Sambit Srikumar

Abstract Classics Inspirational

4.1  

Sambit Srikumar

Abstract Classics Inspirational

ବସ୍ତି

ବସ୍ତି

4 mins
225



"ମୁଁ ଯଦି ଏଥର ନିର୍ବାଚନ ଜିତିବି, ତେବେ ତୁମର ଏଇ ବସ୍ତିର ଚିତ୍ର ବଦଳିଯିବ। ସମସ୍ତଙ୍କୁ ପକ୍କାଘର ମିଳିବ, ସବୁ ଘରକୁ ମାଗଣାରେ ବିଜୁଳି ଆଉ ପାନୀୟଜଳ ଯୋଗାଣ କରାଯିବ। ଘରେ ଘରେ ପାଇଖାନା ନିର୍ମାଣ ହେବ। ରାସ୍ତା ପୁରା ଚକମକ୍ କରିବ। ବସ୍ତି ମଝିରେ ପାର୍କ ତିଆରି ହେବ, ରଙ୍ଗ ବେରଙ୍ଗର ନାନାଦି ଫୁଲଗଛ ଲାଗିବ। ଏଠି ନାଳ ନର୍ଦ୍ଦମାରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ ବରଂ ଗୋଲାପ ଫୁଲ ନହେଲେ ନାହିଁ ମଲ୍ଲୀର ମହକ ଛୁଟିବ। ତୁମ ପିଲାମାନେ ପରଘରେ କାମ କରିବେ ନାହିଁ କି ରାସ୍ତାରେ ଘାଟରେ ଭିକ ମାଗିବେ ନାହିଁ ବରଂ ଇଂଲିଶ୍ ମିଡିଅମ୍ ସ୍କୁଲରେ ପାଠ ପଢିବେ। ତୁମମାନଙ୍କ ପାଇଁ କୌଣସି ଦିନ କୌଣସି କଥାରେ କିଛି ବି ଅଭାବ ରହିବ ନାହିଁ। ଥରେ ମାତ୍ର ମୋତେ ଭୋଟ୍ ଦେଇ ଜିତାଇଦିଅ, ଦେଖିବ ମୁଁ ତୁମମାନଙ୍କ ପାଇଁ କଣ କଣ କରୁଛି। ଦିନ କେଇଟାରେ ତୁମମାନଙ୍କ ଜୀବନ ବଦଳିଯିବ। ଘିଅମହୁରେ ତୁମର ଏଇ ବସ୍ତିଟା ଭାସିବ" ସାନ୍ଧ୍ୟ ସଭାରେ ଉପସ୍ଥିତ ବସ୍ତିବାସିନ୍ଦାଙ୍କୁ ଉଦବୋଧନ ଦେବା ଅବସରରେ ପ୍ରାଞ୍ଜଳ ଭାବରେ ବୁଝାଉଥିଲେ ମହାନଗର ନିଗମ ନିର୍ବାଚନ ପାଇଁ କର୍ପୋରେଟର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଯୁବ ବ୍ଯବସାୟୀ ଗୌରହରି ମହାକୁଡ଼ ମହୋଦୟ।

ରାଜଧାନୀର ସବୁଠାରୁ ବଡ଼ ବସ୍ତି ସିନ୍ଧୁରା ବସ୍ତି। ଭୁବନେଶ୍ୱର ମହାନଗରର ମଧ୍ଯଭାଗରେ ଅବସ୍ଥିତ ଏହି ବସ୍ତିରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ପାଖାପାଖି ପାଞ୍ଚ ହଜାର ପରିବାର ବସବାସ କରନ୍ତି। ସେଥିପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଇ ବସ୍ତି। ପ୍ରତିଟି ନିର୍ବାଚନରେ ଏଠି ନେତା ମନ୍ତ୍ରୀ ଅନ୍ଧାରୀ ବିଜେ କରନ୍ତି। ଗଦା ଗଦା ପ୍ରତିଶ୍ରୁତି ସହିତ ସାରାରାତି ସୁରା ସାକୀ ସଙ୍ଗୀତର ଆସର ଜମେ। ମତୁଆଲା ହୋଇ ଝୁମିଉଠେ ସିନ୍ଧୁରା ବସ୍ତି। ନିର୍ବାଚନ ସରିଗଲା ପରେ ଏଇ ପୁତି ଗନ୍ଧମୟ ପରିବେଶରେ ଧୋବ ଫରଫର ବାବୁମାନଙ୍କ ଦର୍ଶନ ଆଉ ମିଳେ ନାହିଁ। ପୁଣି ଅପେକ୍ଷା ଆଉ ଗୋଟିଏ ନିର୍ବାଚନ ଋତୁକୁ।

