Lopamudra Parida

Abstract Drama Inspirational

3  

Lopamudra Parida

Abstract Drama Inspirational

ବିସ୍କୁଟ

ବିସ୍କୁଟ

5 mins
240



ଖରାଛୁଟିଦିନିଆ ଗାଁ କୁ ଗଲେ ସରଗରେ ପହଞ୍ଚିଲାମିତି ଭାବ ହୁଏ ।ତାଟ ଶଗଡ ଝୁଲା, ଗଛଡାଳି ଦୋଳି, ଠୁ କୋଉଠୁ କୋ' ଯାଏଁ ଖାଲି ମହକଭରା ମଉଜ ।ପାଠସାଠ କୁଆଡେ ହଜେ ମା' ଗଙ୍ଗେଇ ଙ୍କୁ ଜଣା ।ଜେଜୀ ଆମ ଦିହରେ ମାଛି ବସେଇ ଦିଏନି ।କୁଆଁ ବାଛୁରୀ ଆମକୁ ମାଜେଜୀ ସରାଗ କରିବା ଦେଖିଲେ ଆଢି ପାତେ ।ଆମେ ଗୋଡେଇ ଗଲେ ଫକୁ ଫକୁ ଡିଆଁ ମାରେ ।

"ଐସା କରେଙ୍ଗା, ତୈସା କରେଙ୍ଗା

ସିପାହୀ ଦେଖତେ ଭାଗ୍ ଯାଏଙ୍ଗା " ।

କହି ଚିଡଉ ତାକୁ ତାଳି ମାରି ମାରି ।ସବୁଠୁ ମଜାକଥା ବୋଉ ଆମକୁ ଗାଁ ରେ କିଛି କହେନି ।ଯେତେ ପଙ୍କ ହୁଅ, ଗୋଡି ପଶୁ କି ଗେଣ୍ଡା କାଟୁ। ,ପଡ ଯେତେ ,କି ବେଲେ ଖଟା ଖା କିଛି କହେନି ।ସେ ଦୃଷ୍ଟି ରୁ ଗାଁ ଟି ସରଗ ନୁହଁ କି !

ହେଇ ସେଦିନ ଫାକୁ, ଆମ କଅଁଳ ଚାନ୍ଦ ବାଛୁରୀ ପିଠିରେ ଆମ ମାମୁଲୁ ଚେପାଚିକୁଠୁ ଦେଖିଶିଖି ଓଲଟା ପଟିଆ ବସି ତା ଲାଞ୍ଜ ଟାଣିଦେଲା, ତୁରନ୍ତ ତୁରଗ ତାର ସଲାମୀ ଦେଲା କି ନେଇ ଫୋପାଡିଲା ଛେଚି କଚାଡି ପାଳଗଦାଠି ।ଗୋବର କୁଟା ଭୁତ ହେଇ ସିଏ ଭେମ୍ବାରଡି ପକେଇ କାନ୍ଦନ୍ତେ ବୋଉ ଖାଲି କାଖେଇ ନେଇ ଧୋଇ ଶୁଖେଇ ଦେଲା ନାଉ ,ଖୋବିଲା କି ଖବିଶିଆ କୁ ! ନା ।ନିଜେ ପଛେ ବହେ କାନ୍ଦିଲା ।

