ବୁଝାମଣା
ବୁଝାମଣା
ମୋବାଇଲ ପରଦା ଦେଖି ଚମକି ପଡ଼ିଲେ ଶ୍ରଦ୍ଧା । ସେ ଯାହା ଦେଖୁଛନ୍ତି ବାସ୍ତବ ନା କାଲ୍ପନିକ ? ଶାଢୀ କାନୀରେ ମୋବାଇଲ ପରଦା ପୋଛି ଆଖି ବଡ ବଡ କରି ଆଉଥରେ ଦେଖିଲେ । ନା ସତ ପ୍ରିୟ ଫୋନ କରିଛନ୍ତି । ଗୋଟେ ଦୀର୍ଘଶ୍ଵାସ ଛାତି ଦେଇ ବାହାରି ଗଲା ପଦାକୁ । ଯେମିତି ଗୋଟେ ମହାଭାରତର ଅନ୍ତ ହୋଇଗଲା । ଫୋନ ରିସିଭ କଲେ ଶ୍ରଦ୍ଧା ।
ସେପଟରୁ ଆସିଲା - " ହ୍ୟାଲୋ "
ଆଖି ଛଳ ଛଳ ହୋଇଗଲା ଅନ୍ତରାତ୍ମା ଦୋହଲି ଗଲା ଯେମିତି ଏଇ ଗୋଟିଏ ଶବ୍ଦରେ । କ'ଣ କହିବେ ଶ୍ରଦ୍ଧା ନୀରବ ରହିଲେ କେବଳ । ଗୋଟିଏ ମିନିଟର ନୀରବତା ଯେମିତି ଘଣ୍ଟେ ପରି ଲାଗୁଥିଲା । ନୀରବତା ଖାଲି ନୀରବତା । ପାଟିରୁ ଶବ୍ଦ ଆସିବା ଆଗରୁ ଯେମିତି ଅନୁମତି ମାଗୁଥିଲେ ତାଙ୍କୁ । ତାଙ୍କ ପ୍ରତି କୋଉ ଶବ୍ଦ ପ୍ରୟୋଗ କଲେ ଉଚିତ ହେବ ଦୀର୍ଘ ସମୟର ନୀରବତା ପରେ । ଆଖି ବୁଜି ଦେଲେ ତ ଗାଲ ଦେଇ ବେକ ପର୍ଯ୍ୟନ୍ତ ବୋହି ଆସିଲା ବହଳ ଲୁହ ।
ସେଦିନର କଥା ସବୁ ଆଜିବି ଟାଇଁ ଟାଇଁ ଶୁଭୁଥିଲା ଶ୍ରଦ୍ଧାର କାନକୁ ।
- " ଦେଖ ତୁମର ଯଦି ସବୁ କଥାରେ ଅବଜେକସନ୍ ମୋ ସହିତ ଆର୍ଜେଷ୍ଟ କରିପାରୁନ ତେବେ ତୁମେ ଅଲଗା ରହିପାର ମୋର କିଛି ଆପତ୍ତି ନାହିଁ ।"
- " ହଁ ରହି ଯାଇଥାନ୍ତି । ଯଦି ତୁମେ ମୋ ସ୍ବାମୀ ହୋଇ ନଥାନ୍ତ । ସାତ ଜନ୍ମ ପାଇଁ ହାତ ଧରିଛି ଯେତେବେଳେ ରହିବାକୁ ତ ବାଧ୍ୟ ନା ? "
- " ସୀମା ଭିତରେ ରୁହ । ଅଧିକା ଗପିଲେ ....। "
- " ହଁ କ'ଣ କରିବ ମୁଁ ଶୁଣେ ? "
ବାସ୍ ...
