Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Parameswar Ojha

Abstract Others


3  

Parameswar Ojha

Abstract Others


ବିରହ

ବିରହ

6 mins 5 6 mins 5

ଦିନେ ନୁହଁ ମାସେ ନୁହଁ ବର୍ଷ ନୁହଁ ଲଗାତାର ଚାରିବର୍ଷ ବାହାରେ ରହିବା ପରେ ଘରକୁ ଫେରିଛନ୍ତି ସ୍ବାମୀ ।ଚାରିବର୍ଷ ଭିତରେ ଥରଟିଏ ବି କଥା ହୋଇନି ତା ପ୍ରିୟ ସ୍ବାମୀ ସହ ସିମାନୀ । କାରଣ ସ୍ବାମୀ ତାର‌ ବହୁତ ଶାନ୍ତ ଶିଷ୍ଟ ଆଉ‌ ଅଳ୍ପ ବହୁତେ ଚାଲାକ ଚତୁର ବିଚକ୍ଷଣ , ସେ ମୋବାଇଲ ବ୍ୟବହାର କରନ୍ତିନି । ଚାରିବର୍ଷ ହେଲାଣି ବହୁତ ଛାଟିପିଟି ହୋଇ ରହିଛି ସିମାନୀ । 


ପଡିଶା ଘର ସୁକ ଦାଦା ଠୁଁ ଜାଣିବାକୁ ପାଇଲା ସେମାନେ ସବୁ କାଲିଠୁ ବାହାରି ଆସିଛନ୍ତି ବସ୍ ରେ । ଆସିଲେ ପଞ୍ଚାୟତ ଅଫିସ୍ ନ‌ହେଲେ ସ୍କୁଲ ଘରେ ରହିବେ ସମସ୍ତେ ପନ୍ଦର ଦିନ , ତା ପରେ ଘରକୁ ଫେରିବେ । ସିମାନୀ ର ଖୁସି କେତେ କଣ ମନ କହୁଛି ଏବେ ଦୌଡ଼ି ଚାଲି ଯାଆନ୍ତା କି ସେଇ ‌ବସ୍ ପାଖକୁ । ତା ପ୍ରିୟ ସ୍ବାମୀ ଙ୍କୁ ଆଖି ପୁରେଇ ଦେଖି ନିଅନ୍ତା । କିଛି ଦିନ ପରେ ଗାଁ ରେ ଖବର ପହଞ୍ଚିଲା , ବସ୍ ଆସି ଏବେ ପହଞ୍ଚିଛି ପଞ୍ଚାୟତ ଅଫିସ୍ ପାଖରେ । ସିମାନୀ ର ମନ ଅଥୟ ଅଧିର , ବ୍ୟାକୁଳ । ପାଦ ଯୋଡିକ ପଞ୍ଚାୟତ ଅଫିସ୍ ଆଡେ ଚାଲି ଯିବାକୁ ତତ୍ପର । ହେଲେ ଶାଶୁଘର ଗାଆଁ ରେ ବୋହୂ ର ମାନ କମିଯିବ ଯେ , ଏମିତି ଅଲାଜୁକ କାମ କଲେ । କଣ କରିବ ? କେମିତି ରହିବ ଧୈର୍ଯ୍ୟ ଧରି ସିମାନୀ ?


ଗାଁ ଶେଷ ମୁଣ୍ଡରେ ପ୍ରିୟତମ ଅଥଚ ସେଠି ଯାଇ ତାଙ୍କ ମୁହଁ ଦେଖିବାକୁ ସିମାନୀ ନାଚାର । ଜଣ ଜଣ କରି ସାତ ଆଠଟା ପିଲାଙ୍କୁ ଚକଲେଟ ଖାଇବା ପାଇଁ ପଇସା ଦେଇକି ପଠାଇ ସାରିଲାଣି ସେ ।" ଏଇ ବୁଲୁ ଯାଆନି , ଦେଖିବୁ ତୋ ଦାଦା ଆସିଛି କି ନାହିଁ ?"


"ଏଇ ଲିପୁ , ଦେଖି ଆସିବୁ ଟି ତୋ ଦାଦା ଏବେ କେମିତି ଦେଖା ଯାଉଛି ?"

