ବଳି
ବଳି
ଦଶହରା ସମୟ ପାଖେଇ ଆସିଲେ ପରିବେଶରେ ପରିବର୍ତ୍ତନ ବେଶ୍ ସ୍ପଷ୍ଟ ଭାବେ ଦୃଶ୍ଯମାନ ହୁଏ। ନଦୀପଠାରେ କାଶତଣ୍ଡୀ ଫୁଲର ଶୁଭ୍ର କଳେବର ଜଗତଜନନୀ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ଆଗମନୀର ସୂଚନା ଦେଇଥାଏ। ମୋର ହେତୁ ହେବା ଦିନରୁ କାଶତଣ୍ଡୀକୁ ପହିଲା ପହିଲା ଦେଖିବା ମାତ୍ରେ ଦଶହରା ସହିତ ସଂଯୋଗ କରି ମୁଁ କଳ୍ପନା ରାଜ୍ଯରେ ଡୁବିଯାଏ। କାରଣ ଆଗକୁ ଏକ ଲମ୍ବା ଛୁଟିର ଆଭାସ ମିଳିଥାଏ ନଦୀପଠାରେ ହସୁଥିବା କାଶତଣ୍ଡୀରୁ! ସ୍କୁଲର ଧରାବନ୍ଧା ଜୀବନ ଚର୍ଯ୍ୟାରୁ କିଛିଦିନର ବିରତି ତ ମିଳିବ ନିଶ୍ଚୟ। ଦୂର ସହରକୁ ଦେବୀ ମେଢ଼ ଦେଖିଯିବାର ଉତ୍କଣ୍ଠା କେବଳ ଏଇ ଅଶିଣର ପାର୍ବଣରେ ଜାଗିଥାଏ।
ଦଶହରା ଆମର ଭାରତବର୍ଷରେ ଏକ ପ୍ରମୁଖ ପର୍ବ। କିମ୍ବଦନ୍ତୀ ତଥା ପୁରାଣ ଅନୁଯାୟୀ ଧରାର ଦୁଃଖ ହରଣ କରିବା ପାଇଁ ଶାରଦୀୟ ପାର୍ବଣର ପାବନ ଅବସରରେ ଜଗତଜନନୀ ମାଆ ଦୁର୍ଗାଙ୍କର ଧରାବତରଣ ହୋଇଥିଲା। ଦୁରାଚାରୀ ମହିଷାସୁରର ଅତ୍ୟାଚାରରେ ଯେବେ ଅତିଷ୍ଠ ହୋଇପଡିଥିଲେ ତ୍ରିପୁରବାସୀ, ସେମାନଙ୍କୁ ରକ୍ଷା କରିଥିଲେ ମାଆ ତାର ବିନାଶ କରି। ଅସତ୍ଯ ଉପରେ ସତ୍ୟର, ଅନ୍ଯାୟ ଉପରେ ନ୍ଯାୟର, ପାପ ଉପରେ ପୂଣ୍ୟର ବିଜୟ ଏହି ଦଶହରା ପର୍ବର ମୁଖ୍ୟ ବାର୍ତ୍ତା। ତ୍ରେତୟା ଯୁଗରେ ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପ୍ରବଳ ପ୍ରତାପୀ ଲଙ୍କେଶ୍ଵର ରାବଣର ନିଧନ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣର ଅତ୍ୟାଚାରରୁ ମୁକ୍ତିଲାଭ କରିଥିଲେ ସଭିଏଁ। ଧର୍ମର ବିଜୟ ହୋଇଥିଲା ବିଜୟା ଦଶମୀର ତିଥିରେ।
କାହିଁ କେଉଁ ଅନାଦି କାଳରୁ ଆମ୍ଭେମାନେ ଆମ୍ଭର ମହନୀୟ ସନାତନୀ ସଂସ୍କୃତିରେ ଶାକ୍ତ ଉପାସନା କରିଆସୁଛୁ। ବାସନ୍ତୀକ ଏବଂ ଶାରଦୀୟ ଦୁର୍ଗାପୂଜା ଆମ୍ଭେ ମହାଆଡମ୍ବର ସହକାରେ ପାଳନ କରିଥାଉ। ପାର୍ବଣର ଏହି ପୂଣ୍ୟ ଅବସରରେ ଆମ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଶକ୍ତିପୀଠମାନଙ୍କରେ ଜୀବ ବଳି ଦେବାର କଥା ସମୟ ସମୟରେ ଶୁଣିବାକୁ ମିଳେ। ସରକାରୀ କଟକଣା ଓ ଲୋକଙ୍କର ଚୈତନ୍ୟ ଉଦୟ ହେବା ଫଳରେ ଅନେକାଂଶରେ ଏହି କୁତ୍ସିତ ପ୍ରଥା ଉଚ୍ଛେଦ ହୋଇଗଲାଣି ତଥାପି କାଁଭାଁ କେତେବେଳେ କେଉଁଠି ଲୁଚାଛପାରେ ଚାଲୁରହିଛି। ଆମ ଓଡ଼ିଶାରେ ଛତର୍ ଯାତ୍ରା ଓ ଶୂଳିଆ ଯାତ୍ରାରେ ବଳିକୁ ବିରୋଧ କରି ଫିବର୍ଷ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଏ କିନ୍ତୁ ଲୋକେ ଏହାକୁ ଅମାନ୍ୟ କରି ରକ୍ତରଞ୍ଜିତ କରିଦିଅନ୍ତି ଶକ୍ତିପୀଠକୁ ନୀରିହ ନିର୍ବାକ୍ ପଶୁ ପକ୍ଷୀଙ୍କର ଶୋଣିତରେ ନିଜର ଯିଦ୍ ରଖିବା ପାଇଁ ।
ଦଶହରା ପର୍ବ ଆଉ ବଳି ଯେମିତି ଓତଃପ୍ରୋତ ଭାବେ ଜଡିତ! ଦେବୀ ମହାମାୟାଙ୍କୁ ପ୍ରୀତ କରାଇବାର ଏକମାତ୍ର ମାଧ୍ୟମ ଯେପରି ଏଇ ବଳି ବା ଉତ୍ସର୍ଗ। ଏହିଭଳି ବଦ୍ଧମୂଳ ଧାରଣା ଆମର ମନ ମସ୍ତିଷ୍କରେ ଭର୍ତ୍ତି କରି ଦିଆଯାଇଛି। ହୁଏତଃ ତନ୍ତ୍ରଯାନର ପ୍ରଭାବରେ ପ୍ରଭାବିତ ହୋଇଛି ଆମର ସାତ୍ତ୍ୱିକ ଶାକ୍ତ ଉପାସନା। କିଛି ଲୋକ ତ ପଶୁ ପକ୍ଷୀଙ୍କ ବଦଳରେ ବୋଇତାଳୁ, ଲାଉ, ପାଣି କଖାରୁ, ପଇଡ଼ ଆଦି ପନିପରିବା ବଳି ଦେବାର ନଜିର୍ ମଧ୍ଯ ଅଛି। ଏହା କେବଳ ଯେ ଆମ ହିନ୍ଦୁ ଧର୍ମରେ ଅଛି ବୋଲି ଭାବିବା ନିହାତି ଭାବରେ ପକ୍ଷପାତିତା ହେବ। ଅନ୍ଯାନ୍ଯ ସଂପ୍ରଦାୟରେ ମଧ୍ୟ କିଛି ବିଶେଷ ପର୍ବରେ କୁର୍ବାନି ବା ଉତ୍ସର୍ଗ ପ୍ରଥା ପ୍ରଚଳିତ। ବିବେକର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଏହି ପ୍ରଥା ଓ ପରମ୍ପରାର ଆଢୁଆଳରେ ମଣିଷ ବୋଲାଉଥିବା ଜୀବଟି ଅଗଣିତ ସଂଖ୍ୟାରେ ପ୍ରାଣୀଙ୍କ ଉତ୍ସର୍ଗ ଦିଏ ଆରାଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ। ଯାହା ପରିବେଶ ସନ୍ତୁଳନରେ ମଧ୍ୟ କୁପ୍ରଭାବ ପକାଇଥାଏ। ନିକଟ ଅତୀତରେ ନେପାଳରେ ଅସଂଖ୍ୟ ମହିଷ ଉତ୍ସର୍ଗ ଉପରାନ୍ତେ ପ୍ରଳୟଙ୍କାରୀ ଭୂମିକମ୍ପ ସଂଘଟିତ ହେବା ଏହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ।
