Nityananda Nandi

Abstract Classics

3  

Nityananda Nandi

Abstract Classics

ଚାଳିଶ ବର୍ଷ ପରେ....

ଚାଳିଶ ବର୍ଷ ପରେ....

5 mins
207


 


ଅପରାହ୍ନ ଚାରିଟା ତିରିଶ। ଆମ ଗାଁ ବସ ଷ୍ଟପରେ ଓଲ୍ହେଇଲି। ଗାଆଁ ଦେଖିବାର ପ୍ରବଳ ଇଚ୍ଛା । ଚାଳିଶ ବର୍ଷ ପରେ.. 

ହାଭାର୍ଡରେ କାମ କରୁ କରୁ ସେଇଠି ସେଟେଲ ହୋଇଗଲି ଯେ ଗାଆଁ କୁ ଆସିନି। ଦୁଇ ଚାରିଥର ପ୍ରଜେକ୍ଟ କାମରେ ଭାରତକୁ ଆସିଥିଲେ ବି ସମୟ ହୋଇନି ଗାଆଁ ଆଡେ ବୁଲି ଆସିବାକୁ। ସୁତରାଂ ମୁଁ ଭୁଲି ଯାଇଥିଲି ସବୁକଥା ଗାଆଁ ବାବଦରେ। 


ବହୁତ ବଡ ନିମ୍ବ ଗଛଟିଏ ଥାଏ ଏଇ ବସ ଷ୍ଟପ ରେ। ରାସ୍ତା ଚଉଡା ହେବ ବୋଲି ସରକାର ବୋଧେ କାଟି ଦେଇଛନ୍ତି ଗଛଟିକୁ। ଗାଆଁକୁ କଂକ୍ରିଟ ସଡକ ଦେଖି ବହୁତ ଖୁସି ହେଲି। ଭାବିଲି ଅନେକ ଲୋକ ଦେଖା ହେବେ ରାସ୍ତାରେ। ଦେଖିଲି ବି ଅନେକ ଲୋକଙ୍କୁ। କାହାକୁ କିନ୍ତୁ ଚିହ୍ନି ପାରିଲିନି। 


ଚାଲିଲି ଗାଆଁ ଆଡକୁ, ଗାଆଁ ମୁଣ୍ଡରେ ଥିବା ଝଙ୍କାଳିଆ କରଞ୍ଜ ଗଛ ଆଉ ନାହିଁ। ପିଲାବେଳେ ଭାରି ଭୟ ଲାଗୁଥିଲା ସେଇ ଗଛକୁ ଦେଖିଲେ। ସ୍ଥାୟୀ ଭାବରେ ଭୂତଟିଏ ରହୁଥିଲା ବୋଲି ଗାଆଁ ଲୋକେ କହନ୍ତି। ସେଇ ଭୟରେ ବୋଧେ କାଟି ଦେଇଛନ୍ତି ଗଛଟିକୁ।

ପ୍ରଥମ ଘର ବାୟା ମଉସାଙ୍କ। ମାଟି , ଚାଳ ଛପର ଘର ଜାଗାରେ ଦିତାଲା ପକ୍କା ଘରଟିଏ ମୁଣ୍ଡ ଟେକିଛି ଆକାଶକୁ। ବାହାରେ ଜଣେ ମହିଳା ଙ୍କୁ ଦେଖି ପଚାରିଲି, ବାସୁ ଘରେ ଅଛି ! ଭୟ କଲେ କି କେଜାଣି, ଜବାବ ନ ଦେଇ ଘର ଭିତରକୁ ପଶିଗଲେ। କବାଟ ବନ୍ଦ କରିଦେଲେ। ମନେ ପଡିଗଲା ବାୟା ମଉସାଙ୍କ ସେଇ କଚା ଘରଟି। ଚବିଶ ଘଣ୍ଟା ଝର୍କା ଖୋଲା ରହୁଥାଏ। ରାତି ଦଶଟା ପରେ ବନ୍ଦ ହେଉଥାଏ ତାଙ୍କ ଘର ମୁଖ୍ୟ କବାଟ। ଖେଳୁ ଖେଳୁ କେତେଥର ଆମେ ତାଙ୍କ ଘର ଭିତରକୁ ପଶି ଯାଇଥିଲୁ, ତାର ହିସାବ ନାହିଁ। ତାଙ୍କ ଘରେ, ଆଜି କିନ୍ତୁ ସବୁ ଝରକାରେ ପରଦା ଝୁଲୁଛି। ଅବିଶ୍ବାସର ପରସ୍ତେ ଅଳୁନ୍ଦି ଝର୍କା ଉପରେ..। ସୂର୍ଯ୍ୟ କିରଣ ବି ପଶିବାର ରାସ୍ତା ନାହିଁ।