"ଏ ବୁନା , ତାଙ୍କ ପାଇଁ ସେଠାରେ ସବୁ ଖାଇବା ପିଇବା ବ୍ୟବସ୍ଥା ହେଇଛି ନାଁ ? ଭଲ କି ଦେଖି ଆସିବୁ "

"ଶୁଣୁ ପୁନୀ , ଦେଖିବୁ ତି ତୋ ରମୁ ଭାଇ କଣ ପିନ୍ଧିଛନ୍ତି , ସେଇ ତିଆରି ସାର୍ଟ ପ୍ୟାଣ୍ଟ , ନାଁ କିଣା ? ଆଉ ଚପଲ ଛାଡି ଏବେ ବୁଉଟୁ ପିନ୍ଧି ଲେଣି ନାଁ ନାହିଁ ? ଆଉ ଦେଖିବୁ, ଚୁଟି ଦାଢୀ ଭଲକି ସାଇଜ଼ କରି କାଟିଛନ୍ତି ନାଁ ନାହିଁ ? ବୋଧେ ଏ କୋରନା ରେ ସେ ଦାଢୀ ଚୁଟି ଭର୍ତ୍ତି ମୁହଁ ରେ ବାବା ଭଳିଆ ଦେଖା ଯାଉଥିବେ ? "


"ଆଉ ଶୁଣ ତମକୁ ଯଦି ଦେଖି ସେ ମୋ କଥା ପଚାରନ୍ତି , କହିବ ତାଙ୍କ ବାଟ ଚାହିଁ ବସିଛି "

"ଏମିତି କହିବ ନାଁ ? ହଁ କହିବ ,  ମନେ କରି କହିବ ସବୁ "

"ଏଇ ଶୁଣ ମନେ କରି କହିବ , ଦେଖି ଆସି ଖବର ଦେବ , ଆସିଲେ ଆଉ ପଇସା ଦେବି ଚକଲେଟ୍ ପାଇଁ, ବୁଝିଲ ... "


ଭଲ କି ବୁଝେଇ ସୁଝେଇ ଚକଲେଟ ଖାଇବାକୁ ପଇସା ଦେଇ , ପିଲା ମାନଙ୍କ ବାଟ ଚାହିଁ ବସିଲା ସିମାନୀ । କିନ୍ତୁ ଦିନ ଯାଇ ଦ୍ବିପହର ତାପରେ ସଂଧ୍ୟା ପରେ ରାତି ହୋଇଗଲା ହେଲେ ପିଲାମାନେ ଫେରିଲେନି ତା ପାଖକୁ କି କିଛି ଖବର ଦେଲେନି । ହୁଏତ ପିଲାମାନେ ତା ଠୁଁ ପଇସା ନେଇ ତାକୁ ଠକି ଦେଇଛନ୍ତି ନହେଲେ ସେମାନଙ୍କୁ ସେମାନଙ୍କ ବାପା ମା ଆକଟ କରି ପଞ୍ଚାୟତ ଅଫିସ୍ ଆଡ଼କୁ ଛାଡି ନାହାନ୍ତି ହୁଏତ ।


ହେଲେ ସିମାନୀ ମନ ହନ୍ତସନ୍ତ ହୋଇଯାଉଛି ବେଳକୁ ବେଳ , ତାକୁ କିଛି ଆଉ ଭଲ ଲାଗୁନି । ମନ କହୁଛି ସବୁ ଲାଜ ସରମ କୁ ଲୁଣୀ ନଦୀ କୁ ଫୋପାଡି ଦେଇ , କୋରନା ମହାମାରୀ ର ଭୟ କୁ ବେଖାତିର କରି ଦୈାଡି ଯାଆନ୍ତା କି ତା ପ୍ରିୟତମ ପାଖକୁ ଜଡେଇ ଧରନ୍ତା ଛାତିରେ , ଆଉ ମନଭରି ଦେଖନ୍ତା ଆଖି ପତା ନ ପକାଇ । ତାପରେ ଗାଁ ଲୋକ ମାନେ ତାକୁ ଘେରି ଯାଇ ନାନା ଗାଳି ମନ୍ଦ କରନ୍ତେ ଆଉ ସେ ଗାଁ କୁ ନ ଫେରିବା ପାଇଁ ଅଡି ବସନ୍ତେ । ସେଇ ଗାଳି ମନ୍ଦ ତା ସପକ୍ଷରେ ହୋଇ ଯାଆନ୍ତା , ଆଉ ସିମାନୀ ହସି ହସି ଚଉଦ ଦିନ ସ୍ବାମୀ ଙ୍କ ସାଙ୍ଗରେ ରହି ଯାଆନ୍ତା  ନିଜକୁ ଏଇ ପୃଥିବୀ ର ସବୁଠୁ ଅଧିକ ଖୁସି ପାଇ ଯାଇଥିବା ସୌଭାଗ୍ୟବତୀ ଟେ ଭାବି ।