କିନ୍ତୁ ଏଥର କରିତକର୍ମା ନେତା ଗୌରହରି ମହାକୁଡ଼ ଲଢୁଛନ୍ତି ନିର୍ବାଚନ। ଜଣେ ଟାଣୁଆ ଯୁବନେତା ଏବଂ ଧନାଢ୍ୟ ବ୍ଯବସାୟୀ ଭାବେ ଜାତୀୟ ସ୍ତରରେ ତାଙ୍କର ସୁଖ୍ୟାତି ରହିଛି। କେବଳ ଏତିକି ନୁହେଁ, ବ୍ୟବସାୟରୁ ଲବ୍ଧ ଅର୍ଥ ବିନିଯୋଗ କରି ପୁସ୍ତକ ପ୍ରକାଶନ ସଂସ୍ଥାଟିଏ ମଧ୍ୟ ଖୋଲିଛନ୍ତି। ନିଜେ ଭଲ ଲେଖକ ହେବା ସହିତ ସିଏ ଜଣେ ସୁବକ୍ତା ମଧ୍ୟ। ପ୍ରବୀଣ ଏବଂ ନବୀନ ପୀଢ଼ିର ଲେଖକମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ତାରକା ହୋଟେଲରେ ସାହିତ୍ୟ ଉତ୍ସବର ଆୟୋଜନ କରନ୍ତି, ସେମାନଙ୍କ ବହି ସବୁ ପ୍ରକାଶ କରି ଭାଷା ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ବ୍ଯବସାୟ ସହିତ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୌରହରି ବାବୁ ସଯତ୍ନ ପ୍ରୟାସ କରୁଛନ୍ତି।

ସେଇଥିପାଇଁ ତ ଖାସ୍ ଦିଲ୍ଲୀ ଦରବାରରୁ ଡାକରା ପାଇ ପ୍ରାର୍ଥୀ ହୋଇଛନ୍ତି। ଯେଣତେଣ ପ୍ରକାରେଣ ନିର୍ବାଚନ ବୈତରଣୀ ପାର ହେବାକୁ ପଡ଼ିବ, ତାହା ପୁଣି ସର୍ବାଧିକ ଭୋଟ ପାଇ। ଦଳୀୟ ନେତୃତ୍ଵ ତାଙ୍କୁ ସମସ୍ତ ପ୍ରକାର ସମର୍ଥନର ଦୃଢ଼ ଆଶ୍ବାସନା ପ୍ରଦାନ କରିଛନ୍ତି। ଭୁବନେଶ୍ବର ମହାନଗରରେ ଭୋଟରଙ୍କ କଥା ଯାହା ସଭିଙ୍କୁ ଜଣା। ଉଚ୍ଚଶିକ୍ଷିତ ସମ୍ଭ୍ରାନ୍ତ ଲୋକେ ଏଠି ଭୋଟ ଦେବା ପାଇଁ ନିର୍ବାଚନ କେନ୍ଦ୍ରକୁ ଯାଆନ୍ତି ନାହିଁ। କେବଳ ଯାହା ଏଇ ବସ୍ତିବାସିନ୍ଦା ରୀତିମତ ଭୋଟ୍ ଦିଅନ୍ତି। ଏଇମାନେ ଶତପ୍ରତିଶତ ଭୋଟ ଦେଉଥିବାରୁ ରାଜଧାନୀ କ୍ଷେତ୍ରରେ ଭୋଟଦାନର ପ୍ରତିଶତ ଯାହିତାହି ଚାଳିଶି ଉପରେ ରୁହେ। ନହେଲେ କଣ ଯେ ହେଉଥାନ୍ତା କିଏ ଜାଣେ? ଯାହା ବି ହୋଇଯାଉ ଏଇ ବସ୍ତିବାସିନ୍ଦାଙ୍କ ଭୋଟ୍ ହାତେଇ ଜିତିବାକୁ ହିଁ ହେବ ଏଇ ନିର୍ବାଚନ।

