STORYMIRROR

Sunanda Mohanty

Tragedy Crime Thriller

4  

Sunanda Mohanty

Tragedy Crime Thriller

ଉତ୍ତରଦାୟୀ  ,,,,,,,,,,,,,,,,,,,

ଉତ୍ତରଦାୟୀ  ,,,,,,,,,,,,,,,,,,,

4 mins
1


କେତକୀ ଭାବୁଥିଲା. ଶାନ୍ତି ଆଉ ତା ନିଜ ଆୟତ୍ତ ରେ ନଥିଲା. ପେଟର ଭୋକ ଅପେକ୍ଷା ମନର ଭୋକ ସହିତ ଦେହର ଭୋକ ତାକୁ ନିଶ୍ଚୟ ଅସ୍ଥିର କରୁଥିଲା.ଆଖିରେ କଜ୍ଜ୍ୱଳ ନଥାଇ କଜ୍ଜ୍ୱଳପାତି ଚଢ଼େଇ ପରି ଉଡାଣ ଥିଲା, ସତେକି ବହରିଣୀ. ନୁଖୁରା ତେଲ ବିହୀନ ଚୁଟି କିଆ କେତକୀ ଫୁଲର ବାସ୍ନା ଦେଉଥିଲା. ନାକରେ ନୋଥ ନଥାଇ ବି ନାକଟି ତାର ଖଣ୍ଡାଧାର ପରି ତୀକ୍ଷ୍ମ ହୋଇ ସତେ ଯେମିତି ବାସ୍ନା ଖୋଜି ବୁଲୁଥିଲା. ସର୍ବୋପରି ଜଳିଯାଇଥିବା ଗଛଟିଏ ବୋଲି ଅନ୍ୟକୁ ଦେଖାଯିବା ଦୂରର କଥା ନିଜ ଶରୀରର ପରିବର୍ତ୍ତନ ରେ ନିଜେ ଶାନ୍ତି ଅଶାନ୍ତ ମନ ହୃଦୟ ସହ ଅସ୍ଥିର ହୋଇଉଠୁଥିଲା. ଗାଁ ଚାରିପାଖରେ ଥିବା ଟୋକାସବୁ ଭଅଁର ପରି ତା ଚାରିପାଖରେ ଉଡ଼ିବୁଲୁଥିବା ବେଳେ ଶାନ୍ତି ସେମାନଙ୍କୁ ଭାତୃ ତୁଲ୍ୟ ଦେଖୁଥିଲା. ହେଲେ ଗାଁ ଭାଇ ମାଧବ ସଙ୍ଗେ ସହରରୁ ଆସୁଥିବା ମୁରଲୀ କି ବଇଁଶୀ ଫୁଙ୍କିଲା କେଜାଣି ଶାନ୍ତି ମିରା ପରି ମୁରଲୀକୁ ପୂଜା କରୁ କରୁ ରାଧା ଙ୍କ ପରି ପ୍ରେମ ପାଗଳିନୀ ସାଜିଥିଲା ମୁରଲୀ ପାଇଁ. ମୁରଲୀ ବଇଁଶୀ ନଧରି ମଧ୍ୟ ଶାନ୍ତି କୁ ସତେ ଯେମିତି ଶ୍ରୀକୃଷ୍ଣ ଙ୍କ ପରି ପ୍ରତେୟ ହେଉଥିଲା. ପ୍ରକୃତିର ମଧୁର ମୂର୍ଚ୍ଛନା ସାଙ୍ଗକୁ, ଥୁଣ୍ଟାଗଛ ମନେ ହେଉଥିବା ଶାନ୍ତି ପତ୍ରଝଡା ଦେଇ ଜଳିଯିବା ପରିବର୍ତ୍ତେ ଶାନ୍ତିର କୋଇଲି ପରି ମିଠା ସ୍ୱରରେ ଚମକ ଥିଲା