Pratap Chandra Mishra

Abstract Others

4  

Pratap Chandra Mishra

Abstract Others

ବନ୍ଧକ ଉପହାର

ବନ୍ଧକ ଉପହାର

7 mins
227


ବିଶ୍ଳେଷଣ କରିବାକୁ ଆଉ ଚାହୁଁ ନ ଥିଲେ ଭୋଳ। ବାବୁ। ତାଙ୍କ ର ବନ୍ଧୁ ଗିରିଧାରୀ ଙ୍କୁ ଯେତେବେଳେ କଲୋନୀ ମଣ୍ଡପ ପାଖରେ ଦେଖା ହେଲା ଦୁହେଁ କିଛି ସମୟ ପାଇଁ ବସି ଗଲେ ଟିକେ ସୁଖ ଦୁଃଖ ହେବାପାଇଁ। ଅବସର ନେଇ ସାରିଛନ୍ତି ଭୋଳା ଶଙ୍କର ହାତୀ ବାବୁ ଚାକିରୀ ରୁ। ଗୋଛାଏ ଟଙ୍କା ମିଳିଛି। ହେଲେ ଅବସର ପରେ ରହିବା ପାଇଁ ଚାକିରୀ କରୁଥିବା କମ୍ପାନୀ ପାଖ ଗାଆଁ ରେ ଭଡା ଘର ନେଇ ବସବାସ କରୁଛନ୍ତି। ଟଙ୍କା ପାଇଲେ ପାଖରେ କିନ୍ତୁ ବାସ ନାହିଁ। କାରଣ ଆଗ ଚାଷ ତା ପରେ ବାସ ନୀତି ଅବଲମ୍ବନ କରି ପେଟ ଚାଖଣ୍ଡକ ପାଇଁ ସଙ୍ଘର୍ଷ କରୁ କରୁ ଛୁଆ ପିଲା ବଡ଼ ହେଲେ , ଧିରେ ଧିରେ ସମୟ ଅତିବାହିତ ହେଲା ।ସେମାନଙ୍କର ପାଠ ପଢା ଓ ଭବିଷ୍ୟତ ଚିନ୍ତା ରେ ଖାଇବା ,ସମାଜ ର ଚଳନୀ ସହ ତାଳ ମେଳାଉ ମେଳାଉ କେତେବେଳେ ଅବସର ଆସି ପହଞ୍ଚି ଗଲା ସେ ବି କିଛି ହିସାବ ରଖି ପାରିଲେ ନାହିଁ।ଦୁଇ ପୁଅ ଙ୍କୁ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ କରାଇବା ପାଇଁ ସେମାନଙ୍କ ଆଗ୍ରହ କୁ ପ୍ରାଧାନ୍ୟ ଦେଇ ଡାକ୍ତର କରାଇବା ସକ୍ଷମ ହେବା ର ଗୌରବ ଅର୍ଜନ କରିଛନ୍ତି। ଝିଅ ବି ସିଟି ପାସ କରି ସାରିଛି। ଚାକିରୀ ପାଇଁ ଯୋଗ୍ୟା କିନ୍ତୁ ଉପଯୁକ୍ତ ପ୍ରସ୍ତାବ ଆସିବାରୁ ଉପଯୁକ୍ତ ପାତ୍ର ଦେଖି ତାକୁ ବିବାହ କରାଇ ଦେଇଛନ୍ତି ଅବସର ନେବା ପୂର୍ବରୁ। ପୁଅ ଦୁଇ ଜଣ ଡାକ୍ତରୀ ପାସ କରି ପିଜି ପାଇଁ ପ୍ରସ୍ତୁତ ରତ।


