STORYMIRROR

Debaki Behera

Romance Others

3  

Debaki Behera

Romance Others

ଭୁଲ କାହାର ?

ଭୁଲ କାହାର ?

9 mins
248


ଅବିନାଶ ଓ ସୁନୟନା ପରସ୍ପର କୁ ଜୀବନଠୁ ବି ଅଧିକା ଭଲ ପାଆନ୍ତି l ସୁନୟନା ଏକ ବଡ଼ ଧନୀ ଘର ର ଝିଅ l ସେ କୌଣସି ଜିନିଷରେ ନିଜକୁ ଖାପଖୁଆଇ ଚଳିବା ଶିଖିନଥିଲାl ସେ ବହୁତ ଜିଦ୍ଦି ସ୍ଵଭାଵ ର ଝିଅ ଥିଲା l ଯାହାକୁ ଯାହା ମନକୁ ଆସେ କହିଦିଏ l ପରେ ନିଜ ଭୁଲ ବୁଝିଲା ପରେ କ୍ଷମା ମାଗିଦିଏ l ତେଣୁ କହିବାକୁ ଗଲେ ସେ ଏକ ନିର୍ମଳ ହୃଦୟ ର ଝିଅଟି ଥିଲା l ସୁନୟନା ଏମ ବି ଏ ପଢିଥିଲା ଏବଂ ଅବିନାଶ ବି l ଦୁହିଁଙ୍କ ପ୍ରେମ କାହାଣୀ କଲେଜ ରୁ ହିଁ ଆରମ୍ଭ ହୋଇଥିଲା l ଅବିନାଶ ର ବାପା ନଥିଲେ କେବଳ ତାର ବୁଢ଼ୀ ମାକୁ ଛାଡିଦେଲେ ତା ପରିବାର ରେ ଆଉ କେହି ନଥିଲେ l ଅବିନାଶ ଏମ ବି ଏ ପରେ ମୁମ୍ବାଇ ରେ ଏକ ବଡ କମ୍ପାନୀ ରେ ଚାକିରୀ କରୁଥିଲା l ସୁନୟନା କୁ ଅବିନାଶ ବହୁତ ଭଲ ପାଉଥିଲା l ସେ ତାର ସମସ୍ତ ଅଭ୍ୟାସ ସହ ଭଲ ଭାବେ ପରିଚିତ ଥିଲା l ସେ ବଡ଼ ଘରର ଝିଅ ଟିକେ ଅଲିଅଳ ରେ ବଢିଛି ବୋଲି ଏମିତି ହଉଛି ସେ ଭାବିନେଇ ଥିଲା l ଅବିନାଶ ର ଚାକିରୀ ପରେ ସୁନୟନା ର ଘର ଲୋକେ ସେ ଦୁହିଁଙ୍କ ର ବାହାଘର ପାଇଁ ରାଜି ହୋଇଯାଇଥିଲେ l ଏଣେ ଅବିନାଶ ର ମା ମଧ୍ୟ l ଭଲରେ ଭଲରେ ସେ ଦୁହିଁଙ୍କ ର ବାହାଘର ହୋଇଗଲା l ସତେ ଯେମିତି ସେ ଦୁହେଁ ସ୍ୱପ୍ନରାଇଜରେ ଭାସିବୁଲୁଥିଲେ l ଅବିନାଶ, ସୁନୟନା ର ଅଭ୍ୟାସ ଓ ବ୍ୟବହାର ବିଷୟରେ ଅବଗତ ଥିଲା l ତେଣୁ ବାହାଘର ପରେ ହିଁ ସେ ତାକୁ ମୁମ୍ବାଇ ନେଇଯାଇଥିଲା l ଦୁହେଁ ସେଠାରେ ବହୁତ ଖୁସି ରେ ଥିଲେ l ସୁନୟନା କୁ କୌଣସି ରୋଷେଇ କିମ୍ବା ଘର କାମ ଆସୁନଥିଲା l ତଥାପି ଅବିନାଶ ସହ ରହି ୟୁଟ୍ୟୁବ ରୁ କିଛି କିଛି ବନେଇବା ଶିଖିଯାଇଥିଲା l ଲୁଣ, ରାଗ ଯାହା କରୁ ଅବିନାଶ ଭଲ ବୋଲି କହି ଖାଇଦିଏ କେବେ ସୁନୟନା ମନରେ କିଛି ବି କଷ୍ଟ ହେଉ ସେ ଚାହେଁନି l ଏହିପରି ସେ ଦୁହିଁଙ୍କ ର ସଂସାର ବହୁତ ହସ ଖୁସି ରେ କଟିଯାଉଥିଲା l ଏହା ଭିତରେ ସେମାନଙ୍କ ବାହାଘର କୁ ଦୁଇ ବର୍ଷ ହୋଇଯାଇଥାଏ l

