STORYMIRROR

Priyadarshini Mishra

Romance Inspirational

3  

Priyadarshini Mishra

Romance Inspirational

ବନ୍ଧନ

ବନ୍ଧନ

3 mins
592


     ଲୋକେ କହନ୍ତି ବିବାହ ଏକ ବନ୍ଧନ।ହଁ ସତରେ ବିବାହ ଏକ ବନ୍ଧନ।କିନ୍ତୁ କାହାର ମନ ଓ ପ୍ରାଣକୁ ଶୃଙ୍ଖଳରେ ବାନ୍ଧି ପରାଧୀନ କଲା ଭଳି ବନ୍ଧନ ନୁହଁ,ବରଂ ବିଶ୍ବାସ ,ସ୍ନେହ ଓ ପ୍ରେମ ର ବନ୍ଧନ।ଏକଥା ମର୍ମେ ମର୍ମେ ଅନୁଭବ କରିପାରିଥିଲା ଶ୍ରୁତି।


      ଶ୍ରୁତି ଓ ସମୀରଙ୍କ ପ୍ରେମ ବିବାହ ନଥିଲା।କିନ୍ତୁ ବିବାହ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ଅଧିକ ଥିଲା ଯେ ସେମାନଙ୍କ ବିବାହକୁ ପ୍ରେମ ବିବାହ କହିଲେ ଭୁଲ ହେବ ନାହିଁ। ଆଜି କାଲିର ଇଣ୍ଟରନେଟ ଯୁଗରେ ମଧ୍ୟ ମଣିଷ ପରିସ୍ଥିତିର ଦାସ ।ପରିସ୍ଥିତି ଏମିତି ହୋଇଥିଲା ଯେ ଶ୍ରୁତି ଓ ସମୀର ବିବାହ ପୂର୍ବରୁ ପରସ୍ପରକୁ ଦେଖିନଥିଲେ। କେବଳ ଫୋନରେ କଥାବାର୍ତ୍ତା ଓ ଫୋଟୋ ଦେଖାରେ ସେମାନେ ପରସ୍ପରକୁ ଯାହା ଜାଣିଥିଲେ। ଉଭୟଙ୍କ ପରିବାର ସେମାନଙ୍କ ସମ୍ମତି ପରେ ସେମାନଙ୍କ ବିବାହ କରାଇଦେଇଥିଲେ ସତ କିନ୍ତୁ ଉଭୟ ପରିବାର ସେମାନଙ୍କ ଭବିଷ୍ୟତ ଜୀବନ କୁ ନେଇ ସନ୍ଦିହାନ ଥିଲେ।ତେବେ ବିବାହର ପାଞ୍ଚ ବର୍ଷ ପରେ ସେମାନଙ୍କ ସମ୍ପର୍କ ଦେଖି ଉଭୟ ପରିବାରର ଗୁରୁ ଗୁରୁଜନ ଆଶ୍ୱସ୍ତ ଥିଲେ ଯେ ଶ୍ରୁତି ଓ ସମୀରଙ୍କ ବିବାହ ଭୁଲ ନିଷ୍ପତ୍ତି ନଥିଲା।