ମଝି ଗାଆଁ ରେ ଅତନୁ ର ଘର, ମୋର ଅତି ଘନିଷ୍ଟ ବାଲ୍ୟ ବନ୍ଧୁ। ଜଣେ ଦୁଇ ଜଣଙ୍କୁ ପଚାରିଲି ମୁଁ ଅତନୁ କଥା। କେହି କିଛି କହିଲେ ନାହିଁ, ଆଁ କରି ଅନେଇଲେ ମୋ ମୁହଁକୁ। ହଁ ମୋର ମନେ ପଡ଼ିଲା ଅତନୁକୁ କେବଳ ମୁଁ ହିଁ ଅତନୁ ବୋଲି ଡାକୁଥିଲୁ। ତାକୁ ସମସ୍ତେ ବଂଶୀ ବୋଲି ଡାକୁଥିଲେ। 

ପଚାରିଲି ବଂଶୀ ଏବେ କୋଉଠି ? 

ଉତ୍ତର ଶୁଣି ମନଟା ଭାରି ହୋଇଗଲା, ବୁଝିଲି ଜୀବନଟା ପାଚିଲା ତାଳ ପରି ଅନିଶ୍ଚିତ ପଥିକଟିଏ। କେତେବେଳେ କୋଉଠି ତା ସଂଜ, କେହି ଜାଣେନି। ହଠାତ ଦୁମ କରି ଶବ୍ଦ ହୁଏ ତ ସବୁ ଶେଷ, ବାସ୍...ଗୋଟାଏ ନିଶ୍ଚିତ ସତ ପାଖରେ ମନଟା ହାରି ଗଲା।


ବଳରାମ ସାରଙ୍କ ଘରକୁ ଗଲି। ଠିକ ସେମିତି ଘରଟି, କିଛି ବଦଳିନି। ମାଟି କାନ୍ଥ। ଆଜବେଷ୍ଟସ ଘର। ସେତେବେଳେ ବି କାନ୍ଥରେ ଗୋବର ଫଡା ଶୁଖୁଥିଲା। ଆଜି ବି କାନ୍ଥରେ ସେଇ ଗୋବର ଫଡା ଶୁଖୁଛି। ବେଳେ ବେଳେ ଲାଗେ ଯେମିତି ସମୟ ଆଗକୁ ଆଉ ଯାଇ ପାରୁନି, ନିରନ୍ତର ପ୍ରତୀକ୍ଷା ଓ ତା ପରେ କିଛି ନ ପାଇ ବାର ହତାଶା କୁ କାନ୍ଧରେ ଲଦି ଆତ୍ମହତ୍ୟା କରିଛି ଏଇ ସମୟଟା। 


ଚିହ୍ନିବେ କି ନା କେଜାଣି, ସାହାସ କରି ପଶିଲି ତାଙ୍କ ବାଡ଼ି ଭିତରକୁ। ଦୁଇଟି ଯାଆଁଳା ନଡ଼ିଆ ଗଛ ଆଜି ବି ସେମିତି ଦଣ୍ଡାୟମାନ। ଯେମିତି ବୃଦ୍ଧାବସ୍ଥା ରେ ବଞ୍ଚିବା ପାଇଁ ସଂଗ୍ରାମ, ଏବେ ବି ଜାରି ରହିଛି। ଚେୟାର ରେ ବସି ଥାଆନ୍ତି ବଳରାମ ସାର। ପାଦ ଛୁଇଁ ନମସ୍କାର କଲି। ପ୍ରତିକ୍ରିୟା ନାହିଁ, 

