STORYMIRROR

Siddhartha Sankar Tripathy

Abstract Romance Inspirational

3  

Siddhartha Sankar Tripathy

Abstract Romance Inspirational

ବିଛଣାରେ ରାତିଟିଏ

ବିଛଣାରେ ରାତିଟିଏ

5 mins
191


ବିଛଣା ସନ୍ତାନ ଉତ୍ପାଦନର ମାଧ୍ୟମ ନୁହେଁ, ମନର ମିଳନ।ବିଛଣା ସ୍ବପ୍ନର ନୁହଁ ସ୍ବପ୍ନକୁ ସତ୍ୟ କରିବାର ମାଧ୍ୟମ।ବିଛଣା ନୁହେଁ ମୁହଁ ମାଡି କାନ୍ଦିବାର ମାଧ୍ୟମ।ସ୍ବପ୍ନ ବେଳେବେଳେ ଆନନ୍ଦ ଦିଏ, ସ୍ବପ୍ନ ବେଳେବେଳେ ନିଦ ହଜେଇଦିଏ।

ସ୍ବପ୍ନ ମନୁଷ୍ୟକୁ ଖୁସିର ସାଗରରେ ଭସେଇ ଦିଏ। କ୍ଷଣିକ ପାଇଁ ହେଉ ପଛକେ। ମନରେ ଭରିଦିଏ ଅଫୁରନ୍ତ ଆନନ୍ଦ। ଅନାବିଳ, ଅନାସକ୍ତ ପ୍ରେମ ବିବାହ ପୁର୍ବରୁ ବହୁତ୍ ସୁନ୍ଦର, ଅବିସ୍ମରଣୀୟ।

କାହାଣୀକୁ ଯିବା।ପ୍ରତିମା ! ଏ ପ୍ରତିମା ! ବାହାର କବାଟ ବନ୍ଦ କରିଛ ?ମନେ ନାହିଁ , କହିଲା ପ୍ରତିମା।ଜିରୋ ପାୱାରବଲବ ଆଲୋକରେ ତାର ସ୍ବର୍ଣ୍ଣାଭ ମୁଖମଣ୍ଡଳର କାନ୍ତି ଖାଲି ଘର ସାରା ଆଲୋକିତ କରୁନଥିଲା, ମୋତେ ବି ବିମୋହିତ କରୁଥିଲା।


କଡଲେଉଟେଇ ମୋ ଆଡକୁ ମୁହଁକରି ଆରମ୍ଭ କଲା ପ୍ରତିମା , ନୂଆଁ ନୂଆଁ ବାହା ହୋଇ ଆସିଥିବା ସୁନ୍ଦରୀ ସ୍ତ୍ରୀ ପାଖରେ ଥାଇ ବି ଯେଉଁ ପୁରୁଷ ଅନ୍ୟ ଆଡ଼କୁ ମୁହଁ ଘୁରାଇ ଘୁଙ୍ଗୁଡ଼ି ମାରେ ସେ ପୁଣି ଏତେ ବର୍ଷ ପରେ କବାଟ ବନ୍ଦ କଥା ପଚାରୁଛି ? ଅବିଶ୍ବସନୀୟ ।


ମୁଁ ହସିଦେଇ କହିଲି, ନା ଶ୍ରୀମତି ! ଆଜିକାଲି ଚୋରିହାରି ଭୟ ତ ।ସାହିତ୍ୟରେ ଉତ୍ତେଜକଶବ୍ଦ ପଢ଼ି ଶରୀରରେ ଆଲୋଡନ ସୃଷ୍ଟି ହେଲା ପରି ମୁଁ କହିଲି, ହେଇଟି ଶୁଣୁଛ !ମନେ ପଡୁଛି ନା ଆମ ପ୍ରଥମ ସାକ୍ଷାତ !


ସେତେବେଳେ ସାହିତ୍ୟ ସାଧନାର ଏକମାତ୍ର ମାଧ୍ୟମ ପତ୍ର ପତ୍ରିକା। କୌଣସି ଅନାମଧେୟ ପତ୍ରିକାର ପୃଷ୍ଠା ମଣ୍ଡନ କରିଥିବା ମୋର ଲେଖାଟିଏ ସଂଯୋଗବଶତଃ ତମେ ପଢ଼ିନେଇଥିଲ । ତଳେ ମୋ ନମ୍ବର ଥିଲା।


ତମେ ଥିଲ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରୀ । ପ୍ରଥମ ମେସେଜ । ଆପଣଙ୍କ ଲେଖା ପତ୍ରିକାରୁ ପଢିଲି। ବହୁତ ଶିକ୍ଷଣୀୟ ଓ ଉଚ୍ଚକୋଟୀର । କିଛିକ୍ଷଣ ପାଇଁ ଛାତିଟା ନେପୋଲିଆନ ବୋନପାର୍ଟ ପରି ଫୁଲିଗଲା। ପରକ୍ଷଣରେ ତମ ପ୍ରଦର୍ଶିତ ଛବି ( DP) କୁ ନିରିଖେଇ ଦେଖି ଭାବୁଥିଲି କବିଙ୍କ କେଇପଦ ;


' ସୁନ୍ଦରେ ତୃପ୍ତିରେ ଅବସାଦ ନାହିଁ,

ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ।'

ସେଇ ସୁନ୍ଦର କବି କାହାପାଇଁ ବି ବର୍ଣ୍ଣନା କରିଥାଆନ୍ତୃ ,ମୋତେ ଲାଗୁଥିଲା ଏମିତି ସୁନ୍ଦରୀମାନଙ୍କ ପାଇଁ ବି ପ୍ରଯୁଜ୍ୟ।


ମନେମନେ ଭାବିଲି ଆରେ ଫୋଟୋ ତ ଦିନସାରା ଦେଖିହେବ ଝିଅଟିର ମନସ୍ତତ୍ତ୍ୱ ଜାଣିନେବା । ମୁଁ ପ୍ରତ୍ୟୁତ୍ତର ଦେଲି। ଚାଲିଲା ପରିଚୟର ଆଦାନପ୍ରଦାନ।


ମନେଅଛି ପ୍ରତିମା ! ମୋ ମନପବନରେ ତମ ପ୍ରେମର ଫଲଗୁ ଶରୀର ସାରା ପ୍ରବାହିତ ହେଉଥିଲା। ତମେ କିନ୍ତୁ ଅଜ୍ଞାତ ଥିଲ। ବହୁତଦିନ କଥାବାର୍ତ୍ତା ପରେ ତମକୁ ମୋର ପ୍ରଶ୍ନ ଥିଲା ,


ରାନୁ , ତମେ କାହାକୁ ପ୍ରେମ କରିଛ ? 

ମୁଁ ଜାଣେ ମଧ୍ୟବିତ୍ତ କନ୍ୟାଟିଏ ପ୍ରେମ କରିବା ପୁର୍ବରୁ ତା ଭାବିସ୍ଵାମୀର ଅସ୍ପଷ୍ଟଛବି ମନରେ ଘୁରି ବୁଲୁଥାଏ। ମୋ କଥାକୁ ଭୁଲ୍ ପ୍ରମାଣିତ କରି ତମେ କହିବସିଲ, ହଁ ମୁଁ ପ୍ରେମ କରିଥିଲି।


ରାନୁ ! ସେଦିନ ମୋତେ ଲାଗୁଥିଲା ଯେମିତି ମୋ ବସିଥିବା ଚୌକିଟି ଘୁରି ବୁଲୁଥିଲା। ମୁଁ ଜାଣି ପାରୁଥିଲି ତମକୁ ମୁଁ ପ୍ରେମ କରି ବସିଥିଲି। ନହେଲେ ତମେ ପ୍ରେମ କରିଛ ଶୁଣି ମୁଁ କାହିଁକି ବ୍ୟସ୍ତ ହୋଇପଡ଼ିଥାଆନ୍ତି ?


