ସନ୍ଦେହର ସେପାଖରେ
ସନ୍ଦେହର ସେପାଖରେ
ଅଫିସରୁ ଫେରି,ଘରେ କେହି ନଥିବାର ଦେଖି ଟିକେ ଭୟ ପାଇଗଲା ଋଷଭ । ଏମିତି ଏକ ଅସଙ୍ଗତ ପ୍ରସଙ୍ଗ ଉପରେ ଆଜି ସକାଳୁ ସକାଳୁ ପ୍ରିୟା ସହ ତାର ଝଗଡା ହୋଇଯାଇଥିଲା । ବାହାଘରର ଦୁଇ ବର୍ଷ ପରେ,ଆଜି ସେମାନଙ୍କ ମଧ୍ୟରେ ପ୍ରଥମ ଝଗଡା । ସତରେ,ସ୍ୱାମୀ ସ୍ତ୍ରୀ ଭିତରେ ଥିବା ସମ୍ପର୍କର ସ୍ୱାଦ କ’ଣ,ଆଜି ସିଏ ସଠିକ୍ ଭାବେ ବୁଝିପାରୁଥିଲା । ଦିନ ସାରା ସେ ଅଫିସରେ ଶାନ୍ତିରେ ବସି ପାରିନଥିଲା । ସେଇଥିପାଇଁ ଘଣ୍ଟାକ ପୂର୍ବରୁ ଘରକୁ ଫେରି ଆସିଥିଲା । କିନ୍ତୁ ଘରେ ପ୍ରିୟାକୁ ନଦେଖି,ସେ ଅସ୍ୱାଭାବିକ ହୋଇ ପଡିଥିଲା ।
ହଠାତ୍ ଟେବୁଲ୍ ଉପରେ,ପଙ୍ଖା ପବନରେ ଫଡ୍ଫଡ୍ କରୁଥିବା କାଗଜ ଖଣ୍ତେ ଦେଖି ସେ ଚମକି ପଡିଲା । କାଗଜଟିକୁ ଟାଣି ନେଇ ଉପରୁ ତଳ ଯାଏ ଏକା ନିଶ୍ୱାସରେ ପଢି ଚାଲିଲା । ତା’ ହାତରେ ଥିଲା ପ୍ରିୟାର ହାତଲେଖା ଚିଠି । ଚିଠିଟିକୁ ପଢିବାପରେ,ଠୋ ଠୋ ହୋଇ ହସି ଉଠିଲା ଋଷଭ । ମନରେ ଥିବା ଏକ ଅହେତୁକ ଖୁସି ତା ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପକେଟ୍ରୁ ମୋବାଇଲ୍ ଫୋନ୍ ବାହାର କରି, ଶିଖାକୁ ଫୋନକରି କହିଲା,”ହ୍ୟାଲୋ, ଶିଖା,ତୁମକୁ ଆଜି କହୁଥିଲି ନା,ସେଇଆ ହିଁ ହେଲା ,ଆଉ ଚୋରି ଚୋରି ନୁହେଁ,ଏଥର ଯାହା ହବ ଏକ୍ଦମ୍ ଖୋଲାଖୋଲି ଭାବରେ ହେବ । ଆମ ରାସ୍ତା ଏଥର ପୁରା ସାଫ୍ । କ’ଣ କହିଲ, ଡିଭୋର୍ସ?ସେ କଥା ପରେ ଦେଖିବାନି,ସେଇଟାବି ଏମିତି ହେଇ
ଯିବ । ”ଫୋନ୍ ରଖିବା ପରେ ସେଇ ଚିଠି ପଛରେ ନିଜେ କିଛି ଲେଖିବାକୁ ଲାଗିଲା । ଚିଠିଟିକୁ ପୁଣି ସେଇଠି ରଖି ଦେଇ,ସେ ବାହାରକୁ ଚାଲିଗଲା ।
ଆଖିରେ ଆଖିଏ ଲୁହକୁ ପୋଛୁ ପୋଛୁ ଆଲମିରା ପଛରୁ ବାହରିଆସିଲା ପ୍ରିୟା । ଛାତିଟା ତାର କମ୍ପି ଉଠୁଥାଏ । ଘୃଣା ଏବଂ ରାଗରେ ଯେମିତି ସେ ବେଲଗାମ ହୋଇଯାଉଥିଲା । ଚିଠିଟିକୁ ଟେବୁଲ୍ ଉପରୁ ଟାଣିଆଣି ପଢିବାକୁ ଚେଷ୍ଟାକରୁଥିଲା,”ତମେ ନିହାତି ପାଗେଳୀଟିଏ,ନହେଲେ ସେ ଆଲମିରା ପଛପଟେ ଲୁଚିଥା’ନ୍ତ? ଲୁଚିଲ ଯଦି ଡ୍ରେସ୍ ପିନ୍ଧି ଲୁଚିଲନି ?ଶାଢୀଟା ପିନ୍ଧିଚ ଯେ, ପଣତକାନିଟା ପରା ବାହାରକୁ ଦିଶୁଚି । ମୁଁ ଜାଣେ,ତମ ରାଗରେ ହିଁ ପ୍ରେମ ଲୁଚିଛି । ତମ ହସରେ,ତମ ରୁଷାରେ,ତୁମ ଭାଷାରେ ସବୁଥିରେ ଖାଲି ପ୍ରେମ,ପ୍ରେମ ଆଉ କେବଳ ପ୍ରେମ । ତମେ ଭାବିଛ ଏମିତି ଛୋଟଛୋଟ କଥା ଆମ ଭିତରେ ଥିବା ଭଲପାଇବାକୁ କମ୍କରି ଦେବ?ଆଖିରୁ ଆଗେ ଲୁହ ପୋଛ । ଆଇସ୍କ୍ରିମ ନେଇ ତଳ ପାର୍କରେ ତମକୁ ଅପେକ୍ଷା କରିଛି, ଜଲ୍ଦି ଆସିବ, ନହେଲ ଯଦି ଆଇସ୍କ୍ରିମ୍ ତରଳିବା ଆରମ୍ଭ କରିବ,ତାହେଲେ ଦି’ଟା ଯାକ ମୁଁ ଖାଇଦେବି । ” ହସି ଉଠିଲା ପ୍ରିୟା,କିନ୍ତୁ ବୋଲ ମାନୁ ନଥିଲେ ଆଖିର ଲୁହ । ସେଗୁଡିକୁସେମିତି ବହିବାକୁ ଛାଡିଦେଇ,ପ୍ରିୟା ଘର ତାଲା ଦଉଦଉ ମନେମନେ କହୁଥିଲା,”ଏକାଏକା ଭାରି ଖାଇଲା ବାଲା...,ଦେଖିବା କେମିତି ଖାଇବ?”