ବନ୍ଧୁ
ବନ୍ଧୁ
ଗୋଧୂଳି ଅତିକ୍ରାନ୍ତ ହେବାକୁ ବସିଲାଣି |ଆକାଶଟା ଧିରେ ଧିରେ ମ୍ଳାନ ହୋଇଆସୁଛି, ସୂର୍ଯ୍ୟଙ୍କର ଲୋହିତ ଆଭାରେ ପଶ୍ଚିମ ଆକାଶ ରକ୍ତିମା ଦେଖାଯାଉଛି, ଆଉ କିଛିସମୟ ପରେ ଅନ୍ଧାର ହେବ |ଗାଁ ନଦୀପଠାରେ ଅନେକ ବେଳୁ ବସି ଉଦାସ ଆଖିରେ ଆକାଶକୁ ଚାହିଁ ରହିଛି ଶୁଭ, ଶୁଭଙ୍କର |ଭାବନାର ଅଡୁଆ ସୂତାଖିଅ ଭିତରେ ସେ ଛନ୍ଦିହୋଇଯାଇଛି ଯେମିତି |କଣ କରିବ କିଛି ବି ସ୍ଥିର କରିପାରୁନି ସେ |ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା |ଗୋଟିଏ ପଟେ ବନ୍ଧୁର ସମ୍ପର୍କ,ଅନ୍ୟ ପଟେ ନିଜର ପ୍ରେମ |
ଠିକ ମନେ ନାହିଁ ଶୁଭର, କେବେ ସିଏ ଭଲପାଇ ବସିଥିଲା ପ୍ରଭାକୁ, ବୋଧହୁଏ ତାରୁଣ୍ୟ ଛୁଇଁ ନଥିଲା ତାକୁ |ଧୂଳିଖେଳ ବୟସରୁ ହିଁ ପ୍ରୀତିର ବୀଜ ଅଙ୍କୁରିତ ହୋଇଥିଲା, ଗୋଟିଏ ସାହିରେ ଉଭୟଙ୍କ ଘର |ସାହିର ସବୁ ପିଲାମାନେ
ଏକତ୍ର ଖେଳାବୁଲା କରନ୍ତି |ସେହି ଖେଳରୁ ହିଁ ପ୍ରଭାପ୍ରତି ତାର ସ୍ନେହ ବଢ଼ି ଯାଇଥିଲା ଯଦିଓ ସେ ତା ଠାରୁ ତିନି ଚାରି ବର୍ଷ ସାନ ହେବ |ମନେ ଅଛି ଶୁଭର, ଦିନେ ଯଦି କୌଣସି କାରଣରୁ ସେ ପ୍ରଭାକୁ ଦେଖି ନପାରେ, ତେବେ ମନ ତାର ଉଦାସ ହୋଇଯାଏ |କେହି ଯଦି ତାକୁ ମାରେ ବା ଧାଉଁ ଧାଉଁ ତଳେ ପଡ଼ିଯାଏ, ମନ ଭିତରଟା କଣ ହୋଇଯାଏ ତାର ଦୁଃଖରେ |ଅନେକ ଥର ସେ ପ୍ରଭାକୁ ସାହାଯ୍ୟ ଜରିଛି, ତଳେ ପଡିଗଲେ, ତାକୁ ଉଠାଇ ଧୂଳି ଝାଡ଼ିଦିଏ ତା ଦେହରୁ |ପ୍ରଭା ବି ସାହାଯ୍ୟ ଆଶାରେ ତାକୁ ହିଁ ଚାହେଁ, ସାମାନ୍ୟ ବିପଦ ସମୟରେ ବି ସେ ତାକୁ କିଛି ନକହି ଅନାଏ ତାକୁ |ବୟସ ବଢିବା ସଙ୍ଗେ ସଙ୍ଗେ ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଗଲା, ପରସ୍ପରକୁ ଭଲପାଇ ବସିଲେ ଦୁହେଁ |