ତ ମୁରଲୀ ଆକୃଷ୍ଟ ହେଲା. ବଧୂ କରିନେବାକୁ କଥା ଦେଲା. ବଧୂ ହେବାର ମିଠା ନିଶାରେ ଶାନ୍ତି ଭୁଲିଗଲା ଏ ଦୁନିଆଁ କେବଳ ଦୁଇ ନିଆଁ. ଏଠି ଜନ୍ମ ବେଳେ ଜଳେ ଏନ୍ତୁଡ଼ି ନିଆଁ ଆଉ ମରିଗଲେ ଜଳେ ଜୁଇ ନିଆଁ. ବାକି ମଝିରେ ଜଳୁଥିବା ନିଆଁ ରେ ଧୂଆଁ ସଦୃଶ ଶାନ୍ତି କେବଳ ପତଙ୍ଗ ପରି ପୋଡି ଜଳି ଯାଉ ଯାଉ ମୁରଲୀ ର ପ୍ରେମ ରେ ବା୍ୟାଣୀ ହୋଇଗଲା. ଏ ଘରୁ ରୋଗୀଣା ବାପାଙ୍କ ଆର୍ତ୍ତଚିତ୍କାର ବନ୍ଦ ହୋଇଯିବା ପରେ ନଥିଲା ବାପା ଡାକ କି ମାଆ ମଧ୍ୟ ଜୁଇରେ ଚଢିସାରିଥିଲା ତ ନଥିଲା ମାଆ ଆଖିର ବିବଶତା କି କରୁଣତା କିମ୍ବା କାତରତା. ଏଣିକି ବରଂ ଶାନ୍ତିକୁ ଶକ୍ତ କରିଥିଲା ବିବର୍ତ୍ତମାନବାଦ. ଶାନ୍ତି ମୁରଲୀ ପ୍ରେମରେ ଉବୁଟୁବୁ ହୋଇ ଭୁଲିଗଲା ବିଶ୍ୱନିଅନ୍ତା ଙ୍କ ନିର୍ଦେଶ, ଭୁଲିଗଲା ସେ ଗ୍ରାମବାସୀ ଙ୍କ ଆଶ୍ରିତ. କଥାଟା ଲୁଚି ରହିଲା ନାହିଁ. ମାଇପି ଗାଧୁଆ ତୁଠରେ ଟୁପୁ ଟୁପୁ ହେଉ ହେଉ ତୁଣ୍ଡ ବାଇଦ ସହସ୍ର କୋଶ ପରି ମୁରବୀ ମାନଙ୍କ କାନକୁ କଥା ଗଲା. ଏମିତିକି ସ୍ୱାମୀ ମହନା କୁ ସ୍ତ୍ରୀ କେତକୀ ଏକଥା ଜଣେଇଥିଲେ ମଧ୍ୟ ମହନା ତାକୁ ପିଲାଦିନୁ ଝିଅ ପରି ଦେଖୁଥିବାରୁ ଓ ବାପା ମାଆ ଙ୍କ ମୃତ୍ୟୁ ପରେ ନିଜ ଘରେ ଝିଅ ପରି ଆଶ୍ରୟ ଦେବାକୁ ଘରେ ରଖିଥିଲେ ମଧ୍ୟ ଶାନ୍ତି ପିତାମାତାଙ୍କ ସ୍ମୃତି ଜାବୁଡି ନିଜ ଘରକୁ ଚାଲିଯିବା ଘଟଣା ଦେଖି ସେତେବେଳେ ମହନା ଚମତ୍କୃତ ହୋଇଥିଲା. ସେଇ ବାପ ସଦୃଶ ମହନା ଆଜି କେମିତି ବୁଝନ୍ତା ବିବାହ ନକରି ମଧ୍ୟ ଶାନ୍ତି ମନରେ ନିଆଁ ଲାଗିଛି ବୋଲି! ସେଇ ବଣ ନିଆଁରେ ସେ ନିଜେ ପୋଡି ଜଳି ପାଉଁଶ ହୋଇଯାଇପାରେ!
