Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dillip Kumar Parida

Classics

3  

Dillip Kumar Parida

Classics

ଇଏ ବି ଏକ ପ୍ରେମର କହାଣୀ

ଇଏ ବି ଏକ ପ୍ରେମର କହାଣୀ

4 mins
605


ବାଲେଶ୍ୱର ଷ୍ଟେସନ୍ ରେ ଫାଲକ୍ ନାମା ଏକ୍ସପ୍ରେସ୍‍ ଅଟକିଗଲା ପରେ, ତରତର ହୋଇ ଚଢିଯାଇ ନିଜର ବର୍ଥଟି ଆବିଷ୍କାର କଲାପରେ ଯାଇ ମୋତେ ଟିକେ ଆଶ୍ୱସ୍ତି ଲାଗିଲା । କିନ୍ତୁ ଦେଖିଲି ମୋ ବର୍ଥରେ ଜଣେ ମହିଳା ଶୋଇ ଯାଇଛନ୍ତି । ଭଦ୍ରାମି ଦୃଷ୍ଟିରୁ ଡାକି ପାରୁନଥିଲେବି ମନେ ମନେ ଭାରି ରାଗ ଲାଗୁଥିଲା । କାରଣ ଟ୍ରେନରେ ଏହା ଏକ ନିତିଦିନିଆ ଘଟଣା ହୋଇଗଲାଣି । ରାଗକୁ ମନରେ ରଖି ଚୁପ୍‍ଚାପ୍‍ ସାମନା ସିଟ୍ ରେ ବସିପଡିଲି । ପାଖରେ ବସିଥିବା ଭଦ୍ରଲୋକ ଜଣକ କହିଲେ,”ସାର୍‍ ସେ ସିଟ୍‍ଟା ବୋଧହୁଏ ଆପଣଙ୍କର ? ଯଦି କିଛି ମନେ ନ କରନ୍ତି, ପ୍ଳିଜ୍‍ ଟିକେ ଉପର ସିଟରେ ଅ।ଡଜଷ୍ଟ କରିନେଲେ ଭଲ ହୁଅନ୍ତା । ସେ ମୋ ମିସେସ୍ । ପାଖରେ ଛୋଟ ପୁଅ । ତେଣୁ ଉପର ସିଟ୍‍କୁ..... ”ରାଗ ଲାଗୁଥିଲେ ବି କିଛି ଉତ୍ତର ନଦେଇ, ଚୁପ୍‍ଚାପ୍‍ ମୋ ବ୍ୟାଗଟିକୁ ଉପରେ ରଖିଦେଲି I ତାପରେ ସେ ଲୋକ ହାତ ବଢାଇ କହିଲେ,“ଥ୍ୟାକ୍ସ ସ।ର୍ I ମୁଁ ସୌରଭ ମିଶ୍ର I କଲିକତାରେ ଚାକିରି କରେ I ଘରକୁ ଫେରୁଛି I ଆପଣ?” ହାତ ମିଶାଇବା ପାଇଁ ଆଗ୍ରହ ନଥିଲେ ବି, ମିଶେଇ ଦେଇ କହିଲି, “ମୁଁ ସୂରଜ ସାମଲ I ହାଇଦ୍ରାବାଦରେ କାମକରେ I ସେଇଠିକୁ ଯାଉଛି I” ବାସ୍‍ ଚୁପ ହୋଇଗଲି I ଏତିକିବେଳେ ଛୋଟ ପିଲାଟିର କାନ୍ଦ ଶୁଣି ମହିଳା ଜଣକ ଉଠି ପିଲାଟିକୁ ଗେଲ କରିବାକୁ ଲାଗିଲେ I ହଠାତ୍‍ ମୋ ନଜରଟା ତାଙ୍କ ଉପରେ ପଡିଗଲା I ତାଙ୍କୁ ଦେଖି ମୁଁ ନିଜକୁ ଅଟକାଇ ପାରୁନଥାଏ I ଭାବୁଥାଏ ପଚାରି ଦେବି, ତୁ ସ୍ମିତା ତ?ତଥାପି ଅଟକି ଗଲି I ହେଲେ ଅମାନିଆ ଆଖି ଯୋଡିକ ବାରମ୍ବାର ତା’ରି ଆଡକୁ ଫେରି ଯାଉଥାଆନ୍ତି I

         ଇଞ୍ଜିନିୟରିଂରେ ମୋର ଦ୍ୱିତୀୟ ବର୍ଷ I ପ୍ରଥମ ବର୍ଷର ପିଲାଙ୍କ ସହ ପରିଚୟ ଆଦାନ ପ୍ରଦାନ କରିବା, ସେତେବେଳର ଏକ ମହୋତ୍ସବ ପରି ଲାଗୁଥିଲା ଆମ ମାନଙ୍କୁ I ସମସ୍ତେ ବ୍ୟାଗ୍ର ହୋଇପଡନ୍ତି ନିଜ ଅଞ୍ଚଳର ପିଲାଙ୍କ ସହ ପରିଚିତ ହେବାପାଇଁ I ମଞ୍ଚରେ ପରିଚୟ ପ୍ରଦାନ ଚାଲିଥାଏ I ସେତେବେଳକୁ ଆମେ ଚାରି ଜଣ ସାଙ୍ଗ ବୋର ହୋଇ ଯାଇଥିଲୁ I ଆମେ ଚେୟାର ଛାଡିଲାବେଳକୁ ମଞ୍ଚକୁ ଉଠିଲା ଏକ ସୁନ୍ଦର ତରୁଣୀ I “ନମସ୍କାର.......” କେବଳ ଏତିକି କହୁ କହୁ ଆମେ ସମସ୍ତେ ଚେୟାରରେ ପୁଣି ବସିସାରିଥିଲୁ I ତା କଣ୍ଠସ୍ୱରରେ ସତେ ଯେମିତି ଏକ ଯାଦୁ ରହିଥିଲା I “ମୁଁ ସସ୍ମିତା ଦାଶ I ପ୍ରଥମବର୍ଷ, ସିଭିଲ୍‍ ବ୍ରାଞ୍ଚ I” ଏତିକି କହି ମାଇକ୍‍ ରଖିଲା ବେଳେ ପଛରୁ ମୁଁ କହିଲି, “ଏ ସ୍ମିତା ଗୋଟେ ଗୀତ ଗା’ ଗୀତ I” “ଭାଇ ମୋତେ ଗୀତ ଗାଇ ଆସେନା I” ସିନିୟର ହିସାବରେ ଅପମାନ ଲାଗିଲା I ତେଣୁ ତାକୁ ପୁଣି କହିଲି, “ତାହେଲେ ତୋ ସ୍କୁଲ ପାର୍ଥନା ଗା’ I” ସେତେବେଳକୁ ସେ ପ୍ରାୟତଃ କାନ୍ଦି ସାରିଥିଲା I କିନ୍ତୁ ଆବୃତ୍ତି କରିଥିଲା ଏକ ସୁନ୍ଦର କବିତା I ଯାହର ଶେଷ ପଦଟି ଥିଲା, “ସସ୍ମିତା ମୁଁ ସହିପାରେ ସହସ୍ରାଶୁଂ ତେଜ.....I” ଆବୃତ୍ତି କରିବା ପରେ ପରେ ମଞ୍ଚରୁ ଓହ୍ଲାଇ କାନ୍ଦି କାନ୍ଦି ସିଧା ହଷ୍ଟେଲକୁ ଚାଲିଯାଇଥିଲା I ତା କାନ୍ଦ ଦେଖି, ମୁଁ ନିଜକୁ ଯେମିତି ଏକ ଅପରାଧି ଭଳି ଅନୁଭବ କରୁଥିଲି I ତା’ପର ଦିନ ତା କ୍ଳାସ୍‍ ଆଗରେ ତାକୁ ଅପେକ୍ଷା କରିଥାଏ କ୍ଷମା ମାଗିବାକୁ I କ୍ଳାସ୍‍ ସରିବା ପରେ ସେ ସିଧା ମୋ ନିକଟକୁ ଆସି କହିଲା, “ସୂରଜ ଭାଇ,ଆପଣ ବୋଧେ ମୋତେ ଅପେକ୍ଷା କରିଛନ୍ତି?” ତା କଥା ଶୁଣି ମୁଁ ଟିକେ ଅସଞ୍ଜତ ହୋଇ ପଡିଥିଲେ ବି କହିଲି, “ହଁ, ତତେ ହିଁ ଅପେକ୍ଷା କରିଛି Iକ୍ଷମା ମାଗିବାକୁ I ସତରେ କାଲି ତତେ ଗୀତ ଗାଇବାକୁ ବାଧ୍ୟ କରିବା,ମୋର ଉଚିତ ନଥିଲା I” ଟିକେ ହସିଦେଇ କହିଲା, “ଭାଇ ଛାଡନ୍ତୁ ସେ କଥା I ଆପଣ ମୋତେ ସ୍ମିତା ବୋଲି କାହିଁକି