ଖରାଛୁଟି ସରିଲା, ବହନ୍ତେ କନ୍ଦାକଟା ସାରି ଆମେ ଲେଉଟାଣି ଓଳିକି କରି କରି ଆସନ୍ତେ ଚେପାଚିକୁ (ତା ନାକ ଟା ଥାଳି ପଛପଟିଆ ପିଟାହେଇ ଚେପେଟିଛି ବୋଲି ଲୋକମତ, କିଏ କିଏ ତାକୁ ନେପାଳ ରାଜପୁତ୍ର ଭାବେ ମଧ୍ୟ ଅଭିହିତ କରିଥାନ୍ତି) କାନ୍ଥ କଡ ଝିଟିପିଟି ପରି ଲଥ୍ କିନା ବଡ ପିଣ୍ଢା ରେ ଲେଥେରି ପଡି ଗୀତ ଗାଇଲାମିତି ଲହରେଇଲା ସୁର ।ମୁଁ ଆଉ ମାମୁଲୁ ଯାଇ ପଚାରିଲୁ, 'କିରେ କଣ ? କାଇଁ ହାଉଳିଲୁ? ଆର ଥର କୁ ଆସିଲା ବେଳେ ତୋ ପାଇଁକି କଣ ଆଣିବୁ କହ ।' ସିଏ ଅନ୍ଦି ସନ୍ଦି ଚାହିଁ କୋକନ୍ଦି ମୋକନ୍ଦି କୁ ସେଇଠି ଥାପି କହିଲା ' ବିସୁକୁଟୁ' ଯାହା ଅଗରେ କି ଭିତେରେ କମଳା ମିଠା ନାଗିଥବ ।

ଆମେ କଟକ ଫେରିଆସିଲୁ ।କଟକ ରେ ସେବେ ସାଇକେଲ ପଛରେ ବଡ ଦସ୍ତା ଚାରିକୋଣିଆ ବର୍ଗାକାର ବାକ୍ସରେ ବିଭିନ୍ନ ପ୍ରକାର ପ୍ରକାର ବିସ୍କୁଟ ବିକ୍ରି ଆସେ ।ମୁଣ୍ଡ ଟେକି ପାଦ ଟେକି ଚାହିଁଲେ ହି ଦିଶନ୍ତି ସେମାନେ ।

ଏତେ ପ୍ରକାରେ ଥାଏ ଯେ ଜଣେ ଦେଖି ଦେଖି ତା 'ପେଟ ପୁରି ଯିବ ଆଗେ .......ନଡିଆ ବିସ୍କୁଟ,ଅଣ୍ଡା ବିସ୍କୁଟ,କଳାଜୀରା ବିସ୍କୁଟ, ଲୁଣି ବିସ୍କୁଟ, ଚାହାବୁଡା ବିସ୍କୁଟ, ଜିଭ ବିସ୍କୁଟ ଠୁ ଚେରି ବିସ୍କୁଟ ଯାଏ ।ପ୍ଯାକେଟ ବିସ୍କୁଟ ର ଯୁଗ ନଥାଏ ।ବିସ୍କୁଟବାଲା ଟି ବି ବଢିଆ ।ବଢିଆ ହସେ, ବଢିଆ ଗାଏ ।ଗୀତ ଗାଇ ଗାଇ ଟିଣ ବଜେଇ ବଜେଇ ଏକଜୁଟ କରେ ପିଲାଙ୍କୁ ।ଅଧିକା କି ଜଣକା ଗୋଟିଏ ଚେରି ବିସ୍କୁଟ ଜାଚି ଦିଏ ।ପରେ ତାର ସାଇକେଲ ଛାଡି କାଚ ଗାଡି କରିଥିଲା, ଯୋଉଥିରୁ ବିସ୍କୁଟ ମାନେ ବାହାରକୁ ଦିଶନ୍ତି ।ହାତ ଠାରନ୍ତି ।