    କେତକୀ ର ଭାବନା ବଢୁଥିଲା ଆଗକୁ ଆଗକୁ. ଏତେସବୁ କଥା କେତକୀ କୁ ଜଣା ଥିଲେ ମଧ୍ୟ ପ୍ରକୃତ ଦୋଷୀ ବା ଦୁଷ୍କର୍ମ ଘଟାଇ କିଏ ହୋଇପାରେ ଶାନ୍ତିର ହତ୍ୟାକାରୀ ଜଣାନଥିଲା!ତେବେ ମୁରଲୀ କଣ ଏମିତି ହନ୍ତସନ୍ତ କରି ନିଜ ପ୍ରେମିକା କୁ ମାରି ପାରିଥିବ!ପୁଣି ମନେପକାଉଥିଲା କେତକୀ ଏପଟ ଘରେ ସ୍ୱାମୀର ଛାତି ଲଗ୍ନା ହୋଇ ସେଇ ଛୁଆଁ ରାତିର ସ୍ପର୍ଶ ରେ ସେ ସ୍ୱାମୀ ସହ ନିବିଡ଼ ହେଲାବେଳେ କାନ୍ଥ ଟପି ସେପଟ ଘରେ ଶାନ୍ତିର ଦୀର୍ଘନିଶ୍ଵାସ କୁ ସେ ମଣିଷର ସହଜାତ ପ୍ରବୃତି ଭାବି ଅଣ୍ଟିରେ ପୁରେଇ ଦେଇ ସ୍ୱାମୀଙ୍କୁ ପାଉଁଜି ପାଇଁ ଅଳି କରୁଥିଲା ବୋଲି ଆଜି ତା ସ୍ୱାମୀ ଶାନ୍ତିର ମୃତ୍ୟୁ ପାଇଁ ଦାୟୀ ହୋଇ ଜେଲରେ ସଢୁଥିଲା ବେଳେ ସେ ଏମିତି ଜଳୁନଥାନ୍ତା. ତେବେ ସେ ଦିନ କଣ ଅମୁଲ୍ୟ ଶାନ୍ତି ଘରେ ଥିଲା!ଶାନ୍ତିର ସବୁକିଛି ଲୁଟି ନେଇ ତାକୁ ଜଳନ୍ତା ଗଛ ମୂଳକୁ ଡାକି ନେଇ,ପ୍ରେମଜାଲ ରେ ଫସେଇ ଫାଶ ବସେଇଛି ତଣ୍ଟିରେ!ମକର ସଂକ୍ରାନ୍ତି ପୂର୍ବଦିନ ରାତିରେ ଏତେସବୁ ଅଘଟଣ ଘଟିଯିବ ବୋଲି କେତକୀ ଭାବିପାରୁ ନଥିଲା. ମଧୁ ମିଶ୍ରେ କହନ୍ତି ନିଆଶ୍ରି ଝିଅଟା. ଗାଁରେ ଖାଇପିଇ, ଗାଁ ପିଲାଙ୍କୁ ପାଠ ଶାଠ ଦି ଅକ୍ଷର ପଢ଼େଇ ବଢ଼େଇ ପାରିଲେ ଝିଅଟାର ପେଟ କଣ ଅପୋଷା ରହିବ? ଦେଖିକି ଝିଅଟାକୁ ହାତକୁ ଦି ହାତ କରିଦେଲେ ସ୍ଵର୍ଗରେ ଥାଇ ବାପା ଓ ମାଆ ସପନା ଓ ତା ସ୍ତ୍ରୀ ଏଇ ଗାଁକୁ ଅମୃତ ଦୃଷ୍ଟିରେ ଚାହିଁଥିବେ. ଏବେ ଏବେ ତ ସିଲେଇ ରେ ପାରଙ୍ଗମ ହେଲାଣି ଶାନ୍ତି ଆଉ ଡର କାହାକୁ ଭୟ କାହାକୁ ଉପରବାଲା ପରା ଅଛନ୍ତି ଚଉବାହାକୁ. ଗାଁ ର ଉର୍ନ୍ନତି ହେବ ନିଶ୍ଚୟ ଏଇ ଶାନ୍ତି ପାଇଁ. ରାଧୁ ମହାପାତ୍ର ମଧ୍ୟ କହନ୍ତି,ଶାନ୍ତି ପରି ଝିଅ କେବେ ଅଶାନ୍ତି ସୃଷ୍ଟି କରିପାରିବ ନାହିଁ. ପିଲାଦିନେ ତାକୁ ନେଇ କେତେଥର ଅନାଥାଆଶ୍ରମରେ ଛାଡିଥିଲେ ମଧ୍ୟ ସେଠାରୁ ଲୁଚି ଖସି ଆସୁଥିବା ଝିଅ ଶାନ୍ତି କଣ କେବେ ସ୍ବର୍ଗବାସୀ ବାପା ମାଆ ଙ୍କ ମୁହଁ ରେ ଚୂନ କାଳି ବୋଳି ପାରିବ!ତେବେ କଣ ଶାନ୍ତିର ମୁରଲୀ ପରି ବନବାସୀ ପିଲା ସହ ଭାବ ଓ ସମ୍ପର୍କ ତଥା ମନ ଦିଆନିଆ ଦେଖି ତାକୁ ଜୀବନରୁ ମାରି ଜଳନ୍ତା ଗଛମୂଳେ ଜଳନ୍ତା ଗଛ ପରି ଫୋପାଡିଦେଲେ ସେମାନେ. ଆଉ ଆଗକୁ ଭାବିପାରେନା କେତକୀ.
  ସ୍ୱାମୀ  ମହନା ଆଉ କେତେଦିନ ଜେଲର ଚାରିକାନ୍ଥ ଭିତରେ ରହିବ, କେବେ ଖଲାସ ହୋଇ ବାହାର ଦୁନିଆଁ ଦେଖିବ ବୁଝିପାରୁନଥିବା ମ୍ରିୟମାଣ କେତକୀ ସେଦିନ ଗ୍ରାମବାସୀମାନଙ୍କୁ ଥାନା ହାଜତ କୁ ଆସୁଥିବାର ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲା. ପୋଲିସ ବାବୁଙ୍କ ସହ ସଲାସୁତର ହୋଇ ମହନା କୁ ହଜାତରୁ ମୁକୁଳେଇବାରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ କେତକୀ କୁ ସ୍ୱାମୀ ସୁଖ ସହ ସଂସାର ସୁଖ ଫେରେଇ ଦେଲାବେଳେ ମୁରଲୀ ଟା ବାୟା ହୋଇ ଶାନ୍ତି ଦୁଆର ଛାଡ଼ୁନଥିବା ଦେଖି ମହାନା କୁ ଭାତ ବାଢିବା ପୂର୍ବରୁ କେତକୀ ପଖାଳ ଭାତ ବେଲା ସହ ଶୁଖୁଆ ଭଜା ମୁରଲୀ ଆଗରେ ବାଢି ପିଠି ଆଉଁସି କାହିଁକି ଖାଇଦେ ଖାଇଦେ କହୁଥିଲା ବୋଧହୁଏ ପିଲାପିଲି ନଥିବା କେତକୀ ଏ ଭିତରେ ମୁରଲୀ ର ମାଆ ଵନି ଯାଇଥିଲା କି କଣ ବୁଝିହେଉନଥିଲା.