ତେବେ ଏଠାରେ ପ୍ରଶ୍ନ ଉଠେ ଭଗବାନ କେବେ କଣ ନିଜ ଦ୍ୱାରା ସୃଷ୍ଟି କରିଥିବା ଜୀବଟିର ବଳିରେ ପ୍ରୀତ ହେଉଥିବେ ନା କୌଣସି ଧର୍ମଗ୍ରନ୍ଥରେ ଜୀବ ବଳି କଥା ଉଲ୍ଲେଖ ରହିଛି? ସର୍ବ ଧର୍ମର ସାରତତ୍ତ୍ଵ ତ "ଅହିଂସା ପରମ ଧର୍ମ!" ଏଠାରେ ବିଚାର୍ଯ୍ୟ ଯେ, ଦେବୀ ମାତା କଣ ନିଜର ସନ୍ତାନ ସନ୍ତତିଙ୍କର ଶୋଣିତ ନୈବେଦ୍ୟ କେବେ ଗ୍ରହଣ କରିପାରିବେ? ଏହି ପ୍ରସଙ୍ଗରେ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ପଙ୍କ୍ତିଟି ବେଶ୍ ପ୍ରଣିଧାନଯୋଗ୍ୟ।
"କି ଦେଇ ପୂଜିବି ଯାହା ମୁଁ ଦେଖୁଛି
ସବୁ ତୁମ୍ଭ ପ୍ରସାଦ
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ!"
ଏଇ ବଳି କଥା ମୁଁ ଯାହା ଶୁଣିଥିଲି ଆଗରୁ କେବେ ପ୍ରତ୍ୟକ୍ଷ ଭାବରେ ସ୍ଵଚକ୍ଷୁରେ ଦେଖିନଥିଲି, ଏଇ ଯେମିତି ଛତର୍ ଯାତ୍ରା ଅବା ଶୂଳିଆ ଯାତ୍ରା ବିଷୟରେ। ପ୍ରାୟ ଏକ ଦଶନ୍ଧି ତଳେ ମୁଁ ପହିଲିବାର ହାଇଦ୍ରାବାଦ୍ ଯାଇଥାଏ ନୂଆ ଚାକିରିରେ ଯୋଗ ଦେବା ପାଇଁ। ସେହି ବର୍ଷ ଦଶହରାରେ ଅନିବାର୍ଯ୍ୟ କାରଣବଶତଃ ଘରକୁ ଆସି ପାରିଲି ନାହିଁ। ମନରେ ଅସରନ୍ତି ଦୁଃଖ, ପ୍ରଥମ ଥର ପାଇଁ ଦଶହରା ପରି ପର୍ବରେ ପରିବାର ଓ ପରିଜନଙ୍କ ଠାରୁ ଦୂରରେ ଥିବାରୁ। ଯାହା ବି ହେଉ ଦଶହରା ଦିନ ସକାଳୁ ସକାଳୁ ମୁଁ ବାହାରିଲି ହାଇଦ୍ରାବାଦ ମହାନଗରୀର ସର୍ବୋଚ୍ଚ ଗ୍ରାମ ଦେବତୀ ରୂପେ ପରିଚିତା ଅଧୀଷ୍ଠାତ୍ରୀ ଦେବୀ ପେଦ୍ଦମ୍ମାଙ୍କ ଦର୍ଶନ କରିବା ପାଇଁ। ଆକ୍ଷରିକ ଭାବରେ ପେଦ୍ଦମ୍ମାର ଅର୍ଥ ମାଆଙ୍କ ମାଆ ଅର୍ଥାତ୍ ଆଈମାଆ। ଜୁବଲି ହିଲ୍ସର ମନୋରମ ପରିବେଶରେ ଅବସ୍ଥିତ ମାଆଙ୍କର ଅତି ସୁନ୍ଦର ମନ୍ଦିର। ଦଶହରା ହୋଇଥିବାରୁ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଲାଗିଥିଲା। ଏହା ସହିତ ଦେଖିବାକୁ ମିଳିଥିଲା ଛେଳି, ମେଣ୍ଢା ଓ କୁକୁଡ଼ାଙ୍କର ଭିଡ଼। ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା, ଏଠି କଣ ସତରେ ବଳି ପଡୁଛି କି??