ମୋ ମନରେ ଚିକୁ ପାଇଁ ବିସ୍କୁଟ ନବା କଥା ଟି ଠାକି ଥାଏ । ସିଏ ଆଉ ଦିନେ କହୁଥିଲା ତାର ଭାରି ରୁଟି ଖାଇବାକୁ ମନ ।ରୁଟି ଟା ସିଏ ଶୁଣିଛି ହେଲେ ଦେଖିନି କି ଚାଖିନି ..... ଖାଲି ଯାହା ଶୁଣିଛି ।ପଡିଶା ଘର ସନାଦାଦାଘର ନୂଆ ଖୁଡି କାଳେ ପାକିଟିଟେ ଅଟା ଆଣିଥେଲା ଜୌତୁକରେ ଯେ ଶିଖିଥିବା ରୁଟି ଚୁଲିରେ ସେକି ସେକି ,ରୁଲୁବାଡିରେ ବେଲି ବେଲି କରିଥିଲା .... ସଟ୍ କି ନା ସରିଗଲା ତା ' ଭାଗରେ ଗୋଟା ଦେଖିବାକୁ ବି ନଥିଲା ..... ପବନରେ ଉଡି ଉଡି ଖବର ଖାଲି ପହଞ୍ଚି ଥିଲା ବାସନା ଯାଗାରେ ।ସେଇ ନୂଆ ଖୁଡି ବିସୁକୁଟୁ ବି ଆଣିଥିଲା .... ବଣ୍ଟା କୁଣ୍ଟା କୁ ନିଅଣ୍ଟ ଅଧଡିବାରେ, ଦାନ୍ତ ରେ ଚେନାଏ ବାଜିଥିଲା ଯାହା ।ପିଲାଙ୍କ ଠି ଏତେ ଫାନ୍ଦଫିକର ନଥାଏ ବୋଲି ସେମାନେ ସରଗଜୀବ ।ତା' ବୋଉ ର କୁହୁଳିଆ ଲୁହ ଧୁଆ ଆଖି ଦିଟା ଜଳାଖିଡିକି ପଛୁ ମୋ ପିଲା ନଜରରୁ ବର୍ତ୍ତି ପରିନଥିଲେ ,ମନଟା ପାଣିଆ ଧରିଥିଲା ସେଦିନ ।

ବୋଉ ମାନେ କେତେ ସରାଗ କଲେ ବି ବେଳେ ବେଳେ ପିଲାଙ୍କ ଅଳି _ଇଛ୍ଛା ସରଗଚାନ୍ଦ ପରି ଲାଗେ ।ହାତ ପାଏ କି ?


ଭଗତପୁର ଆଗ ଛକକୁ ବାଁ ପଟିଆ ଗଳିଟାରେ ବିସ୍କୁଟ ତିଆରେ ବିସ୍କୁଟବାଲା ,ତା 'ଘର ସେଇଟା ।ସେଇଠି ତାର ମାଟିର କେତେ ପ୍ରକାରେ କଳକବଜା ଯୋଉଥିରେ ସିଏ ମନ୍ତ୍ର ଫୁଙ୍କି ମେଜିକ କରି ହରେକ ପ୍ରକାର ସୁଆଦିଆ ବିସ୍କୁଟ ତିଆରେ ।ମୁଁ ସାଇକେଲ ରଖି ତା'ଘର ଭିତରକୁ ଗଳିକି ଚାହିଁଲି ,ଦାଣ୍ଡ କବାଟ ମୁକୁଳା ଠା ଆଁ ମେଲା ଥିଲା ।କି ' ବାସ୍ନା ।ଆହାଃ ହାଃ ।ମିଠା ମିଠା ।

ପୁରା ଅଗଣା ରେ କେହି ନଥିଲେ ।ଛୋଟ ଛୋଟ ଉଚ୍ଚତା ବିଶିଷ୍ଟ ଲମ୍ବା ଲମ୍ବା ଚୁଲି ଭିତରୁ ସେ ମଧୁର ଭଜା ନଡିଆ ବାସ୍ନା ଖେଳୁଥିଲା ମାଟି ଅଗଣା ସାରା ।ମୁଁ ବିରାଡି ପରି ସିନା ପଶିଥିଲି ସେ ବାସ୍ନା ରେ ପାଶୋରି ଗଲି ସବୁ ।ପଛରୁ କାହା ଭାରିଭାରିଆ ପାଦ ଶବ୍ଦ ଶୁଣି ଡରରେ ଲୁଚି ପଡିଲି ସେଇ କୋଣ ଢାବଲ ପଛରେ ଆଖି ବୁଜି । ସିଏ କିନ୍ତୁ ମତେ ଦେଖି ସାରିଥିଲେ ,ଥିରିକି ଡାକି କହିଲେ, ବିସ୍କୁଟ ନବୁ? ସାଇକେଲ ଚାବି ପକେଇନୁ ଦାଣ୍ଡେରେ? କିଏ ନେଇ ଯିବନି! ମୋ ଚେତା ଫେରିଲା ।ହେ ହେ .... ଦୌଡିଲି ।ଏକା ଥରେ ଘରେ ।