ମନଟା ଅମ୍ବୁଲ ଖାଇଲା ପରି ଖଟା ଲାଗୁଥିଲା କିନ୍ତୁ ଯୁବକ ମନ । ମନେ ପଡ଼ିଗଲା, *ଖାଲି ଚୌକିରେ ବସିବା ସୁବିଧାଜନକ । ବସିଥିବା ଚୌକିରୁ ଉଠେଇ ନିଜେ ବସିବା ମରଦପଣିଆ*।


ଆରମ୍ଭ କଲା ରାନୁ ;

କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ପ୍ରେମ ନିବେଦନ କଲା ଆମ ଗାଆଁ ଟୋକା ସମୀର। ଦୁହେଁ ଗୋଟିଏ କଲେଜରେ ପଢୁଥିଲୁ। ପ୍ରେମର ସଂଜ୍ଞା ନଜାଣି ମୁଁ ପ୍ରେମରେ ପଡ଼ିଯାଇଥିଲି। ଗାଆଁ ପାଖ ପୋଖରୀର ଘାସଗାଲିଚା ଉପରେ ବସି ଗପିବା ସମୟରେ ସମୀର ଜାଣିଶୁଣି ମୋ ପାଖକୁ ଧିରେ ଧିରେ ଘୁଞ୍ଚିଆସେ । ମୋ ସଲୱାର୍ ସହ ତା ଟ୍ରାଉଜର ମିଶିଯାଏ, ମୁଁ ଚମକିଉଠି ଟିକେ ଘୁଞ୍ଚିଯାଏ। ଏଇୟା ନୁହଁ ମୁଁ ଆପତ୍ତି କରେ କିନ୍ତୁ ମଧ୍ୟବିତ୍ତ ପରିବାରର ସଂସ୍କାର ମୋ ଗୋଡ଼କୁ ଘୁଞ୍ଚାଇଦିଏ । ଅପରପକ୍ଷରେ ମୁଁ ଆପତ୍ତି କରୁଛି ଭାବି ସମୀର ବି ଟିକେ ଘୁଞ୍ଚିଯାଏ ।


ଏତିକିରେ ପ୍ରେମର ଗୁଡି ଉଡୁଉଡୁ ଗୁଡ଼ିର ଦଉଡ଼ି ଛୋଟ ପଡ଼ିଯାଏ। ମୁଁ ଚାଲିଯାଏ ରେଭେନ୍ସା ଓ ସେ ରହିଯାଏ ଗାଆଁରେ । ଫୋନରେ କଥାବାର୍ତ୍ତା ଭିତରେ ମାଡ଼ିଆସେ କରୋନା ମହାମାରୀ।


ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଯାଏ ସମୀର। ନିଶାର୍ଦ୍ଧରେ ଭୁତପରି ମାଡ଼ିବସେ ସମୀରର ସ୍ମୃତି। ବିଶେଷ କିଛି ଆମ ଭିତରେ ଘଟି ନଥିଲେ ବି ଆଜିକାଲି ପ୍ରେମିକ ପ୍ରେମିକା ପରି ଆମେ ବାଛି ନଥିଲୁ ନିଭୃତ ସ୍ଥାନ, ମୁଁ ଝୁରୁନଥିଲି ଯୌନଲାଳସା ଚରିତାର୍ଥ ପରେ ମୋ ନୀଳ ଚୁଡ଼ିର ଭଗ୍ନାଂଶର ସ୍ମୃତି।କହିବା ଅର୍ଥ ଆମ ସୀମିତ ସମୟର ପ୍ରେମ ଥିଲା ଅନାବିଳ, ଅନାସକ୍ତ।


