ଚାଲ୍ ଶୋଇପଡିବା
ଚାଲ୍ ଶୋଇପଡିବା
ଦିନରେ ଶୋଇପଡେ ମା'। କ୍ଳାନ୍ତ ମନ ଓ ଦେହକୁ ବିଶ୍ରାମ ଦେବାକୁ ଚାହେଁ। ତା'ର ଛଅ ବର୍ଷର ଝିଅ ଖେଳରେ ମାତିଥାଏ। ଦିନଟା ତା'ର ଖେଳିବାର ସମୟ।
ମା' ଶୋଇଥାଏ ଏପରି - ଯେପରି ଜଣେ ମରିପଡିଛି। ତା'ର ନିଦରେ ଟିକେ ବି ବାଧା ଦିଏ ନାହିଁ ଝିଅ । ଦେହ ଓ ମନ ସଂପୂର୍ଣ୍ଣ ବିଶ୍ରାମ ପାଇଗଲା ପରେ ସେ ବଳେବଳେ ଉଠେ। ଆଉ ଗୋଟିଏ ରାତି ପାଇଁ ତାକୁ ପ୍ରସ୍ତୁତ ହେବାକୁ ଥାଏ। ଝିଅ କିଛି ବୁଝେନି ଏ କଥା। ଛୋଟ ଝିଅଟା । ବୁଝିବ ବା କେମିତି !
ସାରା ରାତି ଗଭୀର ନିଦରେ ଶୋଇ ରହୁଥିବା ଝିଅର ଆଖିକୁ ଦିନେ ନିଦ ଆସିଲା ନାହିଁ। ଗୋଟିଏ ଘରେ ସେ। ଆଉ ଗୋଟିଏ ଘରେ ତା'ର ମା'। ମଝିରେ ମଝିରେ ତା' ପାଖକୁ ଆସୁଥିଲା ତା'ର ମା'। ତାକୁ କହୁଥିଲା - ଶୋଇପଡରେ.......। ରାତି ବେଶୀ ହେଲାଣି। ବାରମ୍ବାର ଏପରି ହେଉଥିଲା। ନୀରବ ରହୁଥିଲା ଝିଅଟି। ଶୋଇବାକୁ ଉଦ୍ୟମ କରୁଥିଲା। ଅସଫଳ ହେଉଥିଲା ।
- ମୋ ଆଖିକି ଆଜି ନିଦ ଆସୁନାହିଁ । କେତେବେଳେ ସରିବ ଏ ରାତି ? ହଠାତ୍ ଏ ପ୍ରଶ୍ନ ସେ ତା'ର ମା'କୁ ପଚାରିଲା।
- ଅନ୍ଧାର ଥିବାଯାଏ ରାତି ଅଛି।ଯେବେ ଅନ୍ଧାର ହଟିଯିବ ରାତି ସରିଯିବ। ମା' କହିଲା।
- ତୁମେ ଏଯାଏଁ ଶୋଇନାହଁ ଯେ ? କ'ଣ କରୁଛ ? ପୁଣି ପଚାରିଲା ଝିଅ।
- ମୁଁ ପରା ଖେଳୁଛି। ଖେଳ ସରିଗଲେ ସିନା ଶୋଇବି। ମା' ତା'ର ଉତ୍ତରରେ କହିଲା।
- ରାତିରେ କି ଖେଳ ଖେଳୁଛ ତୁମେ ? ଦିନରେ ସିନା ଖେଳନ୍ତି। ଝିଅ କହିଲା।
- ଜଣକ ପରେ ଜଣେ ଗ୍ରାହକ ମୋ ପାଖକୁ ଆସୁଛନ୍ତି ପରା।ସେମାନଙ୍କ ସହିତ ମତେ ଖେଳିବାକୁ ପଡୁଛି। ତୁ କିଛି ବୁଝି ପାରିବୁନି ସେକଥା । ଶୋଇପଡ.......। ମା' କହିଲା।
ଝିଅ ଆଉ କିଛି ବି କହିଲାନି।ଚୁପ୍ ରହିଲା।ଶୋଇବାକୁ ଚେଷ୍ଟା କଲା। ଅନ୍ତିମ ଗ୍ରାହକଟି ଫେରିଗଲା। ପଇସା ଗଣିଲା ମା'।
ଏତିକିବେଳେ ତା' ପାଖରେ ଆସି ଠିଆ ହୋଇଗଲା ତା'ର ଝିଅ। ମା' ହାତରେ ଗୁଡିଏ ପଇସା ଦେଖି ଆଶ୍ଚର୍ଯ୍ୟ ହେଲା।ପଚାରିଲା - ମା' ! କାଲି ମତେ ରୁଟି, ଡାଲମା ଖୁଆଇବ ନା ? ମୋ ପାଇଁ ନୂଆ ଫ୍ରକ୍ ଆଣି ଦେବ ନା ?
ଗୋଟେ ରଙ୍ଗଛଡା ଓ ଅଳ୍ପ ଅଳ୍ପ ଛିଣ୍ଡି ଯାଇଥିବା ପର୍ସରେ ପଇସା ରଖୁରଖୁ ମା' ଅଳ୍ପ ହସିଲା। କହିଲା - ରାତି ସରୁ। ବ୍ୟସ୍ତ କାହିଁକି ?
- ରାତି କେତେବେଳେ ସରିବ, ମା' ? କେତେବେଳେ ? ସାମାନ୍ୟ ବ୍ୟସ୍ତତା ଭରି ରହିଥିଲା ଝିଅର ଏ ସ୍ବରରେ।
- ଆମେ ଶୋଇବାନି କି ? ଚାଲ୍ ଶୋଇ ପଡ଼ିବା।ଆମେ ଶୋଇପଡିଲେ ସିନା ରାତି ସରିବ। ମା' କହିଲା। ଝିଅ ସହିତ ବିଛଣାକୁ ଗଲା।
- କେବେ ନା କେବେ ତ ଏ ରାତି ସରିବ। ବିଛଣାରେ ଗଡି ପଡୁ ପଡୁ ମନକୁମନ କହିଲା ସେ । ପର୍ସକୁ ତକିଆ ତଳେ ରଖି ଝିଅକୁ ନିଜ କୋଳକୁ ଆଉଜାଇ ଆଣିଲା।ଗୋଟିଏ ହାଇ ମାରି ଶୋଇପଡିଲା।