେଖି ସିଏ ମୋ ପାଇଁ ରଖି ଦେଇଥିଲା । ମୋ ଆଗ ଲୋକଟି କେତେ ନେହୁରା ହେଲା କିନ୍ତୁ ସିଏ ତୁଚ୍ଛା ଖୋଜିବାର ଅଭିନୟ କଲା । ଶେଷରେ ନାହିଁ କରିଦେଲା । ଡବଲ ପଇସାର ଲୋଭ ବି ଦେଖେଇଲା ମୋ ଆଗ ଲୋକଟି ...ହେଲେ ମୁଁ ଯେ ତାର କୋଡିଏ ବର୍ଷର ଗ୍ରାହକ !
ଗୁଣ୍ଡି ଧାପେ ଦେଇ ପାନ ଖଣ୍ଡେ ନ ଜାକିଲେ ହବନି ଦିଦି !ତମେ ଯେତେ ରାଗିବ ରାଗ ।
ଲମ୍ବା ଦିନଗୁଡା କଟିବନି ଜମା ।
ତମେ ତ ଦଶଟା ରୁ ବାହାରିଯାଉଛ ଫେରୁଛ ରାତିକି । ଘରଯାକର ପାଇଟି, ବାବୁଙ୍କ ଗାଧୁଆ ପାଧୁଆ,ତାଙ୍କ ବିଛଣାରେ ସଫା ଚାଦର ବିଛାଇବା ,ତାଙ୍କୁ ବିଛଣାରୁ ଆଣି ହୁଇଲ ଚେୟାରରେ ବସାଇବା , ନେଇ ବାଲକୋନୀରେ ଘଡ଼ିଏ ଖରାପୁଆଁ କରେଇବା ,ତାଙ୍କୁ ଜଗିବା,ଖୋଇପେଇଦେବା,ଦିନରେ ଦି ଚାରିଥର ଡାଇପର ବଦଳେଇବା -ଏସବୁ କରିକି ବ୍ୟସ୍ତ ଲାଗେ ।
କଥା ହେବାକୁ ଇଚ୍ଛାକଲେ କାହାସଙ୍ଗରେ ହେବି ?କାନ୍ଥ ନା ବାଡ଼ ?
ବାବୁ ଖାଲି ଜୁଳୁଜୁଳୁ କି ଅନେଇଥିବେ ତାଙ୍କ ସାଙ୍ଗରେ ବାର୍ତାଳାପ ହବା ଅସମ୍ଭବ ।
ସିଏ ନିଦରେ ଶୋଇଲେ ମୁଁ ବାଲକୋନୀରେ କିଛି ସମୟ ଏପଟ ସେପଟ ହୁଏ । ଏକଡ ସେକଡ ଉଣ୍ଡେ କିଏ କାଳେ ରାସ୍ତାକୁ ଓଲ୍ହେଇଥିବ ହେଲେ ଏ ଉଦୁଉଦିଆ ଖରାରେ ଫେରିଵାଲା ଛଡ଼ା କିଏବା ବାହାରିବ?ହଁ ,ଶୀତଦିନ କଥା ଅଲଗା । ତେଣୁ ପାଟିରେ କୋଲପ ଦେବା ଛଡ଼ା ଉପାୟ ନାହିଁ ।
ଆଉ ତମେ ଅଫିସରୁ ହାଲିଆ ହେଇକି ଆସୁଛ କାମର କେତେ ବୋଝ ନେଇ ବୁଲୁଚ ମୁଣ୍ଡ ଉପରେ ତମ ସାଙ୍ଗେରେ ଦୁଃଖସୁଖ କେବେ ହେବି?