ଉପରଓଳି ବିସ୍କୁଟବାଲା ଦାଦା ବଡ ପାଞ୍ଚ କିଲିଆ ଠୁଙ୍ଗା ରେ ଗରମ ଗରମ ସବୁ ପ୍ରକାର ବିସ୍କୁଟ ମିଶେଇ ଆଣି ଘରେ ଦେଇ ଗଲେ ।ମୁଁ ସୁନାପିଲା ପରି ବହିଧରି ବସିଥାଏ, କିନ୍ତୁ ଡରୁଥାଏ ବୋଉ ଆଗରେ ଏଇଲେ ଯଦି କହିଲେ ଇୟେ, ମଲି ।ସିଏ କିନ୍ତୁ ମତେ ଥିରିକି କହିଲେ, 'କମଳା କ୍ରିମଦିଆ ନୂଆ ବିସ୍କୁଟ ଆଣିଛି କୁନି ମା ,ଖାଇକି କହିବ କେମିତି ଲାଗିଲା ।'

ମୁଁ ଯାଇ ବୋଉ କୁ କହିଲି, ବୋଉ ଚେପାଚିକୁ ପାଇଁ ଏଇ ନୂଆ ବିସ୍କୁଟ ଟା ନେବାକି? ସିଏ ଖୁସି ହବ ।

ବୋଉ ମୋ ମୁଣ୍ଡ ଆଉଁସି ଦେଇ କହିଲା, "ତୁ ଆଗେ ତାକୁ ଖାଲି ଚିକୁ ବୋଲି ଡାକିବୁ, ତେବେ ନେବି ।ଯା ଏବେ ଗଣିତ ସାରେ ।ବାପା ଆସିଲେ ପଚାରିବେ ।"

ବିସ୍କୁଟ ଖଣ୍ଡେ ପାଟିରେ ନେଇ ମୁଁ ଫର୍ଦ୍ଦ ଉଡୁଥିବା ବହି ଆଡକୁ ମୁହେଁଇଲି ।

'ପିଲେ ନିଜକାମ ନିଜ ହାତେ କରିବା ଶିଖିଯାନ୍ତି ଯେତେ ଯେତେ ମା ଭିତରେ ଖାଲିପଣ ଟେ ଖୋଳି ହେଇ ହେଇ ଯାଏ ଭିତରକୁ ସେତେ ସେତେ ।ଭାରି କନଫୁଜିଆ ଜୀବଟିଏ ଏ ' ମା' ।କୋଳରେ ସାଇତିବାକୁ ମନ ,ଏଣେ ଆକାଶରେ ଉଡେଇ ଦବାକୁ ବି ।ପିଲେ ବଡ ହେଲେ, କାଳିଆ ଘୋଡାରେ ଚଢିଲେ, ମଧୁବାବୁ ସାଙ୍ଗେ ଲଢିଲେ..... ହେଲେ ମା ' କଲିଜାରୁ ଫାଳେ କଟି ଧାର ବୋହିଲା, ଫାଳେ ହାଡ ଭାଙ୍ଗିଗଲା, କ୍ଷତ ବିକ୍ଷତ ହେଇ ସବୁ ଲୁଚେଇଦେଲା ..... ହସିଦେଇ ଅକ୍ଷତ ରଖିଲା ପିଲାଙ୍କୁ ।ତାରି ପିଠିରେ ପାଦ ଦେଇ ଦେଇ ଘା ' ...... ସିଏ କିନ୍ତୁ ତୁଠପଥର ।ତେଲୁଣିପୋକ ପରି ଚାରେଣି ବୁଲେଇ ଚେକା ପକେଇ ଦେଇ ନିଥର ।


