ବୋଉ'କୁ ଚିଠି
ବୋଉ'କୁ ଚିଠି


ସାଦର ପ୍ରଣାମ ବୋଉ,
ଯଦି ଏ ଚିଠିଟି ତୁ ପଢି ପାରିବୁ, ମୋ ଶ୍ରମ ସାର୍ଥକ ହେବ ବୋଲି ଜାଣିବି। ଏ ଜନ୍ମରେ ତୋ ସହିତ ଦେଖା ହେବ କି ନାହିଁ, ସେକଥା ତ ମୁଁ ଜାଣିନି? କିନ୍ତୁ ଟିକେ ଝୁଣ୍ଟି ପଡିଲେ, ମତେ ତୋ ମୁହଁ ମତେ ଦିଶିଯାଏ। ଖାଇଲା ବେଳେ ତଣ୍ଟିରେ ଭାତ ଲାଗିଲେ, ମୁଁ ଭାବେ ତୁ ମତେ ମନେ ପକାଉଛୁ। ସତରେ, ମୁଁ କଣ ତୋର ମନେ ପଡେ? ତମ ମାନଙ୍କ ସହ ମୁଁ ଯାହା କରିଛି, ତମେ କଣ! ଭଗବାନ ବି ମତେ କ୍ଷମା କରିବେନି। ମୁଁ ଜାଣି ପାରୁଛି, ତୁ ମୋ ପାଇଁ କେତେ ମନ ଖରାପ କରିଥିବୁ। କେତେ ଅପମାନ ପାଇଥିବୁ ଆଉ ଆଖିରୁ କେତେ ଲୁହ ଝରାଇ ଥିବୁ। ମୁଁ ଜାଣିଛି, ତୁ ମତେ ବହୁତ ଭଲ ପାଉ। ତୋର ଏ ଗେଲ୍ଲୀ ଝିଅକୁ, ତୁ କଣ କ୍ଷମା କରି ପାରିବୁ ନାହିଁ? ହଁ, କେମିତି ବି କ୍ଷମା କରିବୁ ଯେ? ମୋ ଭୁଲର ତ କ୍ଷମା ନାହିଁ।
ଆଜି ଦୁନିଆ ଆଖିରେ ମୁଁ ଗୋଟେ ଖରାପ ଝିଅ। ମୋ କର୍ମ ପାଇଁ ତୁମେ ମାନେ ଆଜି ମୋ ପାଖରେ ନାହଁ। ଆଜି ତୁମ ମାନଙ୍କ ବିନା, ମୁଁ କେତେ ଏକୁଟିଆ ଆଉ ମୋ ଜୀବନ କେତେ ଏକାନ୍ତ! ସେ କଥା, କେବଳ ମୁଁ ହିଁ ଜାଣେ। ଘରୁ ଗୋଡ଼ କାଢି ଆସିବା ପର ଠାରୁ ମୋ ଜୀବନରେ କେବଳ ଦୁଃଖ କଷ୍ଟ ଯନ୍ତ୍ରଣା କୁ ଦେଖିଛି। ଆଜି ବି ରାତିର ଅନ୍ଧକାରରେ ସମସ୍ତଙ୍କ ଅଲକ୍ଷ୍ୟରେ ମୁଁ ଲୁଚି ଲୁଚି କାନ୍ଦେ। ତୁ କଣ ଏସବୁ କେବେ ଅନୁଭବ କରିନୁ?
ବେଳେବେଳେ ତୋ କଥା ବହୁତ ମନେ ପଡେ। ଇଚ୍ଛା ହୁଏ ସମାଜର ସବୁ ବନ୍ଦନ କୁ ଭୁଲି ଚାଲି ଯିବାକୁ ତୋ ପାଖକୁ। ମୋର ମମତାମୟୀ ବୋଉ ପାଖକୁ। ଇଚ୍ଛା ହୁଏ ତତେ ଭିଡି ଧରି ଗୁଡାଏ କାନ୍ଦିବାକୁ। ତୋର ପଣତରେ ମୁହଁ ଢାଙ୍କି ତୋରି କୋଳରେ ଶୋଇ ଯିବାକୁ। ହେଲେ ଆଜି କଣ ତୁ ମତେ କୋଳେଇ ନେଇ ପାରିବୁ? ତୋର ସ୍ନେହ ବୋଳା ହାତରେ ମୋ ଆଖିର ଲୁହକୁ ପୋଛି ପାରିବୁ?