ହେଲେ ସେମିତି ହେବା କଣ ସମ୍ଭବ ? ଏତେ ବଡ଼ ସାହସ ଟେ ସେ କଣ କରି ପାରିବ ? ସ୍ବାମୀ ପ୍ରେମ ଠାରୁ ଶାଶୁଙ୍କ ଅପମାନ ବଳି ପଡିବ । ଭଗାରୀ ମାନେ ଗଞ୍ଜଣା ରେ ମୁଣ୍ଡ ତଳକୁ କରିଦେବେ ସବୁଦିନ ପାଇଁ ।


"କି ଉପରମୁ‌ହିଁ ବୋହୂ ଆଣିଛ କି , ଦାଦା , ବଡାପା , ଦେଢଶୂର ଏସମସ୍ତ ଙ୍କ ସାମ୍ନାକୁ କେମିତି ଯେ ଚାଲିଗଲା !? ସବୁ ଲାଜ ସରମ କ'ଣ ଚୁଲି ରେ ପୋଡ଼ି ଖାଇଲାଣି ?ଗେରସ୍ତ ପ୍ରେମ କଣ ଏତେ ଉଛୁଳି ପଡ଼ିଲା ? ଛିଃ ..ଛିଃ .....ଛିଃ.... ଲାଜ ସରମ ଯାହା ନାଇଁ ମୁହଁ କୁ । ଆଉ କୋଉ ଝିଅ ମିଳିଲେନି କି ତମକୁ ? ଇ...ବା.. ରମୁ 

କୋରନା ପୁଅ ବିଦେଶ ରୁ ଧରି ଆସିଥିବ ଆଉ ତମେ ବୋହୂ କୁ ଲଗେଇ ଗାଁ ଟା ସାରା ମଡ଼େଇ ଦେବା ର ରେ ଲାଗି ପଡିଛ ଲାଗୁଛି ।


ଏମିତି କଥା ସବୁ ଶାଶୁଙ୍କ ପାଇଁ କେହି କହିଲେ ସିମାନୀ ସହି ପାରିବ ତ ? ଜିଇଁ ଥାଉ ଥାଉ ମରି ଯିବନି ସେ ?


ତଥାପି କଷ୍ଟ ଯନ୍ତ୍ରଣା କାହିଁ ରେ କେତେ କୌଣସି କାମରେ ଏବେ ମନ ବିଲକୁଲ ଲାଗୁନି । ଏକଦମ୍ ଚିଡି ଚିଡା ଲାଗୁଛି ସବୁ , ଭାତ ବସେଇ ଯାଉ କରି ଦେଉଛି ତ କେତେବେଳେ ତର୍କାରି ଦରଫୁଟା ଓହ୍ଲେଇ ଦେଉଛି , ଆଉ କେତେବେଳେ ତ ଅଗାଧୁଆ ଠାକୁର ପୂଜା କରି ପକଉଛି । ଗୋଟା ସୁଦ୍ଧା ପାଗିଳୀ ହୋଇ ଗଲାଣି ସିମାନୀ । କିଛି ମନେ ରହୁନି ମୁଣ୍ଡ ଠିକ୍ ସେ କାମ ଦେଉନି ତାର । ରାତି ସାରା ଉପର ଚାଳ କୁ ଚାହିଁ ଚାହିଁ ସରିଯାଉଛି । ଖାଇବା ପାଖରେ ଥୋଇ ନଖାଇ ବସିଥିବା ବେଳେ ରମୁ ବୋଉ ଯଦି ପଚାରି ଦିଅନ୍ତି ତ ସିମାନୀ ପାଟିରୁ ଆପଣା ଛାଏଁ ବାହାରି ପଡୁଛି ଏବେ "ବୋଉ , ସେ ପରା ଖାଇ ନାହାନ୍ତି ମୁଁ କେମିତି ଖାଇବି ଯେ ?"


