ଛକି ଶୂନ
ଛକି ଶୂନ
ଜୀବନ ୦ କି.ମି.
ପାଠପଢ଼ା, ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ଏମିତି ଏମିତି ରେ ଡିଗ୍ରୀ ଖଣ୍ଡେ ହାତରେ ଧରି ଚାକିରି ପଛରେ ଦୌଡୁ ଦୌଡୁ ଜୀବନର ୨୦/୨୫ ବର୍ଷ କେମିତି କେମିତି ଉଡ଼ି ଗଲା ଆଦୌ ବୁଝିହେଲା ନାହିଁ।
ଚାକିରି ମିଳିଲା, ସମୟର ଚକ ଗଡ଼ି ଚାଲୁଥିଲା କ୍ଷୀପ୍ର ଗତିରେ। ଗୋଟିଏ ଦୁଇଟି ଚାକିରି ବଦଳ ବି ହେଲା। ଦରମାରୁ ଘରକୁ କିଛି ପଠାଇବା ପରେ ଏବଂ ନିଜର ଖର୍ଚ୍ଚ କଲାପରେ ଯାହା ବଳିଲା, ସେଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଖୋଲା ହେଲା।ଏଥର ବ୍ୟାଙ୍କଜମାର ଛକଶୂନ ଖେଳ ଆରମ୍ଭ ହୋଇଗଲା।
ବିଭାଘର ବି ହୋଇ ଗଲା ଏ ଭିତରେ। ବର୍ଷେ ଦି' ବର୍ଷ ପର୍ଯ୍ୟନ୍ତ ଦୁଇ ପ୍ରାଣୀ ଜୀବନରେ କିଛିଟା ରୋମାଞ୍ଚର ଅନୁଭୂତି ହାସଲ କଲୁ। ହାତରେ ହାତ ଧରାଧରି ହୋଇ ଶୀତୁଆ ସନ୍ଧ୍ୟା ରେ ହାଟ ବଜାର ରେ ବେଶ ବୁଲାବୁଲି ବି ହେଲା।
ଦେଖୁ ଦେଖୁ କୋଳକୁ କେତେ ବେଳେ ପିଲାଟିଏ ଆସିଗଲା ଜଣା ପଡ଼ିଲା ନାହିଁ। ଏଥର ସମ୍ପୂର୍ଣ୍ଣ ଧ୍ୟାନ ସେହି ପିଲାଟି ଉପରେ। ଉଠାବସା ଠାରୁ ଖାଇବା ପିଇବା ସବୁର କେନ୍ଦ୍ର ବିନ୍ଦୁ ପାଲଟି ଗଲା ସେ ପିଲାଟି। ଦେଖୁ ଦେଖୁ ଆଉ ଗୋଟିଏ ପିଲା ମଧ୍ୟ ଆମ ଅଳିନ୍ଦରେ ଖେଳିବାକୁ ଲାଗିଲା।
ଏଭିତରେ କେତେବେଳେ ସମୟର ଚକ ଘର୍ଘର ନାଦରେ ଆଗେଇ ଗଲା ଏକାନରୁ ସେ କାନକୁ ପର୍ଯ୍ୟନ୍ତ ଖବର ଯାଇ ପାରିଲା ନାହିଁ। ମୋ ହାତରୁ ତା ହାତ ଖସରେଇ ନେଇ ସେ କେତେବେଳେ ଦୂରେଇ ଗଲା ମୁଁ ଖିଆଲ ପର୍ଯ୍ୟନ୍ତ କରି ପାରିଲି ନାହିଁ। ସେ ତାର ପିଲାମାନଙ୍କ ସେବା ସହିତ ଠାକୁର ପୂଜା ଏବଂ ଘର ଗୃହସ୍ଥିର ଦାୟଦାୟିତ୍ୱ ସମ୍ଭାଳିବା ଭିତରେ ଆମେ ପରସ୍ପର ପାଇଁ ଯେମିତି ଗୌଣ ହୋଇ ଯାଇଥିଲୁ।
