ବଳବାନ କିଏ?
ବଳବାନ କିଏ?


ରତନପୁର ବୋଲି ଗୋଟିଏ ବଡ ଗାଁ ଥିଲା। ଗାଁର ଲୋକ ସଂଖ୍ଯା ପାଞ୍ଚ ହଜାର ଉପରେ। ଗାଁ ରେ ଧନୀ, ଗରିବ, ମଧ୍ଯମ ବର୍ଗ, ନିମ୍ନ ମଧ୍ଯଭିତ ପ୍ରତ୍ଯେକ ପ୍ରକାରର ଲୋକ ବାସ କରୁଥିଲେ। ସରକାରୀ ଚାକିରିଆ ଠାରୁ ଆରମ୍ଭ କରି ବେସରକାରୀ ଚାକିରିଆ, ଦିନ ମଜୁରିଆ ଠାରୁ ଆରମ୍ଭ କରି ବ୍ଯବସାୟୀ ପର୍ଯ୍ଯନ୍ତ ସବୁ ପ୍ରକାର ଜୀବନ ଜୀବିକା ଗ୍ରହଣ କରି ନିଜ ନିଜର ଦୈନନ୍ଦିନର ତେଲ ଲୁଣ ସଂସାରରେ ଖୁସିର ସହ ରହୁଥିଲେ। ଗାଁଟି ଜାତୀୟ ରାଜପଥ କଡରେ ଥିବାରୁ ବ୍ଯବସାୟୀମାନେ ଭଲ ଦୁଇ ପଇସା ଲାଭବି ପାଉଥିଲେ।
ମାତ୍ର ସେହି ଗାଁରେ ଗୋଟିଏ ଏମିତି ପରିବାର ରହୁଥିଲେ ଯେଉଁ ପରିବାରର ଲୋକମାନଙ୍କୁ ପ୍ରାୟ ଗାଁର ଅଧିକାଂଶ ଲୋକ ଭୟ କରୁଥିଲେ। କାରଣ କଥା କଥାରେ ମାଡପିଟ୍ କରିବା, ହଣାକଟା କରିବା ସେହି ପରିବାର ପାଇଁ କିଛି ବଡକଥା ନୁହେଁ। କେବଳ ସେତିକି ନୁହେଁ ମଝିରେ ମଝିରେ ଗାଁ ବଜାରରୁ ଦାଦା ବଟି ମଧ୍ଯ ଆଦାୟ କରିବାକୁ ପଛାନ୍ତିନି ସେ ପରିବାରର ଲୋକମାନେ। ସେ ପରିବାରରେ ବାପାକୁ ଛାଡିଲେ ଆଉ ପାଞ୍ଚ ପୁଅ ମଧ୍ଯ ଥିଲେ। ବାପା ଭାରି ନୀରିହ କିନ୍ତୁ ପୁଅମାନେ କୃରତାର ସବୁ ସୀମାକୁ ଅତିକ୍ରମ କରିବାକୁ ମଧ୍ଯ ପଛାନ୍ତି ନାହିଁ। ମନେ ରାମଙ୍କ ଓୌରଷରୁ ରାବଣ, କଂସ, କୁମ୍ଭକର୍ଣ୍ଣ ଭଳି ରାକ୍ଷସ ଜନ୍ମ ହୋଇଛନ୍ତି କହିଲେ ଭୁଲ ହେବନାହିଁ। ବାପା ବି ବୁଢା ହେଇଗଲେଣି ତେଣୁ ପୁଅମାନେ ଆଉ ତାଙ୍କ ଆୟତରେ ନାହାଁନ୍ତି। ତେଣୁ ସେ ବି ଏବେ ନିରୁପାୟ। ଆଖପାଖ ଅଞ୍ଚଳରେ ସେମାନେ ମଙ୍ଗରାଜ ପରିବାର ନାମରେ ପରିଚିତ।
ଗାଁ ବଜାରରେ ସନା କକା ଏକ ଛୋଟ ପରିବା ଦୋକାନ ଦେଇ ସେଥିରୁ କରୁଥିବା ରୋଜଗାରରେ ନିତ ପରିବାରକୁ କଷ୍ଟେମଷ୍ଟେ ଚଳାଉଥିଲେ। କକାଙ୍କର କେବଳ ପାଞ୍ଚଟି ଝିଅ। ସେଥିରୁ ଦୁଇଜଣଙ୍କୁ କକା ନିଜ ସାମର୍ଥ୍ଯ ଅନୁସାରେ ବାହା ଦେଇଛନ୍ତି। ଘରେ ଏବେ ତିନି ଝିଅ ଓ ସ୍ତ୍ରୀ। ପରିବାରର ରୋଜଗାରିଆ ଲୋକ କହିଲେ କେବଳ ସନା କକା। ଦିନେ ସେ ମଙ୍ଗରାଜ ପରିବାରର ସାନପୁଅ କାଲୁ ସନା କକାଙ୍କ ପରିବା ଦୋକାନରୁ ତିନି ବିଡା ଝୁଡଙ୍ଗ, ଦୁଇ ଫେଣା କଞ୍ଚା କଦଳୀ, ଛୁଇଁ କେଜିଏ କିଣିଲା। ମାତ୍ର କକା ତାକୁ ଯେବେ ଟଙ୍କା ମାଗିଲେ ସିଏ କହିଲା ଏବେ ନାହିଁ ପରେ ନେଇଯିବ।
