ବିଶ୍ୱାସ (ଅଣୁ ଗଳ୍ପ )
ବିଶ୍ୱାସ (ଅଣୁ ଗଳ୍ପ )
ସେଦିନ ଥିଲା କାର୍ତ୍ତିକ ପୁର୍ଣିମା l ଶୀତୁଆ ସକାଳ l ରବିବାବୁ ତାଙ୍କ ବଡ଼ ପୁଅ ବାହାଘର ପାଇଁ ଝିଅ ଦେଖିବାକୁ ସପରିବାର ସହିତ ଗୋଟିଏ ବୋଲେରୋରେ ବାହାରିଗଲେ l
ମନରେ ଅନେକ ଆଶା ଆଉ ସପନ l ଯାହା ହେଉ ଏତେଦିନ ପରେ ତାଙ୍କ ଭାଗ୍ୟ ଫିଟିଲା l
ହଠାତ କେଉଁଠି ଥିଲା ସେ କାଳୀ ବିରାଡ଼ିଟା ଯେ ଧମକିନା
ତାଙ୍କ ବୋଲେରୋ ଆଗରୁ ଦୌଡ଼ି ଯାଇ ରାସ୍ତାର ଆରପଟେ ହାଜର l
ଏତିକିରେ ରବିବାବୁ ଚମକି ଯାଇ ଗାଡିର ବ୍ରେକ ଦେଇଦେଲେ l
କହିଲେ, ଗଲା, ସବୁ ସରିଗଲା l ଏତେ ଦିନର ପରିଶ୍ରମ ସବୁ ଶୁଖୁଆ ପୁଡ଼ାରେ ଗଲା l
ଠିକ ତା ପର ମୁହୂର୍ତ୍ତରେ ତାଙ୍କ ଗାଡ଼ିକୁ ଗୋଟେ ଦଶଚକିଆ ମାଲବାହି ଟ୍ରକ ଅଗପଟୁ ଧକ୍କା ଦେଇ ଚାଲିଗଲା l
ତାଙ୍କ ବୋଲେରୋ ର ଅଗପଟ ପୁରା ଚେପଟା ହୋଇଗଲା l ଆଉ ରବିବାବୁଙ୍କ ମୁଣ୍ଡରେ ଵି ଶକ୍ତ ଆଘାତ ଲାଗିଲା l
ଦିନ ଥିଲା ସୋମବାର l ଶୀତୁଆ ସକାଳ l
ରବିବାବୁ
ଗାଧୋଇ ସାରି ପୂଜା କରିବାକୁ ପ୍ରସ୍ତୁତ ହେଉଥାଆନ୍ତି l
ଠିକ ଏତିକିବେଳେ କେଉଁଠି ଥିଲା ଗୋଟେ କାଳୀ ବିରାଡ଼ି
ଧମକିନା ତାଙ୍କ ଆଗରୁ ଦୌଡ଼ି ଯାଇ ଚଉଁରାମୂଳେ ଲଥକିନା ବସିପଡିଲା l
ରବି ବାବୁ ରାଗ ତମ ତମ ହୋଇ କହିଲେ,
ବାଡ଼ିପୋଡା, ରହ ଆଜି ତୋତେ ଦେଉଛି ପାନେ l
ଏତିକି କହି ସେ ତାଙ୍କ ଲାଠି ଧରି ତାକୁ ବାଡେଇବା ପାଇଁ ଗଲାବେଳେ ହଠାତ ତାଙ୍କ ମୋବାଇଲ ଫୋନ ରିଂ ହେଲା l
ଫୋନ ଉଠାଇ ହେଲୋ କଲେ ରବି ବାବୁ l
ଆରେ ରବି, ମୁଁ ଶ୍ୟାମ କହୁଛି l congratulations . ତୋର ପ୍ରମୋସନ ହୋଇ ଯାଇଛି l ଆଜି ସକାଳେ ବଡ଼ବାବୁ ମୋତେ ଫୋନ କରି ଜଣାଇଲେ l ଆଉ କେମିତି ଅଛୁ କହ..
ରବି ବାବୁଙ୍କୁ ଆଉ କିଛି ଶୁଭୁ ନ ଥିଲା l
ସେ ଖାଲି ସେ ଦିନର କାଳୀ ବିରାଡ଼ି ଆଉ ଆଜିର କାଳୀ ବିରାଡ଼ି ଭିତରେ ଥିବା ପାର୍ଥକ୍ୟ ବିଷୟରେ କିଛି ବୁଝି ପାରୁ ନ ଥିଲେ l