ରମୁ ବୋଉ ଆଖି ବି ଓଦା ହୋଇଯାଏ ବୋହୂର ଏ ଅବସ୍ଥା ଦେଖି । ମନେ ମନେ ଭାବନ୍ତି ବହୁତ ଛଟ ପଟ ହେଲାଣି ଛୁଆଟା ରମୁ ବିନା ।

ଦିନ ଯାଇ ରାତି ଆସେ ପୁଣି ଦ୍ବିପ୍ରହର ପୁଣି ସଂଧ୍ୟା ପୁଣି ରାତି ସମସ୍ତ ଙ୍କ ପାଇଁ ପ୍ରାୟ ସମାନ ଥାଏ ଏ ସମୟ ବିତିବା ଟା କିନ୍ତୁ ସିମାନୀ ପାଇଁ ଏସବୁ ଅସହ୍ୟ ଯନ୍ତ୍ରଣା ଦେଉଥାଏ ବେଳକୁ ବେଳ । ତା ଭାବନା ଠାରୁ ବହୁତ ଦୂରରେ ରହୁଥିବା ତା ସ୍ବାମୀ ବାଟକୁ ସିନା ସେ କେବଳ ଚାହିଁ ବସୁଥିଲା , ହେଲେ ଏମିତି ହାତ ପାହାନ୍ତା ରେ ଥାଇ ବି ସେ ତାଙ୍କୁ ଦେଖି ପାରିବନି ! ପୁଣି ପନ୍ଦର ଦିନ ଅପେକ୍ଷା । ସ୍ବାମୀ ଙ୍କ ଅପେକ୍ଷା ରେ ସେ ଚାରି ବର୍ଷ ରହି ଯାଇଥିଲା , ହେଲେ ଏଇ ପନ୍ଦର ଦିନ ଅପେକ୍ଷା କରି ପାରୁନି ଜମା ସିମାନୀ । ଏଇ ପନ୍ଦର ଦିନଟା ତାକୁ ପନ୍ଦର ବର୍ଷ ପରି ଲାଗୁଛି ।

   

 ଚାରିଦିନ ବିତିଗଲା ସ୍ବାମୀ ଙ୍କ ଖବର ଟିକିଏ ବି ତା କାନରେ ପଡିଲାନି । ଗାଁ ରେ ସମସ୍ତ ଙ୍କ ବିରୋଧ , କେହି ବି ଘର ଲୋକ ଯିବେନି ତାଙ୍କ ସଂପର୍କୀୟ ମାନଙ୍କ ପାଖକୁ , ରୋଗ ଡେଇଁ ପାରେ । ତେଣୁ ଯିଏ ନୀୟମ ଉଲଂଘନ କରିବ ଗାଁ ତରଫରୁ ତାକୁ କଠୋର ଦଣ୍ଡ ଦିଆଯିବ ।


କାହା ପାଖରୁ ଶୁଣିଥିଲେ ଶାଶୁ , ସେ କହୁଥିଲା , ରାମୁ ର ଦେହଟା ଭଲ ନାହିଁ ଥଣ୍ଡା କାଶ ସହ ପ୍ରବଳ ଜ୍ବର କାଳେ ତାକୁ , ଆଗ ଅପେକ୍ଷା ବହୁତ ଝଡି ଯାଇଛି ଦୁର୍ବଳ ଦିଶୁଛି । ଏତିକି କଥା ଶୁଣି ସିମାନୀ ଖାଲି କାନ୍ଦୁଛି ଯେ କାନ୍ଦୁଛି ଶାଶୁ ଯେତେ ବୁଝାଇଲେ କିଛି ଶୁଣୁନି ରାଣ ନିୟମ ପକାଇବାରୁ ଯାଇ କଣ ଦିଇଟା ଖାଇକି ଶୋଇଛି । ଦିନରୁ ରାତି ଯାଏ ଶାଶୁ ଆଉ କିଛି କହିଲେନି ବୋହୂ କୁ , ରୋଷେଇ ବାସ ନିଜେ ସବୁ କଲେ ଛୁଆ ଟା ଶାନ୍ତି ରେ ଶୋଉ ଟିକେ ଏଇଆ ଭାବି ।