ବସି ଯାଇଥିଲା ଶ୍ରଦ୍ଧା ଗାଲରେ ଗୋଟେ ଶକ୍ତ ଚାପୁଡ଼ା । ତାପରେ ମା ଦୂର୍ଗାଙ୍କ ଆଖି ପରି ଶ୍ରଦ୍ଧା ଅନେଇ ଥିଲା ପ୍ରିୟଙ୍କୁ ଆଉ ଗୋଡ଼ କଚାଡି କଚାଡି ଭିତରକୁ ଚାଲି ଯାଇଥିଲା । କିଛି ସମୟ ଫୋପଡା ଫୋପଡି ଶବ୍ଦ ପରେ ନିଜ ସୁଟକେସ୍ ସହ ବାହାରକୁ ଆସି କେବଳ ଦୁଇ ପଦ କହିଥିଲେ - " ଆଉ ନୁହେଁ ବହୁତ ହୋଇଗଲା "
ଆଉ ସିଧା ଚାଲି ଯାଇଥିଲା ବାପଘରକୁ । ତାପରେ ଗୋଟେ ଡିଭୋର୍ସ ପେପର୍ ହିଁ କାଫି ଥିଲା ଗୋଟିଏ ଖଟରେ ଗୋଟେ ଦେହ ହୋଇ ଶୋଉଥିବା ଦୁଇ ମଣିଷଙ୍କୁ ଆଜୀବନ ବିପରିତ ମୁଖି ବାଟରେ ଯାତ୍ରୀ କରିଦେବା ପାଇଁ ।
ଦୁଇ ବର୍ଷ ପରେ ଆଜି ହଠାତ୍ ଫୋନ୍ ! ଦୁଇ ବର୍ଷ ନୁହେଁ ତ ଦୁଇ ଯୁଗ ଯେମିତି । ଏତେ ଝଡ଼ ଝଂଜା , ଝାଞ୍ଜି ବୈଶାଖ , ମଳୟ ବସନ୍ତ ମୁଁ କଣ ତାଙ୍କର ଟିକେ ମନେ ପଡିଲିନି ? ହେଲେ ଆଜି ହଠାତ୍ , ସେମିତି କିଛି ଖାସ୍ ବିଶେଷ ଦିନ ନୁହେଁ ତ ଆଜି । ତା ଛଡା ବିଶେଷ ଆଉ ସାମାନ୍ୟ କଥା କୋଉଠୁ ଉଠୁଛି ଯୋଉଠି ସଂପର୍କରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା ।
ସେଇ ପୂର୍ଣ୍ଣଛେଦକୁ କମା ର ରୂପ ଦେଇ ପ୍ରିୟ ଯଦି ସଂପର୍କକୁ ଆଉଥରେ ସଜାଡି ବାକୁ ଚାହୁଁଛନ୍ତି ତା'ହେଲେ ଏ ଦିନଟି ଅବଶ୍ୟ ସବୁଦିନ ପାଇଁ ବିଶେଷ ହୋଇ ରହିବ ।
ସୁରୁଖୁରୁରେ ଚାଲିଥିଲା ସଂସାର କିଛି ବୋଲି କିଛି ଅଭିଯୋଗ ଅଭିଳାସ କି ସନ୍ଦେହ ନଥିଲା ଉଭୟଙ୍କ ମଧ୍ୟରେ । କେବଳ ଯାହା ଟିକେ ଛୋଟମୋଟ ଅସୁବିଧା ଆସୁଥିଲା ମଝିରେ ସେ ଦୁହେଁ ତାକୁ ହସି ହସି ସାମ୍ନା କରି ଦେଉଥିଲେ ସମାଧାନ ବି । ସ୍ନେହ ପ୍ରେମ ଭଲପାଇବାର ପବିତ୍ର ସଂପର୍କ ଭିତରେ ବି ଗୋଟେ ଅଦୃଶ୍ୟ ଲକ୍ଷଣରେଖାଟେ ଟାଣି ହୋଇଯିବ ସେ ଦୁହେ କେବେ କଳ୍ପନା କରିନଥିଲେ । ସେ ପୁଣି ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି । ଶ୍ରଦ୍ଧା ହାଇସ୍କୁଲରେ ଶିକ୍ଷୟିତ୍ରୀ ପ୍ରିୟ ବ୍ୟାଙ୍କ୍ ଆକାଉଣ୍ଟାଣ୍ଟ । ଟଙ୍କା ପଇସାର ଅଭାବ ନଥିଲା ସେମିତି କିଛି । କ'ଣ ଅସୁବିଧା ହୋଇ ଯାଇଥାନ୍ତା ଟିକେ ସହି ଯାଇଥିଲେ , ଘଡ଼ିଏ ଚୁପ୍ ରହି ଯାଇଥିଲେ ?
