ବାହାଘର ପରେ ପ୍ରଥମ ଟ୍ରିପରେ କୁଆଡେ ଯିବା ପଚରାଯିବାରୁ ବୁକୁ ତଳେ ଥିବା ମନାଲି କି କାଶ୍ମୀର କି କଲିକତା, ଅଯୋଧ୍ୟା, ଶିରିଡି ସାଇ ପୀଠ ନକହି ଆନି କହିଥିଲେ ଆମେ ପୁରୀ ହିଁ ଯିବୁ ମାଆ. ଆଖି ଖୋସି ହୋଇଯାଇଥିଲା ରୁଦ୍ରଙ୍କର. ମନେ ମନେ ଭାବିଥିଲେ ଯାହା ହେଉ ଐଶ୍ଵର୍ଗିକ ଭାବନାରେ ଆନିଙ୍କ ହୃଦୟ ପୁର୍ଣ୍ଣ ଅଛି. ରଥଯାତ୍ରା ଓ ବାହୁଡା଼ ଦର୍ଶନ ସାଙ୍ଗକୁ ଅଭଡ଼ା ଖିଆ ଜମିଯିବ. ଆନି କିନ୍ତୁ ଗୋଟେ ସର୍ତ୍ତ ବାଢି ବସିଥିଲେ ଯେ ଜେଜେମାଙ୍କୁ ସାଙ୍ଗରେ ନେବେ ସେ ପୁରୀ. ଘରେ ସମସ୍ତେ ଆଶ୍ଚର୍ଯ୍ୟ ଆଖିରେ ଚାହିଁଥିଲା ବେଳେ ଆନି ନିଜ ଶାଢ଼ୀପଟା ସହ ସଜାଡୁଥିଲେ ବୁଢୀମାଙ୍କ ଲୁଗାପଟା. ବୋହୁ ହୋଇ ଆସିବା ଦିନୁ ଆନି ଲକ୍ଷ କରିଛନ୍ତି ବୁଢ଼ୀମାଆଙ୍କ ପ୍ରତି ପରିବାର ଲୋକଙ୍କ ଅନାଦାର ଭାବ. ଶଶୁରଙ୍କର ମାଆ ପ୍ରତି କିଛି ସହାନୁଭୂତି ଅଛି ବୋଲିତ ସେ ଏଯାଏଁ ବଞ୍ଚି ରହିଛନ୍ତି ନହେଲେ ତାଙ୍କୁ ଭଲ ଖାଇବା ପିଇବା ଦେବାକୁ ଶାଶୁଙ୍କର ଖୁବ କଟକଣା. ଏତେ ଥର ଝାଡା ପରିସ୍ରା ହେଲେ କିଏ କରିବ କହି ଶାଗୁ ବାର୍ଲି ବ୍ୟତିରେକେ ରୁଟି ସାଙ୍ଗକୁ ପିଆଜ ଦେବା କେତେଦୂର ସମିଚୀନ ବୁଝି ପାରେନା ଆନି. ତାଙ୍କ ଘରେ ଏଯାଏଁ ତା ଜେଜେମାଆଙ୍କ ନିର୍ଦେଶରେ ଘର ଚାଲୁଥିବା ବେଳେ ଏଠାରେ ଏତେ ବ୍ୟତିକ୍ରମ କାହିଁକି ବୋଲି କହିହୁଏନା କି ସହି ହୁଏନା. କାରଣ ସେ ଘରର ବୋହୁ. ପାଟି ଖୋଲିଲେ ନବଖଣ୍ଡ ମହାଭାରତହୋଇଯାଇପାରେ କିନ୍ତୁ ଜେଜେମାଆ ତାଙ୍କ ନିଜ ହାତ ଉପରକୁ ଟେକି ଓ ଯୋଡି ପ୍ରଭୁ ଜଗନ୍ନାଥ ବୋଲି ଉଚ୍ଚାରଣ କଲାବେଳେ ତାଙ୍କ ଆଖିର ଲୁହ ଆନି ଆଖିକୁ ସଂକ୍ରମିତ ହୁଏ ତ ଆନି ଭାବୁଥାଏ ପ୍ରଭୁଙ୍କୁ ଥରେ ଦର୍ଶନ କରାଇଦେଲେ ଜେଜେମା ଶାନ୍ତି ପାଇ ଗତି ମୁକ୍ତି ପାଇଯାଆନ୍ତେ.