କିଛି କ୍ଷଣର ବ୍ଯବଧାନରେ ମୋର ଆଶଙ୍କା ଦୂରୀଭୂତ ହୋଇଥିଲା ସଦ୍ୟ ଉତ୍ସର୍ଗୀକୃତ ନୀରିହ ଜୀବଙ୍କ ଗାଢ଼ ଲାଲ୍ ରଙ୍ଗର ରୁଧିରଗାରର ସଂଦର୍ଶନରେ। ଭକ୍ତମାନଙ୍କ ଦ୍ବାରା ମାନସିକ ବଳି ଚଢ଼ାଇବା ପାଇଁ ବିଶେଷ ବ୍ଯବସ୍ଥା କରାଯାଇଛି ଏହିଠାରେ। ପାରମ୍ପରିକ ପୋଷାକ ପରିହିତ ଘାତକମାନେ ହାତହତିଆର ଧରି ତୟାର। ସବୁ ବଳି ପାଇଁ ସ୍ଵତନ୍ତ୍ର ଟିକଟର ବି ବ୍ୟବସ୍ଥା କରାଯାଇଛି ଶୃଙ୍ଖଳା ରକ୍ଷା ପାଇଁ। ସତେ ଯେମିତି ପଶୁ ବଳି ଏଠି ସାଧାରଣ କଥା, ପରମ୍ପରା ଓ ଆସ୍ଥାର କଥା। ପ୍ରଶାସନ, ସରକାର, ସାମାଜିକ ସଂଗଠନ ସଭିଏଁ ନିର୍ବିକାର। କାହାର ବି କୌଣସି ଆପତ୍ତି ନାହିଁ କି ଏହି ନୀରିହ ଜୀବମାନଙ୍କ ପ୍ରତି କାଣିଚାଏ ସମ୍ବେଦନା ମଧ୍ୟ ନାହିଁ। ମାଆଙ୍କ ପାଖରେ ବଳି ପଡ଼ିବା ଯେପରି ବିଧି ନିର୍ଦ୍ଧାରିତ, ଏଥିରେ ମାନବିକ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ।
ଆମ ରାଜ୍ୟରେ ତ କେଉଁ ଉପାନ୍ତ ଅଞ୍ଚଳରେ ଲୁଚାଛପାରେ ଏପରି ଘଟୁଛି କିନ୍ତୁ ଏଠି ତ ଖୋଦ୍ ରାଜଧାନୀର ବକ୍ଷ ସ୍ଥଳିରେ ରକ୍ତର ନଦୀ ବହୁଅଛି ଅବାଧରେ, ନିର୍ବିରୋଧରେ ଆଇନକାନୁନର ସୁରକ୍ଷାରେ। ନିଜକୁ ସଭ୍ୟ ଶିକ୍ଷିତ ମାର୍ଜିତ ଉନ୍ନତ ସଂସ୍କୃତି ସଂପନ୍ନ ମନେ କରୁଥିବା ଏହି ହାଇଦ୍ରାବାଦ ମହାନଗରୀର ଧନାଢ୍ୟ ନାଗରିକମାନଙ୍କ ମାନସିକତା ମୋ ମନରେ ଗଭୀର ରେଖାପାତ କରିଥିଲା ସେହି ଦିନ। ପରବର୍ତ୍ତୀ ସମୟରେ ସହକର୍ମୀଙ୍କ ଠାରୁ ଜାଣିବାକୁ ପାଇଲି ଯେ, ଦାକ୍ଷିଣାତ୍ୟରେ ଏପରି ଛାଗ ଓ କୁକ୍କୁଟ ବଳି ଅତି ସାଧାରଣ କଥା। ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ...