ପ୍ରଭା ସୁନ୍ଦରୀ, ସୁନ୍ଦର ଢଳ ଢଳ ତା ଆଖି ଦୁଇଟିରେ ସତେ ଯେମିତି ଅନେକ ଭାଷା, ଯାହା ସେ ସେଇ ଆଖିରେ ହିଁ କହିପାରେ |ଯେତିକି ପ୍ରଗଳଭା ସେତିକି ଲାଜେଇ ମଧ୍ୟ, ବେଳେ ବେଳେ ଉଛୁଳା ଝରଣାପରି ଛଳ ଛଳ ତ ବେଳେ ବେଳେ ମ୍ଳାନ ଗୋଧୂଳିର ଉଦାସ ପରି ଅଭିମାନ ସିକ୍ତ |କିନ୍ତୁ ହୃଦୟ ତାର ବହୁତ ସ୍ନେହୀ |ଭଲଭାବେ ଚିହ୍ନିଚି ତାକୁ ଶୁଭ |
ବିବାହ ବୟସରେ ପହଞ୍ଚି ଗଲାଣି ପ୍ରଭା |
ତାଙ୍କ ଘରେ ବି ତା ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି |ଏଇକଥା ସେଦିନ ତାକୁ କହୁଥିଲା ପ୍ରଭା |କାହିଁକି ଯେ ପ୍ରଭା ଏସବୁ ତା ଆଗରେ କହିଲା, ଠିକ ବୁଝିପାରିଥିଲା ଶୁଭ |ପ୍ରକୃତରେ ସେ ତାକୁ ବିବାହ କରିବାକୁ ଚାହୁଁଥିଲା |ଖୋଲି ନକହିଲେ ବି ତାର ମନର କଥାକୁ ପଢ଼ିପାରିଥିଲା ଶୁଭ |ଏମିତି ତ ସିଏ ପିଲାବେଳୁ,ଖୋଲି କହେନା କିଛି |
ଆଜି ଶୁଭ ମନରେ ଏକ ଅଶାନ୍ତ ଝଡ଼ ସୃଷ୍ଟି ହୋଇଛି |ଦୁଃଖରେ ଭାଙ୍ଗି ପଡିଛି ସିଏ |ଭାବନାର
ଅନ୍ତ ନାହିଁ ଯେମିତି, କଣ କରିବ ନକରିବ ସ୍ଥିର କରିପାରୁନି |ତା ପିଲା ଦିନର ସାଙ୍ଗ, ଦେବବ୍ରତ, ଏକା ଗାଆଁର,ଗୋଟିଏ ଶ୍ରେଣୀରେ ପଢୁଥିଲେ ଦୁହେଁ ମାଟ୍ରିକ ପର୍ଯ୍ୟନ୍ତ |ଧନୀ ଘରର ପିଲା ସିଏ, କିନ୍ତୁ ଟିକେ ଗର୍ବୀ |ତଥାପି ତା ସହିତ ସେ ସାଙ୍ଗ ହୁଏ |ପଢିବା ସମୟରେ ସେ ଅନୁଭବ କରିଛି, ପ୍ରଭା ସହିତ ତାର ନିବିଡ଼ ସମ୍ପର୍କକୁ ସେ ପସନ୍ଦ କରିପାରେନା, ତା ମନ ଭିତରେ କେମିତି ଗୋଟେ ଇର୍ଷା ଭାବନା ଉଙ୍କି ମାରୁଥିଲା ସେତେବେଳେ |କିନ୍ତୁ ସାଙ୍ଗ ଦୃଷ୍ଟିରୁ କିଛି କହିପାରୁନଥିଲା |ପ୍ରଭା କିନ୍ତୁ ତାକୁ ପସନ୍ଦ କରେନା |ଅନେକ ଥର ତା ଠାରୁ ଶୁଣିଛି ଶୁଭ, ଦେବ ଭଲପିଲା ନୁହେଁ |ଆଜି ସେଇ ଦେବ ଆସିଥିଲା ତାଙ୍କ ଘରକୁ ବୁଲି, କଥା ଛଳରେ କହିଥିଲା, ତାର ବିହାଘର ପ୍ରଭା ସହିତ ହେବାକୁ ଯାଉଛି |ପ୍ରଭାର ବାପା ତାଙ୍କ ଘରକୁ ଦେଖି ଯାଇଥିଲେ |ଉଭୟଙ୍କ ଘରେ ବି ରାଜି ଅଛନ୍ତି |ଏ କଥା ଶୁଣିବା ପରେ ଶୁଭ ମୁଣ୍ଡରେ ବଜ୍ର ଖସିପଡ଼ିଲା ଯେମିତି |ତା ଜୀବନର ସର୍ବସ୍ୱ ଯେମିତି ଲୁଟି ନେଇଯାଇଛି ଦେବ |ତଥାପି ସେତେବେଳେ ସେ କିଛି କହିନଥିଲା ଦେବକୁ, ଓଠରେ କୃତ୍ରିମ ହସ ଖେଳାଇ ନିଜକୁ ବ୍ୟକ୍ତ କରିଥିଲା |
ସୂର୍ଯ୍ୟ ଅସ୍ତ ହୋଇଗଲେଣି ଅନେକ ବେଳୁ |ଅନ୍ଧାର ଛାଇ ହୋଇଗଲାଣି, ଆକାଶକୁ ଚାହିଁଲା ଶୁଭ, ପଶ୍ଚିମ ଆକାଶରେ ଦ୍ଵିତୀୟା ଜହ୍ନ ହସୁଛି,
ଅନୁଭବ କରୁଥିଲା ଶୁଭ, ତା ଜୀବନ ଯେମିତି ଏଇ ରାତ୍ରିଭଳି ଅନ୍ଧାର ହୋଇ ଆସୁଛି |
ଶୁଭ ଭାବୁଥିଲା, ପ୍ରଭା ଘରକୁ ଯାଇ କିଛି କହିବା ସମ୍ଭବ ନୁହେଁ, ବିବାହ ପ୍ରସ୍ତାବ ପଠାଇଲେ ମଧ୍ୟ ପ୍ରଭାର ବାପା ରାଜି ହେବେନି, କାରଣ ଦେବବ୍ରତ ଭଳି ଧନୀ ଘରର ପୁଅକୁ ପ୍ରତ୍ୟାଖ୍ୟାନ କରି ତା ହାତରେ କେବେ ସେ ନିଜ ଅଲିଅଳି ଝିଅକୁ ଟେକି ଦେବେନାହିଁ | ପ୍ରଭାକୁ ସାଥିରେ ନେଇ ଲୁଚି ପଳେଇବାପାଇଁ ସେ ବି ପ୍ରଭାକୁ କହିପାରିବନି |ଏମିତି ଏକ କଳଙ୍କ ମୁଣ୍ଡେଇ ପାରିବନି ସିଏ |ଦେବକୁ ମଧ୍ୟ ବାରଣ କରିହେବ ନାହିଁ |ଦେବ ତ ଜାଣେ ସେମାନଙ୍କ ସମ୍ପର୍କ |ତଥାପି ଆଜି ତା କଥାରୁ ଜଣା ପଡୁଥିଲା, ସେ ଯେମିତି ଏକ ଗଡ଼ ଜିଣିଯାଇଛି |ଶୁଭ ଅନୁଭବ କରୁଥିଲା, ତା ଛାତି ଭିତରଟା କୋରି ହୋଇଯାଉଛି ଯେମିତି |ଅଶାନ୍ତ ମନରେ ଭାବନାର ବୁଢିଆଣୀ ଜାଲରେ ବାନ୍ଧିହୋଇ ଘରକୁ ଫେରିଲା ସିଏ |