ଦିନେ ଅବିନାଶ କୁ ଏକ ପତ୍ର ମିଳିଲା l ସେଇଟି ତା ମା କୁନ୍ତଳା ଦେବୀ ପଠେଇଥିଲା l ସେ କିଛିଦିନ ବୋହୁ ସହ ସମୟ କାଟିବାକୁ ଚାହୁଁଛନ୍ତି ଏବଂ ଦୁଇଦିନ ପରେ ସେଠାରେ ଆସି ପହଂଚିବ ବୋଲି ଲେଖିଥିଲେ l ଏହି ଚିଠି ପଢି ଅବିନାଶ ର ହୋସ ଉଡ଼ିଗଲା l କ'ଣ କରିବ ସେ କିଛି ଚିନ୍ତା କରିପାରିଲାନି l ଜଣେ ଆଧୁନିକ କୁ ଜଣେ ପୁରୁଣା ଚିନ୍ତା ଧାରା ର l ତା ମାଆ ଟିକେ ଅଧିକ ପୁରୁଣା ଚିନ୍ତାଧାରା ର ମଣିଷ l ଯେହେତୁ ତା ମନ ପସନ୍ଦ ର ଝିଅକୁ ସେ ବାହା ହୋଇନି କଥାଟି ସେଇଠୁ ଅଡୁଆ ହେଇ ରହିଛି l ସେ ତାକୁ ଗାଁ ର ନବୀନା ଅଜା ର ନାତୁଣୀ କମଳୀ ସହ ବାହାଘର କରିବାକୁ ଚାହୁଁଥିଲା କିନ୍ତୁ ଅବିନାଶ ସୁନୟନା କୁ ଭଲ ପାଉଥିବାରୁ ତା ଖୁସି ପାଇଁ ଏଇ ବାହାଘର ସୁରୁଖୁରୁରେ ହେବାକୁ ଦେଇଥିଲା l ସୁନୟନା ତାଙ୍କ ପସନ୍ଦ ର ଝିଅ ନୁହେଁ l ତେଣୁ ବାହାଘର ପରେ ସେଥିପାଇଁ ତାକୁ ନିଜ ନିକଟକୁ ନେଇ ଆସିଥିଲା l ସୁନୟନା କିଛି ଭୁଲ କରୁ କି ନକରୁ ସେ କହିବା କଥା କହିବେ l ଆଉ ସୁନୟନା ଯେଉଁ ଭଳି ଜିଦ୍ଦିଆ ଝିଅ ସେ କେବେ ବି କୌଣସି କଥାକୁ ସାହିପାରିବ ନାହିଁ l ତଥାପି ମାଆ ତ ଆସିବ କହି ସାରିଛି ମାନେ ସେ ଆସିବ l ସବୁ ଭଗବାନ ଙ୍କ ଉପରେ ଛାଡ଼ିଦେଲା l ସୁନୟନା କୁ ଡାକି ମାଆ ଆସୁଛନ୍ତି ବୋଲି ମଧ୍ୟ କହିଦେଲା l ଆଉ ମାଆ ସହ ଟିକେ ଖାପଖୁଆଇ ଚଳିବାକୁ ଅନୁରୋଧ କଲା l ସୁନୟନା ଠିକ ଅଛି କହି ଘର ସଫାସଫି, ସଜଡାସଜଡି କରିବାରେ ଲାଗି ପଡିଲା l ଚିଠି ରେ ଲେଖା ମୁତାବକ ଠିକ ଦୁଇଦିନ ପରେ ମାଆ ଆସି ପହଂଚିଗଲେ l ସୁନୟନା ଖୁସି ହୋଇ ଯାଇ କବାଟ ଖୋଲିଲା l ଅବିନାଶ, ଜିନିଷ ପତ୍ର ସହ ଦୁଆର ମୁହଁରେ ଛିଡା ହୋଇଥାଏ l ଯେମିତି ଦୁଆର ଖୋଲିଛି କୁନ୍ତଳା ଦେବୀ ସୁନୟନା କୁ ଚୁଡିଦାର ଦେଖି ରାଗ ଗରଗର ହୋଇ ଗଲେl ଦୁଆର ମୁହଁରୁ ହିଁ ଅନେକ କଥା ତାକୁ ଶୁଣେଇଦେଲେ l କମଳୀ କୁ ବାହା ହୋଉଥିଲେ ସେ ୟା ଠାରୁ ଅନେକ ଭଲ ହୋଇଥାନ୍ତା ଆଉ ଓଡ଼ିଆ ଘର ର ସବୁ ନିତି ନିୟମ ମାନି ଚଳିଥାନ୍ତା ଏପରି ଅନେକ କଥା l ସୁନୟନା ର ସମସ୍ତ ଖୁସି ପାଣି ଫୋଟକା ଭଳି ମିଳେଇଗଲା l ଅବିନାଶ କୁନ୍ତଳା ଦେବୀ କୁ ଶାନ୍ତ କରାଇ ଘର ଭିତରକୁ ଆଣିଲା l ଆଉ ସୁନୟନା କୁ ଶାଢ଼ୀ ପିନ୍ଧି ଆସିବାକୁ କହିଲାl ସୁନୟନା ଶାଢ଼ୀ ପିନ୍ଧି ଶିଖି ନଥିଲା l ଜମାରୁ ବାହାଘର ଠାରୁ ଦୁଇ ବର୍ଷ ଭିତରେ ଥରୁଟିଏ ସେ ଶାଢ଼ୀ ପିନ୍ଧିଥିଲା l ତଥାପି କଷ୍ଟ କରି ଗୁଡେଇ ହୋଇ ପିନ୍ଧି ଆସିଲା l କୁନ୍ତଳା ଦେବୀ କୁ ତ ଗୋଟେ ମଉକା ଦରକାର ଥିଲା ସୁନୟନା କୁ ଯେମିତି ଦୁଇ କଥା ଶୁଣେଇବାକୁ l କାଳେ ମାଆ କୁ ସୁନୟନା ର ହାତ ରାନ୍ଧଣା ପସନ୍ଦ ଆସିବନି ତେଣୁ ଅବିନାଶ ବାହାରୁ ଖାଇବା ମଗେଇଦେଲା l ଆଉ ସେଇ ସବୁ ରୋଷେଇ ସୁନୟନା କରିଛି ବୋଲି କହିଦେଲା l ସେହି ଖାଦ୍ୟ କୁ ଖାଇ ବି କୁନ୍ତଳା ଦେବୀ ଦୁଇ କଥା ସୁନୟନା କୁ କହିବାକୁ ଭୁଲିଲେ ନାହିଁ l ଯେମିତି ସେମିତି ସେହି ଦିନଟି ପାଇଗଲା l ରାତି ହେବାରୁ କୁନ୍ତଳା ଦେବୀ ସୁନୟନା କୁ ନିଜ ଗୋଡ ମୋଡି ଦେବାକୁ ଡାକିଲେ l ସୁନୟନା କେବେବି କାହାରି ଗୋଡ଼ ମୋଡି ନଥିଲା ତଥାପି ଅବିନାଶ ର କଥାକୁ ମାନି ଗୋଡ ମୋଡିଲା l ସେଇଠାରେ ବି କୁନ୍ତଳା ଦେବୀ ତାକୁ ଏମିତି ସେମିତି ବହୁତ କଥା ଶୁଣେଇ ଦେଲେ l ଅବିନାଶ ସବୁ ଶୁଣୁଥିଲା କିନ୍ତୁ କିଛି କହିଲା ନାହିଁ l ତହିଁ ଆରଦିନ ସୁନୟନା ନିଜେ ରୋଷେଇ କଲା କିନ୍ତୁ କୁନ୍ତଳା ଦେବୀ କୁ ଖାଇବା ପସନ୍ଦ ଆସିଲାନି l ସେଥିପାଇଁ ସେ ତାକୁ ବହୁତ କଥା କହିଦେଲେ l ଏହିପରି ପ୍ରତିଦିନ କୌଣସି ନା କୌଣସି କଥାରେ କୁନ୍ତଳା ଦେବୀ ସୁନୟନା କୁ ଗାଳି କରିବା ଛାଡ଼ିଲେନି l ଏମିତି ଦିନ ବିତି ଚାଲିଲା l ଅବିନାଶ ଅଫିସ ଯାଏ ଏବଂ ଘରକୁ ଆସିଲା ମାତ୍ରେ କୁନ୍ତଳା ଦେବୀଙ୍କ ଅଭିଯୋଗ କାନରେ ବାଜେ l ଏବେ ଏବେ ସୁନୟନା ବି କୌଣସି କଥାରେ ଛାଡ଼ୁନି l ସେ ବି