ପଚାରିଲି ସାର, ଭଲ ଅଛନ୍ତି ! ନୀରବ, ନିଶ୍ଚଳ ମଣିଷଟିଏ ଆଖି ଆଗରେ, ତଥାପି ପ୍ରତିକ୍ରିୟା ନାହିଁ। ଭିତରୁ କେହି ଜଣେ କହିଲେ ସେ ପକ୍ଷପାତ ରୋଗରେ ଆକ୍ରାନ୍ତ !!


ଅନେଇ ରହିଲି ବଳରାମ ସାର୍ ଙ୍କୁ। 

ଓଃ, ଅନୁଭବ କରିବାର ଶକ୍ତି କେହି ଜଣେ ଲୋଟି ନେବା ପରେ ଜୀବନଟା ବାସ୍ ଯନ୍ତ୍ରଟିଏ..ନିଃଶ୍ୱାସ ପ୍ରସ୍ୱାସ ଖାଲି ସାହାରା। ସ୍ନାୟୁ ତନ୍ତୁ ରକ୍ତସ୍ରାବ ରେ ଆହତ ହୋଇଗଲେ ମଣିଷର ନାଁ ବଦଳିଯାଏ, ପକ୍ଷପାତ ରୋଗୀ !! ସାରା ଦୁନିଆ ସହିତ ଯୋଗାଯୋଗ ବିଚ୍ଛିନ୍ନ...ନିଜର ଅନ୍ତରଙ୍ଗ କେଇ ଜଣ ପାଖେ ପାଖେ ଘୁରି ବୁଲନ୍ତି। ନିଃଶ୍ୱାସ ଚାଲୁଛି ତ !!!!!! ମୃତ୍ୟୁର ଅତି ପାଖରେ ଥାଇ ବି ମୃତ୍ୟୁ ଠୁ ଅନେକ ଦୂରରେ....ଅଦ୍ଭୁତ ଏ ଜୀବନ।



ବାହାରି ଆସି ଜଣଙ୍କୁ ପଚାରିଲି ଏଇଠି ଯୋଉ ହାଇ ସ୍କୁଲ ଥିଲା ସେଇଟା କଣ କୁଆଡେ ଉଠି ଯାଇଛି। ଅଙ୍କଲ୍ ! ମୁଁ ଟିକିଏ ବ୍ୟସ୍ତ ଅଛି, ଆଉ କାହାକୁ ପଚାର। ଗାଆଁ କେତେ ବଦଳି ଯାଇଛି, କାହା ପାଖରେ ସମୟ ନାହିଁ, ଉତ୍ତର ଟିଏ ଦେବାକୁ।


ଯେଉଁ ଆଶା ନେଇ ମୁଁ ଆମ ଗାଁ କୁ ଆସିଥିଲି, ପୂରଣ ହେଲାନି !

ଜୁଆର ଛାଡି ଯାଇଛି, ଅନେକ ସ୍ମୃତି କୁ ଧୋଇ ନେଇ ଯାଇଛି ବେଳା ଭୂଇଁ ରୁ। କିଏ ଜାଣିଛି ଜୁଆର ଆଉ ଥରେ ଆସି ସବୁ କିଛି ଫେରେଇଦେବ ତା ଅନ୍ତରଙ୍ଗ ବେଳା ଭୂଇଁ କୁ।


ଯାହା ଦେଖିବାକୁ ଇଚ୍ଛା ନ ଥିଲା, କାହିଁକି କେଜାଣି ମନଟା ବ୍ୟଗ୍ର ହୋଇଉଠିଲା ଦେଖିବି ବୋଲି। ଆମ ନିଜ ଘର। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ବାପା, ବୋଉର ସମାଧି ପାଖରେ ଛିଡା ହେଲି। କଣ୍ଟା ବୁଦା ଭିତରେ ଲୁଚି ଯାଇଛି ଦୁଇଟି ସମାଧି। ମୋ ପରେ ଆଉ କେହି ନ ଥିଲା ଏଇ ଘରେ ରହିବାକୁ। ଗୋଟାଏ ବଂଶ ର ଇତିହାସ ସମ୍ପୂର୍ଣ୍ଣ ବିଲୁପ୍ତ ଏଇ କଣ୍ଟା ବୁଦା ତଳେ।