ସିଏ ପିଲାଙ୍କ ପଛରେ ଦୌଡୁ ଦୌଡୁ ଦିନ ସାରି ଦେଉଥିଲା ଓ ଥକି ହାରି ଶୋଇ ପଡୁଥିଲା। ମୁଁ ଘର ଓ ଗାଡ଼ି ଋଣର କିସ୍ତି ଶୁଝୁ ଶୁଝୁ, ପିଲାଙ୍କ ପାଠପଢ଼ାର ଖର୍ଚ୍ଚ ସହିତ ଆୟ ବ୍ୟୟର ହିସାବ କିତାବ ଓ ବ୍ୟାଙ୍କ ଜମାଖାତା ରେ ଶୂନ୍ଯ ମାନଙ୍କ ବୃଦ୍ଧି ଉପରେ ନଜର ରଖୁ ରଖୁ ତା' କଥା ଯେମିତି ଭୁଲି ଯାଇଥିଲି।
ମୁଁ ଏଭିତରେ ୩୫ ବର୍ଷ ର ହୋଇ ସାରିଥିଲି। ଘର, ଗାଡ଼ି, ବ୍ୟାଙ୍କ ରେ ଶୂନ୍ୟ ବୃଦ୍ଧି ସବୁ ଠିକ୍ ଠାକ ଚାଲୁଥିଲେ। କିନ୍ତୁ କେଉଁଠି ଯେମିତି କିଛି ଗୋଟିଏ ଶୂନ୍ୟ ସ୍ଥାନ ରହିଥାଉଥିଲା, ବୁଝି ହେଉ ନଥିଲା। ଅକାରଣ ରେ ସେ ଖିଟ ଖିଟ ହେଉଥିଲା। ମୁଁ ମଧ୍ୟ କାହିଁକି କେଜାଣି ଉଦାସ ହୋଇ ପଡୁଥିଲି।
ପିଲା ମାନେ ପାଠ ପଢାରେ ଲାଗି ପଡ଼ିଥିଲେ। ଦିନ ଯାଇ ରାତି, ରାତି ପରେ ଦିନ, ମାସ,ବର୍ଷ ଗଡ଼ି ଚାଲୁଥିଲେ। ପିଲାଙ୍କ ଦଶମ ଶ୍ରେଣୀ ପରୀକ୍ଷା ଆସି ପର ପର ଚାଲି ଗଲା। ଆମେ ଦୁହେଁ ମଧ୍ୟ ବୟସ୍କ ହୋଇ ସାରିଥିଲୁ। ବ୍ୟାଙ୍କ ରେ ଜମାଖାତା ରେ ଶୂନ ମାନଙ୍କ କ୍ରମାଗତ ବୃଦ୍ଧି ହେଉଥିଲା।
ଦିନେ ନିରୋଳା ସମୟରେ ମୌକା ଦେଖି ଚୌକା ମାରିବା ପାଇଁ ଭାବି ଲୁଚି ଲୁଚି ତା ପାଖରେ ପହଞ୍ଚି ଖପ୍ କିନା ତା' ହାତ ଧରି ନେଲି। ଦୋଷୀ ଦୋଷୀ ଭାବ।
କହି ପକେଇଲି, "ଚାଲନା, ଟିକିଏ କେଉଁଠି ବୁଲି ଆସିବା। ହାତ ଧରାଧରି ହୋଇ ଚାଲିବା।ଏକୁଟିଆ ରେ ଟିକିଏ କଥାବାର୍ତ୍ତା ହେବା।"
ମୋ ଆଡ଼କୁ ଏକ ଅଧା ଆଶ୍ଚର୍ଯ୍ୟ, ଅଧା ବିରକ୍ତି ର ଠାଣିରେ ଅନେଇ ହାତ ଛଡ଼ାଇ ନେଇ ଚାଲି ଗଲା ସେ।
" ଘରେ କେତେ କାମ ପଡ଼ିଛି। ତମକୁ ଖାଲି ଫାଜିଲାମି କରିବା ପାଇଁ ମନ ହେଉଛିନା? ଯାଉନ!"
ଶାଢୀ କାନି ଅଣ୍ଟାରେ ଖୋସି ଦେଇ ରୋଷେଇ ଘର ଭିତରକୁ ଝଡ଼ବେଗରେ ପଶିଗଲା ସେ।
ଦେଖୁ ଦେଖୁ ଚାଳିଶା ପଶିଲା। ଆଖିରେ ଚଷମା ଲାଗିଲା। ବାଳର ରଙ୍ଗ ଧୂସର ହେବା ଆରମ୍ଭ ହୋଇଗଲା।
ପିଲାମାନେ କଲେଜରେ ପଢୁଥାନ୍ତି। ବ୍ୟାଙ୍କରେ ପୁଞ୍ଜି ବଢ଼ିବାରେ ଲାଗିଥାଏ। ମନରେ କାହିଁକି କେଜାଣି କିଛିଟା ବ୍ୟତିକ୍ରମ ଆରମ୍ଭ ହୋଇଗଲାଣି।
ପିଲାମାନେ ଜଣକ ପରେ ଜଣେ ଚାକିରି ପାଇ ଘର ଛାଡ଼ି ଚାଲି ଗଲେଣି। ସେମାନଙ୍କ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଲାଗି ପଡ଼ିଲେଣି ସେମାନେ।ଏଭିତରେ ତାର ବି ମୁଣ୍ଡରେ ଧଳା ଧଳା ବାଳ ମାନେ ଏଠି ସେଠି ଦିଶିଲେଣି। ତା ଆଖିରେ ବି ଚଷମା ଲାଗିଲାଣି।ସେ ବି କେମିତି କେମିତି ବୁଢ଼ୀ ବୁଢ଼ୀ ଦିଶିଲାଣି। ମୁଁ ବା ଆଉ କୋଉ ଜବାନ୍ ଅଛି ଯେ! ଘରେ ଏଣେତେଣେ ଔଷଧ ପତ୍ର ରଣଭଣ ହେଲେଣି। ଦେଖୁ ଦେଖୁ ଷାଠିଏ ବର୍ଷ ର ସୀମା ଟପିଗଲାଣି ମୋର। ଆଉ କେଇଟା ବର୍ଷ ପରେ ସେ ବି ଷାଠିଏ ଟପି ଯିବ। ପିଲାମାନେ ବଡ଼ ହେଲେ ସାଥିରେ ରହିବା ଭାବି ଘରଟା ତିଆରି କରିଥିଲା ସେ। ମୁଁ ଖାଲି
ପଇସା ଗଣ୍ଡିକ ଫୋପାଡ଼ି ଦେଇ ଖଲାସ।ଏବେ ସେ ଘର ଆମ ଦିଟା ଙ୍କୁ ଖାଇ ଗୋଡାଏ। ପିଲାଏ କେବେ ଆସିବେ ସେହି ଅପେକ୍ଷା ରେ ସମୟ କଟୁଥାଏ ସିନା, ସେମାନଙ୍କ ପାଖରେ ଏ ବୁଢ଼ା ବୁଢ଼ୀ ଙ୍କ ପାଇଁ ସମୟ ବା କାହିଁ?
ସଞ୍ଜ ବେଳ। ମୁଁ ସୋଫାରେ ବସି ଥଣ୍ଡା ପବନ ଖାଉଥାଏ।ବହିଟିଏ ପଢ଼ିବା ପାଇଁ ଚେଷ୍ଟା କରୁଥିଲି। ଆଜିକାଲି ଆଉ ପଢାପଢି ଆଡ଼କୁ ମନ ଯାଉ ନାହିଁ। ସେ ତାର ଠାକୁର ଘରେ ସନ୍ଧ୍ୟା ଧୂପ ଦୀପରେ ବ୍ଯସ୍ତ।
ମୋବାଇଲ ରେ ହଠାତ ଜୋରରେ ରିଙ୍ଗ୍ ହେଲା। ସେ ଠାକୁର ଘରୁ ଦୌଡ଼ି ଆସି ଫୋନ ଉଠାଇଲା। ସେ ପଟରୁ ପୁଅର ସ୍ଵର।
"ଆମେ ମାନେ ତ ଆଉ ଘରକୁ ଯିବା ସମ୍ଭବପର ହେଉ ନାହିଁ। କାମରୁ ପୁରସତ ମିଳୁନାହିଁ।ପ୍ରାଇଭେଟ ଚାକିରି। ଆମ ପାଇଁ ଅପେକ୍ଷା କର ନାହିଁ। ସେଠି ଏକା ଏକା ରହିକି କଣ ବା କରୁଚ? ଘର ଦ୍ଵାର ବିକି ଏଠାକୁ ଚାଲି ଆସୁନ!"
