ବସନ୍ତର ଆଗମନେ
ବସନ୍ତର ଆଗମନେ
ସେ ଦିନ ଚିତା ଆଉ ଚିନ୍ତା ପାଖାପାଖି ବସିଥିଲେ। ଦୁହେଁ ବସନ୍ତର ଆଗମନର ଅପରୂପା ସୌନ୍ଦର୍ଯ୍ଯକୁ ଉପଭୋଗ କରୁଥିଲେ। ଦୁହିଁଙ୍କର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ସମ୍ପୂର୍ଣ୍ଣ ଏକାପରି ଥିଲା।
ହଠାତ୍ ଦୂରରୁ ଶୁଭିଲା କାହାର ଆର୍ତ୍ତ ଚିତ୍କାର ତ ଚିତା ଦଣ୍ଡେ ନ ରହିପାରି ଦୌଡି଼ଗଲା ନିକଟକୁ। ତାର ଦେହ ଓ ମନ ଅଥୟ କି ଯଥାଶୀଘ୍ର ଜାଳିପୋଡି଼କି ହିଁ ଖାଇବ। ଚିତା ଅଥୟ ହେବାଦେଖି ଚିନ୍ତା ପାଖକୁ ଯାଇ କିଛି କହିବାକୁ ଯାଉଥିଲା ହଠାତ୍ ସେ ବି ଦେଖିଲା ମୃତକ ନାରୀର ସ୍ବାମୀଙ୍କ ଆଖିରେ ଅନନ୍ତ ଲୁହ କି ଏବେ ସେ ବଞ୍ଚିବ କେମିତି? ଯିଏ ତାର ସବୁ ଆବଶ୍ଯକତା ବୁଝୁଥିଲା ଆଜି ତାକୁ ଛାଡି଼ ଆର ପୁରକୁ ଚାଲିଗଲା।
ଚିନ୍ତା ତା ହୃଦୟରେ ଆସ୍ଥାନ ଜମେଇ ବସିକି ରହିଲା ତ ମୃତକ ନିରୀର ସ୍ବାମୀଙ୍କ ଚିନ୍ତା ଶହେଗୁଣ ବଢି଼ଗଲା। ଏବେ ସେ ବସି ପାରୁଛି ନା ଶୋଇ ପାରୁଛି? ଲୁହ ଓ କୋହରେ ଅଧିର ହୋଇ ଛଟପଟ ହେବାକୁ ଲାଗିଲା। ଏ ଦୃଶ୍ଯ ଦେଖୁଥିଲେ ମନ ଓ ବିବେକ ସେମାନେ ପରସ୍ପର କଥା ହେଲେ କି ବସନ୍ତର ଆଗମନରେ ଅତ୍ଯନ୍ତ ଆନନ୍ଦିତ ହେବାର ଥିଲା ହେଲେ ସ୍ବାମୀ ଓ ସ୍ତ୍ରୀର ବିଚ୍ଛେଦ ହେବା ଫଳରେ ବିଚରା ସ୍ବାମୀଟି ରହିବ କେମିତି ଓ ବଞ୍ଚିବ କେମିତି? ତାକୁ ତ ଉଭୟ ପଟରୁ ହିଁ ଦୁଃଖର ଭାର ବୋହିବାକୁ ପଡୁଛି। ପତ୍ନୀ ବିଚ୍ଛେଦ ସହ ଏବେ ନିଜର ଭବିଷ୍ଯତ,ନୁହେଁ? କହିଲା ମନ ତ ବିବେକ କହିଲା,"ମନ ! ଉଭୟ ଚିତା ଆଉ ଚିନ୍ତା କଣ କି ? ପରସ୍ପର ସମାନ କହିଲେ କୌଣସି ଅପଳାପ ହେବ ନାହିଁ। ଦେଖୁନ ପତ୍ନୀର ମୃତ୍ଯୁରେ ଚିତା ପାଖକୁ ଯାଇ ହୁଙ୍କୁହୁଙ୍କୁ ହୋଇ ଜାଳିପୋଡି଼ ଖାଇବାକୁ ପ୍ରସ୍ତୁତ ହେଲାଣି। ଏପଟେ ଦେଖୁନ ପତ୍ନୀର ବିୟୋଗରେ ସ୍ବାମୀ ଆଖିରୁ ଲୁହ ଗଡା଼ଉ ଗଡାଉ ଚିନ୍ତା ତା ହୃଦୟରେ ବସି ଅନନ୍ତ ଚିନ୍ତା ବଢେ଼ଇ ଦେଇ ସାରିଲାଣି।
ଏ କଥାକୁ ଶୁଣି ମନ କହିଲା,"ବିବେକ ! ତୁମେ ଠିକ୍ କହୁଛ। ଫରକ ଏତିକି ମାତ୍ର ଯେ ଚିତା ଗୋଟିଏ ନିର୍ଜୀବକୁ ଜାଳିପୋଡି଼ ଛାରଖାର କରିଦିଏ ଆଉ ଚିନ୍ତା ଜଣେ ଜୀବିତକୁ ଜାଳିପୋଡି଼ ମଧ୍ଯ ଛାରଖାର କରିଦିଏ,ନୁହେଁ?" ଏ କଥାକୁ ଶୁଣି ବିବେକ ସମ୍ମତି ଜଣେଇଲା ବେଳେ ପାଖରେ ବସନ୍ତ ଆସି ଠିଆ ହେଲା ତ ମନ ଓ ବିବେକର ଅନନ୍ତ କାମନା ହୃଦୟରେ ସୃଷ୍ଟି ହେଲା। ଦୁହେଁ କାମନା ଜ୍ଜାଳାରେ ମଧ୍ଯ ପୋଡି଼ ଜଳିବାକୁ ଲାଗିଲେ। ସେଥିରୁ ମୁକ୍ତିର ପଥ ପାଇଲେ ନାହିଁ ତ ବହିଗଲା କାମନାର ଝର ଯାହା ବସନ୍ତର ଇଛା ଓ ଆଶାରେ କବଳିତ।
ବସନ୍ତ ହସୁଥିଲା। ନିଜର ପାରିବା ପଣିଆଁକୁ ସାବାସୀ ଦେଇ କୃତାର୍ଥ ମଣୁଥିଲା ଓ ସାରା ସଂସାରକୁ ବି ରଙ୍ଗେଇ ଅପରୂପା ଶୋଭାରେ ବିମଣ୍ଡିତ କରି ଠିଆ ହୋଇଗଲା।