ହଁ, ମା ଥିଲା ବେଳେ କଥା ଅଲଗା ପ୍ରକାରର ଥିଲା । ଖାଇପିଇ ସାଇଲା ବେଳକୁ ହାତରେ ଖଣ୍ଡେ ପାନ ଧରେଇଦିଅନ୍ତି କହନ୍ତି- ବାପା ଗଣି! ଜାକିଦେ ଏ ଖଣ୍ଡକ । ହଜମ ହେଇଯିବ ଗ୍ୟାସ ହବନି । ତାଙ୍କ ସ୍ନେହ ପରସ୍ତ ପରସ୍ତ ହେଇ ବୋଳା ହେଇଥାଏ ସେଥିରେ । କଥା ନ ଭାଙ୍ଗିପାରିକି ପାଟିକି ପକେଇଦିଏ ।ତାପରେ ଦେହରେ କୁଆଡୁ ଵଳ ମାଡିଆସେ ଯେତେ କାମକଲେ ବାଧେନି ।
ସେଇଠୁ ଏ ଦରପୋଡା ପାନ ଅଭ୍ୟାସ ହେଲା । ମା ଖାଉଥିଲେ ରାଉଳ ଗୁଣ୍ଡି । ପଛକୁ ଅମେଳ ହେଲାରୁ ଧୂଳି ଗୁଣ୍ଡି ଖାଇଲେ । ତମେ ଅଫିସ ଗଲା ଉତ୍ତାରୁ ବଟାରେ ବଟେ ପାନ ଭାଙ୍ଗିକି ରଖନ୍ତି,ହେଲେ ସନ୍ଧ୍ୟାସୁଦ୍ଧା ସିଏ ସରିଯାଏ ।ପୁଣି ରାତି ଅଧପର୍ଯ୍ୟନ୍ତ ଆଉ ବଟେ ।
...ମାମା ଏତେ ପାନ ଖାଉଥିଲା, ମତେ କାହିଁକି କହିନଥିଲ? ସେଇଲାଗି ତ ଦେହ ଏତେ ଖରାପ ହଉଥିଲା ତା'ର ।
କିମିତି କହିଥାନ୍ତି ?
ମା ରାଣ ନିୟମ ପକାଉଥିଲେ । ପୁଣି ଧର୍ମ ବୋଲି ଗୋଟେ ଜିନିଷ ଅଛି କି ନାହିଁ? କିମିତି କହିଦେଇଥାନ୍ତି ?ଧର୍ମଦ୍ରୋହୀ ହବାର ପାତକ ଲାଗିଥାନ୍ତା ନା ନାଇଁ ?ଆଉ ତାଙ୍କ ଜୀବନରେ ଖୁସି କ'ଣ ଥିଲା ଏଇ ପାନପସରା ଟିକୁ ଛାଡିଦେଲେ ?
ବାବୁ ତ ଚିରରୋଗୀ । ତାଙ୍କୁ ଟେକି ଟେକି ମାଆଙ୍କ ଅଣ୍ଟାପିଠି ପଡିଯାଇଥିଲା । ସେଇନାଗି ତ ମୁଁ ଆଇଲି ଗାଁରୁ ।
ଯାହା କୁହ ଦିଦି !ମା ଆମର ପୁଣ୍ୟାତ୍ମା ଥିଲେ । ପୂଜା କରୁକରୁ ଟଳିପଡିଲେ । ଆଉ ଡାକ୍ତର ଆସିଲାକୁ ସବୁ ଶେଷ । ତାଙ୍କରି ପଦିଏ କଥା ମୁଁ ସବୁବେଳେ ଭାଳି ହୁଏ -ଗଣି! କାହାମନରେ ଦୁଃଖଦେଲା ଭଳିଆ କଥା କହିବୁନି କେବେ । ରାଗ ଲାଗିଲେ ପାନଖଣ୍ଡେ ଜାକିଦେବୁ ଘଡ଼ିଏ ଚୋବେଇବୁ ଆଉ ଦେଖିବୁ ତୋ ରାଗ ମୁଣ୍ଡକୁ ନ ଉଠି ପାନ ଆଡେ ଚାଲିଯାଇଛି । ରାଗିଲେ ଖାଲି ନିଜର କ୍ଷତି ହୁଏ ରେ । ମତେ ଦେଖୁନୁ ମୁଁ କେତେ ଖୁସିରେ ଅଛି । ସ୍ୱାମୀ ରୋଗଗ୍ରସ୍ତ, ସୁନ୍ଦର, ଶିକ୍ଷିତା, ରୋଜଗାରକ୍ଷମ ଝିଅ ମୋର ,ହାତକୁ ଦି ହାତ ହେବାକୁ ସ୍ପଷ୍ଟ ମନାକରିଦେଲା । କେତେ ସପନ ଦେଖିଥିଲି ତା ଲାଗି ହେଲେ ...
