Madhabi Patel

Classics

3  

Madhabi Patel

Classics

ଛୋଟ ଜୀବନ

ଛୋଟ ଜୀବନ

3 mins
384



ଛୋଟ ପଛେ ଜୀବନ ହେଉ ଉଦ୍ଦେଶ୍ୟ ହେଉ ମହାନ,

ସମାଜ ପାଇଁ ଜୀବନ ଯାଉ ହେଇ ଯାଏ ମୁଁ, ଧନ୍ୟ।


ସବୁ ମଣିଷର ଏଇ ଗୋଟିଏ ଲକ୍ଷ୍ୟ ହେବା କଥା।

ସେଫାଳି ଫୁଲ ଗୋଟିଏ ରାତିପାଇଁ ଫୁଟେ।ରାତିରେ ନିଜର ମହକ ବିତରି ଆଖପାଖକୁ ବାସ୍ନାୟିତ କରିଦିଏ।କିଛି ଦୁର୍ଗନ୍ଧ ହେଉଥିବା ଜାଗାରେ ଫୁଟିଲେ ସେ ସ୍ଥାନର ଦୁର୍ଗନ୍ଧକୁ ଚପେଇ ଦିଏ ନିଜ ବାସ୍ନାରେ।

ସକାଳ ହେଉ ହେଉ ଝଡିଯାଏ ପଛେ ହେଲେ ତା କ୍ଷଣିକ ଜୀବନ ଅନ୍ୟର ପାଇଁ ଉତ୍ସଗିତ କରିଯାଏ।


ସେମିତି ଏକ କୁନୀ ପିଲାର ନାମ ଆମ ସ୍ମୃତି ପଟଳରେ ବସାବାନ୍ଧି ରହିଛି।ତାର ଅବଦାନ ଆମ ଓଡିଆ ଜାତିପାଇଁ ମହାନ।ଯାର ପାଇଁ ଓଡିଆ ଜାତିର ଗୌରବ ବଢିଛି। ଆଜିଯାଏ ଅକ୍ଷୃର୍ଣ ରହିଛି ତା ଗୌରବ ଗାଥା ଶିଳାଖଣ୍ଡ ଭିତରେ।କେବଳ ଓଡିଶା କାହିଁକି ସେ ଭାରତର ଗୌରବ ପାଲଟି ଯାଇଛି।କେତେ ଦର୍ଶକ ଦେଖିବାକୁ ଆସୁଛନ୍ତି ତାର ଅନୁଦାନର ରୂପକୁ।

କାଳଜୟୀ ହେଇ ଯାଇଛି ସେ ତାର କୃତି ସହିତ।କୋଣାର୍କ ଓ ଧରମାର ନାଆଁ ଅଙ୍ଗାଙ୍ଗିଭାବେ ଜଡିତ।ଜଣକୁ ସ୍ମରଣ କଲେ ଅନ୍ୟଜଣେ ଆପେ ଆମ ମନରେ ପ୍ରବେଶ କରିଯାଏ।ଯେତେବେଳେ ଆମେ କୋଣାର୍କ ଦର୍ଶନକୁ ଯାଉ କୋଣାର୍କର ଚାରୁକଳାରେ ବିମୋହିତ ଆଶ୍ଚର୍ଯ୍ୟାନ୍ବିତ ହେଇ ଯାଉ।ଆଉ ସେତେବେଳେ ମନେପଡେ ସେ ବାରବର୍ଷର କୁନୀ ଧରମାର କଥା।

ଏକ ଅଫୁଟା କଳିକା ,ପ୍ରତିଭାର ଉଜ୍ବଳ ଦୀପଶିଖାଟିଏ।ଯିଏ ଆଲୋକିତ କରି ପାରିଥାନ୍ତା ଏ ଭାରତ ବର୍ଷକୁ।ତାରି ହାତରେ ରୂପ ପାଇଥାନ୍ତା ଆଉ କେତେ କୋଣାର୍କ ପରି ଅମୂଲ୍ୟ କିର୍ତ୍ତୀରାଜି।ହେଲେ ନିଜ ଜାତି ଭାଇଙ୍କ ଜୀବନ ବଞ୍ଚାଇବାକୁ ଯିଏ ଝାସ ଦେଇଦେଲା ସମୁଦ୍ର ଜଳରେ।ଧନ୍ୟ ସେଇ ବୀର ବାଳକ।ଧନ୍ୟ ସେ ଧରଦୀ ଓ ଦାନୀ ବାଳକ।ଯିଏ ନିଜକୁ ଦାନ କରିଦେଲା ନିଜ ଜାତିକୁ ବଞ୍ଚାଇବା ପାଇଁ।