       ସମୀର ଭୁବନେଶ୍ୱର ର ଏକ ପ୍ରତିଷ୍ଠିତ ପରିବାରର ଏକମାତ୍ର ପୁଅ ଥିବା ବେଳେ ଶ୍ରୁତି ବ୍ରହ୍ମପୁର ନିବାସୀ ଏକ ମଧ୍ୟବିତ୍ତ ପରିବାରର ଝିଅ। ଶ୍ରୁତିର ବାପା ସରକାରୀ ଚାକିରୀରୁ ଅବ୍ୟାହତି ନେଇ ସାରିଥିଲେ।ଏକ ମାତ୍ର ଝିଅ ଶ୍ରୁତିକୁ ଭଲ ପାତ୍ରଟିଏ ଦେଖି ବିବାହ ଦେବା ତାଙ୍କର ଯେମିତି ଏକମାତ୍ର ଲକ୍ଷ୍ୟ ଥିଲା।ସେ ତାଙ୍କ ସହକର୍ମୀ ଦ।ଶ ବାବୁଙ୍କ ପୁଅ ଦୀନେଶକୁ ଶ୍ରୁତି ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ବାଛିଥିଲେ।  ଦୀନେଶ ସପରିବାରେ ଆସି ଶ୍ରୁତିକୁ ପସନ୍ଦ କରି ଯାଇଥିଲେ।ଶ୍ରୁତିର ଭାବି ଶାଶୁ ଦୀନେଶର କାର୍ଡ଼ ଶ୍ରୁତିକୁ ଦେଇଥିଲେ।ସେଥିରେ ଦୀନେଶର ଫୋନ ନମ୍ବର ଥିଲା। ଗଲାବେଳେ ଦୀନେଶ ର ମା ଶ୍ରୁତିକୁ ଦୀନେଶ ସହ ଫୋନରେ କଥା ହେବା ପାଇଁ କହି ଯାଇଥିଲେ। ଏହାର ଠିକ ଦୁଇ ଦିନ ପରେ ଦୀନେଶ ନିଜ ତରଫରୁ ଫୋନ କରି ଶ୍ରୁତି ସହ କଥା ହୋଇଥିଲେ। କଥାବାର୍ତ୍ତାରୁ ଦୀନେଶ ନିହାତି ଭଦ୍ର ଓ ଅମାୟିକ ବ୍ୟକ୍ତି ଭଳି ଶ୍ରୁତିକୁ ମନେ ହେଲା। ଏହାପରେ ପ୍ରତିଦିନ ପ୍ରାୟ ଫୋନରେ କଥାବାର୍ତ୍ତା ଚାଲିଲା।ଦଶଦିନ ପରେ ସେମାନଙ୍କ ନିର୍ବନ୍ଧ ହୋଇଗଲା। ନିର୍ବନ୍ଧ ପରେ ଶ୍ରୁତି ଓ ଦୀନେଶ ଫୋନରେ କଥାବାର୍ତ୍ତା ହୋଇ ପରସ୍ପରକୁ ଭଲ ଭାବେ ଜାଣିବାକୁ ଲାଗିଲା। ନିର୍ବନ୍ଧର ଚାରି ମାସ ପରେ ବିବାହ ତାରିଖ ସ୍ଥିରୀକୃତ ହୋଇଥିଲା। ପରସ୍ପରକୁ ଜାଣିବା ପାଇଁ ଚାରି ମାସ ସମୟ ଯଥେଷ୍ଟ ମନେ ହୋଇଥିଲା ଶ୍ରୁତିକୁ।କିନ୍ତୁ ସେହି ଦିନ ତା ପାଦ ତଳୁ ମାଟି ଖସିଗଲା ଯେଉଁ ଦିନ ଦୀନେଶ ତାକୁ ତାଙ୍କ ଜୀବନ ର ସତ୍ୟତା କହିଥିଲେ।ଦୀନେଶ ପରିବାର ଚାପରେ ଶ୍ରୁତିକୁ ବିବାହ କରିବା ପାଇଁ ରାଜି ହୋଇଥିଲେ କିନ୍ତୁ ସେ ଅନ୍ୟ ଏକ ଝିଅକୁ ଭଲ ପାଉଛନ୍ତି। ଶ୍ରୁତି ଏ କଥ। ଘରେ ଜଣାଇବା ପରେ ବାହାଘର ଭାଙ୍ଗିଯାଇଥିଲା,ସତ କିନ୍ତୁ ଘରେ ସମସ୍ତେ ଚିନ୍ତିତ ହୋଇପଡିଥିଲେ ନିର୍ବନ୍ଧ ପରେ ବାହାଘର ଭାଙ୍ଗି ଥିବାରୁ ଶ୍ରୁତିର ବିବାହ ପୁଣି କେମିତି ହେବ।