ହେଲେ ବାସ ଚିନ୍ତା ଅଧୀର କରି ପକାଇଛି ଭୋଳା ବାବୁଙ୍କୁ। ପି. ଏଫ୍,ଗ୍ରାଚ୍ୟୁଟି, ଯାହା ସବୁ ପାଇବା କଥା ପାଇଲେ ତାହା ସଙ୍ଗେ ସଙ୍ଗେ ଇ. ପି. ଏଫ୍ ରୁ ମାସିକ ପେନସନ ବି ଧାର୍ଯ୍ୟ ହୋଇଛି ।ପ୍ରତି ମାସରେ ବ୍ୟାଙ୍କ୍ ଖାତା କୁ ଆସିଯାଏ।ଗିରିଧାରୀ ବାବୁ ଙ୍କୁ ଦେଖି ମଣ୍ଡପ ରେ ସୁଖ ଦୁଃଖ ହେବା ପାଇଁ ଅଟକି ଗଲେ। ଗିରିଧାରୀ ବାବୁ ଜାଣି ପାରିଲେ ଭୋଳା ବାବୁ ସତରେ ଭୋଳା ବୋଲି। କାରଣ ପୁଳାଏ ଟଙ୍କା ପାଇଲେ ହେଲେ ଅବସର ନେବାର ପାଞ୍ଚ ବର୍ଷ ପୂରଣ ହେଲାଣି, ପାଖରେ କିନ୍ତୁ ଫଟା ଟୋଲି ରେ ନାହିଁ। ଘଟଣା କଣ ଜାଣିଲା ବେଳକୁ ,ଭୋଳା ବାବୁ ଯେତେ ଟଙ୍କା ପାଇଲେ ସେ ସବୁ ବାସ ସ୍ଥାନ ନିରୂପଣ କରି ସେଇଠି ଘର ତିଆରି ପାଇଁ ଖର୍ଚ୍ଚ କରିଦେଇଛନ୍ତି। ତା ପୁଣି ଆହୁରି କାମ ସରିନି। କ୍ଵାଟର ଘରେ ଭଡା ରେ ଥିଲେ ଏବେ ବି ପର ଘରେ ଭଡା ରେ। ଅବସର ପୂର୍ବରୁ ଗିରିଧାରୀ ବାବୁ ପରାମର୍ଶ ଆଳ ରେ ଉପଦେଶ ଦେଇଥିଲେ ଭୋଳା ବାବୁଙ୍କୁ,ତୁମେ ଘର କର ,କିନ୍ତୁ ସ୍ୱଳ୍ପ ବ୍ୟୟରେ ଏବଂ ନିଜ ପାଇଁ କିଛି ସଞ୍ଚୟ କରି ।ଭବିଷ୍ୟତ ରେ ବୁଢ଼ା ବୟସରେ କିଏ ପଚାରିବ କି ନାହିଁ କଣ ଭରସା। ତେଣୁ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ୱାର୍ଥ ବାଦ ଦୁନିଆ ରେ ନିଜ ସୁରକ୍ଷା ହିଁ ସର୍ବ ପ୍ରଥମେ ବାଛି ନେଲେ ବାକି ସମୟ ରାସ୍ତା କଡ଼େଇ ଆଗକୁ ନେବ। ସେହି କମ୍ପାନୀ ରେ ଭୋଳା ବାବୁ ସମସ୍ତ କର୍ମଚାରୀ ଙ୍କ ଠାରୁ ଅଧିକ ବୟସ ଚାକିରୀ କରି ଥିଲେ।ଭଲ ରକମ୍ ର ଅବସର ରାଶି ପାଇବେ ବୋଲି ଗଣନା କରୁ କରୁ ଗିରିଧାରୀ ବାବୁ ଭୋଳା ବାବୁ ଙ୍କୁ ଉପଦେଶ ଦେଇଥିଲେ।ଭୋଳା ବାବୁ ବି ସହମତି ପ୍ରକାଶ କରିଥିଲେ।କିନ୍ତୁ ପାଞ୍ଚ ବର୍ଷ ପରେ ନା ଚାକିରୀ ନା ହାତରେ ମିଳିଥିବା ସେହି ଟଙ୍କା। ସବୁ ପୁଅ ଓ ସ୍ତ୍ରୀ ଙ୍କ କଥା ଅନୁସାରେ ବିଶାଳ କାୟ ଅଟାଳିକା ନିର୍ମାଣ ରେ ସବୁ ଟଙ୍କା ପୋତି ବାଲି,ପଥର କଂକ୍ରିଟ ର ସୁଚିନ୍ତିତ ବାସ ଘର କରି ସାରିଛନ୍ତି ଏବଂ ଆଉ ବାକି ରହିଥିବା କାମ ପାଇଁ ଋଣ ନେବା ପାଇଁ ବେସରକାରୀ ବ୍ୟାଙ୍କ୍ କୁ ଦୌଡୁଛନ୍ତି। ଗିରିଧାରୀ ବାବୁ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ଭୋଳା ବାବୁ କହୁଥାନ୍ତି କାହିଁକି ଏପରି କାଣ୍ଡ କଲେ ପୂର୍ବ ଯୋଜନା ଅନୁସାରେ କିଛି ନ ରଖି? ଭୋଳା ବାବୁ କାରଣ ଜଣାଇଥିଲେ, ପୁଅ ଦୁଇଜଣ ତ ଗୁଣର।ସ୍ତ୍ରୀ ବି ପର ବୋଲି ଭାବି ପାରିବେ ନାହିଁ। ଚାକିରୀ ଜୀବନ ରେ କେବେ ମନଲାଖି ଉପହାର ଟିଏ ସ୍ତ୍ରୀ କୁ ଦେଇ ନାହାନ୍ତି। ସବୁ ବେଳେ ଘର ଚଳାଇବା ଓ ଘର କାମରେ ସେହି ସ୍ତ୍ରୀ ହିଁ ସହଯୋଗ କରୁଥିଲା। ତାରି ପାଇଁ ପିଲା ଦୁଇଟି ମଣିଷ ହେବାକୁ ଯାଉଛନ୍ତି। ତା ଛଡା ଛୁଆ ଦୁଇ ଜଣ ଭରସା ଦେଲେ ବାପା ଛୋଟ ଘରେ ରହି ହେବ ନାହିଁ। ତେଣୁ ବଡ଼ ଓ ସୁସଜ୍ଜିତ ଘର ଟିଏ ନିର୍ମାଣ କରିବା। ପଇସା ପତ୍ର ଖରଚ ହେଉ ଆମେ ଦୁଇ ଜଣ ଚାକିରୀ କରି ସୁଝି ଦେବୁ କିନ୍ତୁ ଘର ମନମୁତାବକ ହେବା ଦରକାର।


