ବିଦେଶିନୀ
ବିଦେଶିନୀ


ରାତିଟା ସେଦିନ ଯେମିତି ଉଗ୍ର ରୂପ ଧରିଥିଲା Iତୁହାକୁ ତୁହା ବର୍ଷା ସହିତ ବିଜୁଳି ଆଉ ଘଡଘଡି ସତରେ ସରଳ ଶାରଦୀୟ ରାତିଟିକୁ ହିଂସ୍ର କରି ଦେଇଥିଲା Iକିଂତୁ ଏସବୁକୁ ବାଜିମାତ କରି ସିଧା ରାସ୍ତାରେ ତେଢାମେଢା ହୋଇ ଚାଲି ଯାଉଥିଲା ସ୍ପନ୍ଦନ I ତାର ଅଭିମାନ ଭରା କଣ୍ଠ ସ୍ୱର ଏବଂ ଆଖିର ଲୁହକୁ ସିନା ଘଡଘଡି ଆଉ ବର୍ଷା ବାହାରକୁ ପ୍ରକାଶ କରେଇ ଦେଉ ନଥିଲେ, ହେଲେ ତା ହୃଦୟର କୋହରେ ସତେ ଯେମିତି ଭୂମିକମ୍ପ ସୃଷ୍ଟି ହେଉଥିଲା ଓଦା ମାଟିଟାରେ.
“ସ୍ମୃତି ତୁମେ କାହିଁ ନୁହଁ ଏକ ୱାନ ୱେ ଟ୍ରାଫିକ୍
କାହିଁକି ବନ୍ଦ ହେଉନି ଏବେବି ତୁମ ବିପ୍”
ମଦ ନିଶାରେ ଏମିତି ଅବାନ୍ତର କବିତା ଗାଉ ଗାଉ,ରାସ୍ତା କଡର ଏକ ଗଛ ଦେହରେ ପିଟି ହୋଇ ତଳେ ପଡି ଯାଇଥିଲା Iତଳେ ପଡୁ ପଡୁ ଏକ କୋମଳ ହାତ ବଢି ଯାଇଥିଲା ତା ଆଡକୁ I ସ୍ପଷ୍ଟ ନହେଲେବି ବୁଝି ହେଉଥିଲା ଯେ ସେ ଯୁବତୀ କହୁଥିଲେ, “ ବାପା ଠିକ୍ କହୁଥିଲେ,ଯିଏ ଆଜି ଯାଏ ନିଜକୁ ସମ୍ଭାଳି ପାରୁନି ସିଏ ମୋତେ କ’ଣ ସମ୍ଭାଳି ଥା’ନ୍ତା ?”
“ଶାଶ୍ୱତୀ ତମେ ?ତମେ ପରା ବିଦେଶିନୀ ସାଜି ଯାଇଥିଲ ?” ନିଶାରେ ଥିଲେବି ସ୍ପର୍ଶକୁ ଚିହ୍ନି ସାରିଥିଲା ସେ I
“ହଁ,ବିଦେଶିନୀ Iମଥାରେ ସିନ୍ଦୁରର ପାସ୍ପୋର୍ଟ ଆଉ ହାତରେ ଶଙ୍ଖାର ଭିସା ନେଇ ସବୁ ଝିଅତ ବିଦେଶିନୀ ସାଜି ଥାଆନ୍ତି Iମୁଁ କଣ ଏମିତି ଅପରାଧ କରିଥିଲି ଯେ ତମେ ପ୍ରଶ୍ନବାଚୀ ହୋଇ ଯାଉଛ ?
ଶାଶ୍ୱତୀର ହାତ ଧରି ଉଠିବା ବେଳକୁ ସ୍ପନ୍ଦନର ହାତଟା ତା’ର କଚଟୀରୁ ଖସି ଆଙ୍ଗୁଳିକୁ ପାର କରି ଯାଇଥିଲା Iକାରଣ ସ୍ପନ୍ଦନର ହାତକୁ ଗ୍ରୀପ୍ କରିବାକୁ ଶାଶ୍ୱତୀ ହାତରେ ତାର ସେ ଭିସା ଆଉ ନଥିଲା I
କଇଁ କଇଁ ହୋଇପିଲାଟି ପରି କାନ୍ଦିଉଠିଲା ସ୍ପନ୍ଦନ Iଶାଶ୍ୱତୀ ଆଉ ଥରେ ନିଜ ହାତ ବଢେଇ ଦେଉ ଦେଉ କହୁଥିଲା, “ ଆରେ କାହିଁକି କାନ୍ଦୁଛ ? ଯେତେବେଳେ ସୁଖଦେଶର ଭିସା ସରିଯାଏ,ସେତେବେଳେ ଈଶ୍ୱର, ମଣିଷକୁ ତା ନିଜ ଦୁନିଆଁକୁ ଫେରେଇ ନିଅନ୍ତି Iଏଇ ଦେଖ , ମୋ ଶ୍ରେୟାଂଶୁ ଚାଲିଯିବା ପରେ ବି ମୁଁ ତୁମ ପରି ଭାଙ୍ଗିନଯାଇ,ନିଜକୁ ସମ୍ଭାଳିନେଇଛି,ଆଉ ଯଦି ତୁମେ ଚାହିଁବ ତେବେ ତୁମକୁ ବି ସମ୍ଭାଳି ନେବାକୁ ମୁଁ ପ୍ରସ୍ତୁତ ଅଛି I
ଶାଶ୍ୱତୀର କଥା ଶୁଣୁଶୁଣୁ ସ୍ପନ୍ଦନ ଭାବିଚାଲିଥିଲା ସେଦିନର ସ୍ମୃତିକୁ ଯେଉଁଦିନ ଶାଶ୍ୱତୀ ସହ ତାର ଏମିତି ଏକ ଘଟଣାରେ ହିଁ ପ୍ରଥମ ପରିଚୟ ହୋଇଥିଲା Iଆଜି ଆଉ ସ୍ମୃତି ପ୍ରତି ତାର କୌଣସି ଅଭିଯୋଗ ନଥିଲା ।