ଚାଲ ଗାଁକୁ ଯିବା ଫେରି
ଚାଲ ଗାଁକୁ ଯିବା ଫେରି
ଶୁଣିବ ରାମ ରସ.. ଖାଇବ ଆମ୍ବ ରସ. ଏହି କଥାଟି କହି ଜେଜେମା ସବୁଦିନ ରାମାୟଣରୁ କିଛି କିଛି କଥା କହୁଥାଆନ୍ତି. ସେଦିନ କହୁଥାନ୍ତି
ରାମାୟଣରୁକିଛି. ସେଦିନ ସେ କହୁଥିଲେ କି ପୁତ୍ରେଷ୍ଟି ଯଜ୍ଞ କଲେ ଚାରିପୁଅ ଜାତ ହେବେ ବୋଲି ଦଶରଥଙ୍କୁ କିଏ କହିଥିଲ? ଅଯୋଧ୍ୟାର ରାଜା ଦଶରଥଙ୍କର କୌଣସିଥିରେ ଅଭାବ ନ ଥିଲା । ଅଭାବ ଥିଲା କେବଳ ପୁତ୍ର । ପୁତ୍ରଲାଭ ଆଶାରେ ସେ ଗୋଟିଏ ପରେ ଗୋଟିଏ ସତରଟି ରାଜକନ୍ଯା ବିବାହ କରିଥିଲେ । ମାତ୍ର କାହାରି ଗର୍ଭରୁ ଗୋଟିଏ ହେଲେ ପୁତ୍ର ଜାତ ହେଲେ ନାହିଁ । ପୁଅ ନ ହେବାରୁ ଦଶରଥ ବଡ ହତାଶ ଅନୁଭବ କଲେ । ତାଙ୍କର ପୁତ୍ରଜାତ ନ ହେଲେ ତାଙ୍କରି ଠାରୁ ରଘୁକୁଳ ଲୋପ ପାଇଯିବ । ତାଙ୍କର ମୃତ୍ୟୁପରେ ତାଙ୍କୁ ପିଣ୍ଡପାଣି ଦେବାକୁ କେହି ନଥିବେ । ବଂଶଲୋପ ହେତୁ ପିତୃପୁରୁଷ ପାଣି ପାଇବେ ନାହିଁ । ଏହିସବୁ ଚିନ୍ତାରେ ଦଶରଥଙ୍କ ଆଖିରୁ ଲୁହ ବୋହିବାରେ ଲାଗିଲା । ତେଣୁ ମନ୍ତ୍ରୀ ସୁମନ୍ତ, ଅନ୍ଯାନ୍ଯ ମନ୍ତ୍ରୀ, କୁଳଗୁରୁ ବଶିଷ୍ଠ, ଗୌତମ, କଶ୍ଯପ, ଜାବାଳି ଓ ସୁଯଜ୍ଞ, ସେନାପତି ଓ ସମ୍ପର୍କୀୟ ମାନଙ୍କର ଏକ ସଭା ଡକାଇ ରାଜା ଦଶରଥ ଲୋତକାର୍ଦ୍ର ନୟନରେ ସେମାନଙ୍କୁ ଏହିସବୁ କଥା କହିଲେ । ଦଶରଥ କାନ୍ଦି କାନ୍ଦି ବଶିଷ୍ଠଙ୍କୁ କହିଲେ--ଅନ୍ଧମୁନି ମୋତେ କହିଥିଲେ କୁଳଗୁରୁ ବଶିଷ୍ଠମୁନିଙ୍କ ମତ ନେଇ ଋଷ୍ଯଶୃଙ୍ଗ ମୁନିଙ୍କୁ ଆଣି ପୁତ୍ରେଷ୍ଟି ଯଜ୍ଞ କଲେ ମୋର ଚାରିପୁତ୍ର ହେଵେ । ଅନ୍ଧମୁନିଙ୍କର ଏହିକଥା ସତ କି ମିଛ ତାହା ମୁଁ ଜାଣିପାରୁ ନାହିଁ । ଦଶରଥଙ୍କ କଥା ଶୁଣି ମହର୍ଷି ବଶିଷ୍ଠ କହିଲେ--ହେ ଦଶରଥ, ଅନ୍ଧମୁନି ତୁମକୁ ସତକଥା କହିଛନ୍ତି । ତୁମର ଚାରିପୁତ୍ର ନିଶ୍ଚୟ ଜାତ ହେଵେ । ବଶିଷ୍ଠଙ୍କ କଥା ଦଶରଥଙ୍କ ମନରେ ଆଶା ଓ ଆନନ୍ଦ ସଞ୍ଚାର କଲା । ତହୁଁ ଦଶରଥ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଇ ରାଜବାଟୀ ମଧ୍ଯରେ ପ୍ରବେଶ କଲେ ।