ଏବେ ସେଇ ଚେପାଚିକୁ .... ସରି ,ସରି କାନ ମୋଡା ଖାଇଲିନି ଲୋ ମା ' ଆଉ ବୟସ ନାହିଁ ।ଖାଲି ଚିକୁ ।ହେଲା ।ବୋଉ ଠୁ କାନ ମୋଡା ଖାଇବାର କିଛି ବୟସ ସୀମା ନଥାଏ ଯେ ହେଲେ ବୋଉ ଥିଲେ ତ ! ଛାଡ ! ହଁ ଚିକୁଟି ଏବେ ଆମର ଚିନ୍ମୟ ଦାସମହାପାତ୍ର, ଡେପୁଟି ସେକ୍ରଟାରୀ ରାଜଧାନୀର ସେକ୍ରେଟେରିଏଟ୍ ରେ ।ଭେଟ ହଉଥାଏ ତାର ମୋର ଅକାଳେ ସକାଳେ ।ଏକା ଗାଁ ର ବୋଲି କି ଏକା କୁଟୁମ୍ବ ର ବୋଲି ଯେତେ ନୁହେଁ କ୍ଯାପିଟାଲବାଲା ଆଉ ମୋର ଭଲ ଚାକିରୀ ଟିଏ ଅଛି ବୋଲି ସେତେ ।ବୋଧେ ମତେ ଲାଗେ ଏମିତି .......

ସେଦିନ ଚିକୁ ବୋଉ ଖୁଡିଙ୍କୁ ଚିକୁର ବଙ୍ଗଳାରେ ଦେଖି ଖୁସି ହେଇଗଲି ।କିନ୍ତୁ ଅଳ୍ପ ସମୟ ଆଗରୁ କିଛି ଗୋଟେ ଘୋଷା ଅପ୍ରୀତିକର କଥାଟେ ଘଟିଯାଇଥିଲା ବୋଲି ତାଙ୍କ ଆଖିର ର ଛଳଛଳ ପାଣି ତକ ଆଉ ଓଠରେ ଧରିରଖିବାକୁ ଚେଷ୍ଟା କରୁଥିବା ଆଉଟା ହସ ତକ ଏକାଠି ମିଶି କହୁଥିଲେ ।

ନୂଆ _ ପୁରୁଣା ଏକାଠି ଥୋଇଲେ ଇ ଅଡୁଆ ।ଫିଟି ଦିଶିବନି ପରା ।

ମତେ ଦେଖି ସିଏ ଖୁସିଟାଏ ହେଇ ଡାକ ପକେଇ କହିଲେ, ' ଆରେ ଚିକୁ ,ବୋହୁକୁ କହ ମୀତୁ ଆସିଛି ।ଚାହା ବିସ୍କୁଟୁ ଦିଟା ଆଣୁ ।'

ଆମ ଚେପାଚିକୁ ଫଟ୍ କି ଚଇଟିଚିକଣ ଟାଇ ଟାକୁ ସଜପଟା ହେଇ ଟାଣୁ ଟାଣୁ କହିଲେ, ଆ ଲୋ ବୋଉ ଆଜି କାଲି ଆଉ କିଏ କଣ ସେ ସବୁ ........... ସିଏ କଣ କୁକୁର ଯେ ବିସ୍କୁଟ ଖାଇବ ?

ଏକ ରକମ ଅଟ୍ଟହାସ୍ଯ କଲା ପରି ଶୁଭିଲା ତା ଅଲଣିଆ ହସଟା ।

ତେବେ ଖୁଡି ମତେ ତୁନି ତୁନି କି କହିଲେ,

ତୋର ମନେ ଅଛି ଟି କମଳା ରସ ଦିଆ ବିସ୍କୁଟୁ ବରାଦ କଥା । କେମିତି ନାକଆଖି ଲୁହ ସିଙ୍ଘାଣୀ କରି ମାଗୁଥିଲା ସେଦିନ ? ''

ମୁଁ ମୁଣ୍ଡ ଟୁଂଗାରି କହିଲି –

ପିଲାଦିନ କୋଉ ପାଶୋରି ହୁଏ ଯେ' ଖୁଡିମା ...?



Rate this content
Log in

Similar oriya story from Abstract