ପୁଅ ମୋ ସାଥିରେ କଣ କଥା ହେବ ବୋଲି ସେ ଫୋନଟା ମୋ ହାତରେ ଧରେଇ ଦେଇ ଅପେକ୍ଷା କଲା।
ପୁଅର ସ୍ଵର ଟିକିଏ ଥକା ଥକା ଲାଗୁଥିଲା।
" ପାପା,ତମକୁ ତ ମୁଁ ବୁଝେଇ ପାରିବି ନାହିଁ। ନା ଭାଇ କଥା ତମେ ଶୁଣିବ।ଯେତେ କହିଲେ ବି ତ ତମେ ଆମ ମାନଙ୍କ ପାଖକୁ ଆସି ରହିବନି। ଆମର ତମ ଟଙ୍କା, ପଇସା ପ୍ରତି କୌଣସି ଆଗ୍ରହ ନାହିଁ। ସେସବୁ ଟଙ୍କା ପଇସା ତମେ ତମର ସେଇ ବୃଦ୍ଧାଶ୍ରମକୁ ଦାନ କରି ଦିଅ। ସୁବିଧା କରି ସେଇଠି ଯାଇ ରହିଗଲେ ବି ଭଲ।"
ଫୋନ କାଟି ତା ଆଡ଼କୁ ଅନେଇଲି। ତା ମୁହଁ ରେ ଭାଷା ନଥିଲା। ସେ ଠାକୁରଘରକୁ ଚାଲିଗଲା। ପୂଜା ଅର୍ଚ୍ଚନା ସରି ନଥିଲା ତାର। ମୁଁ ସୋଫା ଉପରେ ଗୁମସୁମ ହୋଇ ବସି ରହିଲି ବେଶ କିଛି ସମୟ ପର୍ଯ୍ୟନ୍ତ।
ଏଥର ମନ ପରିଷ୍କାର ହୋଇ ଗଲା। ଗଳା ଖଙ୍କାରି ତାକୁ ଠାକୁର ଘର ଭିତରୁ ଡାକିଲି।
" ହଇ ଓ, ଶୁଣୁଚ! ଚାଲ ଆଜି ଟିକିଏ ବାହାରେ ବୁଲି ଆସିବା। ହାତରେ ହାତ ଧରାଧରି ହେଇ ସେଇ ପୁରୁଣା ସମୟ କଥା ମନେ ପକେଇ ଟିକିଏ ମନଖୋଲି ହସିବା, କାନ୍ଦିବା ଆଉ କିଛି ସମୟ ଚୁପଚାପ ଚାଲିବା।ଗଛରୁ ପତ୍ର ଖସିବାର ଶବ୍ଦ ଶୁଣିବା। ଅନ୍ୟ ମାନଙ୍କ କଥା କାନ ପାରି ଶୁଣିବା।"
ଭିତରୁ ତା କଥା ଭାସି ଆସିଲା, ରୁହ ମୁଁ ଆସୁଛି। ବଡ଼ ଖୁସି ହୋଇଗଲି ମୁଁ।ଆଶ୍ଚର୍ଯ୍ୟ ବି ଲାଗିଲା। ଏତେ ଦିନ ପରେ ସେ ମୋ ସାଥିରେ ଏକା ଏକା ବୁଲିବା ପାଇଁ ରାଜି ହୋଇଛି! ଖୁସିରେ ଆଖି ଦୁହେଁ ଜକେଇ ଆସିଲେ। ଦୁଇ ବୁନ୍ଦା ଝରି ପଡ଼ିଲେ ବି। କିନ୍ତୁ ଦେଖୁ ଦେଖୁ ଆଖିର ଚମକ ଫିକା ପଡ଼ିଗଲା। ମୁଁ ନିସ୍ତେଜ ହୋଇ ପଡୁଥିଲି ଚିରଦିନ ପାଇଁ!