କୁନ୍ତଳା ଦେବୀ କୁ ପାଲଟା ଉତ୍ତର ଦେବା ଆରମ୍ଭ କରିଦେଲାଣି l ପ୍ରତିଦିନ ସକାଳୁ ରାତି ଯାଏ ଘରେ ଶାଶୁ ବୋହୂର ତୁମୁଳ କାଣ୍ଡ ଚାଲିଥାଏ ଯେଉଁଥିରେ ବିଚରା ଅବିନାଶ ଦିନକୁ ଦିନ ପେଷି ହେଇ ଯାଉଥିଲା l ଅବିନାଶ ଦୁଇ ଜଣଙ୍କୁ ବୁଝେଇ ବୁଝେଇ ଥକି ପଡିଲା ହେଲେ କିଛି ଫାଇଦା ହେଲାନି l ଗୋଟେ ଦିନ ତ ଏପରି ହେଲା ସୁନୟନା ଜିଦ୍ଦି ଧରି ବସିଲା କି ତାଙ୍କ ମାଆ କୁ ଗାଁ କୁ ପଠାଯାଉ ନାଇତ ସେ କିଛି ଖାଇବନି କି ପିଇବନି l ଅବିନାଶ ମଧ୍ୟ ବିରକ୍ତ ହୋଇ କୁନ୍ତଳା ଦେବୀ କୁ ଗାଁ କୁ ପଠେଇଦେଲା l କୁନ୍ତଳା ଦେବୀ ଯାଉ ଯାଉ କହିଦେଇ ଗଲେ କି ମୋ ପୁଅ ବଦଳି ଗଲାଣି ସ୍ତ୍ରୀ କଥା ଶୁଣି ମାଆ କୁ ହତାଦର କରି ଗାଁ କୁ ପଠେଇଦେଉଛି l ଅବିନାଶ କୁ ବହୁତ ବାଧିଲା କଥାଟି l ତେଣୁ ସେ ଘରକୁ ଆସି ମନ ମାରି ବସିଲା l ସୁନୟନା ଏତେ ଦିନ ପରେ ଶାନ୍ତି ରେ ନିଶ୍ୱାସ ମାରୁଥିବାରୁ ବହୁତ ଖୁସି ଥିଲା l ସେ ଅବିନାଶ କୁ ସ୍ନେହରେ ଆଲିଙ୍ଗନ କଲା ମାତ୍ରେ ଅବିନାଶ ରାଗିଯାଇ ତାକୁ ଗୋଟେ ଚଟକଣୀ ମାରିଦେଲା l ଆଉ ସେ ଜଣେ ଭଲ ଗୃହିଣୀ କି ଭଲ ବୋହୁ ହୋଇପାରିନି ବୋଲି କହିଲା l ଅବିନାଶ ପ୍ରଥମ ଥର ତା ଉପରେ ହାତ ଉଠେଇଥିବାରୁ ସୁନୟନା ଅଧିକ ରାଗି ଯାଇଥିଲା ଯେପରିକି ଆଗରୁ କହିଛି ସେ ବହୁତ ଜିଦ୍ଦି ସ୍ଵଭାଵ ର ଝିଅ ଥିଲା l ତେଣୁ ଏଇ କଥାରେ ଘର ଛାଡି ଚାଲିଗଲା l ଅବିନାଶ ମଧ୍ୟ ନିଜ କ୍ରୋଧ ବଳରେ ସେ କୁଆଡେ ଗଲା କଣ କଲା କିଛି ପତ୍ତା ଲଗେଇଲାନି l ପରେ କିଛି ଦିନ ପରେ ଅବିନାଶ ର ରାଗ ଶାନ୍ତ ହେଲା ପରେ ସେ ସୁ ନୟନା ଘରକୁ ଫୋନ କଲା l ସୁନୟନା ସେଠାରେ ରହୁନଥିବା ଶୁଣି ସେ ବ୍ୟସ୍ତ ହୋଇଯାଇଥିଲା l ସୁନୟନା ର ମାଙ୍କ ଠାରୁ ସୁନୟନା ର ମୋବାଇଲ ନମ୍ବର ଆଣି ତାକୁ ଫୋନ କଲା କିନ୍ତୁ ସେ ବହୁତ ଜିଦ୍ଦିଆ ଥିବାରୁ ଅବିନାଶ ସହ କୌଣସି କଥା ହେଲା ନାହିଁ କି ସେ ରହୁଥିବା ଜାଗାର ଠିକଣା କହିଲା ନାହିଁ l

