ଅନାଥିନୀ
ଅନାଥିନୀ
ନୂଆବର୍ଷ ରେ ସବୁଆଡେ ପରିବର୍ତ୍ତନ ର ସ୍ୱର ଓ ରୋମାଞ୍ଚ ତଥା ଅନୁଭବ ଓ ପୁଲକ. ଥୁଣ୍ଟା ଗଛରେ ପତ୍ର କଅଁଳିବା ଋତୁ.ତା ଭିତରେ କୋଇଲି କଣ୍ଠରେ କା କା ରାବ ଠିକ ପଡିଶା ଘର ଝିଅର ସ୍ୱର ପରି ଶୁଭୁଥିଲା ମହନା କୁ. କୁଆର ଡାକରେ କିନ୍ତୁ ବସନ୍ତର କୁହୁ. ମାଛରଙ୍କା ଥଣ୍ଟରେ କାଠହଣା ଚଢେଇର ଠକ ଠାକ ଆବାଜ ଠିକ ପଡିଶା ଘର ଝିଅ ଶାନ୍ତିର ଚାଲି ପରି.ପଡିଆରେ ଗୋରୁଗାଇ ଙ୍କ ପିଠିରେ ବଗର ଟିଙ୍କ ଖାଇବାର ଓ ପୋକଗିଳା ଦୃଶ୍ୟ ଠିକ ଶାନ୍ତି ର ଥାଳିରେ ମାଗିଆଣିଲା ତିଅଣ ହାପୁଡାଏ ପରି. ପାରା ଓ କପୋତ ଙ୍କର ଏକତା ବାହାରେ ବିରହ ଜ୍ୱାଳା ଠିକ ଶାନ୍ତି ବୋଲି ଝିଅଟିର ଦୁର୍ଭାଗ୍ୟ ପରି. ତାରି ଭିତରେ ଅପନ୍ତରା ଓ ଅଯତ୍ନ ରେ ରହୁଥିବା ସାପଙ୍କ ସ୍ଵଭାଵ ପରି ଶାନ୍ତିର କରୁଣ ଚାହାଣି ବେଶ କିଛି ଫରକ ଆଣେ. ଫଳନ୍ତି ଗଛ ଉହାଡରେ ଚୁପଚାପ ବସିଥିବା ଶୁଆଶାରୀ, ଘରବାଡି ନେଉଳ, ପୋଷାବିରାଡ଼ି,କୁକୁର ଓ ଗୃହପାଳିତ ପଶୁ ଇତ୍ୟାଦି ସମସ୍ତଙ୍କର ଶୃଙ୍ଗାର ଭିତରେ କେତକୀ ବି ମଣିଷଟାଏ. ସ୍ୱାମୀ ମହନା ଛାତି ପାଖକୁ ଲାଗି ଆସି କହୁଥିଲା ଏସନ ସାବିତ୍ରୀକୁ ମୋ ପାଇଁ ପାଉଁଜି ହଳେ କିଣି ଦେବ ନା?ରାତି ପାହି ସକାଳ ହେଲା. କେତକୀ ବାହୁବନ୍ଧନ ରୁ ନିଜକୁ ମୁକୁଳେଇ ଦେଖୁ ଦେଖୁ ମହନା ଚାଷୀଭାଇ ବାହାରିଲା କ୍ଷେତକୁ. କ୍ଷେତ ରେ ପାଚିଲା ଫସଲ ନାହିଁ କି ନାହିଁ କିଆରି କିଆରି ଜୁଆରିଆ ହସ. ପୋଖରୀଟି ପୋଖରୀ ହୋଇନାହିଁ ଯେ ଫୁଲିବ କଇଁ କି ଖେଳିବ ପଦ୍ମ!ଶାଗୁଣା କି ବିଲୁଆ କେହି ମଢ଼ କୁ ଘେରି ବସି ଭୋଜିଭାତ ରେ ମସଗୁଲ ବି ନାଁହାଁନ୍ତି. ପଥିକ ବି କେହି ଦିଶୁନାଁହାନ୍ତି ମହନା ଆଖିକୁ. ବରଗଛ ଛାଇରେ ଘଡିଏ ବସି ପୁଣି ବାଟ ଚାଲିବାକୁ ଅପେକ୍ଷା କରିନି ବାଟୋଇ କେହି. ଶୁଭୁନି ବି ବରଗଛ ଓହଳରେ ଦୋଳି ଖେଳୁଥିବା ଛୋଟ ଛୋଟ ଶିଶୁ ଓ କିଶୋରଙ୍କ ମନଖୋଲା ରଡି. ଶୁଭୁନି ବି ଗାଈଆଳ ପିଲାଙ୍କ ସଂଗୀତ ସାଙ୍ଗକୁ ଗଡ଼ୁନି ଆଉ ମାଗୁଣି ଶଗଡି!ପୁବେଇ ପବନ ବି ଥମ. ଗାଁରେ ଚଳଚଞ୍ଚଳତା ଠପ. ଶୁଭୁଛି କେବଳ ପଡୋଶୀ ସନିଆ ର ଅତୀତ ର ସେହି କରୁଣ ଆର୍ତ୍ତନାଦ ସାଙ୍ଗକୁ ଦିଶୁଛି ମାଆ ଛେଉଣ୍ଡ ବଢନ୍ତା ଝିଅର ନୁଖୁରା କେଶ ଗୁଚ୍ଛ ସହିତ ଫୁଙ୍ଗୁଳା ଶିରାମୟ ପାଦ. କଣ କରିପାରିବ ମହନା!ଆଖି କୁହୁଳେ. ଆଗରେ ଦିଶେ ଅନ୍ଧାର ପରସ୍ତ ବହଳ ବହଳ. କ୍ଷେତରୁ ଫେରି ଜଳନ୍ତା ଗଛ ମୂଳେ ଅଟକି ଗଲା ପାଦ ଦୁଇଟି ମହନା ର. ସେ ଗଛ ମୂଳେ କିଏ!
ଭାଗ୍ୟ ଚକ୍ରରେ ନବଗ୍ରହ ଙ୍କ ଆସ୍ଥାନ ରେ ସମସ୍ତେ କଣ କ୍ରୁର ଘରେ ବସିଥିଲେ ସେଇ ଝିଅଟି ଶାନ୍ତିର!ରୋଗୀଣା ବାପର କରୁ କରୁ ମାଆ ଚାଲିଗଲା ବେଳେ କେତେ ଅବା ବୟସ ହୋଇଥିଲା ଶାନ୍ତିକୁ!ମାଆ ମାଆ ବୋଲି ବିକଳରେ ଚିତ୍କାର କରୁ କରୁ ଗ୍ରାମବାସୀ ମାଆ ସହ ଚିରା ଗନ୍ଥା ପଟା ଘୋଡେଇ ଓ ଗୁଡେଇ ମାଆ କୁ ଟେକି ନେଇ ପାଖ ମଶାଣୀ ରେ ଦାହ କଲାବେଳେ ଶାନ୍ତି ହାତରେ ଧରେଇ ଦେଇଥିଲେ ଚକୋଲେଟ. ପିଲା ବେଳେ କିଛି ବୁଝୁନଥିବା ଶାନ୍ତି କୁ କୋଳ କରି ଘରକୁ ନେଇଯାଇଥିଲା ମହନା ହେଲେ ସେପଟୁ ବାପାର ଆର୍ତ୍ତନାଦ ଶୁଣି ଦଉଡିଯାଏ ଶାନ୍ତି. ଛୋଟ ପିଲା ଅଝଟ ହେଉ ଥିଲେ ତାକୁ ଯଦି କ୍ଷୀର ବୋତଲ, ତକିଆ ଚାଦର ଦେଇ ନିଛାଟିଆ ଘରେ ରଖାଯାଏ କିଛି ସମୟ ପରେ ଦେଖାଯାଏ ବୋତଲରୁ କ୍ଷୀର ପିଇ, ତକିଆରେ ମୁଣ୍ଡ ଦେଇ ବିନା ଚାଦରରେ ଶୋଇଯିବା ଶିଖି ଯାଇଥାଏ ଶିଶୁ. ଠିକ ସେହିପରି ଶାନ୍ତି ଶିଖିଗଲା ବଞ୍ଚିବା ଓ ମାଗିଯାଚି ଆଣିଥିବା ବା କେହି ଦୟାଳୁ ଗ୍ରାମବାସୀ ମାନେ ପାଳିରେ ଦେଇଯାଇଥିବା ଖାଦ୍ୟ ବାପା କୁ ଅଧା ଖୁଆଇ ନିଜେ ଅଧା ଖାଇ ବଡ଼ ହେଉ ହେଉ ଅଧା ବାଟରୁ ସପନୀ ଚାଲିଗଲା ହେଲେ ଏଭିତରେ ଏକୁଟିଆ ବଞ୍ଚି ଶିଖିଥିବା ଶାନ୍ତି ଆଜି ନିଜ ଇଛାରେ କି ଅନ୍ୟ କାହା କଥାରେ ନିଜକୁ ବିକି ଶେଷ ଯାତ୍ରା କୁ ଆପଣେଇ ଏଇ ଜଳନ୍ତା ଗଛମୂଳେ ମରି ପଡିଥିଲା ବୁଝିବା ପୂର୍ବରୁ ସମସ୍ତେ ଘେରିଗଲେ ମହନା ଚାରିପଟେ. ବାନ୍ଧିନେଇ ପୋଲିସ ଠୁଙ୍କି ଦେଲା ଥାନାରେ. ମିଛ କି ସତ କହିବୁ କୋର୍ଟ ରେ ପୋଲିସ କହୁଥିଲା ବେଳେ ସ୍ତ୍ରୀ କେତକୀ ବାହାରେ ସୁଁ ସୁଁ ହେଉଥିଲା. ସେ ଜାଣେ ରାତି ସାରା ମହନା ତା ପାଖେ ଥିଲା କିନ୍ତୁ ପ୍ରମାଣ କଣ ଓ କେମିତି ଦେବ କେତକୀ ବୁଝିପାରୁନଥିଲା.