        ଦିଲ୍ଲୀରେ ଏକ ଏମ.ଏନ.ସିରେ ଉଚ୍ଚପଦସ୍ଥ ଅଧିକାରୀ ଥିବା ସମୀର ତାଙ୍କ ସହ କାମ କରୁଥିବା ଏକ ଝିଅକୁ ଭଲ ପାଉଥିଲେ। ଝିଅଟି ମଧ୍ୟ ସମୀରଙ୍କୁ ଭଲ ପାଉଥିଲା।କିନ୍ତୁ ସମୀର ବିବାହ ପ୍ରସ୍ତାବ ଦେବାରୁ ସେ ରୋକଠୋକ ମନା କରିଦେଇଥିଲା। ସମୀର ଖୁବ ମର୍ମାହତ ହୋଇଥିଲେ। ଘର ଲୋକେ ତାଙ୍କୁ ବହୁତ ବୁଝାଇଥିଲେ।କିନ୍ତୁ ସେ ବିବାହ ନ କରିବାର ନିଜ ଜିଦରେ ଅଟଳ ରହିଥିଲେ। ସମୀରଙ୍କ ବାପା ମାଆ ପୁଅର ଏଭଳି ଜିଦ ଦେଖି ଚିନ୍ତିତ ଥିଲେ।ଠିକ ଏହି ସମୟରେ ସମୀରଙ୍କ ପରିବାରକୁ ନିକଟରୁ ଜାଣିଥିବା ଶ୍ରୁତିର ମାଉସୀ ସମୀର ପାଇଁ ଶ୍ରୁତି ର ପ୍ରସ୍ତାବ ଦେଇଥିଲେ। ସେ ସମୀର ବିଷୟରେ ସବୁ ଅବଗତ ଥିଲେ। ସମୀରଙ୍କ ପ୍ରେମ ସମ୍ପର୍କ ଠାରୁ ଆରମ୍ଭ କରି ତାଙ୍କର ବିବାହ ନକରିବା ପାଇଁ ରହିଥିବା ଜିଦ ସବୁ ବିଷୟରେ ମାଉସୀ ଜାଣିଥିଲେ। ତଥାପି ସମୀରଙ୍କ ମାଆ ଙ୍କୁ କହି ଶ୍ରୁତିର ଫୋଟୋ ଟିଏ ନେଇ ସେ ସମୀର ପାଖକୁ ଗଲେ। ସମୀର ମଧ୍ୟ ମାଉସୀଙ୍କୁ ବହୁତ ସମ୍ମାନ କରୁଥିବାରୁ ତାଙ୍କ କଥା ଧୈର୍ଯ୍ୟର ସହ ଶୁଣିଥିଲେ।ଶ୍ରୁତି ବିଷୟରେ ସବୁ ଶୁଣିବା ପରେ ସେ ଶ୍ରୁତି ସହ ଫୋନରେ କଥା ହେବା ପାଇଁ ରାଜି ହୋଇଥିଲେ।


      ମାଉସୀ ଙ୍କ ଦ୍ୱାରା ଶ୍ରୁତିର ପରିବାର ସମୀରଙ୍କ ପରିବାର ପରସ୍ପର ବିଷୟରେ ଜାଣିଲେ। ଏହାପରେ ସମୀରଙ୍କ ପରିବାର ଝିଅ ଦେଖା ନାଁରେ ଶ୍ରୁତି ଘରକୁ ଆସିଥିଲେ। କିନ୍ତୁ ସମୀର ଆସିନଥିଲେ। ସେହିଦିନ ସମୀରଙ୍କ ମାଆ ଖୋଲାଖୋଲି ଭାବେ ସମୀର ବିଷୟରେ ଶ୍ରୁତିକୁ ସବୁ କଥା କହି ସମୀର ସାଙ୍ଗେ କଥା ହେବା ପାଇଁ ଫୋନ ନମ୍ବର ଦେଇଥିଲେ।ହଠାତ ଶ୍ରୁତିର ଦୀନେଶ ର ମାଆ ଙ୍କ କଥା ମନେ ପଡିଯାଇଥିଲା। ସେତେବେଳେ ସେ ଦୀନେଶ ସହ କଥା ହୋଇନଥିଲା। କିନ୍ତୁ ସମୀରଙ୍କ ପରିବାର ଯିବା ପରେ ଶ୍ରୁତି ତା' ମାଆ ଙ୍କୁ ସମୀର ସହ ସେ କଥା ହେବାପାଇଁ ଚାହୁଁଛି କହିଥିଲାଓ ସମୀରଙ୍କୁ ଫୋନ କରିଥିଲା।


       ସେହି ଗୋଟିଏ ଥର ଶ୍ରୁତି ଓ ସମୀର ଫୋନ ରେ କଥା ହୋଇଥିଲେ ଓ ଉଭୟେ ପରସ୍ପରକୁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ନିଜ ନିଜ ପରିବାରକୁ ଜଣାଇଦେଇଥିଲେ।ପରିବାରର ସମସ୍ତେ ତାଙ୍କର ଏହି ନିଷ୍ପତ୍ତି ରେ ବହୁତ ଖୁସି ହୋଇଥଲେ।ପରେ ଯଥାରୀତି ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।ବିବାହ ପରେ ଶ୍ରୁତି ଓ ସମୀର ମଧ୍ୟ ବୁଝିପାରିଥିଲେ ଯେ ସେ ଦୁହେଁ ପରସ୍ପର ପାଇଁ ଗଢ଼ା ଓ ପରସ୍ପରର ପ୍ରକୃତ ଜୀବନ ସାଥୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Romance