ରାନୁ କଥାଶୁଣି ଦୀର୍ଘଶ୍ଵାସ ମାରୁଥିଲି ମୁଁ। କାରଣ ଏକବିଂଶ ଶତାବ୍ଦୀରେ ଅକ୍ଷତ କୁମାର ଅଥବା କୁମାରୀ ପ୍ରାୟତଃ ବିରଳ। କାରଣ ଯୌବନର ପ୍ରଥମ ଛୁଆଁରେ ହିଁ ଯେ ଝା ହାତରେ ଚଉଦ ପା।


ଧିରେ ଧିରେ ଆମ ଗଳ୍ପର ମାତ୍ରା ବଢ଼ିଲା। କଥାରେ ଅଛି ପ୍ରେମର ବୟସ ନଥାଏ। କଥାରେ ହିଁ ସୁନ୍ଦର ଲାଗେ। ପ୍ରକୃତରେ ଝିଅଟିଏ ଖୋଜିବୁଲେ ସୁନ୍ଦର, ସୁଶୀଳ ଯୁବକ। ମୋର ରାନୁର ବୟସର ତାରତମ୍ୟ ଅଧିକ ଥିଲା। ତାଛଡା ଜଣେ ଲେଖକ ହିସାବରେ ତା'ର ଭଲ ପାଇବା ଥିଲା।


କେମିତି ବା ପ୍ରେମ ନିବେଦନ କରିଥାଆନ୍ତି ତମକୁ ? ଏମିତି କେତେ ପୁଅ କେତେ ଝିଅଙ୍କ ସହ କଥା ହୁଅନ୍ତି କିନ୍ତୁ ଦୁବଘାସରେ ପତ୍ର କଅଁଳେ   ନାହିଁ । ଆଉ ରାନୁ ପରି ଝିଅ ପ୍ରେମ କରିବ କି ଦୂରେଇ ଯିବ କିଏ ଜାଣେ ?


କଟକରେ ଗୋଟିଏ ଉତ୍ସବରେ ମୁଁ ଥିଲି ସମ୍ମାନିତ ଅତିଥି। ରାନୁକୁ ଅନୁରୋଧ କଲି ଓ ସେ ଆସିବାର ସହମତି ଦେଲା। 


ମୁଁ ପଚାରିଦେଉଥିଲି , ଏ ପ୍ରତିମା ! ଶୁଣୁଚ ତ ପ୍ରେମ କାହାଣୀ।


ମୁଁ କହି ଚାଲିଲି, ବିଛଣାରେ ଆଖିମୁଦି ଶୋଇ ଶୋଇ । ପ୍ରତିମା ପ୍ରତି ପ୍ରେମ ଉଛୁଳି ଉଠୁଥିଲା।


କଟକରେ କାର୍ଯ୍ୟକ୍ରମ ଆରମ୍ଭର ବହୁତ ପୁର୍ବରୁ ଆସିଯାଇଥିଲ ତମେ। କାର୍ଯ୍ୟକ୍ରମ ସମାପ୍ତ ହେଲା। ପାଖରେ ମୋର ରହିବା ବନ୍ଦୋବସ୍ତ ଥିଲା। ମୋର ଗୋଟିଏ ଅନୁରୋଧରେ ତମେ ଆସିଗଲ ମୋ ସହ।


ମୁଁ ଖାଲି ତମକୁ ଆପଲକ ନୟନରେ ଅନେଇ ରହିଥିଲି। ତମେ କିନ୍ତୁ କୌଣସି ଏକ ଆକର୍ଷଣରେ କୁମାରୀ ଲଜ୍ଜାକୁ ସମର୍ପି ଦେବାକୁ ପ୍ରସ୍ତୁତ ହୋଇ ତମ ସମ୍ପୂର୍ଣ୍ଣ ଶରୀରର ଭାର ମୋ ଉପରେ ରଖି ଦେଇଥିଲ।