ଏହା ଭିତରେ ଏକ ବର୍ଷ ବିତିଗଲାl ସୁନୟନା ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲା l ସେ ଅବିନାଶ କଥା ଭୁଲି ନଥିଲେ ବି ତାକୁ ମନେ ପକେଇବାକୁ ଚାହୁଁ ନଥିଲା l ତାର ଅଫିସ ରେ ମୋନାଲିସା ବୋଲି ଗୋଟିଏ ଝିଅ କାମ କରୁଥିଲା l ସୁନୟନା ଏବଂ ମୋନାଲିସା ର ବହୁତ ଭଲ ବନ୍ଧୁତା ହୋଇଯାଇଥିଲା l ସେ ଦୁହେଁ ପରସ୍ପର ସହ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି l ମୋନାଲିସା କୁ ସୁନୟନା ନିଜର ଅତୀତ ଘଟଣା ସବୁ କହିଥିଲା l କିନ୍ତୁ କେବେ ସେ ମୋନାଲିସା କୁ ଅବିନାଶ ର ନାଁ କହିନଥିଲା କି ତା ଫୋଟୋ ମଧ୍ୟ ଦେଖେଇ ନଥିଲା l ମୋନାଲିସା ସୁନୟନା କୁ ତା ସ୍ୱାମୀ ପାଖକୁ ଫେରିଯିବା ପାଇଁ ଅନେକ ଥର କହିଥିଲା l କିନ୍ତୁ ତା ସ୍ୱାମୀ ତାକୁ ଭଲ ପାଏନି ଆଉ ଯଦି ଭଲ ପାଉଥାନ୍ତା ତ ତା ଉପରକୁ କେବେବି ହାତ ଉଠେଇନଥାନ୍ତା ଏହି କଥା କହି ସେ କଥାକୁ ଟାଳି ଦିଏ l ମୋନାଲିସା ମଧ୍ୟ ତାକୁ ବୁଝେଇବା ବନ୍ଦ କରିଦେଲା l ମୋନାଲିସା ଦିନେ ବହୁତ ଖୁସି ଥିଲା l ସୁନୟନା ତାକୁ ଏତେ ଖୁସି ଦେଖି ତା ଖୁସି ର କାରଣ ପଚାରିଦେଲା l ମୋନାଲିସା ତାର ବାହାଘର ଠିକ ହୋଇଯାଇଥିବା କଥା ସୁନୟନା କୁ କହିଲା l ସୁନୟନା ତାକୁ ଅଭିନନ୍ଦନ ଜଣାଇବା ସହିତ ପିଲାଟି କେଉଁଠିକାର, କଣ କରେ, ତା ନାଁ କଣ ସବୁ ପଚାରିଲା ହେଲେ ମୋନାଲିସା କିଛି କହିଲାନି କଥାକୁ ଶୁଣିକି ବି ଅଣଶୁଣା କଲା l ଏବେ ମୋନାଲିସା ବହୁତ ସମୟ ଫୋନ ରେ କାହା ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲା ଆଉ ହସୁଥିଲା ମଧ୍ୟ l ସୁନୟନା ତା ପାଖକୁ ଆସିଲେ ସେ ଫୋନ ରଖି ଦେଉଥିଲା l କାହିଁକି କେଜାଣି ମୋନାଲିସା ସୁନୟନା ସହ କଥାବାର୍ତ୍ତା ଏତେ କରୁନଥିଲା l ଆଉ ଯେଉଁ ସମୟରେ କିଛି କଥା ହଉଥିଲା କେବଳ ତା ପ୍ରେମିକ ବିଷୟରେ କହୁଥିଲା l ସେ କେମିତି ତାକୁ ମଜାଳିଆ କଥା କୁହନ୍ତି, ତାର ଖାଇବା, ପିଇବା