ଟିକିଏ ଦୂରରେ ଥାଇ ବାପା ବୋଉଙ୍କୁ ହାତ ଯୋଡ଼ି ପ୍ରଣାମ କଲି।


କିଛି ପାଇଲିନି ମୋ ଗାଁ ରୁ। ଫେରିଗଲି ବସ ଷ୍ଟପ ଆଡ଼କୁ। ଶେଷ ବସ ଧରି ଫେରିଯିବାକୁ ହେବ। 

ଯାଇ ବସିଲି ପାନ ଦୋକାନରେ। ଚିହ୍ନା ଦୋକାନ ଥିଲା ସତ କିନ୍ତୁ ଦୋକାନୀ ଚିହ୍ନା ନ ଥିଲା। ମନ ଟା ବେଶ ମରିଯାଇଥିଲା। ଆଉ ବେଶି ଇଚ୍ଛା ହେଲାନି କାହା ସହିତ କଥା ହେବାକୁ। 

ଗୋଟାଏ ପାନ ଦେବ !!


ସାଧା ପାନ ???


ହଁ, ସାଧା ପାନ। ଦୁଇଟି ଲବଙ୍ଗ ପକେଇବ ପାନରେ


ଦୁଇଟି ଲବଙ୍ଗ !!!


ହଁ, ଦୁଇଟି


ସାର, କିଛି ଭାବିବେ ନି ଯଦି, ଗୋଟାଏ ଗପ କହିବି !!


କୁହ !


ଚାଳିଶ ବର୍ଷ ତଳର କଥା। ମୋ ବାପା କହୁଥିଲେ ଆମ ଗାଆଁରେ କିଏ ଜଣେ ଥିଲେ, ସବୁବେଳେ କଲେଜ ଯିବା ସମୟରେ ନିଶ୍ଚୟ ପାନ ଖାଇବ ମୋ ବାପାଙ୍କ ପାଖରୁ, ଆଉ କହିବ କକା, ଦୁଇଟି ଲବଙ୍ଗ। ତା ପରେ ହଠାତ କୁଆଡେ ଉଭେଇଗଲା କେଜାଣି !! ଆଉ କେବେ ଆସିନି ମୋ ଦୋକାନକୁ। ବାପା କହୁଥିଲେ ସେ କୁଆଡେ ବିଦେଶ ଚାଲି ଯାଇଛି। ଏକ ବିଲୁପ୍ତ ଇତିହାସକୁ ମୁଁ ଖୋଜି ପାଇଲି ଏଇ ଗପ ଭିତରେ। ମୋ ଆଖି ଓଦା ହୋଇଗଲା। 


ପଚାରିଲି ବୁଧିଆ କକାର ପୁଅ ତମେ। 

ମୋ ବାପାକୁ ତମେ ଜାଣିଛ ସାର। ଲୁହକୁ ସମ୍ଭାଳି ହେଲାନି। ଭାବ ପ୍ରବଣ ହୋଇ ଉଠିଲି ସ୍ନେହ ଭରା କଥାଟି ଶୁଣିବା ପରେ। 

ହଁ ମୁଁ ସେଇ ପର ଦେଶୀ ଯୁବକ ଯିଏ ବୁଧିଆ କକାଙ୍କଠୁ ପ୍ରତିଦିନ ପାନରେ ଦୁଇଟି ଲବଙ୍ଗ ପକେଇବାକୁ କହୁଥିଲା।