ଆଜି ବି ମୋର ମନେ ଅଛି, ଚୁଲିରେ ଭାତ ହାଣ୍ଡି ବସାଇ ପରିବା କାଟୁ କାଟୁ ତୁ ବାଇଗଣ ଡେମ୍ଫ କିମ୍ବା କୋବି ମୂଳ ରେ ଘରର ସେହି ମାଟି ଚଟାଣରେ ଅ, ଆ, ଇ, ଈ ... ଶିଖାଇ ଥିଲୁ। ଦେହ ମୁଣ୍ଡ ଖରାପ ହେଲେ ଅଖିଆ ଅପିଆ ଦିନ ରାତି ଜଗି ରହୁ ଥିଲୁ। ମୋ ଦେହର ରୋଗ ତତେ ଦେଇ ଦେବା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରୁ ଥିଲୁ। ଦିନ ସାରା ଅକ୍ଲାନ୍ତ ପରିଶ୍ରମ ପରେ ବି ଭୋର ଚାରିଟାରୁ ମତେ ପାଠ ପଢିବା ପାଇଁ ଉଠାଇ ତୁ ପାଖରେ ଜଗି ରହୁଥିଲୁ। ପର୍ବ ପର୍ବାଣୀରେ ମୋ ପାଇଁ ନୂଆ ଡ୍ରେସ କରିବା ପାଇଁ ବାପାଙ୍କ ସହ କେତେ ଝଗଡା କରୁ ଥିଲୁ। ବୋଉ, ତୁ କଣ ଏସବୁ ଭୁଲି ପାରିବୁ?
ଦେଖ ବୋଉ, ମୁଁ ଆଜି କେତେ ଦାଇତ୍ଵଶୀଳ ହୋଇ ଯାଇଛି। ରୋଷେଇ ଘରେ ପାଦ ରଖୁ ନ ଥିବା ତୋ ଝିଅ ଆଜି ଘରର ବାସି କାମ ଠୁ ଆରମ୍ଭ କରି ଠାକୁର ପୂଜା, ରୋଷେଇ ବାସ, ଘର ସଜ୍ଜା, ଅତିଥି ଚର୍ଚ୍ଚା ସବୁ କରୁଛି। ସବୁବେଳେ ମୋର ଇଚ୍ଛା ସମସ୍ତଙ୍କ ମନ ନେଇ ଚଳିବାକୁ। ସମସ୍ତଙ୍କ ମନରେ ଖୁସି ଭରି ଦେବାକୁ। ସମସ୍ତଙ୍କ ମୁହଁରୁ ଟିକେ ଭଲ ଶୁଣିବାକୁ, କିନ୍ତୁ ସେତିକି ଭାଗ୍ୟ ମୋର କାହିଁ। ମୁଁ ଭୋକ ସହି ପାରେନି ବୋଲି ତୁ ସବୁବେଳେ ମୋ ଖାଇବା ଜଗୁ। କଲରା, ଭେଣ୍ଡି, ପୋଇ ମୁଁ ଖାଏ ନି ବୋଲି ତୁ ସେସବୁ କେବେ ରୋଷେଇ କରୁ ନାହିଁ। ଦେଖ, ଆଜି ସେସବୁ ତୋ ଝିଅ ଖାଇବା ସହିତ ରାନ୍ଧି ବି ପାରୁଛି।
ବେଳେବେଳେ ତୋ ହାତ ରନ୍ଧା ବହୁତ ମନେ ପଡେ। ତୋ ହାତ ତିଆରି ପଣସକଠା ତରକାରୀ, ଗୁଣ୍ଡ ମାଛ ବେସର, ଛୁଇଁ ଆଳୁ ବଡି, ଜହ୍ନି ରାଇ, ପାଳ ଛତୁ ପତ୍ର ପୋଡାର ସ୍ୱାଦ ମୁଁ ବହୁତ ଖୋଜେ। ଖାଇଲା ବେଳେ ଯେତେ ମାଗିଲେ ବି ତୁ ଦେଉ ଥାଉ। ସେ ସମୟରେ ତୋ ପାଇଁ, ଆଉ ଥାଏ କି ନ ଥାଏ, ମୁଁ ଜାଣିବାକୁ ଚେଷ୍ଟା କରେ ନାହିଁ। ଆଜି ମୁଁ ଠିକ ଜାଣି ପାରୁଛି ତୁ କଣ ପାଇଁ ଆମେ ସମସ୍ତେ ଖାଇ ସାରିଲା ପରେ ଖାଉ। ତୁ କଣ ମତେ, ତୋ ହାତ ରନ୍ଧା ଆଉ କେବେ ବି ଖୁଆଇବୁ ନାହିଁ?