ଛୁଆ ଙ୍କୁ ବି କିପରି ଭରସା ଓ ବିଶ୍ୱାସ କରିବି ନାହିଁ।ଜନ୍ମ କଲା ପିଣ୍ଡ କୁ ନିଜ ସ୍ବାର୍ଥ କୁ ଉତ୍ଜ୍ଜିବିତ କରିବା କେତେ ଦୂର ଉଚିତ୍ ? ତେଣୁ ସେହି ଅନ୍ଦାଜ ରେ ଘର କୁ ତିଆରି କରିବା କୁ ଯାଇ ସବୁ ତକ ଟଙ୍କା ସାରି ଚିନ୍ତା ରେ ଅଛନ୍ତି ବୋଲି ଭୋଳା ବାବୁ ଗିରିଧାରୀ ବାବୁ ଙ୍କୁ କହୁଥିଲେ।

ଯାହା ଅର୍ଜିଛି ସ୍ତ୍ରୀ ଙ୍କୁ ସେହି ଅର୍ଜନ ର ଉପହାର ମନଲାଖି ଘର ଓ ଛୁଆ ଙ୍କ ସ୍ବପ୍ନ ଏ ଆଶ୍ରୟ ପ୍ରଦାନ କରିବା ଲକ୍ଷ୍ୟ ରେ ଏ ସବୁ କରିଛି। ମୋ ଅନ୍ତେ ଏ ସବୁ ତ ତାଙ୍କର। ପଇସା ରଖି କଣ ମୁଁ ସ୍ବର୍ଗ କୁ ନେବି।ପିଲା ଦୁଇଜଣ ଅଧା ଯୋଗ୍ୟ ହୋଇଗଲେଣି। ରୋଜଗାର କ୍ଷମ ହେଲେ ସବୁ ଠିକ୍ ହୋଇଯିବ ବୋଲି ଭୋଳା ବାବୁ ବଖାଣି ଯାଇଥିଲେ।