ଏଇ ଗୌରହରି ବାବୁ ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ଆସି ରାଜଧାନୀରେ ଠିକାଦାରୀ ଆରମ୍ଭ କରୁଥିବା ବେଳେ ବସ୍ତି ଗୁଡ଼ିକ ତାଙ୍କୁ ଭାରି ଗନ୍ଧାଉଥିଲା। ସବୁବେଳେ ଭାବୁଥିଲେ ବସ୍ତି ଗୁଡ଼ିକୁ ବୁଲଡୋଜର୍ ଲଗାଇ ଭାଙ୍ଗି ପକାଇବେ ଆଉ ସେଇ ଜାଗାରେ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରିବେ। ରାଜଧାନୀକୁ ଆପାର୍ଟମେଣ୍ଟ ମାଳିନୀ କରି ଗଢିତୋଳିବେ। ଏମିତି ଅନେକ ଛୋଟ ଛୋଟ ବସ୍ତିକୁ ହଟାଇ ଦେଇଛନ୍ତି ସିଏ ନିଜର ଅର୍ଥ ବଳ ଓ ବାହୁ ବଳ ପ୍ରୟୋଗ କରି। କିନ୍ତୁ ଆଜି ଯେ ତାଙ୍କୁ ପୁଣି ଏଇ ବସ୍ତିବାସିନ୍ଦାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ସେମାନଙ୍କୁ ହାତ ଯୋଡ଼ି ଦଣ୍ଡବତ ହେବାକୁ ପଡିବ ଭାବିବା ବେଳକୁ କେମିତି କେମିତି ଲାଗୁଥିଲା। ଉତ୍କଟ ଗନ୍ଧ ତାଙ୍କୁ ଆକ୍ତାମାକ୍ତା କରି ପକାଉଥିଲା। ଦେହ ଶୀତେଇ ଉଠୁଥିଲା, କିନ୍ତୁ ରାଜନୈତିକ ଭବିଷ୍ୟତ ସୁଦୃଢ଼ କରିବା ପାଇଁ ସିଏ କିଛି ବି ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିଲେ।

ସବୁତକ ଭୋଟର ବସ୍ତିରେ ବସବାସ କରୁଛନ୍ତି ସେମାନଙ୍କ ସମର୍ଥନ ବିନା ବିଜୟ ଅସମ୍ଭବ। ତଥାପି ସେମାନଙ୍କ ପାଖକୁ ଯିବାକୁ ଘୃଣା ଲାଗୁଥିଲା ଗୌରହରି ବାବୁଙ୍କୁ। ମନ ଓ ମସ୍ତିଷ୍କ ଐକ୍ୟତାନରେ କାମ କରୁନଥିଲେ। ଗୋଟିଏ ପଟେ କ୍ଷମତା ମୋହ ଆଉ ଗୋଟିଏ ପଟେ ଅପରିସ୍କାର ଅପରିଚ୍ଛନ୍ନ ବସ୍ତିର ଅସ୍ବାସ୍ଥ୍ୟକର ପରିବେଶ। ଥରେ ନିର୍ବାଚନ ଜିତିଗଲେ ମହାନଗରପାଳ ଅର୍ଥାତ୍ ମେୟର୍ ହେବା ସୁନିଶ୍ଚିତ। ଭୁବନେଶ୍ୱର ମହାନଗରୀର ପ୍ରଥମ ନାଗରିକ ହେବା କଣ ଛୋଟିଆ କଥା? ଏଥିପାଇଁ କିଛି ନା କିଛି ତ୍ଯାଗ ତ କରିବାକୁ ପଡ଼ିବ। ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ କିନ୍ତୁ ସେଇ ବସ୍ତି ବାସିନ୍ଦାଙ୍କ ପାଖ ମାଡିବା କଥା ଶୁଣିବା ମାତ୍ରେ ନାକପୁଡ଼ାରେ ପୀଡା ଅନୁଭବ କରୁଛନ୍ତି ସିଏ।