ଏଇ ଭିତରେ ତିନି ଚାରି ମାସ ବିତିଗଲା। କାଲୁର ଆଉ ଦେଖା ପାଇଲେନି ସନା କକା। ଯଦିବି କେବେ ଦେଖନ୍ତି କାଲୁ ଏତେ ବ୍ଯସ୍ତଥାଏଯେ କକା ତାକୁ ଟଙ୍କା ମାଗି ପାରନ୍ତି ନାହିଁ। କିନ୍ତୁ ଆଜି ହଠାତ୍ କାଲୁ ସହ ସନା କକାର ସାମ୍ନାସାମ୍ନି ହୋଇଗଲା। ସନା କକା କାଳ ବିଳମ୍ବ ନକରି ବାକି ଟଙ୍କା ମାଗିଲେ। ଟଙ୍କା କଥା ଶୁଣି କାଲୁ ପଚାରିଲା କି ଟଙ୍କା? କକା କହିଲେ ଚାରିମାସ ତଳେ ପରିବା ନେଲୁ ଟଙ୍କା ମାଗିବାରୁ ପରେ ଦେବୁ ବୋଲି କହିଲୁ। ହେଲେ ଆଜିଯାଏଁ ଦେଉନୁ। କାଲୁ କହିଲା କି ପରିବା? ମୁଁ ତୋ ପାଖରୁ କିଛି ପରିବା ନେଇନି ତ? ସନା କକା କହିଲେ ଆଉ କଣ ମୁଁ ଏଇ ବୁଢା କାଳକୁ ମିଛ କହି ତୋ ପାଖରୁ ପଇସା ନେବାକୁ ଚେଷ୍ଟା କରୁଛି? ଏମିତି କଥା ହେଉ ହେଉ ଉଭୟଙ୍କ ମଧ୍ଯରେ କଥା କଟାକଟି ଆରମ୍ଭ ହୋଇଗଲା। ଯୁକ୍ତିତର୍କ ଏତେମାତ୍ରାରେ ବଢିଗଲା ଯେ କଥା ହାତା ହାତି ହେବା ପର୍ଯ୍ଯନ୍ତ ଚାଲିଗଲା। କାଲୁ ବହୁତ ବଳବାନ ଥିଲା। ବଳିଷ୍ଠ ଶରୀର। ସନା କକାଙ୍କ ଗଳାରୁ ଧରି ଉପରକୁ ଟେକି ପିଚୁ ରାସ୍ତା ଉପରେ କଚାଡି ଦେଲା। ରାସ୍ତା ଉପରେ କଚାଡି ହୋଇ ପଡିଗଲେ ସନା କକା। ବଳରେ ତ କାଲୁକୁ ସନା କକା ପାରିବା ସମ୍ଭବ ନୁହେଁ ଠିକ୍ ଏଇ ସମୟରେ କକାଙ୍କ ହାତରେ ପଡିଗଲା ଏକ ପଥର। ସେଇ ପଥରରେ କାଲୁକୁ ମାରିବା ପାଇଁ କକା ଉଠେଇନେଲେ। ହେଲେ କାଲୁ ସେଇ ପଥରକୁ କକା ହାତରୁ ଛଡେଇ ନେଇ କକାଙ୍କ ଚନ୍ଦା ମୁଣ୍ଡକୁ ବହୁତ ଜୋରରେ ଦୁଇଥର ପିଟିଦେଲା। କକାଙ୍କ ମୁଣ୍ଡଟା ଫାଟି ଧାରଧାର ରକ୍ତ ବୋହିବାରେ ଲାଗିଲା। କକା ନିଜର କାନ୍ଧରେ ପଡିଥିବା ତଉଲିଆରେ ମୁଣ୍ଡକୁ ବାନ୍ଧିଦେଲେ। ଆଉ ମେଡିକାଲ ନେବାପାଇଁ ବାଇକ୍ ଧରି ଠିଆ ହେଇଥିବା