କାଳିଆକୁ ପୂଜାକଲା ବେଳେ ମୋ କାନରେ ତୁନି ତୁନି କି କହେ ସିଏ- ମୋ ଉପରେ ଭରସା ରଖ ସବୁ ଠିକ ହେଇଯିବ ।
ଆଜି କାଇଁ ଭାରି ମନେପଡୁଛି ତାଙ୍କ କଥା । ପାଚିଲା ଗାମୁଛାରେ ଆଖି ପୋଛିଲା ବେଳେ କାନ୍ଥ ଘଣ୍ଟାରେ ଆଠଟା ବାଜିବାର ଶବ୍ଦ ହେଲା । ବାବୁଙ୍କ ଖାଇବା ବେଳ ହେଇଗଲାଣି ଯାଏ ଲୋ ମା !
ଗଣପତି! ତୁମର ଗୁଡ଼େ ସମୟ ଦୋକାନ ଯିବା ଆସିବାରେ ଗଲା । ଚାଲ ମୁଁ ରୋଷେଇରେ କିଛି ସାହାଯ୍ୟ କରିଦେବି ।
ନାଇଁ ମ ଦିଦି! ଯୋଉ କାମଟା ତମେ କେବେ କରିନ ଆଜି ...
ଥାଉ, ମୁଁ ଚଲେଇଦେବି । ଅଟା ଜନ୍ତିକି ରଖିଛି ବାବୁଙ୍କର ଖଳି ରୁଟି ଲାଗି । ସନ୍ତୁଳା ଆଉ କ୍ଷୀର ଦେଇକି ଖାଇବେ । ତମର ଆଉ ମୋର ରୁଟି ଚାରିପଟ ଆଉ ଡାଲମା ଟିକେ ହବ । ହଁ, ସକାଳ ଭଜା ଟିକେ ଆଉ ଆମ୍ବଖଟା ବଳିଯାଇଥିଲା ମିଶେଇକି ଖାଇଦେବା । ତମେ ଗଲ ଦିଦି ମୁଁ ଝଅଟ କରିଦେବି । ତମର ଅଭ୍ୟାସ ନାହିଁ ଡେରିହବ ।
୯ଟା ବେଳେ ମହାଭାରତ ଟିକେ ଦେଖିବି । ଆଜି ଭଲ ଅଧ୍ୟାୟଟେ ଅଛି ।
ଆଜି କି ଅଧ୍ୟାୟ?
ଆଜି ଯୁଦ୍ଧ ଆରମ୍ଭ ହବ...
ପାନଖଣ୍ଡେ ଜାକି ଆସେ ଦେହରେ ଫୁର୍ତ୍ତ ଆସିଯିବ ।
ପାନ ଖାଇ ଆସିଲାପରେ ଉପରକୁ ଚାହିଁ ଦୁଇହାତ ଯୋଡି ଗଣପତି ଆରମ୍ଭ କଲା -
ମା ମୋର ! ତମେ ମତେ ଛାଡି ଗଲ ସିନା ମୁଁ କିନ୍ତୁ ଛାଡିପାରୁନି- ଚିରୁଡେ ପାନ ଧାପେ ଗୁଣ୍ଡିର ଅଭ୍ୟାସଟିକୁ । ତମେ ପକେଇଥିବା ମୂଳଭିତ୍ତିଟାକୁ ପକ୍କା କରି ସାରିଲିଣି । ପରମ୍ପରା ବଜାୟ ରଖିଛି ଗୋ ମା!
ଏତକ କହି ପାକୁଆ ପାଟିରେ ହସ ଟୋପେ ଲେସିଦେଲା ।
ମନେ ମନେ ଭାବିଲି -ଖୁସି ହବାପାଇଁ ସତରେ କେତେ କମ ଜିନିଷର ଆବଶ୍ୟକତା ଥାଏ ..ହେଲେ ଆମ ଭଳିଆ ପାଠପଢୁଆ ଲୋକମାନେ କାହିଁକି ବୁଝିପାରନ୍ତିନି କିମ୍ବା ବୁଝିବାଲାଗି ଚେଷ୍ଟା କରନ୍ତିନି ?
ଖୁସି ହେବା ...କେବଳ ଏକ ମାନସିକତା !ଆଉ କିଛି ନୁହେଁ ।
ହଁ ,ମହାଭାରତର ଆଜିକା ଅଧ୍ୟାୟ ପରି ମୋ ଜୀବନର ଏଇ କିଛି ସମୟ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ।