ବସନ୍ତର ଆଗମନ
ବସନ୍ତର ଆଗମନ
ବସନ୍ତର ଆଗମନ ରେ ଧରାରେ ହସିଉଠେ ପ୍ରକୃତି ଓ ଉଡ଼ିବୁଲେ ପ୍ରଜାପତି. ସେହି ପ୍ରଜାପତି ଧରୁ ଧରୁ ଝିଲି ଓ ମିଲି ଦୁଇ ଯାଆଁଳା ଭଉଣୀ କିଶୋରୀ ହେଲେଣି କିନ୍ତୁ ଦୁହେଁ ଭାରି ସାଙ୍ଗ. ଜଣେ କଣ ଆରମ୍ଭ କଲେ ଅନ୍ୟ ଜଣେ ତାକୁ ଅନୁକରଣ ଓ ଅନୁସରଣ କରି ଆଗେଇଯାଏ.ମକର ମେଳାକୁ ଦୁଇଭଉଣୀ ବାପାଙ୍କ ସଙ୍ଗେ ଯାଇଥିଲେ ତ ଝିଲି କେତେକଥା କିଣିବା ସହ ଗୋଟେ ସରାଗାତ କିଣି ଆଣିବାରୁ ମିଲି ମଧ୍ୟ ତା ପସନ୍ଦର ଖେଳନା ସହ ସରାଗାତ କିଣିଥିଲା.ଦୁଇ ଝିଅ ଶିଶୁରୁ କିଶୋରୀ ହେବା ସହ ସଞ୍ଚୟ ଗୁଣ ଆପଣେଇବା ଦେଖି ବାପା ମଧ୍ୟ ଅତ୍ୟନ୍ତ ଖୁସି ହୋଇ ଦୁହିଁଙ୍କୁ ପ୍ରତିଦିନ କିଛି କିଛି ରେଜା ପଇସା ଓ ଟଙ୍କା ଦିଅନ୍ତି. ଝିଲି ଅଳ୍ପ କିଛି ଖର୍ଚ୍ଚ କରି ଆଉ ସବୁ ପଇସାର ମୂଲ୍ୟ ଛୋଟ ବଡ଼ ନଦେଖି ଆଈ କହିଥିବା ଗୋଟି ଗୋଟି କରି.....ପଇସା ସଞ୍ଚି ଯେ ପାରଇ....... ହୁଏ ଦିନେ ମହାଧନୀ,କଥାଟି ମନେପକାଅଇ ପଇସା ଏକ କି ଦୁଇ ଅବା ପାଞ୍ଚ କି ଦଶ ଯାହା ବି ହେଉ ସାଇତି ଦେଉଥିଲା ବେଳେ ମିଲି କିନ୍ତୁ ଖୁଚୁରା ଟଙ୍କିକିଆ ଦୁଇଟଙ୍କିଆ ନରଖି କେବଳ ପାଞ୍ଚ ଓ ଦଶ ଟଙ୍କିଆ ସହ ନୋଟ ରଖୁଥିଲା. ଦୁଇ ଭଉଣୀ କଥା ହୋଇଥିଲେ ଏବର୍ଷ ବସନ୍ତ ପଞ୍ଚମୀରେ ତାଙ୍କ ସାଙ୍ଗରେ ଏକା କ୍ଲାସ ରେ ପଢ଼ୁଥିବା ମିଡିଲ କ୍ଲାସ ଘର ଝିଅ ବୋଲି କହି ଅନ୍ୟ ସାଙ୍ଗ ସବୁ ମୀରା କୁ ଦୂର ଦୂର କରୁଥିବାରୁ ତା ପାଇଁ ଦାମୀ ଡ୍ରେସ, ଛତା ଓ ଜୋତା ସହିତ ଭଲ ସ୍କୁଲ ବ୍ୟାଗ କିଣିଦେବେ. ଝିଲି ସହିତ ମିଲି ମଧ୍ୟ ଏକମତ ଥିଲା. ବାପାଙ୍କ ପରାମର୍ଶ ନେଇ ମୀରାକୁ ଯେପରି ଖରାପ ନଲାଗେ ତେଣୁ ତା ଜନ୍ମଦିନ ପାଇଁ ଉପହାର କହି ଦୁଇଭଉଣୀ ନିଜ ସାଙ୍ଗକୁ ସେହି ସବୁ ଜିନିଷ ଗିଫ୍ଟ ଆକାରରେ ଦେବେ ବୋଲି ଭାବି ଥିଲେ. ଯେମିତି କି ତାର ସ୍ୱାଭିମାନ ଉପରେ କଷ୍ଟ ଲାଗିବନି.