ମନେ ପକାଅ ପ୍ରତିମା ! ସେଦିନ ମୁଁ ତମକୁ କହିଥିଲି ମୁଁ ବିଶ୍ଵାମିତ୍ର ନୁହେଁ କିନ୍ତୁ ରାବଣ ହୋଇପାରିବିନାହିଁ। ତମର ପ୍ରଥମ ସାକ୍ଷାତ। ଏସବୁ ଭୂଲ। ତମ ସମ୍ମାନ ଆଉ ଟିକେ ବଢ଼ିଗଲା ମୋ ପ୍ରତି। ତା'ପରଦିନ ମୁଁ ଫେରିଆସିଲି। ବିଦାୟ ଦେଲା ବେଳେ ତମ ଆଖିର ଲୁହ ଆଗରେ ମୋ ମୁଦିରେ ଖଚିତ ହୀରା ବି ଫିକା ଲାଗୁଥିଲା।


ସେଇ ମୁହୂର୍ତ୍ତ ଆଜିବି ମନେ ପଡ଼ିଗଲେ ଦେହରେ ଅଦ୍ଭୂତ ଶିହରଣ ସୃଷ୍ଟି ହୁଏ। ତାପରେ ଆମ ବାର୍ତ୍ତାଳାପର ଅବଧି ବଢ଼ିବାରେ ଲାଗିଲା। ତମେ ଦିନେ କହୁଥିବା କଥା ଭାବିଲେ ଆଜି ବି ହସ ଲାଗେ। ତମ କଲେଜର ଝିଅଗୁଡ଼ିକ ସେମାନଙ୍କ ପ୍ରେମିକସହ ରାତିସାରା କଥା ହେଲେ ତମେ ଚିଡିଉଠି ପଚାର, ପ୍ରତିଦିନ ଏତେ କଥାବାର୍ତ୍ତାର ବିଷୟବସ୍ତୁ କେଉଁଠୁ ପାଅ।କିନ୍ତୁ ଆଜି ନିଜେ ?


ଧିରେ ଧିରେ ତମ ଘରସହ ପରିଚୟ। ତାପରେ ମୋର ମୁଖ୍ୟ ଅସୁବିଧା ଥିଲା କଟକ ବ୍ରହ୍ମପୁର ଭିତରର ଘୃଣା ଭାବ। ତମଘରେ ପ୍ରଵେଶ ପରେ ତମ ପାପା କହିଥିଲେ, ହଁ ମ ସବୁ ଗଞ୍ଜାମ ପୁଅ ଖରାପ ନୁହଁନ୍ତି। ମୁଁ କି ଛାଡିବା ଜନ୍ତୁ। ମୁଁ ବି ହସି ହସି ଉତ୍ତର ଦେଇଥିଲି, ଆଜ୍ଞା ହଁ, ସବୁ କଟକି ଝିଅ ଖରାପ ନୁହଁନ୍ତି। ହାସ୍ୟରୋଳରେ ଫାଟି ପଡୁଥିଲା ତମ ଘର।


ଆମ ଘରେ ରାଜି କରେଇବା ମୋ ପାଇଁ ବିଶେଷ ଅସୁବିଧା ନଥିଲା। ମୁଁ ଚାକିରୀ କରୁଥିଲି, ତମେ ଉଚ୍ଚ ଶିକ୍ଷିତା।


ତାପରେ ଆମ ବାହାଘର। ସାହିପଡିଶା କହୁଥିଲେ ଝିଅ ମିଳିଲାନି ଯେ କଟକି ଝିଅ ଆଣିଲ। ମୋ ବୋଉ କୁହେ ପ୍ରଜାପତି ଘଟସୁତ୍ର। ଯାହା ହାଣ୍ଡିରେ ଯିଏ ଚାଉଳ ପକେଇଛି ନା।


ସମଚକ୍ରରେ ପ୍ରେମ ସତ୍ତା ହରେଇଲା। ବିଶ୍ଵାସ ଦେଵତା କମିଲା, ସନ୍ଦେହ ରାକ୍ଷସ ବଢ଼ିଲା। ସମସ୍ତଙ୍କ ସାଂସାରିକ ଜୀବନରେ ସେମିତି ହୁଏ। ଏଥିରେ ନୂତନତ୍ବ ନାହିଁ।