ଆଶ୍ଚର୍ଯ୍ୟ ହୋଇ ଗିରିଧାରୀ ବାବୁ ଭୋଳା ବାବୁ ଙ୍କୁ ଅନାଉ ଥିଲେ। ତାଙ୍କ ପାଟିରୁ ବଚନ ବାହାରୁ ନ ଥିଲା। ଗିରିଧାରୀ ବାବୁ ସାବାସି ଦେବା ସହ ଭୋଳା ବାବୁ ଙ୍କ ମହାନ୍ ଚିନ୍ତା କୁ ପ୍ରଶଂସା କରୁଥିଲେ।କିଛି ସମୟ ପରେ ଦୁହେଁ ସେଦିନ କଥା ସମାପନ କରି ନିଜ ନିଜ ବସା କୁ ଫେରି ଆସି ଥିଲେ। 


ଚାରି ବର୍ଷ ବିତି ଯାଇଥିଲା । ଅଚାନକ ଭୋଳା ବାବୁ ଙ୍କୁ କଚେରୀ ବାରଣ୍ଡା ରେ ପୁଣି ଦେଖା ହେଲା ଗିରିଧାରୀ ବାବୁଙ୍କର। ସେ କୌଣସି ଦସ୍ତାବିଜ କାମରେ କଚେରୀ ରେ ଥିବା ଓକିଲ ଙ୍କୁ ଭେଟିବାକୁ ଯାଇଥିଲେ। ଭୋଳା ବାବୁ ଋଗ୍ଣ,ଦୁର୍ବଳ ଓ ମାନସିକ ଭାରସାମ୍ୟ ହରାଇବା ଭଳି ଲାଗୁ ଥିଲେ। ଗିରିଧାରୀ ବାବୁ ଙ୍କୁ ଟିକେ ବିଳମ୍ବ ରେ ଚିହ୍ନି ପାରିଲେ। ତାଙ୍କ ପୁଅ ମାନ ଙ୍କ ଓ ସ୍ତ୍ରୀ ଘର ବିଷୟରେ ପଚାରି ବୁଝିଥିଲେ। ଭୋଳା ବାବୁ କାନ୍ଦିବା ଆରମ୍ଭ କରିଦେଲେ। ଜନ ଗହଳି ପୂର୍ଣ୍ଣ କଚେରୀ ରେ ଭଦ୍ର ଓ ଅଭଦ୍ର ତଥା ଭଦ୍ର ମୁଖା ପିନ୍ଧା ଅଭଦ୍ର ଙ୍କ ଭିଡ଼। ଭୋଳା ବାବୁ ଙ୍କ କାନ୍ଦ ସହ ଗିରିଧାରୀ ବାବୁ ଙ୍କୁ ଦେଖିଲେ ନା ନା ବ୍ୟକ୍ତି ବିଭିନ୍ନ ଚିନ୍ତା ଓ କଟାକ୍ଷ , ତାଛଲ୍ୟ ସହ କିଏ କି ପ୍ରକାର ଭାବ ରେ ଏ ଘଟଣା କୁ ନେବ କିଏ ଜାଣିଛି ? ତେଣୁ ଗିରିଧାରୀ ବାବୁ ଭୋଳା ବାବୁ ଙ୍କୁ କୋହ ସମ୍ବରଣ ପୂର୍ବକ ଘଟଣା କଣ କାହିଁକି ସେ ଏଇ ଆଇନ ମନ୍ଦିର ରେ ଅଛନ୍ତି ବୋଲି ପଚାରୁଥିଲେ। ଭୋଳା ବାବୁ ନିଜକୁ ସମ୍ଭାଳି କହୁଥିଲେ, ପୁଅ ମାନେ ଚାକିରୀ କରିଲା ପରେ ବିବାହ କରାଇ ଦେଲେ। ବ୍ୟାଙ୍କ୍ ରୁ ପ୍ରାୟ ଆଠ ଲକ୍ଷ୍ୟ ଟଙ୍କା ଋଣ କରି ଘର କାମ ସାରି ଦେଇଥିଲେ। ସୁନ୍ଦର ଅଟାଳିକା ସେହି ଇଲାକା ରେ ଠିଆ କରାଇଥିବା ଯୋଗୁଁ ଭୋଳା ବାବୁ ଙ୍କ ସୁନାମ ଢେର୍ ବଢ଼ି ଯାଇ ଥିଲା।