ସରସ୍ବତୀ ପୂଜା ପାଖେଇ ଆସିଲା. ପୂଜା ଦିନକ ପୂର୍ବରୁ ଝିଲି ଓ ମିଲି ଦୁହେଁ ସରାଗାତ ଭାଙ୍ଗି ନିଜ ନିଜ ମନିପର୍ସ ରେ ରେଜା ଓ ନୋଟ ଟଙ୍କା ଧରି ବଜାର ଯାଇ ମୀରା ପାଇଁ ସମାନ ସମାନ ଭାଗ ଟଙ୍କା ଦେଇ ବଢିଆ ଡ୍ରେସ, ଜୋତା, ଛତା, ସ୍କୁଲବ୍ୟାଗ, ପାଣିବୋତଲ ସହ ଫେରିବାକୁ ବସିଥିବା ବେଳେ ଝିଲି କହିଲା ମୋ ପାଖରେ ତଥାପି ଦୁଇହଜାର ଟଙ୍କା ବଳିଛି ତେଣୁ ମୁଁ ଭାବୁଛି ଆମ ସ୍କୁଲ ପାଖ ବସ୍ତିରେ ବାସ କରୁଥିବା ମିତା ପାଇଁ ମଧ୍ୟ ଡ୍ରେସ ଇତ୍ୟାଦି କିଣିବା ସହ ଗୋଟେ ଗୋଟେ ଅଁଳା ଗଛ ଚାରା କିଣି ସାଙ୍ଗମାନଙ୍କୁ ବସନ୍ତ ଭେଟି ଦେବା. ମିଲି କହିଲା ତୋ ପାଖରେ ଏତେ ଅଧିକା ଟଙ୍କା କେମିତି ହେଲା?ଝିଲି ବୁଝେଇ ଦେଲା ଯେ ମିଲି ତୁ କେବଳ ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ ସରାଗାତ ରେ ରଖିଲା ବେଳେ ମୁଁ ଏକ ଟଙ୍କିଆ ଓ ଦୁଇଟଙ୍କିଆ ସବୁକୁ ମଧ୍ୟ ରଖୁଥିବାରୁ ମୋର ଅଧିକ ସଞ୍ଚୟ ହୋଇଛି. ମିଲି ଏଥର ନିଜର ଭୁଲ ବୁଝିପାରିଲା. ସେ ମଧ୍ୟ ଏଣିକି ସବୁ ପଇସା ସଞ୍ଚୟ କରି କିଛି ଭଲ କାମରେ ଲଗାଇବାକୁ ଇଛାକରି ବଡ଼ ସରାଗାତ କିଣିଥିଲା. ଦୁଇ ଭଉଣୀ ମକର ଚାଉଳ ଖାଇ ପରସ୍ପରକୁ ମକର ଡାକୁଥିବାରୁ ସେ ଦୁଇ ମକର ସରସ୍ବତୀ ପୂଜା ଦିନ ବାପା କିଣି ଦେଇଥିବା ନୂଆ ଡ୍ରେସ ପିନ୍ଧି ମୀରା ସହ ସ୍କୁଲରେ ଦେବୀ ସରସ୍ବତୀ ଙ୍କୁ ମୁଣ୍ଡିଆ ମାରି ଶପଥ କରିଥିଲେ ଯେ ଭଲ ପଢିବା ସଙ୍ଗେ ସମସ୍ତଙ୍କୁ ସମ୍ମାନ ଦେବାକୁ ଆମକୁ ବିଦ୍ୟା ଓ ଵୁଦ୍ଧି ଦିଅ ମାଆ ଦେବୀ ବାକଦେବୀ.ତ ସାର ଓ ଗୁରୁମା ସେ ଦୁଇଭଉଣୀ ଙ୍କୁ ଖୁବ ପ୍ରଶଂସା କରି ସମସ୍ତେ ଏଣିକି ସଞ୍ଚୟ କରି ସେହି ପଇସାରେ କିଛି ଭଲ କାମ କଲେ ଦେବୀ ସରସ୍ବତୀ ପ୍ରସନ୍ନ ହୋଇ ବିଦ୍ୟା ଦେବେ. ବିଦ୍ୟା ଥିଲେ ବୁଦ୍ଧି ଓ ବଳ ତଥା କୌଶଳ ଆପେ ଆପେ ମିଳିଯିବ. ଝିଲି ଆଣିଥିବା ବୃକ୍ଷ ଚାରା ସବୁକୁ ବାଣ୍ଟିବା ସହ ସ୍କୁଲରେ ମଧ୍ୟ ଲଗାଯାଇଥିଲା. ସମସ୍ତେ ଦୁଇଭଉଣୀଙ୍କୁ ଖୁବ ପ୍ରଶଂସା କରିଥିଲେ.ବସନ୍ତର ଆଗମନ ରେ ମାଆ ବାସନ୍ତିକା ହସୁଥିଲେ ଯେମିତି ସରସ୍ବତୀ ଦେବୀ ଙ୍କ ପ୍ରତିମା ରୂପରେ ଝିଲି ମିଲି ପଢ଼ୁଥିବା ସ୍କୁଲ ରେ.ପ୍ରକୃତି ମଧ୍ୟ ଖୁବ ସୁନ୍ଦର ଦିଶୁଥିଲା ବସନ୍ତ ଆଗମନ ରେ.