ସିମାନୀ ଏତେ ରାମୁ ବିଷୟରେ କଣ ଭାବୁଥିଲା କେଜାଣି ଦିନ ରାତି ତକିଆ ଭିଜେଇ ଚାଲିଥିଲା ଲୁହରେ , ଛାତି ଭିଜେଇ ସାରିଥିଲା କୋହରେ । ଆଉ ସମ୍ଭାଳି ପାରିଲାନି ନିଜକୁ ଯେତେ ଚେଷ୍ଟା କରିବା ପରେ ମଧ୍ୟ । କଣ କରିବ କଣ ନ କରିବ କିଛି ସ୍ଥିର କରି ନପାରି ଶେଷରେ ମନରେ ସାହସ ବାନ୍ଧି ରାତି ଦୁଇ ସାଢେ ଦୁଇ ଟା ବେଳକୁ ବାହାରକୁ ଗୋଡ଼ କାଢିଲା ସିମାନୀ ।


ଭୁତ ଡରରେ ଛାଇ ଦେଖି ହାଉଳି ଖାଇ ବେହୋସ୍ ହେଉଥିବା ପିଲାଟା ଏତେ ସାହସ କୋଉଠୁ ପାଇଲା କେଜାଣି , ସେ ନିଜେ ବି ଜାଣିନି ।  ଲୁଚି ଲୁଚି ଦାସ ସାହି ବାଡି ପଟେ

ପଟେ ଚାଲିଲା , ଦୂରରୁ କୁକୁର ଙ୍କ ଭୁକିବା ଶବ୍ଦ ଶୁଭୁଛି ମନରେ ଡର କୁକୁର ଙ୍କ ପ୍ରତି , ତଥାପି ମନ କୁ ଦୃଢ କରି ଚାଲିଲା । ଶେଷରେ ସ୍କୁଲ ଛକ ପାଖରେ ପହଞ୍ଚିଗଲା । ଫାଙ୍କା ଯାଗାଟେ ସ୍କୁଲ ଛକ ଟା , ତଥାପି ସ୍କୁଲ ପାଚିରି କଡେ କଡେ ଚୁପି ଚୁପି ଗଲା ବେଳେ ହଠାତ୍ କୋଉଠି ବୁଲା କୁକୁର ପୁଳେ ଥିଲେ କେଜାଣି ଭୋ ଭୋ ହୋଇ ଦୌଡ଼ି ଆସିଲେ ତା ଆଡକୁ ସେ ହାଉଳି ଖାଇ ପାଚିରି ଉପରେ ଚଢ଼ି ଗଲା ଗୋଟେ କୁଦା ରେ । ସେମିତି ଭୁକି ଚାଲିଥିଲେ ଅନବରତ କୁକୁର ଗୁଡା । ସିମାନୀ ଏଥର ପାଚିରି ଉପରେ ଖୁବ୍ ଶିଘ୍ର ଚାଲିବାକୁ ଲାଗିଲା , ଯେତେ ଶିଘ୍ର ଏମାନଙ୍କ ଠୁଁ ପିଛା ଛଡାଇବା ଦରକାର ନହେଲେ ବିପଦ ।  ଏଥର ପାଚିରି ସେପଟେ ସ୍କୁଲ ବାଡି ପଟକୁ ଗୋଟେ କୁଦା ମାରିଲା ସିମାନୀ । କୁକୁର ମାନେ କିଛି ସମୟ ଭୋ ଭୋ ହୋଇ ପୁଣି ଥମି ଗଲେ । ସେମାନେ ବି ଭୟରେ ବୋଧେ ଆସିଲେନି ଆଉ ପଛେ ପଛେ । ସ୍କୁଲ ବାଡି ଟପିବା ପରେ ସିଧା ଗୋଟେ ନାଲି ଗୋଡ଼ି ଫାଙ୍କା ରାସ୍ତା ଗୋଟେ କିଲୋମିଟର ହେବ ତାପରେ ଯାଇ ପଞ୍ଚାୟତ ଅଫିସ୍ । ଆଉ କୈାଣସି ବାଡି ରେ ଛପି ଛପି ଯିବାର ମାଧ୍ୟମ ନାହିଁ । କାହିଁକି ନା ଦୁଇ କଡେ ଖାଲି ଚାଷ ଜମି , ଧାନ ପରେ ଏବେ ମୁଗ ବି ସରିବା ଉପରେ  , ଏଥର ଫାଙ୍କା ରାସ୍ତା ରେ ନ ଚାଲି ସିମାନୀ ରାସ୍ତା କଡକୁ ଖସି ବିଲେ ବିଲେ ଆଗକୁ ବଢିଲା ।ପନ୍ଦର କୋଡ଼ିଏ ମିନିଟ୍ ପରେ ଆବଡା ଖାବଡା ବିଲ ରାସ୍ତା ପାରି ହୋଇ ଯେତେବେଳେ ଯାଇ ପଞ୍ଚାୟତ ଅଫିସ୍ ପାଖରେ ପହଞ୍ଚିଲା । ସେତେବେଳେ ହତାସ୍ ହେଲା । ପଞ୍ଚାୟତ ଅଫିସ୍ ସାମ୍ନାରେ ଦୁଇଟି ପୋଲିସ୍ ପହରା ଦେଉଥିଲେ ।