ପିଲା ଙ୍କ ପାଇଁ ଏତେ ବଳିଦାନ ଦେଇଥିବା ଯୋଗୁଁ ଭୋଳା ବାବୁ ଙ୍କୁ ସବୁଠି ପ୍ରଶଂସା ମିଳୁ ଥାଏ।ସେ ବି ନିଜକୁ ଖୁବ୍ ଗର୍ବିତ ମନେ କରୁଥାନ୍ତି। ହେଲେ ବିଧି ର ବିଧାନ କିଛି ସ୍ଵତନ୍ତ୍ର ।ପୁଅ ଙ୍କୁ ବିବାହ ଓ ଟଙ୍କା ରୋଜଗାର ମୋହ ବିଶାଳ ଅଟାଳିକା ରେ ବାନ୍ଧି ରଖି ପାରିଲା ନାହିଁ ବରଂ ଭୋଳା ବାବୁ ସହଧର୍ମିଣୀ ଙ୍କ ସହ ସହଧର୍ମିଣୀ ଙ୍କୁ ଦେଇଥିବା ଉପହାର ସ୍ବପ୍ନ ର ମହଲ ରେ ବଦୀ ହୋଇଯାଇଥିଲେ। ମିଳୁ ଥିବା ପେନସନ ଟଙ୍କାରେ ଗୁଜୁରାଣ ମେଣ୍ଟାଇ , ପୁଅ ମାନେ କର୍ମ ଆଦରି ଦୁର ସହର ରେ କାମିନୀ କାଞ୍ଚନ ମାୟା ରେ କବଳିତ। ବାପା ଙ୍କୁ କହିଥିବା ପ୍ରତିଶ୍ରୁତି ଆଉ ମନେ ନାହିଁ ସେମାନଙ୍କର। ଋଣ ପ୍ରଦାନ କାରୀ ସଂସ୍ଥା କିସ୍ତି ନ ମିଳିବାରୁ ଭୋଳା ବାବୁ ଙ୍କୁ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଜଣାଇବା ପରେ, ଓକିଲ ଙ୍କ ଦ୍ଵାରା କଚେରୀ କୁ ଡକାଇ ଛନ୍ତି। ଏହି ପ୍ରକ୍ରିୟା ଆଜକୁ ପ୍ରାୟ ଆଠ ଦଶ ଥର ହେଲାଣି। ଯୋଗ୍ୟ ପୁଅ ମାନଙ୍କୁ ଏକଥା କହିବାରୁ  କାର୍ଯ୍ୟ ବ୍ୟସ୍ତ ର ଦ୍ୱାହି ଦେଇ ଭୋଳା ବାବୁ ଙ୍କ ସମସ୍ୟା କୁ ଏଡ଼ାଇ ଦେଉଛନ୍ତି। ଟଙ୍କା ଫେରାଇ ବା ତ ଦୁର କଥା ବାପା ଙ୍କୁ ଭେଟିବାକୁ ଆଉ ବିଶାଳ ଘର କୁ ଆସି ନ ଥାନ୍ତି।ଜୀବନ ରେ କେବେ କାହାଠାରୁ ଟଙ୍କାଟିଏ ଋଣ କରି ନଥିବା ଲୋକ ଆଜି କଚେରୀ ର ଦ୍ବାରସ୍ଥ। ଗାଆଁ ଲୋକ ଙ୍କ ଟାହି ଟାପରା ରେ ଅତିଷ୍ଠ ଭୋଳା ବାବୁ। ଲୋକ ମାନେ ଧନ୍ୟ ଧନ୍ୟ କରୁଛନ୍ତି ଏଭଳି ବାପା କୁ ଯିଏ ଗୁଣ ବାନ ଯୋଗ୍ୟ ପୁତ୍ର ସଂସାର କୁ ଉପହାର ଦେଇଛନ୍ତି ।