ସେହି ସୁବର୍ଣ୍ଣ ସୁଯୋଗ ଆଣିଦେଇ ଆନି ଜେଜେମାଙ୍କ ସହ ଟ୍ରେନରେ ବସିଲା ବେଳେ ରୁଦ୍ର ଭାବୁଥିଲେ ଗଲା ତାଙ୍କ ବିବାହର ପ୍ରଥମ ଟ୍ରିପଟି ଅକାରଣ ହୋଇଗଲା କିନ୍ତୁ ଟ୍ରେନରୁ ଓଲ୍ହାଇଲା ବେଳକୁ ଜେଜେମାଙ୍କର ଏତେ ପରିବର୍ତ୍ତନ ଆସିଥିଲା ରୁଦ୍ର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ. ବିନା ସହାୟତାରେ ଚାଲୁଥିଲେ. ଶାଢ଼ୀ ଖସିପଡୁନଥିଲା କି ଓଢଣା ସହ ଏବେବି ଥିବା ଗୋଚ୍ଛା ଚୁଟିର ଖୋସା ମଧ୍ୟ ଫିଟିପଡିନଥିଲା. ଜଗନ୍ନାଥଙ୍କୁ ନବଯୌବନ ଦିନ ଗହଳିରେ ଓ ଧାଡ଼ିରେ ଯାଇ ଦର୍ଶନ କରିବାରେ ଜେଜେମାଙ୍କୁ କିଛି ବି ଅସୁବିଧା ହୋଇ ନଥିଲା. ରଥ ଉପର ଦର୍ଶନ, ଆଡ଼ପ ଦର୍ଶନ ସହିତ ଆଡପ ଅଭଡ଼ା ଭୋଜନରେ ମଧ୍ୟ କିଛି ଅସୁବିଧା ନଥିଲା ଜେଜେମାଙ୍କର. ବାହୁଡା଼ ପରେ ଫେରିଆସିବାକୁ କିନ୍ତୁ ଜମା ରାଜି ନଥିଲେ ଜେଜେମା ବରଂ କହୁଥିଲେ ପୁରୀରେ କୋଉ ଆଶ୍ରମରେ ମତେ ରଖି ନିଅ, ତୁମର ମଙ୍ଗଳ ହେବ. ଆନି ହୃଦୟଙ୍ଗମ କରିଥିଲେ ଜେଜେମାଙ୍କ କଥା ଠିକ କାରଣ ତାଙ୍କ ଜୀଵନରେ ସେ କରିଥିବା ବିରାଟ ଘରଟି ଏବେ ତାଙ୍କର ପର ଥିଲା. ଘରର ମଣିଷମାନଙ୍କର ସ୍ନେହ ମମତାର ଝର ବିହୁନେ ଶୁଖା ଶୁଖା ଲାଗୁଥିଲା ତାଙ୍କୁ ନିଜ ଘର ଅର୍ଥାତ ନିଜ ଘର ହିଁ ଯଦି ଆଶ୍ରମ ପରି ଲାଗେ ତେବେ ଆଶ୍ରମରେ ରହିବାରେ କ୍ଷତି କଣ ବୋଲି ଉଠୁଥିବା ଅନ୍ତଃସ୍ୱରର ପରିପ୍ରକାଶକୁ ବୁଝିପାରିଥିଲେ ଆନି ତ ରୁଦ୍ରଙ୍କୁ ରାଜି କରେଇ ଜେଜେମାଙ୍କୁ ଛାଡି ଆସିଥିଲେ ପୁରୀରେ ଥବା ବୃଦ୍ଧାଶ୍ରମରେ କିନ୍ତୁ ପ୍ରଥମ ଟ୍ରିପ ସାରି ଫେରିବା ପରେ ଖାଲି ରୁଦ୍ର ଓ ଆନିଙ୍କୁ ନୁହେଁ ବରଂ ଶାଶୁମା ବେଶି ଶୁନ୍ୟ ଅନୁଭବ କଲାବେଳେ ଆନି ଭାବୁଥିଲେ ପ୍ରକୃତରେ ନିଜ ଲୋକଟି ପାଖରେ ଥିଲା ବେଳେ ତାର ଅବିଗୁଣ ଦେଖାଯାଉଥିଲା ବେଳେ ଦୂରକୁ ଗଲେ ତା ଗୁଣ ଚିହ୍ନି ବଣିଆ ଗୁଣୀ ବାଛିବା ପରି କଥାଟି ଇଏ. ଏଥର ରୁଦ୍ରଙ୍କ ସହ ଟ୍ରିପରେ ପୁରୀ ଯାଇ ଜେଜେମାଙ୍କୁ ଆନି ଫେରାଇ ଆଣିବା ପରେ ସବୁ ଠିକଠାକ ଲାଗିଥିଲା ତ ରୁଦ୍ର କହୁଥିଲେ ଏସବୁ ଜଗନ୍ନାଥଙ୍କ କୃପା କରୁଣା ବିନା ଅସମ୍ଭବ.