ବୋଉ ପାଇଁ ଚିଠିଟିଏ
ବୋଉ ପାଇଁ ଚିଠିଟିଏ
ବୋଉଲୋ,
ଜାଣିଛୁ, ଆଜିକାଳେ ବିଶ୍ୱ ମାତୃ ଦିବସ । ଫେସବୁକ ଆଉ WhatsApp ରେ ସମସ୍ତେ ତାଙ୍କ ମା'ଙ୍କ ଛବି ଦେଉଛନ୍ତି। ମୁଁ କିନ୍ତୁ ଦେବିନି। କାରଣ ଗୋଟିଏ/ଦୁଇଟା ଛବିରେ ତୋ ପ୍ରତି ମୋ ଭଲପାଇବା ଆଉ ତୋର ମହାନୀୟତା ବଖାଣିବା ଅସମ୍ଭବ। ଆଜି ମୋ ସାହିତ୍ୟ ପରିବାରରେ ସଭିଙ୍କ ଲେଖା ଦେଖି ମତେ ବି ଟିକେ ଲେଖିବାକୁ ଇଛା ହେଲା ତୋ ବିଷୟରେ। ହେଲେ କଣ ଲେଖିବି ଯେ। ତୋର ସ୍ନେହ, ପ୍ରେମ ଆଉ ତ୍ୟାଗ ଗୋଟେ ଛୋଟ ପୁଷ୍କରିଣୀ ହେଇନି ଯେ ମୁଁ କ୍ଷଣିକେ ପାର ହେଇଯିବି, ସେ ତ ହେଉଛି ସୀମାହୀନ ମହାସାଗର। ଜନ୍ମରୁ ୧୬ବର୍ଷ ଯାଏ ତୋ ପେଟ ତଳେ ଜାକି ଜୁକି ହେଇ ଶୋଇଛି। ଦିନବେଳେ ହସ ହସ ଆଖି ଦୁଇଟା ରାତିର ଅନ୍ଧକାରରେ ତକିଆରେ ମୁହଁ ମାଡି କେତେ ଯେ ଗୁମୁରି କାନ୍ଧେ, ମୋ ଠୁ ବଳି କିଏ ଅଧିକା ଦେଖିଛି ଲୋ। ଏତେ କୋମଳ ଦେହ ତୋର ହେଲେ ଏତେ ବଡ ସଂସାରର ବୋଝ କେମିତି ବୋହୁଥିଲୁ? ଆଜିବି ମନେପଡେ, ମୋ ଦଶମ ଶ୍ରେଣୀ ପରୀକ୍ଷା ବେଳେ ତୋର ରାତି ୪ରୁ ଉଠି ଅନିଦ୍ରା ହେଇ ମତେ ଜଗି ବସିବା କଥା । ପରୀକ୍ଷା ସିନା ମୋର ଥିଲା ହେଲେ ପରିଶ୍ରମ ତୁ ଅଧିକ କରୁଥିଲୁ ଲୋ । କେମିତି ଭୁଲିବି ମୋ ପଢା ପାଇଁ ତୋର ଶେଷ ସୁନାଚୁଡ଼ି ବିକିଦେବା ଘଟଣା ଆଉ ମତେ ମିଛରେ କହିଥିଲୁ ସୁନା ପ୍ରତି ମୋର ଆଲାର୍ଜି ପିନ୍ଧିଲେ ହାତ କୁଣ୍ଡେଇ ହୁଏ ତେଣୁ କାଢି ଦେଇଛି। ଯେବେ ମାଉସୀ କହୁଥିଲା ପୁଅକୁ ପଢା ମ, ଝିଅ କଣ ତତେ ପୋଷିବ, ସେବେ ତୁ ହସି ହସି କହିଥିଲୁ ପୁଅ ଅପେକ୍ଷା ଝିଅର ପଢ଼ାରେ ଅଧିକ ଆଗ୍ରହ ତେଣୁ ମୋ ଝିଅ ହିଁ ପଢିବ। ତୋର ସେଇ ବିଶ୍ୱାସ ଓ ସାହସ ବଳରେ ଆଜି ମୁଁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା। ତୋ ପାଇଁ ହଳେ ସୁନାଚୁଡି କିଣିବାରେ ଆଜି ମୁଁ ସକ୍ଷମ। ସୁନାଚୁଡ଼ି କିଣିବା ଆଶାରେ କେତେ ଯେ ଦୋକାନ ବୁଲିଲିଣି ହେଲେ ସ୍ନେହ, ପ୍ରେମ ତ୍ୟାଗ ଓ ବିଶ୍ୱାସରେ ଗଢା ସେବେର ତୋର ସେଇ ଚୁଡି ଭଳି ସୁନ୍ଦର ଆଉ ଦାମୀ ଚୁଡି କୋଉବି ଦୋକାନରେ ମିଳୁନି ଲୋ ଲାଗୁନି କେବେ ବି ମିଳିବ ମତେ। ଛାଡ଼ ସେସବୁ କଥା । କାହ୍ନା ଦୟାରୁ ତୁ ଭଲରେ ଥା ଲୋ ସବୁବେଳେ ତୋ ଓଠରେ ହସ ଥାଉ। ଲେଖି ବସିଲେ ବହୁତ ଲେଖିଯିବି। ଥାଉ ଆଉ କିଛି ଲେଖିବିନି। ରହୁଛି।
ଇତି
ତୋର ପାଗିଳି