    ସେଦିନ ଯେବେ ପାଗଳ ମୁରଲୀକୁ ପୋଲିସ ଉଠାଇନେଲା ସେଦିନ ଆଗପରି କେତକୀ ସ୍ୱାମୀ ମହନା ଛାତିରେ ମୁଣ୍ଡ ଗୁଞ୍ଜି ଅନୂଢ଼ା ନବବଧୂ ରୂପେ ପାଉଁଜି ପାଇଁ ଅଳି କରିବା ପରିବର୍ତ୍ତେ ଲୁହ ଲହୁ ଏକାକାର କରୁ କରୁ ତା ଆରଦିନ କେତକୀ ଦେହରେ ଶାନ୍ତିର ପ୍ରେତାତ୍ମା ସବାର ହୋଇଛି ବୋଲି ଗାଁ ସାରା ଡିଣ୍ଡିମ ବାଜୁଥିଲା. କେତକୀ ପରି ପତଳୀ ନହନହକା ସ୍ତ୍ରୀ ଲୋକଟା ପାଣିଗରା ଟେକି ପାଟିରେ ନେବା ପୁଣି ପାଟିରେ ପାଣିଗରା ନେବା ସହ ଦୁଇହାତରେ ପାଣି ଭର୍ତ୍ତି ଦୁଇ ଗରା ଧରି ଗାଁରୁ ମଶାଣୀ ଯାଏଁ ଯିବା, ଶାନ୍ତି ପରି ଚାଲିଚଳନ ଦେଖାଇବା ସହ ମୁରଲୀ ନିର୍ଦୋଷ  ତାକୁ ଖଲାସ କରି ଆଣିବାକୁ କହିବା ଇତ୍ୟାଦି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ତଥା ରୋମାଞ୍ଚିତ କରୁଥିଲା ବେଳେ ମହନା ହତୋତ୍ସାହ ହୋଇ ପଡୁ ଥିଲା. ତତେ ପାଉଁଜି କିଣି ଦେବି, ତତେ ମକର ଜାତ ବୁଲେଇ ନେବି. ମକର ଜାତରୁ ତୋ ପାଇଁ ପାଉଁଜି, ଝୁଣ୍ଟିଆ, ଅଳତା, ସିନ୍ଦୁର, ଟିକିଲି ଓ ଚୁଡ଼ି କିଣେଇଦେବି. ତୁ ଆଗ ସ୍ଥିର ହୁଅ କହୁଥିଲା ସ୍ୱାମୀ ମହନା ତ କେତକୀ କହୁଥିଲା ଝିଅ ପରି ମାନୁଥିବା ଶାନ୍ତିର ଅପମୃତ୍ୟୁରେ କିଏ ଦାୟୀ ସେକଥା ବୁଝିବା ଦାଇତ୍ୱ ଓ କର୍ତ୍ତବ୍ୟ କଣ ତୁମର ନୁଁହଁ!ତଟସ୍ଥ ହୋଇ ସ୍ୱାମୀ ମହନା ଦେଖୁଥିଲା ଇଏ ତା ସ୍ତ୍ରୀ କେତକୀ ନା ଆଉ କିଏ!ଗ୍ରାମବାସୀ କିନ୍ତୁ ଥାନା କୁ ଦୌଡୁ ଥିଲେ. ସେମାନେ ବୁଝିସାରିଥିଲେ କି ମୁରଲୀକୁ ଖଲାସ ନକଲେ ମହନା ର ଘର ପାଣି ବୁଡି ଆଣ୍ଠୁଏ ହେବ. ଏସବୁ କଥା ବୁଝିସାରିଥିବା ଗ୍ରାମବାସୀ କଣ ସବୁ ସଲାସୁତୁରା କରୁଥିଲେ କେଜାଣି, ଚାଷୀପୁଅ ମହନା କିନ୍ତୁ ଜଳନ୍ତା ଥୁଣ୍ଟା ଗଛଟାକୁ ହାଣି ଚାଲିଥିଲା.


Rate this content
Log in

Similar oriya story from Tragedy