ଆଉ ସେ ସୁ ଯୋଗ୍ୟ ପୁତ୍ର ଯିଏ ପ୍ରତିଶ୍ରୁତି ଖିଲାପ ବୁଢ଼ା ବାପାକୁ ହତାଦର କରି ଜୀବନ ବିତାଉଛନ୍ତି। ପରିଣାମ ସ୍ବରୂପ ବାରମ୍ବାର କଚେରୀ ପିଣ୍ଡା ରେ ଦେଖିବାକୁ ପଡୁଛି ଭୋଳା ବାବୁ ଙ୍କୁ। ଏବଂ ସ୍ୱଳ୍ପ ପେନସନ ରେ ବଞ୍ଚିବା କଷ୍ଟ। ଋଣ ପରିମାଣ ପ୍ରାୟ ଆଠ ଲକ୍ଷ୍ୟ ସହ ସୁଦ୍ଧ ଅଲଗା, ଏ ବୁଢ଼ା ବୟସ ରେ କୋଉଠୁ ଯୋଗାଡ଼ କରି ସୁଝିବେ ଭାବି ନୟାନ୍ତ। ଆଜି ବି ପାଳି ପଡ଼ିଛି କଚେରୀ ରେ କିଛି ମିଛ କହି ମୁକୁଳି ଯିବାକୁ। ହେଲେ ଯେଉଁ ବୟସରେ ଟିକେ ଶାନ୍ତି ରେ ବସି ଜୀବନ ବିତାଇବେ ବୋଲି ଭାବି ଥିଲେ ଭୋଳା ବାବୁ, ସେ ରାତି ପାହିଲେ କଚେରୀ ପିଣ୍ଡା ରେ ବଞ୍ଚିବା ପାଇଁ ମିଛ ର ଖେଳ ଖେଳୁଛନ୍ତି। ହେଲେ ଆଉ ମିଛ କହିବେ ନାହିଁ ବୋଲି ଆଜି ଦୃଢ ମନ ନେଇ ଆସିଛନ୍ତି। ସେ ଚିନ୍ତା ରେ ଘୁମେଇ ପଡିଥିବା ଭୋଳା ବାବୁ କଚେରୀ ପିଣ୍ଡା ରେ ଗିରିଧାରୀ ବାବୁ ଙ୍କୁ ଡେରି ରେ ଚିହ୍ନି ନେଇ ଅବସର ପୂର୍ବରୁ ଉପଦେଶ ଦେଇଥିବା ଗିରିଧାରୀ ବାବୁ ଙ୍କ ବାଣୀ କୁ ସ୍ମରଣ କରୁଥିଲେ। ତାଙ୍କୁ ଦେଖି ସେ ସ୍ଥିର କରି ନେଇଥିଲେ ସ୍ୱାର୍ଥ ସର୍ବସ୍ବ ଦୁନିଆ ରେ ନିଃସ୍ଵାର୍ଥପର ଲୋକ ମାନେ ତିଷ୍ଠି ରହିବା କୁ ହେଲେ ବିକଳ୍ପ ପଥ ଅବଲମ୍ବନ କରିବା କୁ ପଡ଼ିବ। ତେଣୁ ସେ ନିଷ୍ପତ୍ତି ନେଇ ଆସି ଥିଲେ ସ୍ତ୍ରୀ ଙ୍କ ସହ ପରାମର୍ଶ କରି, ଅଟ୍ଟାଳିକା କୁ ବନ୍ଧକ ରଖି ଋଣ ମୁକ୍ତ ହେବେ। ଯେତେଦିନ ବଞ୍ଚିଥିବେ ସେ ପର୍ଯ୍ୟନ୍ତ ବନ୍ଧକ ରଖିଥିବା ବ୍ୟକ୍ତି ତାଙ୍କର ରକ୍ଷଣା ବେକ୍ଷଣ କରିବ। ତାଙ୍କ ଓ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ବନ୍ଧକ ଓ ସୁଦ୍ଧ ଟଙ୍କା ଯେଉଁ ପୁଅ ଫେରାଇବ ଭୋଳା ବାବୁଙ୍କ ଅଟ୍ଟାଳିକା ତାହାରି ହେବ। ଅନ୍ୟଥା ବନ୍ଧକ ରଖୁଥିବା ବ୍ୟକ୍ତି ନିଜ କବଜା ରେ ଦଖଲ କରିନେବ ଅଟ୍ଟାଳିକା କୁ।