ଏ ମଣିଷ ନା , କେବେ କ'ଣ ଠିକ୍ ସେ ନିଜକୁ ଖାପଖୁଆଇ ପାରିଲାଣି ଆଜି ପର୍ଯ୍ୟନ୍ତ ପରିସ୍ଥିତି ସହ ?
ହେଲେ ସହିବା ଚୁପ୍ ରହିବା କ'ଣ ସବୁ ପରିସ୍ଥିତିରେ ସମ୍ଭବ କି ? ତାଛଡ଼ା ଶ୍ରଦ୍ଧା କେବଳ ଗୋଟେ ସ୍ତ୍ରୀ ତଥା ସୁଗୃହିଣୀ ତ ନୁହେଁ ନା , ଯେ ସ୍ବାମୀଙ୍କ ସବୁ ପଦକ୍ଷେପକୁ ମଥାପାତି ସହିଯିବ ସବୁ ନିଷ୍ପତ୍ତିକୁ ମାନିନେବ ।
ନିଜ ଶିକ୍ଷୟିତ୍ରୀ ଜୀବନର ସଂଚିତ ଅର୍ଥକୁ ବିନା କିଛି ପ୍ରତିବାଦରେ ପ୍ରତିରୋଧରେ ସ୍ବାମୀଙ୍କ ହାତକୁ ବଢ଼େଇବା ପୂର୍ବରୁ ତାର କ'ଣ ଟିକେ ବି ଜାଣିବା ଆବଶ୍ୟକ ନାହିଁ ଟଙ୍କା ଟା କୋଉ କାମରେ ଲାଗିବ । ସେ ପୁଣି ଅର୍ଦ୍ଧାଙ୍ଗିନୀଟି ।
ସ୍ବାମୀଙ୍କ ସୁଖ ଦୁଃଖ ସହ ତାଙ୍କ ହାନୀ ଲାଭରେ ବି ତା'ର ଦାବି ଅଛିକି ନାହିଁ ? ସ୍ତ୍ରୀ ବୋଲି କ'ଣ ସଂପୁର୍ଣ୍ଣ ନିସ୍ବ ହୋଇ ସ୍ବାମୀଙ୍କ ପାଦ ତଳେ ନିଜକୁ ସମର୍ପି ଦେବା ବିନା ପ୍ରତିବାଦରେ ବିନା ପ୍ରତିରୋଧରେ ? ନିଜର ପୁଣି ନିଜତ୍ବ କିଛି ଅଛିକି ନାହିଁ ? ସବୁ ପରେ ନିଜର ସ୍ଵାଭିମାନ । ଅଟକି ଗଲା ସେଇଠି ଶ୍ରଦ୍ଧା ପୁଣି ଗୋଟେ ଦୀର୍ଘଶ୍ଵାସ ଦେଲା ।
କ'ଣ ଟା ବା ଭାସି ଯାଇଥାନ୍ତା ନଈ ସ୍ରୋତରେ , ଯଦି ନିଜ ସ୍ବାଭିମାନକୁ ସ୍ବାମୀଙ୍କ ପାଖରେ ବନ୍ଧା ପକାଇ ଦେଇଥିଲେ ? ଏବେ କ'ଣ ଟା ବା ତା ପାଖରେ ଅଛି ଗର୍ବ କରିବାକୁ ସ୍ବାମୀ ଚାଲିଗଲା ପରେ । କ'ଣ ଏଇ ମାସିକ ୧୫ ହଜାର ଟଙ୍କା ଦରମା , ମ୍ୟାମ୍ ...ଦିଦି ... ସମ୍ବୋଧନ ଆଜ୍ଞା ...ଆପଣ...ସଭା ସମିତି ଉତ୍ସବରେ ଯୋଗଦେବା ଗୁଡେ଼ ସମ୍ମାନ ପୁରସ୍କାର
ଝିଅର ଦୁଷ୍ଟାମି ତା ଦାୟିତ୍ଵ ବାସ୍ ...
