ଚା'
ଚା'
ସମସ୍ତଙ୍କ ହାତରେ ଚା’’ କପ ଧରାଇ ସାରିବା ପରେ ସମସ୍ତଙ୍କ ମୁହଁକୁ ଚା’ହିଁ ରହିବା ଓ ସମସ୍ତଙ୍କ ଓଠରୁ ପରଫେକ୍ଟ ଶୁଣିବା ଓ ସ୍ମାଇଲ ଦେଖିବା ତା’ର ପୁରୁଣା ଅଭ୍ୟାସ । ସେ ଯିଏ ହେଉନା କାହଁକି । ଘର ଲୋକ ହେଉ ବାହାର ଲୋକ ହେଉ, ବନ୍ଧୁ ବାନ୍ଧବ ହୁଅନ୍ତୁ କି ସାଙ୍ଗ ସାଥି ସମସ୍ତଙ୍କ ମୁହଁରୁ ଚା’’ ଟା ଭଲ ହେଇଛି ଶୁଣିଲେ ତାକୁ ଖୁସି ଲାଗେ । କାରଣ ଚା’’ର ସ୍ୱାଦ କ’ଣ କେମିତି ଲାଗେ ସେ କେବେ ଚାଖିନି । ସମସ୍ତଙ୍କ ଠୁ ଶୁଣେ ଚା’’ ପିଇଦେଲେ ଦେହଟା ହାଲକା ଲାଗେ । ମୁଣ୍ଡ ବିନ୍ଧା, ଶରୀର ପୀଡା,ଜ୍ୱର ଏମିତିକି ସବୁ ଟେନସନ ଦୂର ହୋଇଯାଏ । ଆହୁରି ଦେଖିଛି ଶୁଣିଛି ମଧ୍ୟ ଲୋକେ ଦିନସାରା କିଛି ନଖାଇ ଚା’ ପିଇ ପିଇ ରହିଯାଆନ୍ତି । ସତରେ କଣ ଚା’’ର ଏତେ ମାହାତ୍ମ୍ୟ । ସେ ଯାହା ହେଉ ସେ କେବେ ଚା’ ପିଏନି କି ପିଇବାର ଇଚ୍ଛା ବି କରିନି । ସେମିତି କେବେ ତାର ଦରକାର ପଡିନି । ନିଜେ ନ ପିଇ ବି ସେ ଖୁବ୍ ଭଲ ଚା’ ତିଆରି କରିପାରେ ଏହା ତାର ବିଶେଷତ୍ୱ । ତାର ଭଲ ଭାବେ ମନେ ଅଛି ଯେଉଁଦିନ ତାର ଶାଶୁ ଶ୍ୱଶୁର, , ଯାଆଦେଢଶୁର, , ନଣନ୍ଦ ନଣନ୍ଦେଇ ତାକୁ ଦେଖି ଆସିଥିଲେ । ଜଳଖିଆ ପରେ ସମସ୍ତେ ଚା’ ପିଇ ଚା’ ର ବହୁତ ପ୍ରଶଂସା କଲେ । କିଏ ତିଆରି କରିଛି ପ୍ରଶ୍ନରେ ତା ପାଟିରୁ ଉଚ୍ଚା ସ୍ୱରରେ ବାହାରି ଆସିଲା ମୁଁ କରିଛି । ତାପରେ ସମସ୍ତଙ୍କୁ ଟିକେ ଚାହିଁ ଜିଭ କାମୁଡି ଚୁପ ହୋଇଗଲା । ସମସ୍ତେ ହସିଥିଲେ । ଶ୍ୱଶୁର ତା ପାଖକୁ ଆସି ତା ମୁଣ୍ଡରେ ହାତ ଦେଇ କହିଥିଲେ, , କେହି ତ ମୋ ମନ କଥା ବୁଝିଲା । ଶ୍ୱଶୁର ଦିନ ସାରା ବହୁତ ଚା’ ପିଅନ୍ତି । ସକାଳୁ ଯେତେ ପିଇଥିଲେ ବି ଯିଏ ଯେତେବେଳେ ପିଇଲା, ଯାହା ପାଇଁ ଯେତେବେଳେ ତିଆରି କରାଗଲା ସବୁଥିରେ ତାଙ୍କର ଅଧା କପ୍ ଚା’ ର ବରାଦ ଥିବ । ବେଳେ ବେଳେ ତାଙ୍କ ରୁମ୍ ରୁ ବଡ ପାଟିରେ କହି ଚାଲିଥିବେ ମା ଅନୁ ମୋ ପାଇଁ ଢୋକେ । ଶ୍ୱଶୁର ଙ୍କ କଥାକୁ ସେ ଏଡାଇ ପାରେନି । ଘର ଲୋକ ଯିଏ ଯେତେ ମନା କଲେ ବି ସେ ଶୁଣିବେନି । ଯେତେବେଳେ ତାଙ୍କର ମାନିବା ଶୁଣିବା ବୟସ ଥିଲା ସେତେବେଳେ ସେ ଶୁଣି ନାହାଁନ୍ତି । ଆଜି ସେ ବୟସର ଅସ୍ତ ବେଳାରେ । ଶ୍ୱଶୁର ତାକୁ ବହୁତ ଥର କହିଛନ୍ତି ମା ଅନୁ ତୁ ବି ଟିକେ ଟିକେ ଚା’ ଅଭ୍ୟାସ କର । ତୋ ଦେହ ପାଇଁ ଭଲ, ହେଲେ ସେ ପିଇ ପାରେନି । ନା ଯାଆ ସହିତ, ନା ସ୍ୱାମୀ ସହିତ, ନା ଶାଶୁ ଶ୍ୱଶୁର ଙ୍କ ସହିତ । ଘରର ପିଲା ମାନେ ବି ଏବେ କ୍ଷୀର ବିସ୍କୁଟ ବଦଳରେ ଚା’ ବିସ୍କୁଟ ଖାଇବାକୁ ଜିଦି କରୁଛନ୍ତି । ନଦେଲେ କାନ୍ଦି କାନ୍ଦି ଗଡି ଯାଉଛନ୍ତି । ସେ ତା ପିଲା କୁ ମଧ୍ୟ କ୍ଷୀର ସହିତ ଚା’ ବୁନ୍ଦେ ଦି ବୁନ୍ଦା ମିଶାଇ କ୍ଷୀରର ରଙ୍ଗକୁ ଚା’ ରଙ୍ଗ କରି ଦେଲେ ଯାଇ ପିଇବେ । ଚା’ କପ୍ ରେ ଦିନେ ଦିନେ ଝଡ ଆସିଯାଏ । ଆଉ କେବେ କେବେ ମିଳନର ପର୍ବ ହୋଇଯାଏ । ଶ୍ୱଶୁର ଶେଷ ବେଳକୁ କେତେଦିନ ପାଇଁ ଚା’ ପିଇନଥିଲେ । କାରଣ ସେ ଆଉ ଚା’ ପିଇବା ପରିସ୍ଥିତିରେ ନଥିଲେ । ବ୍ରେନଷ୍ଟ୍ରୋକ ଯୋଗୁଁ ବେଡ୍ ରେ ଶୋଇ ରହିଥିଲେ । ଶ୍ୱଶୁର ଙ୍କ ପାଖରେ ବସି ସେ ବହୁତ କାନ୍ଦିଥିଲା । ସକାଳୁ ସଞ୍ଜ ଯାଏଁ ଚା’ ଚା’ କହି ଘର କମ୍ପାଉ ଥିବା ମଣିଷ ଆଜି ଆଜି ବିନା ଚା’ ରେ ଦିନ ଦିନ ହେଲା ଶୋଇ ରହିଛନ୍ତି । ଆଖିରେ ତାର ଲୁହ ଆସିଗଲା । ଆଖିରୁ ଲୁହ ପୋଛୁ ପୋଛୁ ଇଶାରାରେ କହିଲା ବାପା ଢୋକେ ଚା’ ଦେବି । ସେ ଆଖି ପତା ମୁଦି ହଁ ଭରିଥିଲେ । ସେ ଖୁସିରେ ଚା’ ଆଣି ପିଆଇ ଦେଇଥିଲା । ସେଇଟା ବୋଧେ ଥିଲା ତାଙ୍କର ଶେଷ ଚା’ ପିଆ ତା’ ହାତରୁ । ତାପରେ ସେ ଆଉ ଉଠି ନାହାଁନ୍ତି । ସବୁଦିନ ପାଇଁ ଅସ୍ତ ହୋଇଯାଇଥିଲେ । ତାଙ୍କ ଚା’ ପିଆ କୁ ନେଇ ବେଳେ ବେଳେ ଘରେ ଯେଉଁ ଝଡ ଉଠୁଥିଲା ତାହା ନୀରବି ଯାଇଥିଲା । କାହିଁକି କେଜାଣି ଶ୍ୱଶୁର ଗଲାପରେ ତାର ଚା’ ଟିକେ ଟିକେ ପିଇବାକୁ ଇଚ୍ଛା ହେଲା ସେ ଜାଣେନି । ସେଦିନ ଶେଷ ଚା’ ଦେଲାବେଳେ ତାକୁ ଲାଗିଲା ଶ୍ୱଶୁର ଯେମିତି ତାକୁ କହୁଥିଲେ ମା ’ରେ ତୁ ଏଥର ଚା’ ପିଇବା ଆରମ୍ଭ କର । ଶ୍ୱଶୁର ଙ୍କ ଚା’ ପିଆ କୁ ନେଇ ଘରେ ସମସ୍ତେ ବିରୋଧ କରୁଥିବା ବେଳେ ତାର ଥିଲା ନୀରବ ସମର୍ଥନ । ସେ ସମସ୍ତଙ୍କୁ ଚା’ ଦେଲାବେଳେ ଚା’ ର ପରିମାଣ ଟିକେ ଅଧିକ କରିଦେଇ କହିବ ଟିକେ ବଳି ପଡିଲା ତେଣୁ ବାପାଙ୍କୁ ଦେଇଦେଲି । ଘରେ ସମସ୍ତେ କହୁଥିଲେ ଅନୁ ଆସିବା ପରେ ବାପା ଙ୍କ ଚା’ ପିଆ ବଢି ଯାଇଛି । ଶ୍ୱଶୁର ଗଲା ପରେ ସେ ଟିକେ ଅନ୍ୟମନସ୍କ ହୋଇ ଯାଇଛି । ଚା’ ତିଆରି କରିବା ପାଇଁ ଆଉ ଆଗ୍ରହ ଦେଖାଉନି । ସେ ତାଙ୍କର ବୋହୁ ନଥିଲା ଝିଅ ଥିଲା । ସବୁଠୁ ଅଧିକ ସ୍ନେହ ତାକୁ କରୁଥିଲେ । ତାଙ୍କ ପାଟିରୁ ଅନୁ ବାହାରିବା ମାତ୍ରେ ଚା’ କପ୍ ଧରି ଠିଆ ହୋଇଯିବ; ତା ପିଲାଳିଆମି ପାଇଁ ଶ୍ୱଶୁର ହସନ୍ତି, ନାଇଁରେ ମା ଚା’ ପାଇଁ ଡାକିନି । ତା ଭାବନା କୁ ଅନ୍ତ କରି ବଡ ଯାଆ ଆସି ତା ହାତରେ ଚା’ କପ୍ ଟିଏ ଧରାଇଦେଲେ । ଏବେ ସେ ଚା’ ପିଇବା ଆରମ୍ଭ କରିଦେଇଛି ।