ଦେବ ସହିତ ପ୍ରଭାର ବିବାହ ସ୍ଥିର ହୋଇଗଲା |ନୀରବ ରହିଲା ଶୁଭ |ଥରେ ବି ପ୍ରଭାକୁ ଦେଖାକରିବାକୁ ଗଲାନି |ଭାବୁଥିଲା ଯିବାପାଇଁ, ହେଲେ ତାର ସାହସ ନଥିଲା ପ୍ରଭାକୁ ବୁଝେଇବା ପାଇଁ |
ବାହାଘର ଦିନ ଯାଇଥିଲା ଶୁଭ, ଗୋଟେ ସାହିରେ ଘର ଯେତେବେଳେ, ସମସ୍ତେ ସମସ୍ତଙ୍କ ଭଲମନ୍ଦ କାମରେ ସାହାଯ୍ୟ କରିଥାନ୍ତି |ପ୍ରଭାର ବାପା ବି କହିଥିଲେ, କାମରେ ସହଯୋଗ କରିବାକୁ |ତେଣୁ ଯିବାକୁ ବାଧ୍ୟ ହୋଇଥିଲା |କିନ୍ତୁ ଚାହିଁଥିଲା, ପ୍ରଭା ଯେମିତି ତାକୁ ଦେଖି ନପାରିବ, ସେଥିପାଇଁ ସେ ବାହାର କାମ ସବୁ କରିଚାଲୁଥିଲା |ବିବାହ ସରିଗଲା |ଝିଅ ବିଦା ହେବାକୁ ଅଳ୍ପ ସମୟ ବାକି ଅଛି ଯାହା |ନୀରବରେ ବାହାରେ ଛିଡା ହୋଇଥିଲା ଶୁଭ ଅନ୍ୟମନସ୍କ ଭାବରେ |ସେ ଜାଣିନଥିଲା ପ୍ରଭା ତାକୁ ଖୋଜୁଛି ବୋଲି, ପ୍ରଭାର ସାନ ଭାଇ ଆସି ଡ଼ାକିନେଲା ତାକୁ |କଣ କାମଅଛି ଭାବି ଶୁଭ ଚାଲିଗଲା ଭିତରକୁ |ଦେଖିଲା ପ୍ରଭାକୁ, କାନ୍ଦୁଥିଲା ସିଏ, ତାକୁ ଦେଖି ତା ଛାତି ଉପରେ ଢଳିଗଲା ପ୍ରଭା, କ୍ରନ୍ଦନର ରୋଳ ଯେମିତି ବାଧା ମାନୁ ନଥିଲା |ହତଚକିତ ହୋଇପଡିଲା ଶୁଭ |ପଦେ ବି କଥା କହିପାରିଲାନି, କଣ ବା ସାନ୍ତ୍ୱନା ଦେଇପାଇଥାନ୍ତା ସିଏ |ନୀରବ ରହିଥିଲା, କିନ୍ତୁ ଆଖିର ଲୁହକୁ ରୋକି ପାରିନଥିଲା |ପ୍ରଭା ବି ଜାଣିପାରୁଥିଲା, ଶୁଭ କାନ୍ଦୁଛି ବୋଲି |
ପ୍ରଭା ବିଦାହେଲା, କିଛି ଦୂରରେ ଛିଡ଼ାହୋଇଥିଲା ଶୁଭ, ଲକ୍ଷ କରିଥିଲା, ଗାଡ଼ିରେ ବସି ପ୍ରଭା ଅଶ୍ରୁଳ ଆଖିରେ ତାକୁ ହିଁ ଚାହିଁଥିଲା |
ଯେମିତି ସେ କଣ ହରାଇ ଦେଇଛି |
ଶୁଭ ଅନୁଭବ କରୁଥିଲା, ଆକାଶଟା ଯେମିତି ଖଣ୍ଡ ଖଣ୍ଡ ହୋଇ ଛିଡି଼ପଡୁଛି ତା ମୁଣ୍ଡ ଉପରେ |ସେଇ ଗାଆଁ ଦାଣ୍ଡରେ ଧୂଳି ଉପରେ ବସି ପଡିଲା ସିଏ |