ତାହେଲେ ହାତର ଶଙ୍ଖା ସିନ୍ଥିରେ ସିନ୍ଦୂର କ'ଣ ପାଇଁ ଶୋଭା ପାଉଛି ? କ'ଣ କେବଳ ସୌନ୍ଦର୍ଯ୍ୟ ଆଉ ସଧବା ନାରୀର ପ୍ରତୀକ ପାଇଁ ।
ଆଉ ସିନ୍ଦୂର ପିନ୍ଧିବା ବେଳେ ଶଙ୍ଖାକୁ ମଥାରେ ଛୁଇଁ ସ୍ବାମୀଙ୍କ ମଙ୍ଗଳ କାମନା କରି ଲମ୍ବା ଆୟୁଷ ସହିତ ଶଙ୍ଖା ସିନ୍ଦୂର ଶେଷ ପର୍ଯ୍ୟନ୍ତ ଏମିତି ଝଟକୁ ଥାଉ ମୋ ଆୟୁଷ ତାଙ୍କୁ ଲାଗୁ କହି ଇଷ୍ଟଙ୍କୁ ପ୍ରଣାମ କରିବା ତେବେ କ'ଣ ? ଖାଲି ଗୋଟେ ପ୍ରତିଦିନର ଅଭ୍ୟାସ ? ଏତିକି କଥା ଭାବୁ ଭାବୁ ହାତର ଶଙ୍ଖା ଛାଏଁ ଛାଏଁ ଯାଇ ମଥାରେ ଲାଗିଗଲା ଶ୍ରଦ୍ଧାର ।
ପାଞ୍ଚ ବର୍ଷର ବୈବାହିକ ଜୀବନ ଭିତରେ କେବେ ଟିକେ ହେଲେ ବି ସ୍ବାମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିନି କି ଜୀବନକୁ ନେଇ ଅଣୁଟିଏ ବି ଅଭିଯୋଗ ନଥିଲା । ଯେତେବେଳେ ଯାହା କହୁଥିଲେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ଯେତେବେଳେ ପାଞ୍ଚ ଦଶ ହଜାର ମାଗୁଥିଲେ ବିନା ପ୍ରତିବାଦରେ ହାତକୁ ବଢ଼େଇ ଦେଉଥିଲା । ହେଲେ ସେଦିନ ହଠାତ୍ ପଚାରି ଦେଲେ ।
- " ଆଛା ମୋର ଚାରି ଲକ୍ଷ ଟଙ୍କା ଦରକାର ଅଛି ? "
ଶ୍ରଦ୍ଧା ଥମ ଥମ ହୋଇ ଉତ୍ତର ଦେଇଥିଲା
- " ନା କାଇଁ ନାଇଁ ତ ।ଏକାଥରେ ଏତେ ଟଙ୍କା ! "
- " ତୁମ ଏଲ୍.ଆଇ.ସି ପ୍ରିମିୟମ ଏ ବର୍ଷ ଯୋଉ ଶେଷ ହେଉଛି କେତେ ଟଙ୍କା ଉଠିବ ? "
- " ହଁ ତିନି ଭଳି ହେବ ବୋଧେ "
- " ତେବେ ପାଖରେ ଆଉ କିଛି ଥିବ ପୁରା ଚାରି କରି ଦେଇଦିଅ ମୋତେ , ମୋ ପାଖରୁ ପରେ ନେଇଯିବ ମାନେ ମୋ ପଇସା ଉଠିଲେ ଦେଇଦେବି "
- " କ'ଣ ଦରକାର ଯେ ଏତେ ଟଙ୍କା "
ପ୍ରିୟ ଉତ୍ତର ନଦେଇ ପ୍ରଶ୍ନ କଲେ ।
- " ତୁମର କିଛି ଦରକାର ଥିଲା କି "
- " ଝିଅ ନାଁ ରେ ଫିକ୍ସ ମାରି ଥାନ୍ତି "
- " ହଉ ହେଲା , ମୁଁ ଦେଲେ ସେତେବେଳେ ଭରିଦେବ । ହେଲେ ମୋର ଜରୁରୀ ଦରକାର ଫିକ୍ସ ଡିପୋଜିଟ ପରେ ହେଲେ ଚଳିବ ।"
- " ତୁମ ପାଖରେ ନାହିଁ କି ଦୁଇ ନେଉନ ଆଉ ଦୁଇ ମିଶେଇ ଦେବ "
- " ନାଇଁ ମୋର ଅଧିକ ଦରକାର । ତା'ଛଡ଼ା ମୋତେ ଏତେ ଅର୍ଡର ଦିଅନି ମୋତେ ଦେବ କି ନାହିଁ କହିଲ ? "
- " ହଉ ନେବ , କିନ୍ତୁ ଏତେ ଟଙ୍କା କରିବ କ'ଣ ?"
- " ଦେଖ ତୁମକୁ ଏତେ ମୁଁ କୈଫିୟତ ଦେଇ ପାରିବିନି । ଇଛା ହେଲେ ଦିଅ ନହେଲେ ନାଇଁ । ପାଖରେ ରଖିଥା ...ରେ ପୁରେଇବୁ ..ଆ ମୁଣ୍ଡକୁ ଖରାପ କରୁଛି ।"
- " ମୁଁ କ'ଣ କିଛି ଖରାପ କଥା କହିଲି । ଏତେ ରାଗୁଛ ଯେ , ମୁଁ ତ ଖାଲି ପଚାରୁଥିଲି କି ଏତେ ଟଙ୍କା କ'ଣ କରିବ ? ମୋର କ'ଣ ଏତିକି ପଚାରିବାର ଅଧିକାର ନାହିଁ ? "
- " ନା ନାହିଁ , ମୁଁ କ'ଣ ପଇସା ମଦ ଗଞ୍ଜେଇରେ ଉଡଉଛି ନା ମାଳୀ ସାହି ଯାଇ ଖର୍ଚ୍ଚ କରୁଛି । କେତେଥର ଦେଖିଲିଣି ତୋର ସବୁବେଳେ ଏମିତି ଅଯଥା ପ୍ରଶ୍ନ । ମାଷ୍ଟରାଣୀ ଚାକିରୀ ଖଣ୍ଡେ କରିନୁ ଯେ ମୋ ବସ୍ ଭଳି ଜବାବ୍ ମାଗୁଛୁ ।
ଏଥିପାଇଁ ବାପା ମନା କରୁଥିଲେ ଚାକିରିଆ ବୋହୂ କରିବା ପାଇଁ । ମୋ ବେଳା ଖରାପ ଯେ ତୁମ ହାତ ଧରିଲି । କଳପଡା ମୋନା ସହିତ ବାହାଘର ହୋଇଥିଲେ ଆଜି ଏ ଦଶା ଦେଖିବାକୁ ପଡି ନଥାନ୍ତା "
ଶ୍ରଦ୍ଧାର ଧୈର୍ଯ୍ୟ ସୀମା ଲଂଘୁଥିଲା-
- " ହଁ ହେଲନି କିଏ ମନା କରୁଥିଲା । ବାପା କ'ଣ ତୁମ ସହ ଜବରଦସ୍ତି ବାହାଘର କରୁଥିଲେ । ସବୁବେଳେ ଏମିତି ବାଧିଲା ଭଳି କଥା କୁହନି କହି ଦେଉଛି ।
ଝିଅ ପଢ଼ାପଢ଼ି ବାପାଙ୍କ ଦେହ ପା ଘର ଝାମେଲା ସଉଦା ପତ୍ର ଭଲ ମନ୍ଦ ସ୍କୁଲ ସମୟ ସବୁ ଦାୟିତ୍ଵ ମୁଣ୍ଡେଇବି ତମର ଅଫିସ୍ କାମ ଛଡ଼ା ଆଉ କିଛି ଟେନସନ ଅଛି ? ସବୁ କରି ଯଦି କ'ଣ ଟିକେ ପଚାରି ଦେଲି ବାବୁଙ୍କ ରାଗ ପସି ଯାଉଛି ।
ଯେମିତି ଏଠି ସବୁ ତୁମର ମୋର କିଛି ନୁହେଁ । ଏତେଥର ଟଙ୍କା ନେଲଣି କେବେ କୋଉଦିନ ପଚାରିଛି କ'ଣ କରୁଛ ଟଙ୍କା ସବୁ । ଆଜି ଚାରି ଲକ୍ଷ ଟଙ୍କା ମାଗୁଛ , ପଚାରି ବିନି ?