ପିଲାଦିନେ ତୁ ମୋ ପାଇଁ ଗାଁ ତୋଟାରୁ କେତେ କୋଳି ଆଣୁ। ସେଦିନ ତୁ ଶଗଡ଼ ବାଟୁଆ କୋଳି ମୋ ପାଇଁ ତୋଳିଲା ବେଳେ ବାଇଡଙ୍କ ସବୁ ତୋ ଦେହରେ ଲାଗି ଯାଇଥିଲା। ତୁ କେତେ କଷ୍ଟ ପାଇଥିଲୁ। ସେ ଘଟଣା ମୋ ମନକୁ ବହୁତ ଦୁଃଖ ଦେଇ ଥିଲା। ପିଲାଦିନର ଅନେକ କଥା ଆଜି ମୋ ଆଖି ଆଗରେ ନାଚି ଯାଉଛି। ତୋ ବିରହ ମତେ ଅସହ୍ୟ ହେଉଛି। ମୁଁ ଆଉ ପାରୁନି ବୋଉ...
ଆମ ଗାଁ, ଆମ ଘର, ଆମ ବାରି ପଟ ପୋଖରୀ, ଆମ ଠାକୁର ଘର, ଦାଣ୍ଡ ପିନ୍ଧା, ଘର ଆଗ ମହୁଲ ଗଛ ବହୁତ ମନେ ପଡେ। ତୋ ସ୍ନେହ, ମମତା, ରାଗ ଅଭିମାନ ଆଜି ଏ ମନ ଝୁରି ହୁଏ। ମୁଁ ଆସିଲା ବେଳେ ତୋର ସେହି ପୁରୁଣା ଫଟ ଗୁଡାକ ସାଙ୍ଗରେ ନେଇ ଆସିଥିଲି। ଯେତେବେଳେ ଆଖିର ଲୁହ ସବୁ ଅମାନିଆ ହୁଏ, କଷ୍ଟ ଅସହ୍ୟ ହୁଏ ଆଉ ବଞ୍ଚିବାର ଆଶା ମଉଳି ଯାଏ, ସେ ଫଟ କେତୋଟି କୁ ମୁଁ ଛାତିରେ ଚାପି ଧରି ବହୁତ କାନ୍ଦେ। ତା ପରେ ମୁଁ, ତୋ କଥା ଭାବି ଭାବି ଶୋଇ ପଡେ। ତୁ ସ୍ୱପ୍ନରେ ଆସୁ, ପ୍ରତି ଥର। ମୋ ଆଖିର ଲୁହ ପୋଛି ଦେଇ ମତେ କୋଳେଇ ନେଉ। ତୋ କୋଳରେ ମୁହଁ ଲୁଚାଇ, ମୁଁ ସବୁ ଦୁଃଖ ଭୁଲିଯାଏ। କିନ୍ତୁ ନିଦ ଭାଙ୍ଗିଲା ପରେ ମୁଁ ଏକୁଟିଆ ଥାଏ, ତୁ ମୋ ଠୁ ଅନେକ ଦୂରରେ ଥାଉ।
ଜାଣିଛୁ, ମୁଁ ଘର ଛାଡ଼ି ୟାଙ୍କ ସହ ଆସିଲା ବେଳେ ଆମ ଅଗଣାରୁ ମୁଠାଏ ମାଟି ଆଣିଥିଲି। ବହୁ ଯତ୍ନରେ ସେସବୁ କୁ ମୁଁ ସାଇତି ରଖିଛି। ସେ ଅଗଣାରେ ତୋ ହାତ ଧରି ମୁଁ ଚାଲି ଶିଖିଥିଲି। ସେ ମାଟିରେ କେତେ ଖେଳି ଥିଲି, କେତେ ବୁଲି ଥିଲି। ସେ ମାଟିକୁ ଛୁଇଁ ଦେଲେ ତୋ ପାଦ ଛୁଇଁଲା ଭଳି ଲାଗେ। କେଜାଣି ସେ ଅଗଣାରେ ମୋ ପାଦ ଆଉ ପଡିବ କି ନାହିଁ?