ସାର, ଆଜି ଶେଷ ବସ ନାହିଁ। ତମେ ଆମ ଘରେ ରହିଯାଅ। କାଲି ସକାଳେ ପ୍ରଥମ ବସ ଧରି ସହରକୁ ଯିବ।


ଗାଆଁ ଟି ପ୍ରଥମ ଥର କରି ଟିକିଏ ଅଲଗା, ଅଲଗା ଲାଗିଲା। ନିଜର ସେଇ ପୁରୁଣା ଗାଆଁ ପରି। ମନେ ପକାଉଥିଲି ଜଣେ ଦାର୍ଶନିକ ଙ୍କ କଥା। ସବୁକିଛି ଶେଷ ହୁଏନି...ସବୁ କାହାଣୀର କିଛି ଅବଶେଷ ରହେ ଯୁଗ ଯୁଗ ପର୍ଯ୍ୟନ୍ତ।

ମନଟା ଅତି ସହଜରେ ବିକ୍ରି ହୋଇଗଲା ଏକ ନିରୀହ ମଣିଷ ପାଖରେ...


ରହିଲି ତାଙ୍କ ଘରେ। ହଜି ଯାଇଥିବା ଗାଆଁ କୁ ଫେରି ପାଇଲି ଆଉଥରେ। ପଖାଳ ଓ ଚିଙ୍ଗୁଡି ଶୁଖୁଆ। ଖାଇଲି ମନ ଭରି। ଶୁଖୁଆ, ଜୀବନରେ ପ୍ରଥମ ଥର କରି ଖାଇଲି । କ୍ଳାନ୍ତ ଶ୍ରାନ୍ତ ମନ ଟାକୁ କେହି ଜଣେ ଆଉଁସି ଦେଲେ, ନିଘୋଡ଼ ନିଦରେ ଶୋଇ ଯାଏ ମନଟା..କ୍ଷଣ ଭଙ୍ଗୁର ଜୀବନରେ ଆଉ କଣ ଲୋଡା ???? ଜୀବନର ଅର୍ଜିତ ସବୁ କିଛି ଦେଇ ଦେବାକୁ ଇଛା ହୁଏ।

****

ବସ ପାଖରେ ଆସି ଛିଡା ହେଲା ମୋ ପାଖରେ ମୋତେ ବିଦା କରିବାକୁ, ଅଳ୍ପ ସମୟ ଭିତରେ ବି ସମ୍ପର୍କ ବଢିଯାଏ । ମୁଁ ଜାଣି ନ ଥିଲି। ମନଟା ଖୁସିରେ ଭରିଗଲା।

ବସ ଆସିବା ଆଗରୁ କହିଲି, ଆରେ ମନୁଆ ! କାଲିଠୁ ଆମ ପରିତ୍ୟକ୍ତ ଘରକୁ ସଜଡ଼ା ସଜଡ଼ି କରି ତୁ ରହ ସେଇଠି। ତୋ ନାଁ ରେ ରେଜିଷ୍ଟ୍ରି କରିଦେବି ଜାଗାଟିକୁ। ଏମିତି ଚାଳିଶ ବର୍ଷ କେମିତି ବିତିଗଲା କେଜାଣି !! କଣ ହେବ ଜାଗା ଟି ରହିକି, ମୁଁ ତ ଆଉ ଆସୁନାହିଁ। ଏଇ ବାହାନାରେ ମୁଁ ଗାଆଁ କୁ ଆସି ପାରିବି ନା !!! 

ହଁ, କରି ପାରିବି ସାର।

କୋଳେଇ ନେଲି ମନୁଆକୁ।

ନେ, ଦୁଇ ହଜାର ଟଙ୍କା ରଖ। ତୋ ପୁଅ ପାଇଁ। ଫୋନ କରି ସବୁ କଥା ଜଣେଇବୁ।

ବସ ଭିତରକୁ ପଶିଗଲି। ଆନେଇଲି , ମାନୁଆ ଗାମୁଛାରେ ଆଖି ପୋଛୁଛି....ଭାବୁଥିଲି ବେଳେ ବେଳେ କିଛି ନ ପାଇ ବି ଅନେକ କିଛି ପାଇଲା ଭଳି ଲାଗେ ଜୀବନ ପାଖରୁ...




Rate this content
Log in

Similar oriya story from Abstract