କ'ଣ ଏମିତି ଅପରାଧଟେ କରି ପକାଇଲି ଯେ ମୋ ଉପରେ ଏମିତି ବର୍ଷି ଯାଉଛ ? "
- " ଦେଖ ତୁମର ଯଦି ସବୁ କଥାରେ ଅବଜେକସନ୍ ମୋ ସହିତ ଆର୍ଜେଷ୍ଟ କରିପାରୁନ ତେବେ ତୁମେ ଅଲଗା ରହିପାର ମୋର କିଛି ଆପତ୍ତି ନାହିଁ ।"
- " ହଁ ରହି ଯାଇଥାନ୍ତି । ଯଦି ତୁମେ ମୋ ସ୍ବାମୀ ହୋଇ ନଥାନ୍ତ । ସାତ ଜନ୍ମ ପାଇଁ ହାତ ଧରିଛି ଯେତେବେଳେ ରହିବାକୁ ତ ବାଧ୍ୟ ନା ? "
- " ସୀମା ଭିତରେ ରୁହ । ଅଧିକା ଗପିଲେ ....। "
- " ହଁ କ'ଣ କରିବ ମୁଁ ଶୁଣେ ? "
ବାସ୍ ...
ଆଉ ଆଗକୁ ଭାବିବାକୁ ବି ଭୟ ଲାଗୁଥିଲା ଶ୍ରଦ୍ଧାକୁ ଏବେ । ଖାଲି ଦେହ ମନ ପ୍ରାଣ ଖୋଜୁଥିଲେ ସ୍ବାମୀଙ୍କ ସାନିଧ୍ୟ । ବିଚଳିତ ହେଉଥିଲା ହୃଦୟ କ୍ଷଣକୁ କ୍ଷଣ । କଇଁ କଇଁ ହୋଇ କାନ୍ଦି ଉଠିଲା ସେ ।
କହିଲେ - " ମୋତେ କ୍ଷମା କରିଦିଅ ମୋର ଭୁଲ୍ ହୋଇଯାଇଛି "
ସ୍ବାମୀ ସେପଟରୁ ଅତି ନରମ ଦୋଷୀ ଦୋଷୀ ସ୍ବରରେ କହିଲେ-
" ଭୁଲ ତ ସଂପୂର୍ଣ୍ଣ ମୋର କ୍ଷମା ତ ମୋତେ ମାଗିବାର ଅଛି ତୁମକୁ , ମୁଁ ମୋ ଭୁଲ୍ ବୁଝିପାରିଛି କଥା ଦେଉଛି ଆଉ ଏମିତି କେବେବି ତୁମକୁ ବ୍ୟବହାର କରିବିନି ।
ଶ୍ର..ଦ୍ଧା ...ମୋ..ତେ....କ୍ଷମା ...କରିଦେବ.. ତ... ? "
- " ଆଉ ଲଜ୍ଜା ଦିଅନି ମ... ଶିଘ୍ର ଗାଡ଼ି ଆଣି ଆସ । ମୁଁ ଶାଢ଼ୀ ପିନ୍ଧି ପ୍ରସ୍ତୁତ ହେଉଛି । "
