ବିଜ୍ଞାନ ଭିତ୍ତିକ କାହାଣୀ
ବିଜ୍ଞାନ ଭିତ୍ତିକ କାହାଣୀ
ପିଲାଦିନେ ସମୁଦ୍ର କୂଳେ ବାଲିଘର କରି ଖେଳୁ ଖେଳୁ ଲହଡ଼ି ଆସି ଭସାଇ ନିଏ। ଅନୁଶୋଚନା ନଥାଏ। ତା ପରକୁ ପର ବାଲିଘର ଗଢା ଚାଲିଥାଏ। ସେତେବେଳେ ସମୁଦ୍ର କୂଳ ଖୁବ୍ ନହେଲେ ବି ଏତେଟା ଚଳଚଞ୍ଚଳ ନଥିଲା। ଘୋଡ଼ା, ଓଟ ପିଠିରେ ବସି ସମୁଦ୍ର ବାଲିରେ ଚାଲିବା ମଜା ନେବା ସମ୍ଭବ ନଥିଲା, ବରଂ ଛୋଟ ଛୋଟ ବାଲି କଙ୍କଡା ପଛେ ଧାଇଁବା, ସିପ, ଶାମୁକା ସଂଗ୍ରହ କରିବାର ମଜ୍ଜା ନିଆରା ଥିଲା। ଯୁଗ ବଦଳିଛି। ସମୁଦ୍ର କୂଳ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ।
ବାଲୁକା କଳକୃତିରେ ଚମତକୃତ ହୁଏ ମନ। ଲହଡ଼ି ଆସି କେବେ କେବେ ଧୋଇନିଏ ତ ଏଡେ ସୁନ୍ଦର ପରିଶ୍ରମ ଜନିତ କଳାକୃତି ଧୋଇ ଯାଏ। ବାଲୁକା ଶିଳ୍ପୀ ପୁଣି ଗଢେ ହେଲେ ତାହା ରହିପାରେ ନାହିଁ।କିଛି ସମୟ ବା ଘଣ୍ଟା ବା ଦିନ ବା ସପ୍ତାହେ ପରେ ପରେ ନଷ୍ଟ ହୋଇଯାଉଥିବାର ଦୃଶ୍ୟରେ ଜେଜେମା ଙ୍କ ସଙ୍ଗେ ଥିବା ନାତି ମନ ଖୁବ ଦୁଃଖ ହୁଏ। ଜେଜେମା ଯେତେ ବୁଝାନ୍ତି, ନାତି କୁନା ମନ ବୁଝେନା। ଜେଜେମାଙ୍କ ପିଲାଦିନର ସମୁଦ୍ର କୂଳ ଓ ଏବେର ପୁରୀ ସମୁଦ୍ର କୂଳ ଭିତରେ ବିରାଟ ପାର୍ଥକ୍ୟ ତ ଏଇ ବାଲୁକା ଶିଳ୍ପ କିନ୍ତୁ ଏହାର ସଂରକ୍ଷଣ କରାଯାଇ ପାରିବ ନାହିଁ। ବାଲୁକା ଶିଳ୍ପୀ ସୃଷ୍ଟି ନହେଲେ, ବାଲୁକା ଶିଳ୍ପ ମଧ୍ଯ ଉଜୁଡ଼ି ଯିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ଜେଜେମାଙ୍କଠୁ ଶୁଣି ମୁନା ଚିନ୍ତିତ ହୁଏ ତ ତା କଥା ଶୁଣି ଜେଜେମା କୁହନ୍ତି ତୁ ମନଦେଇ ପଢି ଦିନେ ବୈଜ୍ଞାନିକ ହୁଅ ମୁନା। ଆଉ ସେହି ବୈଜ୍ଞାନିକ ପଦ୍ଧତିରେ ବିଜ୍ଞାନର ଅଗ୍ରଗତି କରି ବାଲୁକା ଶିଳ୍ପର ସଂରକ୍ଷଣ ପାଇଁ କିଛି ରାସାୟନିକ ପଦାର୍ଥ ଉଦ୍ଭାବନ କରି, ବାଲିରେ ସେହି ରସାୟନ ପଦାର୍ଥ ମିଶାଇ, ସେହି କଳାକୁ ଯୁଗ ଯୁଗ ଧରି ରଖିବା ସହିତ, ସୁନାମ ଅର୍ଜନ କରିବୁ ମୁନା।
ସ୍ଵପ୍ନ ଦେଖେ ମୁନା। ବିଜ୍ଞାନ ପଢିବାକୁ ଭଲ ପାଏ। ସେଦିନ ଛାତ ଉପରେ ଜେଜେମାଙ୍କ ପାଖେ ଥିଲା ମୁନା ତ ଦେଖିଥିଲା ଗୋଟେ ଅପୂର୍ବ ଜିନିଷ। ଚଢେଇ ବସାଟିଏ । ନଡ଼ିଆ ତୋଳିଲା ବେଲେ ଭାଙ୍ଗିଯାଇ ତାଙ୍କ ଛାତରେ ପଡ଼ିଛି। ଜେଜେମା ଦୁଃଖ ପ୍ରକାଶ କଲେ ସେହି ଅଜଣା ପକ୍ଷୀ ଗୁଡ଼ିକଙ୍କ ପାଇଁ। ମୁନା କିନ୍ତୁ କହିଥିଲା ଦେଖ ଜେଜେମା, ପକ୍ଷୀମାନଙ୍କର ବିଜ୍ଞାନ କୌଶଳ ଦେଖ। କାଠି କୁଟା, ପତ୍ର ଇତ୍ୟାଦିରୁ କି ସୁନ୍ଦର ପକ୍ଷୀ ବସା। ଚମତ୍କୃତ ହେଲେ ଜେଜେମା।
ସେଦିନ ରାତିରେ ମୁନା ସ୍ଵପ୍ନରେ କଣ ସବୁ ଦେଖି ଉଠିପଡ଼ିଲା । ଜେଜେମା ମଧ୍ଯ ଉଠିପଡିଥିଲେ। ମୁନା କହିଥିଲା ପକ୍ଷୀମାନେ ଯୋଉ ରାସାୟନିକ ପଦାର୍ଥ ଦେଇ କାଠି କୁଟା କୁ ଯୋଡ଼ି ସୁନ୍ଦର ରୁପ ଦେଇ ପକ୍ଷୀବସା କରିପାରୁଛନ୍ତି, ସେହି ପରି କିଛି ରାସାୟନିକ ପଦାର୍ଥ ଉଦ୍ଭାବନ ହୋଇପାରିଲେ, ବାଲିରେ ମିଶେଇ ବାଲୁକା କଳା ଗଢି ତାକୁ ସ୍ଥାୟୀ କରି ରଖି ହୁଅନ୍ତା ନା ଜେଜେମା?? ଜେଜେମା ମୁନା ର ମୁଣ୍ଡ ଆଉଁସି ଦେଲେ। କହିଲେ ହଁ ଲକ୍ଷ୍ୟ ନେଇ ଯେ କୌଣସି କାମ କଲେ, ଶେଷ କିସାନଙ୍କ ଭଳି ବୈଜ୍ଞାନିକ ହୋଇ ପାରିବୁ ମୁନା। ପ୍ରଥମେ ଆଜି କଥା ଆଜି କର। ଭଲ ପାଠ ପଢି ରସାୟନ ବିଜ୍ଞାନ ପଢ଼ି ତୁ କିଛି ନୂଆ ବିଜ୍ଞାନ ନିଶ୍ଚୟ ସମାଜକୁ ଦେଇପାରିବୁ। ବାଲୁକା ଶିଳ୍ପ ସଂରକ୍ଷଣ ହେଉ ଅବା କିଛି ନୂଆ। ମୁନା ପୁଣି ଶୋଇଯାଇଥିଲା ଜେଜେମାଙ୍କ କୋଳରେ । ଜେଜେମା ଦେଖୁଥିଲେ ମୁନା ଭିତରେ ଭବିଷ୍ୟତର ବୈଜ୍ଞାନିକକୁ।