ଡାକିଲେ?” “ନା ଏମିତି I” “ଆଉ “ତୁ” ବୋଲିବି ସମ୍ବୋଧନ କଲେ?” “ ହଁ..,ଏଥିରେ ଅସୁବିଧା କ’ଣ ଅଛି?” “ନା ନା ଅସୁବିଧା ନୁହେଁ I ବରଂ ମୋର ସୁବିଧା ହୋଇଗଲା I ଏଠି ଆସୁ ଆସୁ ଜଣେ ବଡଭାଇଙ୍କୁ ପାଇଗଲି I” ସତରେ ତା କଥାରେ କି ଯାଦୁ ଥିଲା କେଜାଣି, ମୁଁ ସେଦିନ ତା ମମତାର ମଧୂ ବନ୍ୟାରେ ଭାସି ଯାଇଥିଲି I ପୁଣି ସେ ଆରମ୍ଭ କଲା, “ଭାଇ ଏତେ ପିଲା କାଲି ପୋଗ୍ରାମରେ ଥିଲେ, ସମସ୍ତେ ମୋତେ ତମେ ବୋଲି ସମ୍ବୋଧନ କରୁଥିଲେ Iସମସ୍ତେ ସସ୍ମିତା ବୋଲି ଡାକୁଥିଲେ I କିନ୍ତୁ ତମେ ଯେତେବେଳେ ସିଧା ସ୍ମିତା ଡାକିଲ I ଆଉ “ତୁ” ବୋଲି ସମ୍ବୋଧନ କଲ I ସେତେବେଳେ ଗୋଟିଏ ଝିଅ ହିସାବରେ ମୁଁ ତମକୁ ସେଇଠି ବୁଝି ଯାଇଥିଲି ଯେ, ତମେ କେତେ ଖୋଲା ହୃଦୟର ମଣିଷ I ଯାହା ମନରେ ସ୍ନେହ,ପ୍ରେମ ଅଛି ସତ, ହେଲେ ଆକର୍ଷଣ ନାହିଁ I କେବଳ ସେଇ ମାନେ ହିଁ ସରଳ ମଣିଷ ହୋଇ ପାରନ୍ତି,ଯାହାର ସ୍ୱର କଣ୍ଠରୁ ନୁହେଁ ହୃଦୟରୁ ବାହାରିଥାଏ I” ଏମିତି ଆରମ୍ଭ ହୋଇ ଯାଇଥିଲା ସ୍ମିତା ଆଉ ମୋ ଭିତରେ ସମ୍ପର୍କ I ଦୁନିଆ ନଜରରେ ଆମର ଏଇ ସମ୍ପର୍କର ରେଖା ଅବଶ୍ୟ ତିର୍ଯ୍ୟକ ହେଉଥିଲା ଧିରେ ଧିରେ I କିନ୍ତୁ ସେଥିପ୍ରତି ନା ଆମେ ଥିଲୁ ବ୍ୟସ୍ତ ନା ବିବ୍ରତ I ଗୋଟିଏ ପୁଅ ଆଉ ଗୋଟିଏ ଝିଅର ସମ୍ପର୍କ ଯେ କେବଳ ଏକ ପ୍ରେମିକ ଆଉ ପ୍ରେମିକା ଭିତରେ ସିମିତ ନୁହେଁ, ଏକଥା ବୁଝାଇବା ବା ବୁଝିବାର ବୟସ ହୁଏତ ସେତେବେଳେ ଆମ କାହା ଭିତରେ ନଥିଲା I କିନ୍ତୁ ଏକ ଭିନ୍ନ ନାମ କରଣ ନେଇ, ପ୍ରେମବି କରାଯାଇ ପାରେ, ଏକଥା ଆମ ସମାଜ ଏଯାଏ ଗ୍ରହଣ କରି ପାରିନି ବୋଲି ଆମେ ସ୍ପଷ୍ଟ ହୋଇଥିଲୁ ସେ ଯାଏ I ସ୍ମିତା ଆଉ ମୋର ସମ୍ପର୍କ କେବଳ କଲେଜ କ୍ୟାମ୍ପସ୍‍ ଭିତରେ ହିଁ ସିମିତ ହୋଇ ରହିଥାଏ I କାରଣ ସମ୍ପର୍କରେ ଯେତେ ପବିତ୍ରତା ଥିଲେ ମଧ୍ୟ,ଏକ ଝିଅକୁ ସେ ପବିତ୍ରତାକୁ ସମାଜ ଆଗରେ ବାରମ୍ବାର ପ୍ରମାଣ କରିବାକୁ ପଡିଥାଏ I ତେଣୁ ଆମ ସମ୍ପର୍କରେ ସଞ୍ଜମତା ରକ୍ଷା କରିବାକୁ ମୁଁ ଉଚିତ୍ ମନେ କରିଥିଲି I