ସେଦିନର ନୀଳ ନୟନାର ନୀଳ ଚୁଡ଼ି ଭାଙ୍ଗିନଥିଲା କିନ୍ତୁ ଆଜି ଏହି ରାତିରେ ସୁନ୍ଦର ବିଛଣାରେ ତମ ନାଲିଚୁଡ଼ିର ଭଗ୍ନାଂଶ ନିଶ୍ଚୟ ସାଉଁଟିବ । ଲାଜେଇ ଯାଇ ଚୁପ୍ ହେଇଗଲ ଯେ।କ'ଣ ମୁଁ କହିଚାଲିଥିବି ଆଉ ତମେ ଚୁପ୍ ଚାପ୍ ଶୁଣୁଥିବ ନା ।


ତମର କୋମଳ ହାତଟାକୁ ଧରିଟାଣିଆଣିଲି । ଦୂରେଇଗଲ ତମେ। ଆଖିଖୋଲି ତମ ଉପରକୁ ଲମ୍ଫ ଦେଲାବେଳେ ଚମକି ଉଠିଲି। ଆରେ ! ଏ ପରା ମୋ ସାଙ୍ଗ ପ୍ରତାପ ! ବ୍ରହ୍ମପୁରରୁ ରାୟଗଡ଼ା ଫେରିବା ସମୟରେ ରାତି ହୋଇଯିବାରୁ ମୋ ପାଖରେ ଅଟକିଗଲା। 


ପ୍ରତାପ ଉଠି ବସିଥିଲା। କହିଲା, ଆବେ ସିଦ୍ଧାର୍ଥ ! ତୁ ଜାଣିଛୁ ମୁଁ ରକ୍ତଚାପ ରୋଗୀ । ଘଣ୍ଟାଏ ହେଲା ତୋ ଆଚରଣ ମତେ ଆଚମ୍ବିତ କଲା। ତୁ ବଡ଼ବଡେଇ ଜୀବନ କାହାଣୀ କହୁଥିଲୁ, ତେଣୁ ମୁଁ ବିନାଆପତ୍ତିରେ ଶୁଣୁଥିଲି। ମୁଁ ଆଁ କରି ଅନେଇ କହୁଥିଲି ଓଃ ତାହେଲେ ପ୍ରାଣପ୍ରିୟାକୁ ସ୍ୱପ୍ନରେ ଦେଖୁଥିଲି, ତା ବି ବିଛଣାରେ !



ସେଦିନର ସେଇ ଅନୁଭୂତି ମନେ ପକେଇଦିଏ ବହୁତ ଅଭୁଲା ମୁହୁର୍ତ୍ତ ପ୍ରେମର।ହସୁଥିଲି ମୁଁ। ଆପଣ ମାନେ ଦ୍ଵନ୍ଦରେ ନା। ପ୍ରତିମା ବିଷୟ ଜାଣିବା ପାଇଁ। ସବୁକଥା ଆଜି କହିଦେବି କି ? ପ୍ରତିମା ଛୁଆଙ୍କୁ ଧରି ସହରରେ। ମୁଁ ଚାକିରୀ କରି ମାଳରେ ।


ପ୍ରେମ ସଫଳ, ସୁଖଦାୟକ । ତା ଭିତରେ ଅବିଶ୍ଵାସର ଇଗଲ ଧସେଇ ପଶିବାକୁ ଚେଷ୍ଟା କରେ ଓ ପଶିଯାଏ ବି। ତାକୁ ଅଟକେଇଲେ ପ୍ରେମ ସଫଳ। ନଚେତ ନର୍କ ଦର୍ଶନ ମର୍ତ୍ତ୍ୟରେ।





Rate this content
Log in

Similar oriya story from Abstract