ବୋଉ, ଲେଖୁ ଲେଖୁ ଗୁଡ଼ାଏ କଥା ଲେଖି ଦେଲି। ତୋର ନିଃସ୍ୱାର୍ଥପର ଏବଂ ନିଷ୍କାମ ଭଲ ପାଇବା ଆଗରେ ମୁଁ ଚିର ରୁଣୀ। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ତୁ ସବୁବେଳେ ଭଲରେ ରହ।
ଇତି,
ରଶ୍ମିତା ଏମିତି ଅନେକ ଚିଠି ଲେଖେ। କିନ୍ତୁ ଚିଠି ସବୁ ବୋଉ ପାଖରେ ପହଞ୍ଚିବା ଅସମ୍ଭବ। ତେଣୁ ନିଜ ଚିଠି ନିଜେ ପଢେ। ଆଖିର ଲୁହକୁ ପଣତରେ ପୋଛେ। ନିଜ ଭାଗ୍ୟକୁ ନିନ୍ଦା କରେ। ଚିଠି ସବୁ ଲୁଚାଇ ରଖେ। ନିଜ ଉପରେ ତାର ଘୃଣା ଆସେ।
ପାଞ୍ଚ ବର୍ଷ ତଳର କଥା। ରଶ୍ମିତା ରୋହିତକୁ ଭଲ ପାଉଥିଲା। ରଶ୍ମିତା ନୀଚ ଜାତିର ଝିଅ। ପ୍ରେମ ତ ଅନ୍ଧ। ସେ କଣ ଉଚ୍ଚ ନୀଚ, ଜାତି ଗୋତ୍ର, ଧନୀ ଗରିବ ର ପାର୍ଥକ୍ୟ ଦେଖେ। ରୋହିତର ପ୍ରେମରେ ଅନ୍ଧ ହୋଇ ଦିନେ ସେ ଘର ଛାଡିଲା। କିଛି ଦିନ ହୋଟେଲରେ ଆଶ୍ରୟ ନେଲା ପରେ, ଜଣା ପଡିଲା ରୋହିତ ଜଣେ ବେକାର ଯୁବକ। ମିଛ ପ୍ରତିଶୃତି ଦେଇ ସେ ରଶ୍ମିତା କୁ ନିଜର କରିଥିଲା। ପାଖରେ ଥିବା ଟଙ୍କା ସରିଯିବା ପରେ ଅନିଚ୍ଛା ସ୍ଵତ୍ତ୍ୱେ ଉଭୟ ଘରକୁ ଫେରିଲେ। ବ୍ରାହ୍ମଣ ଘର ପୁଅ ନୀଚ ଜାତିରୁ ଝିଅ ଆଣି ଥିବାରୁ ଗାଁରେ ସଭା ବସିଲା। ଉଭୟ ପକ୍ଷର ପରିବାରଙ୍କ ସମ୍ମୁଖରେ ନିଷ୍ପତ୍ତି ନିଆଗଲା, ଆଜିଠୁ ଝିଅର ନିଜ ଘର ସହ କୌଣସି ସମ୍ପର୍କ ରହିବ ନାହିଁ। କୌଣସି ପରିସ୍ଥିତିରେ ଉଭୟ ପରିବାର କେହି କାହା ଘରକୁ ଯିବା ଆସିବା କରିବେ ନାହିଁ। ସେହି ଦିନୁ ରଶ୍ମିତାର ନିଜ ଘର ସହ ସବୁ ସମ୍ପର୍କ ଛିନ୍ନ ହେଲା।
ଶାଶୁ ଘରେ ରଶ୍ମିତା କୁ ଅନେକ ନିର୍ଯ୍ୟାତନା ମିଳେ। ସୁନା ପୁଅ ଟିକୁ ଶିଖାଇ ମଣେଇ ବାହା ହୋଇ ଗଲା କହି, ଶାଶୁ ଅନେକ ଗାଳି ମନ୍ଦ କରନ୍ତି। ବନ୍ଧୁ ବାନ୍ଧବଙ୍କ ଆଗରେ ବୋହୂକୁ କଥା କଥାରେ ଅପମାନ ଦିଅନ୍ତି। ପୁଅ ଆଗରେ ଅନେକ ମିଛ ସତ କହି ମାଡ଼ ଗାଳି ଖୁଆନ୍ତି। ରଶ୍ମିତା ରୋହିତର ପରିବର୍ତ୍ତନ ରେ ଆଶ୍ଚର୍ଯ୍ୟ ହୁଏ। କଣ ବା କରି ପାରିବ ସେ। ନୀରବ ରହିବା ଛଡା ତା ପାଖରେ କିଛି ଉପାୟ ନ ଥାଏ।
ଦିନ କେଇଟାରେ ରୋହିତଙ୍କର ଏତେ ପରିବର୍ତ୍ତନ! ରଶ୍ମିତା ବିଶ୍ୱାସ କରି ପାରେନି। ରୋହିତ ଏବେ ସବୁ ଦୋଷ ରଶ୍ମିତାକୁ ଦିଏ। ରଶ୍ମିତା କୁ ବାହା ହୋଇ ଜୀବନରେ ବିରାଟ ଭୁଲ କରିଛି ବୋଲି କଥା କଥାରେ କୁହେ। ଅନ୍ୟ ଜାଗାରେ ବାହା ହୋଇଥିଲେ କେତେ କଣ ଜିନିଷ ଯୌତୁକ ବାବଦରେ ପାଇଥାନ୍ତା ବୋଲି କହି ହୁଏ। ରଶ୍ମିତାର ବାପା ମାଙ୍କୁ ଦିନ ରାତି ଗାଳିଦିଏ। ଯୌତୁକ ବାବଦ କୁ ପଚାଶ ହଜାର ଟଙ୍କା ଘରୁ ଆଣିବାକୁ ଦାବି କରେ। କଥା କଥାରେ ହାତ ଉଠାଇ ମରେ।
ଆଜି ରୋହିତ ରଶ୍ମିତାର ହାତ ଲେଖା ଚିଠି ଖଣ୍ଡେ ପାଇଲା। ଚିଠିଟି ପଢି ସାରିବା ପରେ ରୋହିତ ର ଆଖିରେ ଧାର ଧାର ଲୁହ। ସେ ନିଜେ ନିଜକୁ କ୍ଷମା କରି ପାରୁ ନ ଥିଲା। ସେ ଅନୁଭବ କରୁଥିଲା, ରଶ୍ମିତା ସହ କେତେ ଅନ୍ୟାୟ କରିଛି। କେତେ ନିର୍ଯ୍ୟାତନା ଦେଇଛି। ପ୍ରେମ ନାମରେ କିପରି ପ୍ରତାରଣା କରିଛି। ସେ ହୃଦୟମଙ୍ଗ କରି ପାରିଲା ନିଜ ଘର ପରିବାର ଠୁ ଦୂରରେ ରହିବାର ଯନ୍ତ୍ରଣା। ରଶ୍ମିତାର ମନ ବେଦନାକୁ ସେ ପାଦେ ପାଦେ ଅନୁଭବ କରି ପାରୁଥିଲା।
ସବୁଦିନ ଏକୁଟିଆ ରାତ୍ର ଭୋଜନ କରୁଥିବା ରୋହିତ ରଶ୍ମିତାକୁ ସାଙ୍ଗରେ ଖାଇବା ପାଇଁ ଜୋର କରି ଡାଇନିଂରେ ବସାଇ , ହାତରେ ଖୁଆଇ ଦେବା ପାଇଁ ଆଗ୍ରହ କଲେ। ରଶ୍ମିତା ପ୍ରଥମେ ମନ କରୁ ଥିଲେ କିନ୍ତୁ ରୋହିତ ନିଜ ଜିଦ ରେ ଅଟଳ। ଅନେକ ଦିନ ପରେ ସ୍ନେହ ଟିକେ ପାଇ ତାର ଜଡ ପିଣ୍ଡରେ ପ୍ରାଣ ସଂଚାର ହେଲା। ଏବେ ତା ଆଖିରେ ଲୁହର ବନ୍ୟା। ସତେ ଯେମିତି ଆଦିନିଆ ମେଘ ବର୍ଷି ଯାଇ ସବୁ ଭସେଇ ନେବ। ସେ ଲୁହକୁ ଦେଖିବାକୁ ରୋହିତର ଧର୍ଯ୍ୟ ନ ଥିଲା। ସେ ରଶ୍ମିତାକୁ ନିଜ ଛାତିକୁ ଭିଡି ଆଣି କାନ ପାଖରେ କହିଲେ, "ରଶ୍ମି, ଆଇ ଲଭ ୟୁ।"
ଦିନେ ସକାଳୁ ସକାଳୁ ରୋହିତ କହିଲେ, "ରଶ୍ମି, ଆଜି ଜଣେ ସାଙ୍ଗର ବାହାଘର। ଜଲଦି ବାହାର, ଯିବାକୁ ହେବ।" ଅନିଚ୍ଛା ସ୍ଵତ୍ତ୍ୱେ ରଶ୍ମିତା କୁ ଯିବାକୁ ପଡିଲା। ତରତର ହୋଇ ସ୍ୱାମୀ ସ୍ତ୍ରୀ ବାହାରିଲେ। କିଛିଦୂର ଯିବା ପରେ ରଶ୍ମିତା ପଚାରିଲା, "ଏ ତ ଆମ ଗାଁକୁ ରାସ୍ତା। ତମ ସାଙ୍ଗ ଘର କେଉଁଠି।" ରୋହିତ ହସିଦେଇ କହିଲେ, "ଏ ରାସ୍ତା ତୁମ ଗାଁକୁ ନୁହେଁ, ତୁମ ଘରକୁ"।।