ଯଦି ତାକୁ କେ ଦେଖି ଦିଅନ୍ତି ତ କଥା ସରିଲା , ତେଣୁ କୌଶଳ କରି ପଞ୍ଚାୟତ ଅଫିସ୍ ପାଚିରି ପାଖରେ ପହଞ୍ଚି ଡୁଙ୍ଗିଲା ଭିତରକୁ ଚାରି କଡ ଲାଇଟ୍ ଜଳୁଛି ବେଶ୍ ସଫା ସୁତୁରା ଜାଗା ହୋଇଛି । କିନ୍ତୁ ସବୁ ଘର ବଖରା କବାଟ ଭିତର ପଟୁ ବନ୍ଦ ହୋଇଛି । ତଥାପି ଅପେକ୍ଷା କଲା କିଏ କାଳେ ବାହାରକୁ ଉଠିବ , ତା ପ୍ରିୟତମ ସ୍ବାମୀ ବି ଉଠି ପାରନ୍ତି , ଉଠି ପାରନ୍ତି କଣ ଉଠିବେ ନିଶ୍ଚୟ ସେ ତାଙ୍କୁ ଦେଖିକି ହିଁ ଯିବ , ଏମିତି ନିଜକୁ ମନେ ମନେ ସାନ୍ତ୍ଵନା ଦେଉଥିବା ବେଳେ , ଆରମ୍ଭ ରୁ ତିନି ନମ୍ବର ଘରର କବାଟ ଖୋଲି ଥିଲା ଆଉ ତା ଭିତରୁ ପ୍ଲାଷ୍ଟିକ ବାଲଟି ଟେ ଧରି କେହି ଜଣେ ବାହାର କୁ ବାହାରିଲେ । ହୁଏତ ପାଇଖାନା ଯିବେ ସେଥିପାଇଁ , ଏଥର ସେଇ ପତଳା ଶରୀରର ମଣିଷ ଟି ବାଲଟି ଆଣି ଟିୟୁବଓ୍ବେଲ୍ ରେ ପାଣି ଭରିଲା, ପାଣି ବାଲଟି ଧରି ବୁଲି ପଡ଼ିଛି ତ ସିମାନୀ ଛାନିଆ ହୋଇଗଲା ଇଏ ତା  ସ୍ବାମୀ ନା ତାଙ୍କ ପରି ଦିଶୁଥିବା ଆଉ କିଏ ?

ଠିକ୍ ଏତିକି  ଭାବିବା ବେଳକୁ ହିଁ ପଛରୁ କାହାର ଆବାଜ୍ ଆସିଲା " କିଏ ସେଠି ?"


Rate this content
Log in

More oriya story from Parameswar Ojha

Similar oriya story from Abstract