ର ଧ୍ୟାନ ରଖନ୍ତି l ସୁ ନୟନା ତା କଥା ଶୁଣି ଅବିନାଶ କୁ ମନେ ପକେଇବାକୁ ଲାଗିଲା l ତାର ଏବଂ ଅବିନାଶ ର କେତେ ଭଲ ସମ୍ପର୍କ ଥିଲା l ଅବିନାଶ ତାର ଏମିତି ଯତ୍ନ ନେଉଥିଲେ, କେତେ ଭଲ ପାଉଥିଲେ ତାକୁ l ବେଳେ ବେଳେ ସେ ଅଫିସ ରୁ ରୁମ କୁ ଯାଇ ପୁରୁଣା କଥା ମନେ ପକେଇବାକୁ ଲାଗିଲା l ମୋନାଲିସା ଠାରୁ ତା ପ୍ରେମ ଓ ପ୍ରେମିକ ବିଷୟରେ ଶୁଣି ଶୁଣି ଆଉ ସମ୍ଭାଳି ପାରିଲା ନାହିଁl ଦିନେ ସୁ ନୟନା, ମୋନାଲିସା କୁ ତା ହେବାକୁ ଥିବା ସ୍ୱାମୀ ର ଫୋଟୋ ଦେଖେଇବାକୁ କହିଲା l ମୋନାଲିସା ଯେତେବେଳେ ତାକୁ ସେ ବାହାହେବାକୁ ଥିବା ପୁଅ ର ଫୋଟୋ ଦେଖେଇଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା l ସେ ମୁହଁ ଖୋଲି କହିପାରୁନଥିଲା ଯେ ସେ ଯାହାକୁ ବାହାହେବାକୁ ଯାଉଛି ସେ ତାର ଅବିନାଶ କାରଣ ସେ ଆଗରୁ କେବେବି ତାକୁ ତା ସ୍ୱାମୀ ର ନାଁ କି ଫୋଟୋ ବିଷୟରେ କିଛି କହିନଥିଲା କି ଦେଖେଇନଥିଲା l ସେ ବହୁତ ଆଶ୍ଚର୍ଯ୍ୟ ହେଲା ଯେ ଅବିନାଶ ତା ସହ ଏମିତି କିପରି କରିପାରିଲେ, କଣ ତାର ଏତେ ବଡ ଭୁଲ ହେଇଯାଇଥିଲା, କଣ ସେ ତାକୁ ସତରେ ଭଲ ପାଉନଥିଲେ, ଯଦି ପାଉଥିଲେ ତା ଏଇ ଏକ ବର୍ଷ ଭିତରେ ତାକୁ ଭୁଲି ଆଉ ଜଣକୁ କିପରି ବାହା ହେବାକୁ ଯାଉଛନ୍ତି l ସେ ତା ମନ ଭିତରେ ବହୁତ କଥା ଭାବି ହେଲା l ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି ଭଳି ତାର ପରିସ୍ଥିତି ଥିଲା l ମୋନାଲିସା ତାର ଜଣେ ଭଲ ବନ୍ଧୁ ଥିଲା l ସେ ତା ମନ ରେ କଷ୍ଟ ଦେବାକୁ ଚାହୁଁନଥିଲା କିନ୍ତୁ ହଁ ଅବିନାଶ ଉପରେ ତାର ବହୁତ ଅଭିମାନ ଆସିଯାଇଥିଲା l ତେଣୁ ସେ ମୋନାଲିସା ଠାରୁ କଥା ଛଳରେ ଅବିନାଶ ର ଠିକଣା ପଚାରି ବୁଝିଲା l ସେ ସେତେବେଳେ ଆହୁରି ଚକିତ ହେଲା ଯେତେବେଳେ ସେ ଜାଣିଲା ଯେ ଅବିନାଶ ଏଇ ମୁମ୍ବାଇ ରେ ଚାକିରୀ କରୁଛନ୍ତି ସେ ଆଗରୁ ଯେଉଁ ଅଫିସ ରେ କାମ କରୁଥିଲେ ସେଠି ନୁହଁ ଅନ୍ୟ ଏକ ଅଫିସ ର l ତେଣୁ ସେ ଅବିନାଶ ରହୁଥିବା ଫ୍ଲାଟ ବିଷୟରେ ତ ଆଗରୁ ଜାଣିଥିଲା ତେଣୁ ଅଫିସ ନଯାଇ ଚାଲିଲା ସିଧା ଅବିନାଶ ପାଖକୁ l ମୋନାଲିସା ଯେତେବେଳେ ତାକୁ ଫୋନ କଲା ସେ ଏକ ଜରୁରୀ କାମରେ ବାହାରକୁ ଯାଉଛି ଆଉ ଅଫିସ ଯାଇପାରିବନି ବୋଲି କହି ଫୋନ ରଖିଦେଲା l ଅବିନାଶ ମଧ୍ୟ ଅଫିସ ଯାଇନଥିଲା ସେଦିନ l ସୁନୟନା ଦୁଆରେ ମୁହଁରେ ପହଁଚିଲା l ସେ ସେଇ ଘରକୁ ପ୍ରଥମେ ବାହା ହୋଇ ଆସିଥିଲା l ଏମିତି ଦୁଆର ମୁହଁରେ ଛିଡା ହୋଇ ତା ଆଖିରୁ ଅତୀତ ଦିନ ର କଥା ଭାବି ଭାବି ଦୁଇଟୋପା ଲୁହ ଗାଲ ଦେଇ ଗଡ଼ି ଆସିଲା l ସେ ନିଜକୁ ସମ୍ଭାଳି ଡୋର ବେଲ ମାରିଲା l ଅବିନାଶ ଆସି କବାଟ ଖୋଲିଲା ଏବଂ ସୁନୟନା କୁ ଏତେ ମାସ ପରେ ଦୁଆର ମୁହଁରେ ଦେଖି ଅବାକ ଭଳି ଚାହିଁ ରହିଲା l କିଛି କ୍ଷଣ ଦୁହେଁ ପରସ୍ପରକୁ ସେଇଭଳି ଚାହିଁ ରହିଥାନ୍ତି l ନିଜ କୁ ସଜାଗ କରେଇ ଅବିନାଶ କହିଲା :- "ଆରେ ସୁ ତୁମେ? ଏତେ ଦିନ ପରେ? ଆସ ଘର ଭିତରକୁ ଆସ l " ଅବିନାଶ ସୁନୟନା କୁ ସ୍ନେହରେ ସୁ ବୋଲି ଡାକେ l ଏତେ ଦିନ ପରେ ସୁ ଡାକ ଶୁଣି ତା ପୁଣି ତା ପ୍ରିୟର ମଣିଷ ମୁହଁରୁ ସେ କାନ୍ଦିପକେଇଲା l ନିଜର ଅଭିମାନ କୁ ବିଳମ୍ବ ନକରି ଅବିନାଶ କୁ ବହୁତ ଶୁଣେଇଦେଲା l ସେ କେମିତି ତାକୁ ଭୁଲି ଆଉ ଜଣକୁ ବାହାହେବାକୁ ଯାଉଛି l ସେ ଏବେ ବି ତା ସ୍ତ୍ରୀ l ସେ ରାଗିକି ପଳେଇଥିଲା କଣ ବୁଝେଇକି ଆଣିବା ଦାଇତ୍ୱ ତାର ନଥିଲା l ଏମିତି ଯାହା ମନକୁ ଆସିଲା ସେ ବଖାଣି ଦେଇ ଗଲା lସେ ତା ବିନା ବଂଚିପାରିବନି ଏଇ କଥା ମଧ୍ୟ କହିଦେଲା l ଅବିନାଶ ସେଇ ଭଳି ଚୁପ ଚାପ ଛିଡା ହୋଇ ସବୁ ଶୁଣୁଥାଏ l ଏହି ସମୟରେ ପଛରୁ ଏକ ଧୀର ସ୍ୱର ଶୁଣାଗଲା, "ତେବେ ମୁଁ କଣ କରିବି ସୁନୟନା? " l ସୁନୟନା ପଛକୁ ବୁଲି ଚାହିଁଲା ସେଠି ତା ପ୍ରିୟ ବନ୍ଧୁ ମୋନାଲିସା ଛିଡା ହୋଇଥିଲା l ସୁନୟନା ନିଜ କାନ୍ଦ ବନ୍ଦ କରି କହିଲା, "ମୋନାଲିସା ତୁ? ତୁ ଏଠି? "l