          କେମିତି କେଜାଣି ତିନି ବର୍ଷ ବିତିଗଲା ଜଣା ପଡିଲାନି I ସେଦିନ ଆମେ ଘର ବାହୁଡା କରିବା ପାଇଁ କଲେଜ ବସରେ ବସିଥିଲୁ I କିଏ କାହାର ଅତି ଆପଣାର ମଣିଷକୁ ବିଦାୟ ଦେବା ପାଇଁ ମଧ୍ୟ, ସାଥିରେ ଥିଲେ କେତେଜଣ ଜୁନିୟର ପିଲା I ମୁଁ ସ୍ମିତା ସିଟ ପାଖରେ ଠିଆ ହୋଇ ଥାଏ I ମନରେ ଅନେକ କଥା ଥିଲେ ମଧ୍ୟ ଏତେ ପିଲାଙ୍କ ସାମନାରେ ହୁଏତ ସେ କହି ପାରୁନଥାଏ I କିନ୍ତୁ ଆଖିର ଲୁହକୁ ରୁମାଲରେ ପୋଛି ଚାଲିଥାଏ I ଶେଷରେ ଆମେ ଷ୍ଟେସନ ପାଖାପାଖି ହେବା ବେଳକୁ, ସେ ତା ରୁମାଲଟିକୁ ମୋ ପାଦ ତଳକୁ ପକାଇ ଦେଇଥିଲା ଆଉ ସେ ରୁମାଲକୁ ଉଠାଇବାର ବାହାନାରେ ମୋ ପାଦ ଧୂଳିକୁ ନେଇ ମୁଣ୍ତରେ ମାରିଥିଲା I ହୃଦୟରେ ଅନେକ ଆବେଗ ଭରି ରହିଥିଲେବି ନା ସେଦିନ ସେ କିଛି କହି ପାରିଥିଲା ନା ମୁଁ କିଛି ବୁଝେଇ ପାରିଥିଲି I ବାସ୍‍ ସେହିଦିନଠାରୁ ସ୍ମିତା ସହ ମୋର କୌଣସି ସମ୍ପର୍କ ନାହିଁ I ସେତେବେଳେ ଲ୍ୟାଣ୍ତଲାଇନ ଫୋନର ସୁବିଧା ଥିଲେବି ମୁଁ କେବେ ତା’ଘର ନମ୍ବର ମାଗିନି କି ସେ ମୋତେ ଦେଇନି I ଘରକୁ ଫେରିବା ପରେ ଅନେକ ଥର ଭାବିଛି ତାକୁ ଚିଠିଟିଏ ଲେଖିବି, ହେଲେ ପାରିନି I ତାର ଭଲ ଚିନ୍ତାକରି ଏକ ଅଜଣା ଭୟ ମୋତେ ବାରମ୍ବାର ଅଟକାଇ ଦେଇଛି Iତା ଘର ଏକ ରକ୍ଷଣଶୀଳ ପରିବାର I କାଳେ ମୋର ଆଉ ତା ସମ୍ପର୍କକୁ ନେଇ ସେମାନେ କିଛି ଅଲଗା ଅର୍ଥ ବାହାର କରିବେ I ଆଉ ଆମ ସମ୍ପର୍କର ପ୍ରକୃତ ଅର୍ଥ ବୁଝଉ ବୁଝଉ ସ୍ମିତା ଯଦି ତା ପରିବାରକୁ ସଠିକ ଭାବରେ ବୁଝାଇ ନପାରିଲା ତେବେ? ଏମିତି ଭୟକୁ ବା ପ୍ରାକ୍ଟିକାଲ ଜିନିଷକୁ ନଜରରେ ରଖି ନିଜ ମମତାକୁ ନିଜ ହୃଦୟ ଭିତରେ କବର ଦେଇ ଦେଇଥିଲି I ଆଉ ଏମିତି ପୂର୍ଣ୍ଣଛେଦ ପଡିଯାଇଥିଲା ଏକ ଶସ୍ତା(!) ପ୍ରେମକାହାଣୀର I