ଦୃଢ ନିଷ୍ପତ୍ତି ଆଜି କଚେରୀ ରେ ଫଇସଲା ହେବ। ଦୁଶ୍ଚିନ୍ତା ରେ ମ୍ରିୟମାଣ ଭୋଳା ବାବୁ ଯୁଗ ଉପଯୋଗୀ ସିଦ୍ଧାନ୍ତ ନେଇ ଛନ୍ତି ବୋଲି ଗିରିଧାରୀ ବାବୁ ଙ୍କୁ କହୁଥାନ୍ତି। 


ଗିରିଧାରୀ ବାବୁ ଭୋଳା ବାବୁ ଙ୍କ ନିଷ୍ପତ୍ତି ରେ ସହମତି ପ୍ରକାଶ କରି ସାନ୍ତ୍ଵନା ଦେଉଥିଲା ବେଳେ କଚେରୀ ରୁ ଡାକରା ଆସିଥିଲା ହାଜର ହେବାକୁ। ଗିରିଧାରୀ ବାବୁ କଚେରୀ ନିଷ୍ପତ୍ତି ପ୍ରକୋଷ୍ଠ ପର୍ଯ୍ୟନ୍ତ ସାଥିରେ ଯାଇଥିଲେ ଭୋଳା ବାବୁ ଙ୍କ ସହ। ସେଠାରେ ଗିରିଧାରୀ ବାବୁ ଙ୍କ ଫୋନ୍ ବାଜି ଉଠିଥିଲା କଚେରୀ ବାହାରେ ଅପେକ୍ଷା କରିଥିବା ସହଯୋଗୀ ଙ୍କ ର। ଭୋଳା ବାବୁ ଙ୍କୁ ସେଠାରେ ଛାଡି ବିଦାୟ ନେଉଥିବା ବେଳେ ଗିରିଧାରୀ ବାବୁ, ଭୋଳା ବାବୁ ଙ୍କୁ ରାତି ରେ ଘର କୁ ଯାଇ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


ଗିରିଧାରୀ ବାବୁ କଚେରୀ ର ହତା ପଛରେ ଛାଡି ଲା ବେଳକୁ ଭୋଳା ବାବୁ ଙ୍କ ତ୍ୟାଗ ,ସମର୍ପଣ,ଓ ନିଷ୍ଠୁର ଦାୟାଦ ଙ୍କ ପରିଣାମ ସୃଷ୍ଟି କର୍ତ୍ତା ଙ୍କ ଉପରେ ଛାଡ଼ୁ ଥିଲେ ଓ ଭୋଳା ବାବୁ ଙ୍କ ଅସହାୟ ପାଇଁ ସାହା ହେବାକୁ ପ୍ରାର୍ଥନା କରୁଥିଲେ। 


ଗିରିଧାରୀ ବାବୁ ହେଜୁ ଥିଲେ, ଭୋଳା ବାବୁ ତାଙ୍କ ସ୍ତ୍ରୀ ଙ୍କୁ ଦେଇଥିବା ଉପହାର ଯାହା ସମ୍ପୂର୍ଣ ଜୀବନ ର ଖୁସି ଓ ପରିଶ୍ରମ ର ଫଳ ଥିଲା  ମୋହ ମାୟା ରେ ଅନ୍ଧ ଥିବା ଅଯୋଗ୍ୟ ସନ୍ତାନ ଙ୍କ ଯୋଗୁଁ ବନ୍ଧା ପଡିଥିବା କଥା ଭାବି ମନସ୍ତାପ କରୁଥିଲେ।


ଆଜି ଭୋଳା ବାବୁଙ୍କ ଦଶା ନିଜ ସ୍ୱଚକ୍ଷୁରେ ଦେଖୁଥିବା ଗିରିଧାରୀ ବାବୁ ,ତାଙ୍କ ଅବସର ନୀତି ଓ ଭବିଷ୍ୟତ ନିରାମୟ ହେବା କଥା ଏବେଠାରୁ ଯୋଜନା କରିବା କୁ ସଂକଳ୍ପ କରୁଥିଲେ। ଏବଂ କଚେରୀ ଛାଡି ସହଯୋଗୀ ଙ୍କ ସହ ବାଇକ୍ ରେ ବସି ଫେରୁଥଲେ।


Rate this content
Log in

Similar oriya story from Abstract