ଲୋକମାନଙ୍କୁ ଅନୁରୋଧ କଲେ। ଝଗଡା ସମୟରେ ଶହ ଶହ ଲୋକ ଠିଆ ହୋଇ ଦେଖୁଥିଲେ ସିନା କିନ୍ତୁ ନା କେହି ଝଗଡାକୁ ରୋକିବାକୁ ପ୍ରୟାସ କରୁଥିଲେ ନା କେହି କାଲୁକୁ ବିରୋଧ କରୁଥିଲେ। କକା ଯେମିତି ସାହାଯ୍ଯ ମାଗିଛନ୍ତି ବାଇକ୍ ଧରି ଠିଆ ହୋଇଥିବା ସତୁରି ପ୍ରତିଶତ ଲୋକ କିଛି ନଜାଣିଲା ପରି ନିଜ ନିଜ ବାଟରେ ଚାଲିଗଲେ। ଠିକ୍ ଏଇ ସମୟରେ ଦେବଦୂତ ସାଜି ଜଣେ ଯୁବକ ବାଇକରେ ଆସି କକାଙ୍କୁ ଡାକ୍ତରଖାନା ନେଇଗଲେ। କାଲୁ ସେଇ ବାଇକ ପଛରେ ନିଜ ବାଇକ ଧରି ଦୃତଗତିରେ ପଳେଇଗଲା। କାଲୁ ଯିବାପରେ ନୀରବ ଦ୍ରଷ୍ଟା ସାଜିଥିବା ଲୋକ ତା' ପଛପଟେ ତାର ନିନ୍ଦା ଓ କକାଙ୍କ ପ୍ରଶଂସା କରିବାରେ ଲାଗିପଡିଲେ। ଯାହା ଆଜିକାଲି ସମାଜର ଏକ ନିତିଦିନିଆ ଘଟଣା।
କିନ୍ତୁ ଦୁଇମିନିଟ୍ ପରେ ଯେଉଁ ଦିଗରେ କକା ଡାକ୍ତରଖାନା ଓ ତାଙ୍କ ପଛେପଛେ କାଲୁ ଯାଇଥିଲା, ସେହି ଦିଗରୁ ଆସୁଥିବା ଜଣେ ଲୋକ କହିଲେ ଏଇ ପାଖରେ ଗୋଟିଏ ଲୋକର ଦୁଃର୍ଘଟଣା ହୋଇଯାଇଛି । ବୋଧେ ଲୋକଟା ମରିଯାଇଛି। ଏହା ଶୁଣିବା ପରେ ଆଶା ଓ ଆଶଙ୍କା ସହ ଲୋକମାନେ ସେହି ଦିଗରେ ଦୌଡିବାକୁ ଆରମ୍ଭ କଲେ। କିଛିବାଟ ଗଲାପରେ ଦେଖିଲା ବେଳକୁ ରାସ୍ତା ମଝିରେ ରକ୍ତ ଯୁଡୁବୁଡୁ ହୋଇ କାଲୁ ପଡିଛି। ଆଖପାଖରେ କୌଣସି ଗାଡି ନଥିଲା। ଦୁଃର୍ଘଟଣା କେମିତି ହେଲା କେହି କିଛି ବୁଝିପାରୁ ନଥାନ୍ତି। କେହି ଜଣେ ଶହେଆଠ ନମ୍ବରରେ କଲ କରି ଆମ୍ବୁଲାନ୍ସ ଡାକିଦେଲା। ଆମ୍ବୁଲାନ୍ସ ଆସି କାଲୁକୁ ଡାକ୍ତରଖାନା ନେଇଗଲା। ଲୋକମାନଙ୍କ ମନରେ କିନ୍ତୁ ଯେମିତି ଗୋଟେ ଅଜବ ଖୁସିର ଲହରି ଖେଳିଯାଇଥିଲା। ଡାକ୍ତର କାଲୁ କୋମାରେ ଥିବା ଘୋଷଣା କଲେ। କେବେ ସେ ଠିକ୍ ହେବ ତାହା କହିବା ସମ୍ଭବପର ନୁହେଁ।
ତେବେ ଏଠି ପ୍ରକୃତରେ ବଳବାନ୍ କିଏ? ରତନପୁର ଗାଁର ପ୍ରତ୍ଯେକ ଲୋକ ନା ମଙ୍ଗରାଜ ପରିବାର ନା ସନା କକା ନା କାଲୁ ନା ଭଗବାନ ନା ସମୟ? ନିର୍ଣ୍ଣୟ ଆପଣମାନଙ୍କର। ତଥାବି ଆପଣମାନଙ୍କ ଉତ୍ତର ଅପେକ୍ଷାରେ ରହୁଛି, ନମସ୍କାର।