ମୋନାଲିସା, "ହଁ, ମୁଁ l ଏଇଟା ଅବିନାଶ ର ଘର ମାନେ ମୁଁ ବାହା ହେବାକୁ ଥିବା ମୋ ସ୍ୱାମୀ ର ଘର କିନ୍ତୁ ତୁ ଏଠି? ଓଃ ମୁଁ କହିବାକୁ ଭୁଲିଯାଇଥିଲି ଯେ ଅବିନାଶ ମୋତେ ତାଙ୍କ ଅତୀତ ବିଷୟରେ ସବୁ କହିଦେଇଥିଲେ l ଭଲ ହେଲା ତୋ ସହ ସାକ୍ଷାତ ଏଇଠାରେ ହେଇଗଲା l ତୁ ତ ଅବିନାଶ ସହ ଆଉ ରହିବାକୁ ଚାହୁଁନଥିଲୁ l ଏବେ ସବୁ କଥା ସଫା ହେଇଗଲା ଆମେ ଏବେ ଶାନ୍ତିରେ ବାହା ହୋଇପାରିବୁ l "

ସୁନୟନା ପାଖରେ କିଛି ଶବ୍ଦ ନଥିଲା କହିବାକୁ l ସେ ଯାହାକୁ ଏତେ ଭଲ ସାଙ୍ଗ ଭାବୁଥିଲା ସେ ବି ତା ମନ କଥା ବୁଝିଲାନି କି ସେ ଯାହାକୁ ଜୀବନଠୁ ବି ଅଧିକା ଭଲ ପାଉଥିଲା ସେ ତାକୁ ବୁଝିଲାନି l ସେ କେବଳ ଏତିକି କହିଲା କି, "ତୁମେ ଦୁହେଁ ବାହା ହୋଇ ଖୁସିରେ ରୁହl ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା l "ଲୁହ ଭରା ଆଖିରେ ସେ ବିଦାୟ ନେଇ ଚାଲିଯିବାକୁ ବାହାରିଲା l ସେ ଯେମିତି ବୁଲିପଡ଼ି ଯିବାକୁ ପାଦ ବଢେଇଛି ଦୁହେଁ ଜୋରରେ ହସିବାକୁ ଲାଗିଲେ l ସେ ପଛକୁ ବୁଲି ଚାହିଁଲା ଏକ ପ୍ରଶ୍ନ ଭରା ଚାହାଣି ରେ ଦୁହିଁଙ୍କୁ ଚାହିଁଲା l ଅବିନାଶ ତା ପାଖକୁ ଆସି ହସି ହସି କହିଲା, "ଆମେ ଦୁହେଁ ଅଭିନୟ କରୁଥିଲୁ, ତୁମକୁ ଘରକୁ ଫେରିଆଣିବାକୁ l ମୋନାଲିସା ମୋ ପିଲା ବେଳର ସାଙ୍ଗ l ଦୁର୍ଭାଗ୍ୟ କୁ ସେ ମୋ ବାହାଘର କୁ ଆସିପାରିନଥିଲା l ସେ ଯେହେତୁ ବାହାରେ ରହି ପଢ଼ୁଥିଲା ମୁଁ ତା ସହ ଏତେ କଥା ହୋଇପାରୁନଥିଲି l ତେଣୁ କେବେବି ମୁଁ ତା ବିଷୟରେ ତୁମକୁ କହିନଥିଲି କିନ୍ତୁ ତାକୁ ମୁଁ ମୋ ବାହାଘର ର ସବୁ ଫୋଟୋ ପଠେଇଥିଲି l ସେ ଯେତେବେଳେ ତୁମକୁ ଅଫିସ ରେ ଦେଖିଲା ସେହିଦିନ ହିଁ ମୋତେ ଫୋନ କଲା l ମୋଠାରୁ ସମସ୍ତ କଥା ଶୁଣିସାରିଲା ପରେ ସେ ଏଇ ଅଭିନୟ ଟିକୁ ରଚନା କରିଥିଲା l "

ସୁନୟନା ଏତକ ଶୁଣିସାରି ଅବିନାଶ ର ଛାତିକୁ ଆଉଜି ଆସିଲା ଆଉ ବହୁତ କାନ୍ଦିବାକୁ ଲାଗିଲା l

ଦୁରରେ ଛିଡା ହୋଇ ମୋନାଲିସା କହିଲା, " ଏଥର କୁହ ତୁମେ ଦୁହେଁ ଭୁଲ କାହାର? "

ଅଵିନାଶ ଓ ସୁନୟନା ପରସ୍ପର ମୁହଁକୁ ଚାହିଁଲେ ଆଉ ଟିକେ ହସି ଦେଇ ପରସ୍ପର ର ବାହୁ ବନ୍ଧନ ରେ ନିଜକୁ ହଜାଇ ଦେଲେ l



Rate this content
Log in

Similar oriya story from Romance