ସେ ପୂଜା ସାରି ମୋ ପାଖକୁ ଆସି ବସିଗଲା।
"କଣ କହୁଥିଲ କୁହ।"
ମୁଁ ଉତ୍ତର ଦେବାକୁ ଚାହିଁଲେ ମଧ୍ୟ କିଛି କହି ପାରୁନଥିଲି। ସେ ମୋ ଦେହରେ ହାତ ମାରି ଚମକି ଉଠିଲା। ମୋ ଦେହ ଥଣ୍ଡା ପଡ଼ି ଯାଇଥିଲା। ମୁଁ କିନ୍ତୁ ତା ଆଡ଼କୁ ସିଧାସଳଖ ଅନେଇ ରହିଥିଲି।
"ମୁଁ କଣ କରିବି ଲୋ ମା'?"
କହୁ କହୁ ଯେମିତି ଚେତାଶୂନ୍ୟ ହୋଇଯାଉଥିଲା ସେ। ଏମିତି ଅବସ୍ଥାରେ ମିନିଟ ଖଣ୍ଡେ କଟିଯାଇଥିବ ବୋଧହୁଏ। ଧଡ଼ପଡ଼ ହୋଇ ଉଠି ପଡ଼ିଲା ଓ ଠାକୁର ଘରକୁ ପଶିଯାଇ ଧୂପବତୀ ଟିଏ ଜଳେଇ ପକେଇଲା ସେ। ଠାକୁରଙ୍କୁ ପ୍ରଣାମ କରି ବାହାରି ଆସି ମୋ ପାଖରେ ସୋଫା ଉପରେ ବସି ପଡ଼ିଲା।
ମୋ ଥଣ୍ଡା ହାତ ତା ହାତରେ ମୁଠେଇ ନେଲା।
ଏଥର କଥା କହିବାର ପାଳି ତାର।
" କୁଆଡ଼େ ଯିବା କଥା କହୁଥିଲ ପରା।ଚାଲ ଡେରି ହୋଇ ଯାଉଛି। ଅନ୍ଧାର ହୋଇଯିବ।କଣ କହିବ ପରା ,କୁହ।"
କହୁ କହୁ ତା ଦୁଇ ଆଖି ଲୁହରେ ଭରି ଗଲେ। ସେ ମୋ ଆଡ଼କୁ ଅପଲକ ନୟନରେ ଅନେଇ ରହିଥାଏ। ମୋ ମୁଣ୍ଡ ତା କାନ୍ଧ ଉପରକୁ ଗଡ଼ି ଆସିଲା। ତା ସଂସାର ଯେମିତି ଧ୍ଵସ୍ତ ବିଧ୍ଵସ୍ତ ହୋଇ ପଡୁଥିଲା।
ବାହାରୁ ଦଲକାଏ ଥଣ୍ଡା ପବନ ଘର ଭିତରକୁ ପଶି ଆସିଲା।
କଣ ଏହି ଆମର ଜୀବନ! ସାରାଟା ଜୀବନ ଅନ୍ୟ ମାନଙ୍କ ଜୀବନକୁ ବ୍ୟବସ୍ଥିତ କରୁ କରୁ ନିଜ କଥା ସମ୍ପୂର୍ଣ୍ଣ ଭାବରେ ଭୁଲି ଯିବାର ନାମ କଣ ଜୀବନ!!
ଉତ୍ତର ଯଦି ନାଁ ହୁଏ ଚାଲନ୍ତୁ ନା ଏବେ ଠାରୁ ଆମେ ନିଜ ପାଇଁ ଟିକିଏ ଜୀଇଁବା!!!