ଛୋଟ ଧରମା ରହୁଥିଲା ଏକ ଛୋଟ ଗାଆଁରେ।ବାପା ବିଶୁମହାରଣା ସେ ଗର୍ଭରେ ଥିବାବେଳୁ ଚାଲି ଆସିଥିଲେ କୋଣାର୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ।

ଲାଙ୍ଗୁଳା ନରସିଂହ ଦେବ ବାରଶହ ବଢେଇ ଡକାଇ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇ ଥିଲେ।ରଥ ଆକାରରେ ତିଆରି କରିବାକୁ ଥିଲା ମନ୍ଦିରଟି।

ସୂର୍ଯ୍ୟଙ୍କ ପହିଲି କିରଣ ଉଦୟ ହେଉ ହେଉ ଆସି ପଡିବ ଗର୍ଭ ଗୃହରେ।ସବୁ ମହାରଣା ମାନେ ନିଜର ଉତ୍କୃଷ୍ଟ କଳାର ପ୍ରଦର୍ଶନରେ ଲାଗି ପଡିଥିଲେ।କେତେ ସୁନ୍ଦର ନର୍ତ୍ତକୀ,ପଶୁ ପକ୍ଷୀଙ୍କ ମୂର୍ତ୍ତୀ ତିଆରି ଖଞ୍ଜିଦେଲେ।କୋଉଠି ଯୁଦ୍ଧ ପାଇଁ ସଜବାଜର ଚିତ୍ର ମନ୍ଦିର ଗାତ୍ରରେ ଚିତ୍ରିତ ହେଇଛି ପାଷାଣ ପ୍ରତିମା ରୂପରେ।କୋଉଠି ରତିକ୍ର୍ରୀଡାରତ ଦମ୍ପତି ଯୁଗଳଙ୍କ ପ୍ରତିକୃତି।

ଶିଳ୍ପୀଙ୍କ ନିହାଣ ମୁନରେ ଏକଦମ୍ ଜୀବନ୍ତ ରୂପ ନେଇଛି। କୋଉଠି ନବଗ୍ରହଙ୍କ ବିଗ୍ରହ ରହିଛି ତ କୋଉଠି ପାଣିର ଫବାରାଟେ କୋଉ ହାତୀ ଶୁଣ୍ଢରୁ ନିଗିଡି ଆସୁଛି।ହାତୀ।ମାହୁନ୍ତ,ଅଶ୍ବ ଅଶ୍ବାରୋହିଙ୍କ ଅନେକ ଚିତ୍ର ରହିଛି ପଥର ଦେହରେ।

ଅଶ୍ବମାନେ ରଥକୁ ଟାଣୁ ଛନ୍ତି।ରଥଚକ ମାନେ ଆଜିବି ରହିଛି ଦର୍ଶକ ମାନଙ୍କୁ ଚମକାଇ ଦେବାପାଇଁ।ଭଙ୍ଗା ଟୁଟା ଯାହା ଅଂଶ ରହିଛି ତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।ସେତେବେଳେ ବିଜ୍ଞାନର ଏତେ ଉନ୍ନତି ହେଇ ନଥିଲା।ଏବେ ପରି ଏତେ ଯନ୍ତ୍ରପାତି ନ ଥିଲା ପଥର କାଟି ତରାସିବାକୁ। ତଥାପି ସେମାନେ କିପରି ନିଖୁଣ ପ୍ରତିମା ମାନ ଥୋଇ ଯାଇଛନ୍ତି ମନ୍ଦିର ଗାତ୍ରରେ।

ଏତେ ବଡବଡ ହାତୀ ଆକାରର ପଥରକୁ ଏତେ ଉପର ଉଠେଇ ଖଞ୍ଜିଲେ କିପରି?