ଏହାପରେ ସୁମନ୍ତ ରାଜବାଟୀ ମଧ୍ଯକୁ ଯାଇ ଦଶରଥଙ୍କୁ ଏକାନ୍ତରେ କହିଲେ--ମହାରାଜ ! ଆପଣଙ୍କର ନିଶ୍ଚୟ ଚାରିପୁତ୍ର ହେବେ । ଋଷିମେଳରେ ଥାଇ ଏକଥା ମୁଁ ଜାଣିବାକୁ ପାଇଛି । ଦଶରଥ ଉତ୍ସୁକ ହୋଇ ପଚାରିଲେ --କିପରି ? ସୁମନ୍ତ କହିଲେ-- ଦିନେ ଗଙ୍ଗାନଦୀ କୂଳରେ ଋଷିମାନେ ବସି ବିଷ୍ଣୁଙ୍କ ବିଷୟରେ ଚର୍ଚ୍ଚା କରୁଥିଲେ । ଏହି ସମୟରେ ବ୍ରହ୍ମାଙ୍କର ପୁତ୍ର ବ୍ରହ୍ମର୍ଷି ସନତ କୁମାର ସେଠାରେ ଆସି ପହଞ୍ଚିଲେ । ତାଙ୍କୁ ଦେଖି ମୁନିମାନେ ନିଜ ନିଜ ଆସନରୁ ଉଠିପଡିଲେ ଓ ବ୍ରହ୍ମର୍ଷି ସନତ କୁମାରଙ୍କୁ ଆଦର ଗୌରବରେ ନେଇ ଆଗରେ ବସାଇଲେ । ମୁନିମାନେ କହିଲେ--ହେ ବ୍ରହ୍ମର୍ଷି, ଆପଣ କେଉଁଠାରୁ ଆସି ଆମ୍ଭମାନଙ୍କର ମଙ୍ଗଳ ପାଇଁ ଏଠାରେ ପହଞ୍ଚିଛନ୍ତି ? ଜଗତର ମଙ୍ଗଳ ବାର୍ତ୍ତା କିଛି ଥିଲେ ଆମ୍ଭମାନଙ୍କୁ କୁହନ୍ତୁ । ଋଷିମାନଙ୍କର ଏତାଦୃଶ ଆଗ୍ରହ ଦେଖି ସନତ କୁମାର ସେମାନଙ୍କୁ କହିଲେ-- ମୁଁ ବର୍ତ୍ତମାନ ସ୍ବର୍ଗପୁରରୁ ଆସୁଛି । ଗତକାଲି ମୁଁ ସ୍ବର୍ଗପୁରରେ ଥିଲି । ସେଠି ସୁଧର୍ମା ସଭାରେ ଦେଵରାଜ ଇନ୍ଦ୍ର କହିଲେ ଯେ ମର୍ତ୍ତ୍ଯ
ରେ ରାଜା ଦଶରଥଙ୍କର ପୁତ୍ରରୂପେ ନାରାୟଣ ଜନ୍ମଲାଭ କରି ରାବଣକୁ ସବଂଶରେ ନିହତ କରିବେ । ରାବଣ ମଲେ ସ୍ବର୍ଗପୁରରେ ଶାନ୍ତି ପ୍ରତିଷ୍ଠିତ ହେବ । ତେଣୁ ଦେବତାମାନେ ଆଉ କିଛିଦିନ କଷ୍ଟ ସହି ଅପେକ୍ଷା କରନ୍ତୁ । ମୁନିମାନେ ପଚାରିଲେ -- ନାରାୟଣ କିପରି ଜାତ ହେବେ ? ସନତ କୁମାର କହିଲେ --ରାଜା ଦଶରଥ ଋଷ୍ଯଶୃଙ୍ଗ ମୁନିଙ୍କଦ୍ବାରା ଯଜ୍ଞ କରାଇ ସେହି ଯଜ୍ଞରୁ ଜାତ ଚରୁକୁ ରାଣୀମାନଙ୍କୁ ଦେଵେ । ସେହି ରାଣୀମାନଙ୍କ ଗର୍ଭରୁ ବିଷ୍ଣୁ ଚତୁର୍ଦ୍ଧା ରୂପରେ ଜନ୍ମଲାଭ କରିବେ ।
ଦଶରଥ ପଚାରିଲେ --ମୁନି ଋଷ୍ଯଶୃଙ୍ଗ କାହା ପୁତ୍ର ? ତାଙ୍କ ନାମ ଋଷ୍ଯଶୃଙ୍ଗ କାହିଁକି ହେଲା ? ତାଙ୍କ ସମ୍ବନ୍ଧରେ ସବୁକଥା ବୁଝାଇ କୁହନ୍ତୁ । ସୁମନ୍ତ୍ର କହିଲେ-- ମରୁତ ହେଉଛନ୍ତି ବ୍ରହ୍ମାଙ୍କର ମାନସ ପୁତ୍ର । ଋଷି ମରୀଚ ହେଉଛନ୍ତି ମରୁତଙ୍କ ପୁତ୍ର । ଋଷି ମରୀଚଙ୍କ ପୁତ୍ର ହେଉଛନ୍ତି ମହର୍ଷି କଶ୍ଯପ । ମହର୍ଷି କଶ୍ଯପଙ୍କର ଜନୈକ ପୁତ୍ରର ନାମ ବିଭାଣ୍ଡକ । ବିଭାଣ୍ଡକ ମଧ୍ଯ ଜଣେ ମହର୍ଷି । ତପସ୍ଯା ବଳରେ ସେ ବିଶେଷ ଭାବରେ ବଳୀୟାନ୍ । ସେ କ୍ରୋଧ କଲେ ସ୍ବର୍ଗ, ମର୍ତ୍ତ୍ଯ ଓ ପାତାଳ ତ୍ରିପୁର ଧ୍ବଂସ କରି ଦେଇପାରିବେ । ତାଙ୍କର କଠୋର ତପସ୍ଯା ଦେଖି ଇନ୍ଦ୍ର ବଡ଼ ଭୟ କଲେ । ସଙ୍ଗେ ସଙ୍ଗେ ଇନ୍ଦ୍ର ପବନଙ୍କୁ ପଠାଇ ଯେଉଁଠୁ ଭୋଜନ ପାଇଁ ଫଳମୂଳ ସଂଗ୍ରହ କରନ୍ତି ସେଠାରେ ଫଳମୂଳରେ ଅମୃତ ବୋଳାଇଦେଲେ । ସେହିସବୁ ଅମୃତବୋଳା ଫଳମୂଳ ଖାଇ ମହର୍ଷି ବିଭାଣ୍ଡକଙ୍କ ଶରୀର ବଳଯୁକ୍ତ ହେବାରୁ ତାଙ୍କ ଦେହରେ ଥିବା ଇନ୍ଦ୍ରିୟମାନେ ବଳଯୁକ୍ତ ହୋଇ ଉଚ୍ଛୃଙ୍ଖଳ ହେବାକୁ ବସିଲେ ।ଜେଜେମା ଏତିକି କହିଛନ୍ତି ଚାରିନାତି କହିଲେ ରୁହ ମାଆ ଆମେ ଭାତ ଖାଇସାରୁ ତା ପରେ ସବୁକଥା କହିବ.
ଜେଜେମା ମୁଚୁକୁନ୍ଦିଆ ହସ ହସୁଥିଲେ କାରଣ ସେଦିନ ତାଙ୍କ ଚାରି ନାତି ବୋହୂ ଅର୍ଥାତ ସେମାନଙ୍କ ମାଆ କରିଥିବା ନଡ଼ିଆ ବରାକୁ ନେଇ ମହାଭାରତ ସୃଷ୍ଟି କରିଥିଲେ. ମାଆ ତରବରରେ ସିଝାଇଥିବା ଆଳୁ ଟିକେ ଭଲ କରି ସିଝିନଥିଲା. ତ ତିନିହେଁ ଆଳୁସିଝିବାକୁ ନେଇ ନଡ଼ିଆ ବରା ଲଗେଇ ଭାତ ଖାଇବାକୁ ଅସନ୍ତୁଷ୍ଟ ହେଲା ବେଳେ ସାନ ନାତି ତା ଭାଗ କମିଯାଇଛି କହି ରୁଷି ଉଠିଯାଇଥିଲା ଜେଜେମାଙ୍କ ପାଖକୁ. ହେଲେ ରାମାୟଣରେ ଥିବା ଅନେକ କଥାବସ୍ତୁ ଭାଇମାନଙ୍କ ଭିତରେ ନେବିନାହିଁ ବରଂ ଦେବିର ଚିନ୍ତାଧାରାରେ ଅନୁପ୍ରାଣୀତ ହୋଇ ଖାଇନେଇଥିଲେ ଭାତ ତ ଜେଜେମା ପୁଣି ଗପ କହିବା ଆରମ୍ଭ କରିଥିଲେ ଯୋଉଠୁ ଛାଡ଼ିଥିଲେ.ସେମାନଙ୍କ ମାଆ ଚାକିରିଆ ହୋଇଥିବାରୁ ଜେଜେମା ବୁଝେଇ ଶୁଝେଇ ନାତିମାନଙ୍କୁ ରଖୁଥିବା ବେଳେ ଜେଜେ କହୁଥିଲେ ଏଣିକି ସ୍କୁଲ ଗଲେ ଆଉ କଷ୍ଟ ହେବନାହିଁ ବରଂ ରାମାୟଣର ବିଷୟବସ୍ତୁ ପରି ସ୍କୁଲରେ ପାଠ ପଢା ସହ ଅନେକ ସାମାଜିକତା ଶିକ୍ଷା ପାଇ ଗୁରୁଭକ୍ତି କଣ ଜାଣିଯିବେ.ଜେଜେମା ହସୁଥିଲେ. କହୁଥିଲେ ସେମାନଙ୍କୁ ଗାଁକୁ ନେଇ ଚାଲ ସେଇଠି ପଢ଼ାଇ ବଢ଼ାଇ ଭଲମଣିଷ କରି ଗଢିନେବା. ଜେଜେଙ୍କ ମନକୁ କଥାଟି ପାଇଥିଲା ।