ଏହିସବୁ ଅସାମଞ୍ଜସ୍ୟ କଥାକୁ ଲକ୍ଷ୍ଯ କରି ତାଙ୍କର ଧର୍ମପତ୍ନୀ ମେନକା ଦେବୀ ଅତି ସହଜ ଭାବରେ "ସହରି ସଭ୍ୟତାର ବିକାଶରେ ବସ୍ତିର ଭୂମିକା" ବୁଝାଇ ଦେଲେ। କଥା ପ୍ରସଙ୍ଗରେ ସେ କହୁଥିଲେ, "ସବୁ ନାମୀଦାମୀ ସମ୍ଭ୍ରାନ୍ତ ଆଭିଜାତ୍ୟ ଅଞ୍ଚଳ ପାର୍ଶ୍ଵରେ ବସ୍ତି ଗଢି ଉଠିବ ହିଁ ଉଠିବ। କାରଣ ଏଠି ରହୁଥିବା ଅତି ବିଶିଷ୍ଟ ଲୋକେ ଅର୍ଥାତ୍ ଭିଭିଆଇପି ତ ନିଜ କାମ ନିଜେ କରିବେ ନାହିଁ। ଘରର ଅଇଁଠା ବାସନକୁସନ ମଜାମଜି କାମ ଠାରୁ ଆରମ୍ଭ କରି ଗାଡ଼ି ଚଳାଇବା ପାଇଁ ଏମାନେ ପର ଉପରେ ନିର୍ଭରଶୀଳ। ସ୍ଵଳ୍ପ ମଜୁରୀରେ କାମ କରୁଥିବା ଗରିବମାନେ ତ ଆଉ ଏଠି ଭଡା ନେଇ ରହିପାରିବେ ନାହିଁ ତେଣୁ ଆଖପାଖରେ ଥିବା ସରକାରୀ ଜାଗା ଜବରଦଖଲ କରି ଅସ୍ଥାୟୀ ଝୁମ୍ପୁଡି ଘର ତୋଳି ରହିବେ। ଜଣେ ଦୁଇଜଣ ଏମିତି କିଛି ଲୋକ ମିଶିଲେ ବସ୍ତି ହୋଇଯିବ ରାତାରାତି। ସରକାର ଯେତେ ଭାଙ୍ଗିଲେ ବି ପୁଣି ଆଉ କୋଉଠି ଗଢିଉଠିବ ଏଇ ବସ୍ତି। କେତେ ଭାଙ୍ଗୁଛ ଭାଙ୍ଗୁଥା। କେତେ କ୍ଷତିପୂରଣ ଦେଉଛ ଦେଉଥା। କେତେ ପଟ୍ଟା ବଣ୍ଟନ କରୁଛ କରୁଥା। ବସ୍ତି ରହିବା କଥା ହିଁ ରହିବ। ନହେଲେ ଭୋଟ କିଏ ଦେବ? ସରକାର କେମିତି ହେବ?"ଧର୍ମପତ୍ନୀଙ୍କ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ ପୂର୍ବକ ଭାଷଣ ଗୌରହରି ବାବୁଙ୍କ ମନକୁ ଠିକ୍ ଲାଗିଲା। ରାଜନୈତିକ କ୍ଷମତା ଉପଭୋଗ କରିବାର ଦୁର୍ବାର ଲାଳସା ଆଗରେ ବସ୍ତି ତାଙ୍କୁ ଆଉ ଗନ୍ଧାଉନଥିଲା ବରଂ ବିଦେଶୀ ଅତର ପରି ମହମହ ବସୁଥିଲା। ସେଇ ବାସ୍ନାରେ ବିଭୋର ହୋଇ ନିର୍ବାଚନ ବୈତରଣୀ ପାର ହେବାର ସ୍ୱପ୍ନ ଦେଖୁଥିଲେ ସେ ।



Rate this content
Log in

Similar oriya story from Abstract