ମନ୍ଦିରର ଦେହକୁ ତ ସଭିଏଁ ମିଶି ଗଢିଦେଲେ।ହେଲେ ଚୂଳ ମୁଦି ପାରୁନ ଥିଲେ।ତାହା ମାପ ଯୋଗ କରି

ସନ୍ତୁଳନ ରକ୍ଷାକରି ବସାଇବାର ଥିଲା।ବଢେଇ ମାନେ ଯେତେ ଚେଷ୍ଟା କରୁଥିଲେ ତାହା ଠହରୁନଥିଲା। ଖସି ପଡୁଥିଲା। ସଭିଏଁ ଚିନ୍ତିତ ଥିଲେ। ମନ୍ଦିର ତିଆରିକୁ ମିଳିଥିବା ସମୟର ଅବଧି ସରି ଆସୁଥିଲା।


ଯଦି ଠିକ୍ ସମୟରେ ମନ୍ଦିର ଚୂଳ ନ ଲାଗେ ସବୁ ବଢେଇଙ୍କ ମୁଣ୍ଡ କାଟ ହେବ।

ସେହି ବିପଦ ସମୟରେ ଧରମା ତା ମାଆଠାରୁ ବାପାର ଠିକଣା ଖୋଜି ଖୋଜି ପହଞ୍ଚିଛି।ସାଙ୍ଗ ପିଲାମାନେ ତାକୁ ଅଣବାପୁଆ କହି ଚିଡେଇଲେ।ଯାହା ଫଳରେ ସେ ପ୍ରେରିତ ହେଇ ବାପାଙ୍କୁ ଭେଟିବାକୁ ମାଆ ପାଖେ ଜିଦି କଲା।ପୁଅର ଜିଦି ଆଗରେ ମାଆଙ୍କୁ ଝୁଙ୍କିବାକୁ ପଡିଲା।ବାପ ପୁଅ ତ କେବେ ଦେଖା ଦେଖି ହେଇନ ଥିଲେ।

ଏବେ ପରି ଆଗେ ସ୍ମାଟଫୋନ ନଥିଲା।ନହେଲେ ଭିଡିଓ କଲରେ ଦେଖି ଥାନ୍ତେ।ମାଆ ସେଥିପାଇଁ ପୋଷା କୁକୁରକୁ ସାଙ୍ଗରେ ନେଇ ଯିବାକୁ କହିଲେ।ସାଙ୍ଗରେ ବାରିର ବରକୋଳି ଦେଲେ ଯାହା ବିଶୁଙ୍କର ପ୍ରିୟ ଥିଲା।ଆଉ ତାହା ଖାଇଲେ ସେ ପୁଅକୁ ଚିହ୍ନି ପାରିବେ ବୋଲି ତାଙ୍କ ବିଶ୍ବାସ ଥିଲା।

ଧରମା ଏତେ ବାଟ କୁନି ପାଦରେ ଚାଲି ଚାଲି ପହଞ୍ଚିଲା ନିଜ କୁକୁରକୁ ଧରି।

ବିଶୁଙ୍କୁ ଖୋଜି ଖୋଜି ଶେଷରେ ପାଇଲା।ନିଜର ବାଡି ବଅଁରକୋଳି ଓ କୁକୁରକୁ ଚିହ୍ନି ପାରିଲେ ବିଶୁ।

ସେ ନିଜ ପୁଅକୁ ଚିହ୍ନି ଖୁସିରେ କୋଳ କରିନେଲେ।ବାପ ପୁଅ କିଛି ସମୟ ଦୁଃଖ ସୁଖ ହେଲେ।ଘରକଥା ସବୁ ଗୋଟି ଗୋଟି ବାପାଙ୍କୁ ଜଣାଇଲା ଧରମା।