ଭବାନୀପାଟଣାରେ ରହଣୀ କାଳରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ଛତର୍ ଯାତ୍ରାରେ ସାମୁହିକ ପଶୁ ବଳି ଦିଆଯାଏ ବୋଲି ଶୁଣିବାକୁ ମିଳେ ମାତ୍ର କେବେ ଦେଖିନଥିଲି। ଆଉ ସେଇ ଶୁଣା କଥା ବି ମନେନଥିଲା ମୋର। କିନ୍ତୁ ହାଇଦ୍ରାବାଦର ପେଦ୍ଦମ୍ମା ଦେବୀଙ୍କ ପୀଠରେ ଦଶହରା ବଳି ସେହି ରକ୍ତରଞ୍ଜିତ ସ୍ମୃତିକୁ ପୁଣି ତାଜା କରିଦେଲା। ସେବେ ଠାରୁ ଫିବର୍ଷ ଦଶହରା ଓ ଅନ୍ୟାନ୍ୟ ସମୟରେ ଦାକ୍ଷିଣାତ୍ୟର ବିଭିନ୍ନ ଦେବୀ ପୀଠରେ ବଳି ପଡୁଥିବା ମୋର ଦୃଷ୍ଟି ଗୋଚର ହୁଏ। ମନରେ ଭାବାନ୍ତର ସୃଷ୍ଟି ହୁଏ, କାରଣ ମୋର ମଧ୍ଯ ଜିହ୍ଵା ଲାଳସା ଉପରେ ନିୟନ୍ତ୍ରଣ ନଥିବାରୁ। ନିଜକୁ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ଶାକାହାରୀରେ ପରିଣତ କରିବାକୁ ଚେଷ୍ଟା କରି ବିଫଳତା ହାସଲ କରିଛି ଅନେକ ଥର। କିନ୍ତୁ ପାର୍ବଣର ପାବନ ଅବସରରେ ମାଆ ପାଇଁ ସନ୍ତାନର ବଳି ପ୍ରଥାର ଦୃଢ଼ ପ୍ରତିବାଦୀ। ସାତ୍ତ୍ୱିକ ଚେତନାରେ ଆସୁରିକ ପ୍ରବୃତ୍ତିର ସ୍ଥାନ ନାହିଁ।
ମାଆ ଦୁର୍ଗାଙ୍କୁ ତ ଆମେ ଜଗତଜନନୀ କହି ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ଜନନୀ ଭାବରେ ପୂଜା କରୁଛୁ। ଯିଏ ସଭିଙ୍କର ମାଆ ସେ କଣ କେବେ ନିଜ ସନ୍ତାନ ସନ୍ତତି ମାନଙ୍କର ବଳି ଚାହିଁବେ? ନିଜକୁ ଜୀବ ଶ୍ରେଷ୍ଠ ବୋଲି ବିବେଚନା କରୁଥିବା ମଣିଷ ନିଜର ଜିହ୍ୱା ଲାଳସା ଚରିତାର୍ଥ କରିବା ପାଇଁ ସୃଷ୍ଟି କରିଛି ଏହି ବଳି ପ୍ରଥା। ସମସ୍ତ ଜୀବଙ୍କର ଯଦି ଜୀବନ ଗୋଟିଏ ଏବଂ ତାହା ପୁଣି ଈଶ୍ବରଙ୍କ ପ୍ରଦତ୍ତ, ତେବେ ଗୋଟିଏ ଜୀବ ଅନ୍ୟ ଗୋଟିଏ ଜୀବକୁ ନିଜର ସ୍ବାର୍ଥ ସିଦ୍ଧି ନିମନ୍ତେ କିପରି ଉତ୍ସର୍ଗ କରିପାରିବ ଭଗବାନଙ୍କ ନିକଟରେ? ଧର୍ମ, ସତ୍ଯ, ନ୍ଯାୟ ପୂଣ୍ୟର କଥା କହୁଥିବା ଏହି ମାନବ ସମାଜ କିପରି ବଳି ପରି ଏକ ବର୍ବର ମଧ୍ୟଯୁଗୀୟ ପ୍ରଥାକୁ ସମର୍ଥନ କରି ପାରିବ? ନିଜର ମନ୍ଦ ସ୍ଵଭାବ ଏବଂ ଅହଙ୍କାରକୁ ବଳି ଦେବା ପରିବର୍ତ୍ତେ ନିରୀହ ନିର୍ବାକ୍ ପ୍ରାଣୀ ଓ ପକ୍ଷୀମାନଙ୍କୁ ବଳି ଦେଇ ସେମାନଙ୍କ ମାଂସ ଭକ୍ଷଣ କରିବା ପାଇଁ ଏହି କୁତ୍ସିତ ପ୍ରଥାର ପ୍ରଚଳନ। ଆଜି ବି ଅନେକ ସ୍ଥାନରେ ଖୁଲମଖୁଲା ଚାଲିଛି ବଳି କେବଳ ମଣିଷର ଜିହ୍ୱା ଲାଳସା ଚରିତାର୍ଥ କରିବା ପାଇଁ।
ଏଇ ମହାନ ସଂସ୍କୃତି ସଂପନ୍ନ ଭାରତବର୍ଷର ମାଟିରେ ଧର୍ମ ନାମରେ ଚାଲିଥିବା କୁତ୍ସିତ କାରବାର ଏବଂ ବଳି ପ୍ରଥାକୁ ବିରୋଧ କରିବା ପାଇଁ ଦିନେ ମହାପୁରୁଷ ଗୌତମବୁଦ୍ଧ ଅବତାର ଗ୍ରହଣ କରିଥିଲେ। ମହାବୀର ଜୈନ ଧର୍ମର ପ୍ରଚାର କରି "ଜୀବେ ଦୟା" ମହତ୍ ବାର୍ତ୍ତା ଦେଇଥିଲେ। କିନ୍ତୁ ଆମେ ଆଜିର ମଣିଷ ଆପଣାକୁ ତଥାକଥିତ ଆଧୁନିକ ବୋଲାଇ ମଧ୍ଯ ଜୀବ ବଳି ପରି କୁତ୍ସିତ ପ୍ରଥାକୁ ପ୍ରୋତ୍ସାହିତ କରିଚାଲିଛୁ ଆପଣାର ଜିହ୍ୱା ଲାଳସା ଚରିତାର୍ଥ କରିବାକୁ। ବିଭିନ୍ନ ବ୍ଯକ୍ତି ବିଶେଷ ଏହି ବଳି ସପକ୍ଷରେ ଅନେକ ବିତଣ୍ଡା ଯୁକ୍ତି ଉପସ୍ଥାପନ କରନ୍ତି। ଯଦି ଦଶହରାରେ ମାଆ ଦୁର୍ଗାଙ୍କ ନିକଟରେ ବଳି ଦେବା ଅତ୍ୟନ୍ତ ଅପରିହାର୍ଯ୍ଯ ତେବେ ନିଜର ଆସୁରିକ ପ୍ରବୃତ୍ତି, ଅହଙ୍କାର ଓ ଯାବତୀୟ ମନ୍ଦ ସ୍ୱଭାବକୁ ବଳି ଦେବାର ଆବଶ୍ୟକତା ରହିଛି।