 

          ପାଖାପାଖି ଘଣ୍ଟାଏ ବିତି ଯାଇଥିଲା ୟା' ମଧ୍ୟରେ I ମୁଁ ଯେତେବେଳେ ନିଜର ଭାବନାରୁ ଅବସର ନେଇ ସେ ମହିଳା ମୁହଁକୁ ଦେଖିଲି, ସେ ବି ସେତେବେଳେକୁ ଭିଜି ସାରିଥିଲେ ଧାର ଧାର ଲୁହରେ I ମୋ ଆଡକୁ ଏକ କରୁଣ ନଜର ଦେଇ, ହଠାତ୍‍ ନିଜ ରୁମାଲଟିକୁ ମୋ ପାଦତଳେ ପକାଇ, ମୋ ପାଦଧୂଳି ନେଇ ମଥାରେ ମାରିବାବେଳେ ମୁଁ ଆଉ ନିଜକୁ ସମ୍ଭାଳି ପାରିନଥିଲି I ଖୁବ୍‍ ଜୋରରେ ତାକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି ଉଠିଥିଲି I ଏକଥା ଦେଖି ସୌରଭ କିଛି ବୁଝି ପାରୁଥିଲା କି ନା ଜାଣିନି I କିନ୍ତୁ ମୁଁ ମୋ ଭାଉଣୀର ମୁହଁକୁ ମୋ ଦୁଇ ହାତରେ ଧରି କହୁଥିଲି,” ଏ ସ୍ମିତା... ଗୋଟେ ଗୀତ ଗା’..ଗୀତ....II”        



Rate this content
Log in

More oriya story from Dillip Kumar Parida

Similar oriya story from Classics