ତଥାପି ବାପାଙ୍କୁ ଚିନ୍ତିତ ଥିବାର ଦେଖିଲା।ସେ ବାପାଙ୍କୁ ଚିନ୍ତାର କାରଣ ପଚାରିଲା।

ବାପା ମୁଣ୍ଡି ମାରି ନ ପାରିବାର ସମସ୍ୟା ପୁଅ ଆଗେ କହିଲେ। ଧରମା କହିଲା ଏଇ ଛୋଟ କାମକୁ ଏତେ ଚିନ୍ତା।ମୁଁ ମାଆ ପାଖରୁ ବଢେଇ କାମ ଶିଖିଛି।ତୁମର ବହି ସବୁ ପଢିଛି।ସେ ଜ୍ଞାନ ବଳରେ ମୁଁ ଏକାମରେ ନିଶ୍ଚିତ ଭାବରେ ସଫଳ ହେବି।ସେ ମନ୍ଦିର ଚୂଳକୁ ଚଢିଯାଇ ଠିକ ମାପ ଯୋଗ କରି ମୁଣ୍ଡି ମାରିଦେଲା।କିଛି ସମୟ ପାଇଁ ବଢେଇ ସମାଜ ଆନନ୍ଦ ମୁଖର ହେଇ ଉଠିଲେ। ସମସ୍ତେ ଧରମାକୁ ସାବାସି ଦେଲେ। ପ୍ରଶଂସାରେ ପୋତି ପକେଇଲେ।ତୁ ଆମ ଭବିଷ୍ୟର ଉଜ୍ବଳ ଜ୍ୟୋତିଷ୍କଟିଏ ଯିଏ ଆମ କଳାକୁ ଆଗକୁ ଆହୁରି ଉନ୍ନତି ପଥରେ ନେବ।

ପୁଣି ସଭିଏଁ ଦୁଃଖି ହେଇଗଲେ।ରାଜା ଯେତେବେଳେ ଜାଣିବେ ଯେଉଁକାମ ଆମେମାନେ କରିବାକୁ ଅକ୍ଷମ ହେଲୁ ଆଉ ତୁ ଏକ ବାରବର୍ଷର ବାଳକ କରି ଦେଖାଇଲୁ।ସେତେବେଳେ ନିଶ୍ଚିତ ଭାବେ ଆମର ମୁଣ୍ଡ କଟାହେବ।ସମସ୍ତେ ଏକତ୍ର ହେଇ ବିଶୁକୁ କହିଲେ ତୁ ତୋ ପୁଅର ପ୍ରଶଂସା ଶୁଣିବାକୁ ଚାହୁଁ ନାଁ ଆମ ସଭିଙ୍କ ଜୀବନ ଚାହୁଁ।ତୋର ପୁଅରେ ଦାୟ କି ବାରଶହ ବଢେଇରେ ଦାୟ।ବିଶୁ ଏବେ ଧର୍ମ ସଂକଟରେ ପଡିଗଲା।ବାପାଙ୍କ ମନୋଦଶା ଦେଖି ଧରମା ମନ୍ଦିର ଉପରକୁ ଉଠିଲା ଆଉ ଚନ୍ଦ୍ରଭାଗା ଜଳରେ ଝାସ ଦେଇଦେଲା।ସେତେବେଳେ ଚନ୍ଦ୍ରଭାଗାର ଜଳ ମନ୍ଦିରକୁ ଲାଗିକି ଥିଲା।ଏବେ ଶୁଖି କି ଦୂରକୁ ଚାଲିଗଲାଣି।

ଗୋଟିଏ ଛୋଟ ପିଲା ଅଳ୍ପ ଦିନର ଆୟୁଷ ନେଇ ଯୁଗ ଯୁଗକୁ ଅମର ହେଇଗଲା । ନିଜ ଜାତିପାଇଁ ଆତ୍ମଦାନ କରିଦେଲା।

ଲମ୍ବା ଆୟୁଷ ଧରି ବହୁକାଳ ବଞ୍ଚିବା ଅପେକ୍ଷା ଯୋଉ କିଛି ଦିନ ବଞ୍ଚିବା କିଛି ଭଲ କାମ କରିଯିବା।ତାହେଲେ ଆମ ଜୀବନ ସାର୍ଥକ ହେବ।



Rate this content
Log in

Similar oriya story from Classics